ଜୀବନ ରଙ୍ଗ

 

 

 

 

 

 

 

 

 

 

 

ଜୀବନ ରଙ୍ଗ

ଦେବ୍ରାଜ ଲେଙ୍କା

 

ତୁମେ...

 

ଜୀବନର ନିର୍ଜନ ରାସ୍ତାରେ ଏକାକୀ ବାଟୋଇ ।

 

ମୁଣ୍ଡରେ ତୁମର ବହୁତ ଦୁଃଖ, ବହୁତ ଯାତନା, ବହୁତ ଲୁହର ଶକ୍ତ ବୋଝ... ! କିନ୍ତୁ ତା’ର ଭାଗୀ ହେବାପାଇଁ କେହିନାହିଁ । କେହି ନାହିଁ ।

 

କିଛି ସହିନପାରି ତୁମେ କାନ୍ଦିବାକୁ ଲାଗିଲ ।

 

କାନ୍ଦିକାନ୍ଦି ସବୁ ସହି ଏଥର କିନ୍ତୁ ଖାଲି ହସୁଛ । ସତରେ...., କେତେ ଯେ ଏହି ଲୁହ, ପୁଣି କେତେ ଯେ ଏହି ହସ– !

 

ତୁମରି ହାତରେ ଏହି ବହିଟି...........

☆☆☆

 

ଏହି ବହିର ଲିଖନ ଶୈଳୀ ସଙ୍ଗୀତଧର୍ମୀ ହୋଇଅଛି । ସାଧାରଣତଃ ଯେପରି ଭାବରେ ଉପନ୍ୟାସରେ ଗଦ୍ୟ ଲେଖାଯାଏ, ସେହିପରି ହୁଏତ ଲେଖିଥିଲେ ଚଳିଥା’ନ୍ତା । କିନ୍ତୁ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ସମ୍ବଳିତ ଏକ ରୋମାଣ୍ଟିକ୍ ଉପନ୍ୟାସ ଲେଖିବାପାଇଁ ମୁଁ ଜାଣିଶୁଣି ଏପରି ଏକ ଶୈଳୀର ଆଶ୍ରୟ ନେଇଛି ।

 

ଏହି ବହି ପୂର୍ବରୁ ପତ୍ରିକାରେ ବାହାରିଥିଲା । ମୁଁ ଏବେ ଏହାକୁ ଯଥେଷ୍ଟ ଅଦଳବଦଳ କରିଦେଇଛି । ପତ୍ରିକାରେ ପ୍ରକାଶ ହୋଇଥିବାରୁ ମୁଁ ମୋର ପାଠକପାଠିକାଙ୍କ ଠାରୁ ପୂର୍ବରୁ ଯେଉଁ ଚିଠିପତ୍ର ଏହି ବହି ସମ୍ପର୍କରେ ପାଇଛି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

 

‘‘ଜୀବନ ରଙ୍ଗ’’ ସମ୍ପାଦକ ଶ୍ରୀ ରଣଧୀର ଦାସ ଏହି ‘‘ଜୀବନ ରଙ୍ଗ’’ ଉପନ୍ୟାସକୁ ଗତ ୧୯୬୮ ମସିହା ପୂଜା ସଂଖ୍ୟାରେ ତାଙ୍କ ପତ୍ରିକାରେ ସ୍ଥାନ ଦେଇଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ପରିଶେଷରେ ଓଡ଼ିଶା ବୁକ୍‌ ଷ୍ଟୋରର ସ୍ୱତ୍ୱାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏହାକୁ ବହି ଆକାରରେ ନବକଳେବର ଦେଇଥିବାରୁ ମୁଁ ତାଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ଲେଖକ

☆☆☆

 

।। ୧ ।।

 

ମୁଁ ଭାବେ ଏଇ ଝୁଅମାନେ ସଦାବେଳେ ଟିକେ ଦୁଷ୍ଟ–ଦୁଷ୍ଟ ।

 

ପ୍ରତି କଥାରେ ଚାରିଆଡ଼େ ତାଙ୍କୁ ଦିଶେ ଖାଲି କୃଷ୍ଣ–କୃଷ୍ଣ ।

 

ସେମାନେ ଚାଲାକ, ଚତୁର ।

 

ବଡ଼ ଖୁମାଣୀ ଆଉବି ନିସ୍ତୁକ ଖୁମାର ।

 

ମତେ ଯେମିତି ଜଣାପଡ଼େ, ସେମାନଙ୍କ ମନରେ ଦୁଃଖର ଛାୟା ନାହିଁ । କଷ୍ଟର କାଳିମା ନାହିଁ । ମୁହଁରେ ବିରାଜୁଛି ସଦାହସର ଭରାପାରାବାର ।

 

ଗୁଡ଼ାଏ ବାସନାର ପାଉଡ଼ର ।

 

ପୁଣି ଅଛି ଗୋଲାପି ରୁଜ୍‌, ଲିପ୍‌ଷ୍ଟିକ୍‌ ଆଉ ମାକ୍‌ସ-ଫାକ୍ଟର ବା ଅନ୍ୟ କିଛିର ଯେତେକ ଝଲକ ।

 

ଗୋଟାଏ ସୁଦକ୍ଷ, ମଜବୁତ୍‌, ପାଣିପାଗ ଭଲଭାବେ ବୁଝୁଥିବା, ଜାଣୁଥିବା ମାଳୀ ହାତର ସଯତ୍ନବର୍ଦ୍ଧିତ ବଗିଚାର ଫୁଲର ଯେତେକ ଛଟକ ।

 

କାହିଁକିନା, ସେମାନେ ହାଟରେ, ବାଟରେ, ଘରେ, ଦୁଆରେ ସବୁଠି ହୃଷ୍ଟ ।

 

ଖାଇ-ପିଇ, ନାଚି-କୁଦି, ହସି-ଖେଳି ଆଉ ଭରା ସ୍ୱପ୍ନରେ ପହଁରି ପୁଷ୍ଟ–ପୁଷ୍ଟ ।

 

ଆଉ ଆମେ ଯେତେକ ମରଦ ପିଲା ଅଛୁ, ସେମାନଙ୍କୁ ଝୁରିଝୁରି ତମାମ୍ ନଷ୍ଟଭ୍ରଷ୍ଟ ।

 

ହଁ..., ମିଛ ନାହିଁ, ଆମେ ପ୍ରକୃତରେଇ ନଷ୍ଟଭ୍ରଷ୍ଟ ।

 

।। ୨ ।।

 

ମୁଁ ଏଇ ଜୀବନ ରଙ୍ଗ କଥା କହୁଛି ।

 

ଜୀବନ ରଙ୍ଗ । ଯାହାର ଅଛି ଗୁଡ଼ାଏ ଢଙ୍ଗ ।

 

ପୁଣି ଯିଏ ହୁଏନା କେବେହେଁ ସାଙ୍ଗ ।

 

ସେଇ ଜୀବନ ରଙ୍ଗ, ଯେ କେବେ ଲିଭିପାରେନା, ଯେ କେବେ ଫିକା ପଡ଼ିଯାଏନା, ସେ କି କେବେ ମରିପାରେ ? ରଙ୍ଗ କି କେବେ ମରିପାରେରେ ଭାଇ ?

 

ନାହିଁ–ନାହିଁ–ନାହିଁ ।

 

ଫୁଲ ତ କେବେ ମରେନା । ରଙ୍ଗ ଫଗୁଖେଳା ଯୌବନ ଜୁଆରରେ ଯେଉଁ ଫୁଲ ଫୁଟିଉଠେ, ସେ କି କେବେ ମରିପାରେ ? ସେ ରଙ୍ଗର ନାହିଁ ମୃତ୍ୟୁ, ନାହିଁ କ୍ଷୟ, ସେ ଯେପରି ଅମର–ଅଜର । ସେ ରଙ୍ଗ ସତେ ଯେପରି କେବଳ ଏଠି ନାହିଁ–ସେଠି ନାହିଁ, ସବୁଠି ପୂରିଛି । ସବୁଠି ଭରିଛି । ଏ ଜୀବନର ସୀମା ସରହଦ୍ ଲଙ୍ଘନ କରି ଦିଗନ୍ତ ଚକ୍ରବାଳ ଉଚ୍ଛଳ କରୁଛି ।

 

ଆଜିକାଲି ସମସ୍ତେ କଥାରେ କହୁଛନ୍ତି–ଏ ରଙ୍ଗ ରହିବ ନାହିଁ ।

 

ଚୁପ୍‌... !

 

ଏମିତି କାହିଁକି କହୁଛ ? ଏ ସବୁ ବାଜେ ଗାଲୁ କଥା କାହିଁକି କହୁଛ ? କି ଦାୟିତ୍ୱହୀନ ମନ୍ତବ୍ୟ ସତେ, କହିଲ !

 

ରଙ୍ଗ ଯିଏ ଜୀବନର ରଙ୍ଗ, ଜୀବନର ସୁପରିବ୍ୟାପ୍ତ ଶସ୍ୟ-ଶ୍ୟାମଳ ଲତାବିତାନର ଅଜସ୍ର ଫୁଲଫଳରେ ହସଖୁସିରେ ପହଁରି ଉଠୁଥିବା, ଦୋଳି ଖେଳୁଥିବା, ଶିରିଶିରି ପବନରେ ନାଚି ଉଠୁଥିବା କ୍ଷେତ୍ର ଉପରେ ନାଲି ହେଇ, ଗୋଲାପି ହେଇ, ନୀଳ-ସବୁଜ ହେଇ, ବହୁବର୍ଣୀ–ବହୁବର୍ଣୀ, ବିଭିନ୍ନ ରଙ୍ଗର ଆସ୍ତରଣ ଚହଟୁଥାଏ ବାରକୁ ବାର, ଯେପରି ନାଟ୍ୟ ମଞ୍ଚ ଉପରେ, ନେଳି, ନାଲି, ହଳଦି ଆଉ ଅନ୍ୟ ରଙ୍ଗମାନେ ଖେଳିଯାଆନ୍ତି । ପୁଣି ଅପସରି ଯାଆନ୍ତି । ପୁଣି ଆସନ୍ତି ଝିନ ସ୍ରୋତରେ, ଏକାଠି ହେଇଯାଆନ୍ତି ସମସ୍ତେ ଏକାଥରକେ ମିଶିଯାଆନ୍ତି କେତେ ରୂପରେ, କେତେ ଭାବରେ, ଠିକ୍‌ ସେହିପରି ଏହି ରଙ୍ଗମୟ ଜୀବନରେ କେତେ ଛବି ଖେଳିଉଠେ ।

 

ଏହି ଜୀବନରେ କୁଳୁକୁଳୁ ନାଚିଯାଏ ନୀଳବରଣା ଛଇଳା ଝରଣା ଛୋଟଛୋଟ ତରଙ୍ଗର ଲଜ୍ଜା ଭଙ୍ଗିମା ରଚନା କରି, ପୁଣି ଦେଖାଦିଏ ଘନ ସବୁଜ ଉଚ୍ଚାଉଚ୍ଚା ସୁନ୍ଦର ପାହାଡ଼–ପର୍ବତମାଳ, ସେଠି ମୟୂର ଡେଣାଖୋଲି ଉନ୍ମାଦ ନାଚ ନାଚେ–ପାଗଳ ହୁଏ, କୋକିଳ ଆତ୍ମବିସ୍ମୃତ ହେଇ ସ୍ୱର ମେଲେ କୁହୁ...କୁହୁ..., ଗାଏ ଶୁକ-ଶାରି, କଜଳପାତୀ, ଭରତିଆ ପକ୍ଷୀ ଆନନ୍ଦଗୀତିକା, ସେତ ତନ୍ମୟର, ସେତ ସଦାହର୍ଷର, ସେଠି ପୁଲକ ଅଛି, କମ୍ପନ ଅଛି, ଶିହରଣ ଅଛି; ଅଛି ପୁଣି କେତେ କ’ଣ । କ’ଣ ଲେଖିବି, ମୁହିଁ ମୂଢ଼ଟାଏ । ସ୍ୱପ୍ନମୟ ଅଖଣ୍ଡ ସାଗର ଯେଉଁଠି ଆସେ ପାଗଳ-ମାତାଲ ପରି ହୁଁହୁଁ ହେଇ, ପୁଣି ଫେରିଯାଏ ହସିହସି ଘୋର ରୋଳ କରି ଆକାଶକୁ ଚାହିଁ ମୁଠା-ମୁଠା, ରାଶି-ରାଶି ଶୀତଳ ଜଳକୁ ପକାଏ, ଆସେ-ଯାଏଁ, ଯାଏଁ–ଆସେ, ଚିରନ୍ତନ ସଙ୍ଗୀତର ଅମିୟ ମୂର୍ଛନା ଗାନ କରେ, ସବୁ ଚିହ୍ନ, ସବୁ ଦାଗକୁ ଲିଭାଇ ଦିଏ–ପୋଛିଦିଏ, ସେହି ତ ସେହି ରଙ୍ଗ, ଲୀଳାମୟ, ସୁଷମାମୟ ଅନିର୍ବଚନୀୟ ଜୀବନ ରଙ୍ଗ ସେତ କେବେ ଲିଭିପାରେନା ।

 

ଭାଇ..., ମୋ ଦେହରେ ଅତର ଦିଅନା ! ମୋ ଲୁଗାରେ ଅତର ସିଞ୍ଚନା ! ମୋ ମନ ମତେ ବହୁତ ବାସୁଛି ମୋ ମନ ବାସନାରେ ମୋ ଦେହ ଚହଟି ଉଠୁଛି । ମୋ ମନକୁ ମୁଁ ଜାଣେ । ତମେ ତ ବୁଝିବନି ଭାଇ ! ଯେ ଜୀବନ ରଙ୍ଗର ମଧୁ ଆସ୍ୱାଦନ କରେ, ସେତ ଜାଣେ ଏଇ ମନକଥା ।

 

ନାହିଁ ଅନ୍ୟଥା ।

 

ଏ ପୃଥିବୀରେ ଯେତେ ଭାଷା ଅଛି, ସବୁ ମିଶି ଯଦି ଏ ହୃଦୟର ବହିକୁ ଲେଖିବସନ୍ତି, ତେବେ ସରିବନି । ଏଣୁ କ’ଣ ମୁଁ ଲେଖିବି ହୃଦୟ-ବହି ବିଷୟରେ । ଅସରାଏ ହୃଦୟ । ଯାହା ମୁଁ ଲେଖିବାକୁ ଯାଉଛି, ତମେ ଭାବିବନି ଏତିକି ଯଥେଷ୍ଟ । ଏଥିରେ ବହୁତ ବାକି ଅଛି, ବହୁତ ବାକି ଅଛି ।

 

ଆହା..., କି ସମ୍ପୂର୍ଣ୍ଣ ହୃଦୟ ମୋହର !

 

କେତେ ଭରପୂର ।

 

ଲକ୍ଷ ମୁକ୍ତା, ମାଣିକ୍ୟ ଆଉ ଝଟଝଟ ମଣି ।

 

ସବୁ ସମ୍ପାଦି, ସବୁ ରଖି ମୁଁ ହେଇଅଛି ଧନୀ ।

 

ମୁଁ ଅନୁଭବ କରୁଛି, ମୋ ହୃଦୟରେ ସବୁ ଅଛି । କାହିଁରେ ଦୈନ୍ୟ ? କାହିଁ ଶୋକ ? କାହିଁ ଯାତନାର ରେଖା ? କାହିଁ ନିର୍ଯାତନା ? କାହିଁ ସନ୍ତାପ ଆଉ ଅଶ୍ରୁର ଲାଞ୍ଛନା ? କୃଷ୍ଣ ମସୀବିଧୁର ବେଦନା ?

 

ସବୁ ତ ସେଇ ସ୍ୱପ୍ନମୟ ଅଖଣ୍ଡ ସାଗର ଲିଭାଇ ଦେଇଛି ମୋର ହୃଦୟର ସବୁ କ୍ଷତ, ସବୁ ଦାଗକୁ ।

 

ଏ ହୃଦୟରେ ପୃଥିବୀର ସବୁତକ ରଙ୍ଗ ଯେପରି ଅଜାଡ଼ି ପଡ଼ିଛି । ଆହା..., ମୁଁ ସବୁ–ସବୁ ଅନୁଭବ କରିପାରୁଛି ।

 

ଦେଖ...ଦେଖ..., ମୋର ଆଖି ବୁଜି ହେଇଯାଉଛି, ପୁଲକରେ ମୋର ଲୋମକୂପରେ ଖେଳିଯାଉଛି ଏକ ମଧୁର ମଦିର ଆବେଶ, ମୁଁ ହୁଏତ କାନ୍ଦିବି ଦୁଃଖରେ ନୁହେଁ, ଖୁସିରେ ଝରାଇବି ନୟନରୁ ଅଶ୍ରୁ ।

 

ମୋର ମନରେ, ପ୍ରାଣରେ ଏ କି ଅମୃତର ସ୍ପର୍ଶ !

 

ଏ କ’ଣ... ? ଏ କ’ଣ... ?

 

ଏ ଧାଡ଼ିଧାଡ଼ି ବାଉଁଶ ବଣ, ଏ ବାଉଁଶ ପତ୍ର ପଡ଼ିବାର ଝିରିଝିରି ଶବ୍ଦ, ଏ ବାଉଁଶ ପତ୍ର ରାଶିରାଶି ପବନରେ ତଳୁ ଉଡ଼ିଯିବାର ଶବ୍ଦ ଆଉ କେଉଁଠି ନୁହେଁ, ମୋର ପ୍ରାଣତନ୍ତ୍ରୀରୁ ମୁଁ କେମିତି ଶୁଣିପାରୁଛି ! ସେଠି ଡାହୁକ ଡାକୁଛି । ବାଉଁଶରେ ପବନ ପଶି ଗୁଁ...ଗୁଁ...ନାଦ କରୁଛି । ମୋ ମନ-କାନନର ବିତାନରେ ଏ କି ଗାନର ସଞ୍ଚରଣ !

 

ଆରେ–ଆରେ, କେତେ ଯେ ପକ୍ଷୀମାଳ ! ଧବଳ ମରାଳ ! ଏଇ ଦେଖ, ସେମାନେ ଉଡ଼ିଯାଉଛନ୍ତି ପକ୍ଷ ବିସ୍ତାର କରି ମୋ ମନ ଆକାଶ ଭିତରେ, ମୋର ଜୀବନରଙ୍ଗର ବର୍ଣ୍ଣାଢ଼୍ୟ ଦୁର୍ବାର ସ୍ରୋତରେ ଆଉ ଝାଡ଼ି ଦଉଛନ୍ତି ତାଙ୍କର ବିଚିତ୍ର ପରମାନ ଶୂନ୍ୟରୁ, ସେ ସବୁ ମୋ ମନ-ଆକାଶର ଇନ୍ଦ୍ରଧନୁ ଟପି ଯେତେବେଳେ ତଳକୁ ଖସୁଛନ୍ତି ନାଲି, ନେଳି, ଗୋଲାପି ହେଇ ଝରି ପଡ଼ୁଛନ୍ତି । ସେମାନେ ସେଇ ନଳ ଦମୟନ୍ତୀ ଉପାଖ୍ୟାନର ସ୍ୱର୍ଣ୍ଣ ସାରସ । ସେମାନଙ୍କର ମତ୍ତରୋଳ କାକଳିରେ ମୋ ଜୀବନ ଅଙ୍ଗନ ନିନାଦିତ ହେଉଛି ।

 

କିନ୍ତୁ...କିନ୍ତୁ...

 

ସେ ପାଖ ବୁଦାତଳୁ କିଏରେ କାଶୁଛି ? କିଏରେ କାଶୁଛି ? ଗୁଁ...ଗୁଁ ଗଁ...ଗଁ...ହେଇ ବୁଦାକୁ ଭାଙ୍ଗୁଛି ।

 

କିଏ ତୁ... ?

 

ଓଃ... !

 

ମୁଁ ଚକିତ ହେଇ ଚାହିଁଲି ।

 

ଗୁଁ...ଗୁଁ...ଗୁଁ

 

ଏଇ ଦେଖ, ଡରନା... ଡରନା, ଥରିଉଠନା । ସେପାଖ ବୁଦାରୁ ସେ ଝପଟ ମାରିଲା । ବୁଦାଟାକୁ ଅବଲୀଳାକ୍ରମେ ଟପିଗଲା । କ୍ଷତ୍ରୀ ପୁତ୍ର, ନିର୍ଭୀକ, ଦାମ୍ଭିକ । ଦେହରେ ଅଜସ୍ର ଖୁନ୍ଦାଖୁନ୍ଦି ବଳ, ନାହିଁ ଭୟ କିମ୍ବା ଦକ । ଖେଦିଉଠି ଶୂନ୍ୟେ ଶୂନ୍ୟ ମାରିଦେଲା ଚିତ୍‌ । ଘନଜଙ୍ଗଲ ଆଖଡ଼ାମାଳର ପହିଲିଓ୍ୱାନ ସେ, ଜାଣେ ଖୁବ୍ କୁସ୍ତି । ନିଶକୁ ଠିଆ ମୋଡ଼େ । ଆଖିକୁ ରଙ୍ଗା କରିଦିଏ । ଥାବା ଉଚ୍ଚା କରେ । ତା’ ପଦ ଚାଲିରେ ମୋ ମନ-ଅଗନାଅଗନି-ବନଭୂମି ଥରିଉଠେ । ସୁକୁମାର ହରିଣ କୋଳକୁ ସୁକୁମାରୀ ନାରୀ ତା’ର ଘୁଞ୍ଚିଯାଏ ।

ହଁ..., ସେଇ ମୋ ମନର ବାଘ ।

 

ଯଦିଓ ସେ ନିଷ୍ଠୁର, ନୃଶଂସ, କ୍ରୋଧୀ, ହିତାହିତ ଜ୍ଞାନ ବିରହିତ, ତଥାପି ସେ ଯେ ସତେ କି ସୁନ୍ଦର ଠିକ୍‌ ମୋ ମନର ହରିଣ ପରିକା । ଦେହ ତା’ର ମଖମଲ ଛିଟ ଫୁଲପକା । ସେ ଯେତେବେଳେ ଚୁପ୍‌ଚାପ୍ ଆଖିବୁଜି ମୋ ମନର କାହିଁ କେଉଁ ଏକ କୋଣରେ ପେଟତଳେ ମୁହଁକୁ ଲୁଚାଇ ଶୋଇ ରହିଥାଏ, ନିଶ୍ଚିତ ନିଦରେ ଘୁଙ୍ଗୁଡ଼ି ମାରୁଥାଏ, ସେତେବେଳେ ମୁଁ ଭାବେ, ମୋର ଏଇ ମନର ଘଞ୍ଚ ନିବୁଜ ବନାନୀ ଟପି ମୁଁ ତାକୁ କୁଣ୍ଢାଇ ଧରନ୍ତି, ତାକୁ ସ୍ନେହରେ ଆଉଁଶି କହନ୍ତି–ତୁହି ତ ମୋର ସବୁରେ ଦୁଷ୍ଟ–ପାଗଳା ! ତୁହି ତ ମୋର ସବୁ । ତୁ ନଥିଲେ ମୁଁ ଶୀତଳ ପଥର ହେଇ ଜଡ଼ ପାଲଟନ୍ତି, ଉଦାସୀ ହୁଅନ୍ତି କିମ୍ବା ଦେବତା ହୁଅନ୍ତି ।

 

ମୁଁ କିନ୍ତୁ ଚାହୁଁଛି ମଣିଷ ହେବାକୁ । ଶୁଦ୍ଧ ମଣିଷଟାଏ !

 

ସେଠି ସିଂହନାଦ କରୁ । ସେଠି ଶାର୍ଦ୍ଦୂଳ, ମାତଙ୍ଗ ଭୀମରଡ଼ି କରୁ । କରୁ ନୃତ୍ୟ କେକା-କେକୀ, ହରିଣମିଥୁନ ।

 

ବର୍ଷା ପଡ଼ୁ । ବର୍ଷା ପଡ଼ୁ ।

 

ଆକାଶର ସୁଧାଧାରା ଝରିଯାଉ ମୋ ମନର ବୃକ୍ଷଲତା, ଦୂର୍ବାଦଳ ଶ୍ୟାମଳ ଗାଲିଚା ଶେଯରେ ନଦ-ନଦୀ, ହ୍ରଦ-ସାଗର ବେଳାରେ, ପର୍ବତ ଚୂଡ଼ାରେ ପୁଣି ଘୋର ଜଙ୍ଗଲରେ, ପାଗଳୀ ଶ୍ରାବଣୀ ଫିଟିପଡ଼ି ତା’ର ପଦ ସିଞ୍ଜନୀକୁ ନିକ୍ୱଣିତ କରୁ ।

 

ବର୍ଷା ପଡ଼ୁ । ବର୍ଷା ପଡ଼ୁ ।

 

ମୋ ମନରେ ଖେଳିଯାଉ ଶ୍ୟାମଳ ବାଦଲର ଦୁର୍ବାର ଶୋଭାଯାତ୍ରା । ବିଜୁଳି ନାଚିଉଠୁ-। ବଜ୍ରନାଦ କରୁ । ମୋ ମନକୁ ମହକିତ କରୁ ।

 

କିଏ ସେହି ମୂର୍ଖ...ଅର୍ବାଚୀନ କହେ, ମୋର ହୃଦୟରେ ସାହାରା ରହିଛି ? ରୁକ୍ଷ ଝାଞ୍ଜି ଗ୍ରୀଷ୍ମ ଅଣଚାଶ ବହୁଛି ?

 

ଆରେ ନା–ନା, ମୋ ହୃଦୟରେ ତ ବର୍ଷାର ନିର୍ଝର ।

 

ଝର-ଝର... ।

 

ଝରିଝରି ସଙ୍ଗୀତମୁଖର ।

 

ବସନ୍ତ ପରାଗ । ସବୁ ଖେଳିବୁଲେ । ସବୁ ହଜିଯାଏ ବିଭୋର ଆବେଗରେ ।

 

ସବୁ ଅଛି ମୋ ମନର ନିଖିଳ ସୃଷ୍ଟିରେ । ମୋ ମନର ଆଖିହଜା ରେଶମୀ ପରଦାରେ-। ତାକୁ ମାପିବ ବା କିଏ ? ତାକୁ କଳନା କରିବ ବା କିଏ ? ନାହିଁ ତା’ର ସୀମା ସରହଦ୍-। ସରଗ ସେପାଖରୁ ଯେଉଁଠି ଡେଇଁପଡ଼େ ଛୋଟ ସର୍ଜ ! ନାଦ କରେ ତୁର୍ଯ୍ୟ । ନାହିଁ ସେଠି ଶିଥିଳତା । ନାହିଁ ଟିକିଏ ଜଡ଼ତା । ପୁଣି ହସେ ଏ ମନରେ ଝିକ୍‍ଝିକ୍‌ ପ୍ରଭାତୀ ତାରକା । ଭରାଯୌବନର ଝଟଝଟ ରୂପସୀ ଚନ୍ଦ୍ରମାର ରାକା । ଝାଡ଼ିଦିଏ ବାଦଲର ପନୀ । ରୁପାର ଫୁଟନ୍ତ ରୋଶଣି-। ଛାୟାପଥ ସୃଷ୍ଟି କରେ ମାୟାର ମାରୀଚ । ଆଉ ଆଉ ତାରାମାନେ ହସନ୍ତି ଶୁଭ୍ର, ସ୍ୱଚ୍ଛ ।

 

ଏଇ ତ ମୋ ଜୀବନର ରଙ୍ଗ ।

 

ସେ କି କେବେ ମରିପାରେ ଭାଇ ।

 

ମୋ ହୃଦ୍‍ସାରା ପ୍ରୀତି କେବଳ ମାରିଅଛି ଛାଇ ?

 

ପ୍ରୀତି ! ପ୍ରୀତି ! ପ୍ରୀତି !

 

କିଏ ନ ଜାଣେ ଦିନ ଆଉ ରାତି ।

 

।। ୩ ।।

 

ଧୀରେନ୍‌ ଅପୂର୍ବ ଢାଞ୍ଚାରେ ବସିଛି ।

 

ତା’ର ବସିବାରେ ବାଦଶାହୀ ଥାଟ୍‌ ।

 

ଗୋଟାଏ ଗୋଡ଼କୁ ଆଗକୁ ଭାଙ୍ଗି, ଅନ୍ୟ ଗୋଡ଼ ଉପରେ ବସିଛି । ତା’ର ବାଁ ଗୋଡ଼ ଆଗକୁ, ଡାହାଣ ଗୋଡ଼ ପଛକୁ ।

 

ଏସବୁ ପ୍ରକୃତରେଇ ବାଦଶାହୀ ଥାଟ୍‌ ।

 

ଧୀରେନ୍‌ ତାନ ଦଉଛି । ବସନ୍ତ ବାହାରର ଦ୍ରୁତ ତାନ । ଏହାପରେ ସେ ତରାନାରେ ସମସ୍ତଙ୍କୁ ଚମକିତ କରିବ ।

 

ଧୀରେନ୍‌ ବସିବାରେ ପ୍ରକୃତରେ–ହଁ...ହଁ..., ପ୍ରକୃତରେ ବାଦଶାହୀ ଥାଟ୍ । ସେ ତାନ ଦେଲାବେଳେ ତା’ର ଦୁଇ ହାତକୁ ଆକର୍ଷଣ ବିକର୍ଷଣ କରୁଛି । କେତେବେଳେ ତା’ର କାନପାଖକୁ ହାତ ନେଇଆସୁଛି, ପୁଣି କେତେବେଳେ ଶୂନ୍ୟକୁ ହାତ ମୁଠାମୁଠା କରି ଛାଡ଼ିଦଉଛି ।

 

ଧୀରେନ୍‌ ଆଖିବୁଜି ସଙ୍ଗୀତ-ସାଗରରେ ବୁଡ଼ିବାକୁ ଲାଗିଛି । ଖୁବ୍‌ ବୁଡ଼ା, ଖୁବ୍‌ ବୁଡ଼ା । ସେଠାରୁ ଯେଉଁ ରତ୍ନ ଆହରଣ କରୁଛି, ସବୁଠାରୁ ସେ ଅକାତରରେ ବିଛାଡ଼ି ଦଉଛି ।

 

ସଙ୍ଗୀତ ସାଗରରୁ ରତ୍ନ ଆହରଣ ।

 

ସେ ରତ୍ନର ଔଜଲ୍ୟରେ ସମସ୍ତେ ବିସ୍ମିତ ହେଇଉଠିଚନ୍ତି ।

 

ଧୀରେନ୍‌ ଏକ ଉଚ୍ଚ ସୁସଜ୍ଜିତ ମଞ୍ଚ ଉପରେ ବସିଛି ।

 

ଧୀରେନ୍‌କୁ ଦେଖି ନରେନ୍‌ର ଛାତି କୁଣ୍ଢେମୋଟ ହୋଇଗଲା । ନରେନ୍‌ର ଛାତି ଭିତରେ ଖୁସି ଖାଲି ଚକ୍ରକେଳି ଖାଉଛି ।

 

ଧୀରେନ୍‌ ସୁସଜ୍ଜିତ ମଞ୍ଚ ଉପରେ ବସି ତାନ ଝାଡ଼ୁଛି । ତା’ର ବାମ ଏବଂ ଦକ୍ଷିଣ ଦିଗରେ ଦୁଇଟି ତାନପୂରା ଧରି ଦୁଇଜଣ ଗାୟକ ବସିଛନ୍ତି । ଟିକେ ପାଖକୁ ସାରଙ୍ଗୀର ଯନ୍ତ୍ରୀ ଏବଂ ସେ ପାଖକୁ ତବଲଚୀ ବସିଛନ୍ତି । ସାରଙ୍ଗୀର ଯନ୍ତ୍ରୀ ଓ ତବଲଚୀଙ୍କୁ ଧୀରେନ୍‌ ଝାଳନାଳ କରିସାରିଲାଣି ।

 

ଧୀରେନ୍‌ ସଙ୍ଗୀତରସିକ ସଜ୍ଜନମାନଙ୍କୁ ଏକଦମ ବୋକା କରିସାରିଲାଣି, ସ୍ତମ୍ଭୀଭୂତ କରିସାରିଲାଣି, ନୀରବ-ସ୍ଥାଣୁ କରିସାରିଲାଣି । ହତବାକ୍‌ କରି ସାରିଲାଣି । ଅତୀନ୍ଦ୍ରିୟ ରାଜ୍ୟରେ ବୁଲାଇସାରିଲାଣି ।

 

ଧୀରେନ୍‌ କ୍ଳିଷ୍ଟ ସଙ୍ଗୀତର ପଦ୍ଧତିକୁ ସହଜ କରିବାପାଇଁ ଆବେଗରେ, ତନ୍ମୟରେ ପ୍ରାଣର ସ୍ୱତଃସ୍ଫୂର୍ତ୍ତ ଆବାହନୀରେ ଉଠିପଡ଼ୁଛି–ଉଠିପଡ଼ୁଛି, ହାତ ଛିଞ୍ଚାଡ଼ି ଆଃ...ଆଃ... କରୁଛି ।

 

ବାଃ...ବାଃ...ବାଃ !

 

ସୁବାହନ୍‌ ଅଲ୍ଲା-ସୁବାହନ୍‌ ଆଲ୍ଲା... !

 

ଜବାବ୍‌ ନେହିଁ–କ୍ୟା ଚିଜ୍‌ ହୈ... ।

 

ସଜ୍ଜନମଣ୍ଡଳୀ ଉଚ୍ଛ୍ୱସିତ ହୋଇ ପ୍ରଶଂସାରେ ଫାଟି ପଡ଼ୁଛନ୍ତି । ଫାଟି ପଡ଼ୁଛନ୍ତି । ବାଃ...ବାଃ...ବାଃ...

 

ଅପୂର୍ବ ଆବେଗ ।

 

ଅପରିକଳ୍ପନୀୟ ପରିବେଶ ।

 

କାନରେ ଅମୃତ ସ୍ପର୍ଶକରି ଚାଲିଯାଉଛି ବସନ୍ତବାହାର ।

 

ରାଗ ବସନ୍ତବାହାର ।

 

ଯାହାକୁ ଗାନ କଲେ ସହକାର ନବପଲ୍ଲବିତ ହୁଏ । ବକୁଳରେ ରୋମାଞ୍ଚ ଖେଳିଉଠେ । କୋକିଳ ଆତ୍ମହରା ହେଇ କୁହୁ’...କୁହୁ... ପଞ୍ଚମ ଗାଏ । ହଜାର ହଜାର ସୁମନର ନୟନରୁ ଝରିପଡ଼େ ପୁଲକିତ ଅଶ୍ରୁ । ସେଇ ବସନ୍ତ ବାହାରର କ୍ଳିଷ୍ଟ ଧାରାମାନଙ୍କୁ ନିହାତି ସହଜଭାବେ ଧୀରେନ୍‌ ସଜ୍ଜନ ଶ୍ରୋତାମଣ୍ଡଳୀକୁ ବୁଝାଇବାରେ ଲାଗିଛି ।

 

ତା’ର ଗୁରୁଗମ୍ଭୀର ସ୍ୱର । ସେ ସ୍ୱର ଅସାଧାରଣ ସ୍ୱର । ସେ ସ୍ୱର ଅତୁଳନୀୟ ସ୍ୱର । ସେ ସ୍ୱର ଅଭୂତପୂର୍ବ–ଅଭୂତପୂର୍ବ–ଅଶ୍ରୁତପୂର୍ବ । ସ୍ୱର, ଯାହାକି କେବଳ ତାହାର ଏକାନ୍ତଭାବେ ନିଜସ୍ୱ । ସେ ସ୍ୱର କେବଳ ତାହାଠାରେହିଁ ଶୁଣାଯାଏ, ଅନ୍ୟ କାହାଠାରେ ନାହିଁ । ସେ ଐତିହାସିକ ସ୍ୱର । ସେ ସ୍ୱର ପଥରରେ କମ୍ପନ ଜଗାଇ ଗାର ମାରିଦବ, ଆଉ ସେ ଗାର ରହିଯିବ ହଜାରହଜାର ବର୍ଷ ଧରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଥିବାଯାଏ । ଲିଭିବନି । ଲିଭିବନି ।

 

ଧୀରେନ୍‌ ହାତ ହଲାଇ ଯେତେବେଳେ ତାନ ଝାଡ଼ୁଛି, ଖୁବ୍‌ ସୁନ୍ଦର ଦିଶୁଛି ।

 

ଖୁବ୍‌ ଗୋରା ଦେଖିବାକୁ ନା ସେ, ଏଥିପାଇଁ ଷ୍ଟେଜର ହାଇ ପାଓ୍ୱାର ଲାଇଟ୍‌ରେ ସେ ଅତିଶୟ ଗୋରା ଗୋଲାପି ଦିଶୁଛି ।

 

ନରେନ୍‌ ତାକୁ ନିଷ୍ପଲକ ଆଖିରେ ଦେଖୁଥିଲା ।

 

ଟୋକାଟା ଯେ ଏତେ ସୁନ୍ଦର ଷ୍ଟେଜ୍‌ ଉପରୁ ଦିଶିବ, ସେ ଆଗରୁ ଆଦୌ ଦେଖି ନଥିଲା, ଭାବିପାରି ନଥିଲା ମଧ୍ୟ ।

 

ଧୀରେନ୍‌ ଯେପରିଭାବେ ବସିଛି ଷ୍ଟେଜ୍‌ ଉପରେ, ତା’ର ଚେହେରାରୁ ଜଣା ପଡ଼ିବ, ସେ ଯେପରି ଗୋଟାଏ ବାଦ୍‌ଶାହ, କାହାକୁ ଖାତିର ନାହିଁ, କାହାକୁ ଭ୍ରୂକ୍ଷେପ ନାହିଁ, କାହାକୁ ଚାହିଁବାର ନାହିଁ, ସେ ତା’ର ନିଶ ମୋଡ଼ିକି ବସିଛି । ହଁ...ମିଛ ନାଇଁ, ନିଶ ମୋଡ଼ିକି ବସିଛି । ତା’ର ପୂରିଲା ଗାଲକୁ ବିଶେଷ ଶୋଭନ କରୁଛି ଏଇ ନିଶ ହଳକ । ଠିଆଠିଆ ନିଶ, ଲମ୍ବା କରଡ଼ା ନିଶ । ଉଦିତ ଅଥଚ ସୁନ୍ଦର ନିଶ । ତା’ର କାନରେ ଦି’ଟା ସୁନାର ଜିକ୍‌ଜିକ୍‌ ହୀରାବସା ଲବଙ୍ଗ । ସେ ବୋଧହୁଏ ଟିକେ ଫେସନ୍‌ଖୋର । ଆଜିକାଲି ଯେତେବେଳେ କେହି କାନରେ ଲବଙ୍ଗ ପିନ୍ଧୁନାହାନ୍ତି, ଧୀରେନ୍‌ ଜବରଦସ୍ତ ପିନ୍ଧୁଛି । ବେକରେ ପକାଉଛି ଗୋଟାଏ ବଡ଼ ପଥରବସା ସୁନାର ହାର । ସେଇ ପଥର ଉପରେ ଯେତେବେଳେ ବିଜୁଳି ଆଲୁଅ ପ୍ରତିଫଳିତ ହେଉଛି, ଅଡ଼ିଟରିୟମ୍‌ଟାସାରା ଝକ୍‌ ମାରି ଯାଉଛି । ଦେହରେ ପିନ୍ଧିଛି ଖଇରା ରଙ୍ଗର ଶେର୍‍ଓ୍ୟାନ୍ ଆଉ ପେକନ୍‌, ଆଉ ବାମ ହାତର ଅନାମିକାରେ ପିନ୍ଧିଛି ସେହିପରି ଏକ ଉଜ୍ଜ୍ୱଳ ପଥରବସା ମୁଦି ।

 

ଧୀରେନ୍‌ର ପ୍ରୋଗାମ୍‌ ଦେଢ଼ଘଣ୍ଟା । ସେ ଏଗାରଟାବେଳୁ ତା’ର ସଙ୍ଗୀତ ଆରମ୍ଭ କରିଛି, ସାଙ୍ଗ କରିବ ସାଢ଼େ ବାରଟା ମଧ୍ୟରାତ୍ରିରେ । ଏ ହଉଛି ଅଖିଳ ଭାରତ ସଙ୍ଗୀତ ସମ୍ମିଳନୀର ତିନିଦିନିଆ ଅଧିବେଶନ । ଭାରତର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ଶିଳ୍ପୀ ଆସି ଏଠାରେ ସମବେତ ହୋଇଛନ୍ତି । ସମବେତ ହୋଇଛନ୍ତି ଗୁଣିଜନ । ଶାସ୍ତ୍ରୀୟ ସଙ୍ଗୀତର ଅପୂର୍ବ ମହ୍ଲାରରେ ବାୟୁମଣ୍ଡଳ, ପବିତ୍ର, ମହକିତ ହୋଇଉଠୁଛି । କରତାଳି, ଉଚ୍ଛ୍ୱସିତ ପ୍ରଶଂସାରେ ବାୟୁମଣ୍ଡଳ ମୁଖରିତ ହେଉଛି ।

 

ଗାୟକ ଯେତିକି ଜୋର୍‍ରେ ତାନ ଦଉଛି, ବାୟକ ସେତିକି ଜୋର୍‍ରେ ବୋଲ ଦେବାରେ ଲାଗିଛି । ଲାଗିଛି ଦୌଡ଼ା-ଦୌଡ଼ି ଗୋଡ଼ା-ତଢ଼ା ସଙ୍ଗୀତ ମାଧ୍ୟମରେ ।

 

ଏ ସଙ୍ଗୀତର ମଧୁ ଆସ୍ୱାଦନ ସମସ୍ତେ କରିପାରନ୍ତିନି ।

 

କାରଣ, ସୁଅର କ୍ୟା ଜାନେ ଜାଫ୍ରାନ୍‌କା ମଜା ?

 

ଏ ସଙ୍ଗୀତପାଇଁ କାନଟା ଅଲଗା–ଅଲଗା ହେଇଥିବା ଦରକାର । ମସ୍ତିଷ୍କ ଅଲଗା–ଅଲଗା ହୋଇଥିବା ଦରକାର । ଛାତିଟା ଅଲଗା–ଅଲଗା ହୋଇଥିବା ଦରକାର ।

 

ଏ ସିନେମା ବଜାର ପାନବିଡ଼ି ଗୀତ ନୁହେଁ । ଏଠାରେ ଯେଉଁମାନେ ଅଛନ୍ତି, କିଏ ବଡ଼୍‌ଡ଼େ ଓସ୍ତାଦ୍‌, କିଏ ପଣ୍ଡିତ, କିଏ ସଙ୍ଗୀତ ସାଗର, କିଏ ସଙ୍ଗୀତ ମାର୍ତ୍ତଣ୍ଡ । କିଏ ସରସ୍ୱତୀ । କିଏ ବିଶାରଦ ।

 

କାହା ମୁଣ୍ଡରେ ଲଖ୍‌ନଓ୍ୱୀ ଟୋପି । କାହା ଦେହରେ ଲଖ୍‌ନଓ୍ୱୀ ପଞ୍ଜାବି । କାହା ଦେହରେ ଜ୍ୟାକେଟ୍‌ । କିଏ ପିନ୍ଧିଛି ଶେର୍‍ଓ୍ୱ୍ୟାନ୍ । କିଏ ପିନ୍ଧିଛି ପ୍ରିନ୍‌ସକୋଟ୍‍ । କାହା ମୁଣ୍ଡରେ ସିନ୍ଦୂର କଲି । କିଏ ଗୁଡ଼ାଇଛି ହାତରେ ମଲ୍ଲିକା ଗଜରା । କିଏ ବେକରେ ପକାଇଛି ଚାମେଲିକା ହାର ।

 

ଆଉ ବାଃ...ବାଃ..... !

 

ଏଠାରେ ଏକ୍‌ସେଲାଣ୍ଟ୍, ଇଉନିକ୍‌ କହିବାର ସୁଯୋଗ ନାହିଁ । ଏଠାରେ ଯଦି ଏମିତି କିଛି କହିବାର ଇଚ୍ଛା ଅଛି, ତେବେ ଧନମଣି ! ପଛକୁ ଯାଅ । ପଛରେ ବସି ଚିନାବାଦାମ ଚୋପା ଛଡ଼ାଉଥାଅ, କିମ୍ବା ଅନ୍ୟ କିଛି କରୁଥାଅ । ଫିଲ୍‌ମଫେୟାର ପଢ଼ୁଥାଅ । ଏସବୁ ଜାଗା ତୁମମାନଙ୍କ ପାଇଁ ନୁହେଁ ।

 

ଏଠି ରସିକମାନେ ଅଛନ୍ତି-ଶୁଦ୍ଧ ରସିକ । ଆହା...ରସିକ ହେବା କ’ଣ ସହଜ କଥା ? ରସିକ । ରସିକ । କୋନାସାର୍‌ । ଭଗବାନ୍ ସେମାନଙ୍କୁ ରସିକ କରି ସୃଷ୍ଟି କରିଛନ୍ତି । ଏହି ରସିକଙ୍କର ଗାନ ଶୁଣିବାପାଇଁ ରସିକ ଦରକାର । ତମେ ସବୁ ଯେତେକ ପ୍ୟାଣ୍ଟ, କୋଟ୍‌ବାଲା, ଯେତେକ ଟିସାର୍ଟ, ଡ୍ରେନ୍‍ପାଇପ୍‌ବାଲା, ଯେତେକ ସ୍କାର୍ଟ, ସ୍ଲିଭ୍‌ଲେସ୍‌ବାଲା, ୟୁ ଅଲ୍‌ ଗେଟ୍‌ ଆଉଟ୍‌-

ଯାଅ, ଯ୍ୟାଜ୍ଜ୍‌ କିମ୍ବା ଯ୍ୟାନୀ ଶୁଣିବ, ଯାଅ ସିନେମା ହଲ୍‌କୁ, ନାଇଟ୍‌ କ୍ଳବ୍‌କୁ ।

ଏଠାରେ ଏସବୁ ଧୁମ୍‌ଧଡ଼କ୍‌ର କାରବାର ନାଇଁରେ ଭାଇ !

ଏଠି ଟ୍ରାମ୍ପେଟ୍‌, ବଙ୍ଗୋ, ଗିଟାର, ମ୍ୟାଣ୍ଡୋଲିନ୍‌ମାରେ ହାଇ ।

ଏଠି ଅଛି ବଂଶୀ; ପଖାଉଜ, ତାନପୂରା କିମ୍ବା ମଧୁର ସାହାନାଇ ।

ଧୀରେନ ଦ୍ରୁତ ଶେଷ କଲା । ତାଳି । ତାଳି । ତାଳି ।

ଜଳିଉଠୁଛି ଅସଂଖ୍ୟ ଫ୍ଲାସ୍‌ । ଆଖି ଝଲସିଯାଉଛି । ଧୀରେନ୍‌ ସଜ୍ଜନ ରସିକବର୍ଗଙ୍କୁ କୁର୍ଣ୍ଣିସ୍‌ କଲା । ଏ ବି ଏକ ଛାଣ୍ଟ । ଏ ସବୁ କଲମଧରା ଅଫିସରର ଛାଣ୍ଟ ନୁହେଁ । ଏସବୁ ବାଦଶାହୀ ଛାଣ୍ଟ ।

ଏତେ ଫଟୋଗ୍ରାଫର ଯେ ଧୀରେନ୍‌ପାଇଁ ପାଗଳ ହେଇଉଠିବେ, ଏକଥା ଦେଖି ନରେନ୍‌ ଆଶ୍ଚର୍ଯ୍ୟ ହୋଇଗଲା । କାଲି ଖବରକାଗଜରେ ପ୍ରଥମ ପୃଷ୍ଠାରେ ଧୀରେନ୍‍ର ପ୍ରତିଛବି ବୋଧହୁଏ ମଣ୍ଡିତ ହେବ ।

ଧୀରେନ୍‌ ୟା ପରେ ତରାନା ଆରମ୍ଭ କରିବ ।

ତାରନା ।

ତାନା–ନାନା, ତାନା-ନାନା, ଦ୍ରିମ୍‌-ଦ୍ରିମ୍‌... ଦ୍ରିମ୍‌, ତାନା... ।

ଧୀରେନ୍‌ର ଗଳା ଉଠିଯାଉଛି, ପଡ଼ିଯାଉଛି, ଆଶ୍ଚର୍ଯ୍ୟଭାବେ ସେ ତରାନା ଆରମ୍ଭ କରୁଛି ।

ନରେନ୍‌ର ମୁଣ୍ଡ ଗରମ ହୋଇଗଲା । ଏସବୁ ଧୀରେନ୍‌ ଆୟତ୍ତ କଲା କିପରି ? ସଙ୍ଗୀତ ଶାସ୍ତ୍ରର ଏ ଗହନ ବିଦ୍ୟା, ଏ ଦୁଷ୍କର ବିଦ୍ୟାକୁ ଧୀରେନ୍‌ ଏତେ ସହଜ କଲା କିପରି ? ଗଳାକୁ ମାଜି-ମୁଜି, ସଫା-ସୁନ୍ଦର ସୁନା କଲା କିପରି ?

ନରେନ୍‌ର ଆଖିରୁ ଝରିପଡ଼ୁଛି ଲୁହ... । ଧାରଧାର ଲୁହ ।

ଦ୍ରିମ୍‌–ଦ୍ରିମ୍‌.........ଧୀରେନ୍‌ ଆଖି ବୁଜି ବୋଲିବାରେ ଲାଗିଛି ।

ନରେନ୍‌ ଓଠ ଥରି ଉଠୁଛି । ଝରିପଡ଼ୁଛି ଧାରଧାର ଲୁହ ।

ସୁବାହନ୍‌ ଆଲ୍ଲା ! ସୁବାହନ୍‌ ଆଲ୍ଲା !

କେବଳ ଧାରଧାର ଲୁହ ଝରିପଡ଼ୁଛି ।

ଦ୍ରିମ୍‌...ଦ୍ରିମ୍‌...

ବାଃ...ବାଃ...ବାଃ...ବାଃ...ବାଃ...ବାଃ...

ଆହା...,ନରେନ୍‌ କେତେ ଯେ ଖୁସି ! କେତେ ଯେ ଖୁସି ! ସେଇ ଗହଳ ଅଡ଼ିଟୋରିୟମ୍‌ ଭିତରେ ଶୂନ୍ୟକୁ ହାତ ଯୋଡ଼ି ନରେନ୍‌ ଆବେଗରେ କହି ଉଠିଲା–ଠାକୁରେ... !

ଧୀରେନ୍‌ ଅଜସ୍ର ଉଚ୍ଛ୍ୱାସ ଭିତରେ ଯେତେବେଳେ ତା’ର ପ୍ରୋଗାମ୍‌ ଶେଷ କଲା, ନରେନ୍‌ ଦେଖିଲା ହଠାତ ଅଡ଼ିଟୋରିୟମ୍ ଭିତରୁ ଏକ ନାରୀ ଧାଇଁ ଆସି ଧୀରେନ୍‌ ବେକରେ ଏକ ଫୁଲହାର ଗଳାଇ ଦେଉଛି, ଆଉ ତାକୁ ନିବିଡ଼ ଭାବରେ କୁଣ୍ଢାଇ ଧରିଛି ।

ନରେନ୍‌ର ଆଖି ବୁଜିହୋଇଗଲା ।

ଇଏ କିଏ ? ଇଏ କିଏ ହୋଇପାରେ ?

ନରେନ୍‌ ଥରିଉଠିଲା ରାଗରେ, ଘୃଣାରେ, ବିରକ୍ତିରେ । ତା’ର ଇଚ୍ଛା ହଉଥିଲା–ଧାଇଁ ଯାଇ ଧୀରେନ୍‌ର ବକ୍ଷରୁ ସେଇ ଝିଅଟାକୁ ଠେଲିଦବ ।

ସେ କିଏ ହୋଇପାରେ ?

ଆରେ, ଇଏତ କାଦମ୍ବିନୀର କନ୍ୟା ସୌଦାମିନୀ !

ନରେନ୍‌ ଦାନ୍ତ କଡ଼ମଡ଼ କରିବାକୁ ଲାଗିଲା ।

 

।। ୪ ।।

 

ମୋ ନାତୁଣୀବୋହୂଟା ଟିକେ ଦୁଷ୍ଟ-ଦୁଷ୍ଟ ଅଛି । ଟିକେ ଫୂର୍ତ୍ତି ଫାଜିଲ ଅଛି । ଟିକେ ଗୋଲଗାଲ ଅଛି । ଟିକେ ନିଦା-ନିଦା ଅଛି । ଟିକେ ଡେଙ୍ଗା-ଚଉଡ଼ା, ଚୌରସ ଅଛି । ଟିକେ ଫେସନ୍‍ବାଲୀ ଅଛି ।

 

ତା’ର ଦେହଟା ଖୁବ୍ ଗୋରା–ଗୋରା ।

 

ମୋ ନାତି ଟୋକା ଯେତେବେଳେ ତାକୁ ଦେଖେ, ଦୁଇହାତ ଟେକି ପାଟି କରେ ହୁର୍ରା...ହୁର୍ରା... !

 

ଏଇ ସକାଳୁ ଆମ ଅଗଣାର ସେପାଖେ ଯେଉଁଠି ସ୍ଥଳପଦ୍ମ ଗଛ ଭରା ଫୁଲରେ ଲହଡ଼ା ଭାଙ୍ଗୁଛି, ଆଉ ଠିକ୍ ତା’ ତଳକୁ ଯେଉଁ ପବନଖିଆ ମଣ୍ଡପ ଅଛି, ସେଇ ମଣ୍ଡପରେ ଝୁଲୁଥିବା ଏକ ଲୁହା କଡ଼ି ଲଗା ଦୋଳି ଉପରେ ବସି ଦିବ୍ୟ ଆରାମରେ ସେ ଝୁଲରେ ହାତୀ ‘ଝୁଲ...ବା’ ପାଣି ଖାଇ ଫୁଲ’ ହଉଛି ।

 

ଗଛରେ ସ୍ଥଳପଦ୍ମ ଯୌବନରେ ଫାଟିପଡ଼ୁଛି ।

 

ଦୋଳି ଉପରେ ସ୍ଥଳପଦ୍ମ ଫୁଲିଉଠି ମହୁଆ ମାରିଛି ।

 

ସକାଳ ।

 

ତା’ପାଇଁ ଏ ସକାଳଟା ଅଳସ ସକାଳ । ତା’ର କାମଦାମ କିଛି ନାଇଁ । ତା’ର ବଡ଼ କାମ ହେଲା ନଖକୁ ବଢ଼ାଇବା, ନଖକୁ ରଙ୍ଗାଇବା, ମୁହଁକୁ, ଦେହକୁ, ପାଦକୁ ଚିକ୍‌ଚିକ୍‌ କରିବା । କେଶ ବଢ଼ାଇବା । ଅଣ୍ଟାକୁ ସରୁ କରିବା । ଆଉ ଦିନଯାକ, ରାତିଯାକ ସପନ ଦେଖିବା ।

 

ମୋ ନାତୁଣୀବୋହୂ ସୂର୍ଯ୍ୟକୁ ପିଠି କରି ଦୋଳି ଖେଳୁଛି । ପାଖ ଟି’ପୟରେ ରଖିଛି ତାହାର ସବୁଠାରୁ ସୌଖୀନ ଛୋଟ ଟ୍ରାଞ୍ଜିଷ୍ଟର ସେଟ୍‌କୁ । କୋଳରେ ଧରିଛି ତା’ର ଗୁଲ୍‌ଗୁଲ୍‌ ପୁଷିଟାକୁ, ଆଉ ହାତରେ ଧରିଛି ଆଜି ସକାଳୁ ହକର୍‌ ଦେଇଥିବା ଫିଲ୍ମ ଫେୟାର ।

 

ମୋ ନାତୁଣୀବୋହୂଟା ଅଲିଅଳୀ ।

 

ବଡ଼ ପାଗଳୀ ।

 

ମୁଁ ତାକୁ ସୁଖ ପାଏ ।

 

କାରଣ ମୋ ନାତିଟୋକାଟା ମୋ ଆଖିରେ ସବୁ । ମୋ ନାତିଟୋକା ତାକୁ ଯେତେବେଳେ ସଦାସର୍ବଦା ମୁଣ୍ଡରେ ବସାଇଛି, ମୁଁ ବା କି ଛାର ଜୀବ ! ହଡ଼ାଟାଏ ବୁଢ଼ାଟାଏ । ତାକୁ ମୁଣ୍ଡରେ ବସାଇ ମୋର ଜୀବନକୁ ଧନ୍ୟ କରେ ।

 

ସେ ମୋ ଦୁଇ ଆଖିର କୋହିନୂର ହୀରା ।

 

ଆମ ଘରର ଦେବୀ ସେ, ଆମର ଯାବତ୍‌ ସୁଖର ପସରା ।

 

ମୁଁ ମୋର ଡ୍ରଇଂରୁମ୍‌ର ସୋଫା ଉପରେ ବସି ଖବରକାଗଜ ଉପରେ ଆଖି ବୁଲାଇ ନେଉଥିଲି । ମୁଁ ଖବରକାଗଜ ଖୁଣ୍ଟି ନାଣ୍ଟି ପଢ଼େନା । ପଢ଼ିବାକୁ ମତେ ସେ ସବୁ ଭଲ ଲାଗେନା । ଏକଥା କହିବାକୁ ମୋର ଲଜ୍ଜା ନାଇଁ–ମତେ ରାଜନୀତି ଭଲ ଲାଗେନା । ମତେ ପରରାଷ୍ଟ୍ର ନୀତିର ଗୂଢ଼ତତ୍ତ୍ୱ ବୁଝିବାକୁ ଭଲ ଲାଗେନା । ଶସ୍ୟ ଆମଦାନି ରପ୍ତାନିର ହିସାବ ରଖିବାକୁ ଭଲ ଲାଗେନା-। ଯୁଦ୍ଧବିଗ୍ରହ କଥା ପଢ଼ିବାକୁ ଭଲ ଲାଗେନା । ମୋର ବର୍ତ୍ତମାନ ମନେପଡ଼ୁଛି ଚୀନା-ଭାରତ ଗଣ୍ଡଗୋଳବେଳେ, ପାକିସ୍ଥାନ-ଭାରତ ଗଣ୍ଡଗୋଳବେଳେ ମୁଁ ଖବରକାଗଜ ମନ ଲଗାଇ ପଢ଼ିଥିଲି-। ଆମର ଦୁଇ ତୁଙ୍ଗ ନେତା ମଲା ଦିନ ମନ ଲଗାଇ ପଢ଼ିଥିଲି । ଇଲେକସନ୍‌ବେଳେ ମନ ଲଗାଇ ପଢ଼ିଥିଲି । ଏହା ବ୍ୟତୀତ ଦଶ ପନ୍ଦର ଦିନରେ ଯଦି କେବେ କେଉଁଦିନ ତାଜା ଖବର ବାହାରେ, ସେଇ ଦିନ ମନଦେଇ ପଢ଼େ, ନଇଲେ ନାହିଁ । ଅନ୍ୟଦିନମାନଙ୍କରେ ଖବରକାଗଜରେ ନିସ୍ପୃହ ଆଖି ପହଁରାଇ ଆଣେ ।

 

କିନ୍ତୁ ଖବରକାଗଜ ଅପେକ୍ଷା ମୁଁ ବହୁତ ବହି ପଢ଼େ । ପୃଥିବୀର ଯେତେକ ଉଚ୍ଚାଙ୍ଗ ସାହିତ୍ୟ । ଖାଇବା ପିଇବା ଭୁଲି, ରାତି ଅନିଦ୍ରା ହେଇ ପଢ଼େ । ଏସବୁ ମୋର ଝୁଙ୍କ । ମୋ ପରି ମୋ ପୁଅର, ମୋ ନାତିର ସେଇ ଅବସ୍ଥା । ମୁଁ ଭଲଭାବେ ଜାଣେ, ସେମାନେ ଖବରକାଗଜ ପଢ଼ନ୍ତି ନାହିଁ, ଯାହା ପଢ଼ିବା କଥା ତାହା ପଢ଼ନ୍ତି ନାହିଁ । ଶେଷ ପୃଷ୍ଠାର ଖବରତକ ଢକ କରି ପିଇଯାଆନ୍ତି ।

 

ଛାଡ଼–ଏସବୁ ବାଜେ କଥା । ମୁଁ ଖବରକାଗଜ ପଢ଼ୁଥିଲି ଆଉ ବେଳେବେଳେ ଚଉକିରେ ଫୁଲିଉଠୁଥିବା ଦୋଳି ଖେଳୁଥିବା ସ୍ଥଳପଦ୍ମକୁ ଦେଖୁଥିଲି ।

 

ସକାଳୁ ଦୋରସ୍ତ ବ୍ରେକ୍‌ଫାଷ୍ଟ କରି କାଲି ରାତ୍ରିର ଅନିଦ୍ରାଜନିତ ଅଳସ ଓ ଶରୀରର ପ୍ରାସକୁ ସେ ଆସ୍ତେଆସ୍ତେ ଭାଙ୍ଗୁଛି ।

ସେ ଯେ କାହିଁକି କାଲି ରାତିରେ ଅନିଦ୍ରା ଥିଲା, ତାହା ମତେ ଜଣା ନାହିଁ । ମୋର ନାତି ଟୋକାକୁ ସେ ସବୁ ଭଲଭାବେ ଜଣା । ମୋ ନାତି ଟୋକାର କଣ୍ଢେଇ ସେ । ସେ ତାକୁ କୋଳ କରେ, ତାକୁ ହାତରେ ଧରି କାଖେଇ ଗେଲକରେ ।

ସେଇ ମୋ ନାତୁଣୀବୋହୂ ସକାଳୁ ଦୋଳି ଉପରେ ବସି ଆରାମ କରୁଛି ।

ସକାଳୁ ସେ ବ୍ରେକ୍‍ଫାଷ୍ଟ କରିଥିଲା । କିଛି ସ୍ଲାଇସବ୍ରେଡ଼୍‌, କିଛି ବଟର୍‌, ଜ୍ୟାମ୍‌, ଗୋଟେ ଦି’ଟା କଦଳୀ, ଦି’ଟା ଅଣ୍ଡାପୋଚ୍‌, ରସଗୋଲା ଗୋଟାଏ, ଆଉ କପେ ଗରମ କଫି ।

ମୋ ନାତୁଣୀବୋହୂର ପଖାଳ–ପୋଡ଼ାବାଇଗଣକୁ ଦୂରୁ ଜୁହାର । ସେ ଏ ସବୁ ଭଲ ପାଏନା କିନ୍ତୁ କି ଆଶ୍ଚର୍ଯ୍ୟର କଥା ଦେଖ । ଏତିକି ସେ ପାଟିଟକରୀ ! ଏଇନା ବସି ସେ ଫିଲ୍ମଫେୟାର ପଢ଼ୁଥିଲା, ଦାଣ୍ଡରେ ଶୁଭିଲା ଯେମିତି ଚିନାବାଦାମ ଡାକ, ଦଉଡ଼ି ଯାଇ ଚିନାବାଦାମ କିଣି ଆଣିଲା, ଆଉ ତା’ର ନରମ ହାତରେ ଟୁକ୍‌ଟୁକ୍‌ ଚୋପା ଛଡ଼ାଇ ବାଦାମଦାନା ଖାଇବାକୁ ଲାଗିଲା । ଚିନାବାଦାମ ନ ସରୁଣୁ ଦାଣ୍ଡରେ ପୁଣି ଯେତେବେଳେ ଶୁଭିଲା ଶୂନ୍‌ପାମ୍ପୋଡ଼୍‌ର ଡାକ, ନସରପସରଭାବେ ଦୌଡ଼ିଯାଇ ଶୂନ୍‌ପାମ୍ପୋଡ଼୍‌ ଆଣି ରାସୁରାସୁ ଚୋବାଇବାକୁ ଲାଗିଲା । ମୁଁ ଦୂରରୁ ଥାଇ ଲକ୍ଷ୍ୟ କରୁଥିଲି ତା’ ମୁହଁକୁ । ସେ ଆଖିବୁଜି ନିଶ୍ଚିନ୍ତରେ ଖାଇବାରେ ଲାଗିଛି । କିନ୍ତୁ ବେଶି ମଜାକଥା ହେଲା, ସେ ଥିଲାଥିଲା, ଚାରିଆଡ଼କୁ ଅନେଇଲା, ଦେଖିଲା ଖରାରେ ଶୁଖୁଛି କଇଁଆ । ଅଃ...କଇଁଆ ! ତା’ର ବୋଧହୁଏ ପାଟିରୁ ଲାଳ ଗଳିପଡ଼ିଲା । ସେ ନିଜକୁ ଆୟତ୍ତ କରି ନ ପାରି ମେଞ୍ଚାଏ କଇଁଆ ନେଇ ଆସିଲା, ଆଉ ତାକୁ ଚାଟିବାକୁ ଲାଗିଲା ।

ମତେ ହସମାଡ଼ିଲା ।

ଦୂରରୁ ଥାଇ ମୁଁ ତାକୁ ସସ୍ନେହ ଦୃଷ୍ଟିରେ ଚାହିଁ ରହିଥାଏ । ପିଲାଟାଏ ! ଦୁନିଆରେ କିଛି ଜାଣିନାହିଁ । କିଛି ଚିହ୍ନି ନାହିଁ । ଖାଲି ସିନା ପାଠ ପଢ଼ିଛି ବି. ଏ. ଯାଏଁ; କିନ୍ତୁ ପାଠ ଛଡ଼ା ଏ ଦୁନିଆର ଆଉ କେତେ କ’ଣ ଅଛି, ଯାହାକି ନାକକାନ କାଟି ଛାଡ଼ିଦେବ, ସେ କଥା ସେ ଆଦୌ ଜାଣେନି, କିମ୍ବା ଜାଣିବାକୁ ମନ ବଳାଇନି ।

କିନ୍ତୁ ସେ ମହା ଆନନ୍ଦରେ କଇଁଆ ଚାଟିବାରେ ଲାଗିଛି ।

ସେ ଜାଣେ ସେ ଖାଲି ଖାଇବ–ପିଇବ, ଶୋଇବ, ସିନେମା ପତ୍ରିକା ପଢ଼ିବ, ହସି–ଖେଳି ଜୀବନ ବିତାଇ ଦେବ ।

ସେ ଆଖି ବୁଜି କଇଁଆ ଚାଟୁଛି । ଟାକରା ମାରୁଛି । ଦୋଳି ଉପରେ ଦୋହଲିବାରେ ଲାଗିଛି । ଦୁଇ ଗୋଡ଼କୁ ହଲାଇବାରେ ଲାଗିଛି । ଟିକେ ଫିଲ୍ମଫେୟାର ଉପରେ ଆଖି ପକାଇ ଦେଉଛି, ପୁଣି ଟିକେ ଆଚାରକୁ ଚାହୁଁଛି, ଟିକେ ପୁଷିକୁ ଚାହୁଁଛି ରେଡ଼ିଓର ଟ୍ୟୁନିଙ୍ଗ୍‍ଟିକେ ଆଡ଼୍‍ଜଷ୍ଟ କରୁଛି, ଏକା ସାଙ୍ଗେ ଚାରି ପାଞ୍ଚଟା କାମ ।

କେଉଁଆଡ଼େ ତା’ର ମନ ଠିକ୍‌ ନାଇଁ । ମୁଁ ଜାଣେ ଫିଲ୍ମଫେୟାର ପଢ଼ୁନି । ରେଡ଼ିଓ ଭଲଭାବେ ଶୁଣୁନି ମନବୋଧ କରି ଆଚାରକୁବି ଖାଇ ପାରୁନି ।

 

କିନ୍ତୁ ସବୁ ଆଡ଼ ମଉଜ ଲୁଟିନବାବୁ ଚାହୁଁଛି ।

 

ଖବରକାଗଜକୁ ଭାଙ୍ଗିଭାଙ୍ଗି ମୁଁ ମୋର ପାଣ୍ଡୁଲିପି ଉପରେ ଧ୍ୟାନ ଦେଲି । ମୋର ଉପନ୍ୟାସର ନାୟିକାର ରୂପ-ସୌନ୍ଦର୍ଯ୍ୟ ଯେପରି ମୋର ନାତୁଣୀବୋହୂର ରୂପର ପ୍ରଜ୍ୱଳ ଦୀପଶିଖାତଳେ ମଳିନ ଦିଶୁଛି । ଯେତେ ଚେଷ୍ଟା କରୁଛି ମୋର ନାୟିକାକୁ ଅଧିକ ସୁନ୍ଦର କରିବି, ସେ କିନ୍ତୁ ହେଉନି । ଧାଡ଼ିଟିଏ ଲେଖିହଉନି । ନଭେଲ୍‌ ଲେଖିବା ସାରୁଆଳୁ ପରିବାର ତାଲିକା ଲେଖିବା ସହିତ ସମାନ ନୁହେଁ । ଅଙ୍କ କଷିବା ସହିତ ସମାନ ନୁହେଁ । ଏହାର ଧରାବନ୍ଧା କୌଣସି ନିୟମ ନାହିଁ, ମନ ଯେତେବେଳେ ହେବନି, ଯେତେ ଚେଷ୍ଟା କଲେ ମଧ୍ୟ ଲେଖି ହେବନି ।

 

କଲମର ପଛଭାଗକୁ ପାଟିରେ ପୂରାଇ ନାତୁଣୀବୋହୂକୁ ଚାହିଁଲି ।

 

ମୋ ନାତୁଣୀବୋହୂ ତା’ର ବେଣୀଟାକୁ ପଛକୁ ଛାଟି ଦୋଳି ଖେଳୁଛି । ଦୀର୍ଘ କଳାବେଣୀ ଯମୁନାରୁ ଛିଟିକି ପଡ଼ିଥିବା ଏକ ସୁଦୃଶ୍ୟ ଲାସ୍ୟମୟ କୃଷ୍ଣ ତରଙ୍ଗର ମାୟା ରଚନା କରି ଶୂନ୍ୟରେ ପହଁରୁଛି । ମୁଁ ଦେଖୁଛି, ସେ ଯେତେବେଳେ ପଛକୁ ଦୋହଲି ଯାଉଛି, ତା’ର ବେଣୀଟା ଚଉକି ଉପରେ ବାଡ଼େଇ ହେଇ ଯାଉଛି, ଆଉ ଆଗକୁ ଯେତେବେଳେ ଦୋହଲି ଯାଉଛି, ସେତେବେଳେ ତା’ର ବେଣୀଟା ଛାଟି ହେଇଯାଉଛି ।

 

କାହା ଖେଳ ଦେଖିବି ? ନାତୁଣୀବୋହୂର ଖେଳ, ନା ତା’ ବେଣୀର ଖେଳ ? ନାତୁଣୀବୋହୂର ଯେତିକି ଛଟକ, ତା’ ବେଣୀର ମଧ୍ୟ ତା’ଠାରୁ ଅଧିକ ଛଟକ ।

 

ସିଗାରେଟ୍‍କୁ ପାଟିରେ ଲଗାଇଲି ।

 

ସିଗାରେଟ୍‌ ଖାଇବା ମୋର ଖୁବ୍‌ ଝୁଙ୍କ । ସିଗାରେଟ୍ ନ ଖାଇଲେ ମୋର ବୁଦ୍ଧି ବଣା ହୋଇଯାଏ । ତାହା ଛଡ଼ା ଲେଖାଲେଖି କଲାବେଳେ ସିଗାରେଟ୍‌ ନ ଖାଇଲେ ମୋର କଲମ ବନ୍ଦ ହୋଇଯାଏ । ଆଜକୁ ପଚାଶବର୍ଷ ତଳେ ପାସିଙ୍ଗ ସେ, କିଙ୍ଗ୍‌ ସଷ୍ଟ୍ରୋକ୍‌ କିମ୍ବା ଉଇଲସ୍‌, ସିଜର୍ସ ଟାଣୁଥିଲି । ମାତ୍ର ବର୍ତ୍ତମାନ ମୁଁ ପିଏ ୫୫୫ । ହଁ, ଏଇ ୫୫୫ ଷ୍ଟେଟ ଏକ୍‌ସପ୍ରେସ ଛଡ଼ା ଅନ୍ୟ ସିଗାରେଟ୍‌ ପିଇଲେ ମତେ ଲାଗେ ପିତା ।

 

କିଙ୍ଗସ୍‌ଷ୍ଟ୍ରୋକ୍‌, ପାସିଙ୍ଗ ସେ ବଦଳରେ ୫୫୫ ପାଇବାର ସୌଭାଗ୍ୟ ମା’ ସରସ୍ୱତୀଙ୍କର ଦୟାରୁହିଁ ହୋଇଛି । ଲକ୍ଷ୍ମୀ, ସରସ୍ୱତୀ ଯେ ଲେଖକ ଘରେ କଳିକଜିଆ ଲାଗି ଲେଖକକୁ ଉଦାସ ରଖି, ପେଟରେ ଓଦାକନା ଦେବାକୁ ବାଧ୍ୟ କରନ୍ତି, ସେ ଧାରଣା ମୋର ଆଦୌ ନାଇଁ । ସେ ସବୁ ପୁରୁଣା ଯୁଗର କଥା । କିନ୍ତୁ ମୁଁ ଭାବେ କଲମ ଜୋର୍‌ ଥିଲେ, ଆଉ ସରସ୍ୱତୀଙ୍କର ଏକଦମ ପକ୍କା ପୂଜାରୀ ହେଲେ, ଲକ୍ଷ୍ମୀଙ୍କର ଚାରା ନାହିଁ, ଘର ଦ୍ୱାର ବନ୍ଧ ନିକଟରୁ ଫେରିଯିବା ପାଇଁ; କାରଣ ଦେବୀ ସରସ୍ୱତୀ ଏତେ ଗୁଆଁରମତି ହୋଇନାହାନ୍ତି ଯେ, ତାଙ୍କର ସଚୋଟ ପୂଜାରୀର ଆଖିର ଲୁହ ଦାଗ ଦେଖିବେ ।

 

ଆମ ଘରଟା ଏମିତି ଯେ ଆମେ କେବେ ଲକ୍ଷ୍ମୀଙ୍କର ଦାସ ହେବାକୁ ଚେଷ୍ଟା କରୁନାହିଁ । ବଂଶାନୁକ୍ରମେ କେହି କେବେ ଲକ୍ଷ୍ମୀଙ୍କୁ ସାଦର ଅଭ୍ୟର୍ଥନା କରିବାପାଇଁ ବନ୍ଦାପନା ଦୀପାଳି ସଜାଡ଼ିନୁ । କିନ୍ତୁ ତିନିପୁରୁଷ ହେଲା ସରସ୍ୱତୀଙ୍କ ମାଧ୍ୟମରେ ଲକ୍ଷ୍ମୀ ଆମଘରେ ବନ୍ଧା ପଡ଼ିଛନ୍ତି ।

 

ମୋର ଯେତିକି ତେଜ, ମୋ ପୁଅର ତା’ଠାରୁ ଡବଲ ତେଜ । ମୋ ନାତି ଟୋକାର ଦି’ଡ଼ବଲ ତେଜ । ଆମେ ତିନିଜଣ ଆମ ଅନାଦି ଯୁଗରୁ ଗଡ଼ି ଆସୁଥିବା ବଂଶ ଲତିକାରେ ତିନୋଟି ଖୁବ୍‌ ବଡ଼ବଡ଼ ଉଜ୍ଜ୍ୱଳ ହୀରାଫୁଲ । ମହକି ଉଠିଛୁ । ବହକି ଉଠିଛୁ । ଉଛୁଳି ଉଠିଛୁ । ସ୍ତବକିତ ହୋଇ ନିଜର ସୌରଭରେ, ନିଜର ସୌନ୍ଦର୍ଯ୍ୟରେ, ନିଜର ଗୌରବରେ ସମସ୍ତଙ୍କୁ ପୁଲକିତ, ସମସ୍ତଙ୍କୁ ଆଚ୍ଛାଦିତ, ସମସ୍ତଙ୍କୁ ହତଚକିତ କରିଛୁ ।

 

ବଡ଼ ଉଦ୍ଧତ, ଅଦ୍ଭୁତ ଆମର ବଂଶ ।

 

ମୁଁ, ମୋର ପୁଅ, ମୋର ନାତି ।

 

ମୋର ଏବଂ ମୋ ପୂର୍ବପୁରୁଷଙ୍କର ଅନାବିଳ ଅନାବିଳ ଅନାବିଳ ରକ୍ତର ଏ କରାମତି ।

 

ଆମ ଘରେ କିଏ କେବେ ଇଞ୍ଜିନିୟର ହୋଇନି । କିଏ କେବେ ଡାକ୍ତର ହୋଇପାରିଲାନି । ହୋଇପାରିଲାନି ପ୍ରଫେସର କିମ୍ବା କଲେକ୍‍ଟର । କାନତରାଟି କିମ୍ବା ଓକିଲ ।

 

ଆମେ ସବୁ ପାଠକୁ ଚୋର ।

 

ମୁଁ ଏମ୍‌. ଏ. ପଢ଼ୁପଢ଼ୁ ଅଧାରୁ ଖସିଖସି ଆସିଲି । ମୋ ପୁଅ ବି. ଏସସି. ପଢ଼ୁପଢ଼ୁ ଅଧାରେ ରହିଲା, ଆଉ ମୋର ଗେହ୍ଲା ନାତି ଆଇ. ଏ.ରୁ ପାଠପଢ଼ା ବନ୍ଦ କଲା ।

 

ବିଶ୍ୱବିଦ୍ୟାଳୟର ରୁଟିନ ବନ୍ଧା ପାଠପଢ଼ା ଆଉ ସେଇ ଯନ୍ତ୍ରଣାମୟ ପରୀକ୍ଷାକୁ ଆମେ, ଅଜା, ପୁଅ, ନାତି ଡରୁ । ଖୁବ୍‌ ଡରୁ । ଆମେ ତିନିଜଣ ବିଶ୍ୱବିଦ୍ୟାଳୟର ତିନୋଟି ଅତିଶୟ ଭୀରୁ ଛାତ୍ର । ଅସହାୟ ଛାତ୍ର । ଆମେ ଟିଉଟରିଆଲ ଯାଉନା । ଲେକ୍‌ଚର ସଟ୍‌ । ଆମର ବହିମାନଙ୍କର ବାଗ-ବାଇସ ନଥିଲା । ଖାତା-ପତ୍ରର ଠିକ୍‌ଠିକଣା ନଥିଲା । କୋଉଠି କଲମ ହଜାଇଛୁ ତ କୋଉଠି ପେନସିଲ୍‌ ହଜାଇଛୁ ।

 

ପାଠପଢ଼ାବେଳେ ମା’ ସରସ୍ୱତୀ ସିନା ଆମକୁ ତିର୍ଯ୍ୟକ ଦୃଷ୍ଟିରେ ଚାହିଁଥିଲେ, ମାତ୍ର ପାଠ ପଢ଼ା ବନ୍ଦ କରିସାରିଲା ପରେ ଏକଥା ସତ ଯେ, ସରସ୍ୱତୀଙ୍କର ଆମେ ହେଇଯାଇଛୁ ଗୋଟିଏ ଗୋଟିଏ ବରପୁତ୍ର ।

 

ମୁଁ ଯେତେବେଳେ କଲେଜର ସେଇ ବାଜେ (?) ପାଠ ପଢ଼ିବାକୁ ଘୃଣା କରେ, ସେତେବେଳେ ମୋ ପିଲାମାନେ ତାକୁ ପଢ଼ିବେ କେମିତି ?

 

ଆମେ ତ ଏକା ନାଉର ମଞ୍ଜି !

 

ଯେତେ ଚେଷ୍ଟା କରିଛି, ମୁଁ ସିନା ଭୁଲ୍ କଲି (ସତେ ମୁଁ କ’ଣ ଭୁଲ୍ କରିଛି ? ବର୍ତ୍ତମାନ ମୁଁ ବୁଝିପାରେନା । ଭୁଲ୍ କି ଠିକ୍‌ (?) ଏମ୍‌. ଏ.ରୁ ଖସି ଆସିଲି, କିନ୍ତୁ ମୋ ପୁଅକୁ ପଢ଼ାଇବି । ମୋ ପୁଅକୁ ଇଞ୍ଜିନିୟର କିମ୍ବା ଡାକ୍ତର କରିବି, ଓକିଲ କିମ୍ବା ଆଇ. ଏ. ଏସ୍‌. କରିବି, ମାତ୍ର ମୁଁ ଦେଖିଲି ସେ କୁଳାଙ୍ଗାରଟା କଲେଜ ଯିବାକୁ ଏକଦମ ନାରାଜ । ପାଠ ପଢ଼ାରେ ମନ ନାଇଁ, ଖାଲି ଏପାଖ ସେପାଖ ବୁଲୁଛି ।

 

ବୁଲିବାଟା ତା’ର ଏକ ଧରାବନ୍ଧା କାମ । ନ ବୁଲିଲେ ତା’ର ଯେପରି ଭାତ ହଜମ ହୁଏନାହିଁ । ତା’ର ଆଖିକୁ ନିଦ ଆସେ ନାହିଁ । କଲେଜରୁ ଆସିବ ବହିପତ୍ର ଫୋପାଡ଼ି ଦେଇ କ’ଣ ଟିକିଏ ଖାଇ କୁଆଡ଼େ ଚାଲିଯିବ ଯେ, ଆସୁଆସୁ ରାତି ନଅ କିମ୍ବା ଦଶ । ହାତରେ ଆସିଲାବେଳେ ଥିବ ନିଶ୍ଚୟ ଗୋଟାଏ ନଭେଲ୍ । ସେଇ ନଭେଲ୍‍କୁ ଧରି ରାତାରାତି ପଢ଼ି ଶେଷ କରିଦେବ ।

 

ସେ ଥିଲା ଏକ ବିଶୃଙ୍ଖଳା ଛାତ୍ର ।

 

ବିଶୃଙ୍ଖଳ ଅର୍ଥ ଯେତେ ବ୍ୟାପକଭାବେ ଧରି ନିଆଯାଇପାରେ, ତା’ ପାଖରେ ପ୍ରୟୋଗ କଲେ କିଛି କ୍ଷତି ନାହିଁ ।

 

କିନ୍ତୁ ବର୍ତ୍ତମାନ ଏକ ବିଶୃଙ୍ଖଳା ଛାତ୍ର ସହିତ ତା’ର ଅତୀତ ଦିନର ବିଶୃଙ୍ଖଳାକୁ ଯଦି ତୁଳନା କରାଯାଏ, ତେବେ ନିଶ୍ଚୟ ଆକାଶପାତାଳ ପାର୍ଥକ୍ୟ ଦେଖିବାକୁ ମିଳିବ ।

 

ବର୍ତ୍ତମାନର ଛାତ୍ର ଯେଉଁଠି ମଦ ଖାଇବାକୁ ଡରୁନି, ସେତେବେଳେ ଛାତ୍ର ବିଡ଼ି ସିଗାରେଟ୍ ଖାଇବାକୁ ଭୟ କରୁଥିଲା । ଏଣୁ ସେତେବେଳର ଛାତ୍ରଠାରେ ଯେଉଁ ବିଶୃଙ୍ଖଳା ଦେଖିବାକୁ ମିଳୁଥିଲା, ବର୍ତ୍ତମାନ ହୁଏତ ତା’ର କୌଣସି ଅର୍ଥ ନାହିଁ ।

 

ତଥାପି ମୁଁ ସେତେବେଳେ ତାକୁ ବିରକ୍ତ ହଉଥିଲି । ସେ ବଦମାସ ତ ପାଠ ଭଲ ପଢ଼ୁ ନଥିଲା । ତାହା ସହିତ କାମଦାମରେ କଡ଼ାକର ନଥିଲା । ଘରଦ୍ୱାର ତା’ର ଧୂଳିଧୂସର । ବିଛଣାପତ୍ର ତା’ର ମଇଳା ଅସନା । ଟେବୁଲ ଉପରେ ବହିଖାତାସବୁ ଅଜାଡ଼ି ବିଛାଡ଼ି ପଡ଼ିଛି । ସେଥିପ୍ରତି ଖାତିର ନାହିଁ । ସେଥିପ୍ରତି ଯତ୍ନ ନାହିଁ । କେବଳ ଦିନରାତି ଯେପରି କ’ଣ ଗୁଡ଼ାଏ ଭାବୁଛି । କ’ଣ ଗୁଡ଼ାଏ ଭାବୁଚି ।

 

କ’ଣ ଭାବୁଚି... ?

 

କେଜାଣି ମୁଁ କିଛି ବୁଝିପାରେନା । ଟୋକାଟା ବେଶି କଥାବାର୍ତ୍ତା କରେନା । ବେଶି ଜୋର୍‍ରେ ପାଟିତୁଣ୍ଡବି କରେନା । ବେଶି ଜୋର୍‍ରେବି ହସେନା । ଗୁମ୍‌ମରା ଟୋକା । ମଉନମୁହାଁ-। ମଉନମୁହାଁଗୁଡ଼ାଙ୍କୁ ମୋର ଭାରି ରାଗ । ହସ, ଖେଳ, ମାତି ଉଠ । ଅଥଚ ସଦାବେଳେ ଚୁପ୍‌ଚାପ୍ କାହିଁକି ? ଏତେ ନୀରବତା କାହିଁକି ? ସେ କିନ୍ତୁ ସଦାବେଳେହିଁ ଚୁପ୍‌ଚାପ୍‌ । ସତେ ଯେମିତି ଏ ଘରର ସେ ମଣିଷ ନୁହେଁ । ଏ ଘରର କୁଣିଆ । ଆସିବ, ଯିବ, କାହାକୁ କିଛି କହିବ ନାହିଁ । ସେଇ ତା’ର ଘର ଭିତରେ ଖଟଟା ଉପରେ ଚୁପ୍‌ଚାପ୍‌ ପଡ଼ିଥିବ, ଆଉ ମନେମନେ କ’ଣ ଗୁଣୁଗୁଣୁ ହେଉଥିବ ।

 

ଘରେ ତ ଏତେ ଚୁପ୍‌ଚାପ୍, ବାହାରେ କ’ଣ ସେଇମିତି ଚୁପ୍‌ଚାପ୍ । ଯଦି ଚୁପ୍‌ଚାପ୍, ବାହାରେ ରହି କ’ଣ କରେ ?

 

ମୁଁ ତାକୁ ବୁଲିବାକୁ ମନା କରୁଥିଲି । କିନ୍ତୁ ସେ ଯେମିତି ହେଲେ ନ ବୁଲିଲେ ତା’ର ମନ ଖୁସି ହେବ ନାହିଁ ।

 

ସେ ମତେ ଭୟ କରୁଥିଲା । ସେ ମୋତେ ଦେଖିଲେ ଥରୁଥିଲା । ଆଃ, ଗୋଟିଏ ବୋଲି ପୁଅ ମୋର, ସେ ମୋ ପାଖକୁ ଆସିବାକୁ ସାହସ କରୁ ନଥିଲା । ସେ ପାଖରେ ବସି ପ୍ରାଣ ଖୋଲି ହସୁ ନଥିଲା । ମୋ ପାଖରେ ବସି ମୋ ସାଥିରେ କେବେ କଥାବାର୍ତ୍ତା ମଧ୍ୟ କରୁ ନଥିଲା ।

 

ବୋଧହୁଏ ମୁଁ ତାକୁ ତାଡ଼ନା କରୁଥିଲି ।

 

ମୋର ମନ ଦୁଃଖରେ ପୂରିଯାଏ । ତା’ର ଭବିଷ୍ୟତ୍ ଘେନି ମୁଁ କିଛି ଥଳକୂଳ ପାଏନା । ଆମର ଜମିବାଡ଼ି ଅଛି । ଭଲଭଲ ଘରଦ୍ୱାର ଅଛି । ମୁଁ ସିନା ଚାକିରି ନ କରି ଏଇ ଜମିବାଡ଼ିର ଫସଲ ଅମଳରେ ଚଳିଆସିଲି । ହେଲେ ମୋ ପୁଅ କ’ଣ ଏୟାକୁ ସମ୍ୱଳ କରି ତା’ର ଜୀବନକୁ ବିତାଇ ଦବ ?

 

କିନ୍ତୁ ବର୍ତ୍ତମାନ ମୁଁ ଭାବୁଚି–ସତେ କେଡ଼େ ବୋକା ମୁଁ ସେତେବେଳେ ନଥିଲି । ଅଯଥା ବିଚରାଟାକୁ କାହିଁକି ଗାଳି ଦେଉଥିଲି ? କାହିଁକି ତା’ର ଖାଇବା ବନ୍ଦ କରୁଥିଲି ?

 

ମୋର ପୁଅ ଉପରେ ଯେତେବେଳେ ଏଇ ପାଠପଢ଼ା ବାବଦରେ ଗାଳିଗୁଲଜ, ଆକଟ କରୁଥିଲି, ନା–ନା ଏସବୁ କହିଲେ ଭୁଲ୍‌ ହବ, ଅତ୍ୟାଚାର କରୁଥିଲି, ମୋର ମନେ ଅଛି, ମୋର ସ୍ତ୍ରୀ ସୁଷମାଙ୍କର ସନ୍ତାନ ବତ୍ସଳ ନୟନ ଯୁଗଳରୁ ଖସି ପଡ଼ୁଥିଲା ଧାରଧାର ଲୁହ । ସେ ଡରି ସିନା ମତେ କିଛି କହନ୍ତିନି, କାରଣ ମୁଁ ବହୁତ ରାଗୀ । ବହୁତ କ୍ରୋଧୀ । କିନ୍ତୁ ତାଙ୍କର ସେଇ ଲୁହକୁ ଦେଖିଲେ ମୋର ରକ୍ତରେ ଲାଗିଯାଏ ନିଆଁ । ସେ ଯେତେ ସୁଁସୁଁ ହେଇ କାନ୍ଦନ୍ତି, ମୁଁ ବନ୍ଦ ପଡ଼ିଯାନ୍ତି କ’ଣ, ଓଲଟି ଦି’ଗୁଣରେ ମୋ ପୁଅ ଉପରେ ଅତ୍ୟାଚାର ଚଳାଇଦିଏ ।

 

ଆଜି ଏକଥା ମୋ ସ୍ତ୍ରୀଙ୍କୁ କହିଲେ, ସେ ମୁହଁମୋଡ଼ନ୍ତି । ତାନେ ପାଟି କରନ୍ତି ମୋ ଉପରେ । କହନ୍ତି–ଭାବିଥିଲ ପରା ମୋ ପୁଅଟା ହେବ ଅଙ୍ଗାର, ଅଙ୍ଗାର ! କିନ୍ତୁ ସେ ତ ସୁନା–ସୁନା-! କୋଉକାଳେ ଅଙ୍ଗାର ହେଲାଣି ?

 

ପିଲାବେଳେ ଖୁବ୍‌ ତାକୁ ବାଡ଼େଇଚି । ଆଖି ବୁଜା ମାଡ଼ । କିନ୍ତୁ ଯେତେବେଳେ ବଡ଼ ହୋଇଗଲା, କଷ୍ଟେମଷ୍ଟେ ଆଇ, ଏସସି, ପାଶ୍‌ କଲା ଆଉ ବି. ଏସସି. ପଢ଼ିଲା, ସେତେବେଳେ ଗାଳି ଦେବାଛଡ଼ା ମାରିବାର ଆଉ ଅଧିକାର ମୋର ନାହିଁ । ଆଉ ପିଲାଙ୍କ ପରି ବାଡ଼େଇବି କ’ଣ-? ଛତରା ହେଲାଣି, ନଷ୍ଟ ହେଲାଣି । ଯେତେ ଗାଳି, ସେତେ ବଧିରା ଚମଡ଼ା ତା’ର-। ମୁଁ ଯେତେବେଳେ ଝାଳନାଳ ଆଣ୍ଠିଏ ହେଇ ବଛାବଛା ଗାଳିମାନ ତା’ ଉପରେ ଝଡ଼ାଇବାକୁ ଲାଗେ, ସେ ଅର୍ବାଚୀନଟା ମୋ ଗାଳିକୁ ଏ କାନରେ ପୂରାଇ ସେ କାନରେ ବାହାର କରିଦିଏ, ଆଉ ଆକାଶକୁ ଚାହିଁ ପକ୍ଷୀର ପର ଗଣେ, ନଇଲେ ନାଇଁ କାନ୍ଥବାଡ଼କୁ ଚାହେଁ ।

 

ମାଟ୍ରିକ୍‌ ବେଳଠାରୁ ତା’ର ପାଠ ପଢ଼ିବାର ସେପରି କିଛି କୃତିତ୍ୱପୂର୍ଣ୍ଣ ସଫଳତା ନଥିଲା-। ପାଠ ପଢ଼ା ପ୍ରତି ତା’ର ଆଦୌ ସ୍ପୃହା ନଥିଲା । ପିଲାବେଳୁ ତା’ର ଏପରି କାର୍ଯ୍ୟକଳାପରେ ମୁଁ ଘୋର ଚିନ୍ତାରେ ପଡ଼ିଥିଲି । ତା’ପାଇଁ ମୁଁ ବହୁତ ଆକାଶକୁସୁମ ତୋଳିଥିଲି । ଆକାଶକୁସୁମ ଯଦି ଆକାଶରୁ ଖସି ମୋ ହାତ ଆଙ୍ଗୁଳିରେ ପଡ଼ନ୍ତା, ତେବେ.... !

 

କିନ୍ତୁ ଆକାଶକୁସୁମହିଁ ସଦାବେଳେ ଆକାଶକୁସୁମ !

 

ମାଟ୍ରିକ୍‌ ପାଶ୍‌ କରିଥିଲା ଯେପରିଭାବେ ମୁଁ ଜାଣେ । ଆଇ.ଏସ୍‍ସି. ପାଶ୍‌ କଲା ଯେପରିଭାବେ ସେ କଥା ମୁଁ ବି ଜାଣେ । ରୀତିମତ ଘୁଷୁରି ପାଶ୍‌ । ନୟାନ୍ତ ଝାଳବୁହା ପାଶ୍‌ । ଘୁଷୁରି ଘୁଷୁରି ପାଶ୍‌ କରିବାଟା ତା’ର ଗୋଟାଏ ଧରାବନ୍ଧା କାମ ଥିଲା । ବୋଧହୁଏ ସେ ତା’ର ଶ୍ରେଣୀର ମାୟା ସହଜରେ ଛାଡ଼ି ପାରୁ ନଥିଲା ।

 

ପୂର୍ବଜନ୍ମରେ ପାପ ଯଦି କରିଥିବ, ଏପରି ଗୋବରଗଣେଶ ଆସି ପୁତ୍ରରୂପେ ପୁତ ନାମକ ନରକରୁ ତ୍ରାଣ କରିବ ।

 

ଗୋବରଗଣେଶ ! ଗୋବରଗଣେଶ !

 

ବୁଦ୍ଧିରେ ସିନା ସେ ଗୋବରଗଣେଶ ଥିଲା; କିନ୍ତୁ ରୂପରେ ଥିଲା କାର୍ତ୍ତିକଟାଏ । ଯାହା ପିନ୍ଧୁଥିଲା ସୁନ୍ଦର ଦିଶୁଥିଲା । ମୋଟାସୋଟା ଗଜାଟୋକା । ଗୁଡ଼ାଏ ନିଦା ପେଶି ତା’ର ଶରୀରକୁ ଚାରିଆଡ଼ୁ ଜାବୁଡ଼ି ଧରିଥିଲା ।

 

ସଳଖ ସୁନ୍ଦର ଭେଣ୍ଡିଆଟିଏ । କିନ୍ତୁ-ତୁଣ୍ଡ ସବୁ କାମକୁ ଅଯୋଗ୍ୟ ! ତା’ର ଏପରି ଅଯୋଗ୍ୟ ପଣରେ କେଉଁ ବାପ ଶାନ୍ତିରେ ଘଡ଼ିଏ ନିଃଶ୍ୱାସ ମାରିବ !

 

ମୁଁ ତାକୁ ଗାଳିଦେବାକୁ ବୋଧହୁଏ ସୁଖପାଏ ! ଯେତେବେଳେ ଇଚ୍ଛା ସେତେବେଳେ ଗାଳି । ତା’ର ନ ପଢ଼ିବାଟା ଯେପରି ଧରାବନ୍ଧା ଅଭ୍ୟାସ, ମୋର ଗାଳି ଦେବାଟା ସେହିପରି ନିତିଦିନିଆ କାମ ।

 

କିନ୍ତୁ ମୁଁ ଦେଖିଲି ଗାଳିର ଫଳ କିଛି ହଉନି ।

 

ତା’ପରେ ଖାଇବା ବନ୍ଦ । କିନ୍ତୁ ମା’ ପୁଅ ଯେତେବେଳେ ସଲାସୁତରା, ସେତେବେଳେ ବାପର ବୁଦ୍ଧି ନିଶ୍ଚୟ ଖତକୁ ଯିବ । ଯେଉଁଦିନ ପ୍ରଥମ କରି ରାତିବେଳାଟା ତା’ର ଖାଇବା ବନ୍ଦ କଲି, ମୁଁ ଲକ୍ଷ୍ୟକଲି ସକାଳୁ ସେ ଟିକେ ଶୁଖିଲା ଦିଶିବା ପରିବର୍ତ୍ତେ ପ୍ରସନ୍ନ ଦିଶୁଛି, ସତେଜ ଦିଶୁଛି । ଆଉ ମୋର ଅନୁସନ୍ଧିତ୍ସୁ ଆଖିକୁ ଦେଖି ମୁରୁକିମୁରୁକି ହସୁଛି ।

 

ଏସବୁ ନାଟ ରହସ୍ୟ ମୁଁ କିଛି ବୁଝିପାରି ନଥିଲି ।

 

ପୁଣି ଯେଉଁଦିନ ରାତିରେ ପାଠ ନ ପଢ଼ିବା ଯୋଗୁଁ ମୁଁ ତା’ର ଖାଇବା ବନ୍ଦକଲି, ସେଦିନ ଦେଖିଲି ପ୍ରାୟ ରାତି ବାରଟାବେଳେ ମା’ ପୁଅକୁ ପାଖରେ ବସାଇ ଗୁଣ୍ଡାଗୁଣ୍ଡା ଭାତ ତା’ର ପାଟିରେ ଗିଳାଇ ଦେଉଚନ୍ତି ।

 

ଅପଦାର୍ଥ କୋଉଠିକାର !

 

ପିଲାକୁ ଶାସନ କରିବାରେ ମୁଁ ଭୀଷଣ ରିୟାକ୍‌ସନାରୀ । ସେଠି ଦୟା-ମାୟାର ସ୍ଥାନ ନାହିଁ । ବୟସ ସୀମାର ବାଛବିଚାର ନାହିଁ । ଏତେ ବଡ଼ ପିଲାକୁ ଯେ ଖାଇବା ବନ୍ଦ କରିଚି, ସେଥିପ୍ରତି ମୋର ନିଜ ପ୍ରତି ଟିକେ ସଙ୍କୋଚ ନାହିଁ ।

 

କ’ଣ କରିବି ? ଉପାୟ ନାହିଁ । ଏସବୁ ଦେଖିବା ଯାହା ଋଷି ବାଳ ଛିଣ୍ଡାଇ ମରିବା ତାହା ।

 

ତା’ର ମା’ର ଅତିଶୟ ଗେଲ ଦେଖି ମୋତେ ଚିଡ଼ିଲାଗିଲା ।

 

କିନ୍ତୁ ହତଭାଗାଟା ମୋତେ ଏପରି ବିକଳ, କାତର ଆଖିରେ ଚାହୁଁଛି କାହିଁକି ? ବିଚରା-! କିଛି ନ କହି ଚାଲି ଆସିଲି ।

 

ସମସ୍ତଙ୍କ ଘରେ ମା’ ପୁଅର ସୁଆଙ୍ଗ ଅଛି । କିନ୍ତୁ ଆମ ଘରେ ମା’ ପୁଅ ସୁଆଙ୍ଗ ବେଶି-। ମା’.. ମା’... ହେଇ ଏଡ଼େବଡ଼ ପୁଅଟାଏ ପଛରେ ଗୋଡ଼ାଇଥିବ । ଆଉ ପୁଅପୁଅ ହୋଇ ମା’କୁ ଭାତ ରୁଚୁ ନ ଥିବ । ଏଇ ଫାର୍ଶ ଆମ ଘରେ ବେଶି । ଧରାବନ୍ଧା ଫାର୍ଶ, ବିରକ୍ତିଜନକ ଫାର୍ଶ-। ଏଇ ମା’ଟା କ’ଣ ତା’ର ସବୁ ? ମୁ୍ଁ ତା’ର କିଛି ନୁହେଁ ?

 

ପୁଅଟା ମୋର କିନ୍ତୁ ପାଠ ପଢ଼ିଲା ନାହିଁ । ତାକୁ ଯେତେ ଯାହା କଲେବି ପଢ଼ିଲା ନାହିଁ ।

 

ସେଦିନର କଥା ମୋର ବର୍ତ୍ତମାନ ମନେପଡ଼ୁଛି । ଆଜକୁ ପ୍ରାୟ ତିରିଶ ପଞ୍ଚତିରିଶବର୍ଷ ତଳର କଥା । ମୁଁ ମୋର ବୈଠକଖାନାରେ ବସି ଗୋଟାଏ ମାଗାଜିନ୍‌ ପଢ଼ୁଥିଲି । ସମୟ ସନ୍ଧ୍ୟା-

 

ସେ କଲେଜରୁ ଆସିଲା ଚୋର ପରି ।

 

ମୁଁ ତାକୁ ଡାକିଲି । ମୋ ସାମ୍ନାରେ ଠିଆ ହେଲା । ଚାହିଁଲି ତାକୁ, ଆଖିରେ ପ୍ରସନ୍ନତା ନାଇଁ । ମୁହଁର ଜ୍ୟୋତି ଲିଭି ଯାଇଛି । ମୁଣ୍ଡର ବାଳ ସବୁ ଅଡ଼ୁଆତଡ଼ୁଆ ହେଇ ମୁହଁକୁ ଘେରାଇ ରଖିଛି । ସେ ପିନ୍ଧିଥିଲା ଗୋଟିଏ ହାଫ୍‌ସାର୍ଟ, ଆଉ ଫୁଲ୍‌ପ୍ୟାଣ୍ଟ । ସେତେବେଳେ ଆମର ଏଇ କଟକରେ ଫୁଲପ୍ୟାଣ୍ଟ ଆଉ ସାର୍ଟ, କୋଟ୍‌ କେବଳ ସୌଖୀନ ପୋଷାକ ବୋଲି ପରିଗଣିତ ହେଉଥିଲା । ଆମର ଟୋକାବେଳେ ତ ଆମେ ଏ ସବୁ ଯେତେବେଳେ ପିନ୍ଧୁଥିଲୁ, ସରମରେ ଝାଉଁଳି ପଡ଼ୁଥିଲୁ । ଇଣ୍ଟରଭିଉକୁ ଗଲାବେଳେ ମୋର ସାଙ୍ଗମାନେ ଘରୁ ନ ପିନ୍ଧି କାଖରେ ଜାକି ଅଫିସକୁ ଯାଆନ୍ତି ଏବଂ ସେଇଠି ପିନ୍ଧନ୍ତି । କିନ୍ତୁ ମୋ ପୁଅପାଇଁ ଏସବୁ ପୋଷାକ କରିବାକୁ ମୁଁ କେବେ ପଛାଉ ନଥିଲି ।

 

ପିଲାଙ୍କ ମୁହଁ ଶୁଖିଲା ଦିଶିଲେ ମତେ ଭାରି ଖରାପ ଲାଗେ । ପିଲାଙ୍କ ମୁହଁରୁ ହରଷ ଲିଭିଗଲେ ମତେ ବିରକ୍ତ ଲାଗେ । ମୁଁ ଚାହେଁ ମୋ ପିଲା ଖୁବ୍‌ ସୁନ୍ଦର ଦିଶନ୍ତୁ । ମୋ ପିଲା ଫୁଲଟି ପରି ହସିଉଠନ୍ତୁ । ଜୀବନ ତାଙ୍କର ଖୁସିରେ ପୂରି ଉଠୁ ।

 

ମୁଁ ତାକୁ ପ୍ରଶ୍ନ କଲି–କିରେ... ! ଏମିତି କାହିଁକି ଦିଶୁଛୁ ?

 

ସେ ଉତ୍ତର ଦେଲାନି ।

 

ସେଣ୍ଟ-ଅପ୍‌ ହୋଇଛୁ ?

 

ସେ ଉତ୍ତର ଦେଲାନି ।

 

ମୁଁ ପରା ପଚାରୁଛି–ତୁ ସେଣ୍ଟଅପ୍‌ ହୋଇଛୁ ?

 

ସେ ଉତ୍ତର ଦେଲାନି ।

 

କ’ଣ ଶୁଭୁନି ? ବଡ଼ ପାଟିରେ ପଚାରିଲି–ଆଜି ତୋର ରେଜଲଟ୍‌ ବାହାରିବାର ଥିଲା, କ’ଣ ହେଲା ?

 

ସେ ସେହିପରି ନୀରବ ରହିଲା ।

 

ବଡ଼ ଅଦ୍ଭୁତ ଏ ପିଲା ! ପ୍ରଶ୍ନ ପଚାରୁଛି, ଅଥଚ ଉତ୍ତର ନାହିଁ ! କିରେ, କ’ଣ ହେଇଛି ? ସେଣ୍ଟଅପ୍‌ ହେଇନୁ ?

 

ନା... ।

 

ନା... ?

 

ନା, ହେଇନି ।

 

କାହିଁକି ହେଇନୁ ? କାହିଁକି ହେଇନୁ ? ମୁଁ ପଚାରୁଛି ସେଣ୍ଟଅପ୍‌ କାହିଁକି ହେଇନୁ ? ରକ୍ତ ମୋର ତାଳୁରେ ଚହଟି ଗଲା । ମୁଁ ପାଟିକରି ଉଠିଲି ।

 

ଲେକ୍‌ଚର ସର୍ଟ ହୋଇଗଲା ।

 

ଖାଇଲା ବେଳକୁ ବୀର, ଆଉ କଲେଜରେ ଲେକ୍‍ଚର ଆଟେଣ୍ଟ କରିବାକୁ ଚୋର !

 

ସେ କିଛି କହିଲାନି । ମତେ କଟମଟ କରି ଚାହିଁଲା ।

 

ତା’ର ଏପରି ଚାହାଣିରେ ପାଟିକରି ଗର୍ଜିବାକୁ ଲାଗିଲି–

 

ୟୁ ବ୍ଲଡ଼ି, ଆଇ ଆମ୍‌ ଆସ୍‌କିଙ୍ଗ ୟୁ ହ୍ୱାୟ ଲେକ୍‍ଚର ଫେଲ ସଟ୍‌ ?

 

ଡୋଣ୍ଟ ସେ ବ୍ଲଡ଼ି ।

 

ହ୍ୱାଟ୍‌... ? ହ୍ୱାଟ୍‌ ଡୁ ୟୁ ସେ ?

 

ନୋ... ଡୋଣ୍ଟ ସେ ବ୍ଲଡ଼ି । ଆଇ ଆମ ନଟ୍‌ ଏ କିଡ଼ ଟୁ ଡାଇଜେଷ୍ଟ ଅଲ ଦିଜ୍‌ ରିବ୍ୟୁକ୍‌ସ ଅଫ୍‌ ୟୋରସ୍‌ !

 

ଷ୍କାଉଣ୍ଡ୍ରେଲ୍‌... ! ଖୁବ୍‌ ଜୋର୍‍ରେ ଚିତ୍କାର କରି ମୁଁ ତା’ର ମୁହଁକୁ ମାଗାଜିନ୍‌ଟା ଫୋପାଡ଼ି ଦେଲି ।

 

ଅସମ୍ଭବଭାବେ ଉଦ୍ଧତ ସେ ! ଅସମ୍ଭବଭାବେ ଦୁର୍ବିନୀତ ସେ । ମୋ ମୁହଁକୁ ରାକ୍ଷସ ପରି ଚାହିଁଛି । ଅଗ୍ନି ଆଖିରେ ଚାହିଁ ରହିଛି । ନାକପୁଡ଼ାକୁ ଫୁଲେଇ ମୁହଁକୁ ବିକଟାଳ କରିଛି ।

 

ତା’ର ମୁହଁକୁ ଚାହିଁବାକୁ କେମିତି ମୋର ଆଦୌ ଇଚ୍ଛା ହେଲାନି । ମୁଁ ଭୀଷଣ ଅସ୍ୱସ୍ତିବୋଧ କଲି । ତାଳୁର ଶିରାପ୍ରଶିରା ଦମଦମ ଉଠିଥିଲା, ପଡ଼ୁଥିଲା । ଦେହ ମୋର ଥରି ଉଠୁଥିଲା । ଝିମିଝିମି ହୋଇ ଯାଉଥିଲା ।

 

ମୁଁ ଚଉକିଟା ଉପରେ ଥକା ମାରି ବସିପଡ଼ିଲି ।

 

ସେ କିନ୍ତୁ ସେହିପରି ମହାମେରୁ ପରି ଠିଆ ହୋଇଥିଲା, ଆଉ ରାଗରେ ସଁ... ସଁ..... ହଉଥିଲା ।

 

ମୁହଁକୁ ସେହିପରି ତଳକୁ ପୋତି ଯନ୍ତାବଦ୍ଧ ଆହତ ସିଂହ ପରି ଗର୍ଜନ କରି ଉଠିଲି–ଗେଟ୍‌ ଆଉଟ୍‌–ଗେଟ୍‌ ଆଉଟ୍‌ ! ଆଇ ଡୋଣ୍ଟ ୱାଣ୍ଟ ଟୁ ସି ଇୟୋର୍‌ ଅଗ୍‌ଲି ଫେସ୍‌ । ଗେଟ୍‌ ଆଉଟ୍‌........ !

 

ସେ ବୋଧହୁଏ ଏକ ଭୀଷଣ ପ୍ରଚଣ୍ଡ ଘୂର୍ଣ୍ଣିବାତ୍ୟା । ସେ ହୁଏତ ଅଶାନ୍ତଭାବେ ତାତିତାତି, ବୁଲିବୁଲି ଆସିଥିଲା ଉଦ୍‌ଭାନ୍ତ ପରି ଏବଂ ଏକ ପର୍ବତରେ ଧକା ଖାଇ ପୁଣି ଫେରିଗଲା ଅତି ତୀବ୍ର ବେଗରେ ରାଗରେ ତମତମ ହେଇ ।

 

ସେ ଯେପରିଭାବେ ଘରୁ ଚାଲିଗଲା, ମୋ ମନରେ ବୋଝ ଉପରେ ନଳିତା ବିଡ଼ା ପରି ହେଲା । ସେ ହୁଏତ ଧୀରେ ଧୀରେ ଘରୁ ଅପସରି ଯାଇଥାନ୍ତା । କିମ୍ୱା ଘରୁ ଚାଲି ନ ଯାଇ ମୋଠାରେ କ୍ଷମା ଭିକ୍ଷା କରିଥାନ୍ତା । ତା’ର ଏପରି ମନ୍ଦ ଆଚରଣ ପାଇଁ ହୁଏତ ଆଖିରୁ ଲୁହ ଗଡ଼ାଇ ମୋର ସଂତପ୍ତ ପିତୃପ୍ରାଣକୁ ଶୀତଳ କରିପାରିଥାନ୍ତା, ମନ ଲଗେଇ ପାଠ ପଢ଼ିବ ବୋଲି ମୋ ଆଗରେ ଅଙ୍ଗୀକାର କରିଥାନ୍ତା; ମାତ୍ର ସେ ଛତରାଟା ସେପରି କିଛି କଲା ନାହିଁ । ସେ ମୁହଁ ଛିଞ୍ଚାଡ଼ି, ଦୁମ୍‌ଦୁମ୍‌ ହୋଇ ଘରୁ ଚାଲି ଯାଇଥିଲା ଏବଂ ତା’ର ଦୃପ୍ତ, କଠୋର, ଅବିନୀତ ପାଦ ଶବ୍ଦରେ ପ୍ରକାରାନ୍ତରେ ପ୍ରମାଣିତ କରିଦେଲା ଯେ, ହୁଏତ ମୁଁ ଆଉ ତା’ର ବାପା ହେବାକୁ ଯୋଗ୍ୟ ନୁହେଁ କିମ୍ୱା ବାପା ବୋଲି ତା’ ଉପରେ ମୋର କୌଣସି ନିର୍ଦ୍ଦିଷ୍ଟ କଟକଣା କିମ୍ୱା ଦାବି ନାହିଁ ।

 

ଚଉକିଟା ଉପରେ ନୀରବ, ନିଶ୍ଚଳ, ଦାରୁଭୂତ ମୁରାରି ପରି ବସି ରହିଥିଲି ।

 

ମୋ ମୁହଁକୁ ଯଦି ସେତେବେଳେ କିଏ ଚାହିଁଥାନ୍ତା, ହୁଏତ ମୋତେ ନିଶ୍ଚୟ ଦୟା କରିଥା’ନ୍ତା ।

 

ମୁଁ ଅସହାୟ ହୋଇ ପଡ଼ନ୍ତି । ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ନ୍ତି । ଜୁଳୁଜୁଳୁ କରି ସବୁ ଆଡ଼କୁ ସେଇ ଚଉକିଟା ଉପରେ ଚାହୁଁଛି ଥକା ମାରି, ଅଥଚ କ’ଣ ଦେଖୁଛି, କ’ଣ ବୁଝୁଛି, କ’ଣ କରୁଛି, ସେ ସବୁ ବିଷୟରେ ମୋର ସମ୍ୟକ ଧାରଣାଇ ନାହିଁ ।

 

ଆକାଶ-କୁସୁମମାନେ ଆକାଶରେ ଚାହିଁ ମତେ ହସୁଛନ୍ତି !

 

ମୋ ଘର ଗୋବରଗଣେଶ ପଙ୍କ ଖାତରେ ମୁହଁ ମାଡ଼ି ପଡ଼ି ଲଟପଟ ହଉଛି, ଅଥଚ ସେ ଜାଣିପାରୁନି କୋଉଠି ପଡ଼ିଛି, କୋଉଠି ଯାଇ ପଶିଛି ।

 

ତା’ପାଇଁ ପଙ୍କ ହଉଚି ଚନ୍ଦନ !

 

ଆଉ କାହିଁକିରେ ହତଭାଗା ତୋପାଇଁ ମୁଁ ବେଳ ନିପଟ ବୋକା ପରି ଆକାଶକୁ ଚାହିଁ ସେ ସୁନ୍ଦର ମନୋରମ କୁସୁମଗୁଡ଼ାକୁ ଛିଣ୍ଡାଇ ମୋର ଅଣ୍ଟି ଭରିବାକୁ ମନ ବଳାଇବି ?

 

ତୁ ତ ମତେ ଥଣ୍ଡା କରି ଦେଇଛୁ ଏକଦମ । ମୋର ମୁଣ୍ଡ ଉପରେ ମାଠିଆଏ ପାଣି ଢାଳି ଦୋରସ୍ତ ଶୀତଳ କରିଦେଇଛୁ । ମତେ ଖୁବ୍‌ ବଢ଼ିଆ ବାପା ବନାଇ ଦେଇଛୁ ।

 

ଚଉକିଟା ଉପରେ ସେହିପରି ନିର୍ଜୀବଭାବେ ବସିଥିଲି । ଜୋର୍ ଅବସନ୍ନତାରେ ଘୋର ହତାଶାରେ ମୁଁ ଭାଙ୍ଗି ପଡ଼ିଥିଲି ।

ଆଃ..., ମୋ ପୁଅ ସେଣ୍ଟ-ଅପ ହୋଇ ପାରିଲାନି ? ପରୀକ୍ଷା ଦେଇ ପାରିଲାନି ?

ଗୁଣମନ୍ତ ପୁତ୍ରର ପିତା ମୁଁ, ଦେଖ କେମିତି ଚଉକି ଉପରେ ଝାଳନାଳ ଆଣ୍ଠିଏ ହୋଇ ବେକ ଭାଙ୍ଗି, ମୁହଁକୁ ପୋତି, ବାଳକୁ କୁଚୁକୁଚା କରି ବସିଛି ।

ତା’ର ଅଶାଳୀନ, ଅମାର୍ଜିତ, ରୁକ୍ଷ ଓ ଅବାଧ୍ୟ ପ୍ରତ୍ୟୁତ୍ତରରେ ମୋର ପେଟ ପୂରି ଯାଇଥିଲା । ରାତିରେ ଖାଇବାକୁ ଇଚ୍ଛା ହେଲାନି ।

କେହି ଖାଇଲେନି । ସେ ଖାଇଲାନି କିମ୍ୱା ତା’ ମା ମଧ୍ୟ ଖାଇଲାନି । ଘରଟା ଯେପରି ସେଦିନ ନିହାତି ଅସ୍ୱାଭାବିକଭାବେ, ପୀଡ଼ିତଭାବେ ଚୁପ୍‌ଚାପ୍‌ ଥିଲା । ସେଇ ନିରବଚ୍ଛିନ୍ନ ଚୁପ୍‌ଚାପ୍‌ ଭିତରେ ମୁଁ ନିହାତି ଅସହାୟ ହୋଇ ଉଠିଥିଲି । ମୁଁ ଭାବୁଥିଲି–ଏ ସବୁ କ’ଣ ହେଲା ? ମୋ ପୁଅର ଏପରି ଅଧଃପତନ କାହିଁକି ହେଲା ? ମୋର ଗର୍ବ କାହିଁକି ସେ ନିଷ୍ଠୁର ଭାଙ୍ଗିଦେଲା ? କାହାକୁ ମୁଁ ବା ଆଉ ମୋର ମୁହଁ ଦେଖାଇବି ? ସେଦିନ ବିଭିନ୍ନ ଚିନ୍ତାରେ ମୋର ଆଖିକୁ ଆଦୌ ନିଦ ଆସିଲାନି । ମୁଁ ଜାଣେ ତା’ ବୋଉ ଶୋଇନି । ସେ ସୁଁସୁଁ ହୋଇ ଆରପାଖ ଘରୁ କାନ୍ଦୁଛି । ଏସବୁ ବିରକ୍ତିକର ବ୍ୟାପାରକୁ ଆହୁରି ବହୁଗୁଣିତ ନ କରିବାପାଇଁ ମୁଁ ତାକୁ କିଛି କହୁ ନଥିଲି ।

ମୋରି ପୁଅ, ମୋରି ରକ୍ତର ପ୍ରସୂନ ସେ, ସକାଳୁ ଉଠି ଆମେ ଦୁଇ ପ୍ରାଣୀ ଯେତେବେଳେ ଦେଖୁ–ତା’ର ଘର ଖାଲି–ଘର ବିଲ୍‍କୁଲ୍‌ ଖାଲି, ଜୋତା ନାହିଁ, ଆଲଣାରେ ଲୁଗାପଟା ନାହିଁ, ସୁଟ୍‌କେଶ ନାହିଁ, ସେତେବେଳେ ମୁଁ ଦେଖିଲି, ମୋର ସ୍ତ୍ରୀ ଘରର ଏରୁଣ୍ଡିବନ୍ଧ ଉପରେ ଢୁ’କରି ମୁଣ୍ଡ ପିଟି ବାହୁନିବାରେ ଲାଗିଛନ୍ତି–ଆହା...ମୋ ଧନରେ, ମୋ ବାୟାରେ କୁଆଡ଼େ ଗଲୁ ତୁ ?

ବୋଉ !

ବାପାଙ୍କ ମତ ମୋ ମୁହଁ କୁଆଡ଼େ ଅସୁନ୍ଦର । ଏ ଅସୁନ୍ଦର ମୁହଁକୁ ସେ ଦେଖିବାକୁ ଚାହାନ୍ତି ନାହିଁ । ଯେଉଁଦିନ ମୁହଁକୁ ସୁନ୍ଦର କରିବି, ସେଇଦିନ ମୁଁ ବାପାଙ୍କୁ ମୁହଁ ଦେଖେଇବି । ମୁଁ ଜାଣେବା, ମୁଁ କୁଆଡ଼େ ଯାଉଛି । ମୋପାଇଁ କେହି କାନ୍ଦିବ ନାହିଁ ।

ହାତରୁ ମୋର ଚିଠି ଖସିପଡ଼ିଲା । ମୋତେ ଚାରିଦିଗ ଅନ୍ଧକାର ଦିଶିଲା । କୁଆଡ଼େ ଗଲା ସେ ?

ଗୋଟିଏ ବୋଲି ପୁଅ ମୋର ! ଗୋଟିଏ ବୋଲି । ଆଉ କେହି ନାହିଁ ତା’ ବିନା ଏ ସଂସାରରେ । ସେହି ମୋର ସବୁ । ସେହି ମୋର ସଂସାର । ସେହି ମୋର ସୁଖ, ସେହି ମୋର ଦୁଃଖ । ଯାହାକୁ ଦଣ୍ଡେ ନ ଦେଖିଲେ ମୁଁ ଅଥୟ ହୋଇ ପଡ଼େ, ଯାହାର ମୁହଁରୁ ବାପା ଡାକ ଘଡ଼ିଏ ନ ଶୁଣିଲେ ମୋର ପ୍ରାଣ କାନ୍ଦିଉଠେ, ସେହି ମୋର ଗୋଟିଏ ବୋଲି ପୁଅ, ମୋର ନୟନର ପିତୁଳା, ଆଜି ମତେ ମାନ କରି କାହିଁ କୁଆଡ଼େ ଚାଲିଗଲା ! ମୋର ମନକୁ ଅଖଣ୍ଡ ହାହାକାରରେ ନିଷ୍ଠୁରଭାବେ ପକାଇ ସେ କୁଆଡ଼େ ଚାଲିଗଲା !

ହଠାତ ସେଇ ମୁହୂର୍ତ୍ତରେ ମତେ ଜଣାଗଲା, ମୋର ଘରଟାରେ କାହିଁ କେଉଁଠାରୁ ଗୋଟିଏ ତାତିଲା ମରୁଭୂମି ଧସେଇ ପଶିଯାଇଛି, ଆଉ ଆମ ଦୁଇପ୍ରାଣୀଙ୍କୁ ପୋଡ଼ିବାରେ ଲାଗିଛି ।

 

ସେଇ ମୁହଁ, ସେଇ ଛୋଟ ମୁହଁଟି ବହୁ ମୁହଁ ହୋଇ ମୋ ପଛରେ ଯେପରି ଗୋଡ଼ାଇବାରେ ଲାଗିଛି । ସେଇ ପତଳା ଗୋରା ମୁହଁଟି । ଠିଆ ନାକ । ସରୁ ଭ୍ରୂଲତା । ବଡ଼ବଡ଼ ଆଖି । ଛୋଟ ଓଠ । ଆଉ ଧାଡ଼ିଏଧାଡ଼ିଏ ସୁନ୍ଦର ନିଶ । ସେଇ ମୁହଁଟି ମୋର ପିତୃତ୍ୱକୁ ତୁମୁଳଭାବେ ଧିକ୍‌କାର କରି ମତେ ଯେପରି ଅହରହଃ କହିବାରେ ଲାଗିଛି–ବାପା, ତମେ ବାପା ନୁହ, ବାପ ମନ ତମର ନାହିଁ । ତମେ ଅତ୍ୟାଚାରୀ । ତମେ ପୁଅକୁ ଶାସନ କରି ଜାଣ; ମାତ୍ର ପୁଅକୁ ସ୍ନେହ କରି ଜାଣନାହିଁ ।

 

ଆହା...ତା’ ବିହୁନେ ଯେ ମୋ ପୁରୀ ଶୂନ୍ୟ ! ମୋ ଅନ୍ତର ଯେ ଶୂନ୍ୟ ! କେମିତି ଚାହିଁବି ତା’ର ସ୍ନେହକାଙ୍ଗାଳିନୀ ମା’ ମୁହଁକୁ ?

 

ତା’ ମା’ ମଥା କୋଡ଼ି କାନ୍ଦୁଛି । ତା’ ମା’ ଜଳଜଳ କରି ସବୁ ଆଡ଼କୁ ଚାହୁଁଛି । ତା’ ମା’ ତା’ର ରହିଯାଇଥିବା ଲୁଗାପଟାକୁ ଭିଣିଭିଣା କରି ଦାନ୍ତରେ ରେକଟୁଛି, ଛାତିରେ ଚାପି ଧରୁଛି ।

 

ଓଃ !

 

ସେ ଯେଉଁଦିନ ଶିଶୁଟି ହେଇ ମା’ କୋଳକୁ ଆସିଥିଲା, ଆସିଥିଲା ମୋର ସଂସାର ଭିତରକୁ, ଆମେ ହସିହସି ତା’ର ଆଗମନୀକୁ ସ୍ୱାଗତ ଜଣାଇ ଶୁଭଶଙ୍ଖ ବଜାଇଥିଲୁ । ବୋହୂ ତାଙ୍କର ପୁତ୍ର ଜନ୍ମ କରିଛି ବୋଲି ବାପାବୋଉ ମୋର ଗର୍ବରେ ଫାଟି ପଡ଼ିଥିଲେ । ନାତି ମୁହଁକୁ ଦେଖି ସେମାନେ କୃତାର୍ଥ ହେଇଥିଲେ ।

 

ଆଉ ତା’ର ସେଇ କଅଁଳ କାନ୍ଦ, ସେଇ କଅଁଳ ପାଟି, ସେଇ କଅଁଳ ମୁହଁଟିକୁ ଦେଖି ମୁଁ ତା’ର ବାପା, ମୁଁ ଯେ କେଜାଣି କେତେ ଖୁସି ହେଇଯାଇଥିଲି, ତା’ର ଇୟତ୍ତା ନାହିଁ । ସତେ ଯେପରି ସରଗର ଚାନ୍ଦ ଖସି ପଡ଼ି ମୋ ଘର ଅଗଣରାରେ ବିକଶି ଉଠି ହସୁଛି । ମୋ ଘର ଅଗଣାକୁ ତା’ର ରୂପର ଅଖଣ୍ଡ ଜ୍ୟୋତିଃରେ ଝଲସାଇ ଦଉଛି ।

 

ସେଇ ମୋର ପୁଅ !

 

ମୁଁ କ’ଣ ଜାଣିଥିଲି ଯେ, ମୋ ଆଖିରେ ଦିହୁଡ଼ି ପରି ଯେ ସଦା ଜଳୁଛି, ମୋ ଅନ୍ଧାର ସଂସାର ସାରଣୀର ସେ ଆଲୋକ ମଶାଲ, ସେଇ ମଶାଲ ମୋ ସଂସାର ସାରଣୀରୁ ଅପସରି ଯାଇ ମତେ ଘନ ଅନ୍ଧକାର ଗିତରେ ନିର୍ଘାତ ଠେଲା ଠେଲି ଅନ୍ୟ କେଉଁଠି ଜଳି ଉଠିବ ? ମୋଠାରୁ ଆତ୍ମଗୋପନ କରି ଅନ୍ୟ କେଉଁଠି ହସି ଉଠିବ ?

 

ଆହା...ଅଭିମାନୀଟା ! ଅଭିମାନୀଟା...

 

ଏଇ ବୋଧହୁଏ ଶୁଭୁଛି ତା’ର ସାଇକେଲ ଘଣ୍ଟି ଶବ୍ଦ । ଏଇ ବୋଧହୁଏ ସାଇକେଲ ପାହାଚ ପାଖରେ ରଖି ଘର ଭିତରକୁ ପଶିଆସିଲା । ତା’ର ଜୋତା ଶବ୍ଦ ଶୁଭୁଛି । ସେ ଘର ଭିତରକୁ ଚାହିଁ ଆସୁଛି ।

 

ନା...

 

ସେ ନୁହେଁ ।

 

ସେ ବୋଧହୁଏ ସେ ଘରେ ବସି କାଶୁଛି । ହଁ ସେ ଘରେ ସେ କ’ଣ ଖୁଡ଼୍‌ଖାଡ଼୍‌ କରୁଛି । ସେ ବୋଧହୁଏ ଏଇନା ବୋଉକୁ ଡାକିବ । ବୋଉକୁ ଡାକି କହିବ–ବୋଉଲୋ, ଭାରି ଭୋକ । କ’ଣ ଖାଇବି ?

 

କ’ଣ ଖାଇବୁ ? କ’ଣ ଖାଇବୁରେ ତୁ ? କୁଆଡ଼େ ଗଲୁ ? କେଉଁଠି ରହିଲୁ ? ସତେ ତୋର ପେଟ ଦେଖି କିଏ ଖାଇବାକୁ ଦବ ? ତୋର ବୋଉ ଛଡ଼ା ତୋର ପେଟକୁ କିଏ ଚିହ୍ନିବ ? କିଏ ତତେ ଠିକ୍‌ ବେଳ ଅନୁସାରେ ଖାଇବାକୁ ଦବ ?

 

କେହି ତ ତୋ ଦୁଃଖ ବୁଝିବେ ନାହିଁ ।

 

କିନ୍ତୁ ଯେଉଁମାନେ ତୋର ଦୁଃଖ ଦେଖିଲେ ତରଳି ଯାଉଥିଲେ, ତୋର ଆଖିର ଲୁହ ଦେଖିଲେ ଯେଉଁମାନଙ୍କ ଛାତିରୁ ଶୋଣିତ ଝରୁଥିଲା, ସେମାନଙ୍କୁ ପର କରି ତୁ ଚାଲିଗଲୁରେ !

 

ମୁଁ ତତେ କେବେ, କେଉଁଠି ପାଇବି ? କେଉଁଠି ପାଇବି ମୁଁ ତତେ ?

 

ବାପା ହେଇ ମୋର କ’ଣ ତାକୁ ଗାଳି ଦେବାର ଅଧିକାର ନାଇଁ । ମୋର ତାକୁ କ’ଣ ତା’ର ଭଲମନ୍ଦରେ କିଛି କହିବାର ହକ୍ ନାଇଁ ! ଟିକେ କ’ଣ କହିଲି ବୋଲି ଅଭିମାନ କରି ସେ ଚାଲିଗଲା । ଆମର ସବୁ ସମ୍ପର୍କକୁ ଛିନ୍ନ କରି, ଦଳିଦେଇ ଚାଲିଗଲା ।

 

ମୋଠୁ ସବୁ ତୁ ତ ଲୁଟିଲୁରେ ! ମୋଠୁ ସବୁ ନେଲୁ ! ବଳବୟସ, ଝାଳ ରକ୍ତ ସବୁ ତୁ ନେଲୁ ! ମୁଁ ତତେ ଜନ୍ମ ଦେଲି । ମୁଁ ତତେ କାଖେଇ, କୋଳେଇ ବଡ଼ କଲି । ହେଲେ ମୋର ମନକୁ ତୁ ନ ବୁଝି ମୋତେ ପର କରି କୁଆଡ଼େ ଚାଲିଗଲୁ ।

 

ମୁଁ ତା’ର ମା’ ମୁହଁକୁ ଚାହିଁ ପାରିଲି ନାହିଁ । ଭୋଭୋ ସେ ସେହିପରି କାନ୍ଦୁଥିଲା । ପୁତ୍ରହରା କପୋତୀ କରି ସେ କାନ୍ଦୁଥିଲା । ପୁଣି ଏରୁଣ୍ଡିବନ୍ଧ ଉପରେ ଯେତେବେଳେ ମୁଣ୍ଡ ପିଟେ, ମୁଁ ତାକୁ କୁଣ୍ଢାଇ ଧରିଲି । ଦେଖିଲି ମୁଣ୍ଡ ଫାଟି ରକ୍ତ ବାହାରୁଛି ।

 

ପୁଅପାଇଁ ମା’ର ମଥାରୁ ଝରୁଛି ରକ୍ତର ଫୁଲ । ସେଇ ରକ୍ତର ଫୁଲ ବିଛାଇ ଦେବାକୁ ସେ ଚାହେଁ ପୁଅର ଚଲାବାଟ ତଳେ । ପୁଅର ବାଟକୁ ସେ କଅଁଳ, ନରମ, କରିବାକୁ ଚାହେଁ ।

 

ଆହା...ପୁଅ କାହିଁ ? ପୁଅ କାହିଁ ?

 

ସେ ମୋ ହାତକୁ ଛିଞ୍ଚାଡ଼ି ଦେଲା । ଦେଖିଲା ମୋ ପ୍ରତି ଅସମ୍ଭବ କ୍ରୋଧରେ, ଘୃଣାରେ ତା’ର ଆଖି ଦୁଇଟା ଅଙ୍ଗାର ପରି ଜଳୁଛି ।

 

ସେ ପାଟି କରି କହିଉଠିଲା–ଛୁଅଁନା–ଛୁଅଁନା । ଯୋଉ ହାତରେ ମୋର ଭେଣ୍ଡା ପୁଅକୁ ମାରିଛ, ସେଇ ହାତରେ ମୋତେ ଛୁଅଁନା...... ।

 

ସୁଷମା !

 

ତମ ଛାତି ଭିତରେ ବାପାର ହୃଦୟ ଅଛି, ନା ତା’ ବଦଳରେ ପଥରର ହୃଦୟ ଅଛି ?

 

ମୁଁ କ’ଣ କହିବି କିଛି ବୁଝିପାରୁ ନଥିଲି । ଏ ସବୁର ତ ସୃଷ୍ଟିକର୍ତ୍ତା ମୁଁ ନିଜେ । ଭୀରୁଭାବେ ଠିଆ ହୋଇଥିଲି ।

 

ଏଡ଼େବଡ଼ ପୁଅଟାକୁ ମାରିବାକୁ ତମର ହାତ ଗଲା କେମିତି ? ବାପ ହେଇଛ ବୋଲି ପୁଅର ବୟସ ତ ବୁଝିବା ଉଚିତ ।

 

ଧୀର ଗଳାରେ ମୁଁ କହିଲି, ମୁଁ ତାକୁ ମାରିଚି ? କେବଳ ମାଗାଜିନ୍‍ଟା ତା’ ଉପରକୁ ଫୋପାଡ଼ିଥିଲି ।

 

ଓଃ... ! ସେ ଏକା କଥା । ବାନ୍ଧି ମାରିଲେ ଯାହା, ଧରି ବାଡ଼େଇଲେ ତାହା । ସଦାବେଳେ ତାହାରି ସାଥିରେ ତୁମରି ବାଦ, ତୁମରି ଅହନ୍ତା । କୋଉଠି ବସୁଛି, କୋଉଠି ଉଠୁଛି, କ’ଣ କରୁଛି, କ’ଣ ନ କରୁଛି ତୁମର ଆଖି । ତମ ଆଖିରେ ତ ସେ ସବୁଥିକି ଅଯୋଗ୍ୟ ।

 

କିନ୍ତୁ ତମେ ଏସବୁ କ’ଣ କହି ଯାଉଛ ସୁଷମା, ସେ ମୋର ଗୋଟିଏ ବୋଲି ପୁଅ ।

 

ପାଟିକରି କାନ୍ଦିଉଠି ମୋ ସ୍ତ୍ରୀ କହିଲା–ହଁ, ଗୋଟିଏ ବୋଲି ପୁଅ । ମୋର ଗୋଟିଏ ଆଖି । ଅଥଚ ତୁମେ ଏ କ’ଣ କଲ ? କେତେ ଦିଅଁଦେବତା ପାଖରେ ଅଳି କରି, ପ୍ରାର୍ଥନା କରି, କେତେ ବ୍ରତ ଉପବାସରେ ନିର୍ଜଳା ରହି, ମୁଁ ତାକୁ ପାଇଥିଲି, ହେଲେ ତୁମର ଏ ବୁଦ୍ଧି କାହିଁକି ହେଲା, ପାଠ ପଢ଼ିଲା ନାହିଁ ବୋଲି ତାକୁ ଶେଷରେ ମାରିଲ ?

 

ମୁଁ ତାକୁ ମଣିଷ କରି ଗଢ଼ିବାକୁ ଚାହୁଁଥିଲି ସୁଷମା । କହିଲ, କୋଉ ବାପ ପୁଅର ପାଠ ପ୍ରତି ଅମନଯୋଗିତାରେ ଧୈର୍ଯ୍ୟ ଧରି ରହିପାରିବ ?

 

ଓଃ...ମଣିଷ...। ପାଠ ପଢ଼ି ଯଦି ସମସ୍ତେ ମଣିଷ ହୁଅନ୍ତେ, ତେବେ ତୁମେ ପାଠ ପଢ଼ି ଏପରି ଗୋରୁ କାହିଁକି ହେଇଛ !

 

ସୁଷମା !

 

ସେତେବେଳେ ସୁଷମା କ’ଣ କହି ଯାଉଥିଲା, ତା’ର ନିଜର ଜ୍ଞାନ ଗୋଚର ନଥିଲା । ସେ କେବଳ ଗର୍ଜନ କରିବାରେ ଲାଗିଥିଲା । ଚିତ୍କାର କରି କହିଲା–ଯାଅ, ବୋକାଙ୍କ ପରି ଜୁଳୁଜୁଳୁ ହୋଇ ମୋ ମୁହଁକୁ ଚାହିଁଛ କ’ଣ ! ପୁଅକୁ ମୋର ଫେରେଇ ଆଣ । କୋଉଠି ଅଛି ସେ ଖୋଜି ଆଣ । ଯେ କୌଣସି ପ୍ରକାରେ ଖୋଜିଆଣ । ତା’ ବିନା ମୁଁ ମରିଯିବି ।

 

କ’ଣ କରିବି ? କିଛି ବୁଦ୍ଧି ବାଟ ଦିଶୁନି । ଘରଟା ତା’ ବିନା ଯେପରି ଶ୍ମଶାନରେ ପରିଣତ ହୋଇଛି । ହଁ, ଆମେ ସବୁ ତା’ ବିନା ମରି ଯାଇଛୁ ।

 

ସେ ଅଭାଗାଟା ଯେ ଆମକୁ ଏଇ ବୁଢ଼ା ବୟସରେ ଏପରି ଅବସ୍ଥା କରିବ, ମୋର ଆଦୌ ଧାରଣା ନଥିଲା ।

 

ଚାରିଆଡ଼େ ଦିଶୁଛି ସେ !

 

ସେଇ ତା’ର ସଦାପ୍ରସନ୍ନ ମୁହଁ ଦୁଃଖଯନ୍ତ୍ରଣାରେ ସିଝିସିଝି ଝାଉଁଳି ପଡ଼ିଛି । କଳା ଦିଶୁଛି-। ଆଖିରେ ନାହିଁ ଚଞ୍ଚଳତା, ହରଷର ଉଜ୍ଜ୍ୱଳ ଆଭା । ଓଠରେ ନାହିଁ ହସର ଲହରୀ ଧାରା-। ସବୁ ଶିରୀ, ସବୁ ସମ୍ପଦ ତା’ର ଚୋରି କରି ନେଇ ଚାଲି ଯାଇଛି ସେଇ ନିଷ୍ଠୁର ଅଦୃଷ୍ଟ ତା’ର ମୁହଁରୁ-। ସବୁ ମଇଳା କୋତରା ପିନ୍ଧାଇ, ତା’ର ମୁଣ୍ଡ ବାଳକୁ ଫୁରୁଫୁରୁ କରି, ଭୋକ ଉପାସରେ ଶୁଖେଇ ତାକୁ ଆଜି ନିହାତି ଦୀନଭାବେ ଠିଆ କରେଇ ସମସ୍ତଙ୍କର ଉପହାସର ପାତ୍ରରୂପେ ପ୍ରମାଣିତ କରୁଛି ।

 

ଚାରିଆଡ଼େ ଦିଶୁଛି ସେ !

 

ଆଃ...କି କରୁଣଭାବେ ସେ ଯେ ଠିଆ ନ ହୋଇଛି ! କି କରୁଣଭାବେ ଯେ ସେ ଜୁଳୁଜୁଳୁ କରି ହା-ହୁତାଶମୟ ଦୁନିଆକୁ ଚାହୁଁଛି !

 

ସମସ୍ତଙ୍କ ମୁହଁରେ ଆଜି ଭାଷା, ସମସ୍ତଙ୍କ ମୁହଁରେ ଆଜି ସଙ୍ଗୀତ; ଅଥଚ ତା’ର ମୁହଁରେ ପଦୁଟିଏ ଭାଷା ମଧ୍ୟ ନାହିଁ । ସେ ଆଜି ନିର୍ବାକ । ସେ ଆଜି ମୂକ ।

 

ସମସ୍ତଙ୍କ ମନରେ ଆଜି ସ୍ୱପ୍ନ । ସମସ୍ତଙ୍କ ମନରେ ଉଦ୍ଦାମ କର୍ମ ପ୍ରେରଣାର ଘୋର ହଇଚଇ । ଉତ୍ସାହର ପ୍ରମତ୍ତ ସାଗର ଘୁଘୁ ଗର୍ଜନ କରୁଛି । ମାତ୍ର ତା’ ମନରୁ; ଆହା..., ସବୁତକ ସ୍ୱପ୍ନ ଆଜି ଯେମିତି କିଏ ହରଣ କରି ନେଇ ଚାଲିଯାଇଛି ! ସବୁତକ କର୍ମ ପ୍ରେରଣା କିଏ ଯେମିତି ଚୋରେଇ ନେଇଛି । ସେଠି ଉତ୍ସାହର ପ୍ରମତ୍ତ ସାଗର ଘୁଘୁ ଗର୍ଜନ କରୁନି । ନିସ୍ତରଙ୍ଗ । ସାଗର ନିସ୍ତରଙ୍ଗ କହିଲେ ଭୁଲ୍ ନିଶ୍ଚୟ ହବ । ତା’ ମନରେ ଆଉ ସାଗର ନାହିଁ । ବୋଧହୁଏ ସେଇ ରୁକ୍ଷ, ଲକ୍ଷ୍ମୀଛଡ଼ା ଖାଁ ଖାଁ ମରୁଭୂମି ନିଃସଙ୍ଗତା, ନିଷ୍ପ୍ରାଣତା, ଉତ୍ତପ୍ତତା ତା’ର ମନକୁ ସମ୍ପୂର୍ଣ୍ଣଭାବେ, ତୁମୁଳଭାବେ, ଶୋଚନୀୟଭାବେ ପରାଭୂତ କରିଦେଇଛି । ମହାସ୍ଥବିର କରିଦେଇଛି ।

 

ଚାରିଆଡ଼େ ଦିଶୁଛି ସେ ।

 

ହଠାତ ଯେମିତି ଗୋଟିଏ ମାଗାଜିନ୍‌ କାହୁଁ ପିଟି ହେଇ ଯାଉଛି ତା’ ମୁହଁରେ । ମାଗାଜିନ୍‌ଟା ଛିନ୍‌ଛତର ହେଇ ଫିଟିପଡ଼ୁଛି । ମାଗାଜିନ୍‌ର ପୃଷ୍ଠାମାନ ଖୋଲି ଯାଇ କାଗଜ ଗୋଟାଳି ହୋଇ ଅଜାଡ଼ି ପଡ଼ୁଛି ତା’ ମୁହଁ ଉପରେ । ତା’ ମୁହଁ ଉପରେ ମାଗାଜିନ୍‌ର କାଗଜ ବିଣ୍ଡାମାନ ଅଜାଡ଼ି ପଡ଼ୁଛି । ଚାରିଆଡ଼ୁ ଘୃଣା ଉପହାସ, ଚାରିଆଡ଼ୁ ଅନାସ୍ଥା ବାକ୍ୟ, ଗାଳି ତା’ ଉପରେ ଢାଳି ହୋଇ ଯାଉଛି । ସେ କଲବଲ ହେଇ କଷ୍ଟ ସହି ନ ପାରି ତା’ର ମୁହଁକୁ ଦୁଇ ହାତରେ ଢାଙ୍କି ପକାଉଛି । କିନ୍ତୁ ସେଇ କାଗଜ ଗୋଟାଳିମାନ ଟେକା ପରି ତା’ ମୁହଁରେ ବାଡ଼େଇ ହୋଇଯାଉଛି ।

 

କ’ଣ କରିବ ସେ ?

 

ସେ ଦୁନିଆର ଏକୋଣରୁ ସେ କୋଣ ଧାଉଁଛି । ଏ ପ୍ରାନ୍ତରୁ ସେ ପ୍ରାନ୍ତ ଧାଉଁଛି । ରାଜପଥ, ଗଳି, ଉପଗଳି ଚାରିଆଡ଼େ ଧାଇଁବାରେ ଲାଗିଛି । ବିକଳ ଦୌଡ଼ା, ଅସହାୟ ଦୌଡ଼ା, ଅସମ୍ଭବ ଝାଳ-ନାଳବୁହା ଦଉଡ଼ । ରଖ ମତେ ! ରଖ ମତେ ! କିଏ ଅଛ ସାହାଯ୍ୟ କର ! କିନ୍ତୁ କେହି ନାହିଁ । ସମସ୍ତେ ଯେମିତି ତା’ ଉପରକୁ କାଗଜ ଗୋଟାଳି ଫୋପାଡ଼ିବାରେ ଲାଗିଛନ୍ତି । ଅସଂଖ୍ୟ ଅସଂଖ୍ୟ ମାଗାଜିନ୍‌ ତା’ ଉପରକୁ ଫୋପାଡ଼ୁଛନ୍ତି ।

 

ଫୁଲର ବର୍ଷା ନୁହେଁ । କେବଳ ନିନ୍ଦା–ନିନ୍ଦା । ଗାଳି । ମୂର୍ଖ, ଛତରା । କୁଳାଙ୍ଗାର ।

କୁଆଡ଼େ ଯିବ ସେ ?

ଆହା..., ସେ ଥକିଗଲାଣି । ସେ ରହିଗଲାଣି । ଧାଇଁବାକୁ ତା’ର ଗୋଡ଼ରେ ଆଉ ଜୋର୍ ନାହିଁ । ତା’ର ନିଃଶ୍ୱାସପ୍ରଶ୍ୱାସ ଛୁଟିଗଲାଣି । ସେ ଯେ ଧାଇଁ ପାରୁନି, ଧାଇଁ ପାରୁନି ! ସେ ପଡ଼ିଗଲାଣି । ସେ ରାସ୍ତାରେ ଚାରିକାତ ମେଲି ମୁହଁ ମାଡ଼ି ପଡ଼ିଗଲାଣି ।

ନା-ନା, ତାକୁ ଆଉ କିଏ କିଛି କହନା । ତାକୁ ଗାଳି ଆଉ ଦିଅନା । ତାକୁ ଆଉ ଉପହାସ କରନା ! ମାଗାଜିନ୍‌ ଫୋପାଡ଼ନା ।

ସେ ତ ପୁଅ ମୋରି । ସେ ତ ସବୁ ମୋର । ସେତ ସଂସାର ମୋର ।

ତୁ କୋଉଠି ଅଛୁରେ ପୁଅ ! ମୁଁ ତତେ ଡାକୁଛି । ତୋରି ବାପା । ମୋ କୋଳକୁ ତୁ ଫେରିଆ ।

ସେ ରେଳଲାଇନ୍‌ କଡ଼ରେ ପାଗଳଙ୍କ ପରି ଠିଆ ହେଇଛି ! ରେଳଲାଇନ୍‌–ରେଳଲାଇନ୍‌ ! ସେ ସେଇ ଲାଇନ୍‌ ପାଖରେ ଠିଆ ହେଇ ଟ୍ରେନ୍‌କୁ ଅପେକ୍ଷା କରିଛି । ଟ୍ରେନ୍‌ ଆସିବ । ଟ୍ରେନ୍‌ ଘୁଘୁ ହେଇ ଆସିବ । ବିଲ, କାନ୍ତାର ଚମକାଇ ମାଡ଼ିଆସିବ । ଗୋରୁଗାଈ, ଚଢ଼େଇ ଚିଲଙ୍କୁ ତ୍ରସ୍ତ କରି ମାତାଲ ହେଇ ଗର୍ଜନ କରି ଧାଇଁ ଆସିବ, ଆଉ ତା’ପରେ.... ?

ତା’ପରେ... ? ନା..., ସେ କଥାକୁ ତ ଭାବି ହଉନି । ଓଃ... !

ସେ ନଦୀକୂଳ ବନ୍ଧ ଉପରେ ନିରାଶ୍ରୟଙ୍କ ପରି ଠିଆ ହେଇଛି । ଅଥଳ ନଦୀ । କଳା ପାଣି । ଘୁମର ଗଣ୍ଡ । ଭଉଁରୀ ଖାଉଛି । ପାଣି ଛିନ୍‍ଛତର ହୋଇ ଯାଉଛି । ଗୁବ୍‌ଗୁବ୍‌ ହଉଛି । ପାଣି ତଳକୁ ପଶି ଯାଉଛି, ଉପରକୁ ଉଠି ଯାଉଛି । ଗର୍ଜନ କରୁଛି । ଦି’ଭାଗ ହେଇ ଯାଇଛି । ପୁଣି ଦି’ଭାଗରୁ ଚାରିଭାଗ, ଚାରିଭାଗରୁ ପୁଣି କେତେ ଭାଗ ହେଇ ଯାଉଛି । କେତେ ଭାଗ ପୁଣି ଏକାକାର ହେଇ ଯାଉଛି । ପଶିଯାଉଛି ତଳ ଗଭୀରକୁ । ଛୋଟଛୋଟ ଅଥଚ ଚଞ୍ଚଳ ଲହରୀ ଖେଳାଉଛି । ଭଉଁରୀ । ବଡ଼ ଗଭୀର ଭଉଁରୀ । ସେଇ ଭଉଁରୀର ମଝିକୁ ସେ ଶୂନ୍ୟ ଆଖିରେ ଚାହିଁଛି । ସେ ଯଦି... ?

ଓଃ...ନା ! ତା’ ହୋଇପାରେନା !

ଗଛଟାଏ । ପାଖରେ ଆଉ ଗଛ ନାହିଁ । ମାଇଲ୍‌ମାଇଲ୍‌ ଧରି ଗଛ ନାହିଁ । ମାଇଲ୍‍ମାଇଲ୍‌ ଧରି ଘରଟାଏବି ନାହିଁ । ଲୋକଟାଏବି ନାହିଁ । କେବଳ ଏକା ଗଛଟାଏ । ଏଇ ମାଇଲ୍‌ମାଇଲ୍‌ ନିଶୂନ ନିର୍ଜନ ବିସ୍ତୃତି ଭିତରେ ଏକାକୀ ଠିଆ ହେଇଛି ଅଭିଶପ୍ତଟି ପରି । ଡାଳସାରା ପତ୍ର ନାଇଁ । ପୁରୁଣା ଥୁଣ୍ଟା ଗଛ । ସେଇ ଥୁଣ୍ଟା ଡାଳ ଉପରେ ବାଟଭୁଲା ଶାଗୁଣାଟାଏ ଉପର ଡାଳରେ ବସିଛି ଗୋଟାଏ ବୀଭତ୍ସ ପ୍ରେତ ପରି, ଆଉ ତଳକୁ ଚାହୁଁଛି । ତଳେ ଠିଆ ହେଇଛି ସେ ! ପୁଅ ! ଉଦ୍‌ଭ୍ରାନ୍ତ ପରି ହାତରେ ଦଉଡ଼ିଟାଏ ଧରି ଚାରିଆଡ଼େ ଛନଛନ ଆଖିରେ ଚାହୁଁଛି । ଗଛ ଉପରକୁ ଚାହୁଁଛି । ଗଛ ଉପରକୁ ଦଉଡ଼ି ନେଇ ସେ କ’ଣ ଏଇ ବର୍ତ୍ତମାନ ଚଢ଼ିବାକୁ ଲାଗିବ ! ସେ ହତଭାଗାଟା କ’ଣ ଗଛରେ ଚଢ଼ି.... ?

ଓଃ...ଭଗବାନ୍‌... ! ତା’ ବିନା ମୁଁ ମରିଯିବି ।

 

ସେ ଫୁଟ୍‌ପାଥ୍‌ ଉପରେ ଲାଇଟପୋଷ୍ଟ ଆଉଜି ବସିଛି । ପାଖରେ ଗୋଟାଏ ଡଷ୍ଟବିନ୍ । ଆଗରେ ଗୋଟାଏ ଲୋମ ଉଠା, ଚମଛଡ଼ା ବୁଢ଼ୀ କୁତ୍ତୀ ଲାଙ୍ଗୁଡ଼ ହଲାଇ ତାକୁ ଚାହିଁ ଠିଆ ହେଇଛି-। କିନ୍ତୁ ସେ କୁତ୍ତୀକୁ ଚାହୁଁନି । ଦି’ଆଣ୍ଠୁ ଭିତରେ ମୁହଁକୁ ଭାଙ୍ଗି ବସିଛି । ବହଳ ଧୂଳି ଆଣ୍ଠୁ ଯାଏଁ ବସିଯାଇଛି । ଆଖିତଳେ କଳାଦାଗ । ଗାଲ ପଶିଯାଇଛି । ସେ ପକେଟରେ ହାତ ପୂରାଇଲା-। କିଛି ସମୟପରେ ପକେଟରୁ ବାହାରିଲା ଶିଶିଟାଏ । ଶିଶିଟା ଭିତରେ କଳା ଓଷଦ ରହିଛି-। ବିଷ-! ବିଷ ଶିଶି.... !

 

ନା...ନା...ନା... !

 

ବାବୁରେ... !

 

ମୋର ହୃଦୟ ପଞ୍ଜୁରୀକୁ ଶୂନ୍ୟ କରି ତୁ କାହିଁ ଯା’ନାରେ ବାବୁ ! ଆମକୁ ଲୁହସାଗରରେ ଭସାଇ ତୁ କାହିଁ ଯା’ନାରେ ! ତୁ କ’ଣ ସତେ ଆଉ ତୋର ନିଷ୍ଠୁର ବାପ ମୁହଁକୁ ଦେଖିବାକୁ ଫେରିବୁ ନାହିଁ ? ମତେ ବାପା ବୋଲି ଡାକିବାକୁ ତତେ କ’ଣ ସତେ ଲାଜ ଲାଗୁଛିରେ ପୁଅ ? ଆଉ ସତେ କ’ଣ ମୁଁ ତୋର ସେଇ ମଧୁର ବାପା ଡାକ ଶୁଣି ମୋର ହୃଦୟର ସବୁ ଦୁଃଖ-ସନ୍ତାପକୁ ଶୀତଳ କରିପାରିବି ନାହିଁ !

 

ନା-ନା, ତୁ ଯୋଉଠି ଅଛୁ ଫେରି ଆରେ–ଫେରିଆ ! ସବୁଦିନ ପରି ଆଜି ମଧ୍ୟ ମୋର ଛାତି ଖାଲି ରହିଛି, ସେଇ ଛାତିରେ ଚାପି ଧରି ରାଶିରାଶି ଲୁହରେ ତତେ ଧୋଇ ଦେଇ ମୋର ମନର ସବୁ ଦୁଃଖ, ସବୁ କଷ୍ଟକୁ ଲିଭାଇ ଦେବି ।

 

ମୁଁ ପାଗଳ ହେଇଯିବି । ମୁଁ ପାଗଳ ହେଇଯିବି । ହଁ, ମୁଁ ବିଲ୍‍କୁଲ୍‌ ପାଗଳ ହେଇଯିବି ।

 

ଘରର କାନ୍ଥ-ବାଡ଼ ମତେ ଯେମିତି ଉପହାସ କରୁଛନ୍ତି । ଘରର ଚାକର-ପୂଜାରୀ ଦେଖି ଯେପରି ମୁରୁକିହସି ଠରାଠରି ହଉଛନ୍ତି । ତା’ର ବହି, ତା’ର ଖାତା, ତା’ର ରହି ଯାଇଥିବା ଲୁଗାପଟା ମତେ ଯେପରି ତାଚ୍ଛଲ୍ୟରେ ଚାହିଁ ରହିଛନ୍ତି ।

 

ଆଉ ଶେଷରେ–ଶେଷରେ ମୋର ଡ୍ରଇଂରୁମରେ ତା’ର ଟଙ୍ଗା ହେଇଥିବା ବଡ଼ଫଟୋଟି ମତେ ଦେଖି ଯେପରି ଠୋଠୋ ହସୁଛି । ଠୋଠୋ ହସ ।

 

ଓଃ... ! ମୁଁ ଦୋଷୀ ! ମୁଁ ଦୋଷୀ !

 

ମଣିଷର ସ୍ୱପ୍ନ, ମଣିଷର ଯେଉଁ ସ୍ୱପ୍ନକୁ ଫଳପ୍ରସୂ କରିବାପାଇଁ ଦିନଦିନ ଧରି ଆଶାୟୀ ଆଖିରେ ଚାହିଁ ରହିଥାଏ, ସେ ସ୍ୱପ୍ନ, ତାକୁ ଯାହା ଆପାଦମସ୍ତକ ଡୁବାଇ କାବୁ କରି ରଖିଥାଏ, ଏବଂ ସେ ସ୍ୱପ୍ନର ସୁନେଲି ଭବିଷ୍ୟତ୍ ପାଇଁ ସେ ଯଦି ଅଧୀର, ଅଥୟ ହେଉଥାଏ, କିନ୍ତୁ ସେ ସ୍ୱପ୍ନର ସୌଧ ଯେତେବେଳେ ମିଛ ବାଲିଘର ପରି ଭୁଶୁଡ଼ି ପଡ଼େ, ସେତେବେଳେ ସେ ସେହି ଅସାର ସ୍ୱପ୍ନରେ ଏହି ଶୋଚନୀୟ ପରିଣତିରେ ମୁଣ୍ଡ କୋଡ଼ି କାନ୍ଦେ ।

 

ହଁ, ମୋର ସେଇ ଅବସ୍ଥା, ମୋ ପୁଅ ଓକିଲ ହୋଇ ପାରିଲାନି ଅଥଚ ରାତିଅଧରେ ଲୁଚି ଘରୁ ପଳାଇଗଲା ।

 

ଖବରକାଗଜରେ ତା’ର ଚାଲିଯାଇଥିବା କଥା ପ୍ରକାଶ କଲି । ବୋଉ ଅନ୍ନଜଳ ତ୍ୟାଗ କରି ମୁମୂର୍ଷୁ ପ୍ରାୟ, ଯେଉଁଠି ଅଛୁ ଚାଲି ଆସ । ଥାନାରେ ଏତଲା ଦେଲି–ପୁଅ ହଜିଛି ।

 

କିନ୍ତୁ କେଉଁଥିରେ କିଛି ଲାଭ ହେଲାନି । କେଉଁଠାରୁ କିଛି ଖବର ମିଳିଲାନି । ସମସ୍ତେ ଯେପରି ଆମ କାନ୍ଦ ଶୁଣିବାକୁ ନାରାଜ । ସମସ୍ତେ ଯେଭଳି ଆମପାଇଁ ବଧିର ।

 

ଘର ଆମର ଆକୁଳ କାନ୍ଦଣାରେ ଥରି ଉଠୁଛି । ତା’ ବୋଉ ସେହିପରି ଖଟଟା ଉପରେ ଦିନରାତି କାନ୍ଦୁଛି । ଆଉ ମୁଁ ମୋର ଡ୍ରଇଂରୁମ୍‌ରେ ବସି ଚୁପ୍‌ଚାପ୍‌ ଲୁହ ଗଡ଼ାଇବାରେ ଲାଗିଛି ।

 

ବନ୍ଧୁବାନ୍ଧବ ସେହି ଶୁଖିଲା ସହାନୁଭୂତି ଦେବାରେ ଲାଗିଛନ୍ତି । କିନ୍ତୁ ଏ ସହାନୁଭୂତିରେ କ’ଣ ଆମର ହଜିଲା ନିଧିକୁ ଆମେ ଫେରିପାଇବୁ ?

 

ପିଲାମାନଙ୍କୁ ନେଇ ଘର । ଆମପାଇଁ ଘର ନୁହେଁ । ଆମେ ଘରର ଶ୍ରୀବୃଦ୍ଧି କରୁନା । ସେମାନେ ଘରର ଶ୍ରୀ ବର୍ଦ୍ଧନ କରନ୍ତି । ସେମାନେ ଘରକୁ ଉଚ୍ଛଳ, ଚପଳ, ଛନ୍ଦମଧୁର କରନ୍ତି । ଗୀତିମୟ କରନ୍ତି । ତାଙ୍କର ମୁହଁର ହସରେ ସଂସାରର ଜଞ୍ଜାଳମୟ ପୀଡ଼ନର କଷ୍ଟ ଲାଘବ ହୁଏ । ତାଙ୍କରିପାଇଁ ଲାଗିଯାଏ ହସ-କୌତୁକର ଅସରନ୍ତି ଧାରା । ଖେଳ–କୋଳାହଳର ଚକାଭଉଁରୀ ।

 

କିନ୍ତୁ ମୋ ଘରେ କାହିଁ ହସ କୌତୁକ ? କାହିଁ ଖେଳ–କୋଳାହଳ ? ଧାରା ନ ହେଇ ହେଲେ ବିନ୍ଦୁଟିଏ ହେଇ ସେସବୁ ଆସନ୍ତା ! କିନ୍ତୁ ମୋ ଘରେ କାନ୍ଦର ସେଇ ଅବିଶ୍ରାନ୍ତ, ଅବିରତ ତପ୍ତ ଝରଣା ବହି ଆମ ଦୁହିଁଙ୍କୁ ସନ୍ତୁଳୁଛି ।

 

କ୍ରନ୍ଦନର ଉଷ୍ଣ ପ୍ରସ୍ରବଣ ।

 

ତା’ର କେହି ଭାଇ ନଥିଲେ । ତା’ର କେହି ଭଉଣୀ ନଥିଲେ । ଉପରେ କେହି ନାହିଁ । ତଳେ ମଧ୍ୟ କେହି ନାହିଁ । ସେ ଏକ । ସେ ଏକ । ସେ ଏକ ହେଇ ଅନେକଭାବେ ଆମର ହୃଦୟକୁ ବାନ୍ଧି ରଖିଥିଲା । ସେହି ଅନେକ ବନ୍ଧନକୁ ଛିନ୍ନ କରି ସେ ଯେତେବେଳେ ଆଉ ଆମ ପାଖରେ ନାହିଁ, କାହିଁ କେଉଁଠି ଅଜ୍ଞାତବାସ କରୁଛି, ସେତେବେଳେ ସେଇ ବନ୍ଧନର ମାୟାକୁ ଆମେ ଦିନରାତି ଗୁଣି ହେଇ ଲୁହ ନ ଗଡ଼ାଇବୁ କେବିତି !

 

ମୁଁ କ’ଣ ସେଇ ହତଭାଗା ଦଶରଥ ପରି ହା’ ପୁତ୍ର–ହେଇ ଶେଷ ନିଃଶ୍ୱାସ ତ୍ୟାଗ କରିବି ?

 

ଆଉ ତା’ର ବୋଉ... ?

 

ଆଃ... ବିଚାରୀକୁ ଏ ବୟସରେ ମୁଁ ଯେ କାହିଁକି କଷ୍ଟ ଦେଲି !

 

ଖବରକାଗଜରେ ବାରମ୍ୱାର ବିଜ୍ଞାପନ ବାହାରିଛି । କିନ୍ତୁ ମୋ ପୁଅର ଖବର କିଛି ମିଳିଲାନି । ଥାନାକୁ ପ୍ରତିଦିନ ଦୌଡ଼ିଛି । କିନ୍ତୁ କେହି ତା’ର ଖବର ଦେଲେନି ।

 

ଆମ ଘରେ ରୋଷେଇ ବନ୍ଦ । ଆମ ଘରେ କାହାକୁ ଖାଇବାକୁ ଆଉ ରୁଚୁନି । ଚାକର–ପୂଜାରୀ–ଏପରି ଉପାସରେ ଆଉ ଅଧିକ ରହିବାକୁ ମନ କଲେ ନାଇଁ । ଆମର ଏପରି ଅବ୍ୟବସ୍ଥାରେ ଆମେ ମଧ୍ୟ ତାଙ୍କୁ ଆଉ ରହିବାକୁ ବାଧ୍ୟ କଲୁ ନାଇଁ–ବଳାଇଲୁ ନାଇଁ । ଆମ ଦୁଃଖରେ ସେମାନେ ଯେ ସମଦୁଃଖୀ ହେବେ, ଏପରି ଭାବିବା ଆମର ଅଯୌକ୍ତିକ ।

 

ଦିନେ ମୁଁ ଗୋଟାଏ ଚିଠି ପାଇଲି । ଚିଠିରେ ଠିକଣାର ଅକ୍ଷର ଦେଖି ମୋର ହାତ ଥରିବାକୁ ଉଠିଲା ଅତିଶୟ ଖୁସିରେ । ଚିଠିକୁ ତରତର ହୋଇ ଚିରି ପକାଇବାକୁ ବେଳ ଅଣ୍ଟିଲା ନାହିଁ । ହଇହୋ ଶୁଭୁଛି...

 

।। ୫ ।।

 

ଓହୋ ! ଶୁଭିଛି !

 

କିଏ... ? ଆରେ ତୁ ! ହସି ପକାଇଇି ।

 

ମୋ ନାତୁଣୀବୋହୂଟା ଟିକେ ଦୁଷ୍ଟ ଅଛି । ଟିକେ ଡବଡ଼ବି ଅଛି । ଦେଖ, ତା’ର ଚାଲି ଦେଖ, ଦେଖ ସେ କେମିତି ଅଣ୍ଟା ହଲାଇ ଆସୁଛି । କେମିତି ମଦାଳସୀ ଯକ୍ଷକନ୍ୟା ପରି ଦୋହଲିଦୋହଲି ଚଟି ଘୋଷାଡ଼ି ଆସୁଛି ! ମାରି ଦିଅନ୍ତି ଏ ବାଡ଼ିଟାରେ ଯେ, ତା’ର ଅଣ୍ଟା ହଲା ଛଡ଼ାଇ ଦିଅନ୍ତି ।

 

କିନ୍ତୁ ଏ କଥା ସତ, ମୋ ନାତୁଣୀବୋହୂ ମୋର ଭାରି ଗେହ୍ଲା । ମୁଁ ତାକୁ ଆଦୌ ମାରିବିନି ।

 

କାହିଁକି ଡାକୁଛ ?

 

କିରେ, ମୁଁ ତତେ କେତେବେଳେ ଡାକିଲି ?

 

ଏଇ ଅବିକା ଯେ ।

 

ନା, ମୁଁ ଡାକିନି । ତୋର ଆଈକୁ ଡାକିଛି ।

 

ହେଇଟି ଅଜା, ବୁଢ଼ା ହେଲଣି ଆସି, ଆଈକୁ କ’ଣ ଦଣ୍ଡେ ଛାଡ଼ି ରହି ପାରୁନ ?

ମୋ ବାକ୍‌ ପ୍ରବୀଣା, ପ୍ରଗ୍‌ଳଭା ନାତୁଣୀବୋହୂର ଏପରି ଥଟ୍ଟାରେ ହସିଲି । କହିଲି–କାହିଁକି ଆସି ଏମିତି ମୋ ପାଖରେ ହଉଛୁ ? ତୋର କୃଷ୍ଣ କୁଆଡ଼େ ଗଲା କହିଲୁ ?

ମୋ କୃଷ୍ଣ ? ସେ ହସିପକାଇଲା–ଅଜା, ଗୋଟିଏ କଥା କହିବି ? ଅସମ୍ଭବଭାବେ ଗେହ୍ଲେଇ ହେଇ ମୋର ଚନ୍ଦା ମୁଣ୍ଡରେ ତା’ର କଅଁଳ ହାତକୁ ଖେଳାଇ ସେ ମୋତେ ପଚାରିଲା ।

ହଁ, କହ । ତୋର ସବୁ କଥା ଶୁଣିବାକୁ ଏ କିଣାକିଙ୍କର ସଦାବେଳେ ହାଜିର ।

ମୋ କୃଷ୍ଣ ? ମୋ କୃଷ୍ଣ ତ ତମେ ! ହସିହସି ସେ କହିଲା ।

ମରିଗଲି ।

କ’ଣ ମୁଁ ଆଈଠାରୁ ଭଲ ଦିଶୁନି ଅଜା ?

ବଡ଼ ଦୁଷ୍ଟ ହେଲୁଣି । ଦେଖିବୁ ଥଟ୍ଟା ଛଡ଼ାଇ ଦେବି ? ଠୋଠୋ ହସି କହିଲି ।

ହେଇଟି ଅଜା, ତମେ ଗୋଟିଏ କାମ କର ।

କି କାମ ?

ତୁମେ ଏଇ ଷ୍ଟୋରୀ, ନଭେଲ୍‌ ଲେଖା ଛାଡ଼ିଦିଅ ।

କାହିଁକି ?

ଲୋଭ ହେଉଛି ।

କ’ଣ ଏଇ ନଭେଲ୍, ଷ୍ଟୋରୀକୁ ତୋର ଲୋଭ ହଉଛି ? ଆରେ, କେବଳ ତୋରି ପଢ଼ିବାପାଇଁ ତ ଏ ବୁଢ଼ା ବୟସରେ ମୁଁ ଲେଖୁଛି ।

ହାତକୁ ମୋ ମୁହଁ ପାଖରେ ହଲାଇ ସେ କହିଲା–ତମେ କ’ଣ ବୁଝିଲ ? ବୁଝିଲ ଛେନାଗୁଡ଼ !

ନିର୍ବୋଧଟି ପରି ମୋ ନାତି ଟୋକାର ମେମ୍ ମୁହଁକୁ ଚାହିଁଲି । କ’ଣ ଗୁଡ଼ାଏ ପାଗଳୀଟା ବକୁଛି !

ମୋ କାନକୁ ସଲସଲ କରି ସେ କହିଲା–ତୁମ ଷ୍ଟୋରୀ ବା ନଭେଲ୍‍କୁ ମୋର ଲୋଭ ନାଇଁ । ଲୋଭ ହଉଛି ତୁମକୁ ।

ମତେ ! ହାଃ...ହାଃ...ହାଃ...

ତୁମ ନାତି ଟୋକାଙ୍କୁ ବାହା ନ ହେଇ ମୁଁ ଯଦି ତୁମକୁ ବାହା ହେଇଥାନ୍ତି, ତେବେ ମୋ ରାଣ ଅଜା, ସତ କହୁଛି ମୁଁ ଆଦୌ ବୋଲି ନ ଥାନ୍ତି–ମୈ କ୍ୟା କରୁ ରାମ ମୁଝେ ବୁଡ଼୍‌ଢା ମିଲ୍‌ ଗୟା-

ହୋହୋ ହେଇ ହସିଉଠିଲି । ଖୁସିରେ ତାକୁ କୁଣ୍ଢାଇ ପକାଇଲି । କିନ୍ତୁ ସେ ଚଟ୍ କରି ମୋ ହାତରୁ ଖସି ଯାଇ ଅଦ୍ଭୁତ ଭଙ୍ଗୀରେ ଠିଆହେଲା ।

 

ମୋରି ନାତୁଣୀବୋହୂ ଯାହାର ବୟସ ଜମାରୁ କୋଡ଼ିଏ ହବ, ସେ ମୋପରି ଏକ ସତୁରିବର୍ଷର ବୁଢ଼ା ସାଥିରେ ଥଟ୍ଟା ଖେଳୁଛି, ବୁଲେଇ କଥା କହୁଛି ।

 

ମୁଁ ବୁଢ଼ାଟିଏ । ଏଇ ବର୍ଷ ପଞ୍ଚସ୍ତରି ହେଲା । ଚମ ସବୁ ଧୋଡ଼କା–ଶିଥିଳ ହୋଇଗଲାଣି-। ଦେହରୁ ବଳ ଖସିଆସିଲାଣି । ଘଡ଼ିଏ ଏକା ଜାଗାରେ ବସିଲେ ଅଣ୍ଟା ବିନ୍ଧୁଛି-। ମେରୁଦଣ୍ଡଟାସାରା କଟ୍‍କଟ୍ ହଉଛି । ଏଇଥିପାଇଁ ଯେତେବେଳେ ଲେଖାଲେଖି କରେ, ସେତେବେଳେ ଚଉକି, ଟେବୁଲର ସାହାଯ୍ୟ ନ ନେଇ ପେଟତଳେ ତକିଆ ଦେଇ ଲେଖେ-। ସମସ୍ତେ କହୁଛନ୍ତି ବିଶ୍ରାମ ନିଅ, ଲେଖାଲେଖି ବିଶେଷ କର ନାହିଁ । ଶରୀର ଭାଙ୍ଗି ପଡ଼ିବ-। କିନ୍ତୁ ଏ ସବୁ କି ବୋକାମି ? କହିଲ, ଲେଖକ କ’ଣ କେବେ କଲମ ଛାଡ଼ିପାରେ ? ଯୋଉଦିନ କଲମ ଛାଡ଼ିବି, ସେଇଦିନ ତ ମରିବି । ଘୃଣ୍ୟ ମରଣ । କଲମ ମୋର ସାଥୀ ! ମୁଁ ତାକୁହିଁ ବିବାହ କରିଛି-। ମୁଁ ସମସ୍ତଙ୍କୁ ଛାଡ଼ିପାରେ, ମୋର ସ୍ତ୍ରୀ, ମୋର ପିଲା, ମୋର କୁଟୁମ୍ବ । ହେଲେ ମୋର କଲମକୁ ତ ମୁଁ ଛାଡ଼ି ପାରିବିନି । କିମ୍ବଦନ୍ତୀ ଅଛି–ପଦ ପୂରଣ ନ କଲେ କାଳିଦାସଙ୍କର ଛାତି ଫାଟିଯିବାର ଭୟ ଥିଲା । ଏ ସବୁ ବାଜେ କଥା । ଯେ ଲେଖକ, ସେ ଏ କଥାର ମହତ୍ତ୍ଵ ଭଲଭାବେ ଜାଣେ-। ମୁଁ ଭାବୁଛି କାଳିଦାସ କେବଳ ଏକାକୀ ନୁହନ୍ତି, ସବୁ ଲେଖକ, ସବୁ କବି ଯଦି ପଦପୂରଣ ନ କରନ୍ତି, ତାହାହେଲେ ପ୍ରକୃତରେହିଁ ଛାତି ଫାଟିଯିବ । ସ୍ଵତଃସ୍ଫୂର୍ତ୍ତ ଆବେଗର ଝଲକକୁ ରୋକିବ କିଏ-?

 

ପେଟରେ ଯେତେବେଳେ ପେଟ କଥା ଭରିଯାଏ, ସେତେବେଳେ କିଛି କହିବାକୁ ପାଟି ଖଜବଜ ହୁଏ । ସେହିପରି ଲେଖକର ଯେତେବେଳେ କିଛି କହିବାକୁ ଇଚ୍ଛା ହୁଏ, ସେ ଯେତେବେଳେ କଲମ ଧରେ । ଲେଖକ ହେଇ କଲମ ନ ଧରିବା ଅର୍ଥ ଦୁଙ୍ଗା, ବୋବା ସହିତ ସମାନ ହବା ।

 

ଭଗବାନ୍ ଏଥିପାଇଁ ମୋର ଦୁଃଖ ବୁଝିଛନ୍ତି । ଏତେ ବୁଢ଼ା ହେଲିଣି ଆସି; କିନ୍ତୁ ହାତ ମୋର ଥରିନି । ହାତ ଥରିବା ଅର୍ଥ ଧାଡ଼ିଟିଏ ଲେଖିହବନି । ଏସବୁ କିନ୍ତୁ ନିହାତି ଅସୁବିଧା କଥା । ଯେଉଁଦିନ ଭାବୁଛି, ଅଳ୍ପଦିନ ରହିଲା ହାତ ଥରିବାକୁ, ସେଇଦିନ ମୋ ଆଖିରେ ଅନ୍ଧାର ଘୋଟିଯାଉଛି । ମୋ କଲମକୁ ଛାଡ଼ି ସତେ ମୁଁ ବଞ୍ଚିବି କେମିତି ? ବଞ୍ଚିବି କେମିତି ?

 

କଲମ ମୋର ଗର୍ବ । କଲମ ମୋର ମଥା ଉପରକୁ ଟେକିଛି । କେବଳ ମୋର ନୁହେଁ, ଏ ପୃଥିବୀର ସମସ୍ତ ଲେଖକଙ୍କର, କବିଙ୍କର । ଆମେ ରଜାଠାରୁ ବଡ଼, ଆମେ ସମ୍ରାଟଠାରୁ ବଡ଼ । ଆମରି ବହିକୁ ଛାତି ଉପରେ ରଖି ଲକ୍ଷ ପାଠକ ଆନନ୍ଦରେ ଅଧୀର ହୁଅନ୍ତି । ଦୁଃଖରେ କାତର ହୁଅନ୍ତି । ଏକା ସାଙ୍ଗେ । ଆମଛଡ଼ା ଏତେ ଲୋକଙ୍କୁ କିଏ ଏକା ସାଙ୍ଗେ, ଏକା ସାଥିରେ ହସାଇ ପାରିବ ? କିଏ ଏକା ସାଥିରେ କନ୍ଦାଇ ପାରିବ ? ଆମେ ତ ଓଠରୁ ଝରାଉ ସଭିଙ୍କ ମୁହଁରେ ହସ । ଆମେ ତ ଚଳାଉ ଶାଣିତ ଛୁରିର ଦାଗ ସମସ୍ତଙ୍କର ନିଭୃତତମ ହୃଦୟ ପରଦାରେ–ସଭିଙ୍କ ଆଖିରୁ ଝରାଉ ଲୁହ । ଆମେ ଗଛରେ ଫୁଟାଉ ଫୁଲ, କଙ୍କାଳକୁ ନବଜନ୍ମ ଦଉ । ଆମେ ତ ବିଶ୍ଵକର୍ମା ଏ ଧୂଳି ଧରଣୀର । ପାଷାଣକୁ ପାଣିକରୁ । ପାଣିକୁ ପାଷାଣ କରୁ ।

 

ଏ ପୃଥିବୀର ସବୁ ରାଜ୍ୟ ଯଦି ଗୋଟାଏ ହୋଇଯାଆନ୍ତି–ମିଶି ଏକ ହୋଇଯାଆନ୍ତା, ଆଉ ଏଇ ପୃଥିବୀ ଉପରେ ରାଜୁତି କରନ୍ତା ଗୋଟାଏ ପ୍ରବଳ ପରାକ୍ରମୀ, ଦୁର୍ଦ୍ଦାନ୍ତ, ଦୁର୍ଦ୍ଦମନୀୟ ରଜା, ସେ କ’ଣ ପ୍ରକୃତରେ ଏତେ ବଡ଼ ସାହସ କରିପାରନ୍ତା, ତା’ର ମନର ଭାଷା ସମସ୍ତଙ୍କୁ କହି ଅଗଣିତ ଜନତାକୁ ହସାଇବା ପାଇଁ, କନ୍ଦାଇବା ପାଇଁ ? ଏକା ସାଙ୍ଗେ–ଏକାସାଙ୍ଗେ ?

ଆରେ ନା-ନା-ନା.....

ଏ ସାହସ ତା’ର କାହୁଁ ବା ଆସିବ ?

ସେ ହୁଏତ ଜଣକୁ କନ୍ଦାଇପାରେ, ଜଣକୁ ହସାଇପାରେ । ସଭିଙ୍କୁ ଏକାସାଥିରେ ହସାଇବ, କନ୍ଦାଇବ କିପରି ?

ସେ ତ କାହା ମନ ବୁଝେ ନାଇଁ । କିନ୍ତୁ ଆମେ ସବୁରି ମନକୁ ବୁଝୁ । ବାଦ୍ୟଯନ୍ତ୍ରରେ ନିର୍ଦ୍ଦିଷ୍ଟ ପରଦାରେ ଆଙ୍ଗୁଠି ମାରିଲେ ଯେପରି ନିର୍ଦ୍ଦିଷ୍ଟ ସ୍ଵର ଝନତକାର କରେ, ଆମେ ସେହିପରି ଜାଣୁ ଗୋପନ ହୃଦୟ କଥା । ଆମେ ଜାଣୁ ହୃଦୟର କେଉଁ ପରଦାରେ କେଉଁ ସ୍ଥାନରେ ଆଘାତ କଲେ କି ଭାବର ସଞ୍ଚାର କି ସ୍ଵରର ଅନୁରଣନରେ ହୃଦୟ ଅଙ୍ଗନରେ କମ୍ପନ ଖେଳେ । ଅନୁଗୁଞ୍ଜନର ମଞ୍ଜିର ସୃଷ୍ଟିକରେ ଶତ ସ୍ଵରଲିପିର ଜାଦୁକାରୀ ମାୟା ।

ଏ ସବୁ କ’ଣ ରାଜା କରିପାରେ !

ଲେଖକ ଯିଏ, ସେ ଚିରଦିନ ଲେଖକ । ଯିଏ ବର୍ଷପାଇଁ, ଦି’ବର୍ଷପାଇଁ, କିଛିଦିନ ପାଇଁ ଲେଖୁଥିଲା, କିନ୍ତୁ ପରିସ୍ଥିତିର ଚାପରେ, ଜଞ୍ଜାଳର ତାଡ଼ନାରେ କଲମ ଛାଡ଼ିଦେଲା, ସେ ଲେଖକ ନୁହେଁ, ଏ କଥା ସତ । ତାକୁ ଲେଖକ କହିବା ଅର୍ଥ ଲେଖକ ଶବ୍ଦର ଅପଳାପ କରିବା । ଅମର୍ଯ୍ୟାଦା କରିବା ।

ମୋପାଇଁ କିନ୍ତୁ ପରିସ୍ଥିତି ବୋଝ ହେଇ ଦେଖାଦେଇନି, ଜଞ୍ଜାଳ ମୋତେ ମାଡ଼ିବସିନି । ଲେଖିବାପାଇଁ ମୁଁ କେବେ ପରିସ୍ଥିତିକୁ ଦୋଷ ଦେଇନି । ଜଞ୍ଜାଳକୁ ଗାଳି ଦେଇନି । ଦୁଗ୍ଧଫେନନିଭ ତୂଳିତଳ୍ପ ଶଯ୍ୟା ମୋପାଇଁ ଯେତିକି ବିଭୀଷିକାମୟ, ରକ୍ତହୋରି ଖେଳା ସମର ପ୍ରାଙ୍ଗଣ ମଧ୍ୟ ସେତିକି । ସୁଦିନରେ ମୁଁ ଯେ ଲେଖିଛି ସେ କଥା ନୁହେଁ, ଜୀବନର ଘୋର ଦୁର୍ଦ୍ଦିନରେ ମଧ୍ୟ ଗୋଟାଏ ହାତରେ ଆଖିରୁ ଲୁହ ପୋଛି, ଅନ୍ୟ ହାତରେ କଲମ ଧରିଛି ।

ମୁଁ ଭଲ ଲେଖକ ନୁହେଁ । ସାହିତ୍ୟର ମୁଁ କିନ୍ତୁ ଜଣେ ଭଲ ପୂଜାରୀ । ଏ କଥା କହିବାକୁ ମୋର ସାହସ ଯଥେଷ୍ଟ ଅଛି, କାରଣ ମୋ ଲେଖାର କୃତିତ୍ଵ ଥାଉ କି ନ ଥାଉ, ମୁଁ ଏତିକି ଜାଣେ, ନିରବଚ୍ଛିନ୍ନଭାବେ ଦୀର୍ଘ ପଚାଶବର୍ଷ ଧରି ସାହିତ୍ୟ ସେବା କରୁଛି । ଏହାହିଁ ମୋର ଗର୍ବ । ମୋ ଦେଶର ସବୁ ଲେଖକଙ୍କ ଠାରୁ ମୁଁ ଖୁବ୍ ଖୁବ୍ ତଳେ ବସିଛି । ନିଜର ଲେଖାର ବ୍ୟାଖ୍ୟା କରିବାପାଇଁ ମୁଁ ମୋ ନିଜ ହାତରୁ ପଇସା ଖର୍ଚ୍ଚ କରି ମାଇକ୍ରୋଫୋନ୍ ଧରିନି । ମୋ ଉପରେ ତହୁଁ ବଡ଼, ତହୁଁ ବଡ଼ ଲେଖକମାନେ ଅଛନ୍ତି । ସମସ୍ତଙ୍କୁ ମୁଁ ଡରେ । ସମସ୍ତଙ୍କୁ ମୁଁ ଭୟ କରେ । କେବେ ନିଜେ ଆସ୍ଫାଳନ କରିବାକୁ ଚେଷ୍ଟା କରିନି । ଦୁଃସାହସ କରିନି । ମୋର ସବୁ ଲେଖକ ଭାଇଙ୍କ ପଦତଳେ ମୋର କୋଟି ଜୁହାର ।

ନମସ୍କାର ! ନମସ୍କାର !

ଏ ସବୁ ମୁଁ କ’ଣ କହୁଛି ? ଏତ ମୋ ନିଜକଥା । ମୁଁ ଯେତେବେଳେ ଏ ବହିର ପ୍ରଧାନ ଚରିତ୍ର, ମୋର ନିଜ କଥା ନିଜେ ନ କହିବି କେମିତି ?

 

ଏତ ଜୀବନ ରଙ୍ଗ କଥା ।

 

ମୋ ଜୀବନରେ ଯେଉଁ ରଙ୍ଗ ଛାଇଯାଇଛି, ଯେଉଁ ରଙ୍ଗ ଫୁଲ ଥାଟ୍‍ ମାରିଛି, ସେହି ରଙ୍ଗର ଉଚିତ ରୂପରେଖା ଯେତେବେଳେ ଦେବାକୁ ଯାଉଛି, ସେତେବେଳେ ଏସବୁ ନ କହିଲେ ମୋର ଉପାୟ ନାହିଁ ।

 

ମୋ ବୟସ ମଉଳିଯାଇଛି । ପୂରାପୂରି ମୌଳିଯାଇଛି । ଖାଲି ବାକି ଅଛି ଝଡ଼ି ପଡ଼ିବା-। ମାଟିରେ ଖସିପଡ଼ି ହଜିଯିବା । ମୃତ୍ୟୁ ବେଳେବେଳେ ଜର ରୂପରେ, କାଶ ରୂପରେ ଆସୁଛି, ଖୁବ୍ ହୋହା, ଘୋଘା କରି ମୋର ତଣ୍ଟି ଚିପିବାକୁ ଚେଷ୍ଟା କରୁଛି, ମତେ ଅଯନ୍ତ୍ରୀ କରି ମୋ ପାଟି ଚିପି, ନାକ ଚିପି ମାଟିରେ ମାଡ଼ିଦେବାକୁ ଚେଷ୍ଟା କରୁଛି । ଆଜିକୁ ଦଶବର୍ଷ ହେଲା ବାର-ବାର ଅନେକ ବାର ମୋର ଘରର ନିଜନ ମୁହୂର୍ତ୍ତରେ, ନିଶୂନ ସମୟରେ ମୁଁ ଦେଖୁଛି ଏକ କଳା, କୁତ୍ସିତ, କଦାକାର ଜାନୁଆର ମୋ ପାଖକୁ ଝପଟି ଆସୁଛି । ମୁଁ ଲେଖିଲାବେଳେ ମୋ ପାଖରେ ବସି କେତେବେଳେ ମୋ କାନ୍ଧରେ ସବାର ହେଇପଡ଼ୁଛି । ମୁଁ ଖାଇଲାବେଳେ ମୋ ପାଟିରୁ ଆଧାର ଛଡ଼େଇ ନଉଛି, ମୁଁ ଚାଲିଲାବେଳେ ମୋ ପଛେପଛେ ସେ ପାଦ ମିଳାଇ ମତେ ଅନୁସରଣ କରୁଛି, ଆଉ ମୁଁ ଶୋଇଲାବେଳେ ସେ ସତେ ଯେପରି ମୋ ଛାତିରେ ବସି ମୋର ତଣ୍ଟି ଚିପିବାକୁ ତା’ର ସଣ୍ଡୁଆସି ହାତ ମେଲାଇ ଆଣୁଛି । ଆଉ...ଆଉ...ମୋର ତଣ୍ଟିଟାକୁ ଚିପି ବସୁଛି ।

 

ମୃତ୍ୟୁ... !

ମୁଁ ଜାଣେନା, କେବେ ମୁଁ ମରିବି । ହୁଏତ ଏଇ ବର୍ତ୍ତମାନ, ଏଇ ଟିକିଏ ଗଲେ, ନଇଲେ ନାଇଁ କାଲି କିମ୍ବା ଆହୁରି ମାସେ କି ବର୍ଷେ କି ପୁଣି ଦଶବର୍ଷ କି ଆହୁରି ଦଶବର୍ଷ ପରେ, ଦଶବର୍ଷ ପରେ ମରିବି ।

ମୋର ପାଖରେ ମୋର ମୃତ୍ୟୁ ନାଇଁ ।

କିନ୍ତୁ ମୋର ଜୀବନ ମୋ ପାଖରେ ଅଛି ।

ମୋର ପ୍ରିୟ ଜୀବନ । ମୁଁ ତାହାକୁ ଭଲପାଏ । ଅତି ଭଲପାଏ । ଏଣୁ ଅନିବାର୍ଯ୍ୟ ମହା ବଜ୍ଜାତ, ମହାପାଜି ମୃତ୍ୟୁକୁ ମୁଁ ଡରେନା । ମୁଁ ଜାଣେ ମୁଁ ମରିବି । ମୁଁ ମୃତ୍ୟୁପାଇଁ ପ୍ରସ୍ତୁତ । ଏଣୁ ନିଜେ ତିଳତିଳ ହେଇ ମୃତ୍ୟୁକୁ ଡରି ଭୀରୁ ପରି ମୋ ଜୀବନର ରଙ୍ଗକୁ ଲିଭାଇ ଦେଉନି । ମୁଁ ସିନା ଆଜି ଜରାଗ୍ରସ୍ତ, ମୁଁ ସିନା ଆଜି ଅସ୍ଥିମୟ, ଶିରାଳ, ମାଂସ ହରାଇଛି ଦେହର, ରକ୍ତ ହରାଇଛି ଦେହରୁ, ତେଜ ହରାଇଛି ଦେହରୁ, ହାତରେ ବାଡ଼ି ଧରିଛି, ଆଖିରେ ମୋଟ ଚଶମା ପିନ୍ଧିଛି; କିନ୍ତୁ ମୋର ଜୀବନର ଯେଉଁ ଫୁଲଟି ମୋ ମନରେ ହଜାରହଜାର ଲକ୍ଷଲକ୍ଷ ମାଇଲ ଗଭୀର ଭୂମି ଭିତରେ ଫୁଟି ଉଠିଛି, ତାହାକୁ ତମେ କିଏ ଦେଖିପାରୁନ । ତାହାର ସୌରଭ ତମେ କିଏ ଘ୍ରାଣ କରିପାରୁନ । ସେ ଏକ ଅଚିହ୍ନା ଫୁଲ । ସେ ଏକ ଅଦେଖା–ଅଜଣା ଫୁଲ । ହେଲେ ମୁଁ ତାକୁ ଚିହ୍ନିଛି-। ମୁଁ ତାକୁ ଜାଣିଛି । ସେଇ ଫୁଲଟି ଉପରେ ମୋର ଜୀବନରଙ୍ଗ ଅଜାଡି ପଡ଼ିଛି । ସେ ମଉଳିନି, ସେ ଅମଳିନ । ସେ ଶୁଖି ଯାଇନି, ସେ ଚିରହରିତ । ସେ ରଙ୍ଗ ହରାଇନି, ସେ ସଦାରଙ୍ଗ-! ମୋ ହୃଦୟର ଖୁସିର ମୃତ୍ତିକାରେ ଲୁହାର ଜଳ ପାଇ ସେ ଛନଛନ ଆଖି ମେଲି ଚାହିଁ ରହିଛି ମତେ–କେବଳ ମତେ–କେବଳ ମତେ, ସୂର୍ଯ୍ୟମୁଖୀ ସୂର୍ଯ୍ୟକୁ ଚାହିଁଲାପରି ନିର୍ନିମେଷ ନୟନରେ ସରାଗ ନେଇ, ସମ୍ପଦ ଦେଇ, ସୁହାଗ ନେଇ ।

ବଜାରରେ ମୋର ବର୍ତ୍ତମାନ ବୟାଳିଶଟା ବହି ବ୍ୟବସାୟ କରୁଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାଇଁ । ବର୍ଷକୁ ପ୍ରାୟ ମୁଁ ଗୋଟାଏ ବହି ଲେଖେ । ଏଣୁ ଏହି ବୟାଳିଶବର୍ଷ ଭିତରେ ସାନବଡ଼ ହେଇ ବୟାଳିଶଟା ବହି ଲେଖିବା କିଛି କଷ୍ଟକର ବ୍ୟାପାର ନୁହେଁ । ମନ ଥିଲେ ହେଲା । ଗୋଲ୍‍ଡ଼େନ୍ ଜୁବୁଲି କରିବାକୁ ଆଉ ଆଠଟା ବହି ବାକି ଅଛି । ବୟାଳିଶଟା ବହି ବ୍ୟବସାୟ କଲେ ହାରାହାରି ରିୟାଲ୍‍ଟି ବାବଦରେ ଯାହା ମିଳେ, ତାହା ପ୍ରତ୍ୟେକ ପ୍ରକାଶକ ଓ ଲେଖକଙ୍କୁ ଜଣା । ମୋର ପ୍ରାୟ ସବୁ ବହି ବାରବାର ମୁଦ୍ରଣ ହେଇଛି । ଏହାଛଡ଼ା ପନ୍ଦରଟା ବହି ହିନ୍ଦୀ, ଇଂରେଜୀରେ ଅନୁବାଦ କରାଯାଇଛି । କୋଡ଼ିଏଟା ଖଣ୍ଡେ ବହି ସିନେମାବାଲା ନେଇ ଛବି କରି ସାରିଛନ୍ତି ।

ଏଇଥିଯୋଗୁଁ ମୁଁ ଆଗରୁ କହିଛି–ସରସ୍ଵତୀଙ୍କର ସଚ୍ଚା ପୂଜାରୀ ହେଲେ ଲକ୍ଷ୍ମୀ ନିଶ୍ଚୟ ବନ୍ଧାପଡ଼ିବେ । ସରସ୍ଵତୀଙ୍କ ଯୋଗୁଁ ମୋର ମାସିକ ହଜାରହଜାର ଟଙ୍କା ରୋଜଗାର । ତାଙ୍କରିପାଇଁ ମୋ ଘରେ ସଦାବେଳେ ଲୋକ ହାଉଯାଉ । ପ୍ରକାଶକ ଦଳ, ପତ୍ରିକା ସମ୍ପାଦକ ଦଳ, ସିନେମା ପ୍ରଯୋଜକ ଦଳ ଆଉ ଅନେକ ଛାତ୍ରଛାତ୍ରୀ ମତେ ବସାଇ ଉଠାଇ ଦଉନାହାନ୍ତି ।

ସାହିତ୍ୟ ମୋର ପେଶା । ସାହିତ୍ୟ ମୋର ବିଳାସ ନୁହେଁ । ଏଣୁ କାହାପାଇଁ ଧାଡ଼ିଏ ମାଗଣାରେ ଲେଖିନି । ଯେଉଁମାନେ ମତେ କେବେ ସାହିତ୍ୟ ସଭାକୁ ପ୍ରଧାନବକ୍ତା କରି ଡାକନ୍ତି, ମୁଁ କେବେ ସେମାନଙ୍କ ପାଇଁ ସଭାମଞ୍ଚ ଉପରେ ମାଗଣା ଠିଆ ହେଇ ନାହିଁ । ସେମାନେ ମୋତେ ଟଙ୍କା ଦେଇଛନ୍ତି, ଆଉ ମୁଁ ଆଖିବୁଜି ଟଙ୍କା ମୋ ପକେଟରେ ପୂରାଇଛି । ସାହିତ୍ୟକୁ ଆଶ୍ରା କରି ମୋର ବିଭିନ୍ନ ବାଟରେ ରୋଜଗାର ।

ମୋର ଗାଡ଼ି ଅଛି । ମୋ ପୁଅର ଗାଡ଼ି ଅଛି । ମୋ ନାତିର ଗାଡ଼ି ଅଛି । ଏହାର ଅର୍ଥ ନୁହେଁ ଯେ, ମୋ ପଇସାରେ ମୁଁ ସେମାନଙ୍କୁ ଗାଡ଼ି କିଣି ଦେଇଛି । ସେମାନେ ବାପ୍ ସେ ବେଟା ଜ୍ୟାଦା । ସେମାନେ ନିଜନିଜ ପଇସାରେ ଗାଡ଼ି କିଣିଛନ୍ତି । ଏସବୁ ଆପଣଙ୍କୁ ନୂଆନୂଆ ଲାଗୁଥିବ । ସମସ୍ତଙ୍କର ବଦ୍ଧଧାରଣା ଲେଖକଗୁଡ଼ାକ ହତଭାଗା–ଖାଇବାକୁ ପାଆନ୍ତି ନାହିଁ । ଲେଖକଙ୍କ ଘରେ ଚୁଲି ଜଳେନି । କିନ୍ତୁ ଏସବୁ ବାଜେ କଥା-। ଆପଣମାନେ କେତୁଟା ଲେଖକଙ୍କ ସଂସ୍ପର୍ଶରେ ଆସିଛନ୍ତି ? କେତୁଟା ପେଶାଦାର ଲେଖକଙ୍କୁ ଦେଖିଛନ୍ତି ? କେତୁଟା ଲୋକଙ୍କୁ ଦେଖିଛନ୍ତି, ଯେଉଁମାନେ ନିଜର ସମସ୍ତ କାମ ଛାଡ଼ି, ସଂସାର ପ୍ରତି ଦୃଷ୍ଟି ନ ଦେଇ ଟଙ୍କା-ଚାକିରି ପ୍ରତି ମାୟା ନ ରଖି କଲମ ଧରିଛନ୍ତି ?

ଏ ପ୍ରସଙ୍ଗରେ ମୋର ଗୋଟିଏ କଥା ମନେ ପଡ଼ୁଛି । ଆପଣଙ୍କୁ ଏକଥା ଟିକେଟିକେ ଜଣାଥିବ । ଦୁଃଶାସନ ଦ୍ରୌପଦୀ କଥା । ଦୁଃଶାସନ ଦ୍ରୌପଦୀଙ୍କୁ ଯେତେବେଳେ ଦରବାରରେ ଉଲଗ୍ନ କରିବାକୁ ଚେଷ୍ଟା କରୁଥିଲା, ଦ୍ରୌପଦୀ ଦୁଇହାତରେ ନିଜର ଛାତି ଲୁଗାକୁ ଛାପି ଧରିଥିଲେ ଓ ଭଗବାନ୍‍ଙ୍କୁ ଡାକୁଥିଲେ । କିନ୍ତୁ ଭଗବାନ୍ ମହାଚାଲାକ, ସେ କହିଲେ ଆରେ ତୁ ମତେ ଡାକୁଛୁ ନା ତୋ ଲୁଗାକୁ ଭିଡ଼ିଧରିଛୁ ! ତୁ ତ ତୋପାଇଁ ନିଜେ ଚେଷ୍ଟା କରୁଛୁ, ଆଉ ମୁଁ ତୋର ସାହାଯ୍ୟ କରିବି କ’ଣ ? ଦ୍ରୌପଦୀ ଯେତେବେଳେ ନିଜ ଚେଷ୍ଟାରୁ ବିରତ ରହି ଦୁଇହାତ ପ୍ରସାରି ଭଗବାନ୍‍ଙ୍କୁ ଡାକିଲେ, ଦ୍ରୌପଦୀଙ୍କର ଲଜ୍ଜା ନିବାରଣ ହେଲା । ସେହିପରି ଆମ ସାହିତ୍ୟିକଙ୍କ କଥା । ଅଧା ସାହିତ୍ୟ, ଅଧା ଘରଦ୍ଵାର ଚିନ୍ତା, ଅଧା ପିଲାଛୁଆ ଚିନ୍ତା, ଅଧା ଟଙ୍କାପଇସା ଚିନ୍ତା କଲେ ସରସ୍ଵତୀ ଧରା ଦେବେନି । ନା ସାହିତ୍ୟ ହେବ, ନା ସାହିତ୍ୟ ମାଧ୍ୟମରେ ଲକ୍ଷ୍ମୀ ଆସିବେ । ଯେ ସାହିତ୍ୟପାଇଁ ପାଗଳ ହେଇଉଠେ, ସାହିତ୍ୟପାଇଁ ସବୁ ଛାଡ଼ି କେବଳ ସାହିତ୍ୟସାହିତ୍ୟ ହୋଇ ମରେ, ସେ କେବଳ ସାହିତ୍ୟର ଅମୃତ ଆସ୍ଵାଦନ କରେ ଏବଂ ତା’ରି ଘରେ ଲକ୍ଷ୍ମୀ ବନ୍ଧାପଡ଼ନ୍ତି ।

ଆଜକୁ ପ୍ରାୟ ପଚାଶବର୍ଷ ତଳେ ମୋର ସବୁଠାରୁ ବଡ଼ ଦୋଷ ଥିଲା ମୁଁ ଲେଖକ । ମୁଁ ନିକମା । ବର୍ତ୍ତମାନ ଯେ ଲେଖକମାନଙ୍କୁ ଏ ଉପାଧି ଦିଆ ନ ହେଉଛି, ଏକଥା ନୁହେଁ ।

ଏହି ଲେଖାଲେଖି ଯୋଗୁଁ ମୁଁ ମୋର ଜୀବନରେ ଖୁବ୍ ଧକା ପାଇଲି । ଯେଉଁଦିନ ଧକା ପାଇଲି, ସେଇଦିନ ପ୍ରତିଜ୍ଞା କଲି–ଭୀମ ପ୍ରତିଜ୍ଞା, ଯେଉଁ କଲମ ଧରିଛି ବୋଲି ଆଜି ସମସ୍ତେ ମୋତେ ଥଟ୍ଟା ପରିହାସ କରୁଛନ୍ତି, ସେଇ କଲମ ନିଶ୍ଚୟ ସେମାନଙ୍କୁ ଦିନେ ବିସ୍ମିତ କରିବ, ସେମାନେ ଦିନେ ଆଶ୍ଚର୍ଯ୍ୟ ହେଇ ମତେ ଚାହିଁରହିବେ ।

ପ୍ରକୃତରେ ସେଇ ଦିନର ମୋର ପ୍ରବଳ ଇଚ୍ଛାଶକ୍ତି ବଳରେ ମୁଁ ଆଜି ଲେଖକ ହୋଇଛି-। ଧକା ମାଡ଼ଟା ମୋର ହୃଦୟକୁ ଯଦି ସେପରି ଦୋହଲାଇ ଦେଇ ପାରିଥାନ୍ତା, ତେବେ ମୁଁ ପଚାଶବର୍ଷ ଧରି ବୋଧହୁଏ ଲେଖାଲେଖି କରିପାରି ନଥାନ୍ତି ।

କୋଉ ଅଫିସରେ କାମ କରି କିରାଣି ହେଇ କିମ୍ବା ଅଫିସର ହେଇ ବାର୍ଦ୍ଧକ୍ୟ ଯୋଗୁଁ ରିଟାୟାର୍ଡ଼ କରିଥାନ୍ତି । ନଇଲେ କୋଉ ଦୋକାନରେ ମୁଗ, ବିରି, କୋଳଥ କିମ୍ବା ଶାଢ଼ି, କନା କିମ୍ବା ତେଲ, ସାବୁନ ବିକି ଗୋଟାଏ ମହାଜନ ହେଇଥାନ୍ତି ।

ଅଥଚ ନିଜେ ପ୍ରିୟାଦପି ପ୍ରିୟ ନାଁଟିର ସମୂହ ବିକାଶ କରିପାରି ନଥାନ୍ତି ।

 

॥ ୬ ॥

 

ନରେନ୍‍ର ଘରର ଛକ ପାଖରେ ସେଇ ଯେଉଁ ଏକମହଲା ଧଳା ରଙ୍ଗର କୋଠା ଅଛି, ସେଇବାଟେ ନରେନ୍ ସଦାବେଳେହିଁ ଯାଏଁ । ନ ଯିବାର ଉପାୟ ନାହିଁ, କାରଣ ନରେନ୍ ଘରକୁ ଯିବା ଆସିବାପାଇଁ ସେଇ ଗୋଟାଏ ବାଟ, ଯେଉଁ ବାଟରେ କି ଏହି ଛକ ପଡ଼ିବ ଏବଂ ଯେଉଁ ଛକରେ କି ଏଇ କୋଠାଟା ଠିଆ ହେଇଛି ।

 

ଧଳାରଙ୍ଗର ଛୋଟିଆ କୋଠାଟିଏ । ସେ କୋଠାର ସେପରି କିଛି ଗର୍ବିତ ଶିଳ୍ପକଳା ନାଇଁ । ସେପରି କିଛି ପ୍ରାଚୁର୍ଯ୍ୟର ଇଙ୍ଗିତ ନାଇଁ । ଛୋଟିଆ କୋଠାଟିଏ । ସରଳଭାବେ କୋଠାଟିଏ-। ଆଗରେ କିଛି ମେହେନ୍ଦୀ ବାଡ଼, ତିନି ଚାରିଟା ନଡ଼ିଆ ଗଛ ଆଉ ତରାଟ ଗଛ କେତୁଟା-। କାଠର ଛୋଟ ଫାଟକଟିଏ ।

 

କୋଠାଟାର ସିନା ସେପରି କିଛି ଔଜଲ୍ୟ ନଥିଲା ଅନ୍ୟମାନଙ୍କ ପାଇଁ, ଅନ୍ୟମାନଙ୍କ ପାଇଁ ସିନା ନଥିଲା, ସେପରି କିଛି ପ୍ରାଚୁର୍ଯ୍ୟର ବର୍ଣ୍ଣ ବୈଭବର ଚୂଡ଼ାନ୍ତ ନିଷ୍ପତ୍ତିମୂଳକ ସ୍ପର୍ଦ୍ଧିତ ଅଟ୍ଟାଳିକା, କିନ୍ତୁ ନରେନ୍ ଆଖିରେ ଥିଲା ସେଇ କୋଠାଟି ବୋଧହୁଏ ସବୁଠାରୁ ସୁନ୍ଦର କୋଠା, ଉଜ୍ଜ୍ଵଳତମ କୋଠା, ଯାହାର କାନ୍ଥବାଡ଼ ଜିକ୍‍ଜିକ୍‍ ଧଳା ମାର୍ବଲ ପଥରରେ ତିଆରି ହେଇଛି, ଆଉ କୋଠାର ପ୍ରତି କାନ୍ଥବାଡ଼ରେ ଖଚିତ ହେଇଛି ହଜାର ମହାର୍ଘ ହୀରା-ନୀଳା ଜହରତ୍‍ର ଚାରୁ ଛବିଳ ଲତା ।

 

ସେଇ କୋଠାରେ ନରେନ୍‍ର ଚାନ୍ଦ ରହେ ।

 

ନରେନ୍‍ର ଚାନ୍ଦ !

 

ନରେନ୍ ତାକୁ ଗେହ୍ଲାରେ ଡାକୁଥିଲା ଚାନ୍ଦ । ନରେନ୍‍ର ମନେ ହେଉଥିଲା, ଦୂର ଆକାଶରୁ ବାଦଲ ଓ ତାରକାମାଳରୁ ସତେ ଯେମିତି ଚାନ୍ଦଟା ଛିଟିକି ପଡ଼ି ଏଇ ଚାରିକାନ୍ଥର ଚଉହଦି ଭିତରେ ରହି ଏକ ଲାଜକୁଳୀ ନାରୀ ବିଗ୍ରହ ଧାରଣ କରିଛି, ଆଉ ତା’ର ଉଜାଲାରେ ଯେମିତି ଏ ପୂରା ସାହିଟାକୁ ହୁଲସ୍ତୁଲ କରୁଛି । ଏ ସାହିଟାକୁ ରସମଲ୍ଲୀ ଦେଖାଇ ଦଉଛି । ନରେନ୍ ଯେତେବେଳେ ସେଇ ବାଟେ ଯାଏଁ, ତା’ର ମନେ ହୁଏ, ହଠାତ ତା’ର କଲିଜାଟା ଯେମିତି ତା’ର ଛାତି ଭିତରୁ ଉବୁକିଉବୁକି ଉଠି ବାହାରିଯାଉଛି, ଆଉ ଏପାଖ ସେପାଖ ସାଇସାଇ ହେଇ ପଳେଇ ଯାଉଛି–ପଳେଇ ଯାଉଛି..., ଆରେ, ରହ–ରହ, ନା...ସେ ପଳେଇ ଯାଉଛି, ଅଦ୍ଭୁତ କଥା–ଅଦ୍ଭୁତ କଥା, ତମେ କିଏ ଦେଖୁନ, ନରେନ୍ ଦେଖୁଛି ତା’ର ପଳେଇ ଯାଉଛି ତା’ର ଚାନ୍ଦର ଘରର ପାଚେରି ଡେଇଁ ଡେଇଁ ଫକ୍‍ଫକ୍ ହେଇ, ଆଉ କବାଟ ପାଖରେ ବାଡ଼େଇ ହେଇ ଫେରିଆସି, କାନ୍ଥ ପାଖେ ବାଡ଼େଇ ହେଇ ଫେରି ଆସି, ଏ ଝରକା ସେ ଝରକା ପାଖରେ ବାଡ଼େଇ ହେଇ ଫେରି ଆସି, ଠିକ୍ ତା’ର ଚାନ୍ଦର ଶୋଇବା ଘରର ଝରକାର ରେଲିଂ ଟପି ପଶିଯାଇଛି ଫୁର୍‌କିନା ଟିକି ଚଢ଼େଇପରି ।

 

ଗାୟଫ୍‍...ଗୁମ୍... ?

 

ଆଉ ନ ଆସନ୍ତି !

 

ନରେନ୍ ଥକା ମାରି ଠିଆ ହୋଇଯାଏ ।

 

ସତେ ଭାଇ, କଲିଜାଟା ଟିକି ଚଢ଼େଇ ପରି ଫୁର୍ ହେଇ ତା’ର ଚାନ୍ଦ ପାଖକୁ ପଳେଇ ଯାଇଛି, ଆଉ ଆସୁନି ।

 

ନରେନ୍ ଦୀର୍ଘଶ୍ଵାସ ଛାଡ଼େ–ହାୟ, ହାୟ...ମୋ କଲିଜା !

 

ମୋ କଲିଜା !

 

ରାଣୀ ମୋର, କାହିଁ ତୁ ଅଛୁ ? ତୋ ଦାଣ୍ଡଦୁଆରେ ଠିଆ ହେଇ ଭିକ ମାଗୁଚି ଅଞ୍ଜଳିଏ ପ୍ରେମପାଇଁ ତୋର ଦୀନ ପ୍ରଜା ।

 

ମୋ କଲିଜାକୁ ନେଇ ମତେ ଦେ’ନା ସଜା ।

 

ତା’ପରେ କ’ଣ ଏମିତି ହେଲା, ନରେନ୍ ବିଚରା ବିଲ୍‍କୁଲ୍ ଅନ୍ଧ ହେଇଗଲା । ତା’ ଆଖିକୁ କିଛି ଦିଶିଲାନି । ତା’ ଆଖି ଗୋଟାଏ ଖୁବ୍ ଉଜାଲା ଶେଯରେ ଜଳକା ହେଇ ଅନ୍ଧ ହେଇଗଲା । ରୀତିମତ ଜଳକା ।

 

ରସମଲ୍ଲି ।

 

ସେ ଦେଖିଲା–ଝରକାର ରେଲିଂ ଆରପାଖେ ଗୋଟାଏ ରସମଲ୍ଲୀ ଫିଟି ପଡ଼ୁଚି–ତୋଫା ହେଇ ଫାଟି ପଡ଼ୁଚି, ବଡ଼ବଡ଼ ତାରା ସବୁ ବିଛାଡ଼ି ଦଉଚି । ବିଚିତ୍ର ରୂପସମ୍ଭାରରେ, ଭରାଯୌବନରେ ବହୁବର୍ଣ୍ଣୀ ଔଜଲ୍ୟରେ ବିକଶି ଉଠି ଫିକ୍‍ଫିକ୍‍ ହସୁଚି ।

 

ନରେନ୍‍ ଘାବରା ହୋଇଗଲା । ନରେନ୍ କୁଆଡ଼େ ଯିବ କିଛି ଠିକ୍ କରିପାରିଲା ନାହିଁ । ନରେନ୍ ବ୍ୟତିବ୍ୟସ୍ତ ହୋଇଗଲା । ନରେନ୍ ଦୌଡ଼ିପାରିଲା ନାହିଁ । ତା’ର ଗୋଡ଼ରେ ଚେର ଲାଗି ଯାଇଛି । ଓଃ...ମାଡ଼ିଆସୁଚି । ସେଇ ଝରକା ଟପି ମାଡ଼ିଆସୁଚି–ମାଡ଼ିଆସୁଚି, ଏଥର ମଲା ତ, ବେଗରେ, ଅତିଶୟ ବେଗରେ ଗୋଟିଏ ବଡ଼ ମୁନିଆ, ଗୋଜିଆ ଅବ୍ୟର୍ଥ ତୀର, ତାକୁ ଘାଏଲ କରିବ, ତାକୁ କଚାଡ଼ି ଦବ, ତାକୁ ପାଗଳ କରିଦବ, ଗୋଟାଏ ମହୁଆ ମହୁରା ଦିଆ, ମିଠାମିଠା ତୀର ତା’ର ଶୂନ୍ୟ କଲିଜା ଭିତରେ ଏଇ...ଏଇ ସାଙ୍ଗେ ସାଙ୍ଗେ, ହଁ...ହଁ ଏଇ ସାଙ୍ଗେ ସାଙ୍ଗେ ହଠାତ ପଶିଯିବ ।

 

ନରେନ୍ ଅନୁଭବ କଲା, ତା’ର ଛାତି ଫୁଟାଇ ତୀରଟା ପଶିଯାଇଚି ଖୁବ୍, ଜୋର୍‍ରେ, ଆଉ ସେ ତୀରଟା ଏତେ ଦୁଷ୍ଟ ଯେ, ସେ ତା’ର ଛାତି ଭିତରେ ସ୍ଥିର ନ ରହି ଗୋଟାଏ ବାଳିକାର ଚାନ୍ଦ ମୁହଁ ଆଙ୍କିବାରେ ଲାଗିଚି । ଚାନ୍ଦର ମୁହଁ । ଚାନ୍ଦର ଚଉଦିଗ ରୋଶଣିଝରା ଜ୍ୟୋତ୍ସ୍ନା ଧଉଳା ଉଜ୍ଜ୍ଵଳ ବର୍ତ୍ତୁଳମୁହଁ ।

 

ଏସବୁ ପ୍ରେମ ଫ୍ରେମ କଥାଏ

 

ଉଚ୍ଚ ପର୍ବତରୁ ଖସିପଡ଼ୁଚି ଜୋର୍‍ ଶବ୍ଦ କରି ଯେଉଁ ପ୍ରପାତ, ଡର ଭୟ ନ ମାନି ଡେଇଁ ପଡ଼ୁଚି, ବାଧା ଜାଣୁନି, ବନ୍ଧନ ଜାଣୁନି, କେବଳ ଜାଣେ ସେ ନିଜକୁ ଉଜେଇଁ ଦବ, ଧାଇଁ ଯିବ ଆଗକୁ, ଧୀରେ ଧୀରେ ନୁହେଁ ଖୁବ୍ ଜୋର୍‍ରେ, ଶକ୍ତ ପଥର ଉପରେ ପିଟି ହେଲେ ସୁଦ୍ଧା ଯାହାର ପରବାୟ ନାହିଁ, ଟପି ଆଗେଇ ଯାଉଚି ଜୋର୍‍ରେ ଲହରୀ ଖାଇ, ଉଉଁରୀ ଖେଳାଇ ପରୱାନାର ଖାତିରରେ, ସେଇ ପ୍ରେମର କଥା ଶୁଣି ଆପଣମାନେ ଯଦି ହଠାତ ମୋ ଉପରେ ବିଗିଡ଼ିଯିବେ, ତେବେ ମୁଁ ନାଚାର ।

 

କାରଣ ସଂସାର ବିଭିନ୍ନ ସମସ୍ୟାକୁ ବିଶ୍ଳେଷଣ କରି ଏବଂ ଏ ସମ୍ବନ୍ଧରେ ଲେଖାଲେଖି କରି ମୁଁ ଦେଖୁଛି ଯେ, ସବୁ କଥାରେ ଯଦି ସିରିୟସ ଚିନ୍ତାଧାରା ଜବରଦସ୍ତ ଟାଣିଓଟାରି ପୂରାଯାଏ, ତେବେ ଜୀବନରେ କ’ଣ ପ୍ରକୃତରେ ସ୍ଵପ୍ନ ନାଇଁ ।

 

ଜୀବନଟା କ’ଣ ଖାଲି କାନ୍ଦିବାପାଇଁ ?

 

ଚାଲ, ଆଜି ସମସ୍ତେ ତେଲଲୁଣ ଦୁନିଆରେ ରଙ୍ଗ ଖୋଜିବା । ଲୁହ ଭିତରୁ ରଙ୍ଗ ଖୋଜିବା, କାନ୍ଦ ଭିତରୁ ରଙ୍ଗ ଖୋଜିବା । ହତାଶା ଭିତରେ, ଦୁଃଖ ଭିତରେ, ଯାତନା ଭିତରେ ରଙ୍ଗ ଖୋଜିବା ।

 

ଆମର ଚାରିଆଡ଼େ ରଙ୍ଗ ବିଛାଡ଼ି ପଡ଼ିଛି । ଯେ ରଙ୍ଗ ଖୋଜି ପାଇନି, ସେ ଓଲୁ, ସେ ହାୟ ହାୟ ହଉଛି ସେ ଓଲୁ, ଯେ ବାହୁନିବାରେ ଲାଗିଛି ସେ ଓଲୁ ।

 

ଦୁଃଖର ସୁବର୍ଣ୍ଣରେଖା ବାଲି ଆମର ! ଅସୁମାରି ଦୁଃଖବାଲି । ଆମର ଚାରିଆଡ଼େ ନିର୍ମମ ବାସ୍ତବତା, ନିର୍ମମ ସମସ୍ୟାକୁ ନଗ୍ନଭାବେ ପ୍ରକଟିତ କରିଛି । ଚାଲ ସେଇ ଦୁଃଖ ବାଲି ଖୋଜି ଆମେ ଆମର ବେଶି ନ ହେଲେ ନାହିଁ ପଛେ, ସୁଖର କ୍ଷୁଦ୍ରାତି କ୍ଷୁଦ୍ର ସୁବର୍ଣ୍ଣ କଣିକା ଆହରଣ କରିବା ।

 

ମୁଁ ମୋର ପେଟରେ ପେଟେ କାନ୍ଦ ଲୁଚାଇ ହସିବାକୁ ଚେଷ୍ଟା କରିବି । ହସ । ହସ । ଏଇ ହସରେ ମିଲ ଲକ୍‌ଆଉଟ୍‌ କଥା ନାଇଁ, ଶ୍ରମିକର ପୁଲିସ ଗୁଳିରେ ଶହୀଦ ହବା କଥା ନାଇଁ । ନାଇଁ ଗୋଲଡ଼୍ କଣ୍ଟ୍ରୋଲ୍ କଥା । ନାଇଁ ଖାଦ୍ୟ ଅପମିଶ୍ରଣ କଥା । ରାଜନୀତିରେ ଚାଲବାଜି କଥା । କିମ୍ବା ସେଇ ଜନସଂଖ୍ୟା ବୃଦ୍ଧି କଥା । ଯୁଦ୍ଧବିଗ୍ରହ କଥା ।

 

ମୁଁ ସବୁ ସମସ୍ୟାକୁ ହସରେ ଉଡ଼ାଇ ଦେବାକୁ ଚାହେଁ ।

 

ପ୍ରକୃତରେ ଯେ ହସି ଜାଣେ, ସେହି ତ ବୀର । ସବୁ ସମସ୍ୟାକୁ ପରାଜିତ କରି ଖାଲି ହସିବା କ’ଣ କମ୍ ସାହସର କଥା ? କ’ଣ କମ ବୀରତ୍ଵର କଥା ?

 

ଏଣୁ ଏଠାରେ ଏକ ନିଛକ ଫାଣ୍ଟାଷ୍ଟିକ୍, ଅନଇଉଜାଲ୍ ପ୍ରେମ କାହାଣୀକୁ ବ୍ୟାଖ୍ୟା କରିବା କିଛି ଭୁଲ୍ ହେବ ନାହିଁ ବୋଲି ମୁଁ ଭାବୁଛି ।

 

ନରେନ୍ ଦାସ ଗଜା ଟୋକା ଥିଲା । ଚଡ଼୍‍କା ତରଖା ଥିଲା । ଚାଙ୍ଗା, ବିଜୁଳି ଥିଲା । କିନ୍ତୁ ସେଇ ନୟନ-ତୀରର ଶକ୍ତି ବାଣରେ କ୍ଷତବିକ୍ଷତ ହେଇ ଭାବିଲା–ଏଇ ମନ ସଉଦା ବିକାବିକିରେ ଏ ଝିଅଗୁଡ଼ାକବି ଚାଲାକ ସତେ ! ପ୍ରେମ କାରବାରରେ କି ଦୁଷ୍ଟ ସତେ !

 

ଦେଖ, କେମିତି ସେ କିଛି ନ ଜାଣିଲାର ପରି ହେଇ ନିରୀହଭାବେ ହସୁଛି; ଅଥଚ ତା’ର କଲିଜାଟିକୁ ସାଂଘାତିକଭାବେ ଚୋରି କରି ତାକୁ ଅଥାତା–ନିରାଶ୍ରୟ କରି ଦେଇଛି ।

 

ହାଃ...ଚୋରଣୀଟା ! ଚୋରଣୀଟା !

 

ନରେନ୍ ଦାସର ପ୍ରତିବେଶିନୀ ସେ । ପିଲାଟି ବେଳୁ ସେ ଓ ନରେନ୍‍ର ସାଥୀ ହେଇ, ଏକାଠି ହେଇ ବଢ଼ିଚନ୍ତି, ଏକାଠି ହେଇ ଖେଳିଚନ୍ତି, ଏକାଠି ହେଇ ପଢ଼ିଛନ୍ତି ।

 

ଯୋଉ ଝୁଅଟା ପିଲାବେଳେ ପ୍ରତି କଥାରେ ସୁଁ...ସୁଁ...ହେଇ କାନ୍ଦୁଥିଲା ଚାରିଆଡ଼କୁ ବୋକୀପରି ଚାହୁଁଥିଲା, ଚାରିଆଡ଼କୁ ବୋକୀପରି ଚାହିଁଥିଲା, ନାକରୁ ଯାହାର ଧାରଧାର ସିଂଘାଣି ବହିଯାଉଥିଲା, ମୁଣ୍ଡର କେଶ ସବୁ ଆଲୁରୁବାଲୁରୁ ହୋଇ ଉଠୁଥିଲା, ଏ ପାଖ ଗାଲରେ ମେଞ୍ଚାଏ ମଳି, ସେ ପାଖ ଗାଲରେ ଗୁଡ଼ାଏ କାଳିଦାଗ, ଲୁଗାରେ ପଟାରେ କାଦୁଅ ଧୂଳି ଲାଗିଛି । ଗୋଡ଼ଯାକ କୁଣ୍ଡିଆ କାଛୁ, ଏଇ କାଛୁପାଇଁ ଯାହାକୁ ନରେନ୍‍ ଚିଡ଼ାଇ କନ୍ଦାଏ, ବେଶି କାନ୍ଦିଲେ ବିଗିଡ଼ି ଦି’ଟା ଗାଉଁ...ଗାଉଁ ବିଧା ଥୋଇ କୁଜୀ କରିଦିଏ, ସେଇ ଝୁଅଟା ଚାହୁଁଚାହୁଁ କେଜାଣି କେମିତି ବର୍ଷା ଦିନର ନଦୀ ପରି ମାତି ଉଠିଲା–ବଢ଼ି ଉଠିଲା–ସୁନ୍ଦର ହେଇ ଉଠିଲା, ସବୁ ଜାଣି, ସବୁ ବୁଝି, ସବୁ ଦେଖି ଅଳ୍ପ ବୟସରୁ ଗୋଟାଏ ଅଭିଜ୍ଞା ମାଷ୍ଟ୍ରାଣୀରୂପେ କଥାବାର୍ତ୍ତା କରିବାକୁ ଲାଗିଲା, ଆଉ ଯୋଉ ନରେନ୍‌ର ବୁଦ୍ଧିବୃତ୍ତି ଥିଲା, ଯୋଉ ନରେନ୍ ସବୁ ବୁଝୁଥିଲା, ସେ ଦେଖିଲା ସେଇ ଝିଅର ବୁଦ୍ଧିର ଦୌଡ଼ ଆଗରେ ସେ ଖୁବ୍ ପଛେଇ ଯାଉଛି, ଦିନକୁଦିନ ସବୁ ଭୁଲି ଯାଇ ଏକ ଅନାବିଳ-ବିଶୁଦ୍ଧ ଗଧ ହେଇଯାଉଛି ।

 

ପ୍ରେମ କାରବାରରେ ଝୁଅମାନେ ଯେତିକି ମାଷ୍ଟ୍ରାଣୀ–ପୁଅମାନେ ସେତିକି ଗଧ, ଗଧ...-। ନିଜକୁ ଯେତେ ଚାଲାକ ଭାବିଲେ କ’ଣ ହେବ, ପୁଅମାନେ ସଦାବେଳେହିଁ ଗଧ, କାରଣ ସେମାନଙ୍କୁ ବୁଲେଇ-ବାଲେଇ କଥା କହି ଆସିବନି, ଗୋଟାଏ କଥାରେ ଦଶଟା ଅର୍ଥ ରଖି କହି ଆସିବନି । ସେମାନେ କଥାରେ ବ୍ୟଞ୍ଜନା ଜାଣନ୍ତି ନାହିଁ ।

 

ନରେନ୍ ନିଜକୁ ଯେତେ ଚାଲାକ ବୋଲି ଭାବିଥିଲା, ସେ ଦେଖିଲା, ସେ ଆଦୌ ଚାଲାକ ନୁହେଁ–ବୋକା ଏବଂ ଯାହାକୁ ସେ ନିହାତି ବୋକୀ ବୋଲି ପିଲାବେଳୁ ଭାବିଥିଲା, ସେ ଦିନକୁଦିନ ଚାଲାକ ହେଇଉଠିଛି । ସଙ୍ଗିନ ହେଇଉଠିଛି ।

 

ନରେନ୍, ଝରକା ଫାଙ୍କରେ ଯୋଉ ରସମଲ୍ଲୀ ଉଚ୍ଛାଳ ହେଇ ଫାଟି ପଡ଼ିଛି, ତାକୁ ଦେଖୁଥିଲା । ରସମଲ୍ଲୀ ଝରକାରୁ ରେଲିଂକୁ ଦୁଇ ହାତରେ ଧରିଚି, ଆଉ ତାକୁ ଚାହିଁ ହସୁଚି, ପାଟି ନ ଫିଟାଇ ଆଖିରେ ତାକୁ ଆସଆସ ବୋଲି ଡାକୁଚି, କହୁଚି–ତୁମ କଲିଜାକୁ ମୁଁ ମୋର ଛାତିର ସାତତାଳ ଗଭୀର ଅମୃତ ସାଗରରେ, ସୁନା ଫରୁଆରେ ଜଉମୁଦ କରି ରଖିଦେଇଚି । ଦେବିନି, ଆଉ ଜମା ଦେବିନି । ଯଦି ତୁମ କଲିଜାକୁ ନେବାକୁ ଇଚ୍ଛା ଅଛି, ତାହାହେଲେ ସେଇ ରାସ୍ତା ଉପରେ ହାଁ’ ମାରି ଠିଆ ହେଇଚ କାହିଁକି ? କ’ଣ ଭାବୁଚି ? ଭିତରକୁ ଆସ, ଆଉ ଅମୃତ ସାଗର ମନ୍ଥନ କରି ତୁମର କଲିଜାକୁ ନେଇ ଯାଅ...।

 

ନରେନ୍‍ର ଛାତିର ଧୁକ୍‍ଧୁକି ବେଶି ବଢ଼ିଗଲା ।

 

ଝୁଅଟା ପାଟିରେ ନୁହେଁ, ଆଖିରେ ଡାକୁଚି–ଆସ, ବୋକା ନିକମାଙ୍କ ପରି ସେଠି ଠିଆ ହେଇ କଲିଜା–କଲିଜା ହେଇ ପାଟି କରନା । ରସମଲ୍ଲୀର ରୋଶଣିରେ କାବା କାବା ହୁଅନା । ରସମଲ୍ଲୀର ରୋଶଣି କେବଳ ତୁମରିପାଇଁ । ତୁମର ଆବାହନୀ ପାଇଁ ରସମଲ୍ଲୀର ଦେହେଦେହେ ରୂପର ଭରା ମିନାବଜାର । ସେଇ ମିନାବଜାରର ସଉଦାଗର ତମେ । ସଉଦାଗର ହେଇ ପ୍ରେମର ବଣିକ ନ କରି ସେଠି ଭକ୍‌ମାରି ଠିଆ ହେଇଚି କାହିଁକି ?

 

ନରେନ୍‌ର ଛାତି ଉଠପଡ଼ ହୋଇଗଲା ।

 

ରେଲିଂକୁ ଧରି ଝୁଅଟା ସେଇ, ସେଇପରି ହସୁଚି ।

 

ନରେନ୍ ତା’ର ସାଙ୍ଗ ଘରର ଫାଟକ ଟପି ଭିତରକୁ ଗଲା ।

 

କିନ୍ତୁ କି ଆଶ୍ଚର୍ଯ୍ୟ କଥା, ଘରେ ପଶୁପଶୁ ତାକୁ ଶୁଭିଲା ଭୀଷଣ ପାଟିତୁଣ୍ଡ । ତା’ ସାଙ୍ଗର ବାପା ଗୋଟାଏ ବଡ଼ ଠେଙ୍ଗା ଧରି ମାଡ଼ି ଆସୁଚନ୍ତି ଖୁବ୍ ଜୋର୍‍ରେ ।

 

ଏ ଠେଙ୍ଗାପେଙ୍ଗା କି ବ୍ୟାପାର ?

 

ବୁଢ଼ାଟା କ’ଣ ନରେନ୍‌କୁ ପିଟିବାପାଇଁ ରାଗିମାଗି, ତାତି ଉଠି ଠେଙ୍ଗା ଧରି ଏ ଭୀମ ମୂର୍ତ୍ତି ଧରି ମାଡ଼ି ଆସୁଚି ? ଲୁଗାର କଛା, କୁଞ୍ଚ ଫିଟାଇ ଯୁଦ୍ଧ ଦେହ କିଳିକିଳା ନାଦ କରୁଚି ?

 

ନମସ୍କାର ମଉସା... !

 

ଓଃ... ! ନମସ୍କାର କରିବା ବେଳ ଇଏ ନୁହେଁ, ଯାଅ ଧର । ଧର । କାହାକୁ ମଉସା ?

 

ବିଲେଇ–ବିଲେଇ !

 

କ’ଣ ହେଲା ?

 

ଓଃ...ଏତେ ପ୍ରଶ୍ନ ପଚାରି ଭଣ୍ଡୁର କରନି । ହେଇ ବିଲେଇଟା ପଳେଇ ଯାଉଚି–ପଳେଇ ଯାଉଚି ।

 

ଗୋଟାଏ ମୋଟାସୋଟା କଳା ବିଲେଇ । ବିଜୁଳି ବେଗରେ ଦୌଡ଼ିବାରେ ଲାଗିଚି, ଆଉ ତା’ ପଛରେ ଦୌଡ଼ିଛନ୍ତି ତା’ ସାଙ୍ଗର ବାପା ।

 

ବିଲେଇଟା ଘର ବାରଣ୍ଡା ଟପି ଗୋଟାଏ କୁଦାମାରିଲା । କୁଦାମାରି ପାଚେରି ଟପି ଚାଲିଗଲା ।

 

ବିଚରା ବୁଢ଼ା ବିଲେଇଟା ପଛରେ ଦୌଡ଼ି ଲୁଗାରେ ଛନ୍ଦି ହେଇ ନିଜର ବେଗଗାମୀ ଶରୀରର ଭାରସାମ୍ୟ ନ ରଖିପାରି ହଠାତ ପାହାଚ ଉପରେ ଚାରିକାତ ମେଲାଇ ପଡ଼ିଗଲେ ।

 

ନରେନ୍ ଏପରି ଦୃଶ୍ୟ ଦେଖିବ ବୋଲି କଳ୍ପନା କରି ନଥିଲା । ବଡ଼ ହାସ୍ୟକର, ଲଜ୍ଜାକର ପରିସ୍ଥିତି ଏଇ । ତାକୁ ହସ ଲାଗୁଛି । ସେ ହସକୁ କୌଣସିମତେ ଚାପି ରଖିଲା ।

 

ବୁଢ଼ା ଅସମ୍ଭାଳ ହୋଇ ପାହାଚ ଉପରେ ପଡ଼ିଛନ୍ତି । ଗୋଟାଏ ଗୋଡ଼ ପାହାଚ ଉପରେ-। ଗୋଟାଏ ଗୋଡ଼ ପାହାଚ ତଳେ । କଚାଡ଼ି ହେଇ ପଡ଼ିଛନ୍ତି, ଆଉ ତାଙ୍କର ଭଙ୍ଗା ଦାନ୍ତକୁ ଦେଖାଇ ଉଃ...ଆଃ...ହଉଛନ୍ତି ।

 

ବୁଢ଼ା କୁନ୍ଥେଇ ଉଠିଲେ ।

 

ଜୀବନ ରଙ୍ଗ

ମୁହଁକୁ କଷ୍ଟେମଷ୍ଟେ ଉଠେଇ ଦୁଃଖରେ ଭାରି କରି ନରେନ୍ କହିଲା–ବିଲେଇ କ’ଣ ଖାଇଗଲା ମଉସା ?

 

ଆଏଁ... ?

 

ବିଲେଇ କ’ଣ ଖାଇଗଲା ମଉସା ?

 

ହଁ... ।

 

ବିଲେଇ କ’ଣ ଖାଉଥିଲା ?

 

ତୁ’ଣ ?

 

ତୁ’ଣ ନୁହେଁ, କ’ଣ ଖାଇଲା ?

 

ମୁହଁକୁ ବିକୃତ କରି ବୁଢ଼ା କହିଲେ–ମିଠାଗୁଡ଼ା ଖାଇଗଲା । ଜିଲିପି, ଛେନା, ଖଇ ।

 

 

ଅସମ୍ଭବ କଅଁଳ ସ୍ଵରରେ ନରେନ୍ ପଚାରିଲା–ମିଠା କ’ଣ କିଣିକି ଆଣିଥିଲେ ?

 

ବିରକ୍ତ ହେଇ ବୁଢ଼ା କହିଲେ–ଓଃ...ପିଠା ! ତମେ ଏତେ ବଡ଼ଟିଏ ହେଲଣି ଆସି, ଏତିକି ବୁଝିପାରୁନ । ପିଠା କିଏ କିଣିକି ଖାଏ ? ମିଠା-ମିଠା ! ଲଡ଼ୁ, ଛେନା, ଖଇ, ଜିଲିପି ।

 

ଆଜ୍ଞା, ମୁଁ ତ ସେଇ ମିଠା କଥା ପଚାରୁଛି ।

 

ହଁ, ସବୁ ଖାଇଗଲା । ବିଲେଇଗୁଡ଼ା ଏମିତି ଉତ୍ପାତ କରୁଛନ୍ତି ଯେ, ସବୁ ଖାଇ ଶେଷରେ–

 

ମଣିଷକୁ ଖାଇ ଯିବେ ଆଜ୍ଞା ।

 

କ’ଣ କହିଲ ? ପଣସ ? ବୁଢ଼ା ଗମ୍ଭୀରଭାବେ କହିଲେ–ବିଲେଇ ପଣସ ଖାଆନ୍ତି ନାହିଁ-। ମଣିଷ ପଣସ ଖାଆନ୍ତି ।

 

ନାଇଁ ଆଜ୍ଞା, ମୁଁ ପଣସ କହୁନି, ମଣିଷ କହୁଛି । ବିଲେଇ ଶେଷରେ ମଣିଷ ଖାଇଯିବେ-

 

କିନ୍ତୁ ମୁଁ କିଛି କହୁଛି–ମଣିଷ ପଣସ ଖାଆନ୍ତି ।

 

ଆଜ୍ଞା, ସେଇଆ; ମଣିଷ ପଣସ ଖାଆନ୍ତି । କିନ୍ତୁ ବିଲେଇ ଶେଷରେ...

 

କ’ଣ ଶେଷରେ, ଶେଷରେ ପାଟି କରୁଛ ?

 

ମୁଁ ପାଟି କରୁନି ଆଜ୍ଞା... !

 

କୁଆଡ଼େ ଆସିଲ ?

 

ଛୁଟି ଥିଲା । ଇଆଡ଼େ ସେଇଥିପାଇଁ ଚାଲିଆସିଲି ।

 

କୁଆଡ଼େ ଯାଇଥିଲ ?

 

ଆ...ଜ୍ଞା... ?

 

କୁଆଡ଼େ ଯାଇଥିଲ ?

 

ଆଜ୍ଞା, କୁଆଡ଼େ ଯାଇନି ତ !

 

ଆଏଁ... ?

 

ଆଜ୍ଞା..., ଏଇ ଚାଲିଆସିଲି ।

 

ମୁଁ ତ ସେଇ କଥା ପଚାରୁଛି–କୁଆଡ଼େ ଯାଇଥିଲ ?

 

ଆଜ୍ଞା..., ଯିବି କୁଆଡ଼େ ?

 

ଆଏଁ... ?

 

ନରେନ୍ କ’ଣ କହିବ କିଛି ବୁଝିପାରିଲା ନାହିଁ । ବଡ଼ ଅସୁବିଧା କଥା । ସେ ଖାଲି ଏ ପାଖ ସେ ପାଖ ଅନେଇବାରେ ଲାଗିଲା ।

 

କିହୋ..., କିଛି କହୁନ ଯେ, କୁଆଡ଼େ ଯାଇଥିଲ ?

 

ମୁଁ ତ ଆଜ୍ଞା କୁଆଡ଼େ ଯାଇନି ।

 

ତମେ ଗୋଟାଏ ମିଛୁଆ ! ଏଇ ବର୍ତ୍ତମାନ କହିଲ ଯେ–

 

କ’ଣ କହିଲି ଆଜ୍ଞା... ?

 

କହିଲ, କାଲି ଆସିଲ ବୋଲି, ଛୁଟି ଥିଲା ।

 

ନାହିଁ ଆଜ୍ଞା, ମୁଁ କହିଲି ଚାଲି ଆସିଲି । କାଲି ଆସିଲି କହିନି । ଚାଲି ।

 

ବୁଢ଼ା ମୁହଁକୁ ବିକୃତ କରି ବଡ଼ ପାଟିରେ କହି ଉଠିଲେ–ଓଃ...କାନ ପାଖଟାରେ କେଡ଼େହେଁ ପାଟିକରୁଛ ହେ... ! ଯେମିତି ସବୁ ସମୟରେ ସମସ୍ତଙ୍କ ସାଥିରେ କଥାଭାଷା ହୁଅ, ସେମିତି କହୁନ ? ମିଛଟାରେ କାନ ପାଖରେ ହୋହୋ ହେଇ ପାଟି କରୁଛ କାହିଁକି ? କାନର ପରଦାକୁ ଫଟେଇ ଦବ ନା କ’ଣ ?

 

ନରେନ୍ ଅପ୍ରସ୍ତୁତ ହୋଇ ଠିଆ ହେଲା ।

 

ବୁଢ଼ା ତା’ର ଆପାଦମସ୍ତକ ଚାହିଁଲେ । ଚାହିଁକି କହି ଉଠିଲେ–ଯାଅ, ଭିତରକୁ ଯାଅ । ଏଠି ଠିଆ ହେଇ ବକ୍‍ବକ୍ ହୁଅନା ।

 

ଚାନ୍ଦ ତା’ ବାପା ମା’ଙ୍କର ଗୋଟିଏ ମାତ୍ର ଝୁଅ ଥିଲା । ଏକମାତ୍ର ସନ୍ତାନ । ଭାଇଭଉଣୀ ତା’ର କେହି ନଥିଲେ । ଏଣୁ ଗୋଟିଏ ଝୁଅ ହେଇ ସେ ବାପ ମା’ଙ୍କ ଠାରୁ ଯେତିକି ସ୍ନେହ ଦାବି କରୁଥିଲା, ତା’ର ପ୍ରତିବଦଳରେ ବେଶି ସ୍ନେହର ଅଧିକାରିଣୀ ହେଇପାରୁଥିଲା । ଏଥିପାଇଁ ସେ ଜିଦ୍‌ଖୋର୍ ଥିଲା । ଖାମ୍‍ଖିଆଲି ଥିଲା । କ’ଣ କହୁଥିଲା, କ’ଣ ଗପୁଥିଲା ନିଜେ ଠିକ୍ କରି ଜାଣିପାରୁ ନଥିଲା । ତା’ର ରୁଷା ଯେତିକି, ଅଭିମାନ ସେତିକି । ଅଳି, ଅଝଟ, ଫେରାଦ, ଫରମାସରେ ତା’ର ସାରା ଦିନଟା କଟିଯାଉଥିଲା ।

 

ନରେନ୍‍କୁ ପାଖରେ ଦେଖି ସେ ତା’ର ବେକରେ ଓହଳିପଡ଼ିଲା ।

 

ମାଉସୀ କାହାନ୍ତି ?

 

ଓଲୁ ! ବୋଉ ଥିଲେ ତୁମ ବେକରେ ମୁଁ ଓହଳି ପଡ଼ି ନ ଥାନ୍ତି । ନାକକୁ ଛିଞ୍ଚାଡ଼ି ସେ କହିଲା–କି ପ୍ରଶ୍ନ ଯେ ତମେ କର ?

 

ଚାନ୍ଦ ବିରକ୍ତିରେ ନରେନ୍‍ର ବେକରୁ ତା’ର ଦୁଇ ହାତକୁ ନେଇ ଆସିଲା ।

 

ଭୁଲ୍ ହେଇଚି । ମୁଁ ଭାବିଲି ମାଉସୀ ଯଦି ଆମ ଦୁହିଁଙ୍କୁ ଏପରି ଅବସ୍ଥାରେ ଦେଖନ୍ତି, ତେବେ–

 

ତେବେ ?

 

ତେବେ ହୁଏତ ସେ–ସେ

 

ରାଗିବେ ? ଏୟା ତ !

 

ହଁ..... ।

 

ଛିଗୁଲେଇ ଚାନ୍ଦ କହି ଉଠିଲା–ହଁ...ହଁ । ସବୁ କଥାକୁ ଯଦି ଏତେ ଡର, ତେବେ ନିଆଁରେ ଝାସ ଦେବାକୁ ଚେଷ୍ଟା କରୁଛ କାହିଁକି ?

 

ନିଆଁରେ ଝାସ ଦେବାକୁ ତ ମତେ ଭଲ ଲାଗେ ଚାନ୍ଦ । ନରେନ୍ ଚାନ୍ଦର କାନ୍ଧକୁ ଧରି କହିଲା ।

 

ଚାନ୍ଦ ତା’ର କନ୍ଧରୁ ନରେନ୍‍ର ହାତକୁ ଛଡ଼ାଇ କହିଲା–କିନ୍ତୁ ନିଆଁରେ ଯେଉଁମାନେ ଝାସ ଦିଅନ୍ତି, ସେମାନେ ତ ନିଆଁକୁ ଡରନ୍ତି ନାହିଁ ।

 

ମୁଁ ତ ଡରେନା । ନିଆଁରେ ପୋଡ଼ିହବାକୁ ଡରିବି କାହିଁକି ?

 

ତେବେ ବୋଉ ଅଛି କି ନାହିଁ, କଥା ପଚାରୁଥିଲ କାହିଁକି ?

 

ଭୁଲ୍ ହେଇଚି ।

 

ବାପା ତୁମ ଉପରେ ରାଗିଛନ୍ତି ।

 

ମୁଁ କ’ଣ କରିବି ?

 

ତୁମେ ଛେନାଗୁଡ଼ଟା କରିବ ? ତମେ ତାଙ୍କ ସାଥିରେ ଗପୁଥିଲ କାହିଁକି ?

 

ମୁଁ ତ ତାଙ୍କ ସାଥିରେ ଗପିନି । ସେ ମୋ ସାଥିରେ ଗପ ଆରମ୍ଭ କଲେ ।

 

ମତେ ଯଦି ପାଇବାକୁ ଇଚ୍ଛା କର, ତାଙ୍କୁ ରଗେଇବନି । ବୁଝିଲ ?

 

ହଁ ବୁଝିଲି ।

 

ତମେ କିଛି ବୁଝିନ । ବାପାଙ୍କୁ ରଗେଇଲେ ବାପା ତୁମକୁ ମୋ ସାଥିରେ ମିଶିବାକୁ ମନା କରିବେ । ବାପାଙ୍କୁ ଖୋସାମତ୍ କରିବା ଦରକାର । ବୁଝିଲ ?

 

ବୁଝିଲି ।

 

ବାପା ଯାହାକୁ ହଁ କହୁଛନ୍ତି, ତମେ ତାକୁ ହଁ କହିବ । ବାପା ଯାହାକୁ ନାହିଁ କରୁଛନ୍ତି, ତମେ ତାକୁ ନାହିଁ କରିବ । ବୁଝିଲ ?

 

ବୁଝିଲି । ବୁଝିଲି ।

 

ନରେନ୍‍କୁ କୁଣ୍ଢାଇ ଧରି ଚାନ୍ଦ କହିଲା–ତେବେ ସବୁ ବୁଝି ତାଙ୍କ ସାଥିରେ କାହିଁକି ଲଗାଇଥିଲ ! ଆଚ୍ଛା, କାଲି କୁଆଡ଼େ ଯାଇଥିଲା ?

 

କାମ ଥିଲା ।

 

ନରେନ୍‍କୁ ତା’ର ଛାତିରୁ ପେଲି ଦେଇ ଚାନ୍ଦ କହିଉଠିଲା–ମୋ ପାଖକୁ ଆସିବା ତମର କ’ଣ କାମ ନୁହେଁ ? ମୋଠାରୁ ବଳି ଯଦି ତମର ବଡ଼ କାମ ଅନ୍ୟ କୋଉଠି ଅଛି, ତେବେ ସତ କହୁଚି, ତୁମସାଙ୍ଗେ ଆଦୌ କଥା କହିବିନି ।

 

ଆରେ, ତୁ ରାଗିଲୁ !

 

ମୁଁ କାହିଁକି ତୁମ ଉପରେ ରାଗିବି । ତୁମର ମନ ଉପରେ ମୁଁ କ’ଣ ରଜା କି ?

 

ଭୁଲ୍ କହିଲୁ ଚାନ୍ଦ, ରଜା ନୁହ ରାଣୀ । ତୁ ମୋ ମନ ଉପରେ ଏକ ବିଶୁଦ୍ଧ ରାଣୀ । ରଜା ହେବୁ କାହିଁକି ?

 

ଖାଲି କଥା କହି ଜାଣ । କାଲି ତମେ ଆସିଲନି । ତୁମକୁ ଅନେଇ ଅନେଇ ମୁଁ ଯାହା ହେଇଛି !

 

କ’ଣ ହେଇଛ ?

 

କ’ଣ ହେବି ? ଏଇ ତମେ କହିଲ ଯେ... !

 

ଯା...ବଡ଼ ଦୁଷ୍ଟ ତମେ । ତମେ ତ ଆସିଲନି । ତମେ ନ ଆସିଲେ ମୋର ପୁଣି କ’ଣ ହବ ଯେ !

 

କ’ଣ କହିଲୁ ? ତୋର କିଛି ହବନି ?

 

ନା... । ପାଟିରେ ପଣତକୁ କାମୁଡ଼ି ଚାନ୍ଦ ମୃଦୁ ହସୁଥିଲା ।

 

ତେବେ ଯଦି କିଛି ହବନି; ମୁଁ ଯାଉଛି । ନରେନ୍ କହିଲା ।

 

କୁଆଡ଼େ ଯିବ ?

 

ଘରକୁ ଯିବି, ଆଉ କୁଆଡ଼େ ?

 

ତା’ର ନେଳିନେଳି ଆକାଶୀ ଆଖିରେ ଗୁଡ଼ାଏ ଖେଳ, ଗୁଡ଼ାଏ ଚହଳ, ଗୁଡ଼ାଏ ଝିରିଝିରି ବକୁଳର ଝରଣା ଖେଳାଇ ଚାନ୍ଦ ନରେନ୍‌ର ହାତଧରି କହିଲା–ମୁଣ୍ଡରେ କିଛି ନାଇଁ । ଏଇମିତି ଆସୁଆସୁ ଚାଲିଯିବ ? ଖାଲି ସଦାବେଳେ ରାଗ !

 

ନରେନ୍ ହସି ପକାଇଲା । ଚାନ୍ଦର ହାତକୁ ଚାପିଧରି କହିଲା–ମୁଁ ତୁମକୁ ସତେ କ’ଣ ରାଗିପାରେ ? ତୁମକୁ ଦେଖିଲେ ମୋର ରାଗ, ରୁଷା ସବୁ ଚାଲିଯାଏ ।

 

ଚାନ୍ଦ ହସିଲ । ନରେନ୍‌ର ମୁହଁକୁ ଚାହିଁଲା । ପୁଣି ଆଖି ତଳକୁ କଲା । ସରମରେ କେଜାଣି କାହିଁକି ଚାନ୍ଦର ମୁହଁଟି ଝାଉଁଳି ପଡ଼ିଲା । ନରେନ୍ ଦେଖିଲା–ଚାନ୍ଦର କାନ ଦୁଇଟି ନାଲି ପଡ଼ିଯାଇଛି । ଗାଲ ଦୁଇଟି ନାଲି ପଡ଼ି ଯାଇଛି । ନାକପୁଡ଼ା ଫୁଲିଉଠିଛି । ଓଠ ଦୁଇଟି ଥରିବାରେ ଲାଗିଛି । କପାଳରେ ବିନ୍ଦୁବିନ୍ଦୁ ଝାଳର କଣିକା । ଛାତି ଘନ ଶ୍ଵାସରେ କମ୍ପୁଚି ।

 

ନରେନ୍‌ ସେହିପରି ଚାନ୍ଦର ହାତ ଧରିଥିଲା ।

 

ଏଇ ଝୁଅଟା ଏଇନା ଯେ ଏତେ କଥା କହି ଯାଉଥିଲା, ଅବିରାମ ଗତିରେ, ଠିକ୍‌ ଏକ ପ୍ରଗଳ୍‌ଭା ଝରଣା ପରି, ହଠାତ ଏମିତି କ’ଣ ହେଲା ଯେ, ତା’ର ତୁଣ୍ଡରୁ ସବୁ କଥା କୁଆଡ଼େ ହଜିଗଲା ? ଝରଣାଟିର ଗତି ଧିମା ପଡ଼ିଗଲା ?

 

ସେମାନେ ସେହିପରି ପରସ୍ପରର ଦୁଇ ହାତକୁ ଧରିଥିଲେ । ସେମାନେ ନୀରବ ଥିଲେ-। କିନ୍ତୁ ସେହି ନୀରବତା ଭିତରେ ପରସ୍ପର ଦୁଇଟି ହୃଦୟର ଗୋପନୀୟ ଭାଷା ବୁଝିବାକୁ ଚେଷ୍ଟା କରୁଥିଲେ । ସେମାନେ ଉଭୟଙ୍କ ପାଇଁ ସେମାନଙ୍କର ହୃଦୟରେ କେତେ ସ୍ନେହ, କେତେ ମମତା, କେତେ ସହାନୁଭୂତିର ସମ୍ପଦ ଲୁଚାଇ ରଖିଥିଲେ, ସେହି ସମ୍ପଦର ଗୋପନ ଭଣ୍ଡାରକୁ ଉଦ୍‌ଘାଟନ କରିବାପାଇଁ ଚେଷ୍ଟା କରୁଥିଲେ ।

 

ଚୁପ୍‌ଚାପ୍‌ ଘର । ଚୁପ୍‌ଚାପ୍‌ ଘରର ଅଗଣା । ଚୁପ୍‌ଚାପ୍‌ ସବୁ । ଚୁପ୍‌ଚାପ୍‌ର ଅଖଣ୍ଡ, ଅବିଚ୍ଛିନ୍ନ, ଅସରନ୍ତି ଚୁପ୍‌ଚାପ୍‌ । କେହି ନାହାନ୍ତି । କେହି ନାହାନ୍ତି । ମାଉସୀ କୁଆଡ଼େ ଯାଇଛନ୍ତି । ମଉସା ଦାଣ୍ଡ ପାଖ ଘରେ କ’ଣ କରୁଛନ୍ତି । କିନ୍ତୁ ସେଇ ଚୁପ୍‍ଚାପ୍ ।

 

ଗୋଟିଏ ପୁଅ ଗୋଟିଏ ଝିଅ, ପରସ୍ପରକୁ ନିକଟରେ ସେମାନେ ପାଇଥିଲେ । ଆଜି ହୁଏତ ସେହି ପୁଅଟିର ପୁଞ୍ଜୀଭୂତ ଭାବପ୍ରବଣତା, ସ୍ଵପ୍ନ ବିଳାସ, କାମନା ପିପାସା, ଯାହା ସେ ତା’ର କୈଶୋରରୁ ଏ ପର୍ଯ୍ୟନ୍ତ ସମ୍ପାଦି ରଖିଥିଲା ତା’ର ଅଗୋଚରରେ ତା’ର ଅନ୍ତର ଭିତରେ, ତାହା ଯେପରି ଫିଟି ପଡ଼ି ସେହି ସୁକୁମାରୀ ଝୁଅଟିକୁ ଆପାଦମସ୍ତକ ଗାଧୋଇ ଦେବାରେ ଲାଗିଛି । ତା’ର ଉଦାମ ଯୌବନର କଳ୍ପନା, ତା’ର ଯୁବଜାନି ସୁଲଭ ଚଞ୍ଚଳତା ତା’ର ଅନ୍ତରର ଗୋପନୀୟ ଫାଲ୍‌ଗୁ ଯେପରି ସେହି ସାଥୀଟିକୁ ସାତତାଳ କରି ଡୁବାଇବାରେ ଲାଗିଛି ।

 

ନରେନ୍‌ ଚାନ୍ଦକୁ ପାଖକୁ ଭିଡ଼ି ଆଣିଲା ।

 

ଏ ଲୁଗାତଳେ ଚାନ୍ଦ କ’ଣ ରଖିଛି ? କ’ଣ ସାଇତି ରଖିଛି ତା’ର ଶୈଶବରୁ ଆଜିଯାଏଁ-? କ’ଣ ଲୁଚାଇ ରଖିଛି ରଙ୍କୁଣୀ ପରି ? ଗୋଟିଏ ଧୋବ ଫରଫର ବର୍ଦ୍ଧିଷ୍ଣୁ ଦେହ । ଗୋଟିଏ ଦାଗ ବିହୀନ, ବିସ୍ମୟକର ଦେହ । ଗୋଟିଏ ଘଷାମଜା, ପାଲିସ୍‌କରା ମସୃଣ, ସ୍ନିଗ୍‌ଧ, କୋମଳ ଦେହ ସେହି ଲୁଗା ଭିତରେ ସୁଡ଼ୁବୁଡ଼ୁ ଝାଳରେ ଗାଧୋଇବାରେ ଲାଗିଛି ।

 

ନରେନ୍‌ ତରତରରେ ଚାନ୍ଦକୁ ଭିଡ଼ି ଆଣି ତା’ର ଦୁଇ ହାତରେ ଚାନ୍ଦର ଛୋଟ ମୁହଁଟିକୁ ଧରିଲା ।

 

ସେ ହୁଏତ ଏକ ଦୁଗ୍ଧ ମିଳିନ୍ଦ । ସେ ହୁଏତ ଚାନ୍ଦର ଲଜ୍ଜାମେଦୁର ଗୁଲାଲ ମୁଖ ଗୋଲାପ ନିକଟରେ ଫାଜିଲାମି କରୁଛି କିମ୍ବା ପ୍ରେମ ସଙ୍ଗୀତ ଗାନକରି ଯାବତ୍ ତୋଷାମଦି କରୁଛି-। ମଧୁଲୁଣ୍ଠନ କରିବାପାଇଁ ଅଜସ୍ର ଚେଷ୍ଟା କରୁଛି ।

 

ନରେନ୍‌ ଚାନ୍ଦର ଗାଲ ଉପରେ ଦୁଇ ହାତରେ ଧୀର ଚାପ ଦେଲା । ମୃଦୁ ଚାପ । ଆଖି ବୁଜି ଚାନ୍ଦ ମୃଦୁ ହସୁଛି । ନରେନ୍ ଚାନ୍ଦର ବାହୁ ଉପରେ ଧୀର ଚାପ ଦେଲା । ତା’ର ଦୁଇ ବାହୁକୁ ନିଜ ହାତରେ ଚାପି ଧରିଲା । ଚାନ୍ଦ ସେହିପରି ମୃଦୁ ହସୁଥିଲା । ନରେନ୍ ଚାନ୍ଦକୁ ନିଜର ଛାତି ଉପରେ ଆଉଜାଇ ନେଲା । ସେଇ ନିବିଡ଼ ଆଶ୍ଳେଷ ଭିତରେ ଏକ ନରମ ମହମ ପିତୁଳା ପରି ଚାନ୍ଦ ନରେନ୍‍ ଛାତିରେ ମିଶିଗଲା । ସେ ଅନୁଭବ କଲା, ହଠାତ ତା’ ଦେହରେ ଏକ ତଡ଼ିତ୍‌ ପ୍ରବାହ ଖେଳିଯାଉଛି । ଆରେ..., ନରେନ୍‌ର ଚପଳ ବାଁ ହତଟା ତା’ର ମଥାର କେଶକୁ ଆଲୁଳାୟିତ କରି ପକାଉଛି, ଆଉ ସେ ଦୁଷ୍ଟ ଡାହାଣ ହାତଟା ତା’ର ଛାତି ଭିତରେ କ’ଣ ଖୋଜିଯାଉଛି ? ବୁଲି ଆସୁଛି । ତା’ର ଅନୁଚ୍ଚ ବକ୍ଷ ମଣ୍ଡଳରେ ଏ କି ଶିହରଣ । ଏ କି ପୁଲକ ! ଏ କି କଦମ୍ବର ରୋମାଞ୍ଚକ ! ଶୀତ୍କାରରେ ଚାନ୍ଦ ଥରିଉଠିଲା । ଲଜ୍ଜାରେ, ଭୟରେ ସଙ୍କୋଚରେ ଆଉ ନିହାତି ଅଭୂତପୂର୍ବ, ଅନନୁଭୂତ ମାଦକ ନିଶାର ଆସ୍ଵାଦନରେ ଚାନ୍ଦର ସାରା ଦେହଟା ଝାମ ଖାଇଗଲା । ତା’ ଦେହରେ ଯେଉଁ ତଡ଼ିତ୍‌ ପ୍ରଭାବ ଖେଳି ବୁଲୁଥିଲା, ତାହା ଦୋହରେଇ ହେଇ ଖେଳିବାକୁ ଲାଗିଲା । ସେ ହଠାତ ଆବେଗରେ କହିପକାଇଲା–ଆରେ..., ଛାଡ଼ନା– ! ସେମିତି ଯଦି ମୋ ସାଥିରେ ଲାଗି ମତେ କୁତୁକୁତୁ କରିବ, ତେବେ ମୁଁ କାନ୍ଦିବି !

 

ନରେନ୍‌ ଚାନ୍ଦକୁ ଛାଡ଼ିଦେଇ କହିଲା–କାନ୍ଦିବୁ ?

 

ହଁ..., କାନ୍ଦିବି । ଖୁବ୍‌ ପାଟିକରି କାନ୍ଦିବି ।

 

ନରେନ୍‌ ବ୍ୟସ୍ତଭାବେ ପଚାରିଲା–କିନ୍ତୁ କାହିଁକି ?

 

ତମେ ମୋ ସାଥିରେ ଏପରି ଲାଗୁଚ କାହିଁକି ? କାନ୍ଦିବିନି ଆଉ କ’ଣ ହସିବି ? ମତେ ଲାଜ ଲାଗୁଛି ! ଫିଟିଯାଇଥିବା କେଶ ଗଣ୍ଠିକୁ ଚାନ୍ଦ ସଜାଡ଼ି କହିଲା ।

 

ନରେନ୍ ଫିସ୍‌ଫିସ୍ ହସିବାକୁ ଲାଗିଲା ।

 

ପ୍ରକୃତରେ ସେ ତ ନିଜେ ଜାଣି ନଥିଲା ଚାନ୍ଦକୁ ଏପରିଭାବେ ତା’ର ଛାତି ଉପରେ ଚାପି ଧରିବ ବୋଲି ! ସେ ନିଜେ କେବେ ଚାନ୍ଦକୁ ଏପରି ନିବିଡ଼ଭାବେ ଧରିବ ବୋଲି ଭାବି ତ ନଥିଲା ! ତା’ର ଉଦ୍‌ଭିନ୍ନ ବକ୍ଷକୁ ସ୍ପର୍ଶ କରିବ ବୋଲି କେବେ ଚିନ୍ତା ତ କରି ନଥିଲା ! କିନ୍ତୁ ଆଗରୁ ଚିନ୍ତା ନକରି, ନଜାଣି ଏଇ ବର୍ତ୍ତମାନ ଏସବୁ କ’ଣ ଘଟିଗଲା । ତା’ର ପ୍ରତି ଶିରାପ୍ରଶିରାର ରକ୍ତକଣିକାରେ ଏପରି କ’ଣ ଏକ ଅଜଣା ଉନ୍ମାଦନା ଜାଗିଉଠିଲା କେଜାଣି, ହଠାତ ସେ ତା’ର ଚାନ୍ଦର ମୁହଁ ଉପରେ ଢାଳି ଦେଲା କେତୋଟି ପ୍ରେମ ଚୁମ୍ବନ ?

 

ନରେନ୍‌କୁ ସବୁ ନୂଆନୂଆ ଲାଗିଲା । ସବୁ ନୂଆନୂଆ । ସେ ଆଜି କେଜାଣି କେମିତି ନୂଆ ହୋଇଯାଇଛି । ତା’ର ମନଟା କେମିତି ଆଜି ନୂଆ ହେଇଯାଇଛି । ଚାରିଆଡ଼ ନୂଆପରି ଦିଶୁଛି । ଏ ଘର, ଏ ଝରକା, ଏ ଘରର ଆସବାବ, କେବଳ ସେତିକି ନୁହେଁ ଏ ଗଛ, ଏ ଆକାଶ, ଏ ପୃଥିବୀ ସବୁସବୁ ନୂଆ ହୋଇଯାଇଛି ।

 

ଆଉ ସେଇ ନୂଆ ଭିତରେ ସବୁଠାରୁ ବଳି ନୂଆ ଏଇ ଚାନ୍ଦ ଠିଆହୋଇଛି । ଲଜ୍ଜା, ସଙ୍କୋଚ, ସମ୍ଭ୍ରମରେ ଗାଧୋଇ ପଡ଼ି ସେ ଅସାଧାରଣ ସୁନ୍ଦରୀ ଦିଶୁଛି । ନରେନ୍‌କୁ ଖୁସି ଲାଗିଲା । ସେ ଖୁସି ହେଇଗଲା, ଏଇଥିପାଇଁ ଯେ, ସେ ଗୋଟିଏ ବାଳିକାର ଲଜ୍ଜା ସଙ୍କୋଚର କାରଣ ହେଇପାରିଛି । ତାକୁ ଖୁସି ଲାଗିଲା ଏଇଥିପାଇଁ ଯେ, ତା’ର ପ୍ରମାଣିତ ପୌରୁଷର ବଳିଷ୍ଠ ସ୍ଵାକ୍ଷର ଦେଖି ଗୋଟିଏ ବାଳିକା କାତର ହୋଇପଡ଼ିଛି । ଝାଉଁଳି ପଡ଼ିଛି । ସରମରେ ଜରଜର ଘାରିହଉଛି-

 

ନରେନ୍‌କୁ ଜଣାଗଲା, ସେ ବୋଧହୁଏ ଗୋଟାଏ ମହାମରଦ । ସେ ସେହିପରି ହସିହସି ଚାନ୍ଦକୁ ଚାହିଁଲା । ଦେଖିଲା–ସେଇ ଚଉଦବର୍ଷର ବାଳିକାଟି ଏକ କୁଣ୍ଠିତା, ଭୀରୁ ଯକ୍ଷ କନ୍ୟାପରି ଘରର କବାଟ କୋଣରେ ଠିଆହେଇଛି, ଏବଂ ତା’ର ଗଣ୍ଡଫଳକରୁ ନରେନ୍‌ ଦେଇଥିବା ପ୍ରେମର ଦାଗକୁ ପଣତକାନିରେ ପୋଛିବାରେ ଲାଗିଛି । କାନିରେ ରଗଡ଼ି ରଗଡ଼ି ଗାଲକୁ ନାଲି କରୁଛି ।

 

ନରେନ୍‌କୁ ତା’ ଆଡ଼େ ଚାହିଁଥିବାର ଦେଖି ଚାନ୍ଦ କହିଲା–ହସ ଲାଗୁଛି, ନାହିଁ ? ଏମିତି ଦୁଷ୍ଟାମି କରିବ ବୋଲି ଯଦି ମୁଁ ଆଗରୁ ଜାଣିଥା’ନ୍ତି, ତେବେ ତୁମ ପାଖକୁ କଦାପି ଆସିନଥା’ନ୍ତି । ବଡ଼ ଦୁଷ୍ଟ ତମେ ! ଆଉଥରେ ଯଦି ଲାଗ, ବଡ଼ପାଟିରେ କାନ୍ଦିବି ।

 

ନରେନ୍‌ ହସିଉଠି ହାତ ବଢ଼ାଇଲା । କିନ୍ତୁ ଚାନ୍ଦ କହିଲା–ଛୁଅଁନା । ଛୁଅଁନା ।

 

ନରେନ୍‌ ଆଶ୍ଚର୍ଯ୍ୟ ହେଇଉଠିଲା । କ’ଣ କହୁଛି ଏ ଝୁଅଟା ! ନିଜେନିଜେ ଏଇ କିଛି ସମୟ ତଳେ ତା’ର ବେକରେ ଓହଳି ପଡ଼ିଥିଲା । ମାଉସୀ ନାହାନ୍ତି ବୋଲି ଯେତେବେଳେ ନରେନ୍‌ ତାକୁ ପଚାରିଥିଲା, ତା’ର ପ୍ରତ୍ୟୁତ୍ତରରେ ସେ ରାଗିଯାଇ କହିଲା–ଓଲୁ ! ବୋଉ ଥିଲେ ତୁମ ବେକରେ ମୁଁ ଓହଳି ପଡ଼ିନଥା’ନ୍ତି । କିନ୍ତୁ ବର୍ତ୍ତମାନ କହୁଛି–ଏମିତି ଯଦି ଲାଗିବ, ତେବେ ମୁଁ କାନ୍ଦିବି-। ଛୁଅଁନା । ଛୁଅଁନା ।

 

ନରେନ୍‍ର ମନେ ହେଲା ତା’ର ଏଇ ସାଥୀଟି ପୃଥିବୀର ସବୁଠାରୁ ଏକ ନିହାତି ଜଟିଳତମ ଗଣିତ । ତାକୁ ସେ ଯେତେ ବୁଝିବାକୁ ଚେଷ୍ଟା କରୁଛି, ବୁଝିପାରୁନି । ଯେତେ ସହଜ-ସରଳ କରିବାକୁ ଚେଷ୍ଟା କରୁଛି, କରିପାରୁନି । ସେ ସେଇମିତି ଦୁର୍ବୋଧ୍ୟ ହୋଇ ରହିଛି । ଯାହାକୁ ଗୁଣି ହଉନି କି ହରି ହଉନି, ଫେଡ଼ି ହଉନି କି ମିଶେଇ ହଉନି । ସେହି ଧାଡ଼ିକ ଜଟିଳ ଗଣିତ । ମଣିଷ ରୂପ ଧାରଣ କରି ବାହାରକୁ କିନ୍ତୁ ଅତି ସୁନ୍ଦର ଏବଂ ସରଳ ଦିଶୁଛି ।

 

ତୁମେ ତ ମୋ ସାଥିରେ ଲଗେଇଛ, ବସିବି କେମିତି ?

 

ବସ । ସେମିତି ଠିଆ ହେଇଛ କାହିଁକି ?

 

ଆଉ ଲାଗିବିନି ।

 

ଭଲ । ଝିଅମାନଙ୍କ ସାଥିରେ ସେମିତି ଆଉ ଲାଗିବନି । ତମେ ରୁହ ମୁଁ ଆସେ ।

 

ଚାନ୍ଦ ଘରୁ ଚାଲି ଯାଉଥିଲା ।

 

କୁଆଡ଼େ ଯାଉଛୁ ?

 

ଜଳଖିଆ ଆଣେ । ଖାଇବନି ?

 

ନା... ।

 

ହଉ ମୁଁ ଆଣିସାରେ । ତା’ପରେ ଦେଖିବା ତମେ ଖାଉଛ ନା ମୁଁ ଖାଉଛି ।

 

ଚାନ୍ଦ ଘରୁ ଚାଲିଗଲା ।

 

ନରେନ୍‌ ସେହିପରି ବସିରହିଲା ।

 

ତାକୁ ଅସ୍ଵସ୍ତି ଲାଗିଲା । ତା’ର ମନକୁ ବୋଧହୁଏ ଅଳ୍ପ ଭୟ ଘେରିଯାଇଥିଲା । ଅଳ୍ପ ନିଷ୍କ୍ରିୟତା ଘେରି ଯାଇଥିଲା । ସେ ଛନଛନ ହେଇ ଚାରିଆଡ଼କୁ ଚାହିଁଲା–ଯଦି ତା’ର ଏପରି ଆଚରଣକୁ କିଏ ଦେଖି ନେଇଥାଆନ୍ତା । ତେବେ... ?

 

ତା’ଛଡ଼ା ଏଇ ଚାନ୍ଦଟା କି ଦୋରସ୍ତ ଚାଲାକ ! କେତେବେଳେ କ’ଣ କହୁଛି, କିଛି ବୁଝିହଉନି । ତା’ ମନ ମାଫିକେ ତା’ର କାରବାର ।

 

କ’ଣ ଭାବୁଛ ?

 

ଉଁ... ?

 

ଥାଳିଆରେ ଜଳଖିଆ ଆଉ ହାତରେ ପାଣି ଗ୍ଲାସ ଧରି ଚାନ୍ଦ ଠିଆହେଇଛି । ଚୁପ୍‌ଚୁପ୍‌ ହସୁଛି । ଅବିଚଳ । ନିର୍ବିକାର । ସତେ ! ବର୍ତ୍ତମାନ କ’ଣ ଘାଟିଯାଇଛି ତାକୁ ନେଇ, ସେ କଥା ସେ ଯେପରି ଆଦୌ ଜାଣିନି । ଏଇ ତା’ର ଦେହ ଉପରେ ଏଇ ବର୍ତ୍ତମାନ ଯେଉଁ ।

 

ନିଅ...ଜଳଖିଆ ଖାଅ ।

 

ଖାଇବାକୁ ତ ଇଚ୍ଛା ନାହିଁ ।

 

ତମପାଇଁ ସିନା ଇଚ୍ଛା ନାହିଁ, ମୋପାଇଁ ଖାଅ ।

 

ନରେନ୍ ଚାନ୍ଦର ମୁହଁକୁ ଚାହିଁଲା ।

 

ଚାହିଁଛ କ’ଣ ଖାଅ । ଗୋଟାଏ ଲଡ଼ୁ ଜବରଦସ୍ତି ଚାନ୍ଦ ନରେନ୍‍ର ପାଟିରେ ମାଡ଼ିଦେଲା-। ନରେନ୍‌ କ’ଣ କହିବ କିଛି ଠିକ୍‌ କରିପାରିଲା ନାହିଁ । ଅଗତ୍ୟା ଖାଇବାକୁ ବାଧ୍ୟ ହେଲା-

 

କାଲି ତ ଆସିଲନି । ପୁଣି କାଲି ଆସିବ ନା ନାହିଁ ?

 

ହଁ ନିଶ୍ଚୟ ଆସିବି ।

 

କେଜାଣି, ତୁମ କଥାରେ କୋଉ ଠିକ୍‌ ଅଛି ?

 

ନାହିଁ, କଥା ଦଉଛି, କାଲି ନିଶ୍ଚୟ ଆସିବି ।

 

କାଲି କି କାମ ଥିଲା ?

 

ଏଇ, ଲେଖାଲେଖିରେ ବ୍ୟସ୍ତ ଥିଲି :

 

କ’ଣ ଲେଖୁଛ ?

 

ଗପଟାଏ... ।

 

ଗପ କ’ଣ ବା... ? କହିବ ତ କଥା ନଇଲେ କାହାଣୀ । ବାପା କୁହନ୍ତି, ତୁମେ ଯାହା ଲେଖୁଛ ସେ ସବୁ ବାଜେ ।

 

ନରେନ୍‌ ଆହତ ଗଳାରେ କହିଲା–ହଁ..., ବାଜେ ହେଇପାରେ, କିନ୍ତୁ ଚେଷ୍ଟା କରୁଛି ଭବିଷ୍ୟତ୍‍ରେ ଭଲ ଲେଖିବି ବୋଲି ।

 

ମୁଁ ବି ସେଇଆ ବାପାଙ୍କୁ କହୁଥିଲି । ଆଜିଠୁ ଲେଖାଲେଖି କଲେ ଭବିଷ୍ୟତ୍‍ରେ ତୁମେ ବଡ଼ ଲେଖକ ହବ । ବାପା କିନ୍ତୁ ତୁମ ଲେଖାକୁ ପସନ୍ଦ କରନ୍ତିନି । ସେ ଚାହାନ୍ତି ଅବୋଲକରା କାହାଣୀ । ଦଶକୁମାର ଚରିତ ଭଳି କାହାଣୀ ପଢ଼ିବାକୁ ସୁଖ ପାଆନ୍ତି ।

 

ଗମ୍ଭୀର ହେଇ ନରେନ୍ କହିଲା–ହୁଁ.... !

 

ମୁଁ ଯେତେବେଳେ ତୁମେ ବଡ଼ ଲେଖକ ହେବ ବୋଲି ବାପାଙ୍କୁ କହିଲି, ବାପା ହସିଲେ-

 

କ’ଣ କହିଲେ ?

 

କହିଲେ–ବଡ଼ ଲେଖକ ହବନି । ବଡ଼ ମୂର୍ଖ ହେଇଯିବ । ସରସ୍ଵତୀ ଯାହା ଘରେ ରହନ୍ତି ଲକ୍ଷ୍ମୀ ଠାକୁରାଣୀ ତା’ ଘରୁ ପଳାଇ ଯାଆନ୍ତି ।

 

ହୁଁ... ।

 

ବାପା ଲେଖକମାନଙ୍କୁ ଚିଡ଼ନ୍ତି ।

 

କାହିଁକି ?

 

ସେ କହନ୍ତି କାମ କର । ହାଡ଼ ଭାଙ୍ଗି କାମକର । ଝାଳ-ନାଳ ହେଇ କାମ କର । ଟଙ୍କା ଆସିବ ! ବଡ଼ ହବ । ନିକମା ହେଇ କଥା ଲେଖନା ।

 

ଲେଖିବାଟା କ’ଣ କାମ ନୁହେଁ ?

 

କେଜାଣି କାମ କି ଅକାମ ମୁଁ ଜାଣେନା । ମୋର ଏତେ ବୁଦ୍ଧି କାହୁଁ ଆସିବ ? କିନ୍ତୁ ବାପା କହୁଛନ୍ତି, ଲେଖକମାନଙ୍କ ଦ୍ଵାରା ଖଡ଼ା ସିଝେନା ।

 

ତୁ କ’ଣ କହୁଛୁ ?

 

ମୁଁ କହୁଛି ଯେ, ତମେ ଏଇ ନଭେଲ୍‌ କଥା ନ ଲେଖି ଭଜନ ଲେଖ । ଚଉତିଶା ଲେଖ ।

 

ଭଜନ ଲେଖିବି ? ଚଉତିଶା ଲେଖିବି ?

 

ହଁ...ଏଇ କାର୍ତ୍ତିକ ମାହାତ୍ମ୍ୟ, ଜହ୍ନି ଓଷା, ବାଟଓଷା ଗୀତ ।

 

କିନ୍ତୁ କାହିଁକି... ?

 

ବାପା ପଢ଼ିବେ । ବୋଉବି ପଢ଼ିବ ।

 

ହୁଁ... ।

 

ମୋପାଇଁ ସଙ୍ଗୀତ ପାଚିଲାକଦଳୀ, ଜେମାଦେଈ କାନ୍ଦ କି ଶଶୀଦେଈ କାନ୍ଦ ଲେଖ । ନଇଲେ ନଈବଢ଼ି ଗୀତ ଲେଖ ।

 

ନରେନ୍‌ ବୋକଙ୍କ ପରି ଜୁଳୁଜୁଳୁ ହେଇ ଚାନ୍ଦର ମୁହଁକୁ ଚାହିଁ ରହିଥିଲା । ଚାନ୍ଦର ଆଖିର ତାରା ଦୁଇଟି କେଜାଣି କାହିଁକି ଉଜ୍ଜ୍ଵଳତାରେ ପୂରି ଉଠିଛି । ସେ ଖୁବ୍‌ ଉତ୍ସାହିତ ହେଇ କହି ଯାଉଥିଲା । ଆଉ ପାଠ ପଢ଼ନି ।

 

ନରେନ୍‌ ଆଶ୍ଚର୍ଯ୍ୟ ହେଇ ପଚାରିଲା–କ’ଣ କହିଲୁ ପାଠ ପଢ଼ିବିନି ? ପାଠ ପଢ଼ିବିନି କାହିଁକି ?

 

ପାଠ ପଢ଼ିଲେ ସାହେବମାନେ କୁଆଡ଼େ କିରସ୍ତାନ କରି ଦଉଛନ୍ତି ।

 

ଏକଥା କିଏ କହିଲା ?

 

ବାପା କହୁଛନ୍ତି ।

 

ନରେନ୍‌ ବିରକ୍ତ ହେଇ କହିଉଠିଲା–ତୋ ବାପାତ ସବୁ କହୁଛନ୍ତି !

 

ହଁ..., ସେ ସବୁ କହୁଛନ୍ତି, ଚାନ୍ଦର ଉପଦେଶ ସେହିପରି ଅବିରାମ ଥିଲା–ବାପା କହୁଛନ୍ତି ପାଠ ପଢ଼ିଲେ–ଇଂରାଜୀ ପଢ଼ିଲେ ସାହେବମାନେ କିରସ୍ତାନ କରିଦେବେ । କିରସ୍ତାନ ନ ହେଲେ ଜେଲ୍ ଦେବେ ।

 

ଓଃ... ! ଏ ସବୁ ତାଙ୍କ ମୁଣ୍ଡରେ କିଏ ପୂରାଇଲା ?

 

ତମେ ପଠାଣ ହାତରୁ ପାଣି ପିଉଛ । କିରସ୍ତାନ ଘରୁ ହେଡ଼ା ଖାଉଛ । ଚାନ୍ଦ କରୁଣଭାବେ କହିଲା, ସତେ ଯେପରି ଗଳା ତା’ର ବହୁଦିନରୁ ସଂଶିତ ଏକ ତପ୍ତ ଝଡ଼ର ବିକ୍ଷୋଭରେ ଥରୁଛି ।

 

ବାଜେ କଥା ।

 

ବାପା କହୁଛନ୍ତି ତୁମର ଜାତି ନାହିଁ ।

 

ତୁ କ’ଣ କହୁଛୁ ? ମୁଁ ତ ତୁମରି ଜାତି !

 

ବାପା ଯାହା କହୁଛନ୍ତି, ମୁଁ ସେଥିରୁ ନିଆରା କ’ଣ କହିବି ! ତମ ବେକରେ ମାଳି ନାହିଁ । ଯାହା ବେକରେ ମାଳି ନଥାଏ, ସେ ପଠାଣ । ତା’ ହାତରୁ ଦିଅଁଦେବତା ପାଣି ଛୁଅଁନ୍ତି ନାହିଁ । ଏସବୁ ଅନ୍ୟାଚାର ପାଇଁ ବାପା ରାଗୁଛନ୍ତି ।

 

ମୁଁ କିଛି ତ ଅନ୍ୟାଚାର କରୁନି ।

 

ଚାନ୍ଦ ଅନୁନୟ ଗଳାରେ କହିଲା–ତମେ ଆଉ ସେ କଲେଜ ଫଲେଜ ଯାଅନି ।

 

କାହିଁକି ?

 

ଆମେ ବ୍ରାହ୍ମଣ । ଆମେ ଛତିଶ ପାଟକ ଭିତରେ ରଜା । ସେଠି ବାରଜାତି ତେରଗୋଳ ପାଠ ପଢ଼ୁଛନ୍ତି । ମୋ ରାଣ, ଆମର ପାଠ ଦରକାର ନାହିଁ ।

 

ନରେନ୍‌ ତା’ର ସାଙ୍ଗର ମୁହଁକୁ ଅନାଇଲା । ଯୋଉ ଆଖି ଏଇ ଅଧଘଣ୍ଟାକ ଆଗରୁ ବହୁତ କଥା କହି ଯାଉଥିଲା, ବହୁତ ତୀର ସନ୍ଧାନ କରୁଥିଲା, ଉଜ୍ଜ୍ଵଳତମ ଆଭାରେ ଝଳି ଉଠୁଥିଲା, ସେଇ ଆଖି ବର୍ତ୍ତମାନ ଆଃ...କି କରୁଣଭାବେ ଝାଉଁଳିପଡ଼ିଛି ! ସେଇ ଆଖି ବାହାର ଦୁନିଆକୁ ଦେଖିବାକୁ ଏକଦମ ନାରାଜ । ବାହାରେ କ’ଣ ଘଟିଯାଉଛି, ବୁଝିବାକୁ ଏକଦମ ନାରାଜ । ବହଳ କଜଳଗାର ଭିତରେ ଦୁଇଟି ନିହାତି ନିରୀହ ଆଖି, ସରଳ ଆଖି କେବଳ ଲୁହରେ ଆଉ ଲୁହରେ ଗାଧୋଇବାକୁ ଲାଗିଛି, ଆଉ–

 

ନରେନ୍‌କୁ ବିକଳରେ ଚାହିଁଛି ।

 

ଜାତି... !

 

ଜାତି ଆଗରେ ଗୋଟିଏ ଚଉଦବର୍ଷର ଝିଅ ଠିଆ ହୋଇଛି ! ଚଉଦବର୍ଷର ଝିଅ । ଆଜକୁ ଚଉଦବର୍ଷ ତଳେ ସେ ଜନ୍ମ ହୋଇଥିଲା । ଜମାରୁ ଚଉଦବର୍ଷ । ଯାହାର ଦୁନିଆରେ କେବଳ ସୂର୍ଯ୍ୟ ଉଠନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି । ଚନ୍ଦ୍ରତାରା ଉଠନ୍ତି, ଯାଆନ୍ତି, ଦିନରାତି ହୁଏ । ଆଉ ସେ ଜାଣେ, ମଣିଷ ଜନ୍ମ ହେଇଛି କେବଳ ଖାଇବାପାଇଁ, ଶୋଇବାପାଇଁ, ଆଉ ମରିବାପାଇଁ, ଆଉ ସେ ବୋଧହୁଏ କିଛି ଜାଣେନା । ଦେହରେ ତା’ର କୁମ୍ଭପକା ଶୁଆପକ୍ଷୀଆ ମାଣିଆବନ୍ଦୀ । ନାକରେ ଲଗାଇଛି ନୋଳକ । କାନରେ ଲଗାଇଛି ଫାଶିଆ, ଝୁମୁକା । ହାତରେ ଲଗାଇଛି ତାଇତ । ଗୋଡ଼ରେ ଲଗାଇଛି ମଲ, ପାଉଁଜ । ଅଣ୍ଟାରେ ପିନ୍ଧିଛି ଚନ୍ଦ୍ରହାର, ଆଉ ତାର ସଯତ୍ନରେ ବନ୍ଧା ହେଇଥିବା ଜୁଡ଼ାକୁ ଲୁଗାର ପଣତରେ ଘୋଡ଼ାଇ ଯାକିଯୁକି ଘରର କବାଟକୁ ଆଉଜି ଠିଆ ହେଇଛି-

 

ହଁ, ଜାତି... !

 

ସେଇ ଜାତି ଆଗରେ ଠିଆ ହେଇଛି ଗୋଟିଏ ଅଠର ଊଣେଇଶବର୍ଷର ପୁଅ । ଆଜକୁ ଊଣେଇଶବର୍ଷ ତଳେ ସେ ଜନ୍ମ ହେଇଥିଲା । ଜମାରୁ ଅଠର ଊଣେଇଶବର୍ଷ, ଯାହାର ଦୁନିଆରେ କେବଳ ରଙ୍ଗ, ଭରା ବୈପ୍ଳବିକ ରଙ୍ଗ, ବୈପ୍ଳବିକ ସ୍ଵପ୍ନ, ସେ ଜାଣେ ସମାଜର ଯାବତୀୟ ଶୃଙ୍ଖଳକୁ ଛିନ୍ନ କରିବା, ପରମ୍ପରା ଉପରେ ହାଣିବ ଦାରୁଣ ଆଘାତ, ସମାଜର ତଥାକଥିତ ନୀତିନିୟମକୁ ଦୋହଲାଇ ଦବ । ସେ ଆଇ.ଏ . ପଢ଼ୁଛି । ପିନ୍ଧିଛି ଗୋଟାଏ ମୋଟାସୋଟା କାମିଜ । ବ୍ରାହ୍ମଣ ହେଇ ନିଶ ରଖିଛି । ବେକରେ ତୁଳସୀ ମାଳି ପିନ୍ଧିନି । ନିର୍ମାଲ୍ୟ ସେବା କରୁନି । ଗାୟତ୍ରୀ ପଢ଼ୁନି । ପଢ଼ୁଛି ସେକ୍‌ସପିୟର, ଓ୍ୱାଡ଼ସ୍‌ଓ୍ୟାର୍ଥ୍‌, ଶେଲୀ । ପଢ଼ୁଛି ଦୀପିକା ।

 

ନରେନ୍‌ ମୂକଭାବେ ବସି ରହିଥିଲା ।

 

ଆବେଗାକୁଳଭାବେ ଶୋକାଚ୍ଛନ୍ନ କଣ୍ଠରେ ଚାନ୍ଦ ତା’ର ହାତକୁ ଧରି ଦୋହଲାଇ ଦେଲା, କହିଲା–ସତ କୁହ, ତମେ ମତେ ବାହା ହବନା ?

 

ଚାନ୍ଦ !

 

ହଁ, ତମେ କଥା ଦିଅ, ତମେ ମତେ ବାହା ହବନା ?

 

ଏସବୁ ତୁ କ’ଣ କହିଯାଉଛୁ ଚାନ୍ଦ ?

 

ବାପା ଚାହାନ୍ତି, ତମେ ତାଙ୍କ କଥା ମାନ । ସେମାନେ ତମ ସାଥିରେ ମତେ ବିଭା ଦେବାକୁ ଚାହାନ୍ତି । ଆମର ବ୍ରାହ୍ମଣ ଘର ।

 

ମୁଁ ସେ କଥା ଜାଣେ ।

 

ତମେ ଆସିଲେ, ବୋଉ କହୁଛି, ଘର ଛୁଆଁ ହେଲା ।

 

କାହିଁକି ଚାନ୍ଦ ?

 

ତୁମର ଲୁଗାପଟା କୁଆଡ଼େ ମାରା ।

 

ନରେନ୍‌ ବ୍ୟସ୍ତଭାବେ କହିଲା–ତାହାହେଲେ ମୁଁ ତ ଆସିବିନି ।

 

ଏ କ’ଣ କହୁଛ ?

 

ଆଉ କ’ଣ କହିବି ?

 

ତମେ ରାଗିଲ ?

 

ନା, ମୁଁ ଯାଏଁ, ଯାଏଁ ।

 

ଦେଖ, ମୋ ରାଣ !

 

ରାଣ କାହିଁକି ପକାଉଛୁ ? ମତେ ଯିବାକୁ ଦେ । ମୋ ମନ ଭଲ ନାହିଁ । ମୁଁ କହୁନି । ଏସବୁ ମୋ ବାପା ବୋଉ ତୁମକୁ କହୁଚନ୍ତି ।

 

ମୁଁ ଜାଣେ ତୋ ବାପା-ବୋଉ ଏକଥା କହୁଛନ୍ତି, ଆଉ ଏକଥାବି ଜାଣେ ତୁ ସେମାନଙ୍କୁ ଖୁବ୍‌ ଭଲ ପାଉ । ଏଣୁ ତାଙ୍କ କଥାକୁ ତୁ ସମର୍ଥନ କରୁ । ସେ ଯାହା କହନ୍ତି, ତୁ ତାହାକୁ ଠିକ୍‌ ବୋଲି ଭାବୁ ।

 

ତୁମେ ମୋ ଉପରେ ଏମିତି ରାଗୁଛ କାହିଁକି କହିଲ ? ଏଥିରେ ମୋର ଦୋଷ କ’ଣ ? ସେମାନେ ଯାହା କହୁଛନ୍ତି, ମୁଁ ତ ତାହାହିଁ କହିଲି ।

 

ବାପା-ମା’ଙ୍କ ଉପରେ ସବୁତକ ଦୋଷ ଲଦିଦେନା !

 

ଚାନ୍ଦ କାନ୍ଦିପକାଇଲା, କହିଲା ତମେ ଯଦି ମତେ ଖରାପ ଭାବିବ, ତେବେ ମୁଁ କ’ଣ କରିବି ? ସତ କହିଲି ବୋଲି ମୋର ଦୋଷ ହେଲା, ଯଦି ସବୁ କଥା ଲୁଚାଇଥା’ନ୍ତି, ତେବେ ତୁମେ ମତେ ଦୋଷ ଦେଇନଥାନ୍ତ ।

 

ନରେନ୍‌ ଚାନ୍ଦର ଏ କାନ୍ଦ ଦେଖି ଚୁପ୍‌ ହେଇଗଲା । କିନ୍ତୁ ସେଠାରେ ଆଉ ତା’ର ରହିବାକୁ ଇଚ୍ଛା ନଥିଲା, କହିଲା–ହଉ ମୁଁ ଯାଏଁ । କାଲି ଆସିବି ।

 

ନିଶ୍ଚୟ ନା ?

 

ହଁ..., କାଲି ଆସିବି ।

 

କାଲି ଯଦି ନ ଆସ, ତେବେ ମୁଁ ଖାଇବିନି ।

 

ଶୁଖିଲା ହସି ନରେନ୍‌ କହିଲା–ଆସିବି ତ କହୁଛି । ନ ଖାଇବା କଥା କାହିଁକି କହୁଛୁ ?

 

ନରେନ୍‌ ଉଠି ଚାଲିଆସିଲା । ଆସି ଚାନ୍ଦ ଦେଖିଲାବେଳେ ତାକୁ ସେହିପରି ଛଳଛଳ ଆଖିରେ ଚାହିଁରହିଛି । ତା’ ପରଦିନ ନରେନ୍‌ ଯେତେବେଳେ ଚାନ୍ଦର ଘରକୁ ଗଲା, ସେ ଦେଖିଲା ତା’ ବାପା ବ୍ୟସ୍ତ ହେଇ, ଝାଳ-ନାଳ ହେଇ, ଗାଳିମନ୍ଦ ଦେଇ, ଗୁଡ଼ାଏ ପାଟିତୁଣ୍ଡ କରି ଗୋଟାଏ ବିଲେଇକୁ ବାନ୍ଧୁଛନ୍ତି ଦଉଡ଼ିରେ ।

 

ମଉସା, ନମସ୍କାର !

 

କିଛି ଉତ୍ତର ନାହିଁ ।

 

ବଡ଼ ପାଟିରେ ନରେନ୍ କହିଲା–ମଉସା, ନମସ୍କାର !

 

ବୁଢ଼ା ବଡ଼ ଆଖିରେ ଚାହିଁଲେ । କିନ୍ତୁ ପ୍ରତ୍ୟୁତ୍ତରରେ କିଛି କହିଲେ ନାହିଁ ।

 

ନରେନ୍‌କୁ ଟିକେ ଝଟ୍‌କା ଲାଗିଲା । କିନ୍ତୁ ସେ ଛାଡ଼ିଲା ନାହିଁ । ବୁଢ଼ାଙ୍କ ଏପରି କାର୍ଯ୍ୟକୁ ସମର୍ଥନ କରିବାର ଛଳନା ଦେଖାଇ ଖୋସାମତ୍ କରି କହିଲା–ବିଲେଇଗୁଡ଼ାକ ଆଜିକାଲି ବହୁତ ଉତ୍ପାତ କଲେଣି । ଆମ ଘରେ ଦି’ ଚାରଟା ବିଲେଇ ଅଛନ୍ତି ଯେ, ସେମାନେ ଘରେ କିଛି ଜିନିଷ ରଖେଇ ଦଉନାହାନ୍ତି ।

 

ବୁଢ଼ା କିନ୍ତୁ କିଛି ଉତ୍ତର ଦେଲେ ନାହିଁ ।

 

ନରେନ୍‌ କିନ୍ତୁ ସେହିପରି ଉତ୍ସାହରେ କହିଲା–ମୂଷାମାନଙ୍କ ପାଇଁ ଯେମିତି ବିଷ ଅଛି, ବିଲେଇମାନଙ୍କ ପାଇଁ ସେମିତି ବିଷ ବାହାରିବା ଦରକାର ।

 

ଚିହିଁକି ଉଠି ବୁଢ଼ା କହିଲେ–କ’ଣ କହିଲ ନିଶ ?

 

ନାହିଁ ଆଜ୍ଞା ! ବିଷ ବାହାରିବା ଦରକାର ।

 

ଆଖିକୁ ରଙ୍ଗା କରି ବୁଢ଼ା ପଚାରିଲେ–ବିଲେଇମାନଙ୍କ ପାଇଁ ବିଷ ବାହାରିଲେ, ତୁମେ କହୁଛ, ଭଲ ହବ । ଏୟା ତ !

 

ନରେନ୍‌ ହସିହସି ଦୁଇଗୁଣ ଉତ୍ସାହରେ କହିଲା–ଆଜ୍ଞା ହଁ... ।

 

ବିଲେଇମାନେ ବିଷଖାଇ ମରିଯିବେ । ଏୟା ନା ?

 

ଆଜ୍ଞା ହଁ... ।

 

ବିଲେଇମାନଙ୍କୁ ମୂଷାପରି ତୁମେ ମାରିବାକୁ ଚାହଁ ?

 

ଆଜ୍ଞା ହଁ ।

 

ତମେ ଗୋଟାଏ ବଡ଼ ପାପୀ !

 

ଆଜ୍ଞା ହଁ... । ଆଜ୍ଞା ନା... !

 

ବିଲେଇମାନେ ମୂଷା ନୁହନ୍ତି ।

 

କାନ କୁଣ୍ଡାଇ ନରେନ୍‌ କହିଲା–ଆଜ୍ଞା ନା... ।

 

ପାପୀ ନ ହେଲେ ବିଲେଇମାନଙ୍କୁ ମାରିବା କଥା ଚିନ୍ତା କରନ୍ତ ନାହିଁ ।

 

ଶାସ୍ତ୍ର କହିଛି–ବିଲେଇ ମାରିଲେ ପ୍ରାୟଶ୍ଚିତ କରିବା ଦରକାର ।

 

ମୁଁ ଜାଣେ ଆଜ୍ଞା– ।

 

ତୁମେ କିଛି ଜାଣିନ !

 

ନା...ମୁଁ କିଛି ଜାଣିନି ।

 

ତେବେ ଏପରି ଭୁଲ୍‌ କହିଲ କାହିଁକି ?

 

ମୋର ଭୁଲ୍ ହେଇଛି ।

 

କ’ଣ କହିଲ ? ଭଲ ହେଇଛି ?

 

ନାହିଁ ଆଜ୍ଞା, ଭୁଲ୍ ହେଇଛି ।

 

ତମେ ମୋ ସାଥିରେ ଥଟ୍ଟା କର ।

 

ନାହିଁ ଆଜ୍ଞା ! ଏପରି କାହିଁକି କହୁଛନ୍ତି ? ଆପଣ ମୋର ଗୁରୁଜନ ।

 

ଥଟ୍ଟା ନକଲେ, ବ୍ରାହ୍ମଣ ପୁତ୍ର ହେଇ ବିଲେଇକୁ ବିଷ ଦେଇ ହତ୍ୟା କରିବା କଥା ମତେ ଶିଖାଉଛ ? ନର୍କପଥ ମତେ ନିର୍ଦ୍ଦେଶ କରୁଛ ?

 

ନରେନ୍‌ ବିନୟରେ କହିଲା–ଆପଣ ମୋର ପିତୃତୁଲ୍ୟ । ଆପଣଙ୍କୁ ବୁଦ୍ଧି ଶିଖାଇବା ମୋର ଧୃଷ୍ଟତା ।

 

ଆଏଁ... ?

 

ଆଜ୍ଞା ଧୃଷ୍ଟତା ।

 

କ’ଣ ଧଷ୍ଟତା ?

 

ବୁଦ୍ଧି-ଶିଖାଇବା ଧୃଷ୍ଟତା ।

 

କିଏ ମୁଁ ?

 

ଆଜ୍ଞା ମୁଁ...

 

ହୁଁ... ? କ’ଣ କହିଲ ?

 

ନାଇଁ ଆଜ୍ଞା, ହୁଁ ନୁହେଁ, ମୁଁ ।

 

ତୁମେ ମତେ ଗାଳି ଦଉଛ ?

 

ନରେନ୍‌ ବିକଳରେ କହିଲା–ଗାଳି ଦେଲି ଆଜ୍ଞା କେତେବେଳେ ? ଏଇ କହୁଛ ଯେ, ମୁଁ ତୁମକୁ ବୁଦ୍ଧି ଶିଖାଇବା ଧୃଷ୍ଟତା ।

 

ନାଇଁ ଆଜ୍ଞା, ମୋର ଆପଣଙ୍କୁ ବୁଦ୍ଧି ଶିଖାଇବା ଧୃଷ୍ଟତା । ନରେନ୍‌ କହିଲା ।

 

ତୁମେ ଆଉ ସଫେଇ କରନା, ତମେ ମତେ ଗାଳି ଦଉଛ ?

 

ନାହିଁ ଆଜ୍ଞା, ଆପଣଙ୍କ ପ୍ରତି ମୋର ହୃଦୟରେ ଗଭୀର ଭକ୍ତି, ଗଭୀର ସମ୍ମାନ, ଗଭୀର ସ୍ନେହ ଶ୍ରଦ୍ଧା ରହିଛି । ମୁଁ କ’ଣ ଆପଣଙ୍କୁ ଗାଳି ଦେଇପାରେ ?

 

ତମେ ଭଲ ପିଲା ନୁହ ।

 

ମୁଁ ଆପଣଙ୍କର ପୁଅ ସମାନ ।

 

କ’ଣ କହିଲ ?

 

ମୁଁ ଆପଣଙ୍କର ପୁଅ ସମାନ ।

 

ମୋ ଝୁଅ ? ମୋ ଝୁଅ ସମାନ ତମେ ? ତା’ ଅର୍ଥ ତମେ କହୁଛ–ତୁମେ ଯେପରି ଖରାପ । ମୋ ଝୁଅ ସେହିପରି ଖରାପ ।

 

ଆଜ୍ଞା, ମୁଁ ଏସବୁ କିଛି କହିନି ।

 

ମୋ ଝୁଅକୁ ତମେ ଖରାପ କହିଛ । ବାପା ଆଗରେ ତା’ର ଝୁଅର ନିନ୍ଦା କରୁଛ । ଆଉ କ’ଣ କହିଥା’ନ୍ତ ? ତମେ ଗୋଟିଏ ଅଧମ !

 

ଆଜ୍ଞା... ?

 

ତମେ ଭ୍ରଷ୍ଟ ! ବିପଥଗାମୀ !

 

ଆଜ୍ଞା... ?

 

ତମେ ଭାବିଛ, ମୁଁ ତୁମ କଥା କିଛି ଜାଣିନି, ନାହିଁ ? ତୁମର ଦୁଇଟା କିରସ୍ତାନ ସାଙ୍ଗ ଅଛନ୍ତି ।

 

ଆଜ୍ଞା–ସେମାନେ ତୁମକୁ କିରସ୍ତାନ କରିବାପାଇଁ ଚେଷ୍ଟା କରୁଛନ୍ତି, ଆଉ ମୁଁ ଭଲଭାବେ ଜାଣେ, ତୁମେ ପାଠ ପଢ଼ିବାପାଇଁ କିରସ୍ତାନ ହେଇଯିବ ।

 

ନାଇଁ ଆଜ୍ଞା, ଏସବୁ ମାନେ–ମାନେ–

 

ତୁମେ ବ୍ରାହ୍ମଣ ହେଇ ଲୁଙ୍ଗି ପିନ୍ଧ ।

 

ମୋ କଥା ଶୁଣନ୍ତୁ ଆଜ୍ଞା, ଲୁଙ୍ଗି ପିନ୍ଧିବା–

 

ଲୁଙ୍ଗି ପିନ୍ଧି ତୁମେ ବ୍ରାହ୍ମଣ ସମାଜକୁ ବିଭ୍ରାନ୍ତ କରିବାପାଇଁ ଚେଷ୍ଟା କରୁଛ । ଗାନ୍ଧି ମହାତ୍ମା ତୁମ ମୁଣ୍ଡକୁ ପୋଡ଼ି ଖାଇଛି । ଆମ ହିନ୍ଦୁ କୁଳରେ ସେ ଏକ ଅପସୃଷ୍ଟି । ହାଡ଼ି ପାଣକୁ ହରିଜନ କହି ତାଙ୍କ ସାଥିରେ ବନ୍ଧୁବାନ୍ଧିବା ପାଇଁ ଲୋକଙ୍କୁ ସେ ପ୍ରବର୍ତ୍ତାଉଛି ।

 

ମହାତ୍ମାଙ୍କର କାର୍ଯ୍ୟକୁ ନ ବୁଝି ସମାଲୋଚନା କରନ୍ତୁ ନାହିଁ । ସେ ବହୁତ ଊର୍ଦ୍ଧ୍ୱରେ ।

 

ତମେ ମତେ ଗାଳି ଦଉଛ !

 

ଗାଳିଦେଲି କେତେବେଳେ ! ଆପଣଙ୍କୁ ଶୁଭୁନି ।

 

କ’ଣ କହୁଛ !

 

କାନ ପାଖରେ ନରେନ୍‌ ବିରକ୍ତିରେ କହିଲା–ଆପଣଙ୍କୁ ଶୁଭୁନି ।

 

ଏଁ.., କ’ଣ କହିଲ ! କ’ଣ କହିଲ ?

 

ଆପଣଙ୍କୁ ମୁଁ ଯାହା କହୁଛି, ଠିକ୍‌ଭାବେ ଶୁଭୁନି ।

 

ତୁମେ ମତେ କାଲ କହୁଛ ! ତୁମେ ମତେ କାଲ କହୁଛ ?

 

ରାଗନ୍ତୁ ନାହିଁ ଆଜ୍ଞା, ଏସବୁ ମୁଁ ବାଧ୍ୟ ହେଇ କହିଲି ।

 

କାଦମ୍ୱିନୀ...କାଦମ୍ୱନୀ... !

 

କାହିଁକି ରାଗୁଛନ୍ତି ମଉସା...ମୁଁ ଆପଣଙ୍କୁ ଯାହା କହିଲି, ଆପଣ ବୁଝିଲେ ନାହିଁ; ଅଥଚ ସବୁ କଥାର ଓଲଟା ଅର୍ଥ ବାହାରକଲେ ।

 

ମୁଁ ତୁମ କଥା କିଛି ଶୁଣିବାପାଇଁ ଇଚ୍ଛା କରେନା । ବୟୋଜ୍ୟେଷ୍ଠମାନଙ୍କର କିପରି ଭଦ୍ରତା–ଶିଷ୍ଟାଚାର ଦେଖାଯାଏ, ତାହା ତୁମକୁ ତୁମର ବାପା ଶିଖାଇ ନାହାନ୍ତି । କାଦବୋଉ–କାଦବୋଉ ଆସିଲ ! କାଦମ୍ୱିନୀ... ।

 

କାଦମ୍ୱିନୀ–ନରେନ୍‌ ଚାନ୍ଦ ଆସି ପହଁଞ୍ଚିଲା । ମୁହଁରେ ତା’ର ଦୁଃଖର ଛାଇ । ସେ କାତର ଆଖିରେ ନରେନ୍‌ର ମୁହଁକୁ ଚାହିଁଲା । ତା’ ପଛରେ ତା’ ବୋଉ ଆସି ପହଞ୍ଚିଲା ।

 

ଏପରି ଅବସ୍ଥାରେ ନରେନ୍‌କୁ ଭୀଷଣ ଲଜ୍ଜାବୋଧ ହେଲା ।

 

କାଦମ୍ୱିନୀର ବୋଉ ପଚାରିଲେ–କ’ଣ ହେଲା ?

 

ଗର୍ଜିଉଠି ବୁଢ଼ା କହିଲେ–ଆଉ ହବ କ’ଣ ! ଏ ମୂର୍ଖ ଅର୍ବାଚୀନଟା ମତେ କହୁଛି କାଲ । କାଲ ବୋଲି ମତେ ଥଟ୍ଟା କରୁଛି । ମତେ ଶୁଭୁନି ଜାଣି ଗାଳି ଦଉଛି ।

 

ନରେନ୍‌ ।

 

ମାଉସୀ, ବିଶ୍ୱାସ କର, ମୁଁ ଏପରି କିଛି କହିନି ।

 

ତୁମେ ମିଥ୍ୟାବାଦୀ ।

 

ମଉସା... ।

 

ହଁ ତମେ ମିଥ୍ୟାବାଦୀ । ଆମେ ଭାବିଥିଲୁ କାଦମ୍ୱିନୀ ସାଥିରେ ତୁମର ବିବାହ ଦେବୁ ବୋଲି । କିନ୍ତୁ ଏ ବିବାହ ହେଇ ପାରେନା...। ବୁଢ଼ାଙ୍କର ଗର୍ଜନର ମାତ୍ରା କିଛି କମି ନଥିଲା । ସେ ସେହିପରି ଗର୍ଜନ କରି କହୁଥିଲେ ।

 

ନରେନ୍‍ କାଦମ୍ୱିନୀକୁ ଚାହିଁଲା । ତା’ର ଚାନ୍ଦମୁହଁକୁ ଲୁହର ଶ୍ରାବଣ ଢାଙ୍କି ଦେଇଛି । ସେ କାନ୍ଦୁଛି ।

 

ବୁଢ଼ା କହୁଥିଲେ–ନଭେଲ୍ କବିତା ଯୋଉମାନେ ଲେଖନ୍ତି, ସେମାନେ ଭଲଲୋକ ନୁହଁନ୍ତି । ସେମାନେ ପାଗଳା । ସଂସାରରେ ଥାଇ ମଧ୍ୟ ସେମାନେ ସ୍ୱର୍ଗଲୋକରେ ବିଚରଣ କରନ୍ତି-। ଆମ୍ଭର ଜୋଇଁ ଯିଏ ହବ, ଆମ୍ଭେ ଚାହୁଁ ସେ ଟଙ୍କାପଇସା ରୋଜଗାର କରିବ । ଆମ୍ଭେ ଚାହୁଁନା, ଆମ୍ଭ ଜୋଇଁ ଲେଖିଲେଖି ଉଇହୁଙ୍କା ପାଲଟି ଯାଉ । ଆମ୍ଭେ କାଳିଦାସ କବିକୁ ବହୁତ ଜାଣିଛୁ-। ଭୋକ-ଉପାସରେ ଗଡ଼ୁଥିଲା ଜୀବନସାରା । ତୁମେ ଆଇ.ଏ. ପଢ଼ି ଯେ ବହୁତ ପଢ଼ିଛ ବୋଲି ଆସ୍ଫାଳନ କରୁଛ, ସେ କଥା ଏଠି ଚଳିବ ନାହିଁ । ତମେ ପାଠ ପଢ଼ୁଛ, ତାହା ସାଙ୍ଗେ ତୁମର ଜାତି ନଷ୍ଟ କରୁଛ । ଆମ୍ଭେ ଶାସନୀ ବ୍ରାହ୍ମଣ । ଯାହା ତାହା ନୁହ । କାଦମ୍ୱିନୀ ପାଇଁ ଆମ୍ଭେ ବି:ଏ: ପଢ଼ୁଥିବା ଜୋଇଁ କରିବୁ । କିନ୍ତୁ ସେ ତମପରି ବିଧର୍ମୀ ନୁହ । କିରସ୍ତାନ ସାଥିରେ ମିଶିଲାବାଲା ନୁହ-। ଲୁଙ୍ଗି ପିନ୍ଧି ପଠାଣ ଘରେ ଖାଇଲାବାଲା ନୁହ ।

 

ମଉସା... !

 

କ’ଣ କହିଲ ? ପିଉସା... ?

 

ନା..., କିଛି କହୁନି । ମୁଁ ଯାଉଛି ।

 

ହଁ..., ତୁମେ ଯାଅ । ଆମ୍ଭେ ଯାହାକୁ ଜୋଇଁ କରିବୁ, ସେ ଆମ୍ଭର ଘରେ ବାସକରିବ । ଆମ୍ଭର ଘରଜୋଇଁଆ ହବ । ତୁମପରି ଗୋତ୍ରଛଡ଼ା ଏ ଘରେ ରହିବାକୁ ନିତାନ୍ତ ଅଯୋଗ୍ୟ ।

 

ନରେନ୍‌ ବିରକ୍ତ ହେଇଉଠିଲା । ଅସମ୍ଭବଭାବେ ବିରକ୍ତ ହେଇଉଠିଲା । ତାକୁ ଜଣାଗଲା ସତେ ଯେପରି ମିଛରେ, ଅକାରଣରେ ତା’ର ଦେହସାରା କିଏ ନିଆଁଖୁଣ୍ଟାଟା ମାରି ଦଉଛି । ନରେନ୍‌ର କାହାରି ମୁହଁକୁ ପୁନର୍ବାର ଚାହିଁବାକୁ ଇଚ୍ଛା ହେଲା ନାହିଁ ।

 

ଆସିଲାବେଳେ ଦେଖିଲା, ଯୋଉ ବିଲେଇଟା ବନ୍ଧା ହୋଇଥିଲା ଦଉଡ଼ି ସେଇ ବିଲେଇଟା ଫାଶରୁ ଖସି ମୁକୁଳି ଯିବାପାଇଁ ଆପ୍ରାଣ ଚେଷ୍ଟା ଚଲାଇଛି । ମୁଣ୍ଡ ହଲାଉଛି ।

 

କିନ୍ତୁ ଦୌଡ଼ିଟା ତାକୁ ବାନ୍ଧି ରଖିଛି ।

 

ନରେନ୍‌ ଭାରି ମନରେ ଚାନ୍ଦର ଘରୁ ବାହାରିଗଲା ।

 

ନରେନ୍‌ ଆଜି ଏଇ ସନ୍ଧ୍ୟାବେଳଟାରେ ଖଟଟା ଉପରେ ପଡ଼ିଛି କାହିଁକି ?

 

ନରେନ୍‌ କ’ଣ ଆଜି ତା’ର ଚାନ୍ଦର ଘରକୁ ଯିବନି ?

 

ନରେନ୍‌ କ’ଣ ଚାନ୍ଦର ଘର ଆଗରେ ଠିଆହେଇ ତା’ର କଲିଜାକୁ ଖୋଜି ବସିବନି ?

 

ଯାହାର ରୂପର ପ୍ରୋଜ୍ଜ୍ୱଳ ଅନଳ ଶିଖାରେ ବିଚାର ନରେନ୍‌ର ସାରା ହୃଦୟଟି ମହମ ପରି ତରଳିବାକୁ ଲାଗେ, ବହିଯାଏ ପ୍ରେମର ଗଙ୍ଗୋତ୍ରୀ ଧାରା ପାଖରେ ପାଇଲେ ସବୁ ମିଳିଲାପରି ଲାଗେ, ଦୂରରେ ଥିଲେ ସବୁ ହଜାଇଲା ପରି ଲାଗେ, ସେ ସବୁ, ସେ ସବୁପରି ଚାରିଦିଗ ଛାଇ ରହିଥାଏ ତା’ର ଉଜ୍ଜ୍ୱଳ ସଜମଲ୍ଲୀ ସମାନ ମୁହଁଟିକୁ ବିଭାସିତ କରି ନରେନ୍ ଆଖି ଆଗରେ, ସେଇ ଚାନ୍ଦକୁ ଦେଖିବାକୁ କ’ଣ ନରେନ୍‌ ଆଜି ଯିବନି ? ତା’ର ମୁହଁର ଧାଡ଼ିଏ ହସ, ତା’ର ଆଖିର କିଛି ଇଙ୍ଗିତ, ତା’ର କଣ୍ଠର କୋମଳ ଭାଷାକୁ କ’ଣ ଖୋଜି ପାଇବାକୁ ସେ ଥରେ ଯିବନି ?

 

ଝରକାର ରେଲିଂ ଫାଙ୍କ ଦେଇ ଆକାଶରୁ ଚେନାଏ ଦିଶୁଛି । ସେଇ ଚେନାଏ ଆକାଶରେ ଥାଟ୍ ମାରିଛି ଝିଲିମିଲି ଚାନ୍ଦ ।

 

ଆଉ ତା’ର ଗଭୀର ମନର ଆକାଶ କାହାକୁ ସିନା ଦିଶୁନି, ନରେନ୍‌କୁ ଦିଶୁଛି । ତା’ର ସେଇ ମନର ଆକାଶରେ ଥାଟ୍ ମାରିଛି ଗୋଟିଏ ମୁହଁ, ସେ ରକ୍ତମାଂସର ଏକ ଝିଲିମିଲି ଚାନ୍ଦ ।

 

ଆକାଶରେ ଚାନ୍ଦ । ମନ ଭିତରେ କାଦମ୍ୱିନୀ-ଚାନ୍ଦ । ବିଚରା ନରେନ୍‌ ଦୁହିଁଙ୍କୁ ଦେଖିଛି, କିନ୍ତୁ ପାଉନି କାହାକୁ ତ ! ସତେ ସେମାନେ କ’ଣ ଦୁର୍ଲଭ ?

 

ଟୁପ୍‌ଟାପ୍‌ ତାରା ଆକାଶରେ ଫୁଟି ଉଠୁଛନ୍ତି ଚାନ୍ଦକୁ ବେଢ଼ି । ଜିକିଜିକି ଦିଶୁଛନ୍ତି । ଆକାଶରେ ଜୋଛନା ଲହଡ଼ା ମାରୁଛି । ଧାରଧାର ହୋଇ ତରଳା ରୁପା ଚାନ୍ଦି କିରଣ । ଭରାଯୌବନ ଜୋଛନା ରାଣୀ ରୂପରେ ଫାଟିପଡ଼ୁଛି ।

 

ଆଉ ଏଇ ଆକାଶ ଚାନ୍ଦର ସୋରାଏ କିରଣ ଯେତେବେଳେ ତା’ର ଚାନ୍ଦର ଗୋରା ଗାଲ ଉପରେ ଫିଟି ପଡ଼ିଥିବ !

 

ହାୟ..., ଚାନ୍ଦଲୋ... ! ମୁଁ ତତେ ସତେ କେତେ ଭଲ ପାଉଥିଲି ! ତୁ ତ ମୋର ଜୀବନ-! କିନ୍ତୁ ତୁ ମତେ ଶେଷରେ କ’ଣ କଲୁ ?

 

ନରେନ୍‌ ଖଟଟା ଉପରେ ତକିଆରେ ମୁହଁ ମାଡ଼ି ପଡ଼ିଥିଲା । ସେ ଦେହରେ ସତେ ଯେପରି ଆଦୌ ଜୋର୍ ନାହିଁ । ମନରେ ଯେପରି ଜୋର୍ ନାହିଁ । ସେ ଆଜି କ୍ଳାନ୍ତ, ବିଷଣ୍ଣ ।

 

ପ୍ରେମର ବଙ୍କା-ତେଢ଼ା ପଥରେ ସେ ଏକ ନିରୀହ ପଥୁକି, ସେ ଯେପରି ତା’ର ପ୍ରିୟାର ରୂପ-ମାୟାମୃଗ ପଛରେ ଦୌଡ଼ୁଥିଲା, ଆଉ ତା’ର ପ୍ରିୟା ତା’ ଆଗରେ ଦୌଡ଼ି ତାକୁ ଏଇଧର–ଏଇ ଧର, ମୁଁ ଧରା ଦେଲି, ତାକୁ କହୁଥିଲା ସେ ତା’ର ଡାକରେ ସବୁ ଭୁଲି, ସବୁକୁ ପର କରି ଯେତେବେଳେ ପ୍ରେମର ଚଉମୁହାଣି ଛକରେ ପହଞ୍ଚିଲା, ଦେଖିଲା–ସେଇ ଚଉମୁହାଣି ଛକରେ ରାସ୍ତାମାନ ପଡ଼ିଛି ଆଗକୁ–ଆଗକୁ, ଦୃଷ୍ଟି ପାଉନାହିଁ, କିନ୍ତୁ ସେଇ ଛକରେ ସେ ଥକାମାରି, ଝାଳ-ନାଳ ଆଣ୍ଠିଏ ହେଇ, ଅଣନିଃଶ୍ୱାସୀ ହେଇ ଡବଡ଼ବ ଆଖିରେ ଖୋଜୁଛି ଜଣକୁ–ଖୋଜୁଛି ଜଣକୁ, ଆହା...ସେ କୁଆଡ଼େ ଚାଲିଗଲା ତାକୁ ଠକାଇ ଏଇ ଛକରୁ, ସେ ଆଉ ନାହିଁ... । ତାକୁ ଖୋଜିବସିଲେ ସେ ତ ଆଉ ନାହିଁ । ସାଥୀ କାହିଁ... ? ସାଥୀ କାହିଁ... ?

 

ଗୋଟାଏ ଆତୁର ଡାକ, ଗୋଟାଏ ଉଚ୍ଚରୋଳ ଡାକ, ଗୋଟାଏ ବିରହ ବତୁରା ଡାକ–ସାଥୀ କାହିଁ–କାହିଁ, ହୃଦୟର ଚତୁର୍ଦ୍ଦିଗକୁ ନିନାଦିତ କରିଦେଲା, ପ୍ରକମ୍ପିତ କରିଦେଲା, ହୃଦୟର ସବୁ ପରଦାକୁ ତୁମୁଳଭାବେ ଥରାଇଦେଲା, ମନ୍ଥନ କରିଦେଲା, ସେ ଯେପରି ଏକ ଅଣନିଃଶ୍ୱାସୀ ଝଡ଼, ସେ କେଉଁଠି ନାହିଁ କେବଳ ମନ ଭିତରେ–ହୃଦୟ ଭିତରେ ବୁଲୁଚି, ଘୁମୁରୋଉଛି, ଚକ୍କର ମାରୁଛି, ଆଉ ହୃଦୟର ଚାରିକାନ୍ଥ ଭିତରେ ମାଡ଼ ଖାଇ, ଫେରିଆସି, ସେଇ ହୃଦୟଟିରେ ଫୁଟି ଉଠିଥିବା ପ୍ରେମର ଛୋଟଛୋଟ ସୁମନ କଳିବାକୁ ଭାଙ୍ଗି ଦଉଛି । ହୃଦୟକୁ ସାବାଡ଼ ଶୋଚନୀୟ କରି ଅସ୍ତବ୍ୟସ୍ତ କରୁଛି ।

 

ଏ ମନର ପ୍ରେମପାଦପ ଡାଳରେ ବସିଛୁ ତୁ ଯେଉଁ ବୁଲ୍‌ବୁଲ୍‌, ସତେ କିରେ ତୁ କ’ଣ ଆଉଥରେ ଗାଇବୁନି ଗୀତ ? ଆଉଥରେ ମନ ଖୁସି କରି ବିଭୋଳଭାବେ ଗଳା ମେଲିବୁନି ? ରେ ଶୁକ, ରେ ଶାରି, ତୁମେମାନେ ଆଜି କାହିଁକି ନୀରବ, ନିଥର ? ତୁମେ କ’ଣ ଶୋଇ ପଡ଼ିଛ ?

 

ଓଃ... ! ଅସହନୀୟ ଏ ନୀରବତା !

 

ଅସହନୀୟ ଏଇ ଜଘନ୍ୟ ଗୁମ୍‌ସୁମ୍‌ ଭାବ !

 

ସବୁ ଥାଇ ଆଜି କିଛି ନାହିଁ । କିଛି ନାହିଁ ।

 

ନିଃସ୍ୱ-ହାହାକାର । ଲକ୍ଷ୍ମୀହୀନ ଏ ମନ ।

 

ଏ ମନରେ ନିଆଁ ଲାଗିଛି । ପାଗଳଭାବେ ନିଆଁ ଲାଗିଛି । ଚାରିଆଡ଼ୁ ନିଆଁ ଖେଦି ଯାଉଛି । ବାଁ’ ପାଖରୁ, ଡାହାଣ ପାଖରୁ ନିଆଁ ମାଡ଼ି ଆସୁଛି । ନିଆଁ–ନିଆଁ । ହଁ–ହଁ, ଆଗରେ ନିଆଁ, ପଛରେ ନିଆଁ–ହୁତ୍‌ହୁତ୍‌ ନିଆଁ, ହାୟ, ସେଇ ପ୍ରଳୟଙ୍କରୀ ନିଆଁ ଭିତରେ ନରେନ୍‌ ବିଚରା, ନିରୀହ ଯୁବକଟିଏ ବଡ଼ ପାଟିରେ ଡାକୁଛି–ଚାନ୍ଦ–କୁଆଡ଼େ ଗଲୁରେ ତୁ ! ବଞ୍ଚାଅ ମତେ । ଏ ବିରହ ନିଆଁରେ ଝୁରିଝୁରି ପୋଡ଼ି ହେଇ ମୁଁ ମରୁଛି । ମତେ ଆଉ ଦୁଃଖ ଦେ’ନା, ଆଉ ଦୁଃଖ ଦେ’ନା... ।

 

ସେଇ ଖଟଟା ଉପରେ ପଡ଼ି ନରେନ୍‌ ଭାବିଲା–ସଂସାରରେ ସତେ ଦୁଃଖୀ କିଏ ?

 

କିଏ ଦୁଃଖୀ ? ଅନ୍ଧ ? କେମ୍ପା-କୁଜା ? ରୋଗୀ ? ନିର୍ଦ୍ଧନ-ଦରିଦ୍ର ? ବୁଭୁକ୍ଷୁ ? କିଏ ଦୁଃଖୀ ?

 

ଆଃ..., ସଂସାରରେ ସେଇ ତ ଦୁଃଖୀ, ଅତିମାତ୍ରାରେ ଦୁଃଖୀ, ଯେ ପ୍ରେମରେ କଚଡ଼ା ଖାଇଥାଏ । ନିରାଶ-ପ୍ରେମିକଠାରୁ ବଳି ନିରିମାଖି ହନ୍ତସନ୍ତ ଆଉ ସତେ କିଏ ହୁଏ ? ତା’ ଦୁଃଖ କିଏ ବୁଝିବ ? ଯେ ସବୁ ଦେଇ ପୁଣି ଫେରାଇ ଦେଲା ସେ ତ ବୁଝିଲା ନାହିଁ, ଆଉ ସତେ କିଏ ବା ବୁଝିବ ?

 

ଆଖିରୁ ମୁଁ ଧାର ଲୁହ ଦିଏ । ମନରୁ ବୁହାଏ ମୁଁ କୋହର ଝରଣା । କିନ୍ତୁ ନିର୍ମୋହୀ ସାଥୀ ମୋର, ତୋର ପଥର ମନକୁ କ’ଣ ସତେ ମୋର ଲୁହର କେତୋଟି ବୁନ୍ଦା ଚହଲାଇ ଦବ ? ତରଳାଇ ଦବ ? ଆରେ ନା... ! ତୁ ତ ପଥରର ଏକ ସୁନ୍ଦର ଅଥଚ କଠିନ ଦେବୀ । ମୁଁ ଦେଖିଛି ଚୁଆ, ଚନ୍ଦନ, ଲହୁଣୀରେ ପଥର ଦେବୀକୁ ମାଜଣା କରନ୍ତି । କିନ୍ତୁ ତା’ର ଦେହ, ମନ କି କେବେ କଅଁଳ, ନରମ ହୁଏ ? ନା’ ହୁଏନା । ଆଉ ମୋର ଲୁହର କେତୋଟି କଣିକାରେ ତୁ ତରଳିବୁ କେମିତି ? ତୁ ତ ପଥରଟାଏ । ପଥରଟାଏ !

 

ନରେନ୍‌ ଖଟଟା ଉପରେ ସେହିପରି ଶୋଇରହି ଗୁଣି ହେଉଥିଲା ତା’ର ଚାନ୍ଦକୁ । ଏ ହଉଛି ଗୋଟାଏ ଦୁର୍ବଳ ମୁହୂର୍ତ୍ତ । ଯେଉଁ ମୁହୂର୍ତ୍ତରେ ଯୁବକ ଶିଶୁପରି କାନ୍ଦିଉଠେ, ଶିଶୁପରି ଅଥୟ ହେଇଉଠେ, ଶିଶୁପରି ହାହାକାର କରି ଉଠେ । ତା’ର ମନର ବଳ କାହିଁ କୁଆଡ଼େ ହଜିଯାଏ ।

 

ତା’ର ଚାନ୍ଦ ବର୍ତ୍ତମାନ କ’ଣ କରୁଥିବ ? କ’ଣ କରୁଥିବ ? ତା' କଥା ଭାବି ସେ କ’ଣ ସତେ କାନ୍ଦୁଥିବ ? ତା' କଥା ଭାବି ସେ କ’ଣ ସତେ ଖାଇବାପିଇବା ଛାଡ଼ିଦେଇଥିବ ?

 

ନରେନ୍‌ ମନକୁମନ କହିଲା–ଆରେ, କେଡ଼େ ବୋକା ମ ମୁଁ... ! ମୁଁ କାହିଁକି ତା'ଠାରୁ ଏହା ଆଶା କରିବି ? ସେ ମୋପାଇଁ କାହିଁକି ବା କାନ୍ଦୁଥିବ ? ଖାଇବା–ପିଇବା ଛାଡ଼ି ଦେଇଥିବ ?

 

ସେ ତ ଏକ ବିଚିତ୍ର ନାରୀ ! ସେ କେବଳ ହସି ଜାଣେ, କାନ୍ଦି ଜାଣେନା । ସେ କେବଳ ସୁଖ ଜାଣେ, ଦୁଃଖ ଜାଣେନା । ତା'ଠାରୁ ସେ ସମବେଦନା ଆଶା କରିବ ବା କିପରି ?

 

କାଲି–

କାଲି ଏମିତି ଗୋଟାଏ ଘଟନା ଘଟିଯିବ ବୋଲି ସେ ଆଦୌ ଭାବି ନଥିଲା । ବଡ଼ ଅଭାବିତ ଏ ଘଟନା । ଦୁଃଖଦାୟକ ଘଟନା ।

ସେଦିନ ତା’ର ଚାନ୍ଦର ବାପା ମନା କରିଦେଇଥିଲେ ନରେନ୍‌କୁ ତାଙ୍କ ଘରକୁ ଆସିବାପାଇଁ । କିନ୍ତୁ ନରେନ୍‌ କ'ଣ ସ୍ଥିର ହେଇ ରହିପାରେ ? ତା’ର ସାଥୀକୁ ନଦେଖି, ତା’ର ସାଥୀଠାରୁ ପଦେ କଥା ନଶୁଣି ସେ ଚୁପ୍‌ ହେଇ ରହିପାରିବ କିପରି ?

ସେ ତ ତା’ର ଜୀବନର ରାଣୀ । ନିଜର ରାଣୀ । ସପନର ରାଣୀ ।

ନରେନ୍‌କୁ ଚାନ୍ଦବିନା ସବୁ ଉଦାସ ଲାଗୁଥିଲା । ସେ ଚାନ୍ଦର ଘରକୁ ଯିବାପାଇଁ ଇଚ୍ଛା କଲା । ତା’ର ବାପା ସିନା ତା' ସାଥିରେ ଚାନ୍ଦକୁ ବିବାହ ଦେବାପାଇଁ ମନାକଲେ, କିନ୍ତୁ ଚାନ୍ଦ କ'ଣ ତା’ର ବାପାଙ୍କ ମତକୁ ମୁଣ୍ଡପାତି ସହି ନବ ? ବୋଧହୁଏ ନା ? ସେମାନେ କ୍ଷୀର-ନୀର । ସେମାନେ ଦୁହେଁ ଏକ । ଅଭିନ୍ନ । ଦୁଇଟି ଦେହ ସିନା ସେମାନଙ୍କର ଅଲଗାଅଲଗା ଘରେ ବନ୍ଦୀ, କିନ୍ତୁ ସେମାନଙ୍କର ପରସ୍ପର ମନ ଏକାଠି ଫେଣ୍ଟା-ଫେଣ୍ଟି ହୋଇ କେବେଠାରୁ ମିଶିଛି, ଏକ ହେଇଛି, ତାହାର ପ୍ରଭେଦ ନାହିଁ, ପୃଥକ୍ ନାହିଁ । ଛାଡ଼ବାଡ଼ ନାହିଁ ।

ନରେନ୍ ଯେତେବେଳେ ଚାନ୍ଦ ସାଥିରେ କଥା ହେବାପାଇଁ ଘରୁ ବାହାରିଲା, ସେ ଦେଖିଲା, ଦଳେ ପିଲା ଗୁଡ଼ି ଉଡ଼ାଉଛନ୍ତି । ନାଲି, ନେଳି, ହଳଦି, ଧଳା, କଳା ରଙ୍ଗର ଭଳିକିଭଳି ଗୁଡ଼ି । ଆକାଶରେ ଗୁଡ଼ିମାନ ଲୋଟଣୀ ଖାଉଛନ୍ତି, କାନି ଖାଉଚନ୍ତି । ତଳକୁ ଗୋତା ମାରୁଚନ୍ତି । ଉପରକୁ ସରସର ହେଇ ଉଠିଯାଉଚନ୍ତି–ବିଭିନ୍ନ ପ୍ରକାରର ଗୁଡ଼ିମାନ । କନ୍‌କୁଆ, ସତରଞ୍ଜି, ସୋରେଇନାମା, ପଟାଦାର ଗୁଡ଼ିମାନ ଆକାଶରେ ଚିଲା ମାରୁଛନ୍ତି, ଆଉ ସେମାନଙ୍କୁ ବାନ୍ଧି ରଖିଛନ୍ତି ଲମ୍ବଲମ୍ବ ସୂତା–ଶକ୍ତ ସୂତା ।

ନରେନ୍‌ ବୋକାଙ୍କ ପରି ଗୁଡ଼ିମାନଙ୍କୁ ଚାହିଁଲା । ସେହି ଗୁଡ଼ିମାନେ, ଯେଉଁମାନେ ଖୋଲା ପବନର ଆଘାତରେ ଆକାଶରେ ସରପଟି ଯାଉଥିଲେ, ସେହି ଗୁଡ଼ିମାନଙ୍କ ଭିତରୁ ଯେଉଁଟି ଖୁବ୍ ଗୋଲାପି–ବିଚିତ୍ର କାଗଜରେ ତିଆରି ଏବଂ ଯାହାକି ତିର୍ଯ୍ୟକ ସୂର୍ଯ୍ୟ କିରଣରେ ଜିକ୍‌ଜିକ୍‌ ହେଉଛି, ସେହିଟି ଗୁଡ଼ି ନୁହେଁ–ଗୁଡ଼ି ନୁହେଁ, ଚାନ୍ଦ–ଚାନ୍ଦ । ସେହି ଚାନ୍ଦ ଗୁଡ଼ି ରୂପରେ ଆକାଶରେ ଉଡ଼ୁଚି–ବାଦଲ ଭିତରେ ପଶିଯାଉଛି, ଲୋଟଣୀ କାଟି ଖେଳି ଯାଉଛି, ଆଉ ବୁଲି ଯାଉଛି । ସେଇ ଚାନ୍ଦ ଗୁଡ଼ିଟିକୁ ବାନ୍ଧି ରଖିଛି ଯେଉଁ ସୂତା, ଯେଉଁ ସୂତା ଗୁଡ଼ିକୁ ଦୂରକୁ ଛାଡ଼ୁଛି ଏବଂ ପାଖକୁ ନେଇ ଆସୁଛି, ନରେନ୍‌ର ମନେ ହେଲା ସେହି ସୂତାଟି ସେ ନିଜେ ଆଉ କେହି ନୁହେଁ । ସୂତାକୁ ଛାଡ଼ିଲେ ଗୁଡ଼ି ଉଡ଼ିବନି କିମ୍ବା ଗୁଡ଼ିକୁ ଛାଡ଼ିଲେ ସୂତାକୁ ଉପରକୁ ଯିବନି । ନରେନ୍‌ କହିଲା–ଚାନ୍ଦ ତୁ ଗୁଡ଼ି ହେଲେ ମୁଁ ସୂତା । ତୁ ମତେ ଛାଡ଼ିବୁନି କି ମୁଁ ତତେ ଛାଡ଼ିବିନି । ତୁ ମତେ ଯେଉଁଆଡ଼େ ଟାଣୁଥିବୁ, ମୁଁ ଚାଲୁଥିବି ତୋ ସାଥିରେ, ଆଉ ମୁଁ ତତେ ଯେଉଁଆଡ଼େ ଟାଣୁଥିବି ତୁ ଚାଲିଥିବୁ ମୋ ସାଥିରେ । ଏହା ଭିତରେ ତୋ ବାପା-ମା'ଙ୍କର ବାରଣ, କିମ୍ବା ନାରାଜ, କିମ୍ବା ବିରକ୍ତିର ସ୍ଥାନ ନାହିଁ । ଆମେ ଦୁଇଜଣ ମିଆଁ ବିବି ଆମପାଇଁ ନିଜେ । ଏଣୁ ଆମ ଭିତରେ କୌଣସି କାଜିର ପ୍ରଶ୍ନଇ ନାହିଁ । ଆମେ କାଜି ମୁହଁରେ ଚୂନକଳା ଦେଇ ଭୁଆଁ ବୁଲାଇଦବା ।

ନରେନ୍‍ ଦୁକ୍ ଦୁକ୍ ଛାତିରେ ଚାନ୍ଦ ଘରଆଡ଼େ ମୁହାଁଇଲା । ବୁଢ଼ା ବୋଧହୁଏ ବର୍ତ୍ତମାନ ଘରେ ନ ଥିବେ । ଥିବେ ? ନା ନ ଥିବେ । ସେ ମନ୍ଦିର ଆଡ଼କୁ ବର୍ତ୍ତମାନ ଯାଇଥିବେ । ଏହି ସମୟରେ ସେ ସବୁଦିନ ମନ୍ଦିରକୁ ଯାଆନ୍ତି । ଏଇଟା ଠିକ୍ ବେଳ । ଏହି ସମୟରେ ଚାନ୍ଦ ସାଥିରେ କଥାବାର୍ତ୍ତା କରିହବ । କିନ୍ତୁ ତା’ ବୋଉ ଯଦି ଥାଆନ୍ତି ? ବୋଉ ଥାଆନ୍ତୁ ! ଚାନ୍ଦ ବଡ଼ ଚାଲାକ । ବଡ଼ ଚତୁରୀ । ସେ ସବୁ କଥାକୁ ସମ୍ଭାଳିନବ । ତାଙ୍କର ଠାରଠୁରା ଯଥେଷ୍ଟ ଅଛି । ଟିକେ କାଶିଲେ କିମ୍ବା ଆଖିରେ ଇଶାରା ଦେଲେ ସେ ଘରୁ ଆସି ବାରିପାଖ ନଡ଼ିଆଗଛ, ଲେମ୍ବୁ ଗଛ, ପିଜୁଳିଗଛ କିମ୍ବା ବେଲଗଛ ପାଖ, ସହଜେ ଦେଖା ପଡ଼ୁ ନଥିବା କୌଣସି ଗଛ ଗହଳ ଜାଗାରେ ପହଞ୍ଚିଯିବ ଏବଂ ସେଠାରେ ସେମାନେ ତାଙ୍କର ପ୍ରେମର ଭବିଷ୍ୟତ୍ ନିର୍ଣ୍ଣୟ କରିବେ ।

 

ଚାନ୍ଦର ଘର ଏଇ ଦିଶୁଛି । ଏଇ ପାଖେଇ ଆସୁଛି । ନରେନ୍‌ର ଛାତିର ଦୁକ୍‌ ଦୁକ୍‌ ସ୍ପନ୍ଦନ ଦ୍ରୁତତର ହେଉଛି । ସେ ହଠାତ ଚାନ୍ଦ ଘରକୁ ଯିବ ନା ନାହିଁ ଭାବିବାକୁ ଲାଗିଲା । ନା, ପରିସ୍ଥିତି ଦେଖି କାମ କରିବାକୁ ପଡ଼ିବ । ଆଗେ ଚାନ୍ଦ ଘରକୁ ଯିବନି । ଚାନ୍ଦ ଘରଠାରୁ ଛାଡ଼ି ଟିକେ ଦୂରରେ ଯେଉଁ ପାନ ଦୋକାନ ଅଛି, ସେଠାକୁ ଆଗେ ଯିବ ଏବଂ ସେଠାରୁ ଚାନ୍ଦକୁ ଦେଖିବାପାଇଁ ଅପେକ୍ଷା କରିବ ।

 

ନରେନ୍‌ ତରଙ୍ଗ ତରଙ୍ଗ ହେଇ ଚାଲିବାକୁ ଲାଗିଲା । ଏଇ ଠିକ୍ ତା’ର ଡାହାଣ ପାଖରେ ଚାନ୍ଦର ଘର । ଚାନ୍ଦର ଶୋଇବା ଘରର ଝରକା ଖୋଲା ଅଛି । ସେଇ ଝରକାର ରେଲିଂ ଆରପାଖେ କ’ଣ ଦିଶୁଛି ! କ'ଣ ଦିଶୁଛି ସେଇ ଝରକା ଫାଙ୍କରେ ?

 

ଆଃ....ରସମଲ୍ଲୀ ?

 

ଚାନ୍ଦ ଝରକାର ରେଲିଂକୁ ତା’ର ସୁନା ହାତରେ ଧରି ନରେନ୍‌କୁ ଚାହିଁଛି । ନରେନ୍‍କୁ ଦେଖି ହସୁଚି । ଆଉ ତା’ର ସେଇ ମାରଣାସ୍ତ୍ର ଖଞ୍ଜି ଆଖି ଦୁଇଟିକୁ ନଚାଇ ପାଟି ନଫିଟାଇ ଆଖିରେ ଡାକୁଛି ଆସ…. !

 

ନରେନ୍ ନିଜକୁ ବହୁଦିନରୁ ଅନ୍ଧକାରରେ ବୁଲୁଥିବା ଏକ ପତଙ୍ଗ ବୋଲି ଭାବିଲା । ଆଜି ସେ ଯେପରି ଆଲୋକ ଦେଖିପାରୁଛି । ସେ ଆଲୋକ କୋମଳ, ସ୍ନିଗ୍‍ଧ; ଅଥଚ ଉଜ୍ଜ୍ୱଳ ରସମଲ୍ଲୀର ଆଲୋକ । ସେ ଫିଟିପଡ଼ିଛି । ନରେନ୍ ମନେହେଲା, ସେ ଶୂନ୍ୟେଶୂନ୍ୟେ ଏହି ପାଚେରି ଡେଇଁ ସେଇ ଆଲୋକରେ ନିଜକୁ ଝାସ ଦେବ । ଆଲୋକର ଅଗ୍ନିକୁ ନିଜର ଦେହେ ଦେହେ ଅନୁଭବ କରି, ଜାଳି ନିଜକୁ ପୋଡ଼ିଦେବ ।

 

ସେ ଜ୍ୱଳନ ଓ ଦହନରେ ସ୍ୱାଦ ଅଛି ଏବଂ ତାହା ତା’ର ପ୍ରିୟାମିଳନ ପିଆସୀ, ପ୍ରିୟାବିରହ ବିଧୁର, ଦଗ୍‍ଧୀଭୂତ, ସଂତପ୍ତ ଆତ୍ମାକୁ ଶୀତଳ କରିବ । ଅଗ୍ନିର ଦହନ ସର୍ବଥା ପୀଡ଼ାଦାୟକ, କିନ୍ତୁ ଏ ରସମଲ୍ଲୀର ଅଗ୍ନି ତା’ର ପୁରୁଷ ପ୍ରାଣ ପ୍ରତି ଚରମ ଶାନ୍ତିର ସୁଧାଧାରା ଢାଳିଦବ ।

 

ଚାନ୍ଦର ଆଖି ସହିତ ନିଜର ଆଖି ମିଳାଇ ନରେନ୍ ହସିଦେଲା ଏବଂ ଅତି ସଂତର୍ପଣରେ ଚାନ୍ଦର ଘର ଫାଟକ ଖୋଲି ଭିତରକୁ ଗଲା ।

 

ମଉସା କାହାନ୍ତି ?

 

ଚାନ୍ଦ ହସିଲା । ସେ ନରେନ୍‌ର ପ୍ରଶ୍ନ ପ୍ରତି ଯେପରି ସଜାଗ ନୁହେଁ । ନରେନ୍‌ ଆସିଛି ତା' ପାଖକୁ, ତା’ ପ୍ରିୟ ଆସିଛି ତା' ପାଖକୁ ଏଇ ତା’ର ବଡ଼ କଥା । ତା’ର ଖୁସିର ସୀମା ନାହିଁ । ତା’ର ବାଳିକା ମନ ଆଜି ଫୁଲି ଉଠି ଦିଗକୂଳ ଭାଙ୍ଗି ଛୁଟିଯାଉଛି । ସେ ନରେନ୍‌ର ପ୍ରଶ୍ନର ପ୍ରତିଉତ୍ତର ନ ଦେଇ କହିଲା ମୁଁ ଭାବିଥିଲି ତମେ ମୋ ଉପରେ ରାଗିଛ ।

 

ନା...; ମୁଁ ରାଗିବି କାହିଁକି ତତେ ଚାନ୍ଦ । ମୁଁ ତ ତତେ କେବେ ରାଗିପାରେନା । ମଉସା କ’ଣ ଘରେ ଅଛନ୍ତି ?

 

ନା… ।

 

କୁଆଡ଼େ ଯାଇଛନ୍ତି ? କ’ଣ ମନ୍ଦିରକୁ ?

 

ନା, ମନ୍ଦିରକୁ ଯାଇନାହାନ୍ତି ।

 

କିନ୍ତୁ ବର୍ତ୍ତମାନ ତ ତାଙ୍କର ମନ୍ଦିର ଯିବା ବେଳ ।

 

ହଁ..., ସବୁ ଦିନ ସେ ଏତିକିବେଳେ ମନ୍ଦିରକୁ ଯାଆନ୍ତି ଯେ, କିନ୍ତୁ ଆଜି ଯାଇନାହାନ୍ତି ।

 

ତେବେ... ?

 

ଡାକ୍ତର ପାଖକୁ ଯାଇଛନ୍ତି ।

 

ଡାକ୍ତର ପାଖକୁ ! କାହିଁକି ? କ'ଣ ଦେହ ଖରାପ ହେଉଛି ? ନରେନ୍‌ ବ୍ୟସ୍ତହେଇ ପଚାରିଲା ।

 

ଦେହ ତାଙ୍କର କାହିଁକି ଖରାପ ହେବ ?

 

ତେବେ ଡାକ୍ତର ପାଖକୁ କାହିଁକି ଯାଇଛନ୍ତି ? ମାଉସୀଙ୍କ ଦେହ କ'ଣ ଖରାପ ?

 

ନା..., ବୋଉ ଦେହ ଭଲ ଅଛି ।

 

ତୋ ଦେହ... ?

 

ମୋ ଦେହ ତ ଭଲ ଅଛି । ଏଇ ଦେଖୁନ, ତମ ଆଗରେ ଠିଆହେଇ କଥା କହୁଛି । କିନ୍ତୁ ମନଟା ତ ଖରାପ ଥିଲା, ଭୀଷଣ ଖରାପ । ମୋ ଡାକ୍ତର ସିଧାସଳଖ ମୋ ପାଖରେ ଆସି ଠିଆ ହୋଇଛନ୍ତି । ଏଥର ମୋ ମନକୁ ଭଲ କରି ଦେବେ ।

 

ହେଃ... ଥଟ୍ଟା କରନା । ମୁଁ ପଚାରୁଛି ମଉସା ଡାକ୍ତର ପାଖକୁ କାହିଁକି ଯାଇଛନ୍ତି ?

 

ଡାକ୍ତର ପାଖକୁ ଯାଇଛନ୍ତି କାନ ଦେଖାଇବା ପାଇଁ ।

 

ନରେନ୍‌ ଆଶ୍ଚର୍ଯ୍ୟ ହୋଇ ଡବଡ଼ବ ଆଖିରେ ପଚାରିଲା–କ'ଣ କହିଲୁ ? ଯାଇଛନ୍ତି କାନ ଦେଖାଇବା ପାଇଁ ?

 

ହଁ..., କାନ ଦେଖାଇବା ପାଇଁ ଯାଇଛନ୍ତି । ତମେ ତାଙ୍କୁ କାଲ ବୋଲି ଥଟ୍ଟା କଲ ଏବଂ ଗାଳି ଦେଲ ।

 

ତୁ ବିଶ୍ୱାସ କରୁଛୁ ?

 

ଚାନ୍ଦ ଚୁପ୍ ହୋଇଗଲା ।

 

ଚାନ୍ଦ ! ତୁ ବିଶ୍ୱାସ କରୁଛୁ, ମୁଁ ମଉସାଙ୍କୁ ଥଟ୍ଟା କରିବି ବୋଲି ? କହ ।

 

ନା... ।

 

ସେଦିନ ମୁଁ ଯାହା କହିଲି, ତାଙ୍କୁ କିଛି ଶୁଭିଲା ନାହିଁ । ମୋର ପ୍ରତି କଥାର ଓଲଟା ଅର୍ଥ ସେ ବାହାର କଲେ ଏବଂ ଶେଷରେ ମୋ ଉପରେ ବିରକ୍ତ ହେଲେ ।

 

ଚାନ୍ଦ ନୀରବ ରହିଥିଲା ।

 

ମାଉସୀ କାହାନ୍ତି ?

 

ବୋଉ ରୋଷେଇ କରୁଛି ।

 

ତୋ ସାଥିରେ ମୋର କଥା ଥିଲା ।

 

ହଉ... ।

 

କିନ୍ତୁ...

 

କ’ଣ କହୁନ ?

 

ନା..., ଏଣିକି ଠିଆଠିଆ କହିପାରିବିନି ତ ! ତା'ଛଡ଼ା ମୁଁ ନିହାତି ଗୁରୁତ୍ୱପୂର୍ଣ୍ଣ କଥା କହିବି । ହୁଏତ ମଉସା ଆସିପାରନ୍ତି, ମାଉସୀ ମଧ୍ୟ ଆସିପାରନ୍ତି ।

 

ତେବେ…. ? କ'ଣ ବାରିପାଖକୁ ଯିବା ?

 

ହଁ… । ଚାଲ । ସେଇଠି ମୁଁ ତତେ କହିବି ।

 

ଚାନ୍ଦ ଆଗେଆଗେ ଗଲା । ନରେନ୍‌ ତାକୁ ଅନୁସରଣ କଲା । ସେମାନେ ଚୁପ୍‌ଚାପ୍‌ । ସେମାନେ ଘର ପରେ ଘର ଟପି ଯାଉଥିଲେ । ଦୁଇ ତିନୋଟି ବଖରା ଘର ଟପିଗଲେ ମଝିରେ କୂଅ ଚାନ୍ଦିନୀ । ସେପାଖରେ ରୋଷେଇଘର । ସେଇ ରୋଷେଇ ବଘରା ସନ୍ତୁଳାର ମହକ ଭାସିଆସୁଛି । ହାଣ୍ଡିଶାଳରେ ଖୁଡ଼୍‍ଖାଡ଼୍ ଶୁଭୁଚି । ମାଉସୀ ରୋଷେଇରେ ବ୍ୟସ୍ତ । ସେ ଯଦି ବର୍ତ୍ତମାନ ରୋଷେଇ କରୁନଥା'ନ୍ତେ, ତେବେ ବଡ଼ ଅସୁବିଧା ହୋଇଥା'ନ୍ତା । ଆଗେଆଗେ ଚାନ୍ଦ ଧୀର ପାଦ ପକାଇ ଯାଉଥିଲା, ଆଉ ନରେନ୍‌ ସଂକୁଚିତ ହୋଇ ଚାଲୁଥିଲା । କାଳେ ତା’ର ପାଦ ଶବ୍ଦ ଶୁଣି ମାଉସୀ ରୋଷେଇଘରୁ ଚାଲି ଆସିପାରନ୍ତି । ଏଥିପାଇଁ ସେ ଭୟ କରୁଥିଲା ।

 

ସେମାନେ ଘର ଅଗଣା ଟପି ବାରିପାଖକୁ ଆସିଲେ ।

 

ଏଇଟା ଚାନ୍ଦଘରର ବାରି । ବାରିରେ ବିଭିନ୍ନ ପ୍ରକାରର ଫୁଲଫଳ ବଗିଚା । ବଗିଚା ଭିତରେ ଛୋଟିଆ ପୋଖରୀ । ସେଇ ପୋଖରୀ ପାଖରେ ଚଉତରା । ପୋଖରୀକୁ ବେଢ଼ି ନଡ଼ିଆଗଛମାନ ଠିଆ ହେଇଛନ୍ତି ।

 

ସେଇ ବାଁ' ପାଖରେ ଯେଉଁଠି ଦୁଇ ତିନୋଟି ଲେମ୍ବୁ ଗଛ ଝଙ୍କାଳିଆ ହେଇ ବଢ଼ିଉଠିଛନ୍ତି, ଏବଂ ପାଖରେ କଦଳୀ ଗଛଗୁଡ଼ାଏ । ତା’ରି ତଳେ ନରେନ୍ ବସିଲା । ଚାନ୍ଦବି ବସିଲା ।

 

ସେମାନେ ଚୁପ୍‍ଚାପ୍ ବସିଥିଲେ । ସେମାନଙ୍କର ମନରେ ଗୁଡ଼ାଏ ଅଡ଼ୁଆତଡ଼ୁଆ ଚିନ୍ତାଧାରା । ସେମାନଙ୍କ ମନରେ ଭାରିଭାରି ଭାବ । ନରେନ୍ ଚାନ୍ଦର ମୁହଁକୁ ଚାହିଁଥିଲା, ଆଉ ଚାନ୍ଦ ତା’ର ନିଜର ଆଣ୍ଠୁ ଦୁଇଟି ଉପରେ ମୁହଁଟିକୁ ରଖି ନରେନ୍‍କୁ ନ ଚାହିଁ, ଛୋଟଛୋଟ ଘାସକୁ ଛିଣ୍ଡାଉଥିଲା ।

 

ନରେନ୍‌ ଦେଖିଲା, ଚାନ୍ଦର ମୁହଁରେ ଏଇ ବର୍ତ୍ତମାନ ଯେଉଁ ପ୍ରସନ୍ନତା ଖେଳିବୁଲୁଥିଲା, ତା’ର ମୁହଁଟି ଯେପରି ଭାବରେ ଖୁସିରେ ଝଳି ଉଠିଥିଲା, ସେ ପ୍ରସନ୍ନତା, ସେ ହସ-ଖୁସି ଭାବ କିପରି ଆସ୍ତେଆସ୍ତେ ମଉଳି ଯାଉଛି; ଆଉ ତା’ ବଦଳରେ ସେଇ ମୁହଁଟି ଯେପରି ଗଭୀର ଦୁଃଖରେ କାତର ହେଇପଡ଼ୁଛି । ନରେନ୍‍ ବ୍ୟସ୍ତହେଇ ଉଠିଲା, ଦେଖିଲା, ଚାନ୍ଦର ଆଖି ଲୁହରେ ଭରି ଉଠୁଛି, ଏବଂ ଟୋପାଟୋପା ଲୁହ ଝରିପଡ଼ୁଚି ।

 

ଚାନ୍ଦ... !

 

ନରେନ୍‌ ତା’ର କାନ୍ଧକୁ ହଲାଇ କହିଲା–କାନ୍ଦୁଛୁ କାହିଁକି ଚାନ୍ଦ, କଥା କହ ।

 

ଏଇ ପଦକ କଥାରେ ନରେନ୍ ଦେଖିଲା, ହଠାତ ଚାନ୍ଦର କାନ୍ଦ ଯେମିତି ବଢ଼ିଯାଉଛି; ଆଉ ଆଖିରୁ ତା’ର ଧାରଧାର ଲୁହ ବହିଯାଉଛି । ହୁଏତ ତା’ର ଲୁହ ତା’ର ଅମୁହାଁ ମନର ଶକ୍ତ ଆନିକଟକୁ ଟପି ନ ପାରି ଆଜକୁ କେତେ ଦିନ ହେଲା ମିନିଟ ମିନିଟ ହେଇ ଜମି ରହିଥିଲା । ଏଇ ପଦକ କଥା ଯେପରି ତା’ର ମନ ଆନିକଟର ଚାବିକୁ ଖୋଲିଦେଲା । ଚାନ୍ଦ ନରେନ୍‍ର ହାତକୁ ଚାପି ଧରି କାନ୍ଦିକାନ୍ଦି କହିଲା ତୁମେ କ'ଣ ମତେ କ୍ଷମା କରିବନି ?

 

ଚାନ୍ଦ !

 

ବାପା ତୁମକୁ ରାଗିଲେ, ଗାଳି ଦେଲେ । ତୁମେ ସେଦିନ ଚାଲିଗଲ ଯେ, ଆଉ ଆସିଲନି । ମୁଁ ଭାବିଲି ଯେ, ତୁମେ ସେଇଥିପାଇଁ ମତେ ଭୁଲିଗଲ ।

 

ନରେନ୍ ଚାନ୍ଦର ଦୁଇହାତକୁ ଧରି କହିଲା–ମୁଁ ତତେ କ'ଣ ସତେ ଭୁଲିପାରିବି ଚାନ୍ଦ ? ହୁଏତ ଏ ଜୀବନରେ ନୁହେଁ । ତୁ କିନ୍ତୁ ମତେ ଭୁଲି ଯାଇପାରୁ !

 

ଏ କ'ଣ କହୁଛ ? ବାପା ସିନା ମିଛରେ ତୁମକୁ ସେଦିନ ଗାଳିଦେଲେ, ହେଲେ–

 

ମଉସାଙ୍କ କଥା ମୁଁ ଧରିନି ।

 

ବାପାଙ୍କର ତୁମ ପ୍ରତି ଯେଉଁ ଦୁର୍ବ୍ୟବହାର, ସେଥିପାଇଁ ମତେ ଲଜ୍ଜା ଆସୁଛି । ମୁଁ ତୁମଠାରେ ଭୁଲ୍ ମାଗୁଛି ।

 

...ଚାନ୍ଦ... !

 

ତୁମେ କୁହ, ତମେ ସେ ସବୁ ଭୁଲି ଯାଇଛ ?

 

ଚାନ୍ଦର ଆଖିରୁ ଲୁହକୁ ନିଜ ଲୁଗାର କୁଞ୍ଚ କାନିରେ ପୋଛି ନରେନ୍ କହିଲା–ନ ଭୁଲିଥିଲେ, ମୁଁ ପୁଣି କାହିଁକି ଏଠାକୁ ଆସିଥା'ନ୍ତି ? ତୋପାଇଁ ତ ମୋର ସକଳ ଗାଳି ଅପମାନ ଚନ୍ଦନ, ଟେକାପଥର ଫୁଲମାଳ । ତୋପାଇଁ ହସିହସି ମୁଁ ସବୁ ସାହିପାରେ । ତୁ ମୋର ସବୁ ।

 

ଏକଥା ଶୁଣି ଚାନ୍ଦର ଆଖିରେ ପୁଣି ଲୁହ ଦେଖାଗଲା । ସେ ଲୁହକୁ ପୋଛି କହିଲା–ବାପା ଜିଦ୍‍ଖୋର୍, ଯାହା ଥରେ ବୁଝନ୍ତି, ତାହା ଅକାଟ୍ୟ ହେଇ ତାଙ୍କ ପାଖରେ ସବୁ ଦିନ ରୁହେ ।

 

ମୁଁ ମଉସାଙ୍କ କଥା ଜାଣେ ଚାନ୍ଦ !

 

ତୁମେ ହୁଏତ ବିଶ୍ୱାସ କରିବନି, ତୁମପାଇଁ ଏଇ ଛଅ ସାତଦିନ ହେଲା ମୁଁ ଖାଇବା-ପିଇବା ଛାଡ଼ିଦେଇଛି ।

 

ଏଇଟା ମୋର ଭାଗ୍ୟ ।

 

ଏମିତି କାହିଁକି କହୁଛ !

 

ଆବେଗରେ ଥରଥର ଗଳାରେ ନରେନ୍ ଚାନ୍ଦକୁ ଦୁଇ ହାତରେ ଧରି ପ୍ରଶ୍ନ କଲା–ତୁ କ'ଣ ସତେ ମତେ ବାହା ହବୁ ଚାନ୍ଦ ? ବାହା ହେଇ ପାରିବୁ ?

 

ଚାନ୍ଦ କିଛି ନ କହି ତଳକୁ ମୁହଁ ପୋତିଲା ।

 

ସେହିପରି ବାଷ୍ପାକୁଳ ଗଳାରେ ନରେନ୍ ପ୍ରଶ୍ନ କଲା–ତୁ ଥରେ ମତେ ଏୟା ପଚାରିଥିଲୁ-। ମୁଁ ତତେ ହଁ କରିଥିଲି କିନ୍ତୁ ମୁଁ ପଚାରୁଛି ଚାନ୍ଦ, ସତରେ ତୁ କ'ଣ ମତେ ବାହା ହେବୁ-!

 

ମୁହଁକୁ ତଳକୁ ପୋତି ଚାନ୍ଦ କହିଲା–ବାପା କିନ୍ତୁ ମନା କରୁଛନ୍ତି ।

 

ମୁଁ ବାପାଙ୍କ କଥା ପଚାରୁନି, ପଚାରୁଛି ତୋ କଥା ।

 

ଚାନ୍ଦ ନରେନ୍‍ର କଥାରେ କହିଲା–ମୁଁ ତ କେବେ ତୁମ କଥାରୁ ବାହାରି ଯାଇନି । ତୁମେହିଁ ମୋର ସବୁ । କିନ୍ତୁ ମୁଁ କ'ଣ କରିବି କୁହ, ବାପା ଯେତେବେଳେ–

 

ଓଃ.... ବାପା-ବାପା କାହିଁକି ହଉଛୁ ଚାନ୍ଦ ! ବାପା କ'ଣ ତୋର ସବୁ ! ମୁଁ ତୋର କେହି ନୁହେଁ ? ବାପା ତୋପାଇଁ ତାଙ୍କର ସବୁ ଦେଇପାରିବେ । ଦେଇପାରିବେ, ଜମିବାଡ଼ି, ଧନଦଉଲତ, ଗାଡ଼ିଘୋଡ଼ା । କିନ୍ତୁ ଦେଇ ପାରିବେନି ଗୋଟାଏ ଜିନିଷ, ଯାହା କି ମୁଁ ଦେଇପାରେ । ମୁଁ ତୋପାଇଁ ଦୁନିଆ ଆଗରେ ମୋର ଜୀବନକୁ ବାଜି ରଖିବି । ବାପା କ'ଣ ତୋପାଇଁ ଜୀବନ ଦେଇପାରିବେ ? କହ–

 

ଚାନ୍ଦ କିନ୍ତୁ କିଛି କହିପାରି ନଥିଲା । ତୁ ମୋ ଆଖିର ପିତୁଳା । ମନର ଚାନ୍ଦ । ତୁ ନଥିଲେ ମୁଁ ଅନ୍ଧ ହେଇ ଯାଏଁ, ମନରେ ମୋର ଘୋଟିଯାଏ ଘନ ଅନ୍ଧକାର । ମନ ମୋର ହାହାକାର କରିଉଠେ । ତତେ ଛାଡ଼ିଲେ ମୁଁ କେମିତି ବଞ୍ଚିବି କହ ? ମୁଁ ତ ମରିଯିବି ! ଜିଅନ୍ତା କଲବଲ ହୋଇ ସାରା ଜୀବନଟା ମୃତ୍ୟୁଯନ୍ତ୍ରଣା ଭୋଗ କରିବି ।

 

ହଠାତ ନରେନ୍‍ର ପାଟିକୁ ଚାନ୍ଦ ତା' ହାତରେ ଚାପି ଧରି କହିଲା ସେମିତି କୁହନା, ସେମିତି କୁହନା ! ମୋ ପରି ଗୋଟିଏ ହୀନିକପାଳୀ ପାଇଁ ତମେ ଯେ ମୃତ୍ୟୁଯନ୍ତ୍ରଣା ଭୋଗ କରିବ, ତାହା ଶୁଣି ମୋର ସାତ ଜନ୍ମର ପାପ ଧୋଇ ହେଇଯାଇଛି । ତୁମେ ଦେବତା ଠାରୁ ବଡ଼, ଆଉ ମୁଁ ଛାର ଝିଅଟା, ଏଇ ଘାସଠାରୁ ଛୋଟ । ମୋପାଇଁ ତୁମେ ଏତେ ଦୁଃଖ କରନା–ଦୁଃଖ କାରନା ।

 

ନରେନ୍ କହିଲା–ତୁ କହିଲେ ଯେ ମୁଁ ଦୁଃଖ କରିବିନି; ଖୁସି ହେବି, ତୋ କଥାରେ ହସିବି, ଏକଥା ନୁହେଁ । କାରଣ କଥାକଥାକେ ମନର ଦୁଃଖ ଘୁଞ୍ଚି ଯାଏନା କି ମନ ସାଙ୍ଗେ ସାଙ୍ଗେ ଖୁସି ହେଇଯାଏନା । ମୋ ମନକୁ ତୁ ବୁଝିବୁ କିପରି !

 

ଚାନ୍ଦ କହିଲା–ତୁମ ମନକୁ ମୁଁ ବୁଝିବିନି ତ ବୁଝିବ କିଏ ? ତୁମ ମନକୁ ଭଲଭାବେ ବୁଝିଛି ବୋଲି ତ ରାତିରାତି ଉଜାଗର ରହି ଆଖିରୁ ଲୁହ ନିଗାଡ଼ୁଛି । ନିଜର କର୍ମକୁ ନିନ୍ଦା କରୁଛି–ଭାଗ୍ୟକୁ ଗାଳି ଦଉଛି । ମୁଁ ଚାହେଁ, ତୁମକୁ । ମୁଁ ତୁମକୁ ମୋର କାନିରେ ଗଣ୍ଠି ପକାଇ ଧରିରଖିବାକୁ ଚାହେଁ । କିନ୍ତୁ କେମିତି ଯେ ଧରିରଖିବି ସବୁଦିନ ପାଇଁ, ସେଇକଥା ଭାବି ମୁଁ ତା’ର କୂଳକିନାରା କିଛି ପାଉନି ।

 

ନରେନ୍‌ ଚୁପ୍ ହେଇ ବସିଥିଲା । ଆକାଶରେ ସୂର୍ଯ୍ୟ ମଳିନ ପଡ଼ିଗଲାଣି । ସେଇ ଗୋଧୂଳି ସୂର୍ଯ୍ୟର ଈଷତ୍ ନାଲି କିରଣରେ ଚାନ୍ଦର ଗୋରା ମୁହଁଟା ଅସମ୍ଭବ ଭାବରେ ନାଲି ଦିଶୁଛି-। ତା’ର ମୁହଁ ଉପରେ ପତ୍ର ଗହଳରୁ ଯେଉଁ ନାଲି କିରଣ ଝରି ପଡ଼ୁଛି, ସେଥିରେ ଝଲସି ଉଠୁଛି-

 

ନରେନ୍‌ ଚାନ୍ଦକୁ କହିଲା–ହେଇ ଦେଖୁଛୁ–ଦେଖୁଛୁ ! ଆକାଶକୁ ଚାହାଁ... ।

 

ଚାନ୍ଦ ଆକାଶକୁ ଚାହିଁ ପଚାରିଲା–କ'ଣ ?

 

ହେଇ ଦେଖ, ସେଇ ଗୋଲାପି ଗୁଡ଼ିଟା ଏଇ ବର୍ତ୍ତମାନ ଆକାଶରେ ଉଡ଼ୁଥିଲା, କେମିତି କଟିଯାଇ ପବନରେ ଉଡ଼ିଯାଉଛି !

 

ହଁ…ଦେଖୁଛି । ଗୁଡ଼ିଟା ଦୂରକୁ ଦୂରକୁ ପବନର ବେଗରେ ପଳେଇ ଯାଉଛି ।

 

ତୁ ସିନା ଖାଲି ଗୁଡ଼ିଟାକୁ ଦେଖୁଛୁ, ମୁଁ କିନ୍ତୁ ଦେଖି ପାରୁଛି ଗୁଡ଼ିରେ ଲାଗିଥିବା ସେଇ ସୂତାଟାକୁ । ଭଲଭାବେ ଦେଖ ! ଦେଖିଲୁ କେତେବଡ଼ ସୂତାଟାଏ ଗୁଡ଼ିରେ ବାନ୍ଧିହେଇ ଲୋଟିଲୋଟି ଯାଉଛି ।

 

ହଁ…ଦେଖୁଛି । ସୂତାକୁ ଦେଖିପାରୁଛି । ସେ ଗୁଡ଼ି ଆଉ ସୂତା ଜାଣନ୍ତିନି ସେମାନେ କେଉଁଠି ପଡ଼ିବେ । ସେମାନେ ଜାଣନ୍ତି ନାହିଁ, ସେମାନେ ସହରରେ ପଡ଼ିବେ କି ମଫସଲରେ ପଡ଼ିବେ । ସେମାନେ ଜାଣନ୍ତିନି ସେମାନେ ନଦୀରେ ପଡ଼ିବେ କି ବିଲରେ ପଡ଼ିବେ । ସେମାନେ ଜାଣନ୍ତିନି ସେମାନେ ଖାଲରେ ପଡ଼ିବେ, କି କାହା କୋଠା ଉପରେ ପଡ଼ିବେ । ତଥାପି ସେମାନେ ଉଡ଼ି ଚାଲିଛନ୍ତି–ସାଙ୍ଗ ହେଇ ଚାଲିଛନ୍ତି, ଗୁନ୍ଥାଗୁନ୍ଥି ହେଇ ଚାଲିଛନ୍ତି । ସେମାନେ ବର୍ତ୍ତମାନ ମୁକ୍ତ । ସେମାନେ ଲଟେଇର ବନ୍ଧନକୁ କାଟି ଅଜଣା ପଥରେ ଚାଲିଚନ୍ତି । ଜୋର୍‍ରେ ଜୋର୍‍ରେ ।

 

ହଁ…ସେମାନେ ଖୁବ୍ ଜୋର୍‍ରେ ଉଡ଼ି ଯାଉଛନ୍ତି ।

 

ଚାନ୍ଦ… !

 

କ’ଣ… ?

 

ଗୋଟିଏ କଥା କହିବି ?

 

କହୁନ ।

 

ନରେନ୍‌ ଆବେଗରେ, ଆଶାକୁଳ ହେଇ ଚାନ୍ଦକୁ ଧରି ପଚାରିଲା–ଏ ଗୁଡ଼ି ପରି ତୁ କ'ଣ ହେଇ ପାରିବୁନି ।

 

ଗୁଡ଼ିପରି !

 

ଫିସ୍‌ଫିସ୍‌ କରି ନରେନ୍ ଚାନ୍ଦର କାନ ପାଖରେ କହିଲା–ହଁ–ହଁ...ଗୁଡ଼ିପରି ! ଗୁଡ଼ି ପରି-! ତୁ ତ ଗୁଡ଼ି ହେଲେ ମୁଁ ତୋର ସୂତାଲୋ ଚାନ୍ଦ ! ଆମେ ଦୁଇଜଣ ଏହିପରି ସବୁ ବନ୍ଧନ କାଟି, ସବୁ ମୋହକୁ ଛିନ୍ନ କରି ଦୂର ଦୂରାନ୍ତରକୁ ଚାଲିଯିବା, ଠିକ୍ ଯେମିତି ଉପର ଆକାଶରେ ସେଇ ଗୁଡ଼ି ଓ ସୂତା ଚାଲିଯାଉଛନ୍ତି । ତୁ ଯେଉଁଠି ଥିବୁ ମୁଁ ସେଇଠି ଥିବି । ମୁଁ ଯେଉଁଠି ଥିବି ତୁ ସେଇଠି ଥିବୁ । ଆମେ ଦି'ଜଣ–କେବଳ ଆମେ ଦି'ଜଣ । ଆମ ଦି'ଜଣଙ୍କ ମଝିରେ ଆଉ ନଥିବ କିଛି ବାଧା-ବନ୍ଧନ ।

 

ନରେନ୍ ଚାନ୍ଦର ମୁହଁକୁ ଚାହିଁ ରହିଲା । ଚାନ୍ଦ ଯେପରି କହିବ କହିବ ବୋଲି ହଉଛି, କିନ୍ତୁ କିଛି କହିପାରୁନି–ଗୁମ୍ ମାରି ବସିଛି । ତା’ର ଏଇ ସାଥୀଟି ଆଜି ଏତେମାତ୍ରାରେ ନୀରବ କିଆଁ-! ଚୁପ୍‍ଚାପ୍ କିଆଁ ? ଆଜି କାହିଁକି ସେ ତାକୁ ଭିଡ଼ି ଧରୁନି, କୁଣ୍ଢେଇ ଧରୁନି ? ଆଜି କାହିଁକି ସେ ଏଣୁତେଣୁ କଥା କହି ଯାଉନି ଅଣନିଃଶ୍ୱାସୀ ହେଇ ? ତା’ର ଆଖି ଦୁଇଟି ଝାଉଁଳି ପଡ଼ିଛି-। ଆଃ... ତା’ର ସେଇ ଟଣାଟଣା ବଡ଼ବଡ଼ ଆଖି କାହିଁକି ଆଜି ନିର୍ବାକ ଏତେ ? ଏଇ ତା’ର ସେଇ ସାଥୀ ନା, ଯାହାକୁ ସେ କୋଳକରେ, ଗେଲ କରେ, ଛାତିରେ ଜଡ଼ାଇ ଧରେ, ଢାଳି ଦିଏ ପ୍ରେମର ସ୍ନେହର, ଶ୍ରଦ୍ଧାର ଧାରଧାର ଫୁଆରା, ସେ ପ୍ରେମର ସେ ସ୍ନେହର ସେ ଶ୍ରଦ୍ଧାର ଯେପରି ଅନ୍ତ ନାହିଁ, ସୀମା ନାହିଁ । ଆହା... ନରେନ୍‍ର ସେଇ ଛୋଟ ଛାତିଟି ଭିତରେ ଏତେ ସ୍ନେହ ତା’ର ଏଇ ସାଥୀଟିପାଇଁ କେମିତି ସମ୍ପାଦି ରଖିଛି ! ସେ ଛାତିଟା ଯେମିତି ସ୍ନେହର ଅସରନ୍ତି ଭଣ୍ଡାର, ତା’ପାଇଁ ଆଖିରୁ ଗଡ଼େ ଲୁହ, ତା’ପାଇଁ ଓଠରୁ ଝରେ ପୁଣି ହସ । ସେ ଯେପରି ଏ ଦୁନିଆର ସବୁଠାରୁ ଆକର୍ଷଣୀୟ ଅନୁପମ ବାଳିକା, ତା’ର ଆଖିରୁ ନିଦ ଚୋରି କରେ, ରାତିରାତି ଉଜାଗର ରଖେ-। ଭୋକ-ଉପାସ ହଜାଇଦିଏ, ସେ ଆଜି କାହିଁକି ଏତେ ଉଦାସ, ବିଷଣ୍ଣ ?

 

ନରେନ୍ ଚାନ୍ଦର ମୁହଁକୁ ସେହିପରି ଚାହିଁରହିଥିଲା । ତା’ର ମୁହଁରେ ବିଭିନ୍ନ ଭାବନାର ଚିହ୍ନ ସୁସ୍ପଷ୍ଟ ହେଇ ଉଠୁଛି । ତା’ର ଆଖି ଦୁଇଟି ଯେପରି କରୁଣଭାବେ ଚାନ୍ଦକୁ ଚାହିଁ ରହିଛନ୍ତି–ଆକୁଳ କାତରଭାବେ ଚାହିଁ ରହିଛନ୍ତି । ନରେନ୍ ଚାନ୍ଦକୁ ତା’ର ଛାତି ଉପରେ ନିବିଡ଼ଭାବେ ଚାପି ଧରିଲା, ଅନୁନୟ ସ୍ୱରରେ କହିଲା–ଚାନ୍ଦ ତୁ କହୁନୁ କାହିଁକି ? ଆମେ କ'ଣ ଏଇ ଆକାଶର ଗୁଡ଼ି, ସୂତା ନୁହ !

 

ଚାନ୍ଦ ନରେନ୍‍ର ବହୁବନ୍ଧନରୁ ମୁକୁଳି କହିଲା–ତୁମେ ଯାହା କହୁଛ, ମୁଁ କିଛି ବୁଝି ପାରୁନି ।

 

ମୁଁ କହୁଛି–ଚାଲ, ପଳାଇବା ।

 

ପଳାଇବା ? କୁଆଡ଼େ ପଳାଇବା ? ଚାନ୍ଦ ଆଶ୍ଚର୍ଯ୍ୟଭାବେ ପଚାରିଲା ।

 

ଯେଉଁଆଡ଼େ ଆଖି ପାଇବ, ପଳାଇବା । ମତେ ବିଶ୍ୱାସ କର ଚାନ୍ଦ...! ମୁଁ ଶପଥ କରୁଛି, ତତେ କଥା ଦଉଛି, ତତେ ମୁଁ କେବେ ହଇରାଣ କରିବିନି । ତତେ କେବେ ଅସୁବିଧାରେ ପକାଇବିନି । ତତେ ସୁଖରେ ରଖିବାକୁ ଚେଷ୍ଟା କରିବି । ତତେ ମୋର ମୁଣ୍ଡରେ ବସାଇଥିବି । ତୁ ମୋର ମଥାର ମଣି । ତୋରିପାଇଁ, ତୋ ମୁହଁରୁ ଚେନାଏ ହସ ଦେଖିବାପାଇଁ ମୁଁ ଅସାଧନ ସାଧନାପାଇଁ ଚେଷ୍ଟା କରିବି । ପର୍ବତକୁ ତାଡ଼ି ସମତଳ କରିବି । ସାଗର ଅତିକ୍ରମ କରିବି । ତୁ କ'ଣ ମତେ ବିଶ୍ୱାସ କରୁନୁ ଚାନ୍ଦ, ମୁଁ ତତେ କେତେ ଭଲପାଏ !

 

ଚାନ୍ଦ ନୀରବ ଥିଲା ।

 

ବିଚରା ନରେନ୍, ସେହି ଅଠର ଊଣେଇଶବର୍ଷର ଯୁବକ ନରେନ୍, ଯେ ଦୁନିଆକୁ ଜାଣେ କେବଳ ସିଧାସଳଖ, ଯାହାର ମୁହଁରେ ନିଶ-ଦାଢ଼ି ବର୍ତ୍ତମାନବି ସୁଦ୍ଧା ପାକଳ ହେଇନି, ଯାହାର ଛାତିର, କମରର, ବାହୁର ଜଙ୍ଘର ମାଂସପେଶୀ ବର୍ତ୍ତମାନ ସୁଦ୍ଧା ପାକଳ ହେଇନି, ଧଇଁସଇଁ ହେଇ କହି ଯାଉଥିଲା–ଚାନ୍ଦ ଚାଲ ପଳାଇବା–ପଳାଇବା ।

 

ମୋର ବାପା ବୋଉ ଅଛନ୍ତି ।

 

ମୁଁ ଜାଣେ ଚାନ୍ଦ ।

 

ସେମାନେ ମତେ ଖୁବ୍ ଭଲ ପାଆନ୍ତି !

 

ମୁଁ ଜାଣେ ।

 

ତାଙ୍କର ମୋ ଛଡ଼ା କେହି ନାହିଁ । ମୁଁ କେବଳ ତାଙ୍କର ଏକମାତ୍ର ଝିଅ ।

 

ମୁଁ ଜାଣେ ସେ କଥା । କିନ୍ତୁ ତୁ କାହିଁକି ଭାବୁନୁ ଚାନ୍ଦ, ମୋରବି ବାପା ବୋଉ ଅଛନ୍ତି । ସେମାନେ ମଧ୍ୟ ମୋତେ ଖୁବ୍ ଭଲ ପାଆନ୍ତି । ମୁଁ କେବଳ ତାଙ୍କର ଏକମାତ୍ର ପୁଅ । ମୁଁ ସେମାନଙ୍କର ଭରସା, ସେମାନଙ୍କର ଆଶା । ମୁଁ କୁଆଡ଼େ ଚାଲିଗଲେ ସେମାନେ ପାଗଳ ହେଇଯିବେ । ମୁଣ୍ଡ ବାଡ଼େଇଦେବେ ।

 

ତେବେ ବାପା-ମା'ଙ୍କୁ ପାଗଳ କରିବ କାହିଁକି ? ମୁଣ୍ଡ ବାଡ଼େଇଲା ପରି କାମ କରିବ କାହିଁକି ?

 

ଚାନ୍ଦ ! ବାପା ମା' ଆମର କ'ଣ ସବୁ ? ଆମର ପ୍ରେମ କ'ଣ ତାଙ୍କ ତୁଳନାରେ କିଛି ନୁହେଁ ?

 

ତଥାପି ସନ୍ତାନ ହିସାବରେ ବାପା ମା'ଙ୍କ ପ୍ରତି ତ ଆମର କର୍ତ୍ତବ୍ୟ ଅଛି ?

 

ନରେନ୍ ଆଶ୍ଚର୍ଯ୍ୟ ହେଇ କହିଲା–ତୁ ଏସବୁ କ'ଣ କହିଯାଉଛୁ ଚାନ୍ଦ ? ତୋପାଇଁ ମୁଁ ଯେତେବେଳେ ସମସ୍ତଙ୍କୁ ପର କରିବାକୁ ସାହସ କରିଛି, ତୁ ଯେତେବେଳେ ଏତେ ଡରକୁଳୀ ହେଇଯାଇଛୁ କାହିଁକି ? ଗୋଟିଏ ପାଖରେ ତୁ, ଆରପାଖରେ ସାରା ଦୁନିଆ ହେଲେ, ମୁଁ ଦୁନିଆକୁ ଛାଡ଼ି ତୋରି ପାଖକୁ ଚାଲିଆସିବି । ତୁ ମୋର ଆଗ ହେଲେ ଅନ୍ୟ ସମସ୍ତେ ପଛ ।

 

କିନ୍ତୁ ମୁଁ ମୋର ବାପା-ମା'ଙ୍କ ମନରେ ଦୁଃଖ ଦେବାକୁ ଚାହେଁନା ।

 

ଚାନ୍ଦ... !

 

ଦୁନିଆରେ ମୋ ଛଡ଼ା ତାଙ୍କର ଆଉ କେହି ନାହିଁ ।

 

ବ୍ୟାକୁଳଭାବେ ନରେନ୍ କହିଲା–କିନ୍ତୁ ଦୁନିଆରେ ତୋ ଛଡ଼ା ମୋର ଆଉ କିଏ ଅଛି କହିଲୁ ?

 

ମତେ ଉପରକୁ ଏତେ ଟେକି ଲଜ୍ଜା ଦିଅନା ।

 

ତତେ ଉପରକୁ କାହିଁକି ଟେକିବି ଚାନ୍ଦ ? ମୁଁ ଯାହା କହୁଛି ସତହିଁ କହୁଛି, ମୋର ହୃଦୟର ଭାଷାକୁହିଁ କହୁଛି । ତୋ ଛଡ଼ା ଏ ଦୁନିଆରେ ମୋର ଆଉ କେହି ନାହିଁ । ତୁ ତ ମୋର ସୁଖଦୁଃଖର ସାଥୀ, ଚାନ୍ଦ ! ପିଲାଟି ଦିନରୁ ତୋରି ସାଥିରେ ମୁଁ ଏଇ ବାରିରେ କେତେ ଲୁଚକାଳି ଖେଳ ଖେଳିଛି, ଏଇ ପୋଖରୀରେ ତୋରି ସାଥିରେ ମୁଁ କେତେ ପହଁରିଛି, ବୁଡ଼ିଛି, ଏଇ ପୋଖରୀ ହୁଡ଼ାରେ କେତେ ବୁଲିଛି । କେତେ ହସକାନ୍ଦ, ଅଳି-ଅର୍ଦ୍ଦଳି, ରୁଷା-ଅଭିମାନ, ମଜା-କୌତୁକ ସବୁ ତୋରି ସାଥିରେ । ଯୋଉ ସାଥୀକୁ ମୁଁ ପିଲାଟି ବେଳୁ ପାଇଛି, ସେଇ ସାଥୀକୁ ଛାଡ଼ିପାରିବିନି ଚାନ୍ଦ, ମୁଁ କହୁଛି ଚାଲ ପଳାଇବା ।

 

ଜୀବନ ରଙ୍ଗ

ମୁଁ ତ ଯାଇପାରିବିନି !

 

ଯାଇପାରିବୁନି ?

 

ଗମ୍ଭୀର ହେଇ ଚାନ୍ଦ କହିଲା, ନା… !

 

କିନ୍ତୁ କାହିଁକି… ?

 

ସେଇକଥା କାହିଁକି ବାରମ୍ବାର ପ୍ରଶ୍ନ କରୁଛ ? କହିଲି ପରା ମୋର ବାପା-ବୋଉଙ୍କୁ ନ ପଚାରି ମୁଁ କିଛି କରିପାରିବିନି ।

 

ବାପା-ବୋଉଙ୍କୁ ପଚାରି ତୁ ମୋ ସାଥିରେ ପ୍ରେମ କରିଥିଲୁ ?

 

ଚାନ୍ଦ ଏପରି ପ୍ରଶ୍ନର କିଛି ଉତ୍ତର ଦେଲା ନାହିଁ ।

 

ବାପା-ବୋଉଙ୍କୁ ପଚାରି ତୁ ମୋ ସାଥିରେ ଯେତେବେଳେ ପ୍ରେମ କରି ନଥିଲୁ, ସେତେବେଳେ ଏଇ ପ୍ରେମର ଚୂଡ଼ାନ୍ତ ସଫଳତା ପାଇଁ ମୁଁ ମୋର ଯାବତୀୟ ବୁଦ୍ଧି, ଶକ୍ତି ନିୟୋଗ କରୁଚି, ଅଥଚ ତୁ ମତେ ପଛେଇ ଦଉଛୁ କାହିଁକି ? ପ୍ରେମ ମୋପାଇଁ ମହାନ୍ । ପ୍ରେମ ଭଗବାନ୍‍ଠାରୁ ବଡ଼ । ତା’ ଆଗରେ ବାପା ବୋଉ ଗୋଡ଼ି ପଥର ।

 

ଚାନ୍ଦ କହିଲା–କିନ୍ତୁ ତୁମେ ଯେଉଁ ପ୍ରେମ କଥା କହୁଛ, ସେ ପ୍ରେମପାଇଁ ମୁଁ ଅଯୋଗ୍ୟ ।

 

ଚାନ୍ଦ !

 

ମୁଁ ତୁମକୁ ଭଲ ପାଏ । ତୁମପାଇଁ ମୁଁ ଖାଇବାପିଇବା ଛାଡ଼ି ଦେଇପାରେ, ଏକଥା ସତ-। କିନ୍ତୁ ଭଲ ପାଏ ବୋଲି ଯେ, ମୁଁ ରାତିଅଧରେ ଘରୁ ଲୁଚି ପଳାଇବି, ଏ କଥା ମୋ ମନକୁ ଆଦୌ ଆସୁନି ! ତୁମେ ମୋତେ କ୍ଷମା କର ।

 

ଚାନ୍ଦ... !

 

ଝିଅଟାଏ ହେଲେବି ମୋର ମନର କଥା ମୁଁ ତୁମକୁ କହୁଛି–ତୁମକୁ ପାଇଥିଲେ ମୋର ଜନ୍ମ ସାର୍ଥକ ହେଇଥା'ନ୍ତା । ତୁମକୁ ବାହା ହେଇଥିଲେ ମୁଁ ସୁଖୀ ହେଇ ପାରିଥା'ନ୍ତି । କିନ୍ତୁ ମଣିଷ ଯାହା ଭାବେ, ତାହା କ'ଣ ସତେ ସେ ପାଏ ? ଗୁଡ଼ାଏ ଗଣ୍ଡଗୋଳରେ ଆମର ମିଳନକୁ ମୋର ସାହସ ନାହିଁ । ଘରୁ ଲୁଚି ପଳେଇ ଗୁଡ଼ାଏ ଅନିଶ୍ଚିତ ପଥରେ ଧାଇଁବାର ମଧ୍ୟ ସାହସ ନାହିଁ । ଏଣୁ ଆମର ବାହାଘରରେ ଯେତେବେଳେ ମୋ' ବାପା ମା'ଙ୍କର ଘୋର ଅନିଚ୍ଛା ଏବଂ ମୁଁ ଏକଥା ଜାଣେ ଯେ, ସେମାନଙ୍କର ଇଚ୍ଛାବିରୁଦ୍ଧରେ ମୁଁ କିଛି କରିପାରିବିନି, ସେତେବେଳେ ତୁମେ ମତେ ଭୁଲିଯାଅ ।

 

ନରେନ୍‌ ବଡ଼ ପାଟିରେ କହିଉଠିଲା–ଭୁଲିଯିବି ? ନା-ନା-ନା, ସେ କଥା ହେଇପାରେନା ଚାନ୍ଦ ! ମୁଁ ତତେ ଭୁଲିପାରିବିନି ।

 

ଦେଖ, ଅବୁଝା ହୁଅନା । ତମେ ମତେ ଭୁଲିଯାଅ ।

 

ଆଃ…ଏକଥା ତୁ ନିଜ ମୁହଁରେ କହିପାରୁଛୁ ଚାନ୍ଦ ? ଏପରି କହିବାକୁ ତୋର ସାହସ ଅଛି ?

 

ମୁଁ କହିବାକୁ ବାଧ୍ୟ ହଉଛି ।

 

ତାହାହେଲେ ତୁ ମତେ ଯାହା କହିଥିଲୁ, ସବୁ କ'ଣ ମିଛ ?

 

ହଁ, ମିଛ…

 

ଆମର ପ୍ରେମ ?

 

ହଁ, ମିଛ... ।

 

ତାହାହେଲେ ତୁ ମିଛ ଆଉ ମୁଁ ବି ମିଛ । ଆମେ ସବୁ କେବଳ ଛଳନା ?

 

ହଁ…, ସେଇଆ ହେଇପାରେ ।

 

ନରେନ୍‌ ଗର୍ଜିଉଠି କହିଲା–ଚାନ୍ଦ... !

 

ଚାନ୍ଦ କିନ୍ତୁ ଅନାହତ ସ୍ଵରରେ କହିଲା–ଦେଖ ପାଟି କରନା, ବୋଉ ଆସିବ ।

 

କହିବାକୁ ଲାଜ ଲାଗୁଛି ଯେ, ଅପାତ୍ରରେ ଗୁଡ଼ାଏ ଅମୃତ ଢାଳିଲି ।

 

ହଁ, ସେଇଆ ହେଇପାରେ । କିନ୍ତୁ ମତେ ରାଗୁଚ କାହିଁକି ? ପରିସ୍ଥିତିଟାକୁ ଭଲଭାବେ ବୁଝିବାକୁ ଚେଷ୍ଟା କରୁନ କାହିଁକି ?

 

ହଁ ପରିସ୍ଥିତି... ! ସେହି ପରିସ୍ଥିତି ଉପରେ ଦୋଷ ଦେଇ ପୋହଳା ଏଣ୍ଡୁଅ ପରି ତୁ ରୂପ ବଦଳାଇ ସାରିଲୁଣି । ତୁମେ ସବୁ ଝିଅମାନେ ବାରମାସୀ ଚଢ଼େଇ । ବାରମାସରେ ବାର ରୂପ । ପରିସ୍ଥିତିକୁ ଚାହିଁ ତୁମେ ରୂପ ବଦଳାଅ । କିନ୍ତୁ ଆମେ ପୁଅମାନେ ସହଜେ ରୂପ ବଦଳାଇ ପାରୁନା-। ରୂପ ବଦଳାଇବାକୁ କଷ୍ଟ ହୁଏ ବୋଲି ପ୍ରେମପାଇଁ ବିଷ ଖାଉ, ରେଳ ଲାଇନରେ ମୁଣ୍ଡ ଦେଖାଉ, ନ ହେଲେ ନିଜକୁନିଜେ ଗୁଳି କରୁ । କିନ୍ତୁ ତୁମେ ଆମର ତ୍ୟାଗ, ଆମର ମହତ୍ତ୍ୱକୁ ପାଦରେ ଦଳି ନିଜକୁ ଶାନ୍ତ, ସରଳ, ସୁଧାର ବୋଲି ପରିଚୟ ଦେଇ ବୋହୂ ସାଜି ସବାରୀ ମଣ୍ଡନ କର, ଠିକ୍ ଆମରିପରି ଆଉ ଗୋଟାଏ ପୁଅକୁ ବୋକା କରିବାପାଇଁ । ପ୍ରେମ କାରବାରରେ ତୁମେମାନେ ଯେତିକି ମାଷ୍ଟ୍ରାଣୀ, ଆମେମାନେ ସେତିକି ଗଧ । ଗଧ ବୋଲି ତ ଆମେମାନେ କିଛି ନ ବୁଝି ତୁମକୁ ଅମୂଲ୍ୟ ହୃଦୟଟି ଦେଉ, ଆଉ ତମେ ସେଇ ହୃଦୟଟି ସାଥିରେ ପକ୍କା ଖେଳୱାଡ଼ଭାବେ ଖେଳିଖେଳି, ଦିନାକେତେ ନିଜର ମନକୁ ବୋଧକରି, ତା'ପରେ ଅରମା, ଅଳିଆ ଖାତକୁ ଫିଙ୍ଗିଦିଅ, ଯେମିତି ଛୋଟ ପିଲା ତା’ର କଣ୍ଢେଇ ସାଥିରେ ଦିନେ ଦି'ଦିନ ଖେଳି ତାକୁ ଫିଙ୍ଗି ପୁଣି ଅନ୍ୟ ଆଉ କଣ୍ଢେଇପାଇଁ ଆଶାକରେ ।

 

ବୋଧହୁଏ ଚାନ୍ଦକୁ ଏତେ କଥା ଭଲ ଲାଗୁ ନଥିଲା, କାରଣ ସେ ନରେନ୍ କଥା ଶୁଣୁଥିଲା କି ଶୁଣୁ ନଥିଲା, ସେ ବିଷୟରେ ନରେନ୍ ହୁଏତ ବୁଝିପାରୁ ନଥିଲା । ଚାନ୍ଦ ଗଛକୁ ଚାହୁଁଥିଲା, ପତ୍ରକୁ ଚାହୁଁଥିଲା, ଆକାଶ, ଚଢ଼େଇଙ୍କୁ ଚାହୁଁଥିଲା ଓ ବେଳେବେଳେ ହାଇ ମାରୁଥିଲା ।

 

ସେମାନେ ପ୍ରେମକୁ ଦୁନିଆ ଆଗରେ ଶଢ଼ାପଚା କରିଦିଅନ୍ତି, ଯେଉଁମାନେ ପ୍ରେମର ସଂଜ୍ଞା କି ଅର୍ଥ ଜାଣନ୍ତି ନାହିଁ । ସେମାନେ ପ୍ରେମ କରିବାକୁ ଆଗଭର ହୁଅନ୍ତି, ଆଉ ପ୍ରେମ ପଥରୁ ଫେରି ଆସିବାପାଇଁବି ସେହିପରି ତରତର ହୁଅନ୍ତି । ପ୍ରେମର ଅର୍ଥ ଡିକ୍‍ସନାରୀରେ ମିଳେ ନାହିଁ ଏ କଥା ସତ, ବରଂ ପ୍ରେମର ଅର୍ଥ ହୃଦୟରେ ମିଳେ, ହୃଦୟର ପୃଷ୍ଠା ଖୋଲି ବସିଲେ ସହଜରେ ନୁହେଁ ବହୁତ କଷ୍ଟରେ ମିଳେ; କାରଣ ହୃଦୟର ପୃଷ୍ଠା ତ ବହୁତ–ଲକ୍ଷଲକ୍ଷ ପୃଷ୍ଠା, ସେହି ଲକ୍ଷଲକ୍ଷ ପୃଷ୍ଠା ଭିତରେ ପ୍ରେମ ଶବ୍ଦର ବ୍ୟାଖ୍ୟା କେଉଁଠି ଲୁଚି ରହିଛି, ସେ କଥା ବୁଝିବାକୁ କାହାର ବା ସମୟ ଅଛି, ଧୈର୍ଯ୍ୟ ଅଛି, ଆନ୍ତରିକତା ଅଛି ? ଏଣୁ ହୃଦୟର ସେହି ସୁବିପୁଳ ବହିର ପୃଷ୍ଠା ଭିତରୁ ପ୍ରେମର ପ୍ରକୃତ ସଂଜ୍ଞା ବୁଝିଥିଲା ବୋଲି, କାହାକୁ ନ ଚାହିଁ, ଭବିଷ୍ୟତ୍‍ର ଅନିର୍ଦ୍ଦିଷ୍ଟତା ନ ବୁଝି ନରେନ୍–ଅଠର ବା ଊଣେଇଶବର୍ଷର ଛୁଆ ନରେନ୍‍–ଦୁଃସାହସିକତାର ପ୍ରଚୋଦନାରେ ଅସ୍ଥିର ହେଇ ଗୋଟିଏ ବାଳିକାକୁ ସାଥିରେ ନେଇ କୁଆଡ଼େ ପଳେଇ ଯିବାକୁ ଚାହୁଁଥିଲା–ଢେଲା ପଡ଼ୁ କି ଟେକା ପଡ଼ୁ ମୁଣ୍ଡ ଉପରେ ସବୁ ହସିହସି ସହିଯିବାକୁ ରାଜି ଥିଲା । ସେ ତା’ର ବାଳିକା ସାଥୀକୁ ନେଇ ରହିବ, କୋଉଠି ଖାଇବ, କୋଉଠି ପିଇବ ସେ ବିଷୟରେ ଚିନ୍ତା କରୁ ନଥିଲା । ସେ ଚିନ୍ତା ମଧ୍ୟ କରୁ ନଥିଲା ଏପରି ଘଟନାରେ ଆଇନ ନିକଟରେ ଦୋଷୀ ହେବ କି ନାହିଁ । ସେ କେବଳ ଏତିକି ବୁଝୁଥିଲା–ଏ ସଂସାରଟା ପ୍ରେମମୟ ଏବଂ ଏଥିର ଅଧିଷ୍ଠାତ୍ରୀ କର୍ତ୍ତା ତା’ର ପ୍ରେମମୟୀ ଚାନ୍ଦ-। କିନ୍ତୁ ହୃଦୟର ସେହି ସୁବିପୁଳ ବହିର ଲକ୍ଷଲକ୍ଷ ପୃଷ୍ଠା ଭିତରେ ପ୍ରେମ ଶବ୍ଦଟି ନ ପାଇ ଚାନ୍ଦ ନରେନ୍‍ର ହୃଦୟ ଉପରେ ଦାରୁଣ ଆଘାତ ଦେଇ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲା–ପ୍ରେମର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ–ଏହା କେବଳ ଗୋଟାଏ ଝୁଙ୍କ । ଏଥିରେ ମନର କୌଣସି ଏକନିଷ୍ଠ ଏକାଗ୍ରତା ନାହିଁ, କି ହୃଦୟର ନିଖିଳ ଦିଗନ୍ତ ଛୁଆଁ ତଲ୍ଲୀନତା, ମହାନୁଭାବତା ନାହିଁ ମହାନ୍ ଯୌବନର ମହାଭାବର ଉଲ୍ଲସିତ ସ୍ଫୁରଣ ନାହିଁ । ଏହା କେବଳ ରୁଚି ଉପରେ ନିର୍ଭର କରେ, ନିଜର ମରଜି ଉପରେ ନିର୍ଭର କରେ, ଯେମିତି ମାନିଲେ ଦିଅଁ, ନ ମାନିଲେ ପଥର । ଏଣୁ ପ୍ରେମ ଯେ ସାଧନା କିମ୍ବା ତପସ୍ୟା, ଏ ସବୁ ମିଛ । ଖାଲି କଥାର ଚାତୁରୀ । ଏହା ବରଂ ଏକପ୍ରକାର ବିଳାସ ହେଇପାରେ । ମଉଜି ହେଇପାରେ ।

 

ସେମାନେ ଉଭୟ ନୀରବଭାବେ ଠିଆ ହେଇଥିଲେ ।

 

ଚାନ୍ଦ ବୋଧହୁଏ ସେତେବେଳେ ଭାବୁଥିଲା ଆମେ ସବୁ ଝିଅମାନେ ଏତେ ଅଡ଼ୁଆ ଭିତରେ ପଶିବାକୁ ଚାହୁଁନି । ଅଡ଼ୁଆତଡ଼ୁଆକୁ ଆମର ଡର । ଏଠି ଯାହା ସେଠି ତାହା । ଏ ପୃଥିବୀରେ ଯେ କେବଳ ଜଗନ୍ନାଥ ଏକା ଅଛନ୍ତି, ସେ କଥା ନୁହେଁ । ଶିବ ଅଛନ୍ତି, ଗଣେଶ ଅଛନ୍ତି, କାର୍ତ୍ତିକ ଅଛନ୍ତି, ଆହୁରି ଅଛନ୍ତି ଅନେକ ଦେବତା । ଯେଉଁମାନେ ତତ୍ତ୍ୱଦର୍ଶୀ ସେମାନେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଠାକୁରକୁ ପୂଜା କରନ୍ତି–ମନର କଥା କୁହନ୍ତି ।

 

କିନ୍ତୁ ଅନ୍ୟ ସମସ୍ତେ ଗୋଳିଆମିଶା ହେଇ ସବୁ ଠାକୁରଙ୍କୁ ପୂଜା କରନ୍ତି । ତାଙ୍କ ପାଖରେ ଜଗନ୍ନାଥ ଯେତିକି କାର୍ତ୍ତିକ ସେତିକି । ସେମାନେ ଜଗନ୍ନାଥଙ୍କୁ ଯେତିକି ଆକୁଳରେ ଡାକନ୍ତି, ଗଣେଶ ପାଖରେ ସେତିକି ମୁଣ୍ଡ ବାଡ଼ାନ୍ତି । ସେମାନଙ୍କର କାହା ପାଖରେ ନିର୍ଦ୍ଦିଷ୍ଟ ଆନ୍ତରିକତା ନଥାଏ । ସେଇ ଗୋଳିଆମୋଳିଆଙ୍କ ସଂଖ୍ୟା ବେଶି । ସେହିମାନଙ୍କ ଭିତରୁ ଆମେ । ଆମପାଇଁ ନରେନ୍ ଯାହା ଅନ୍ୟ ତାହା । ଆମେ ଟିକିଏ ସ୍ନେହ, ଟିକିଏ ଆଦର ଆଉ ଗଣ୍ତାଏ ଖାଇବାକୁ ଖଣ୍ଡେ ପିନ୍ଧିବାକୁ ପାଇଲେ ଯଥେଷ୍ଟ । କାଦୁଅକୁ ଯିବୁ କିଆଁ, ଗୋଡ଼ ଧୋଇବୁ ବା କିଆଁ-? ଏଣୁ ଏ ସବୁ ବିଷୟରେ ଯେତେ କମ୍ ମୁଣ୍ଡ ଖର୍ଚ୍ଚ କରାଯାଏ, ସେତିକି ଭଲ ।

 

କିନ୍ତୁ ନରେନ୍ ଭାବୁଥିଲା–ସାଧାରଣତଃ ଯେଉଁମାନେ ଟଙ୍କାପଇସାରେ ଧନୀ, ସେମାନଙ୍କର ହୃଦୟ ନଥାଏ । ସେମାନେ ଗର୍ବୀ । କାରଣ ଟଙ୍କାପଇସାର ତୋଡ଼ରେ ତାଙ୍କର ହୃଦୟଟି କୁଆଡ଼େ ଭାସି ଚାଲି ଯାଇଥାଏ । ଏହା ଜଣାଶୁଣା କଥା । ଠିକ୍ ସେହିପରି ଯେଉଁ ଝିଅମାନେ ରୂପରେ ଧନୀ, ରୂପ ଯେଉଁମାନଙ୍କର ଅତୁଳ, ସେମାନେ ବିଶେଷ ଗର୍ବିଣୀ । ସେମାନଙ୍କର ହୃଦୟ ନଥାଏ । ସେମାନେ ବାହାରେ ସିନା ଦେହଟିକୁ ସୁନ୍ଦର ସଜାଇ ଚିକ୍‍ଚିକ୍ ରଖିଥାନ୍ତି; କିନ୍ତୁ ଭିତରେ ହୃଦୟଟିକୁ ଅରମା ଅସନା ନୟନ ଜୋରିରେ ହଜାଇ ଦେଇଥାନ୍ତି । ସେମାନେ ପ୍ରେମିକର ଲୁହ, ହା-ହୁତାଶ, ଦୀର୍ଘଶ୍ୱାସ, ପୀଡ଼ାର ଜ୍ୱାଳାକୁ ବୁଝିପାରନ୍ତି ନାହିଁ । କିଛି ବୁଝି ପାରୁନଥିବା, କିଛି ଜାଣୁ ନଥିବା ଅବୋଧ ଶିଶୁ ଯେମିତି ଗୋଟିଏ କଙ୍କିକୁ ସୂତାରେ ବାନ୍ଧି ତାକୁ ନଚାଏ, ଉଡ଼ାଏ, ଖେଳାଏ, ପୁଣି କିଛି ସମୟ ପରେ ତାକୁ ଧରି ହସିହସି, ମହା ବିକ୍ରମରେ, ମହାଉଲ୍ଲାସରେ ଗଡ଼ ଜିତିଲା ପରି ତା’ର ଛୋଟଛୋଟ ଡେଣାକୁ ଛିଣ୍ଡାଇ ଛେଚି ମାରିଦିଏ, ଏହି ରୂପଗର୍ବିଣୀ ଝିଅମାନେ ଠିକ୍ ସେହିପରି ତାଙ୍କ ପ୍ରେମିକଙ୍କର କଲିଜାକୁ ଚୋରି କରି, ତା’ ସାଥିରେ ଖେଳି, ତାକୁ ନଚାଇ ତାକୁ ଉଡ଼ାଇ, ତାକୁ ଲହୁଲୁହାଣ କରି ମାରି ଦିଅନ୍ତି ଖୁସିରେଖୁସିରେ ହସିହସି-। ଚାନ୍ଦ ହୁଏତ ସେମାନଙ୍କ ଭିତରୁ ଗୋଟିଏ ।

 

ନରେନ୍‍ ଶେଷଥର ପାଇଁ ପଚାରିଲା ତୁ କ’ଣ ମୋ ସାଥିରେ ଯିବୁନି ?

 

ଦେଖ, ଅବୁଝା ହୁଅନି । ମତେ ଭୁଲିଯାଅ । ମୁଁ ଯେ ତୁମର ଜୀବନର ଏକମାତ୍ର ସାଥୀ, ସେ କଥା ଭାବନି । ଅନ୍ୟ କୌଣସି ସାଥୀ ବାଛିନିଅ । ଦୁନିଆଯାକ ମୋପରି ଝିଅ ବିଛୁଡ଼ି ହେଇଛନ୍ତି । ମୋଠାରେ ଯେ ଲାଖ ମରାହେଇଛି, ଏମିତି ନୁହେଁ । ଗୋଟିଏ ସାଥୀ ପାଇଲେ ମତେ ଭୁଲିଯିବ ।

 

ଚାନ୍ଦ... ! ନରେନ୍‍ ଗର୍ଜିଉଠିଲା, କହିଲା–ତୋର ବଡ଼ ଅଭିମାନ, ତୁ ସୁନ୍ଦରୀ । ହଁ ମୁଁ ମାନୁଛି ତୁ ସୁନ୍ଦରୀ । ଆଜି ଆମର ଶେଷ ମିଳନ ସମୟରେ ମୁଁ ତୋର ରୂପର ପ୍ରଶସ୍ତି ଗାନ କରୁଛି-। ମୁଁ ତୋ ରୂପର ପୂଜାରୀ । ତୋ ରୂପର ପ୍ରଶସ୍ତି ମୁଁ ଗାନ ନ କରିବି ତ କରିବ କିଏ ? ଏ ପୃଥିବୀର ସବୁ ବାଳିକାଙ୍କର ରୂପ ଯଦି ଏକାଠି ମିଶି ଗୋଟିଏ ହୁଏ, ତେବେ ତୋ ରୂପର ସରି ହବନି-। ତୁ କୋହିନୂର । ମୁଁ ମାନୁଛି, ତୁ କୋହିନୂର ପରି ଖୁବ୍ ଦାଉଦାଉ ଜଳୁଛୁ । କିନ୍ତୁ ତୁ ହୀରାଟାଏ ! ମଣିଷ ନୁହେଁ, ପଥରଟାଏ । ହିମଶୀତଳ, ହୃଦୟହୀନ, ଦୁର୍ଲଭ, ଦୁଷ୍ପ୍ରାପ୍ୟ ପଥରଟାଏ-। ଛାତି ସାଥିରେ ଛାତି ମିଶାଇଲେ ସୌହାର୍ଦ, ଶ୍ରଦ୍ଧା, ସେହ୍ନ ମିଳେ । କିନ୍ତୁ ପଥର ସାଥିରେ ଛାତି ମିଶାଇଲେ ଛାତି ଖଣ୍ଡିଆଖାବରା ହୁଏ । ମୋର ଠିକ୍ ଏହି ଅବସ୍ଥା । ତତେ ସ୍ନେହ ଦେଇ, କୋଳକରି, ଚୁମ୍ୱନ ଦେଇ ସୁଦ୍ଧା ମୁଁ ତୋହର ଉଚିତ ପୁରସ୍କାର ଆଜିଯାଏ ବାକି ରଖିଛି-। ମୋର ଅହଂକାର, ମୋର ଗର୍ବ, ମୋର ବ୍ୟକ୍ତିତ୍ୱବୋଧ, ମୋର ପୌରୁଷ ଏବଂ ଦମ୍ଭର ସବୁତକ ଶକ୍ତି ନେଇ ଆଜି ତୋପରି ରୂପସୀ କୋହିନୂର ପାଖରେ ମୋର ଅବହେଳିତ ପ୍ରେମିକ ମନ ଏଇ ଭେଟିଦଉଛି, ଏଇ ନେ..., ହଠାତ ଏହା କହି ନରେନ୍ ଖୁବ୍ ଶକ୍ତି ଖଟାଇ ଗୋଟିଏ ଥାପଡ଼ ମାରିଦେଲା ଚାନ୍ଦ ମୁହଁରେ !

 

ହଁ...,ଏହି ପ୍ରେମପୂଜାରୀର ଏହାହିଁ ତୋପାଇଁ ଶେଷ ଉପହାର । ନରେନ୍‍ ରୁକ୍ଷଭାବେ କହିଉଠିଲା ।

 

ନରେନ୍ ଚାନ୍ଦକୁ ଚାହିଁପାରିଲା ନାହିଁ । କ’ଣ କଲା ସେ ? ମାରିପାରିଲା ତାକୁ ?

 

ଚାନ୍ଦ..... !

 

ପ୍ରାଣ ମୋର... !

 

ମୁଁ ଏ କ’ଣ କଲି ?

 

ଚାନ୍ଦ କାନ୍ଦୁଛି କି କାଠଟି ପରି ଠିଆ ହେଇଛି, ନରେନ୍‍ର ତାକୁ ଥରେ ଦେଖିବାକୁ ସାହସ ହେଲାନି ।

 

ସେ ଝଡ଼ବେଗରେ ଚାଲିଆସିଲା ଚାନ୍ଦକୁ ଛାଡ଼ି ।

 

ଆସିଲାବେଳେ ଦେଖିଲା ଅଗଣାରେ କେହି ନାହାନ୍ତି, ବାଟରେ ମଧ୍ୟ କେହି ନାହାନ୍ତି ।

 

କିନ୍ତୁ ସେଇ ଯେଉଁ ବିଲେଇଟା ଦଉଡ଼ିରେ ବନ୍ଧା ହୋଇଥିଲା, କେଜାଣି କ’ଣ ହେଲା, ହଠାତ ଫାଶରୁ ଖସିଯାଇ ନରେନ୍ ଆଗରେ ସିଧାସିଧା ଡିଆଁ ଚିରା ମାରି ପାଚେରି ଟପି ଚାଲିଗଲା ଖୁବ୍ ଜୋର୍‍ରେ ।

 

ମୁଁ ନରେନ୍‍ର ଏଇ ଯେଉଁ ପ୍ରେମ କାହାଣୀ କଥା କହୁଛି; ସେ ଆଜିର କଥା ନୁହେଁ । ଆଜିର ପ୍ରେମ ନାଟକ ଯେପରି ସମୁଦ୍ର–ନଦୀକୂଳରେ ବଢ଼ିଉଠେ, ପାର୍କ କିମ୍ବା ସିନେମା ଘରେ, ସ୍କୁଲ୍ କଲେଜରେ ବଢ଼ିଉଠେ, ବସରେ ଜମିଉଠେ, ସେତେବେଳେ ସେପରି ନଥିଲା । ପାର୍କ କିମ୍ବା ସିନେମା ଘର ତ ନଥିଲା କହିଲେ ଚଳେ । ତା’ଛଡ଼ା ସ୍କୁଲ୍ କଲେଜରେ ଝିଅଟିଏ ଦେଖିବା ସାତସ୍ୱପ୍ନର କଥା ଥିଲା । ସମୁଦ୍ରକୂଳ ନଦୀକୂଳ ତ ଫାଙ୍କା ରହୁଥିଲା କହିଲେ ଚଳେ । ଝିଅଟିଏ ପୁଅ ସାଥିରେ ଏକାକୀ ବୁଲିବା, ତା’ ସାଥିରେ ହାଟବଜାର ଉପରେ ହସଖୁସି ହବା, ମୁଣ୍ଡରୁ ଓଢ଼ଣା ଖୋଲି ଭ୍ୟାନିଟି ଧରି ବଜାର କରିବା ଏସବୁ ନିହାତି ଅସାମାଜିକ, ରୁଚି ବିରହିତ କଥା ଥିଲା । ବାପ-ମାଙ୍କର ଅନିଚ୍ଛାରେ ପ୍ରେମ ବିବାହ କରିବା କଥାତ ପ୍ରାୟ ଜଣା ନଥିଲା, ପ୍ରେମ ବିବାହଟା କ’ଣ ! ଏସବୁ ବିଷୟରେ ଧାରଣା ତ ନଥିଲା କିମ୍ୱା ଅଜ୍ଞାତରେ ଘରୁ ଲୁଚି ପର ସାଥିରେ ପଳାଇଯିବା, ଏକଥା ଚିନ୍ତା କରିବାପାଇଁ କାହାର ସାହସ ନଥିଲା ।

 

ସମାଜରେ ଏକଘରିଆ ହେଇ ରହିବା, ନିଆଁ–ପାଣି ବାସନ୍ଦ ହେବା, ଜାତିଆଣ ଭୋଜି-ଭାତରୁ ରହିତ ହେବା ଏସବୁ ନିହାତି ନିତିଦିନିଆ କଥା ଥିଲା ଏବଂ ଏସବୁକୁ ଘୋର ଭୟ ଥିଲା ।

 

ଏଣୁ ଯେଉଁ ପ୍ରେମ ଘରର ଚଉହଦି କାନ୍ଥ ଭିତରେ, ଖରା ପଡ଼ୁ ନଥିବା ଅନ୍ଧାରି ଜାଗାର ଶିଶୁ ଅଙ୍କୁର ପରି ବଡ଼ କଷ୍ଟରେ ଡାଳପତ୍ର ମେଲି ବଢ଼ି ଉଠୁଥିଲା, ସେଇ ପ୍ରେମ ନିଷ୍ପ୍ରାଣ କାନ୍ଥର ଗୁମ୍‍ସୁମ୍ ବାତାବରଣ ଭିତରେ ମରିଯାଉଥିଲା । ଏକାଗ୍ର ପ୍ରେମକୁ ସମାଜର କୁସଂସ୍କାର ତଣ୍ଟି ଚିପି ହତ୍ୟା କରୁଥିଲା, ଏଣୁ ସମାଜର ଶକ୍ତ ଶୃଙ୍ଖଳାକୁ ଛିନ୍ନ କରି ପ୍ରେମ ଆଗରେ ପାରୁ ନଥିଲା ।

 

କାଦମ୍ବିନୀ ହୁଏତ କାନ୍ଦିଥିବ ।

 

କାଦମ୍ବିନୀ ହୁଏତ କାନ୍ଦିକାନ୍ଦି ଆଖିର ଲୁହରେ ସାରା ତକିଆଟାକୁ ତା’ର ଭିଜାଇ ଦେଇଥିବ । ତା’ର ତପ୍ତ ଦୀର୍ଘଶ୍ୱାସ, ତା’ର ସାଥୀହରା ମନର ବେଦନା, ବିଧୁର ଯନ୍ତ୍ରଣା, ଛଟପଟ ହାହାକାର, ନିରବଚ୍ଛିନ୍ନ ରାତ୍ରି ଉଜାଗରଜନିତ କ୍ଳାନ୍ତି ଏସବୁ ତା’ର ସେଇ ଗରର ପ୍ରତ୍ୟେକ ବାଲିକଣା, କାନ୍ଥର ପ୍ରତ୍ୟେକ ସୁର୍କିକୁ ଥରାଇ ଦେଇଥିବ, ମୂର୍ଛାୟିତ କରିଥିବ, କିନ୍ତୁ ତା’ପାଇଁ ତାହାହିଁ ଯଥେଷ୍ଟ ।

 

ପ୍ରେମପାଇଁ ସେ କେବଳ କେତୋଟି ଲୁହବୁନ୍ଦା ତା’ର ପ୍ରେମିକ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବ !

 

ଆଉ କ’ଣ କରିବ ବା ସେ ?

 

ତା’ର ମଥାର ଓଢ଼ଣା ଆଗରେ ଦୁନିଆ । ପାଞ୍ଚ ଛଅ ଫୁଟର ଦୁନିଆ, ସେଇ ଛଅଫୁଟର ସୀମିତ ଦୁନିଆ ଭିତରେ ନରେନ୍‌ ନାହିଁ, ଅଛି କେବଳ ମେଘନାଦ ପାଚେରି, ମେଘନାଦ ପାଚେରିର ଅଶ୍ଳୀଳ, ଅଧୃଷ୍ୟ, ଅସହନୀୟ ବନ୍ଧନୀ । ସେହି ମେଘନାଦ ପାଚେରିର କୁଟିଳ ବନ୍ଧନୀ ଭିତରେ ସେ ଏକ ବାଳିକା । କିଛି ସିନା କରିପାରୁ ନଥିବ, ହେଲେ ତା’ର ଘରର ସେଇ ଝରକାର ରେଲିଂ ଟପି ତା’ର ଆଖିକୁ ପ୍ରିୟଜନ ମୁଖକୁ ଦେଖିବାପାଇଁ ପଠାଇ ଦେଇଥିବ, ଅଥଚ ପଦାକୁ ନିଜେ ଆସି ପାରିନଥିବ ।

 

କାଦମ୍ବିନୀ ହୁଏତ ନ କାନ୍ଦିବି ଥାଇପାରେ !

 

କାନ୍ଦିବ ସେ, କିନ୍ତୁ କାହିଁକି ?

 

ମନ ହୁଏତ ଟିକିଏ ଦୁଃଖ କରିଥିବ ନରେନ୍‍ପାଇଁ, କିନ୍ତୁ ସେ ତ ନିଜେ ନରେନ୍‌କୁ ପ୍ରତ୍ୟାଖ୍ୟାନ କରିଛି । ନରେନ୍‌କୁ ଫେରାଇ ଦେଇଛି । ନରେନ୍‍ପାଇଁ ଦୁଃଖ କରିବ ବା କାହିଁକି ?

 

କାହିଁକି ବା ଉଜାଗର ରହିବ ରାତିରାତି ? କାହିଁକି ବା ତପ୍ତ ଦୀର୍ଘଶ୍ୱାସ, ଛଟପଟ ହାହାକାର, ମନର ଜ୍ୱାଳାରେ କାନ୍ଥ ବାଡ଼ର ସୁର୍କିକୁ ଥରାଇଦବ ? ବାଲିକଣାକୁ ମୂର୍ଛାୟିତ କରିବ ?

 

ଏସବୁ ନାରୀ ମନର ଗହନ କଥା !

 

କିନ୍ତୁ ଚାଲନ୍ତୁ ମୁଁ ବର୍ତ୍ତମାନ ଆପଣମାନଙ୍କୁ ନେଇଯିବି ସେଇ ଦୂର ଅତୀତକୁ, ଯେଉଁ ଅତୀତକୁ ଆପଣମାନଙ୍କୁ ନେଇଗଲେ, ଆପଣ ଆପଣଙ୍କର ପ୍ରିୟ ସହରର ଅବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ ।

 

ଆପଣଙ୍କର ପ୍ରିୟ ସହରକୁ ଦେଖି ଆପଣ ଏପରି କାହିଁକି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ?

 

ଏ ହଉଛି ଆପଣଙ୍କର କଟକ କଥା ।

 

ପଚାଶ ଷାଠିଏବର୍ଷ ତଳର କଟକକୁ ଦେଖିଛନ୍ତି ? ଦେଖନ୍ତୁ–ଦେଖନ୍ତୁ ! ଭଲଭାବେ ଦେଖନ୍ତୁ !

 

ଏଇ ଦେଖନ୍ତୁ, ରାସ୍ତାରେ ପିଚୁ ନାଇଁ । ନାଲି ଗୋଡ଼ି ବିଛା ରାସ୍ତା । ଆଣ୍ଠିଏ ଧୂଳି, ଆଣ୍ଠିଏ କାଦୁଅ । ଦି’ପାଖେ ନର୍ଦ୍ଦମା । ଛକରେ ବିଜୁଳିବତିର ବ୍ୟବସ୍ଥା ନାଇଁ । ଉଇଲଗା ଖତରା ଭଙ୍ଗା ଖୁଣ୍ଟରେ ମୁମୂର୍ଷୁ, ଆର୍ତ୍ତ ରୋଗୀପରି କିରାସିନିର ଲଣ୍ଠନ ବତି ମିଞ୍ଜିମିଞ୍ଜି ଜଳିବାରେ ଲାଗିଛି । ରାସ୍ତା ଦି’ପାଖେ ଭୁତିଆରୀ ବୁଦା, ଚାକୁଣ୍ଡା ବଣ, ନିର୍ଲଜୀ ବଣ । କୋଠା-ବାଡ଼ି ରାସ୍ତାର ଶୋଭା ମଣ୍ଡନ କରୁନାହିଁ । ଏଠି ଚାଳଘର, ସେଠି ଚାଳଘର । ମଝିରେ ଗୋଟାଏ କୋଠା ଯାହା । ରାସ୍ତାରେ ସାଇକେଲ, ସାଇକେଲ ରିକ୍‌ସା ଟିଣ୍‍ଟିଣ୍ କରୁନାହିଁ । ଶୂନ୍‌ଶାନ୍ ରାସ୍ତା । ନୀରବ ରାସ୍ତା ଲୋକମାନେ ଚୁପ୍‌ଚାପ୍ ଚାଲିବାରେ ଲାଗିଛନ୍ତି । କୋଳାହଳ ନାହିଁ । କାନ ତାବଦା କରି ମଟର ଗର୍ଜୁ ନାହିଁ । ଘଡ଼ିକ, ପହରକେ ମଟରଟାଏ, ନଇଲେ ନାହିଁ ସାଇକେଲଟାଏ ଯାଉଛି । ଚାଲୁଥିବା ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି କରୁଛି । ବାବୁଭାୟାମାନେ ଘୋଡ଼ା-ଗାଡ଼ିରେ ଯାଉଛନ୍ତି, ଟମଟମ୍‌ରେ ଯାଉଛନ୍ତି । ଝମୁରୁଝମୁରୁ ନାଦ ଘୋଡ଼ାମାନଙ୍କ ବେକରେ ଓହଳା ହୋଇଥିବା ଘଣ୍ଟିରୁ ଭାସି ଆସୁଛି । ରାସ୍ତାରେ ତାଟଭିଡ଼ା ଶଗଡ଼ ଚାଲୁଛି ।

 

ଏଇ କଟକ ସହର ।

 

ରାସ୍ତାଘାଟରେ ଏକା ଝିଅଟିଏ ନାହିଁ । ମେମ୍ ସାଜି କୌଣସି ଝିଅ ପାଠ ପଢ଼ିବାକୁ ଇସ୍କୁଲକୁ କି କଲେଜକୁ ଯାଉନି; ଯଦି ଯାଉଛି, ତା’ର ସାଙ୍ଗସାଥୀମେଳରେ ନଈକୂଳକୁ, ସାରା ଦେହକୁ ବାରହାତ ଶାଢ଼ିରେ ସାତପରସ୍ତ ଢାଙ୍କି, ମୁଣ୍ଡରେ ହାତେ ଓଢ଼ଣା ଦେଇ । ତା’ର ହାତ ନିଶ୍ଚଳ ଆଜିର ଝିଅ ହାତପରି । ସେ ପିନ୍ଧିଛି ତାଇତ, ବଟଫଳ, ମଲ୍ଲୀକଢ଼ି, ଯଦିଓ ଶାଢ଼ି ଭିତରୁ ତା’ର ହାତ ଦିଶୁନି, ତଥାପି ଅନୁମାନ କରାଯାଇପାରେ । ତା’ର ପାଦ ଲଙ୍ଗଳା ନୁହେଁ, ସେ ଯଦିଓ ଜୋତା ପିନ୍ଧିନି, ତଥାପି ପିନ୍ଧିଛି ଦି’ଧାର ଆଖିଦୃଶିଆ ନାଲି ଉଜ୍ଜ୍ୱଳ ଅଳତା, ଆଉ ରୁଣୁଝୁଣୁ ନୂପୁରବସା ମଲ, ପାଉଁଜି । ସେ ନଇଁନଇଁ ପାଦ ପକାଇ ଚାଲିବାରେ ଲାଗିଛି ମଥାକୁ ତଳକୁ କରି । ହାଇଭ୍ ଗଣ୍ଠି ପକା ମଥା ନୁହେଁ, ସାଧା-ସିଧା ଖେଲସା ଗଣ୍ଠି ପକା ମଥା । ଯୋଉ ମୁହଁକୁ ଏଇ କେଶର ଗଣ୍ଠି ଘେରି ରହିଛି, ସେ ମୁହଁରେ ସ୍ନୋ ନାହିଁ, ପାଉଡ଼ର ନାହିଁ, ନାହିଁ ରୁଜ ଲିପ୍‍ଷ୍ଟିକ୍, ଅଛି ଗଣ୍ଠି ହଳଦିର କଷ, ତେଲର ଚିକଣ ଆଉ ଖଇର ଦିଆ ପାନଖିଲର ବହଳ ରଙ୍ଗ । ସେ ହୁଏତ ତା’ର ସେଇ ଓଢ଼ଣା ଭିତରେ ମଥାରେ ମଥାମଣି ଲଗାଇଥିବ, ନାକରେ ନୋଳକ ବସଣୀ ଲଗାଇଥିବ, କାନରେ ଫାଶିଆ ଲଗାଇଥିବ । ବହଳ କଜଳବୋଳା ଛନଛନ ଖଞ୍ଜନ ଆଖି ଦୁଇଟିରେ ତା’ର ପାଦ ଆଗର ଚାଖଣ୍ଡେ ଭୂଇଁକୁ ଚାହୁଁଥିବ । ସେ ଧୀରେଧୀରେ ଗୁଣ୍ଠୁଣି ହାତୀଟି ପରି ନିତମ୍ବରେ ରୁପା ଝାଲେରୀ ଦିଆ ଚନ୍ଦ୍ରହାରକୁ ଶୋଭନ କରି ଝୁଲିଝୁଲି ଚାଲୁଛି ଆଉ ହାତରେ ଧରିଛି ହଳଦିକାଠୁଆ ।

 

ଏଇ କଟକ ସହର ।

 

ଆଜି ଯେଉଁଠି ମହଲା ମହଲା କୋଠା ଗର୍ବରେ ମଥା ଟେକି ଆକାଶ ଛୁଉଁଛି, କାଲି ସେ ନଥିଲା । ଥିଲା ମଶାଣି ଭୂଇଁ, ନଇଲେ ନାହିଁ ଝାଡ଼ ଜଙ୍ଗଲ । ଦିନବେଳେ ଆଠଗଡ଼ ଜଙ୍ଗଲରୁ ଚିତାବାଘ, ବାଘ ମହାନଦୀ ପାରି ହେଇ ବିଡ଼ାନାସୀ, ତୁଳସୀପୁର, ରାଜାବଗିଚା ପାଖରେ ହେଣ୍ଟାଳ ମାରୁଥିଲେ । ଗାଈଗୋରୁ, ମଣିଷ ଟେକି ନେଇ ଯାଉଥିଲେ । ଖାନ୍‌ନଗର, ଫାଶିଦିଆ, ବଜ୍ରକବାଟି, ବିଡ଼ାନାସୀ ପ୍ରଭୃତି ଅଞ୍ଚଳରେ ଦିନ ଦିପହରେ ଡକାଇତି ହଉଥିଲା ।

 

ସଞ୍ଜବତି ଲାଗୁଲାଗୁ ରାତି ପହରେ ବେଳକୁ କଟକ ଗାଢ଼ ନିଦରେ ଶୋଇ ପଡ଼ୁଥିଲା, କିଛି ନ ଜାଣୁଥିବା ଶିଶୁଟିପରି । ପୁଣି ଯେତେବେଳେ ସକାଳୁ ଉଠୁଥିଲା ଆଜି ପରି ତରତରରେ ଶେଯ ଛାଡ଼ୁ ନଥିଲା । ହାଇମାରି, ଅଳସ ଭାଙ୍ଗି, ଭିଡ଼ିମୋଡ଼ି ହେଇ ଅଧା ନିଦ ଅଧା ଜାଗ୍ରତରେ ଗେମେଇ ପଡ଼ି ରହୁଥିଲା ଶେଯ ଉପରେ କିଛି ସମୟ ପର୍ଯ୍ୟନ୍ତ, ସକାଳ ଖରା ଟାଣ ହେଲେ କଟକର ନିଦ ଭାଙ୍ଗୁଥିଲା ।

 

ସେଇ କଟକର ସେତେବେଳର କଥା କହୁଛି ।

 

ସେତେବେଳେ କଲେଜରେ ଯିଏ ପଢ଼ୁଥିଲା, ତାହାର ସାମାଜିକ ସମ୍ମାନ ଯଥେଷ୍ଟ ଥିଲା, ଏକଥା ସତ । କିନ୍ତୁ ଏମିତି ଲୋକବି ଥିଲେ, ଯେଉଁମାନେ କି କଲେଜ ଛାତ୍ରଙ୍କର ସଂସ୍କାରମୂଳକ ମନୋଭାବ ପ୍ରତି ବିତୃଷ୍ଣା, ବିରକ୍ତି ପ୍ରକାଶ କରୁଥିଲେ । ଆଶା ଭରସା ରଖୁ ନଥିଲେ ।

 

ଏଣୁ କାଦମ୍ବିନୀର ବାପା ନରେନ୍ ପ୍ରତି ବୀତସ୍ପୃହ ହେବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ । ତା’ ଛଡ଼ା କାଦମ୍ବିନୀର ବାପାଙ୍କର ଲେଖକମାନଙ୍କ ପ୍ରତି ଆକ୍ଷେପମୂଳକ ରୋଷପୂର୍ଣ୍ଣ ମନ୍ତବ୍ୟ କିଛି ନୂଆ କଥା ନୁହେଁ । କାରଣ, ବର୍ତ୍ତମାନବି ଏ ସମାଜରେ ଏପରି ଲୋକ ଅଛନ୍ତି, ଯେଉଁମାନେ ଲେଖକ, କବି କିମ୍ବା ଶିଳ୍ପୀକୁ ନିର୍ଦ୍ଦିଷ୍ଟ ସମ୍ମାନ ଦେବାକୁ ଏକଦମ ନାରାଜ । ସେମାନେ ଏହି ଗୋଷ୍ଠୀଙ୍କୁ ଦୟା କରି ଜାଣନ୍ତି, କିନ୍ତୁ ସମ୍ମାନ କରିବାକୁ ଶିଖି ନାହାନ୍ତି ।

 

ଛାଡ଼ନ୍ତୁ– ।

 

ଜୀବନରେ ଏପରି ଏକ ଦିନ ଆସେ, ଆସିବା ପୂର୍ବରୁ ଏପରି ସଜବାଜ ହୁଏ ଯେ, କେବଳ ଏହି ଦିନଟିପାଇଁ ଆଖିରୁ ଝରେ ଧାରଧାର ଲୁହ । ମନରୁ, ହୃଦୟରୁ ଛୁଟେ ଗଭୀର ଦୀର୍ଘଶ୍ୱାସ । ସବୁ ଆଶା, ସବୁ କଳ୍ପନା, ସବୁ ସ୍ୱପ୍ନକୁ ଏକାଠି ମିଶେଇ, ଗୋଳେଇମୋଳେଇ ପାଣି କରି ଏହି ଦିନଟି ଛାତିର ଗଭୀରତମ ପ୍ରଦେଶରେ ଦାଗ ମାରିଦିଏ ଗୋଟାଏ ବଡ଼ ଚିହ୍ନ, ଯେଉଁ ଚିହ୍ନ ରହେ ରହିଯାଏ ଯେ ଆଉ ଲିଭେନା ଜୀବନଯାକ, ମଲା ପର୍ଯ୍ୟନ୍ତ ଛାତି ଭିତରେ ଲୁଚି ରହି ଜଳାଏ, ପୋଡ଼ାଏ, ହନ୍ତସନ୍ତ କରାଏ, ବିକଳ କଲବଲ କରାଏ, ଡହଡ଼ହ ଯନ୍ତ୍ରଣା ଦିଏ, ତା’ର ଯେପରି ଶେଷ ନାହିଁ । ଶେଷ ନାହିଁ । ସେଇ ଚିହ୍ନର ପୀଡ଼ା କଷଣର ଶେଷ ନାହିଁ ।

 

ସେହି ଦିନ କାହାର କେତେ କ’ଣ କରିଛି, କାହାର କେତେ କ’ଣ ନ କରିଛି, କାହାକୁ ନବଜୀବନ ଦେଇଛି, କାହାକୁ ଜିଅନ୍ତା ମରଣ ଦେଇଛି, କାହାର ଘର ଭାଙ୍ଗିଛି, କାହାର ଘର ଉଠିଆ କରିଛି, କାହାକୁ ଏ କୂଳକୁ ନେଇଛି, କାହାକୁ ସେ କୂଳକୁ ଠେଲିଛି, କାହାକୁ ହସାଇଛି, କାହାକୁ କନ୍ଦାଇଛି । ସବୁ ଦିନପରି ସେ ବି ଗୋଟାଏ ଦିନ ସିନା ! କିନ୍ତୁ ସେହିଦିନ ସିନା ଅନ୍ୟମାନଙ୍କ ପାଇଁ କିଛି ନୁହେଁ, କେବଳ ଗୋଟାଏ ତୁଚ୍ଛା ଦିନ, କିନ୍ତୁ ଯିଏ ଏ ଦିନର ପରାଭବ ପାଇଛନ୍ତି, ସେ ଏ ଦିନକୁ ଭୁଲିବେନି, ଆଦୌ ଭୁଲିବେନି ।

 

ସେ ହେଲା ନରେନ୍ ।

 

ମଣିଷର କେତେବେଳେ ଆଶା ଥାଉ କି ନଥାଉ, ଯୌବନ ସମୟରେ ଆଶା ଥାଏ ପ୍ରଚୁର । ଏଇ ଯୌବନର ଉତ୍ତାଳ ତରଙ୍ଗରେ ସେ ଆଶାର ବୋଇତ ଯେପରି ତା’ର ଠିକ୍ ଚାହୁଁଥିବା ଦ୍ୱୀପରେ ଲାଗୁ । କିନ୍ତୁ ବୋଇତ ଯେତେବେଳେ ତା’ର ଚାହୁଁଥିବା ଦ୍ୱୀପରେ ନ ଲାଗି ଅନ୍ୟ କେଉଁ ଅଜଣା ଦ୍ୱୀପରେ ପହଞ୍ଚିଯାଏ, ସେତେବେଳେ ସେ ନରେନ୍‌ପରି କାନ୍ଦିଉଠେ ।

 

ଏ କାନ୍ଦ ଯେପରି ଅସରା କାନ୍ଦ । ସେ ଚାହୁଁଥିଲା କ’ଣ ? ସେ ଆଶା କରିଥିଲା କ’ଣ, କିନ୍ତୁ ଏପରି ହେଲା କ’ଣ ? ଏ ଯେପରି ଏକ ଅନନ୍ତ ଅନ୍ୱେଷଣରତ ଆତ୍ମାର ସ୍ପନ୍ଦନ ! ସେ କାନ୍ଦୁଛି, ବଡ଼ ପାଟିରେ ନୁହେଁ, ସୁଁ...ସୁଁ...ହେଇ, କୁନ୍ଥେଇ–କୁନ୍ଥେଇ, ଚାପା ଗଳାରେ ଧୀରଭାବେ କାନ୍ଦୁଛି, ଖୋଜିଲା ଧନକୁ ନପାଇ, ପାଇଲା ଧନକୁ ହଜାଇ କାନ୍ଦୁଛି, ମତେ ମୋ ଧନକୁ ଦିଅ । କିନ୍ତୁ ଧନ ତ ଆଉ ମିଳିଲାନି, ଚାଲିଗଲା ଆଉ କାହା ପାଖକୁ, କେବଳ ରଖି ଦେଇଗଲା ପ୍ରାଣରେ ପୁଞ୍ଜୀଭୂତ ପରାଶର ଛୁଞ୍ଚି, ଛୁଞ୍ଚି ଫୋଡ଼ି ଦେଇ ଯାଉଛି, ଆହା...ଏ ଛାତିରୁ କେତେ ଯେ ରକ୍ତ ବୋହି ଏ ଛାତିରେ ଶୁଖି ମିଶି ଯାଉଛି !

 

ସେ ଯାଇଥା’ନ୍ତା ଏଇ ଦିନରେ ପାଲିଙ୍କି ଚଢ଼ି, ବରବେଶ ହେଇ ସେଇ ଘରକୁ, ସେଇ ଘର ମୁହଁରେ ସେ ଯେଉଁ ରସମଲ୍ଲୀକୁ ଦେଖି ଝୋଲାମରା ହେଇ ଯାଉଥିଲା, ସେଇ ରସମଲ୍ଲୀକୁ ସବାରୀରେ ବସାଇ ସେ ନେଇ ଆସିଥା’ନ୍ତା ତା’ ଘରକୁ । ଅନ୍ଧାର ଘରକୁ ଆଲୁଅ କରିବାପାଇଁ, ରୋଶଣି-ଉଜାଲା କରିବାପାଇଁ, ରସମଲ୍ଲୀକୁ ପୀରତି ନିଆଁରେ ଜଳାଇ, ମଜାଇ ବିଛାଡ଼ି ଦେଇଥାନ୍ତା ରୂପର ମିନାବଜାର ପାଇଁ, ଘରସାରା–ଘରସାରା ଚନ୍ଦ୍ରତାରାର ସୁଶୋଭନ ବର୍ଷଣପାଇଁ, କିନ୍ତୁ...କିନ୍ତୁ...

 

ଆଶା ବୋଇତର ପାଲରେ ଉଜାଣି ପବନ ପିଟି ହେବାକୁ ଲାଗିଲା । ଉଜାଣି ପବନ । ଚାନ୍ଦ ନାଇଁ କି ରସମଲ୍ଲୀ ନାଇଁ । ଗୁଡ଼ି ନାଇଁ କି ସୂତା ନାଇଁ ।

 

ଆହା..., କେତେ ଯେ ସରାଗ ସତେ, କେତେ ଯେ ସୁହାଗ ସତେ, କେତେ ଯେ ଭାବପ୍ରବଣ ସତେ ! ସବୁ, ଯାହା ସେଇ ବୋଇତରେ ଥାକ ମରାହେଇ ବୋଝେଇ ହେଇଥିଲା, ସବୁ ସେହି ଉଜାଣି ପବନର ଦାଉରେ ଫେରିଆସିଲା ନରେନ୍ ମହାଜନ ପାଖକୁ । ତା’ ପସରା ପୂରିଛି, ତା’ ପସରା ଲହଡ଼ା ଭାଙ୍ଗୁଛି । କିନ୍ତୁ ଗରାକ ନାଇଁ । ଗରାକର ଚିହ୍ନବର୍ଣ୍ଣ ନାହିଁ । ତା’ର ସୁହାଗ, ସରାଗ, ଭାବପ୍ରବଣତାର ଗରାକ ନାହିଁ । କେହି ମୂଲେଇ କରିବାକୁ ନାହାନ୍ତି । କେହି ପରଖ କରିବାକୁ ନାହାନ୍ତି ।

 

ଧାଡ଼ିଧାଡ଼ି ଥାକମରା ସରାଗ, ସୁହାଗ, ଭାବପ୍ରବଣତା ଶେଷରେ ଘୁଣ ପାଲଟିଗଲା ! କେହି ନେଲେ ନାହିଁ ।

 

ଆଜି ତା’ ଘରୁ ଢୋଲ, ମହୁରି ଶୁଭୁଛି । ପେଁକାଳି ନାଦ ଶୁଭୁଛି । ଯୋଡ଼ିନାଗରା ଅଜାଡ଼ି ପଡ଼ୁଛି । ହୁଳହୁଳି, ଶଙ୍ଖ ଶବ୍ଦ ଭାସିଆସୁଛି । ଯୋଉ ଘରକୁ ନରେନ୍ ଯାଇଥାନ୍ତା, ମଥାରେ ଚନ୍ଦନ ଲଗାଇ, ଆଖିରେ କଜଳ ଲଗାଇ, ବର ହେଇ ପାଲିଙ୍କିରେ ଚଢ଼ି ଦୋହଲି ଦୋହଲି, ପାଞ୍ଚି ପିନ୍ଧି, ହାତରେ ଆଷାଢ଼ୁଆ ସୂତା ଲଗାଇ ସେ ଘରକୁ ସେ ନ ଯାଇ, ତା’ ବଦଳରେ ଅନ୍ୟ ଜଣେ ଆସିଲା-

 

ଜୀବନରେ ପଟ୍ଟର ପରିବର୍ତ୍ତନ କେତେ ଚଞ୍ଚଳ ହୁଏ ସତେ !

 

କାଦମ୍ବିନୀ ! କାଦମ୍ୱିନୀ ! ତୁ ମୋ ହାତ ସାଥିରେ କେତେ ଥର ହାତ ମିଳାଇଛୁ, କେତେଥର ମୋରି ହାତ ସାଥିରେ ତୋ ହାତକୁ ଛନ୍ଦି, ମୋ ହାତର ସବୁତକ ଉଷ୍ମାଳ ପରଶ ନେଇ, ତୋ ହାତର ସବୁତକ ଉଷ୍ମାଳ ପରଶ ଦେଇ, ମୋ ମୁହଁକୁ ଚାହିଁ ରହିଛୁ ପିଇଗଲା ଆଖିରେ, ପିଇଗଲା ମନରେ । ସେତେବେଳେ ତୋର ଲାଜ-ସଙ୍କୋଚ ନଥିଲା, ନଥିଲା ଆପଣା ପର ବିଭେଦ ଭାବ, ମୋରି ହାତ ସାଥିରେ ହାତ ମିଶାଇ ତୁ ମତେ ଚାହୁଁଥିଲୁ ଗୋଟିପଣେ ନିଜର କରିନବା ପାଇଁ ଗୋଟିପଣେ ନିଜର କିଣି ନବାପାଇଁ । ଆମ ଦୁଇହାତର ବନ୍ଧନ ଦେଖିବାପାଇଁ ସିନା କେହି ନଥିଲେ, କିନ୍ତୁ ଥିଲେ ଦେଖିବାପାଇଁ ଦୁଇଟି ମଣିଷ, ସେ ତୁ ଆଉ ମୁଁ । ତୁ ଆଉ ମୁଁର ଭିତର ମଣିଷ, ସ୍ଥୂଳ ରୂପରେ ନୁହେଁ, ସୂକ୍ଷ୍ମ ରୂପରେ ସେମାନେ ପରସ୍ପରକୁ ଚାହିଁ ରହି ଆନନ୍ଦର ଆତିଶଯ୍ୟରେ ଅମୃତ ସାଗରରେ ନିଜକୁ ପଖାଳି, ଗାଧେଇ ଦୁହେଁ ଦୁହିଁଙ୍କୁ କୁଣ୍ଢାଇ ପକାଇଥିଲେ ନିବିଡ଼ ଆଲିଙ୍ଗନ, ସେ ଆଲିଙ୍ଗନ, ସେ ନିବୁଜ ନିରନ୍ଧ୍ର ଆଲିଙ୍ଗନ ଦେହ ସାଥିରେ ଦେହର ନଥିଲା, ଦେହ ଭିତରେ ଯେଉଁ ପ୍ରାଣ ଅଛି–ସୂକ୍ଷ୍ମାତିସୂକ୍ଷ୍ମ ଅବ୍ୟକ୍ତିକ ପ୍ରାଣ, ସେହି ଦୁଇଟି ପ୍ରାଣ ଆଲିଙ୍ଗନର ବିସ୍ମତିକର ବିଭୋଳତାରେ ମଜି ରହି ଫୁଲି ଉଠିଥିଲେ । ବର୍ତ୍ତମାନବି ମୋର ଏଇ ହାତ ତୋର କୋମଳ ହାତର ସ୍ପର୍ଶକୁ ବହନ କରିଛି, ସେ ଦିନମାନଙ୍କର ସେହି ସ୍ପର୍ଶ ସବୁ ଆଜି ସିନା ନାହିଁ, ତଥାପି ସେ ସୁଧାମୟ ସ୍ୱାଦ ବର୍ତ୍ତମାନବି ଏ ହାତର ପ୍ରତି ଜୀବକୋଷ ଭିତରେ ପୂରି ରହିଛି, ପୂରି ରହିଥିବ ସଦାଦିନ । ତୋର ସେଇ ହାତ ଦୁଇଟିରେ ତୁ କି ସମ୍ମୋହନ ଓଷଦି ଲୁଚାଇ ରଖିଛୁ କାଦମ୍ବିନୀ ? କହ ! ଏ ହାତରେ ମୁକ୍ତା ଧରା ଯାଇପାରେ, ହୀରା ଧରା ଯାଇପାରେ, ଧରା ଯାଇପାରେ ଖୁବ୍ ମହାର୍ଘ ବସ୍ତୁକୁ । କିନ୍ତୁ ସେ ସବୁର ସ୍ପର୍ଶ ଛାତି ଭିତରେ ଚିରନ୍ତନ ଆଲୋଡ଼ନ ସୃଷ୍ଟି କରିବିନି, ଏକଥା ସତ । ଆଉ ଏକଥାବି ସତ, ମୁଁ ଭଲଭାବେ ଜାଣେ ତୋ ହାତରେ ଅଛି ପାଞ୍ଚଟା ଲେଖାଏଁ ଆଙ୍ଗୁଳି, ପାଞ୍ଚଟା ନଖ, ଯାହା ସବୁ ଝିଅଙ୍କର ଅଛି । ହାତ ପାପୁଲିରେ କେତେଗୁଡ଼ାଏ ଗାର ଅଛି, କିଛି ନୂଆ କଥା ନୁହେଁ । ସବୁ ହାତରେ ସେହିପରି ଗାର ଅଛି । ତୋ ହାତ ଯେପରି ନରମ ସେପରି ଅସଂଖ୍ୟ ଅସଂଖ୍ୟ ନରମ ହାତ ଏ ପୃଥିବୀରେ ଅଛି । ତୋ ହାତ ଯେପରି ଗୋରା, ସେହିପରି ବହୁତ ଗୋରା ହାତ ଅଛି । ତୋ ହାତରେ ସେପରି କିଛି ବିଶେଷତଃ ନାହିଁ, ସେପରି କିଛି ସ୍ୱତନ୍ତ୍ରତା ନାହିଁ, ସେପରି କିଛି ଅଧିକ ସୌନ୍ଦର୍ଯ୍ୟ ନାହିଁ । ମୁଁ ଜାଣେ ଏହା କେବଳ ଗୁଡ଼ାଏ ହାଡ଼, ଗୁଡ଼ାଏ ମାଂସ, କିଛି ଚମଡ଼ା, କିଛି ରକ୍ତକଣିକା ଆଉ କିଛି ଜୀବକୋଷ ନେଇ ଗଠିତ । ତଥାପି–ତଥାପି, ସତେ କେଜାଣି କେଉଁଥିପାଇଁ ମୁଁ ଜାଣେନା ମୋ ମୁଣ୍ଡରେ ଏ କି ଖିଆଲ, ମୋ ମୁଣ୍ଡରେ ଏକ ନିଶା, ମୋ ମୁଣ୍ଡରେ ଏ କି ମୋହ, ମୁଁ ବୁଝି ପାରେନା, ତୋ ହାତରେ କି କୁହୁକ ଅଛି, କି ଯାଦୁ ଅଛି ମୋର ଚକ୍ଷୁବନ୍ଧନ କରିଛି । ମୋର ସବୁ ବୁଝିପାରିବାର, ଜାଣିପାରୁଥିବାର ଶକ୍ତି ନେଇ ଯାଇଛି ତୋର ସେଇ ହାତ ଦୁଇଟି । ସେ ହାତ ଯେତେ ସାଧାରଣ ହେଲେ ମଧ୍ୟ ମୋପାଇଁ ଅସାଧାରଣ । ସେ ହାତର ଯେପରି ତୁଳନା ନାଇଁ । ତା’ର ସୌନ୍ଦର୍ଯ୍ୟର ଯେପରି ଉତ୍ତର ନାଇଁ । ତା’ର ସୁକୁମାର ନରମ ପଣର ଯେପରି ସମକକ୍ଷ ଆଉ କେହି ନାହିଁ । ଏ ପୃଥିବୀର ଅସଂଖ୍ୟ–ଅସଂଖ୍ୟ, ପରାର୍ଦ୍ଧ–ପରାର୍ଦ୍ଧ ହାତ ଭିତରୁ ତୋ ହାତ ଯେପରି ଅଲଗା–ନିହାତି ଅଲଗା, ଯାହାର ସ୍ପର୍ଶକୁ ମୁଁ ଭୁଲିପାରେନା–ଭୁଲି ପାରେନା । ପଥର ଚଟାଣକୁ ଖରା–ବର୍ଷା, ଶୀତ–କାକର, ପାଣି–ପବନ ଯେପରି କୁଞ୍ଚିକୁଞ୍ଚିକା କରି ଦେଇଥାଏ, ଢେଉଢେଉ କରି ଦେଇଥାଏ, ଯୁଗ-ଯୁଗ ଧରି ସେ ଢେଉ ଯେପରି ଲିଭେନି, ବିଭିନ୍ନ ଭାଙ୍ଗ ଦେଇ ବିଭିନ୍ନ ରୂପରେ ରହିଯାଏ, ସତେ ଯେପରି ପଥରକୁ ଆଉଜି ପଥର-ପାଣିକୁ କିଏ ଢାଳି ଦେଇଛି ଭୂଇଁ ଉପରେ, ଠିକ୍ ସେହିପରି ତୋ ହାତ ଯେତେବେଳେ ମୋ ହାତରେ ଛନ୍ଦି ହେଇଥିଲା, ଆଉ ସେଇ ହାତ ଉପରେ ମୁଁ ମୋର ପ୍ରେମର ମୃଦୁ ଚାପା ଦଉଥିଲି, ସେତେବେଳେ ମୋର ହୃଦୟର ପଟ୍ଟଭୂମି ଉପରେ ଯେଉଁ ଶିହରଣ, ଯେଉଁ କମ୍ପନ ସାତ ଢେଉ ଭାଙ୍ଗି କୁଞ୍ଚୁକୁଞ୍ଚୁ ହେଇ ଭଉଁରୀ ଖେଳାଇ ଚହଟିଗଲା, ସେ କମ୍ପନ, ସେ ଶିହରଣର ଢେଉ ଯେପରିଭାବେ ତଳଉପର ହେଇ ଖେଳିଥିଲା, ସେ ସେହିପରି ପଥର ଚଟାଣର ଢେଉ ପରି ରହିଯାଇଛି ମୋ ହୃଦୟ ଭିତରେ, ମୋର ପୀରତିକାଙ୍ଗାଳ ମନ ଭିତରେ ଅବିକଳଭାବେ । ସେ ଲିଭିବନି । ସେ ଲିଭିନି ।

 

କିନ୍ତୁ ଯେଉଁ ହାତର ସ୍ପର୍ଶରେ ସ୍ଵର୍ଗସୁଖକୁ ହେୟ ମନେ କରିଥିଲି, ସେହି ହାତ–ଆଃ… ସେଇ କଅଁଳ ନବମୀତୋପମ ଗୋରାଗୋରା ହାତ ଦୁଇଟି ବେଦି ଉପରେ ଅଗ୍ନିକୁ ସାକ୍ଷ୍ୟ ରଖି ଅନ୍ୟ ତାହା ହାତ ସାଥିରେ ଛନ୍ଦି ହେଇଯାଇଥିବ, ଅନ୍ୟ କାହା ସାଥିରେ ବାନ୍ଧି ହେଇ ଯାଇଥିବ । ସେ ବନ୍ଧନ ଯେପରି ଫିଟିବାର ନୁହେଁ, ଖୋଲିବାର ନୁହେଁ । ମୋ ହାତ ସାଥିରେ ସେ ହାତ ସିନା କେବେ ଝିଲିମିଲି କ୍ଷୀଣ ରେଶମ ସୂତାରେ ବନ୍ଧା ହେଇଥିଲା, କିନ୍ତୁ ରେଶମ ତ ଚିରସ୍ଥାୟୀ ନୁହେଁ, ଛିଣ୍ଡିଗଲା । କିନ୍ତୁ ଆଜି ତାହା ଅନ୍ୟ କାହାର ହାତ ସାଥିରେ ସୁନାର ଶିକୁଳି ବନ୍ଧାହେଇଛି ।

 

କିଏ ସେ ?

 

ଚାନ୍ଦର ସ୍ଵାମୀ, ଯେ ବେକ ଲଙ୍ଗଳା କରିନଥିବ, ତୁଳସୀ ମାଳି ପକାଇଥିବ । ଲୁଙ୍ଗି ପିନ୍ଧୁ ନଥିବ, ଲୁଗାକୁ କୁଞ୍ଚ କରି କଛାମାରି ପିନ୍ଧୁଥିବ । ସଞ୍ଜେ, ସକାଳେ ଖବରକାଗଜ ପଢ଼ୁନଥିବ, ଜପ-ତପ, ପୂଜା-ପାର୍ବଣ କରୁଥିବ । ପଠାଣ ଖ୍ରୀଷ୍ଟିଆନ୍‍ଙ୍କ ସାଥିରେ ବସି ହେଡ଼ା ଖାଉନଥିବ, ହରିଜନଙ୍କ ପାଖରେ ବସି ଗାନ୍ଧିବାଣୀ ଚର୍ଚ୍ଚା କରୁନଥିବ । ଅସଲ ଶାସନୀ ବ୍ରାହ୍ମଣ ପୁଅଙ୍କ ସାଥିରେ ଦିନ କଟାଉଥିବ । ଲେଖକ ହେଇ ଗୁଡ଼ାଏ ବାଜେ ଚିନ୍ତାରେ ମଥା ଘୂରାଉ ନଥିବ । ଲେଖକ ନହେଇ ଅସଲ ଚିନ୍ତାକରି କାଠରୁ ପାଣି ବାହାର କରୁଥିବ, ରୋକଡ଼୍‍ ଟଙ୍କା ବାହାର କରୁଥିବ ।

 

ତା’ରି ପ୍ରତିଦ୍ଵନ୍ଦ୍ୱୀ !

 

ଓଃ... ସେ ମାଙ୍କଡ଼ଟା କଳା ସିନ୍ଦୂର ଲଗାଇ ମାଣ୍ଡିକୁ ଆଉଜି ଏଇନା ଦିବ୍ୟଆରାମ କରୁଥିବ ସେହି ଘରେ, ଯୋଉ ଘରେ ସେ ବସୁଥିଲା ଚାନ୍ଦକୁ ପାଖରେ ବସାଇ । ଯୋଉ ଘରେ ସେ ଚାନ୍ଦକୁ ତା’ର ଛାତି ଉପରକୁ ଟାଣି ଆଣୁଥିଲା । ଯୋଉ ଘରେ ସେ ଚାନ୍ଦକୁ ଛାତି ଉପରେ ଭିଡ଼ିକରି ତା’ର ଓଠରେ ଚୁମ୍ବନ ଦେଇ କହୁଥିଲା–ଚାନ୍ଦ, ମୁଁ ତତେ ବାହାହେବି–ବାହାହେବି ! କିନ୍ତୁ ସେଇ ଘରେ ସେ ମାଙ୍କଡ଼ ଏଇନା ହୁଏତ ପାନପିକରେ ପିକଦାନି ଭରି ଦେଉଥିବ । ନବାବଙ୍କ ପରି ଚାରିଆଡ଼କୁ ଚାହୁଁଥିବ ।

 

ମତେ ଭଗବାନ୍ ଶକ୍ତି ଦିଅ, ବଳ ଦିଅ, ମୋର ପୌରୁଷକୁ ତେଜାଇ ଦିଅ ପ୍ରଭୁ, ମୁଁ ନିଆଁ ପରି ଜଳିଉଠିବି, ନିଆଁ ପରି ଖେଦିଉଠିବି । ହାତରେ ଛୁରିଟାଏ ଧରି ଧାଇଁଯିବି–ଝପଟିଯିବି ସେହି ଘରକୁ, ଯେଉଁ ଘରେ ସେ ମାଙ୍କଡ଼ଟା ବସିଛି, ତା’ର ଛାତିରେ ଛୁରିକୁ ଭୁସି ରକ୍ତ ଚିତା ଘେନିବି, ଚାନ୍ଦର ବାପର ଛାତିର ଉଷୁମ ତାଜା ରକ୍ତରେ ଖୁସିର ହୋରି ଖେଳିବି, ଆଉ ଚାନ୍ଦକୁ ନେଇ ଆସିବି ମୋ ପାଖକୁ, ମୋ ଛାତି ଉପରକୁ, ମୋର କୋଳ ଭିତରକୁ । ସେ ମୋର । ସେ ଏକାନ୍ତ ଭାବରେ ମୋର । ହଁ…ହଁ…ସେ କେବଳହିଁ ମୋର । ମୋର ଯିଏ, ତାକୁ ମୋ ଠାରୁ ଛଡ଼ାଇ ନବ କିଏ ? ଏ କଥା ମୁଁ ସହିପାରିବି କେମିତି ?

 

କିନ୍ତୁ ନରେନ୍‌କୁ ସହିବାକୁ ପଡ଼ିଥିଲା । ପ୍ରତିଦ୍ଵନ୍ଦ୍ୱୀଙ୍କୁ ଖୁନ୍ କରି ବଳାତ୍କାରରେ ପ୍ରେମିକାକୁ ନେଇ ଆସି ସେ ବିଭା ହୋଇପାରିଲା ନାହିଁ । ତାହା କଥା କେହି ଶୁଣିଲେ ନାହିଁ । କାହାକୁ ବା କହିବ ତା’ ମନର ବେଦନା ? କାହା ଆଗରେ ତା’ ମନର ଦୁଃଖ ପେଟରାର ଢାଙ୍କୁଣି ଖୋଲି ବସିବ-? କେହି ନାହିଁ–କେହି ନାହିଁ ।

 

ସେଇ ମନର ଦୁଃଖ, ସେଇ ମନରେ ମରିଲା । ସେଇ ମନର ସୁଖ, ସେଇ ମନରେ ମରିଲା । ସେଇ ମନର ହସ, ସେଇ ମନରେ ମରିଲା । ଅଭିମାନ, ଘୃଣା, ବିରକ୍ତି, କ୍ରୋଧ, ପ୍ରତିହିଂସା ସବୁ ସେଇ ମନ ଭିତରେ ଉଙ୍କିମାରି ମିଳାଇଗଲା । ସେ କାହାର କିଛି କରିପାରିଲା ନାହିଁ । ନିଜରବି କିଛି କରିପାରିଲା ନାହିଁ ।

 

ସେମାନେ ତାକୁ ନେଇ, ତା’ର ମନ ନବୁଝି, ତା’ର ମନର କେଉଁ କୋଣରେ ଖୁଞ୍ଚ ଲାଗୁଛି ସେ କଥା ବୁଝିବାକୁ ଚେଷ୍ଟା ନ କରି ତା’ ଉପରେ ବାଡ଼ୁଅପାଣି ପକେଇଦେଲେ ।

 

ଆଜି ଚାନ୍ଦର ଘରେ କୋଳାହଳ । ଢୋଲ ମହୁରି; ବାଜଣା ପୂରି ଉଠୁଛି ।

 

ତା’ ଘରେ ମଧ୍ୟ କୋଳାହଳ । ଶଙ୍ଖନାଦରେ ଘର ବହକି ଉଠୁଛି । ସାତ ସଧବାଙ୍କର ହୁଳହୁଳି ଶବ୍ଦରେ କାନଅତଡ଼ା ପଡ଼ିଯାଉଛି । ବନ୍ଧୁବାନ୍ଧବ, କୁଣିଆ-ମଇତ୍ରଙ୍କର ପାଟିତୁଣ୍ଡରେ ଘରର କାନ୍ଥ ଥରି ଉଠୁଛି । ତେଲିଙ୍ଗି ବାଜା, ପେଁକାଳି, ମହୁରିରେ ଘରର ଦାଣ୍ଡ ଉଛୁଳି ପଡ଼ୁଛି ।

 

ସେ ଆଜି ମଧ୍ୟ ବାହା ହଉଛି ।

 

ନରେନ୍ ଥରି ଉଠିଲା ।

 

ସେମାନେ ତାକୁ ବେଶ କରିସାରିଲେଣି । ସେମାନେ ତାକୁ ଏକ ସୁନ୍ଦର ବରରୂପେ ସଜାଇ ସାରିଲେଣି । ସେମାନେ ତାକୁ ଯିବାପାଇଁ ତରତର କଲେଣି । ସଜବାଜ ହେଲେଣି । ଦେଇପିଣ୍ଡିରେ ମୁଣ୍ଡିଆ ମାରିବାକୁ ଡାକିଲେଣି । ପଣତ ଦେଖାଇ ବୋଉ ଅଞ୍ଜଳି ନେବାପାଇଁ ଠିଆ ହେଲେଣି । ସମସ୍ତଙ୍କ ମନରେ ସୁଖ । ସମସ୍ତଙ୍କ ମୁହଁରେ ହସ । ସମସ୍ତେ ଖୁସିର ହଇଚଇରେ ଭାଙ୍ଗି ପଡ଼ୁଛନ୍ତି; କିନ୍ତୁ–

 

ଏ ମନରେ ସୁଖ କାହିଁ ହଜିଗଲା ରାସ୍ତା କଡ଼ର ଉଜୁଡ଼ା ଭଙ୍ଗା ମାଠିଆର ଢଳି ଯାଇଥିବା ପାଣିପରି ? ଏ ମନରେ ଯେଉଁ ପ୍ରତିକୃତିଟି ଆଙ୍କି ହେଇ ରହିଥିଲା, ଆଉ ସେଇ ପ୍ରକୃତିତଳେ ଯେଉଁ ଶାନ୍ତି, ସ୍ନିଗ୍‌ଧ ଦୀପଟି ଦିକିଦିକି ହେଇ ଜଳୁଥିଲା, ସେ ଦୀପଟିର ଶିଖାଟି ଯେପରି ବେଳକୁବେଳ କରୁଣତର ହେଇ ଉଠୁଛି, ସେ ହୁଏତ ଏଇ ଲିଭିବ–ଏଇ ଲିଭିବ । ନରେନ୍ ଉଦାସ ଆଖିରେ ଚାରିଆଡ଼କୁ ଚାହିଁଲା । ତା’ ଗୋଡ଼ରେ ବଳନାହିଁ । ତା’ ଛାତିରେ ବଳନାହିଁ ।

 

ସେମାନେ ତାକୁ ପାଲିଙ୍କିରେ ନେବାପାଇଁ ଡାକୁଛନ୍ତି । ସେ ପାଲିଙ୍କିରେ ବସିବ, ଆଉ ଯିବ ସେଇ ରାସ୍ତାରେ ଯେଉଁ ରାସ୍ତାରେ, ତା’ର ପ୍ରାୟ ପ୍ରିୟତମା ଘରପଡ଼େ । ଆଜି ସେଇ ଘରେ ସେ ବାହା ହଉଛି । ନରେନ୍‍କୁ ନୁହେଁ ଆଉ ଜଣକୁ ।

 

ସବୁଦିନ ଚାଲିଚାଲି ଯାଉଥିଲା ସେଇ ଘରକୁ ପୂରା ମନନେଇ । ଆଜି କିନ୍ତୁ ସେ ଚାଲିଚାଲି ଯିବନି–ପାଲିଙ୍କିରେ ବସିଯିବ ସେଇ ଘରକୁ ନୁହେଁ–ଅନ୍ୟ ଘରକୁ, ସେଇ ଘର ବାଟ ଦେଇ ଭଙ୍ଗା ମନନେଇ ।

 

ଆଃ…ସେଇ ରାସ୍ତାରେ ସେ ଯେଉଁଦିନ ଠିଆ ହେଇଥିଲା, ଦେଖିଥିଲା–ହଠାତ ତା’ର କଲିଜାଟା ଯେମିତି ତା’ର ଛାତି ଭିତରୁ ଉବୁକି ଉଠି ବାହାରି ଯାଉଛି, ଆଉ ଏ ପାଖ ସେ ପାଖ ସାଇଁସାଇଁ ହେଇ ପଳେଇ ଯାଉଛି–...ପଳେଇ ଯାଉଛି….ଆରେ, ରହରହ, ନା…ସେ ପଳେଇ ଯାଉଛି, ଅଦ୍ଭୁତ କଥା–ଅଦ୍ଭୁତ କଥା, ତମେ କିଏ ଦେଖୁନ, ନରେନ୍ ଦେଖୁଛି ତା’ର କଲିଜା ପଳେଇ ଯାଇଛି ତା’ର ଚାନ୍ଦର ଘରର ପାଚେରି ଡେଇଁଡେଇଁ ଫକ୍‍ଫକ୍ ହେଇ, ଆଉ କବାଟ ପାଖରେ ବାଡ଼େଇ ହେଇ ଫେରି ଆସି କାନ୍ଥ ପାଖରେ ବାଡ଼େଇ ହେଇ ଫେରି ଆସି ଏ ଝରକା ସେ ଝରକା ପାଖରେ ବାଡ଼େଇ ହେଇ ଫେରି ଆସି, ଠିକ୍ ତା’ର ଚାନ୍ଦର ଶୋଇବା ଘରର ଝରକାର ରେଲିଂ ଟପି ପଶିଯାଉଛି ଫୁର୍ କିମ୍ବା ଟିକି ଚଢ଼େଇ ପରି ।

 

ତା’ର ସେଇ ଯେଉଁ କଲିଜାଟି ପକ୍ଷୀ ଲଗାଇ ଫୁର୍…ଫୁର୍…..ହେଇ ଉଡ଼ିଯାଇଥିଲା, ଆଉ ଚାନ୍ଦ ପାଖରେ କେଉଁଠି ରହିଯାଇଥିଲା, ସେହି ଦିନଠୁ ଆସି ନାହିଁ । ସେ ଫେରି ପାଇନି । ସେ କଲିଜାଟି ତା’ର ଛାତି ଭିତରୁ ପଳେଇ ଯାଇ ତାକୁ ପାଗଳ କରିଦେଇଛି । ତାକୁ ପ୍ରେମ ପୂଜାରୀ କରିଦେଇଛି । ତାକୁ ନିକମା କରି ଦେଇଛି ।

 

ସେଇ ଘରର ଝରକା ରେଲିଂ ଭିତରେ ଯେଉଁ ଚାନ୍ଦର ଟହଟହ ଉଜ୍ଜ୍ୱଳ ମୁହଁ ବିକଶି ଉଠୁଥିଲା, ଆଉ ସେ ପଲକମାତ୍ରକେ ନୟନ କୋଣରୁ ଶାଣଦିଆ ଶୀତଳ କତୁରୀ ନରେନ୍‌ର ଛାତି ଉଦ୍ଦେଶ୍ୟରେ ଛାଡ଼ୁଥିଲା, ସେହି ଘରବାଟେ ସେ ବରବେଶରେ ଯିବ କିପରି ? ସେଇ ଘରବାଟେ ସେ ପାଲିଙ୍କି ଚଢ଼ି ଯିବ କିପରି ? ଯଦି ବାଟରେ ଗଲାବେଳେ ତାକୁ ଦେଖିପକାଏ ?

 

ଓଃ… !

 

ସେ କ’ଣ ସେଇ ଘରର ଦୁଆରବନ୍ଧ ଉପରେ ପାଲିଙ୍କି ରଖିବ, ଆଉ କହିବ–ମୋର କଲିଜାକୁ କୋଉଠି ରଖିଛୁ ଚାନ୍ଦ, ଫେରାଇଦେ…ଫେରାଇଦେ… । ବାହା ନହେଲୁ ତ ନାହିଁ, ଜୀବନ ସଙ୍ଗିନୀ ନହେଲୁ ତ ନାହିଁ, ହେଲେ ମୋ କଲିଜାକୁ କୋଉଠି ତୁ ବନ୍ଦୀ କରି ରଖିଛୁ, କହ ମତେ ! ମୋ କଲିଜାକୁ ଦେଇଦେ… ! ମୁଁ ତୋର ଘରର ପାହାଚ ପାଖରେ ଠିଆ ହେଇ ହାତ ମେଲି ମାଗୁଛି, ଅଳି କରୁଛି, ଦେ ମୋ କଲିଜାକୁ ଦେଇଦେ… । କଲିଜାକୁ ନେଇ ମୁଁ ମୋର ବାଟରେ ଚାଲିଯିବି । ମୋ ସଂସାର ବାଟରେ ମୁଁ ଆଗୁସାର ହେବାପାଇଁ ମନ ବଳାଇବି । ସେଠି ତୁ ନଥିବୁ । ତୋର ସ୍ମୃତି ନଥିବ । ତୋ ବଦଳରେ ଆଉ ଜଣେ ଥିବ । ତୋରି ପରି ଝିଅଟାଏ । ତାକୁ ପାଇ ତତେ ଭୁଲିଯିବି ।

 

ଭୁଲିଯିବ ନରେନ୍ ଚାନ୍ଦକୁ ?

 

ଇସ….ଏ ଯେ ଧାରଣାତୀତ ! ନରେନ୍ ଚାନ୍ଦକୁ ଭୁଲିବ କିପରି ? କିନ୍ତୁ କଲିଜା କାହିଁକି ମାଗୁଛି ? କଲିଜା ତ ଚାନ୍ଦ କେଉଁଦିନୁ ଫେରାଇ ସାରିଲାଣି । ନରେନ୍ କ’ଣ ଦେଖି ପାରିଲା ନାହିଁ-? ଚାନ୍ଦ ଫେରାଇ ଦେଲାବେଳେ ସେ ଦେଖି ପାରିଲା ନାହିଁ ? ନରେନ୍‌ର କଲିଜାକୁ ଚୋରି କରି ତାକୁ ସାଇତି ସମ୍ପାଦି ରଖି ତା’ ସାଥିରେ ଖେଳ ଖେଳିବାରେ ଚାନ୍ଦର ବା ଆଉ କି ସୁଖ ଅଛି-? କି ଲାଭ ଅଛି ସେଥିରେ ? ଯୋଉ କଲିଜାକୁ ସେ ମନ ମନ୍ଦିରର ଝୁଲୁଥିବା ସୁନା ପିଞ୍ଜରାରେ ରଖି ବନ୍ଦୀ କରିଥିଲା ଏବଂ ଯାହା ସାଥିରେ ସବୁଦିନ କଥାଭାଷା ସେ ହଉଥିଲା, ସେଇ ସୁନା ପିଞ୍ଜରାକୁ ଖୋଲି ତ ଚାନ୍ଦ କେବେଠାରୁ ସେ କଲିଜାକୁ ଆଣି ନରେନ୍ ହାତରେ ଦେଇ କହିଲାଣି–ମତେ ଭୁଲିଯାଅ । ଆମ ପ୍ରେମ ମିଛ । ଆମେ ମିଛ । ନୂଆ ସାଥୀକର । ତେବେ ଏ କଥା ନ ବୁଝି ନରେନ୍ ପୁଣି କାହିଁକି ତା’ କଲିଜାକୁ ଖୋଜି ବସୁଛି ଚାନ୍ଦ ପାଖରେ ?

 

ଏ ହୁଏତ ଏକ ମୋହ । ଏକ ଅହେତୁକୀ ଆକର୍ଷଣ । ଏ ଆକର୍ଷଣରେ କିଛି ମୂଲ୍ୟ ନାହିଁ ଜାଣିଲେ ସୁଦ୍ଧା, କିଛି ଫଳ ନାହିଁ ଜାଣିଲେ ସୁଦ୍ଧା–ସବୁ ମିଛ, କେବଳ ମିଛ ଏ ଆକର୍ଷଣ ଏ କଥା ଭଲଭାବେ ମନରେ ଗୁରେଇତୁରେଇ ଦୋହରାଇ ହେଲେ ସୁଦ୍ଧା, ଏ ମନ ଯେଉଁଠି ଢାଳି ହେଇଯାଉଛି, ସହଜେ ଫେରି ଆସୁନି । ଅଧେ ଫେରି ଆସିଲେ କି ଅଧେ ଅବଶିଷ୍ଟାଂଶ ରହି ଯାଉଛି ।

 

ହୁଏତ ଚାନ୍ଦ ପ୍ରତି ନରେନ୍ ମନରେ ବର୍ତ୍ତମାନ କ’ଣ ଅଛି, ନରେନ୍ ସେ ବିଷୟରେ ଠିକ୍‍ଭାବେ କହି ପାରିବନି । ଚାନ୍ଦକୁ ସେ କ’ଣ ପୂର୍ବ ପରି ସ୍ନେହ କରେ ? ନା କେବଳ ଏକ ଦୁର୍ବଳତା ? ଚାନ୍ଦକୁ ସେ କ’ଣ ପୂରାପୂରି ତା’ର ଅନ୍ତରରେ ଅତଳତମ ପ୍ରଦେଶରୁ ଘୃଣା କରେ ? ନା, ସେ ଘୃଣା କରିବ କେମିତି ? ହୁଏତ ଚାନ୍ଦ ପ୍ରତି ତା’ର କିଛି ସ୍ନେହ ଅଛି, କିଛି ସହାନୁଭୂତି ଅଛି, କିଛି ଅଭିଯୋଗ ଅଛି, ଘୃଣା, ବିରକ୍ତି, ବୀତସ୍ପୃହତା, ଅସହିଷ୍ଣୁତା ସବୁ ଗୋଳିଆମୋଳିଆ ହେଇ ଫେଣ୍ଟାଫେଣ୍ଟି ହେଇ ଚାନ୍ଦପାଇଁ ଅଛି ।

 

ସେ ହୁଏତ ଚାନ୍ଦର ଘର ବାଟେ ପାଲିଙ୍କିରେ ବସି ଗଲାବେଳେ ଛାତି ଫୁଲାଇ ବଡ଼ ପାଟିରେ ଡାକ ପକାଇ କହନ୍ତା–ଚାନ୍ଦ ଦେଖ ! ତୁ ଭାବୁଥିଲୁ ନା ତୋପାଇଁ ପାଗଳ ହେଇ, ତୋପାଇଁ ଝୁରିଝୁରି ମୁଁ କଣ୍ଟା ସାର ହେବି, ଆଉ ତୁ ମତେ ଏକା ଦିନରେ ହସିହସି ଭୁଲିଯିବୁ । କିନ୍ତୁ ମୁଁ କଣ୍ଟା ସାର ହେଇନି, ତୋପରି ଗୋଟାଏ ଝିଅପାଇଁ ଝୁରି ହେବି କାହିଁକି ? ତୋପରି ଝିଅ ମୋତେ ଗୋଟାଏ ନୁହେଁ, ଦି’ଟା ନୁହେଁ ବହୁତ ମିଳିବେ । ତୋପରି ଝିଅକୁ ଥାପଡ଼ମାରି ମୁଁ ତୋଠାରୁ ଆଉ ଏକ ଭଲ ଝିଅକୁ ଘରକୁ ଆଣିବାପାଇଁ ଏଇ ବରବେଶରେ ଯାଉଛି । ତୁ ଦେଖ, ଘର କଣରେ ଲୁଚିଛୁ କାହିଁକି ? ରସମଲ୍ଲୀ କ’ଣ ଫୁସ୍‌କି ଯାଉଛି ? କବାଟ ଖୋଲି ଆସି ଦେଖ, ନରେନ୍‍ବି ବରବେଶରେ ତୋ ଘର ଦାଣ୍ଡରେ ଅବଜ୍ଞାର ହସ ହସିପାରେ, ତତେ ତାଚ୍ଛଲ୍ୟରେ ଉଡ଼ାଇ ଦେଇପାରେ । ତା’ ରୂପ ତେଜରେ ତୋ ବରକୁ ମାଙ୍କଡ଼ ବୋଲି ପରିଚୟ ଦେବାକୁ ସାହସ କରିପାରେ ।

 

କିନ୍ତୁ ଏକଥା ସତ, ସେ ଏତେ କଥା ଆଦୌ କହି ପାରିବିନି । ଏକଥା ସତ, ସେ ଏସବୁ ମନରେ ଆଦୌ ଧାରଣା କରିପାରିବ ନାହିଁ । ସେ ଚାନ୍ଦର ଘରବାଟେ ପାଲିଙ୍କିରେ ଗଲାବେଳେ ନିଶ୍ଚୟ ଥରିଉଠିବ । ଝାଉଁଳି ପଡ଼ିବ, ଝାଳରେ ଗାଧେଇ ପଡ଼ିବ, ଅସମ୍ଭବ ଯନ୍ତ୍ରଣାରେ ବିକଳ ହେଇ ଉଠିବ, ଆଉ ମନେମନେ କହିବ–ଚାନ୍ଦ, ତୁ ମତେ ଦେଖିବାକୁ ଆସେନା ଆସେନା…ଯୋଉଠି ରହିଛୁ, ସେଇଠି ଥାଆ । ଦୈବାତ ତୋ ଉପରେ ମୋର ଯେମିତି ଆଖି ନ ପଡ଼ୁ । ମୁଁ ତତେ ଏପରି ଅବସ୍ଥାରେ ଦେଖି ସହିପାରିବିନି । ଆଦୌ ସହିପାରିବିନି ।

 

ନାରୀ ! ନାରୀ ! ସେ ଯେପରି ଶକ୍ତିର ମୂଳ ଉତ୍ସ । ସେ ଯେମିତି ସବୁ ଶକ୍ତି ନେଇଯାଏ, ପୁଣି ସବୁ ଶକ୍ତି ଦେଇଦିଏ । ନରେନ୍ ନିଜ ଗୋଡ଼ରେ, ନିଜ ଛାତିରେ ଏଇ କିଛି ସମୟ ପୂର୍ବେ ବଳ ନଥିଲା ବୋଲି ଯାହା ଭାବୁଥିଲା, ନିଜକୁ କମ୍‌ଜୋର୍–ଦୁର୍ବଳ ଭାବି ଅସହାୟ ହୋଇ ଉଠୁଥିଲା, ହଠାତ ସେ ଅନୁଭବ କଲା ତା’ର ଶରୀରର ପ୍ରତ୍ୟେକ ଅବୟବରେ ନବ ଶକ୍ତି । ସେ ଗୁଣୁଗୁଣୁ ହେଇ କହିଉଠିଲା–ଚାନ୍ଦ, ମୁଁ ତତେ ଭୁଲିପାରେନା । ତୁ ମତେ ଯେଉଁ ମାଡ଼ ଦେଇଛୁ, ତାହାକୁ ମୁଁ ଆଦୌ ଭୁଲିପାରେନା । କେବଳ ତୋରିପାଇଁ, ତତେ ଧସେଇବା ପାଇଁ, ତୋ ପ୍ରତି ଅନାସ୍ଥା ଭାବପାଇଁ ମୁଁ ନିଶ୍ଚୟ ଦିନେ ତୋତେ ବୋକା କରିବି । ତତେ ଚକିତ-ବିସ୍ମିତ କରିବି । ଆଘାତ ପାଇଲେ ଲୋକ ଦବି ଯାଆନ୍ତି, ପଡ଼ିଯାଆନ୍ତି, କିନ୍ତୁ ମୁଁ ତାହା ନୁହେଁ । ମୁଁ ଜିଦ୍‍ଖୋର୍ । ପରାଜୟକୁ ମୁଁ ସ୍ୱୀକାର କରେନା । ମୁଁ ଆଘାତ ପାଇଛି ଏକଥା ସତ, କିନ୍ତୁ ଅନ୍ୟ ଲୋକଙ୍କ ପରି ପଡ଼ି ଯିବିନି । ଉଠି ଯିବି । ତୋରି ନାଁରେ ତତେ ଶକ୍ତି କରି ମୁଁ ଆଗକୁ ଯିବି…ଆଗକୁ ଯିବି । କାହାକୁ ନହେଲେ ନାହିଁ, ଅନ୍ୟମାନଙ୍କ ସହିତ ମୋର ସମ୍ପର୍କ ନାହିଁ, କେବଳ ତତେ ଦେଖାଇଦେବି, ତୁ ମତେ ବାହା ହେଇଥିଲେ ଖୁସି ହେଇଥା’ନ୍ତୁ, ନା ସେହି ଲୋକଟାକୁ ବାହା ହେଇ ଖୁସି ହେଇଛୁ ।

 

ଏକଥା ସତ ଯେ, ନରେନ୍‌ର ଏପରି ଚିନ୍ତା କରିବା ବୋକାମି । ସେ ହୁଏତ ଚାନ୍ଦପାଇଁ ଚାନ୍ଦର ବର ସହିତ ଜୀବନ ସଂଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ । କିନ୍ତୁ ଚାନ୍ଦ ଯେ କାହିଁକି ପରେ ଆସି ନରେନ୍‌କୁ ତା’ର ମନର ଅବସ୍ଥା ଖୋଲି ବସିବ ? ସେ ବା କାହିଁକି ପରେ କେବେ କହିବ–ମୁଁ ନରେନ୍ ତୁମକୁ ବିଭା ହୋଇ ଖୁସି ହୋଇଥା’ନ୍ତି । ଏଇ ଲୋକଟାକୁ ବିଭା ହେଇ ମୋର ଜୀବନକୁ ଦୁଃଖରେ କାଟିଲି । ତା’ଛଡ଼ା ସେ ବା କାହିଁକି ଅନୁତାପ କରିବ ବିବାହପାଇଁ ?

 

ସେ ଯାହା ହେଉ ନରେନ୍ ବାହା ହେଇଗଲା ।

 

ଚାନ୍ଦବି ବାହା ହେଇଗଲା । ବାହା ହେଇ ଶାଶୂ ଘରକୁ ଗଲାନି । ବାହା ହେଇ ବାପ ଘରେ ରହିଲା । କିନ୍ତୁ ଯେଉଁ ପୁଅ ବାହା ହେବାପାଇଁ ତା’ ଘରକୁ ଆସିଥିଲା, ସେ ବୋହୂକୁ ନେଇ ଘରକୁ ଫେରି ଗଲାନି, ଘରଜୋଇଁଆ ହେଇ ଶ୍ୱଶୁର ଘରେ ରହିଲା ।

 

କାଦମ୍ବିନୀ ସୁଷମା ହେଇଗଲା ।

 

ସୁଷମା । ସୁଷମା ।

 

ସେ କିନ୍ତୁ କେବଳ ସୁଷମା ନୁହେଁ । ସମସ୍ତଙ୍କ ଆଖିରେ ସେ ଯଦିଓ ସୁଷମା, ନରେନ୍ ଆଖିରେ ସେ କେବଳ ସୁଷମା ନୁହେଁ । ବେଳେବେଳେ ସେ ସୁଷମା । ବେଳେବେଳେ ସୁଷମା ନୁହେଁ କାଦମ୍ବିନୀ, ଆଉ ବେଳେବେଳେ ସେ ଅଧା ସୁଷମା, ଅଧା କାଦମ୍ବିନୀ ।

 

ନରେନ୍ କହେ, ସେ ଭୁଲିଯିବ ଚାନ୍ଦ କାଦମ୍ବିନୀକୁ । କାଦମ୍ବିନୀ ତା’ର କେହି ନୁହେଁ । ତା’ ସହିତ ତା’ର କୌଣସି ସମ୍ପର୍କ ନାହିଁ । ସେ କେବଳ ଏକ ଭସାମେଘ, ଆସିଲା, ଚାଲିଗଲା, କେବଳ ମୁହଁଟି ଦେଖାଇ ମିଛ ଆଶ୍ୱାସନା ଦେଲା, ଅଥଚ ବସିଲା ନାହିଁ । ଯେଉଁ ଶୁଖିଲାକୁ ସେହି ଶୁଖିଲା । ନରେନ୍ ଏକଥା ଯେତେବେଳେ ଭାବେ ସୁଷମା ତା’ ଆଗରେ ସୁଷମା ହେଇ ରହେ । କିନ୍ତୁ ତା’ର ମନରେ ଯେତେବେଳେ ଦେଖାଦିଏ ଯେ, ନା ଭୁଲିପାରିବିନି ତା’ର ଏକଦା ପ୍ରିୟତମା ଚାନ୍ଦକୁ, ପ୍ରେମିକ କି କେବେ ଭୁଲିପାରେ ତା’ର ପ୍ରଥମ ପ୍ରେମର ସୁବର୍ଣ୍ଣ ମଉଜ ଜଡ଼ିତ ସ୍ୱପ୍ନଭରା ଦିବସଗୁଡ଼ିକୁ, ତା’ର ପ୍ରଣୟିନୀ ଯେଉଁ ପ୍ରେମ ଅକାତରେ ଢାଳି ଦେଇଥାଏ, ତାକୁ ସେ ଭୁଲିବାକୁ ଚେଷ୍ଟା କଲାବେଳେ ସେତେବେଳେ ତାହା ପୁଣି ତା’ର ମନରେ ଉଙ୍କିମାରେ । ଠିକ୍ ସେହି ସମୟରେ ସୁଷମା, ସୁଷମା ହେଇ ରହେନା । ସେ ହେଇଯାଏ କେତେକାଂଶରେ କାଦମ୍ବିନୀ, ପୁଣି କାଦମ୍ବିନୀ ମିଶି ସୁଷମା ।

 

କବାଟକୁ ଦରଆଉଜା କରି ସେ ପାଖ ସାଇର ଲେଖାଯୋଖା ନାନୀ ସୁଷମାର କେଶରଚନା କରୁଛନ୍ତି । ସୁଷମା ଆଖି ବୁଜି ବସିଛି । ତା’ ମୁହଁରେ ମୃଦୁ ହସର ବ୍ୟଞ୍ଜନା । ତା’ ମୁହଁରେ ଆଶାର ପାତଳ ରଙ୍ଗ । ତା’ ମୁହଁରେ ପ୍ରତ୍ୟୟର ଆଲୋକ ଝଲମଲ ହଉଛି । ସେ ଜାଣେନା । ସେ ବିଚାରୀ ଜାଣିପାରୁନି ତା’ ସ୍ୱାମୀର ମନରେ ବର୍ତ୍ତମାନ କ’ଣ ଅଛି ? ସେ ଯଦି ଜାଣନ୍ତା ଯେ, ଯେଉଁ ସ୍ୱାମୀର ମନକୁ ଗୋଟିପଣେ ତା’ର ଅଖଣ୍ଡ ସାମ୍ରାଜ୍ୟ ବୋଲି ଭାବୁଛି, ସେହି ମନ ଏକଦା ଆଉ କାହାର ଥିଲା, ଏବଂ ସେହି ମନ ଉପରେ ଆଉ ଜଣେ କିଏ ସାମ୍ରାଜୀରୂପେ ବସିଥିଲା ! ସେ ଯଦିଓ ବର୍ତ୍ତମାନ ନାହିଁ, ତଥାପି ସେହି ମନ ଉପରେ ରଖି ଦେଇଛି ତା’ର ସ୍ମୃତିର ଅସଂଖ୍ୟ କେତୋଟି ନିଶାଣ ସେହି ନିଶାଣ ଯଦିଓ ସମୟର ସ୍ରୋତରେ ଗୋଟିଏ ଗୋଟିଏ ହୋଇ ଭାଙ୍ଗୁଛି, ବହୁତ ଭାଙ୍ଗିଯିବାରବି ସୂଚନା ରହିଛି, ତଥାପି କିଏ କହିବ, ହୁଏତ ରହିଯାଇଥିବ ଶେଷରେ ନିଶାଣ ମନର କେଉଁ କୋଣରେ, ହୁଏତ ସେ ବି ଭାଙ୍ଗି ପଡ଼ିଥିବ, ପୂରାପୂରି ନୁହେଁ, ଅଧା ଭଙ୍ଗା ହେଇ ରହିଯାଇଥିବ । ନିଶ୍ଚିତ ହବ ନାହିଁ ।

 

ଚାନ୍ଦ ନରେନ୍‍କୁ ଏକାଦିନକେ ଭୁଲି ଯାଇ ଥାଇପାରେ । କିନ୍ତୁ ନରେନ୍ ଚାନ୍ଦକୁ ଭୁଲିପାରିବନି । କାହିଁକି ଭୁଲିପାରିବନି ସେ ହୁଏତ ନିଜେ ଠିକ୍‍ଭାବେ କହିପାରିବନି ।

 

ନାନୀ ସୁଷମାର ଗହଳ କେଶରେ ପାନିଆ ଚଳାଉଛି । ମେଞ୍ଚାଏ କେଶ । ଖୁବ୍ ଗହଳ କେଶ । ସେ କେଶ ସୁଷମାର ମୁଠାଭିତରେ ରହି ନଯାଇ ଭୂଇଁରେ ଲୋଟି ଯାଉଛି । ଭୂଇଁରେ ଫିଟିପଡ଼ିଛି । ନରେନ୍‌ର ମନହେଲା, ସୁଷମାର ଏଇ କେଶ ସମୁଦ୍ରରେ ଯେପରି ବ୍ୟାପକ କବିତାର ଧାରା, ଯେପରି ବ୍ୟାପକ ସଙ୍ଗୀତର ମୂର୍ଛନା । ତେଲ ନୁହେଁ, ଏମାନେ, ଏହି କବିତା ଓ ସଙ୍ଗୀତମାନେ ଯେପରି ମେଞ୍ଚିମେଞ୍ଚି ହେଇ ସୁଷମାର କେଶରେ ଲାଖି ରହି ତାହାକୁ ବଢ଼େଇ ଚାଲିଛନ୍ତି ।

 

ନରେନ୍ ତା’ର ଶୋଇବା ଘରର ବାରଣ୍ଡା ଉପରେ ବସି ସୁଷମାକୁ ଦେଖୁଥିଲା । ନରେନ୍‌ର ଇଚ୍ଛା ହଉଥିଲା–ନାନୀ ପାଖରୁ ସୁଷମାକୁ ଦୁଇହାତରେ ଶୂନ୍ୟେଶୂନ୍ୟେ ଟେକି ଧରିବ ଏବଂ ତା’ର କାନ ପାଖରେ ଚୁପ୍‍ଚୁପ୍‍ ସ୍ୱରରେ କହିବ–ତୁମେ କେବଳଇ ସୁଷମା । ସୁଷମା ତମେ । ଚାନ୍ଦର ପ୍ରତୀକ ନୁହ । ତୁମଠାରୁ ଚାନ୍ଦକୁ ଆରୋପ କରାଯାଇପାରେନା । ଚାନ୍ଦକୁ ମୁଁ ଭୁଲିଯିବି । ଚାନ୍ଦ ତୁମର ତୁଳନା ଚାନ୍ଦ ନୁହେଁ । ତୁମେ ଅତୁଳନୀୟ । ତୁମକୁ ପାଇ ମୁଁ ଖୁସି ହେଇଛି ।

 

ନାନୀ ସୁଷମାର ମଥାରେ ସୁନ୍ଦର ବଡ଼ ଖୋସାଟିଏ ପକାଇ ଚାଲିଗଲାଣି । ଏତେ ବଡ଼ ଖୋସାଟିଏ ଯେ ଏତେ ସୁନ୍ଦରଭାବେ ସୁଷମାର ସୁସଞ୍ଚ ଗ୍ରୀବାଟିକୁ ମନାଇବ, ନରେନ୍‍ କାବା ହୋଇଗଲା । ସୁଷମା ପ୍ରକୃତରେ ଅପୂର୍ବ ସୁଷମାମୟୀ ! ସେ ଚୁପ୍ ହେଇ ବସିଛି । ସେ ଜାଣିନି, ସେଇ ବାରଣ୍ଡାରେ ତା’ର ସ୍ୱାମୀ ତାକୁ ଚାହିଁ ରହି ପିଇ ଯାଉଛି ନିର୍ନିମେଷ ନୟନରେ ଯୁଗଯୁଗର ତୃଷାତୁର ପରି । ସୁଷମା ଯଦି ଜାଣନ୍ତା, ତା’ର ଏଇ ସଜଫୁଟନ୍ତ ଛୋଟ ଫୁଲ ପରି ମୁହଁକୁ ଦେଖି ଉପଭୋଗ କରିବାପାଇଁ ତା’ର ସ୍ଵାମୀ କବାଟ ବାହାରେ ବାରଣ୍ଡାରେ ଲୁଚି ଛକି ବସିଛି, ତେବେ ସେ ସାଙ୍ଗେ ସାଙ୍ଗେ ହାତେ ଲମ୍ବର ଜିଭ ବାହାର କରି ଜିଭକୁ କାମୁଡ଼ି ଦିଅନ୍ତା, ମଥାରେ ଓଢ଼ଣା ଦେଇ ଓଠକୁ ଦାନ୍ତରେ ଚାପି ଧରନ୍ତା, କାଳେ ହସି ପକାଇବ ! କାଳେ ତା’ର ଦାନ୍ତ ଦି ଧାଡ଼ିକ ନରେନ୍‌ ଆଖିରେ ଧରା ପଡ଼ିଯିବ ! ଏ ମା...’ ! ମୋ ମୁହଁଟା କ'ଣ ମିଶିରି ସରବତ ଯେ, ଏମିତି ପିଇଯିବା ପାଇଁ ସେ ଲୁଚିଲୁଚି ଚାହିଁ ରହିଛନ୍ତି ?

 

ସୁଷମା ଯାକିଯୁକି ସରମରେ ବସି ପଡ଼ନ୍ତା ! ଆଉ ମଥା କୁଣ୍ଡାନ୍ତା ନାହିଁ । ରାତିରେ ଯେ ସ୍ୱାମୀ ପାଖରେ ବସିବାକୁ ଲାଜ କରେ, ସ୍ୱାମୀକୁ ଚାହିଁବାକୁ ରାଜି ହୁଏନା, ସେ କ'ଣ ଦିନରେ ସ୍ୱାମୀର ଏପରି ଦୁଷ୍ଟାମିରେ ରହିପାରନ୍ତା ? ସେ ତ ଲତା ଲାଜକୁଳୀ । ଝାଉଁଳି ପଡ଼ନ୍ତା । ନରେନ୍‍ର ଇଚ୍ଛା ହେଉଥିଲା ସୁଷମା ପାଖରେ ଯାଇ ବସିପଡ଼ନ୍ତା । ସୁଷମା ସାଥିରେ ଲାଗି ତାକୁ ଅସ୍ତବ୍ୟସ୍ତ କରି ଦିଅନ୍ତା । ସୁଷମାକୁ ଲାଜରେ ନାଲି ପକାଇ ଦିଅନ୍ତା । କବାଟ ଦରଆଉଜା କରି ଯେଉଁ ଫୁଲଟି ରୂପରେ ମତୁଆଲା ହେଇ ସ୍ନିଗ୍‍ଧ କୋମଳଭାବେ ଥରି ଉଠି ଶୋଭା ପାଉଛି, ତାହାକୁ ସ୍ନେହରେ ଭରିଦିଅନ୍ତା ।

 

କିନ୍ତୁ…, ସେ ଯଦି କହନ୍ତା–ଆରେ ଛାଡ଼ନା–! ସେମିତି ଯଦି ମୋ ସାଥିରେ ଲାଗି ମତେ କୁତୁକୁତୁ କରିବ, ତେବେ ମୁଁ କାନ୍ଦିବି ?

 

କାନ୍ଦିବୁ ?

 

ହଁ..., କାନ୍ଦିବି । ଖୁବ୍ ପାଟି କରି କାନ୍ଦିବି ।

 

କିନ୍ତୁ କାହିଁକି ?

 

ତମେ ମୋ ସାଥିରେ ଏପରି ଲାଗୁଛ କାହିଁକି ? କାନ୍ଦିବିନି ଆଉ କ’ଣ ହସିବି ? ମତେ ଲାଜ ଲାଗୁଛି !

 

ଇସ କିଏ ଚାନ୍ଦ ? ଚାନ୍ଦ ?

 

ଆରେ..., ତୁ ପୁଣି କାହିଁକି ? ତୁ ପୁଣି କାହିଁକି ମୋ ମନ ଭିତରେ ଆସି ଉଙ୍କି ମାରୁଛୁ ? ମୁଁ ତତେ ତ ଆଉ ଡାକୁନି, କିନ୍ତୁ ତୁ ଏପରି ଅନାହୂତଭାବେ ମୋ ମନ ଭିତରେ କାହିଁକି କୁହୁକରାଣୀ ହେଇ ଆସୁଛୁ ପୁଣି ଛପି ଯାଉଛୁ ?

 

ସୁଷମା ମୁହଁ ପୋଛୁଚି । ତେଲ ଚିକିଟାପାଇଁ ମୁହଁ ପୋଛୁଛି । ଖୁବ୍ ଶ୍ୟାମଳ ଫରସା ମୁହଁ । ଚାନ୍ଦ ପରି ଗୋରା ନୁହେଁ । ତଥାପି ଦେଖିବାକୁ ଖୁବ୍ ସରୁ ନାକଟିଏ । ଛୋଟ ପାଟିଟିଏ । ଗୋଲଗାଲ, ଆଉ ଦୁଇଟି ସରଳ, ନିରୀହ ଆଖି । ସେ କାହାକୁ ଚାହିଁ ପାରୁନି । କାହାକୁ ଚାହିଁବାର ସାହସ ମଧ୍ୟ କରି ପାରୁନି । ଚୁପ୍‍ଚାପ୍ ବସିଛି । ବାହାରେ କିଏ ଅଛି, କିଏ ବସିଛି, ସେ ଆଡ଼କୁ ଚାହିଁନି । ପାନପେଡ଼ା ଖୋଲି ପାନ ଭାଙ୍ଗୁଛି । ସୁଷମା ପାନ ଖାଏ । ଚାନ୍ଦବି ଖାଉଥିଲା । ଗୁଣ୍ଡି ମିଶା ପାନ । ଘର ଭିତରେ ରହି ସେମାନେ ଆଉ କିଛି ସିନା ଜାଣି ନାହାଁନ୍ତି, କିନ୍ତୁ ଏଇ ଦୋରସ୍ତ ପାନଖିଆ କଥାଟା ଜାଣିଛନ୍ତି । ନରେନ୍ ପାନ ଖାଏନା । ସୁଷମା ପାନ ଭାଙ୍ଗୁଛି । ଆଣ୍ଠୁ ଉପରେ ଓଠଟି ଥୋଇ ପାନ ଭାଙ୍ଗିବାରେ ମନ ଦେଇଛି ।

 

ସେ ତା’ ଦେହରେ ହଳଦି ଲଗାଇଛି । ହଳଦିର ବର୍ଣ୍ଣ ଉକୁଟି ଉଠିବ ବୋଲି ତା’ ସାଥିରେ କୁଙ୍କୁମ ବାଟି ସେ ବୋଧହୁଏ ଲଗାଇଛି । ନ ହେଲେ ତା’ର ଦେହଟା ଏତେ ହଳଦି ମିଶା ନାଲି ଦିଶୁଛି କାହିଁକି ? ଦେହରେ ଜିକିଜିକି ତେଲ ଚିକଣ ଫୁଟି ଉଠୁଛି । ଆଖିରେ ବହଳ କଜଳଗାର ପିନ୍ଧିଛି । ନାକରେ ନୋଳକ, ଫୁଲ । କାନରେ ଫାଶିଆ ଝୁମୁକା । ବେକରେ ଛେଚା ହରଡ଼ ଫାଳିଆ ହାର ଆଉ ସୋରିଷିଆ ହାର । ହାତରେ ତାଇତ, ବଟଫଳ ଆଉ କାଚ ସହିତ ରୁପା ଚୁଡ଼ି । ହାତରେ ମୁଦି । ଅଣ୍ଟାରେ ଅଣ୍ଟାସୂତା ଲଗାଇଛି । ଗୋଡ଼ରେ ମଲ ଆଉ ପାଉଁଜି ପିନ୍ଧି ବସିଛି । ଯାକିଯୁକି ବସି କାଚ ଓ ଚୁଡ଼ିର ଏକ ମିଳିତ ରୁଣୁଝୁଣୁ ସୃଷ୍ଟି କରି ପାନ ଭାଙ୍ଗିବାରେ ଲାଗିଛି-

 

ସୁଷମାକୁ ଦେଖି ନରେନ୍‍ର ମନ ପୂରିଉଠିଲା । ମନ କେଜାଣି କିପରି ଏକ ନିରୀହ ଆନନ୍ଦରେ ଭରିଗଲା । ଏଇ ତା’ର ସ୍ତ୍ରୀ ! ଏଇ ତା’ର ସୁଖ-ଦୁଃଖର ସାଥୀ । ଜୀବନର ଯାତ୍ରାପଥରେ ଏକମାତ୍ର ସାଥୀ, ଯେ କି ତା’ପାଇଁ ସବୁ ଦବ, ସବୁ ଦବ । ଲୁହ ଦବ, ଲହୁ ଦବ–ଜୀବନ ଦବ । ତା’ର ଦେହକୁ ସଜାଡ଼ିବ, ତା’ର ମନକୁ ସଜାଡ଼ିବ, ତା’ର ଘରକୁ ସଜାଡ଼ିବ । ତା’ର ଘରର ପ୍ରତି ଧୂଳିକଣାରେ ସ୍ୱର୍ଗ ସଂପଦକୁ ଲୁଟାଇ ଦବ । ସବୁରି ମୁହଁରେ ଭରିଦବ ଖୁସି । ସବୁରି ମୁହଁରେ ଭରିଦବ ହସ ! ଆଉ ତା’ପାଇଁ–କେବଳ ନରେନ୍‍ପାଇଁ, ଶେଷରେ ପ୍ରେମର ସ୍ମାରକୀ ସଦୃଶ ଟେକିଦବ ନରେନ୍‍ ହାତରେ ରକ୍ତମାଂସର କେତୋଟି ସୁମନ କାଳିକା–ପୁଅ ଝିଅ ! ପୁଅ ଝିଅ !

 

ନରେନ୍‍ ଆତ୍ମତୃପ୍ତିରେ ହସି ଉଠିଲା ।

 

ନରେନ୍ ଗର୍ବରେ ପୂରି ଉଠିଲା–ଏଇ ତା’ର ସ୍ତ୍ରୀ ! ଏଇ ତା’ର ଭାବୀ ସନ୍ତାନଙ୍କର ଜନ୍ମଦାତ୍ରୀ । ଏଇ ତା’ର ସନ୍ତାନଙ୍କର ମାଆ’, ଯାହାର ଚରଣତଳେ ତା’ର ଶୋଣିତର ପ୍ରସ୍ଫୁଟିତ ପ୍ରସୂନଗଣ ଭକ୍ତିରେ ଗଦ୍‍ଗଦ ହେଇ ଜାନୁଭାଙ୍ଗି ପ୍ରଣତି ଢାଳିବେ ।

 

ସନ୍ତାନ... !

 

ସଂସାର କଥା ସମ୍ୟକଭାବେ ହୃଦୟଙ୍ଗମ କରି ନଥିବା ସେଇ ଯେଉଁ ନିରୀହ ବାଳିକାଟି ଖୁଡ଼ୁଖୁଡ଼ୁ କରି ଗୁଆକାତିରେ ଗୁଆ କଟିବାରେ ନିମଗ୍ନ ଥିଲା, ନରେନ୍‍ର ତା’ ପ୍ରତି କେଜାଣି କିପରି ଏକ ପ୍ରବଳ ମାୟା ଜାଗିଉଠିଲା । ତା’ ପ୍ରତି ସମ୍ମାନ ଜାଗିଉଠିଲା । ସେ ମନେମନେ କହିଲା–ଚାନ୍ଦକୁ ଦିନେ ସାଥୀରୂପେ ବାଛିବି ବୋଲି ଭାବୁଥିଲି ଯେ, ତତେ ତା' ବଦଳରେ ସାଥୀରୂପେ ପାଇ ଘୃଣା କରିବି, ସ୍ନେହ ଦେବିନି, ସେକଥା ନୁହେଁ ସୁଷମା । ତୁ ମୋର ସବୁ ସ୍ନେହର ଅଧିକାରିଣୀ ଯେହେତୁ ତୋର ଆଉ ମୋର ମିଳିତ ଚେଷ୍ଟାରେ ଆମ ବଂଶ ଲତିକାର ଅଭିବୃଦ୍ଧି ଘଟିବ । ତୋର ସାହାଯ୍ୟ ବ୍ୟତିରେକ ଏ ଲତିକାର କୌଣସି ଭବିଷ୍ୟତ୍ ନାହିଁ । କୌଣସି ଆଶାବି ନାହିଁ । ଏଣୁ ଯେଉଁ ଉତ୍ତରପୁରୁଷଗଣ ଅନାଗତ ଭବିଷ୍ୟତ୍‍ର ଯବନିକା ଚିରି ଏ ବଂଶର ଅନନ୍ତ ଯାତ୍ରା ପଥରେ ରଚନା କରିବେ ସ୍ଥାନେସ୍ଥାନେ ଗୋଟିଏ ଗୋଟିଏ ମାଇଲ ସ୍ତମ୍ଭ, ସେ ଉତ୍ତରପୁରୁଷଗଣଙ୍କର ମୂଳ ଉତ୍ସକୁ ଅସ୍ୱୀକାର କରିଯାଇପାରେ । ତାଙ୍କର ଜନୟିତ୍ରୀକୁ ଅସମ୍ମାନ କରାଯାଇପାରେନା ।

 

ତୁ ହିଁ ମୋର ସବୁ ସୁଷମା… !

 

ନରେନ୍ ପାନ ଭାଙ୍ଗୁଥିବା ସୁଷମାକୁ ଚାହିଁ ରହିଥିଲା ।

 

ତା’ର ମନେ ହେଲା–ସୁଷମା ଯେପରି ଆଉ ଓଢ଼ଣା ଦେଇ ବସିନି । ନିଜ ଶରୀରକୁ ସାତପ୍ରସ୍ତ କରି ଶାଢ଼ିରେ ଘୋଡ଼ିଘାଡ଼ି ହେଇ ଚୁପ୍‍ଚାପ୍ ବସିନି । ସେ ଆଉ ଲାଜ ସରମରେ ଝାଉଁଳି ପଡ଼ୁନି । ସେ କେମିତି ଟିକେ ମୋଟା ହେଇ ଯାଇଛି । ତା’ର ଶରୀରର ଚର୍ବି ବୃଦ୍ଧି ହେଇଛି । ନରେନ୍ ଦେଖିଲା–ଏହାର ଭିତରେ ସୁଷମା ଯେପରି ଦୁଇବର୍ଷ ଅଢ଼େଇବର୍ଷ ବୟସ ଆଗେଇ ଯାଇଛି । ସତର, ଅଠରବର୍ଷର ସୁଷମା ଚକାମାହୁଲି ପକାଇ, କୋଳରେ କଅଁଳା ପୁଅଟିକୁ ଧରି, ଆତ୍ମ ସନ୍ତୋଷରେ, ପ୍ରଶାନ୍ତିରେ ପୂରିଉଠି ତା’ର ଭରାସ୍ତନକୁ ଶିଶୁଟିର ମୁହଁରେ ଭରି ଦେଇଛି । ତା’ ମୁହଁରେ ଏକ ମଧୁର ଅସ୍ପଷ୍ଟ ଗୁଣୁଗୁଣୁ ସଙ୍ଗୀତ । ସେ ଗୁଣୁଗୁଣୁ ସଙ୍ଗୀତରେ ତା’ର ପୁଅକୁ ଶୁଆଉଛି, ଆଉ ତାକୁ ଗେଲ କରୁଛି । ଚୁମ୍ବନ କରୁଛି ।

 

ପୁଅ !

 

ନରେନ୍‍କୁ ଜଣାଗଲା–ତା’ର ଅଧାରକ୍ତ, ସୁଷମାର ଅଧାରକ୍ତରେ ଏହି ଯେଉଁ ପୁଅଟି ସୁଷମାର କୋଳରେ ଖେଳୁଛି କୁଲୁକୁଲୁ ହେଇ, ସେ ଏଥର ତା’ର ବଂଶର ପ୍ରତିନିଧିତ୍ୱ କରିବ । ତା’ର ବଂଶର ମାନ-ସମ୍ମାନ, ଯଶ-ପ୍ରସିଦ୍ଧି କିମ୍ବା ନିନ୍ଦା, ଅପଯଶଃ, କୁଖ୍ୟାତିର କାରଣ ହବ ।

 

ନରେନ୍ ଦେଖିଲା–ସୁଷମା କୋଳରେ ଯେଉଁ ଶିଶୁଟି କୁଲୁକୁଲୁ ହେଇ ନିରୀହଭାବେ ଖେଳୁଥିଲା, ସେ ଯେପରି ବଢ଼ିବାରେ ଲାଗିଛି । ସେ ସୁଷମାର କୋଳରେ ଆଉ ଶୋଇ ନରହି, କୋଳରୁ ବାହାରି ଆସିବାକୁ ହାତଗୋଡ଼ ଛାଟୁଛି । କୁହାଟ ମାରୁଛି । ମୋଟାସୋଟା ଛୁଆଟା ! ସୁଷମାର କୋଳ ପୂରି ଯାଉଛି । ସୁଷମା ତାକୁ ଜୋର୍ କରି ପିଠି ଥାପୁଡ଼ାଇ ଶୁଆଇବାକୁ ଚେଷ୍ଟା କରୁଛି । କିନ୍ତୁ ସେ ତଳେ ଗୁରୁଣ୍ଡିବାକୁ ଜିଦ୍ କରୁଛି । ହେଇ, ବର୍ତ୍ତମାନ ସେ ତଳେ ଗୁରୁଣ୍ଡୁଛି । ଗୁରୁଣ୍ଡିଗୁରୁଣ୍ଡି ସେ ଠିଆ ହେବାକୁ ଚେଷ୍ଟା କଲାଣି । କାନ୍ଥବାଡ଼ ଧରି ସେ ଥରଥର ହେଇ ଠିଆ ହଉଛି । ଅସ୍ପଷ୍ଟ ଚିତ୍କାର କରୁଛି । ହସୁଛି । ପଡ଼ିଯାଉଛି । କାନ୍ଦୁଛି । ପୁଣି ଠିଆ ହଉଛି । ଚାଲୁଛି ଆସ୍ତେଆସ୍ତେ । ତାକୁ ବାପା-ବାପା ବୋଲି ଡାକୁଛି । ସୁଷମାକୁ ବୋଉ ବୋଉବୋଲି ଡାକୁଛି । ସେ, ଆଉ ସୁଷମା ତାକୁ କୁଣ୍ଢାଇ, ତାକୁ କୋଳ କରି ଖିଲିଖିଲି ହେଇ ହସିଉଠୁଛନ୍ତି ।

 

କିନ୍ତୁ ଦିନକୁଦିନ ତା’ର ବୟସ ଯେପରି ବଢ଼ିବାରେ ଲାଗିଛି । ବାପା-ମା'ଙ୍କର ଶକ୍ତି ଏବଂ ବୟସକୁ ନେଇ ସେ ଯେପରି କ୍ରମବର୍ଦ୍ଧନଶୀଳ ଶାରୀରିକ ପୃଷ୍ଟତାକୁ ଆହରଣ କରୁଛି ।

 

ନରେନ୍ ସୁଷମାକୁ ଚାହିଁଲା ।

 

ସୁଷମା ସେହିପରି ପୁଅକୁ ତା’ର ବଢ଼ାଇବାରେ ଲାଗିଛି । ନିଜର ରକ୍ତକୁ ପାଣି ଫଟାଇ, ନିଜର ସୁଖସ୍ଵାଚ୍ଛନ୍ଦ୍ୟ ପ୍ରତି ନଜର ନରଖି ସେ ତା’ର ପୁଅକୁ ବଢ଼ାଉଛି ।

 

ନରେନ୍ ସେହିପରି ସୁଷମାକୁ ଚାହିଁ ରହିଥିଲା । ସେ ଦେଖିଲା, ସୁଷମାର ମଥାରେ ଯେଉଁ ବିପୁଳ କେଶ ଲୋଟଣୀ ଭାଙ୍ଗି ତା’ର ଜଙ୍ଘ ତଳକୁ କେବେ ଖସି ଆସୁଥିଲା କଳାସାପ ଫେଣା ଟେକି ମୋଡ଼ି ହେଲାପରି, ସେ କେଶ ଛିଣ୍ଡିଛିଣ୍ଡି ସରୁ ପତଳା ହେଇ ତା’ର ଓସାରିଆ ପିଠି ଉପରେ ପଡ଼ିଛି । ତା’ର ମଥାରେ ସିନ୍ଦୂର ଟୋପା ଦାଉଦାଉ ହେଇ ଜଳୁଛି । କିନ୍ତୁ କପାଳରେ ବୟସର ରେଖା, ଆଖିତଳେ ବୟସର କୃଷ୍ଣରେଖା । ବେକରେ ମାଂସ ଅସ୍ୱାଭାବିକଭାବେ ବଢ଼ିଯାଇ କାନ୍ଧକୁ ଝୁଲିପଡ଼ିଛି । ପେଟରେ ଚର୍ବି ବୃଦ୍ଧି ପାଇଛି । ପଛଭାଗ ଓସାରିଆ ଦିଶୁଛି । ବୟସ ତା’ର ଶରୀରର ସୁଠାମତାକୁ ହରଣ କରି ଏଠିସେଠି କେବଳ ଗୁଡ଼ାଏ ଚର୍ବି ଭରି ଦେଇଛି । ସେ ପିନ୍ଧିଛି ଗୋଟାଏ ଧଳାଶାଢ଼ି, ଯେଉଁ ଶାଢ଼ିରେ ହଳଦି ଦାଗ ଲାଗିଛି । ହାଣ୍ଡିକଳା ଦାଗ ଲାଗିଛି । କାଦୁଅ ପାଣି । କପାଳରେ ଝଳି ଉଠିଥିବା ଝାଳକୁ ପୋଛି ସେ ତା’ର ସ୍ୱାମୀକୁ ଚାହିଁଛି ।

 

ନରେନ୍‍ର କ'ଣ ହେଇଛି ?

 

ଆରେ..., ନରେନ୍‍ର ମଥାର ପଛପାଖେ ଏତେ କେଶ କେଉଁଦିନଠାରୁ ଉପୁଡ଼ି ଗଲାଣି-? ନରେନ୍‍ର କାନ ମୂଳରେ ଅଳ୍ପ କେଶ କେଉଁ ଦିନଠାରୁ ପାଚିଗଲାଣି । ତା’ର ପେଟରେ, ଅଣ୍ଟା ପାଖେ ଚର୍ବି ବଢ଼ିଯାଇଛି । ଯେଉଁ ନରେନ୍‍ ଆଗବେଳେ ଡେଙ୍ଗା ସରସର ପତଳା ଦିଶୁଥିଲା, ସେ ଯେମିତି ଏହା ଭିତରେ ମୋଟେଇ ଯାଇଛି । ଅଭିଜ୍ଞତା, ପରିପକ୍ୱତା, ସଂସାର ପ୍ରତି ସତର୍କତା ତାକୁ ଗମ୍ଭୀର କରି ତୋଳିଛି । ସେ ହସୁନି । ସେ ଗପୁନି । ସେ ବୁଲୁନି । ସେ ଚଞ୍ଚଳ ହେଇ ଉଠୁନି-। ଅଧୀର ହେଇ ଉଠୁନି-। ସ୍ତ୍ରୀକୁ ଚାହିଁ ତା’ର ଘରକରଣା ଦେଖୁଛି ।

 

ନରେନ୍ ସ୍ଥାଣୁ ପରି ବସିରହି ତା’ର ମନଶ୍ଚକ୍ଷୁରେ ଦେଖି ପାରୁଥିଲା, ଦୂରରେ ଠିଆ ହେଇଛି ତା’ର ପୁଅ । ଗୋରା ତକତକ ଲମ୍ବା, ଚଉଡ଼ା ପୁଅ, ଯାହାର ଆଖିରେ ବହୁତ କଥା, ଭବିଷ୍ୟତ୍‍ର ସୂଚନା । ପ୍ରଶସ୍ତ କପାଳରେ ବହୁତ ଉନ୍ନତିର ସଙ୍କେତ । ନାକତଳେ ସରୁସରୁ ନିଶ ଗଜେଇ ଉଠୁଛି, ମୁହଁରେ ଛୋଟଛୋଟ କହରା ଦାଢ଼ି ବୁଲି ଆସୁଛି ! ସେ ଠିଆ ହେଇଛି, ବାପା-ମା'ଙ୍କୁ ଚାହିଁ ମୃଦୁ ହସୁଛି ।

 

ନରେନ୍ ପୁଅକୁ ଦେଖି ଭାବିଲା–ଏ ବୋଧହୁଏ ସୁଷମାର ଆଉ ଏକ ପ୍ରତିଛବି । ସୁଷମାର ରକ୍ତ, ତା’ର ରକ୍ତ, ସେମାନଙ୍କର ଅନାବିଳ ରକ୍ତର ସ୍ରୋତ ଯେପରି ତାହାକୁ ଆଜି ବଢ଼ାଇକୁଢ଼ାଇ ଟେକି ଧରିଛି ।

ନରେନ୍ ଖୁସିରେ ଆଖି ବୁଜିଦେଲା ।

ତା’ର ବନ୍ଦ ଆଖି ଆଗରେ ଏ କ’ଣ ? ଏ କି ସୌନ୍ଦର୍ଯ୍ୟ ? ଚାରିଆଡ଼େ ଝିକ୍‍ଝିକ୍ ତାରା-। ଚାରିଆଡ଼େ ହଜାର ଚନ୍ଦ୍ରର ପନୀ ଢଳା ଧବ୍‍ଧବ୍ ରଜତ କିରଣ । ଚାରିଆଡ଼େ ସାତରଙ୍ଗଭରା ବିଚିତ୍ର ଇନ୍ଦ୍ରଧନୁ । ନେଳି, ନାଲି, ହଳଦିର ରଙ୍ଗ ବିଭବମୟ ବାଦଲ ଖେଳି ଯାଉଛନ୍ତି-! କାହିଁ କେଉଁଆଡ଼ୁ ଝରି ପଡ଼ୁଛନ୍ତି ଝିରିଝିରି ଛୋଟଛୋଟ ଫୁଲ । କାହିଁ କେଉଁଆଡ଼ୁ ଭାସିଆସୁଛି ସୁବାସିତ ଚନ୍ଦନଗୋଳା ଧୀର ପବନ । କାହିଁ କେଉଁଆଡ଼ୁ ଅଦ୍ଭୁତ ଅଚିହ୍ନା ସୁନ୍ଦର ପକ୍ଷୀମାନେ ଧାଇଁ ଆସି ଚାଲି ଯାଉଛନ୍ତି । ଗୀତିମୟ କାକଳିରେ ଚିତ୍ରକେଳି ଖାଉଛନ୍ତି, ଆଉ କେଉଁଠାରୁ କାହିଁ ଗୋଟାଏ ପାହାଚ ଲମ୍ବି ଆସିଛି । ହାତୀ ଦାନ୍ତର ପାହାଚ । ସେହି ପାହାଚର ଶୀର୍ଷସ୍ଥାନରେ ଅଛି ଏକ ବିଚିତ୍ର ସିଂହାସନ, ଯେଉଁ ସିଂହାସନରେ ହୀରା, ନୀଳା, ମୋତି, ମାଣିକ୍ୟ କୋଟି ସୂର୍ଯ୍ୟର କିରଣ ଢାଳୁଚନ୍ତି-। ନରେନ୍‍ର ବନ୍ଦ ଆଖି ଏହି ସିଂହାସନର ବିଭାସିତ ଜ୍ୟୋତିରେ ଅନ୍ଧ ହେଇଯାଉଛି-। ଦେଖୁଛି–ସେ ସିଂହାସନରେ ବସିଛି ଜଣେ ନାରୀ । କିଏ ଚାନ୍ଦ ? ଏ କ’ଣ, ତା’ର ମଥାରେ ମୁକୁଟ ! ତା’ର ସାରା ଦେହ ସୁବର୍ଣ୍ଣ ଅଳଙ୍କାରରେ ଛାଉଣୀ । ପିନ୍ଧିଛି ଝିନ କ୍ଷୀରୋଦରୀ । ସେ ହସୁଛି । ସେ ନରେନ୍‍କୁ ଚାହିଁ ହସୁଛି । ଅନନ୍ତଯୌବନା ଚାନ୍ଦ ହସୁଛି । ତା’ର ଯୌବନର ଯେପରି ଅନ୍ତ ନାହିଁ, କ୍ଷୟ ନାହିଁ, ମଳିନତା ନାହିଁ । ବୟସ ତା’ର କେଶାଗ୍ରକୁ ଛୁଇଁ ପାରୁନି ।

ନରେନ୍ ଚାନ୍ଦକୁ କହୁଛି–ଏ କ’ଣ ଚାନ୍ଦ ? ମୁଁ ବୁଢ଼ା ହେବାକୁ ଯାଉଛି । ମୋର ସ୍ତ୍ରୀ ବୁଢ଼ୀ ହେବାକୁ ଯାଉଛି । ଆମର ପୁଅ ଆଜି ଯୁବକ । ହେଲେ ଚାନ୍ଦ, ତୁ କ'ଣ ସେହିପରି ଆଜିଯାଏଁ ଅଛୁ-? ତୋର ରୂପ, ତୋର ଯୌବନର ତ ଟିକିଏ ହେଲେ କ୍ଷୟ...କ୍ଷତି ଘଟିନି ?

 

ଚାନ୍ଦ ହସିହସି କହୁଛି–ତୁମେ ସିନା ବୁଢ଼ା ହେବାକୁ ବସିଛ ନରେନ୍, ତମ ସ୍ତ୍ରୀ ସିନା ବୁଢ଼ୀ ହେବାକୁ ବସିଛି; ମୁଁ କିନ୍ତୁ ସେହିପରି ଅନନ୍ତ ଯୌବନା ହେଇ ରହିଥିବି ତୁମ ପାଖରେ ସବୁଦିନ ପାଇଁ । ତୁମ ମନର ମୁଁ ଯେପରି ବସନ୍ତର ରାଣୀ । ବୟସକୁ, ଚାଲିଯାଉଥିବା ସମୟର ସୀମାକୁ ଅତିକ୍ରମ କରି ଶାଶ୍ୱତ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇପାରିଛି । ତୁମେ ତ ମତେ ବୟସ୍କା ନାରୀରୂପେ ଦେଖି ପାରିବନି, କାରଣ ମୁଁ ଜାଣେ ତୁମେ କାମୁକ ନୁହ, ତୁମେ ପ୍ରେମିକ । ପ୍ରେମିକର ମନ ତୁମର ଯଥେଷ୍ଟ ଅଛି । ତୁମେ କାମୁକ ହେଇ ରୂପପଦ୍ମବନକୁ ଦଳନ କରିବାକୁ ପ୍ରୟାସ କରନାହିଁ । ପ୍ରେମିକ ହେଇ ରୂପ-ପଦ୍ମବନର ଶୋଭାରେ ଆତ୍ମହରା ହେଇଉଠ । ଏଣୁ ଯେଉଁ ପଦ୍ମବନର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାପାଇଁ ତମେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନାହଁ, ସେ ସୌନ୍ଦର୍ଯ୍ୟ ତୁମ ମନରେ ନଷ୍ଟ ହେବ କିପରି ? ସେ ତ ତୁମ ମନରେ ସଦାବସନ୍ତର ଅଧିକାରିଣୀ ହୋଇ ରହିବ । କିନ୍ତୁ ତୁମେ ବୁଢ଼ାହୁଅ ପଛେ ନରେନ୍‌, ପିଲାଛୁଆ ନେଇ ସଂସାର କର, ତମେ ଯେତେବେଳେ ମତେ ନଷ୍ଟ କରିବାପାଇଁ କେବେ ମନ ବଳାଇ ନାହଁ, ମୁଁ ସବୁଦିନ ତୁମ ମନରେ ଏହିପରି ଥିବି । କାରଣ, ତୁମ ମତରେ ପ୍ରେମ ହେଉଛି ଅନ୍ୟକିଛି, ଯାହାକୁ ମୁଁ ବୁଝିପାରେନା, ଯାହାର ସ୍ୱରୂପ ମୁଁ କଳି ପାରେନା । ଏଣୁ ଯାହାର ସ୍ୱରୂପ ମୁଁ ବୁଝିପାରିନି ବୋଲି ହସିହସି ବର୍ତ୍ତମାନ ମୋ ସ୍ୱାମୀଙ୍କ ସାଥିରେ ଘରସଂସାର କରୁଛି, ହୁଏତ ସେ ପ୍ରେମପାଇଁ ମୁଁ ଅଯୋଗ୍ୟ, ହୁଏତ ତୁମପରି ପ୍ରେମିକର ହାତ ଧରିବାପାଇଁ ମତେ ତପସ୍ୟା କରିବାକୁ ପଡ଼ିବ, କିନ୍ତୁ ମୁଁ ଯେତେ ଯାହା ହେଲେବି କେଉଁ ଦିନ ତମେ ମତେ ପ୍ରେମ କରିଥିଲ, ସେହି ପ୍ରେମର ଖାତିରରେ ମୁଁ ସବୁଦିନ ତୁମ ବନ୍ଦ ଆଖିର ସାମନାରେ ଏହିପରି ଠିଆ ହେଇଥିବି ।

 

ନରେନ୍‌ ଥରି ଉଠିଲା । ଆଖି ଖୋଲି ଦେଲା । ଦେଖିଲା କବାଟ ଉଢ଼ାଳରୁ ନୂଆବୋହୂ ସୁଷମା କେତେବେଳୁ ପାନଭାଙ୍ଗି ଚୋରେଇଚୋରେଇ ତାକୁ ଚାହିଁ ରହିଛି !

 

ନରେନ୍‌ର ଆଖି ଯେତେବେଳେ ସୁଷମା ଆଖି ସହିତ ମିଶିଗଲା, ସୁଷମା ଗୋଟିପଣେ ଲାଜରେ ଝାଉଁଳିଗଲା । ତା’ର ଓଠ ପାଖୁଡ଼ା କିପରି ଏକ ଶିହରଣରେ ଆଘାତରେ ଥରିବାକୁ ଲାଗିଛି । ସେ ଆଖିକୁ ନରେନ୍‌ ଉପରୁ ପହଁରାଇ ନେଇ ଅନ୍ୟଆଡ଼େ ଚାହିଁଲା ।

 

କିପରି ଏକ ବେଦାନମୟ ଯନ୍ତ୍ରଣାରେ ନରେନ୍‌ର ମନଟା ଭରିଗଲା । ଏଇ ଯେଉଁ ସରଳା ବାଳିକାଟି ବସିଛି, ବନ୍ଦ ଆଖିରେ ତାକୁ ନଦେଖି, ଚାନ୍ଦକୁ କାହିଁକି ଦେଖୁଛି ? କାହିଁକି ଚାନ୍ଦକୁ ମନେମନେ ଗୁଣିହେଉଛି ?

 

ଓଃ...ଚାନ୍ଦ !

 

ସେଇ ଚାନ୍ଦ ନାଁଟା ଉପରେ ଗୋଟିଏ ବଡ଼ ଛକ ବସାଇ ସେ କାଟି ଦେଇପାରନ୍ତା କି ? କାଳି ଲଗାଇ ସେ ବିଲିବିଲି କରି ଦିଅନ୍ତା କି ?

 

ହଁ, ଛକି ମାରି କାଟି ଦେଇପାରେ । କାଳି ଲଗାଇ ବିଲିବିଲି କରି ଦେଇପାରେ ।

 

କିନ୍ତୁ ରହିଯିବ ଗୋଟିଏ ଦାଗ ।

 

ଛକିର ଦାଗ । କାଳିର ଦାଗ ।

 

ଯେଉଁ ଦାଗତଳେ ରହିଯାଇଥିବ, ସେଇ ନାଁଟା, ସେଇ ସୁନ୍ଦର ନାଁଟା–ଚାନ୍ଦ... ! ଚାନ୍ଦ...-!

 

ସେ ଦାଗ ଯେତେଦିନ ଯାଏଁ ଥିବ, ସେଇ ଦାଗତଳେ ସେଇ ନାଁଟା ସେହିପରି ଚିର ମୂର୍ତ୍ତିମତୀ ହେଇ ରହିଥିବ । ସେ ଦାଗ ଯେତେ ଦିନ ଯାଏଁ ଦିଶୁଥିବ, ସେଇ ଦାଗତଳେ ସ୍ୱତଃ ସେ ନାଁଟା ସେତେ ଦିନ ଯାଏଁ ଭାସି ଉଠୁଥିବ ।

 

ଏହାର ଯେପରି ଅନ୍ୟଥା ନାହିଁ । ଅନ୍ୟଥା ନାହିଁ ।

 

ନିଜ ଉପରେ ବିରକ୍ତ ହେଇ, ନିଜର ମନ ଉପରେ ଚିଡ଼ି ଉଠି ନରେନ୍‌ ଉଠିପଡ଼ିଲା ବାରଣ୍ଡା ଉପରୁ ।

 

ବାହାରକୁ ଯିବାପାଇଁ ଦାଣ୍ଡକୁ ଚାଲିଆସିଲା ।

 

କିନ୍ତୁ ଆଗ ମୋଡ଼ରେ ସେଇ, ସେଇ ଚାନ୍ଦର ଘର ! ଝରକାରେ ବର୍ତ୍ତମାନ ଫିଟିପଡ଼ୁଥିବ ରସମଲ୍ଲି ! ତାରା ନେଳି-ନାଲି !

 

କୁଆଡ଼େ ଯିବ ସେ ?

 

ନରେନ୍‌ର ଗତି ଶିଥିଳ ହେଇ ଆସିଲା ।

 

।। ୭ ।।

 

ପୁନା

ତା ୧୬ । ୭ । ୩୭

 

ପରମ ପୂଜନୀୟଷୁ,

 

ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଗ୍ରହଣ କରିବେ । ସେଦିନ ମୁଁ ଆପଣଙ୍କ ପ୍ରତି ଯେଉଁ ଅଭଦ୍ରଜନୋଚିତ ବ୍ୟବହାର କରି ଗଭୀର ମନୋବେଦନାର କାରଣ ହୋଇଥିଲି, ସେହି ଅବାଧ୍ୟତା ମତେ ପ୍ରତି ମୁହୂର୍ତ୍ତରେ ଦଂଶନ କରୁଛି । ଏଥିଲାଗି ମୁଁ ଭୀଷଣ ଭାବରେ ଅନୁତପ୍ତ । କ୍ଷମା ମାଗିବା ପୂର୍ବରୁ ଆପଣ ମତେ କ୍ଷମା ଦେଇଥିବେ ମୁଁ ଏକଥା ଭଲଭାବେ ଜାଣେ । ପାଖରେ ଥାଇ ମୁଁ ଆପଣଙ୍କର ସ୍ନେହର ଉଚିତ ରୂପରେଖ କଳନା କରିପାରି ନଥିଲି । ମୋ ପରି ଅଜ୍ଞାନ ସେ ସ୍ନେହକୁ ତ କଳନା କରି ପାରିବନି । କିନ୍ତୁ ଦୂରରେ ଥାଇ ମୁଁ ଜାଣୁଛି ସେ ସ୍ନେହ ସମୁଦ୍ରର ଏକ ବିନ୍ଦୁ ଜଳ ମୋପାଇଁ ମହାସମୁଦ୍ରସ୍ୱରୂପ ।

 

ସେଦିନ ଭାବପ୍ରବଣତା ବଶତଃ ଆପଣଙ୍କୁ କିମ୍ୱା ବୋଉକୁ ନ କହି ଲୁଚି ଘରୁ ଚାଲିଆସିଲି । ବୋଉ ମୋର ମତେ ନ ଦେଖି କାନ୍ଦିଥିବ । ତାକୁ କହିବେ ମୋପାଇଁ ସେ କାନ୍ଦିବ ନାହିଁ । ପାଠ ପଢ଼ିବାକୁ ମୋର ଇଚ୍ଛା ନଥିଲା । ଇଚ୍ଛା ଥିଲେ ହୁଏତ ପଢ଼ି ପାରିଥାନ୍ତି, କାରଣ ମୁଁ ଜାଣେ ମୁଁ ବୋକା ନୁହେଁ । ସଙ୍ଗୀତର ମହାକର୍ଷଣରେ ମୁଁ ଦିନକୁଦିନ ପାଗଳ ହୋଇଉଠିଥିଲି ।

 

ମୁଁ ବର୍ତ୍ତମାନ ଗନ୍ଧର୍ବ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ନେଉଛି । ଏ କଥା ଶୁଣି ଆପଣ ବିରକ୍ତ ହୋଇପାରନ୍ତି । କିନ୍ତୁ ଏ କଥା ମୁଁ ଜାଣେ, ଆପଣଙ୍କର ଆଶୀର୍ବାଦ ମତେ ଉନ୍ନତିର ଶୀର୍ଷସ୍ଥାନରେ ପହୁଞ୍ଚାଇ ଦେବ ।

 

ବୋଉକୁ ମୋର ପ୍ରଣାମ ଜଣାଇଦେବେ । ମୁଁ ଭଲ ଅଛି ।

 

ସ୍ନେହାନୁଗତ

ଧୀରେନ୍ଦ୍ର

 

ଆଖିରୁ ମୋର ଧାରଧାର ଲୁହ ବହିଯାଉଥିଲା । ଚିଠିଟା ସେଇ ଲୁହର ଧାରରେ ଭିଜି ଯାଇଥିଲା, ଆଉ ହାତରେ ଥରୁଥିଲା । ପାଟିକରି ଡାକିଲି–ଶୁଭୁଛି, ଶୁଭୁଛି–ସୁଷମା... ।

 

କ’ଣ ?

 

ପୁଅକୁ ମୁଁ ପାଇଛି ସୁଷମା ! ପୁଅକୁ ମୁଁ ଏତେ ଦିନକେ ମୋ କୋଳକୁ ଫେରି ପାଇଛି ।

 

ସୁଷମା ଅଧୀର ହୋଇ କହିଉଠିଲା–କାହିଁ ? କାହିଁ ମୋ ପୁଅ ?

 

ହେଇ, ତା’ର ଚିଠି ନିଅ ।

 

ଓଃ...... ସେ ଦୃଶ୍ୟ ବର୍ତ୍ତମାନ ମୋର ମନେପଡ଼ୁଛି ।

 

ସୁଷମା ସେଇ ଚିଠିଟାକୁ ବଡ଼ବଡ଼ ଆଖିରେ ଚାହିଁଲା, ସତେ ଯେମିତି ସେଇ ଚିଠିର ଧାଡ଼ିରେଧାଡ଼ିରେ ପୁଅକୁ ତା’ର ଦେଖୁଛି । ହଠାତ ଭୋ’ କରି କାନ୍ଦିଉଠି ଚିଠିଟାକୁ ଛାତିରେ ଚାପି ଧରିଲା । ଚିଠିକୁ କୁଚୁକୁଚା କରି ଛାତିରେ ଚାପି କାନ୍ଦିବାକୁ ଲାଗିଲା–ବାବୁରେ..., କୋଉଠି ଅଛୁ ଫେରିଆ... !

 

ଏକଥା ସାଇଭାଇ ଜାଣିଲେ । ଧୀରେନ୍‌ ଗୀତ ଶିଖୁଛି ପୁନାରେ । ହସିଲେ ସମସ୍ତେ । ଗୀତ କ’ଣ ଗୋଟାଏ ଶିକ୍ଷା ? ଧୀରେନ୍‌ଟା ମୂର୍ଖ ହେଇଗଲା । ଯାଅ ଫେରାଇ ଆଣ । ଗୀତରୁ କ’ଣ ମିଳିବ ? ଗୀତରେ ପେଟ ପୋଷାଯାଏନା ।

 

ମୁଁ ଯାଇଥିଲି ତା’ ପାଖକୁ, ଗୀତରୁ ଫେରାଇ ଆଣିବାପାଇଁ ନୁହେଁ, ତାକୁ ଦେଖିବାପାଇଁ-। ତା’ର ସୁଖ, ତା’ର ପସନ୍ଦକୁ ମୁଁ ଭାଙ୍ଗିବି କାହିଁକି ? ସେ ଯଦି ଗୀତ ଶିଖିବାକୁ ଚାହୁଁଛି, ଶିଖୁ-। କିନ୍ତୁ ଥରେ ହେଲେ ଘରକୁ ବୁଲିଆସୁ ।

 

ସେ କିନ୍ତୁ ଆସିଲା ନାହିଁ । ଜିଦ୍‍ଖୋର୍‍ ଟୋକା । ଘରୁ ଯାଇଥିଲା ଯୋଉ ଜିଦ୍‌ରେ, ସେ ଜିଦ୍‌ ପୂରଣ ନ ହେବାଯାଏଁ ସେ ଆସିବନି ।

 

ଦୀର୍ଘ ଛଅବର୍ଷ ।

 

ଏଇ ଦୀର୍ଘ ଛଅବର୍ଷ ଯେପରି ଆମ ଘରସଂସାରର ସାବଲୀଳ ଗୀତିମୁଖର ଛନ୍ଦରେ ବ୍ୟାଘାତ ଘଟିଛି । ଦିନଦିନ, ମାସମାସ, ବର୍ଷବର୍ଷ ଆମେ ଦୁଇ ପ୍ରାଣୀ ଚାହିଁ ରହିଛୁ । କେଉଁଦିନ ତା’ର ଶିକ୍ଷାର ପରିସମାପ୍ତି ଘଟିବ, କେଉଁଦିନ ସେ ଆସିବ, ଆମର ସଂସାରର ହୃତଶ୍ରୀ ପୁଣି ଶାଖା ମେଲି ହସି ଉଠିବ । ଆମେ ତାକୁ ଦେଖି ଆମର ସତତ ସଂତପ୍ତ ପିତୃତ୍ୱ, ମାତୃତ୍ୱକୁ ଶୀତଳ କରିବୁ-

 

ସେ କିନ୍ତୁ ଆସୁନାହିଁ । ଚିଠି ଲେଖୁଛି ଆହୁରି ଶିକ୍ଷା ବାକି ଅଛି । ଆହୁରି କେତେ ମାସ ଅଛି । ସେ ସବୁ ସରିଲେ, ତା’ପରେ ଯାଇ ଯେଉଁ କଥା ।

 

କି ଶିକ୍ଷା ? କି ଶିକ୍ଷାପାଇଁ ଏତେ ସାଧନା ? କି ଶିକ୍ଷାପାଇଁ ଏତେ ପ୍ରତୀକ୍ଷା ? ଏତେ ପରିଶ୍ରମ ? ଏତେ ଯତ୍ନ ?

 

ସଙ୍ଗୀତ ଶିକ୍ଷା... ।

 

ଆଃ..., ମୋର ଆଖି ସାମନାରେ, ଗୋଟିଏ ଉଜ୍ଜ୍ୱଳ ତାରା ଖସିପଡ଼ି ମାଟିରେ ଲୋଟୁଛି-

 

କାହାକୁ କହିବି ? ଚୋର ମା କାନ୍ଦେନା, ଯଦି କାନ୍ଦେ କବାଟ କିଳି ଘରେ ଲୁଚି କାନ୍ଦେ । ପୁଅ ମୋର ବି:ଏସ: ସି: ନ ପଢ଼ୁ କଲେଜ ପାଠକୁ ଘୃଣାକରି ଘରୁ ଲୁଚି କାହିଁ ଦୂର ବିଦେଶରେ ସଙ୍ଗୀତ ଶିଖୁଛି ! ପୁଅ ମୋର ବାବୁ ହେଇଥାନ୍ତା, ଏଥର କିନ୍ତୁ ଆଖଡ଼ା ଘରର ଓସ୍ତାଦ୍‌ ଦେବ । ଓସ୍ତାଦ୍‌–ଓସ୍ତାଦ୍‌ । ଏହାଠାରୁ ବଳି ଦୁର୍ଭାଗ୍ୟ ଶେଷରେ କ’ଣ ଅଛି ? ଲଜ୍ଜାକର ବିଷୟ କ’ଣ ଅଛି ?

 

ମନରେ ଏହାହିଁ ଭାବୁଥିଲେ ସୁଦ୍ଧା ନିଜେ ପାଟିରେ କହି ନିଜେ ଶୁଣିବାକୁ ସାହସ ନଥିଲା, କାରଣ ଯେ ଗୋଟିଏ ପୁଅର ବାପା, ସେ ଜାଣେ ସେ କେତେ ଦୁଃଖୀ । କେତେ ଅସହାୟ-। ଅନେକ ସମୟରେ ସେ କିପରି ଅନନ୍ୟୋପାୟ ହେଇ ପୁଅର କଥାକୁ ସମର୍ଥନ କରେ-। ମୋ ପୁଅ ସଙ୍ଗୀତ ଶିଖୁ କି ନାଚ ଶିଖୁ, ଯାହା ଇଚ୍ଛା ତାହା ଶିଖୁ, କିନ୍ତୁ ଚଞ୍ଚଳ କେମିତି ମୋ ଘରକୁ ଫେରିଆସୁ, ଏହାହିଁ ଆମର ଚିନ୍ତାର ବିଷୟ ଥିଲା ।

 

ତା’ର ସଙ୍ଗୀତ ଶିକ୍ଷା ଆମପାଇଁ ମୁଖ୍ୟ ନୁହେଁ, ଆମପାଇଁ ଆକର୍ଷଣୀୟ ନୁହେଁ । ସେଥିରେ ଆମର ଆବାହନ ନାହିଁ କି ବିସର୍ଜନ ମଧ୍ୟ ନାହିଁ । ଆମେ କିନ୍ତୁ ତାହାକୁ ଖୋଜୁଛୁ । ତାହାର ଆଗମନ ପ୍ରତ୍ୟାଶିତ ହେଇ ଚାହିଁ ରହିଛୁ ।

 

ସେଦିନହିଁ ସେ ଶେଷରେ ଫେରି ଆସିବାକୁ ଚିଠି ଲେଖିଲା ।

 

ସକାଳୁ ଉଠି ଆମେ ଘରଦୁଆର ଝାଡ଼ିବାରେ ଲାଗିଛୁ । ଟେବୁଲ ଚଉକି ସଫା କରିବାରେ ଲାଗିଛୁ । ତା’ର ରହିବା ଘରକୁ ସଫାସୁତୁରା କରିଛୁ । ତା’ର ଫଟୋ, ତା’ର ଟେବୁଲ, ତା’ର ବହିପତ୍ର ସବୁ ସଫା କରିଦେଇଛୁ । ଆମ ମନରେ ଆନନ୍ଦ । ଆମ ମନରେ ଭୀଷଣ କୋଳାହଳ । ମୁଁ ଓ ସୁଷମା କେବଳ ଘରଟାସାରା କାରଣରେ ଏପରି କି ଅକାରଣରେ ଧାଇଁବାରେ ଲାଗିଛୁ ।

 

ଆମ ପୁଅ ଆଜି ଆସୁଛି ! ଗଲା ପୁତ୍ର ବାହୁଡ଼ି ଆସୁଛି !

 

ତା’ର ଆସିବା ସମୟ ପାଖେଇ ଆସିଛି । ଟ୍ରେନ୍ ହୁଏତ ଆଉ ଦୁଇଘଣ୍ଟା ତିନିଘଣ୍ଟା ପରେ ଆସି ପହଞ୍ଚିଯିବ । ସୁଷମା ଆଜି ସକାଳୁ ତିନି ଚାରିଥର କାନ୍ଦିବାରେ ଲାଗିଛି ।

 

ସୁଷମା... !

 

ରୋଷେଇଘରୁ ଜବାବ ଦଉଛି–କ’ଣ, ବାବୁ ଆସିଗଲା କି ?

 

ନା..., ଆସିନି । ତେବେ ତୁମେ ମନ ଦେଇ ରୋଷେଇ କରୁଛଟି ? ନା ତା’ରି କଥା ଭାବୁଛ ? ମନ ଲଗାଇ କର । ସେ ଯାହାକୁ ଖାଇବାକୁ ଭଲପାଏ, ସେଇଆ କର । ବିଚରା କେଉଁଦିନଠାରୁ ତମ ହାତରାନ୍ଧଣା ଖାଇନାହିଁ ! ତମ ପାଖରେ ସେ ଥିଲାବେଳେ, ତୁମେ ତାକୁ ସବୁଦିନ ପାଖରେ ବସାଇ ଖୋଇ ଦେଉଥିଲନା... !

 

ମୁଁ ଅନୁଭବ କଲି–ମୋ ଆଖିରେ ଯେପରି ଲୁହ ଜକେଇ ଆସୁଛି । ଛଅବର୍ଷ ହେଲା ପେଟ ବିକଳାଟାର ଖାଇବା ଆମେ ବୁଝିପାରିନୁ । ଆଜି ସେ ଆସୁଛି ! ତା’ରିପାଇଁ ତା’ର ସ୍ନେହମୟୀ ଜନନୀ ରାନ୍ଧିବାରେ ଲାଗିଛି ।

 

ଆହା..., ଜନନୀ ହାତରେ କୁଆଡ଼େ ଅମୃତ ଥାଏ–ଅମୃତ । ପଚାଶଢ଼ା ଯାହା ସେ ହାତରେ ଲାଗେ, ଚାହୁଁଚାହୁଁ ଅମୃତ ପାଲଟିଯାଏ ।

 

ମତେ ଶୁଭିଲା, ସେଇ ରୋଷେଇଘରେ ସୁଷମା କାହା ସାଥିରେ ଗପୁଛି ।

 

ସୁଷମା... ! ମୁଁ ବଡ଼ ପାଟିରେ ଡାକିଲି ।

 

କ’ଣ କହୁଛ ? ସେ ସେହିଠାରୁ ଜବାବ ଦେଲା ।

 

ସେଠି କାହା ସାଥିରେ ଗପୁଛ ?

 

ଏଇ ମିନୀ । ମିନୀ ଆସିଛି । ଧୀରେନ୍‌ ଆସିବ ନା ! ତା’ର ଧୀରେନ୍‌ ଭାଇ... ! ଏଇଥିପାଇଁ ସେ ସେତେବେଳୁ ଆସି ପହଞ୍ଚିଯାଇଛି । ମୋ ସାଥିରେ ମିଶି ରୋଷେଇ କରୁଛି ।

 

ହଁ..., ୟାଡ଼େ ଟ୍ରେନ୍‍ ଟାଇମ୍‌ ହେଇଯାଉଛି । ଆଉ ଘଣ୍ଟାଏ ଗଲେ ଟ୍ରେନ୍‌ ଆସିବ । ମୁଁ ଯାଉଛି । ତମେ କବାଟ ଦିଅ ।

 

ଦେହରେ ସାର୍ଟଟାଏ ଗଳାଇ ଯିବାକୁ ବାହାରି ପଡ଼ିଲି ।

 

ଷ୍ଟେସନ୍‌ ।

 

ଟ୍ରେନ୍‌ ଆସିବାକୁ ଆଉ ଦଶ ପନ୍ଦର ମିନିଟ ଅଛି । ଫାଷ୍ଟବେଲ୍‌ ହେଇସାରିଲାଣି । ମୋର ଛାତିରେ ସ୍ପନ୍ଦନ । ମୁଁ ଖାଲି ଏପାଖ ସେପାଖ ହଉଛି । କେତେ କ’ଣ ଭାବି ଯାଉଛି–କେତେ କ’ଣ ?

 

ଟ୍ରେନ୍‌ ଆସିଗଲା ।

 

ମୁଁ ପ୍ରତ୍ୟେକ କମ୍ପାର୍ଟମେଣ୍ଟ ଉପରେ ମୋର ଦଉଡ଼ୁଥିବା ଆଖିକୁ ପହଁରାଇବାରେ ଲାଗିଥିଲି । ଗୋଟାଏ ଇଣ୍ଟର୍‌କ୍ଲାସ୍ କମ୍ପାର୍ଟମେଣ୍ଟରୁ ସେ ଓହ୍ଲାଇ ଆସୁଛି ।

 

ମୋ ପୁଅ... ! ମୋ ଧୀରେନ୍‌... !

ତାକୁ ଦୂରରୁ ଦେଖି ମୁଁ ତା’ ପାଖକୁ ଚାଲିଯାଉଛି ।

ସେ ପିନ୍ଧିଛି ଏକ ଚୁଡ଼ିଦାର ପଞ୍ଜାବି । ପାଇଜାମା– । ପାଦରେ ଯୋଧପୁରୀ ନାୟଗ୍ରା ।

ମୋର ପାଦସ୍ପର୍ଶ କଲା ସେ ।

ମୁଁ ତାକୁ କୁଣ୍ଢାଇ ପକାଇଲି । ମୋରି ପୁଅ, ଗୋଟିଏ ବୋଲି ପୁଅ, ଯାହାର ହାତରେ କଲମ ଦେବାପାଇଁ ମୁଁ ଯାବତ୍‌ ଚେଷ୍ଟା କରିଥିଲି, ସେ କଲମ ବଦଳରେ ତାନପୂରା ଧରି ଠିଆହୋଇଛି । ମୁଁ ଦେଖିଲି କିପରି ଏକ ଅସାଧାରଣ ବ୍ୟକ୍ତିତ୍ୱର ଉଜ୍ଜ୍ୱଳ ଆଭାରେ ତା’ର ମୁଖମଣ୍ଡଳ ବିକଶିତ ହୋଇଉଠୁଛି । ସେ ଧୀର, ଶାନ୍ତଭାବେ ଠିଆ ହେଇଛି । ଧୀରେଧୀରେ କଥା କହୁଛି ।

ଘରୁ ଗଲାବେଳେ ମୁଁ ତାକୁ ମୂର୍ଖ କହିଥିଲି । ସାଇଭାଇଏ ଗୀତ ଶିଖିବା କଥା ଶୁଣି ମୂର୍ଖ କହିଥିଲେ, ହସିଥିଲେ, ଛି...ଛି...କରିଥିଲେ । କିନ୍ତୁ କି ଆଶ୍ଚର୍ଯ୍ୟର କଥା, ଆମେ ଯାହାକୁ ମୂର୍ଖ ଆଖ୍ୟା ଦେଇଥିଲୁ, ତା’ର ଗୁରୁମାନେ ସେଥିରେ ଏକମତ ନହେଇ, ତାକୁ ପଣ୍ଡିତ କରିଦେଲେ । ବିଶାରଦ କରିଦେଲେ ।

ଘରେ ଯେତେବେଳେ ପହଞ୍ଚିଲୁ, ତା’ ବୋଉ ତାକୁ କୁଣ୍ଢାଇ ପକାଇ କାନ୍ଦି ବାହୁନିବାକୁ ଲାଗିଲା ।

ତାକୁ ସମସ୍ତେ ଘେରି ଠିଆହେଇ ଯାଇଥିଲେ ।

ମୁଁ ଦେଖିଲି, ଲୋକଙ୍କର ଘେରଠାରୁ ଦୂରରେ ବାରଣ୍ଡାର ଧାରରେ ଯେଉଁ ଖୁଣ୍ଟଟା ଅଛି, ସେଇ ଖୁଣ୍ଟକୁ ଧରି ଠିଆହେଇଛି ମିନୀ । ସେ ଚାହିଁ ରହିଛି ଧୀରେନ୍‌କୁ ନିଶ୍ଚଳଭାବେ ।

 

ଧୀରେନ୍‌ ଲୋକଙ୍କ ଉପରୁ ଆଖି ଫେରାଇ ନେଇ ମିନୀକୁ ଚାହିଁଲା ।

 

ମିନୀ, ସେଇ ଯେଉଁ ଝିଅଟା । ଧୀରେନ୍‌ ଏଠାରେ ଥିଲାବେଳେ ଫ୍ରକ୍‌ପ୍ୟାଣ୍ଟ ପିନ୍ଧୁଥିଲା, ଏହା ଭିତରେ କେବେଠାରୁ ଶାଢ଼ି ପିନ୍ଧିଛି । ସେତେବେଳେ ସେ ଲଜ୍ଜା କ’ଣ ଜାଣି ନଥିଲା । କିନ୍ତୁ ଏହା ଭିତରେ ଏତେ ଲଜ୍ଜା ଶିଖିଲା କେଉଁଠାରୁ ?

 

ମିନୀ ନୀଳରଙ୍ଗର ଶାଢ଼ି ପିନ୍ଧିଥିଲା । ନାଲି ରଙ୍ଗର ବ୍ଲାଉଜ୍‌ଟାଏ ପିନ୍ଧିଥିଲା । କାନରେ ଦି’ଟା ମାଙ୍କଡ଼ି । ହାତରେ ପଟେପଟେ ସୁନା ଚୁଡ଼ି । ନିରାଡ଼ମ୍ୱର ବେଶଭୂଷାରେ ଖୁବ୍‌ସରଳ ଦିଶୁଥିଲା ।

 

ମୁଁ ଚାଲି ଆସିଥିଲି, ଆର ଘରକୁ ।

 

ଲୋକମାନେ ଧୀରେଧୀରେ ଚାଲି ଯାଇଥିଲେ ।

 

ମୁଁ ମୋର ଘରେ ବସିଛି, ମୋତେ ଶୁଭିଲା ଧୀରେନ୍‌ କହୁଛି ମିନୀକୁ–ୟା’ଭିତରେ କେତେ ବଡ଼ ଆସି ହେଇଗଲୁଣି ତୁ ମିନୀ ! ତତେ ଚିହ୍ନି ହଉନି । ସତେ ଯେମିତି–ସତେ ଯେମିତି–ଧୀରେନ୍‌ କ’ଣ କହିବ ବୋଲି ହଉଥିଲା, କିନ୍ତୁ କିଛି କହିପାରିଲା ନାହିଁ ।

 

ମିନୀ ବୋଧହୁଏ କିଛି କହି ନଥିଲା ଏହାର ଉତ୍ତରରେ । ମୁଁ ତା’ର ଗଳା ଶବ୍ଦ ଶୁଣିପାରି ନଥିଲି ।

 

ସୁଷମା ବୋଧହୁଏ ସେମାନଙ୍କ ପାଇଁ ଖାଇବା ବାଢ଼ି ଦେଇଥିଲା, ସେମାନେ ଖାଉଥିଲେ ।

 

କିନ୍ତୁ ମୁଁ ପୁଣି ଶୁଣିଲି–ଧୀରେନ୍‌ କହୁଛି, ଦେଖିଲୁ ବୋଉ... ! ମିନୀଟା କେତେ ଲାଜ କରୁଛି ? ଖାଉନି । ଆଗବେଳେ ମତେ ଖତେଇ ହଉଥିଲା, ମତେ ଚିମୁଟୁ ଥିଲା, କେତେ କଥା ଗପି ଯାଉଥିଲା । କିନ୍ତୁ ଏଇନା ମତେ ଦେଖି ମୁହଁ ତଳକୁ କରିଛି । ମତେ ଡରୁଛୁ କିଲୋ ମିନୀ... ?

 

ମିନୀ କିଛି କହୁ ନଥିଲା ।

 

ଯେଉଁ ଘର ନିର୍ଜୀବ, ନିସ୍ପନ୍ଦ ହେଇଯାଇଥିଲା, ମୃତପ୍ରାୟ ହେଇ ଯାଇଥିଲା, ନିଶ୍ଚୁପ୍‍–ନୀରବ ହେଇଯାଇଥିଲା, ସେଇ ଘର ବର୍ତ୍ତମାନ ହସି ଉଠିବାକୁ ଲାଗିଲା । ସେଇ ଘରର ଜଡ଼ତା, ପ୍ରାଣହୀନତା ଚାହୁଁଚାହୁଁ କାହିଁ କୁଆଡ଼େ ଅପସରିଗଲା ।

 

ସଙ୍ଗୀତର ମୋହନ ମଧୁତାନ ପ୍ରସରି ଯାଉଛି ।

 

ଆମ ଘରଟା ଏକ ଅତୀନ୍ଦ୍ରିୟ ରାଜ୍ୟ । ସେଇ ମଧୁର ତାନପୂରାର ଝଙ୍କାର ସ୍ୱର ଘରର ବାୟୁମଣ୍ଡଳକୁ, ପରିବେଶକୁ ସଦାବେଳେ ଗୀତିମୟ କରି ରଖିଛି । ସେ ଯେତେବେଳେ ରେୟାଜ୍ କରେ, ଆମ ଘରର ସେଇ ନିରୋଳା ଖଞ୍ଜାରେ–ଯେଉଁ ଖଞ୍ଜାରେ କି ଚାରି-ପାଞ୍ଚୋଟି ଶୁକ-ଶାରି ପଞ୍ଜୁରୀ ଭିତରେ ରହୁଥିଲେ, ଦଶ ପନ୍ଦର ହଳ ପାରା ଉଡ଼ିଯାଉଥିଲେ, ପକ୍ଷ ଝାଡ଼ି ଦଉଥିଲେ, ପାଣିକୁଣ୍ଡ ପାଖରେ ବସି ଘୁମୁରୁଥିଲେ, ଆଉ ରହୁଥିଲା ଏକ ସୁନ୍ଦର ହରିଣ, ମୁଁ ତା’ପାଇଁ କିଣି ଆଣିଥିଲି, ଧାଡ଼ିଧାଡ଼ି ଗୋଲାପ ଗଛ ଥିଲା, ଧାଡ଼ିଧାଡ଼ି ମଲ୍ଲିକା ଥିଲା, ଧାଡ଼ିଧାଡ଼ି କ୍ରୋଟନ୍‍ମାନେ ପାମ୍‍ମାନେ ବଢ଼ି ଉଠିଥିଲେ, ଥିଲା ମାଧବୀ ବିତାନ ଥିଲା ସଦାବିହାରୀର ରାସଲୀଳା, ସେହି ଖଞ୍ଜାରୁ, ଯାହାକି ମୋ ରହିବା ଖଞ୍ଜାଠାରୁ ଦୂରରେ, ଯେତେବେଳେ ତା’ର ମଧୁର ଗଳାରୁ ‘ଶାସ୍ତ୍ରୀୟ ରାଗ ସଙ୍ଗୀତ’ର ଆଳାପ ଭାସି ଆସୁଥିଲା, ଦ୍ରୁତ ଭାସି ଆସୁଥିଲା, ଆଉ ତା’ ସାଥିରେ ସା,ନି,ଧ,ପ,ର ମଧୁର ତାନ ଖେଳି ଯାଉଥିଲା, ମୋର ପିତୃଗଣ ଏକ ଭୀଷଣ ଗର୍ବରେ ପୂରି ଉଠୁଥିଲା । ମୁଁ ପୁଲକରେ ଆତ୍ମହରା ହୋଇ ଉଠୁଥିଲି । ଖଟଟା ଉପରେ ବସି, ଟେବୁଲ ଉପରେ ବସି ମୁଁ ମୋର କାନ ଡେରୁଥିଲି । ଆହା..., ମୋ ପୁଅ ବୋଲୁଛି ଗୀତ ! ତା’ର ଗୀତ ସେ ଖଞ୍ଜା ଟପି ଏ ଖଞ୍ଜାକୁ ଚାଲିଆସୁଛି, ମଳୟାନିଳ ଭଳି ଧୀରେଧୀରେ ସନ୍ତରଣ କରି ଆଉ ମୁଁ ଅନୁଭବ କରୁଛି, କେବଳ ମତେ ନୁହେଁ, ଏ ଘରର କାନ୍ଥବାଡ଼ର ସୁର୍କି, ଚଉକି, ଟେବୁଲ, ଆସବାବକୁ ଶିହରିତ କରୁଛି ।

 

ମୁଁ ଯେତେବେଳେ ଖାତାକଲମ ଧରି ବସିଥାଏ ପାହାନ୍ତିଆ ପହରରେ, ସେତେବେଳେ ମୁଁ ଶୁଣେ ତା’ର ମନ୍ଦ୍ର ଗମ୍ଭୀର ସ୍ୱର । ସେ କେତେବେଳୁ ଶଯ୍ୟା ତ୍ୟାଗ କରି ଆଳାପରେ ମୂର୍ଛନା ତୋଳିଛି । ମୋର ହଠାତ କଲମର ଗତି ତୀବ୍ରତର ହୁଏ । ମୋର କାନରେ ସଙ୍ଗୀତର ମୃଦୁଗୁଞ୍ଜନ ସମ୍ମୋହନ ସୃଷ୍ଟି କରି ମୋର ଚିନ୍ତାଧାରାକୁ ଅଧିକ ସୁସଂଯତ କରେ, ଯାହା ଫଳରେ କି ମୁଁ ଖୁବ୍‌ ଚଞ୍ଚଳ ଲେଖିପକାଏ । ମୁଁ ନିଜେ ଅନୁଭବ କରିଛି, ଆଗବେଳେ ଲେଖିଲାବେଳେ ମୁଁ ମୋର କଲମରେ ଏପରି ଶକ୍ତିର ସଞ୍ଚାର ଲକ୍ଷ୍ୟ କରି ନଥିଲି । କିନ୍ତୁ ଏବେ ମୁଁ ଭାବିଲି, ହୁଏତ ମୋର ଏହି କଲମର ବେଗ କେବଳ ମୋରି ପୁଅର ସଙ୍ଗୀତ ଧାରାପାଇଁ । ମୋର ଚେତନାବୋଧ, ମୋର ରସବୋଧ, ଜୀବନକୁ–ଅନୁଶୀଳନ କରିବାରେ ପ୍ରଗାଢ଼ ଅନୁରାଗ, ସମ୍ୱେଦନଶୀଳ ପ୍ରାଣର ଗ୍ରାହ୍ୟଶକ୍ତି, ଯେପରି ତା’ରି ସଙ୍ଗୀତ ବଳରେ ଜାଗରୂକ ହୋଇଛି, ଉଜ୍ଜୀବିତ ଉଦ୍ଦୀପ୍ତ ହେଇଛି ।

 

ସଙ୍ଗୀତ ତାହାର ତପସ୍ୟା । ସଙ୍ଗୀତ ତାହାର ସାଧନ । ସଙ୍ଗୀତରେ ସେ ନିରାକାର ସତ୍ତା ଉପଲବ୍‍ଧି କରେ । ସଙ୍ଗୀତରେ ସେ ନିଖିଳ ବ୍ରହ୍ମାଣ୍ଡର ପ୍ରତିଛବି କଳ୍ପନା କରେ । ସଙ୍ଗୀତରେ ସେ ନିଜ ଜୀବନର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରେ ।

 

ଯେଉଁଦିନ ପ୍ରଥମେ ସେ ଆସିଲା ଏ ଘରକୁ, ସମସ୍ତେ ତାକୁ ଦେଖିବାପାଇଁ ରୁଣ୍ଡ ହେଇଥିଲେ । ତାଙ୍କ ଆଖିରେ ପୁଅ ଏକ ବିଚିତ୍ର ଜୀବ । ଗୀତ ଶିଖି କୁଆଡ଼େ ପେଟପାଟଣା କରିବାପାଇଁ ମନ ବଳାଇଛି । ଗୀତ କାହାକୁ ସ୍ୱର୍ଗକୁ ନେଲାଣି ? ତା’ ଛଡ଼ା ଛଅବର୍ଷ ଧରି ସେ କି ଗୀତ ଏତେ ବାଟରୁ ଶିଖି ଆସିଛି, ତାହା ଶୁଣିବାକୁ ସେମାନେ ଧୈର୍ଯ୍ୟହରା ହେଇପଡ଼ିଲେ ।

 

ତା’ପରଦିନ ସକାଳ ଆଠଟାବେଳେ ମୁଁ ଦେଖିଲି, ପ୍ରାୟ ଆଠ ଦଶଜଣ ଲୋକ ତାକୁ ଘେରି ବସିଛନ୍ତି ଏବଂ ତାକୁ ଗୀତ ଗାଇବାକୁ ଅନୁରୋଧ କରୁଛନ୍ତି ।

 

ତାନପୂରାକୁ ମୁଣ୍ଡରେ ଲଗାଇ ସେ ପ୍ରଥମେ ଝଙ୍କା ତୋଳିଲା । ଦୂରେ ଥାଇ ମୁଁ ଆଉ ତା’ର ବୋଉ ଉତ୍କଣ୍ଠାରେ ଚାହିଁ ରହିଥିଲୁ ।

 

ସେ ପ୍ରଥମେ ଗଳାଝାଡ଼ି ଆ...ଆ...କଲା ।

 

ସେତେବେଳେ ମୋ କାନକୁ ଖଟକା ଶୁଭିଲା । ଏ କ’ଣ ?

 

ସେ ଆଖି ବୁଜି ଗୀତ ବୋଲିବାକୁ ଆରମ୍ଭ କଲା । ସେଇ ଆ...ଆ...

 

ମତେ ପ୍ରଥମେପ୍ରଥମେ ଯାହା ଖରାପ ଲାଗୁଥିଲା, କିନ୍ତୁ ମୁଁ ଅନୁଭବ କଲି, ସେ ସଙ୍ଗୀତକୁ କେବଳ ମୋର କାନ ଦୁଇଟି ଯେ ଗ୍ରହଣ କରୁଛି ସେ କଥା ନୁହେଁ; ବରଂ ମୋର ପ୍ରତ୍ୟେକ ଲୋମକୂପ ଗ୍ରହଣ କରି ରୋମାଞ୍ଚିତ ହେଇଉଠିଛନ୍ତି ।

 

କିନ୍ତୁ ମୁଁ ଲକ୍ଷ୍ୟକଲି ଶ୍ରୋତାମଣ୍ଡଳୀ ଯେପରି କିଛି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କୁ ବୋଧହୁଏ ଏ ସଙ୍ଗୀତ ଶୁଣିବାକୁ ବିରକ୍ତ ଲାଗୁଛି । କେତେକ ମୁଖ ବିକୃତ କରି ବସିଛନ୍ତି । ଜଣେ ଦି’ଜଣ ପାଟିରେ ଲୁଗା ମାଡ଼ି ବସିଛନ୍ତି । କେତେକ ଫୁସ୍‌ଫାସ୍‌ ହଉଛନ୍ତି ।

 

ମୁଁ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲି ।

 

ହାୟ, ଅନ୍ଧ ଦେଶକୁ ଦର୍ପଣ ବିକ୍ରି କରିବାକୁ ତୁ କାହିଁକି ଆସିଲୁରେ ପୁଅ ?

 

ସେ ସେହିପରି ତନ୍ମୟଭାବେ ଗଦ୍‌ଗଦ ହୋଇ ଆଖିବୁଜି ଗୀତ ବୋଲୁଥିଲା, କାହାର ମୁହଁକୁ ଚାହିଁବାର ତା’ର ଅବକାଶ ନଥିଲା ।

 

ଧୀରେନ୍‌ବାବୁ !

 

ଏ ଧୀରେନ୍‌, ଆମେ ଯାଉଛୁ । ଏଗୁଡ଼ା କି ଗୀତ ବୋଲୁଛ ? ଏ ସବୁର ତାନ, ମାନ ଲୟ କିଛି ଠିକ୍‌ ନାଇଁ ।

 

ସେ କିନ୍ତୁ କିଛି ଶୁଣୁ ନଥିଲା ।

 

ଧୀରେନ୍‌ ନ ଶୁଣିବାର ଦେଖି ସେମାନେ ଉଠି ଆସିଲେ ।

 

ମୁଁ କାହାକୁ କିଛି କହିବାକୁ ଚେଷ୍ଟା କରି ନଥିଲି । ଘୋର ଅବସାଦରେ ମୁଁ ଭାଙ୍ଗିପଡ଼ିଲି ।

 

ମୁଁ ଦେଖିଲି, ସେ ପାଖ ଖୁଣ୍ଟ ଆଢ଼ୁଆଳରୁ ଏକ ଝିଅ ସମ୍ମୋହିତା ହରିଣୀ ପରି ଧୀରେଧୀରେ ପାଦଚାଳନା କରି ଧୀରେନ୍‌ ନିକଟକୁ ଆସୁଛି । ତା’ର ଅନ୍ୟ କେଉଁଆଡ଼େ ଧ୍ୟାନ ନାଇଁ, ସେ ନିଷ୍ପଲକ ନୟନରେ ଚାହିଁ ରହିଛି ଧୀରେନ୍‌ର ମୁହଁକୁ ।

 

କିଏ ସୌଦାମିନୀ ?

 

ହଁ, ସୌଦାମିନୀ ଧୀରେନ୍‌ ଆଗରେ ବସିପଡ଼ିଲା ।

 

ମୁଁ ସୌଦାମିନୀକୁ ଚାହିଁଲି । ଷୋଳ-ସତରବର୍ଷର ଝିଅଟି ସୌଦାମିନୀ । ତା’ର ଗୋରା ପତଳା ମୁହଁରେ ଲହରୀ ଖେଳା ଲମ୍ୱା କେଶସମ୍ଭାର ମଥାରେ ଭାଙ୍ଗିପଡ଼ୁଛି । ସେ ମନ୍ତ୍ରମୁଗ୍‌ଧଭାବେ ଚାହିଁ ରହିଛି ଧୀରେନ୍‌ର ମୁହଁକୁ ।

 

ସୌଦାମିନୀ କାଦମ୍ୱିନୀର ଏକମାତ୍ର ଝିଅ ।

 

ଧୀରେନ୍‌କୁ ଯେତେବେଳେ ଆଠବର୍ଷ ବୟସ ହେଇଥିଲା, ବିବାହର ବହୁ ବିଳମ୍ୱରେ କାଦମ୍ୱିନୀ ସୌଦାମିନୀକୁ ପାଇଥିଲା । ସୌଦାମିନୀ ପରେ କାଦମ୍ୱିନୀର ଅନ୍ୟ କୌଣସି ସନ୍ତାନ ହେଇ ନାହାନ୍ତି ।

 

ସୌଦାମିନୀ ପ୍ରତି ମୁଁ ନିସ୍ପୃହ ଉଦାସୀନ । ଏଇଟା ବୋଧହୁଏ ମୋର ଦୁର୍ବଳତା । ଏଇଟା ବୋଧହୁଏ ମୋର ହିଂସୁକ ପ୍ରକୃତିର ବହିଃପ୍ରକାଶ । ସୌଦାମିନୀକୁ ଦେଖିଲେ ମୋର ମନେପଡ଼େ, ମୋର ସମାନ୍ତରାଳ ଚରିତ୍ର, ଯେ କି ମୋର ଚଲାବାଟରେ ପାଦ ମିଳାଇ, ଠିକ୍‌ ମୋର କାନ୍ଧକୁକାନ୍ଧ ମିଳାଇ ଆଗରେ ଯାଇ ସେ ମୋର ପ୍ରେମିକାର ହାତ ଧରିଛି–କାଦମ୍ୱିନୀର ହାତ ଧରି ମୋତେ ସେ ଅବଜ୍ଞା ଆଖିରେ ଚାହିଁ ରହିଛି ।

 

ସେଇ ଲୋକଟା, ଯାହାକୁ ମୋ ପରିବର୍ତ୍ତେ, କାଦମ୍ୱିନୀର ବାପା ଜୋଇଁରୂପେ ବରଣ କରିଥିଲେ ।

 

କାଦମ୍ୱିନୀର ବାପା ସେଦିନ ମୋ ଆଗରେ ଯାହା କହିଥିଲେ, ମୋଠାରୁ ଅଧିକ ପାଠ ପଢ଼ୁଆ ଜୋଇଁ କରିବେ, ବି.ଏ. ପାସ୍‌ କରିଥିବା ଜୋଇଁ କରିବେ, ପ୍ରକୃତରେ ତାହାହିଁ ସେ କରିଥିଲେ । କେଉଁଠାରୁ ଗୋଟାଏ କାଙ୍ଗାଳ ଗ୍ରାଜୁଏଟ୍‌କୁ ଆଣି ତାଙ୍କର ଘରଜୋଇଁଆ କରି ରଖିଥିଲେ ।

 

ସେ ଲୋକଟା କାଳିଆ । ସେ ଲୋକଟା ମୋଟା । ସେ ଲୋକଟା ଭୁଷୁଣ୍ଡା । ସେ ଲୋକଟା ଯେତେବେଳେ ହସେ, ତା’ର ଦାନ୍ତ ଦି’ଧାଡ଼ିକ ବାରହା ଦାନ୍ତପରି ପଦାକୁ ବାହାରିପଡ଼େ । ଅବଶ୍ୟ ଅନ୍ୟ କାହାକୁ କିପରି ସେ ଦିଶୁଥିଲା, ମୁଁ କହିପାରିବି ନାହିଁ, କାରଣ ସମସ୍ତଙ୍କର ଦୃଷ୍ଟିଭଙ୍ଗୀ ସମାନ ନୁହେଁ, କିନ୍ତୁ ମୋର ଆଖିକୁ ସେ ଏକ ଗେଧମାଙ୍କଡ଼ ପରି ଦିଶୁଥିଲା ।

 

ମାଙ୍କଡ଼ ବେକରେ ରତ୍ନହାର !

 

ସେଇ ମାଙ୍କଡ଼ଟା ଚାକିରି କଲା ନାହିଁ । ଶ୍ୱଶୁର ଘର ପଇସାର ବ୍ୟବସାୟ ଆରମ୍ଭକଲା-। ଠିକାଦାର । ଠିକାଦାର ।

 

ତା’ ସାଥିରେ ବାଟରେ, ଘାଟରେ ମୋର ଯେତେବେଳେ ଦେଖା ହୋଇଯାଏ ଅସହିଷ୍ଣୁଭାବେ ମୁଁ ମୁହଁ ବୁଲାଇ ଦିଏ । ସେ ଯେପରି ମତେ ଦେଖି ତାଚ୍ଛଲ୍ୟରେ ଚାହିଁଛି ? ମତେ ଉପହାସ କରୁଛି ? ମତେ ଦୟନୀୟ ବୋଲି ଭାବୁଛି ?

 

ଆଗବେଳେ ମୋର ଅନେକ ସମୟରେ ତା’ ପ୍ରତି କେଜାଣି କିପରି ଏକ ଆଦିମ ପ୍ରତିହିଂସା ଜାଗିଉଠେ । ପ୍ରତିହିଂସାରେ ମୁଁ ଜଳିଯାଏ । ମୁଁ ଜାଣେ, ମୋ ସାଇରେ ମୋର ବହୁତ ସାଙ୍ଗ ଅଛନ୍ତି । ସେହି ସାଙ୍ଗକୁ ଧରି ମୁଁ ଚାହିଁଲେ, ତାକୁ ପିଟିପାରେ, କିମ୍ୱା ତାକୁ ବଦନାମ କରିପାରେ । ତାକୁ ହଇରାଣ କରିପାରେ ।

 

କିନ୍ତୁ ଏସବୁ କଲେ କ’ଣ ହେବ ?

 

କ’ଣ ହବ, କ’ଣ ନ ହବ, ଏ ବିଷୟରେ ମୁଁ ନିଜେ ଠିକ୍‌ ଭାବରେ ଜାଣି ପାରୁନାହିଁ ।

 

କିନ୍ତୁ ମୁଁ ଏହାହିଁ ଜାଣୁଥିଲି, ଝରକା ସେ ପାଖରେ ଅଛି ଏକ ରସମଲ୍ଲୀ ଯେ କି ମତେ କହୁଚି–ମୁଁ ଯାହା କରିଛି, ମୁଁ ଯାହା ତୁମକୁ କହିଛି, ଯାହା ଆମର ଥିଲା ଦିନକର ସାଙ୍ଗସୁଖ, ଯାହା ଥିଲା ଆମର ଦିନକର ପ୍ରୀତି ସୁହାଗ, ସବୁ ଭୁଲିଯାଅ–ଭୁଲିଯାଅ । ଅନ୍ତତଃ ମୋ ଖାତିରରେ । ମତେ ଯଦି ତୁମେ କେବେ ଭଲ ପାଉଥିଲ, ସେହି ଭଲ ପାଇବା ଖାତିରରେ, ତୁମେ ଯଦି ମୋର ଶୁଭାକାଂକ୍ଷୀ କେବେ ଥିଲ, ତେବେ ମୋର ସ୍ୱାମୀଙ୍କୁ କିଛି କହନା । ମୋର ସ୍ୱାମୀଙ୍କୁ ଥଟ୍ଟା କରନା । ମୋର ସ୍ୱାମୀ ଆମ ଘରେ କୁଣିଆ ନୁହନ୍ତି, ତୁମ ଘରର କୁଣିଆ । ଏ ସାଇର କୁଣିଆ । କୁଣିଆଙ୍କୁ ଅପଦସ୍ଥ କରନା ।

 

ଝରକା ଆରପାଖେ ସେଇ ଯୋଉ ଆଖି ମତେ ଏବେ କେତେବେଳେ କେମିତି ଚାହିଁ ରହିଥିଲା–ମୁଁ ଦେଖୁଥିଲି, ସେଇ ଆଖିରେ ଯେପରି ଏହି ଅନୁରୋଧ । ଏହି ଭିକ୍ଷା । ଏହି ଯାଚନା । ଏହି ଅଳି ।

 

ମୁଁ ସବୁ ସହି ସେ ଅଳିକୁ ପୂରଣ କରିଥିଲି ।

 

ସୌଦାମିନୀ ମୋର ପ୍ରତିଦ୍ୱନ୍ଦ୍ୱୀର କନ୍ୟା । ମୋର ସେଇ ପ୍ରତିଦ୍ୱନ୍ଦ୍ୱୀ, ଯେ କି ସେ ହାତରୁ ମୋର ପ୍ରେମିକାକୁ ଛଡ଼ାଇ ନେଇଥିଲା, ମୋର ପ୍ରେମିକ ମନକୁ କାଚ ଖଣ୍ଡ ପରି ଶତଧା ଭାଙ୍ଗି ଦେଇଥିଲା, ତା’ର ଶରୀର ଶୋଣିତ ଯେଉଁ ଝିଅର ଦେହରେ ଖେଳୁଛି, ସେଇ ଝିଅକୁ ଦେଖି ମୋର ହୃଦୟରେ ବାତ୍ସଲ୍ୟ ଝରିବ କେମିତି ?

 

ଏହା ବୋଧହୁଏ ମୋ ଚରିତ୍ରର ସବୁଠାରୁ ବଡ଼ କଳଙ୍କ ହୋଇପାରେ । ମୋର ହୁଏତ ପ୍ରତ୍ୟେକ ପିଲାଙ୍କୁ ସ୍ନେହ କରିବା କଥା । ମାତ୍ର ମୁଁ ନିଜେ ଜାଣିପାରିନି, ଯେତେ ଚେଷ୍ଟା କରି ସରୋଜିନୀକୁ ଅନ୍ତର ସହିତ ସ୍ନେହ କରିବାକୁ ନିଜର ପିତୃ ମନକୁ ବାଧ୍ୟ କରିଛି, ତା’ ହୋଇ ପାରିନାହିଁ । ସରୋଜିନୀର ମୁହଁରେ ମୁଁ ତା’ର ବାପାର ପ୍ରତିବିମ୍ୱ ଦେଖିବାକୁ ପାଏ, ପ୍ରତିବିମ୍ୱ ଯାହା କି ମୋ ପାଖରେ ଘୃଣ୍ୟ, ଅସହ୍ୟ ।

 

ମୋର ଏ ଅଦ୍ଭୁତ ମନର ଅତି ଭିତରର କଥା, ଯାହା ସହଜରେ ଧରାପଡ଼େନା ।

 

ମୁଁ ଜାଣେ, ଏ ସବୁ ମୋ ମନର ଭୂତ । କିନ୍ତୁ ସେ ଭୂତକୁ ମୁଁ ଯେତେ ତଡ଼ିବାକୁ ଚେଷ୍ଟା କରିଛି, ସେ ଭୂତ କେତେବେଳେ ନା କେତେବେଳେ ମୋ ମନକୁ ଆଚ୍ଛନ୍ନ କରିଛି, ମୋ ମନକୁ ଦେବତାର ମନ ନ କରି ମଣିଷ ମନ କରିଦେଇଛି ।

 

ସୌଦାମିନୀକୁ ଧୀରେନ୍‌ ଆଗରେ ବସିବାର ଦେଖି ମୁଁ ସେତେବେଳେ କାହିଁକି ଗୁରୁତ୍ୱ ଦେଇ ନଥିଲି । ମୁଁ ଭାବୁଥିଲି ସବୁ ଶ୍ରୋତାଙ୍କ ଭିତରୁ ସରୋଜିନୀ ବୋଧହୁଏ ଅନ୍ୟତମ ଶ୍ରୋତା ।

 

କିନ୍ତୁ ସରୋଜିନୀ ଯେ ଧୀରେନ୍‌କୁ ଭଲପାଇ ବସିବ, ଏ ଅଭାବିତ କଥା । ତିଥି, ନକ୍ଷତ୍ର, ବେଳା ଦେଖି ଭାବିଚିନ୍ତି କାହାକୁ ମନ ବିକ୍ରି କରାଯାଏନା । ମନ ବିକ୍ରି କରିବାରେ, ମନ ଦିଆନିଆରେ ବଡ଼ସାନର ବିଚାର ନଥାଏ । ଶତ୍ରୁ-ମିତ୍ରର ବାଛବିଚାର ନ ଥାଏ । ଏସବୁ ଜାଣିସୁଦ୍ଧା ଧୀରେନ୍‌ ସରୋଜିନୀର ସମ୍ପର୍କକୁ ମୁଁ କାହିଁକି ଉଦାର ଆଖିରେ ଦେଖିପାରୁ ନଥିଲି ।

 

ଯଦିଓ ମୋ ସ୍ତ୍ରୀ ଓ କାଦମ୍ୱିନୀର ସମ୍ପର୍କ ବାହ୍ୟ ଚକ୍ଷୁରେ ଭଲଥିଲା, ସାଇ-ପଡ଼ିଶା ହୋଇ ଯଦିଓ ସେମାନେ କେବେ କଳିକଜିଆ କରି ନଥିଲେ; ମାତ୍ର ଏକଥା ମୁଁ ଜାଣେ, ଭଲଭାବେ ଜାଣେ, ସେମାନେ ପରସ୍ପରକୁ ହିଂସା କରୁଥିଲେ । ସେମାନେ ବାହାରକୁ ତାଙ୍କର ମନୋଭାବ ପ୍ରକାଶ କରୁ ନଥିଲେ ମଧ୍ୟ ଭିତରେ ସହଜ ହୋଇପାରି ନଥିଲେ । ଅବଶ୍ୟ ଏକଥା ମୁଁ ଯାହା କହୁଛି, ସେ ଆଜିକାର କଥା ନୁହେଁ, କାରଣ ସବୁଠାରୁ ଆଶ୍ଚର୍ଯ୍ୟ କଥା, କାଦମ୍ୱିନୀ ତା’ର ବିବାହ ପରେ ଆମ ଘରକୁ ଆଦୌ ଆସିନି, ବୋଧହୁଏ ଆସିବାକୁ ତା’ର ସାହସ ନଥିଲା କି ମୁହଁ ନଥିଲା, ଏକଦମ ଆସିବା ସେ ବନ୍ଦ କରିଦେଇଛି । ମାତ୍ର ମୋ ସ୍ତ୍ରୀ ତା’ ଘରକୁ ଦି’ଚାରିଥର ଯିବାପରେ, ସେ ତା’ର ପ୍ରତିବଦଳରେ ଯେତେବେଳେ ଆମ ଘରକୁ ଆସିଲାନି, ମୋ ସ୍ତ୍ରୀ ତା’ ଘରକୁ ଯିବା ବହୁବର୍ଷ ହେଲା ବନ୍ଦକରି ଦେଇଛି ।

 

କାଦମ୍ୱିନୀ ଆଉ ମୋ ସ୍ତ୍ରୀ, ମୋ ଜୀବନ ନାଟକର ଦୁଇଟି ସମାନ୍ତରାଳ ଚରିତ୍ର, ଯେଉଁମାନେ କି ମତେ ଭିତ୍ତିକରି ବଢ଼ିଉଠିଛନ୍ତି ଏବଂ ପରସ୍ପର ନିଜର ଜୟ, ପରାଜୟ ସ୍ୱୀକାର କରିବାକୁ ଆଦୌ ରାଜି ନୁହନ୍ତି ।

 

ବହୁଦିନର କଥା ।

 

ସେଦିନ ମୋ ସ୍ତ୍ରୀ କହିଲା– ଶୁଣିଛ, ଫୁଲେଇ କାଦମ୍ୱିନୀ କଥା ?

 

ମୁଁ କହିଲି– କ’ଣ ହେଲା ?

 

ତା’ର କ’ଣ ପିଲାପିଲି ହବ ।

 

ଖୁସି ହେଇ କହିଲି–ଭଲ ତ ! ବହୁଦିନ ପରେ ତା’ର ପିଲା ହବ, ଭଗବାନ୍ ବୋଧହୁଏ ତା’ର ଡାକ ଏଥର ଶୁଣିଲେ ।

ନାକକୁ ଛିଞ୍ଚାଡ଼ି ସୁଷମା କହିଲା–ଆଃ..., ଆମେ କ’ଣ ପିଲାର ମା’ ହେଇ ନାହୁଁ ! ପେଟରେ ସାପ ଅଛି କି ବେଙ୍ଗ ଅଛି, ଦିଅଁ ଅଛି କି ମାଦଳ ଅଛି ଜଣା ନାହିଁ, ଆଜିଠାରୁ ଖୁସିରେ ଭାଙ୍ଗିପଡ଼ୁଛି ।

ମୁଁ ନୀରବ ରହିଲି ।

ଆମରି ସାଥିରେ ତା’ର ବାହାଘର ହେଲା । ଆମେ ଆସି ବାପ-ମା’ ହେଲୁ । କିନ୍ତୁ ସେ ପିଲାର ମୁହଁ ଦେଖିପାରି ନଥିଲା । ଏଇନା, ଯେତେବେଳେ ଜାଣୁଛି, ସେ ପିଲାର ମା’ହବ, ଆଉ କ’ଣ ତା’ର ପାଦ ତଳେ ଲାଗୁଛି, ସତେ ଯେପରି–ଆଉ କଥା କହି ନ ପାରି ସୁଷମା କେବଳ ହିଁ...ହିଁ...ହେଇ ହସିବାରେ ଲାଗିଲା ।

ମୁଁ ସୁଷମାକୁ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଥିଲି । ଏପରି ସେ ହସିବାରେ ଲାଗିଛି କାହିଁକି ? ଏତେ ଜୋର୍‍ରେ ହସୁଛି କାହିଁକି ? ସୁଷମାପାଇଁ କ’ଣ କାଦମ୍ୱିନୀ ଆଉ ମା’ ହେଇନଥାନ୍ତା ?

ସୁଷମା କହିଲା–କାଦମ୍ୱିନୀର ଘରକୁ ମୁଁ ଯାଇଥିଲି ।

ହଁ...କ’ଣ ହେଲା ?

ଆଉ ହବ କ’ଣ ? କିଛି ତ କଥାବାର୍ତ୍ତା ନାଇଁ । କେବଳ ତା’ର ଅରୁଚି କଥା । ତା’ର ଦେହ ଭାରି କଥା । ପିଲା କଥା ଏମିତିଗୁଡ଼ାଏ ବାଜେ । ଆଉ ତ କିଛି କହିବାକୁ ନାଇଁ, ଏୟା କହିକହି ସେ ଆମକୁ ବ୍ୟତିବ୍ୟସ୍ତ କରିପକାଇଲା । ଆମେ ଚାଲିଆସିଲୁ । ଫୁଲେଇଟା, ସେ ଏକା ପୃଥିବୀରେ ମା’ ହବନା, ଆଉ କିଏ ହେଇଛି ?

ମୁଁ ଚୁପ୍‌ଚାପ୍‌ ସୁଷମା କଥା ଶୁଣିଥିଲି ।

ଆଉ କେତେଦିନ ପରେ ସୁଷମା କାଦମ୍ୱିନୀର ଘରକୁ ବୁଲି ଯାଇଥିଲା । ମତେ ଆସି କହିଲା–ଜାଣିଛ, କାଦମ୍ୱିନୀର ପିଲା ହେଇଛି ।

ପିଲା ହେଇଛି ? ହସି ଦେଲି । ପଚାରିଲି–କ’ଣ ପୁଅ ?

ନାଇଁମ ପୁଅ ! ଝିଅଟାଏ ।

ଭଲ ହେଲା । ଉଦାସଭାବେ କହିଲି ।

କାଦମ୍ୱିନୀ କାନ୍ଦୁଛି ।

କାହିଁକି ?

ଏତେ ବର୍ଷ ପରେ ତା’ର ଝିଅ ହେଲା ବୋଲି ।

ପୁଅ ହେଇଥାନ୍ତା କି ! ମୁଁ ସହାନୁଭୂତିରେ କହିଲି ।

ଧୀରେନ୍‌କୁ କାଖରେ ଧରି ସୁଷମା କହିଲା–ଯୋଉମାନେ ଫୁଲେଇ ହୁଅନ୍ତି, ବଡ଼େଇ ବାହାର କରନ୍ତି, ସେଇମାନଙ୍କୁ ତ ଶେଷରେ ଏଇମିତି ହବାକୁ ହୁଏ । ଏଥର ମଜା ପାଇଛି ।

 

ସେମିତି କୁହନା... । ପୁଅ କି ଝିଅ କାହା ହାତର କଥା ନୁହେଁ... ।

 

ମୋ ସାଥିରେ କଥା ହେଲା ନାହିଁ ।

 

କାହିଁକି ?

 

କେଜାଣି କାହିଁକି, ମୁଁ ଜାଣିଛି ? ମତେ ଦେଖି ମୁହଁ ବୁଲେଇ ଶୋଇଲା ।

 

ତୁମେ ତା’ ଘରକୁ ଯାଉଛ କାହିଁକି ?

 

କ’ଣ ମୋର ଯିବାଟା ଦୋଷ ?

 

ନା, ଦୋଷ ନୁହେଁ, ତଥାପି ସେ ଯେତେବେଳେ ଆମ ଘରକୁ ଆସୁନି, ତମେ ଯାଉଛ କାହିଁକି ?

 

ହଁ...ମୁଁ ଯେତେଥର ଯାଇଛି ତା’ ଘରକୁ, ତାକୁ ବହୁତ କହିଛି ଆମ ଘରକୁ ଆସିବାପାଇଁ-। କିନ୍ତୁ ଦିନେହେଲେ ସେ ଆମ ଘରକୁ ଆସି ନାହିଁ । ବିଭିନ୍ନ ଆଳ ଦେଖାଇ ସେ ରହି ଯାଇଛି ।

 

ତେବେ ତୁମେ ଯାଉଛ କାହିଁକି ?

 

ନା.., ଆଉ ଯିବିନି । ହେଲେ ମୁଁ ସିନା ଯିବିନି, ଏଇ ଧୀରେନ୍‌ଟା କ’ଣ ରହୁଛି, ଯେମିତି ହେଲେ ସେଠାକୁ ଚାଲିଯିବ । କାଦମ୍ୱିନୀ ଦିନେ ଧୀରେନ୍‌କୁ ନ ଦେଖିଲେ ବାୟାଣୀ ହେଇଯାଏ । ଆଉ ଧୀରେନ୍‌ବି ଏମିତିଆ ଟୋକା, କାଦମ୍ୱିନୀ ପାଖରେ ଥିଲେ ମତେ ଭୁଲିଯାଏ ।

 

ସୁଷମା... !

 

କାଦମ୍ୱିନୀ ଏଇ ଘରକୁ ଆସିଥା’ନ୍ତା ନା ? ସେ ସିନା ତୁମ ପିଲାର ମା’ ହେଇ ପାରିଲା ନାହିଁ । କିନ୍ତୁ ତମର ପିଲା ତା’ ମା’କୁ ଭୁଲିଯାଇ କାଦମ୍ୱିନୀକୁ ନିଜ ମା’ ଭାବି ତା’ ପାଖରେ ରହିଯାଉଛି, ଆଉ କାଦମ୍ୱିନୀ ଧୀରେନ୍‌କୁ ତା’ର ଅ ବୋଲି ନ ଭାବି ନିଜର ପୁଅଠାରୁ ଅଧିକ କରୁଛି-

 

ମୁଁ ହସିଥିଲି, କହିଲି–ମୋର କାଦମ୍ୱିନୀ ସାଥିରେ ସେଇ ସମ୍ପର୍କକୁ ତମେ ଆଦୌ ଭୁଲି ପାରିନ ସୁଷମା ! କାଦମ୍ୱିନୀ ଏ ଘରକୁ ଆସି ନାହିଁ, ତା’ ବଦଳରେ ତୁମେ ତ ଆସିଛ । ଯଦି ତୁମ ପୁଅ ସେଠାକୁ ଯାଉଛି କାଦମ୍ୱିନୀ ପାଇଁ, ଆଉ କାଦମ୍ୱିନୀ ତୁମ ପୁଅକୁ ଭଲ ପାଉଛି, ତେବେ ସେ ଯାଉ । କିନ୍ତୁ କାଦମ୍ୱିନୀ ଯଦି ଏଠାକୁ ଆସୁନି, ତେବେ ତୁମେ ଯାଅନା ।

 

ସୁଷମା କାଦମ୍ୱିନୀର ଘରକୁ ଆଉ ଯାଇ ନଥିଲା । ସେମାନେ ଯଦି ବାହାରେ କୌଣସି ସମୟରେ ଏକାଠି ହେଇ ଯାଉଥିଲେ, ଯାନିଯାତ୍ରାରେ ହେଉ କିମ୍ୱା ଅନ୍ୟ କୌଣସି ପର୍ବ-ପର୍ବାଣୀରେ ହେଉ; ସେ ଦୁଃଖସୁଖ ହଉଥିଲେ, କଥାବାର୍ତ୍ତା ହଉଥିଲେ ଏବଂ ତାହାହିଁ ସେମାନଙ୍କ ପକ୍ଷରେ ଯଥେଷ୍ଟ ଥିଲା । ନହେଲେ ସେମାନେ ଅନ୍ୟ କେଉଁଠାରେ ଏକାଠି ହେଉ ନଥିଲେ । ତଥାପି ସେମାନଙ୍କର ପିଲା ଏଘର ସେଘର ହଉଥିଲେ ।

 

ମୁଁ ସୌଦାମିନୀକୁ ଘୃଣା କରେନା । ସୌଦାମିନୀକୁ ସ୍ନେହ ମଧ୍ୟ କରେନା । ସୌଦାମିନୀ ପ୍ରତି ମୁଁ ଉଦାସୀନ । ସୌଦାମିନୀ ପ୍ରତି ମୁଁ ନିଷ୍ଠୁର । କିନ୍ତୁ କାଦମ୍ୱିନୀ ତା’ର ବିପରୀତ ଥିଲା, ଏ କଥା ମୁଁ କହିଛି । ସେ ଧୀରେନ୍‌କୁ ପୁଅପରି ସ୍ନେହ କରୁଥିଲା । ତା’ର ପୁଅ ନଥିଲେ, ବୋଧହୁଏ ଏଇଥିପାଇଁ ସେ ଧୀରେନ୍‌ ପ୍ରତି ତାହାର ସବୁ ସ୍ନେହ ଢାଳି ଦେଇଥିଲା । ମୁଁ ଅନେକବାର ଦେଖିଛି, ପିଲାବେଳେ ସେ ଧୀରେନ୍‌କୁ ତା’ର ହାତରେ ଘରକୁ ନେଇଯାଇଥିଲା ଏବଂ ତାକୁ ଖୁଆଇପିଆଇ, ବେଶଭୂଷା କରି, ବେଳେବେଳେ ନୂଆ ସାର୍ଟପ୍ୟାଣ୍ଟ ପିନ୍ଧାଇ ଛାଡ଼ି ଦେଉଥିଲା ।

 

ଅଦ୍ଭୁତ ନାରୀ ମନ !

 

ସେ ମୋ ପୁଅର ମା’କୁ ହିଂସା କରେ । ମାତ୍ର ମୋ ସ୍ତ୍ରୀ ପୁଅକୁ ବାତ୍ସଲ୍ୟର ଭରାଶ୍ରାବଣ ଧାରାରେ ଧୋଇ ଦିଏ ।

 

ଆଜି ସତୁରିବର୍ଷର ବୁଢ଼ା ଆପଣମାନଙ୍କୁ ନିବୃତ୍ତି ମାର୍ଗର କଥା ନ ଶୁଣାଇ, ଭଗବତ୍‌ ଚିନ୍ତନର ଅମୃତବାଣୀ ନ ଶୁଣାଇ, ପ୍ରେମ କଥା କହୁଛି–ନାରୀ ସମ୍ୱନ୍ଧରେ ଗୁଡ଼ାଏ ଲେଖି ପକାଉଛି ।

 

କିନ୍ତୁ ମୁଁ ଆଜି ମୋର ଜୀବନର ଶେଷ ସମୟରେ ସମ୍ୟକଭାବେ ଉପଲବ୍‌ଧି କରୁଛି ଯେ, ମଣିଷ ଯେତେ ବୁଢ଼ା ହେଉପଛେ, ତା’ର ଅତୀତ ଜୀବନର ପ୍ରେମକାହାଣୀ ନିଶ୍ଚୟ, ସଦାବେଳେ ନ ହେଲେ ପଛେ କୌଣସି କୌଣସି ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ତା’ର ମନକୁ ଆଲୋଡ଼ିତ କରିବ, ଏବଂ ଏହାହିଁ ମତେ ବର୍ତ୍ତମାନ କରୁଛି ।

 

ମୁଁ ପୁରୁଷ । ପୁରୁଷ ସିଂହ । ନାରୀପାଇଁ ରକ୍ତାକ୍ତ କାଣ୍ଡ ଘଟିଯିବାର ମୁଁ ଶୁଣୁଛି । ମୁଁ ଦେଖିଛି ନାରୀପାଇଁ ପୁରୁଷ ତା’ର ସମାନ୍ତରାଳ ପ୍ରତିଦ୍ୱନ୍ଦ୍ୱୀ ଛାତିରେ ଛୁରି ଭୁସି ଦେଇଛି । ମୁଁ ଦେଖିଛି ନାରୀକୁ ଲାଭ କରିବାପାଇଁ ଜୀବଜଗତରେ ବିଭିନ୍ନ ପ୍ରକାର ଖଣ୍ଡ ଯୁଦ୍ଧ, ବିଭିନ୍ନ ପ୍ରକାର ରଣ ଗୋଳ । ମୁଁ କିନ୍ତୁ କାଦମ୍ୱିନୀ ନାରୀକୁ ଲାଭ କରିବା ସନ୍ଧି ପରି ମୋର ପ୍ରତିଦ୍ୱନ୍ଦ୍ୱୀର ଛାତିରେ ନଖ ବିଦାରି, ତଣ୍ଟି କଣାକରି ରକ୍ତ ଶୋଷି ନଥିଲି, ଏକଥା ତ କରିହବନି । ମୋର ପ୍ରତିଦ୍ୱନ୍ଦ୍ୱୀ ପାଇଁ ମୋର ମନରେ ଯେଉଁ ନିଃସ୍ୱତା, ଅସୂୟା, ପରଶ୍ରୀକାତରତା, ପୁଞ୍ଜୀଭୂତ, ଜମାଟ ହୋଇ ରହିଥିଲା, ତାହା ଧୀରେନ୍‌ ଓ ସୌଦାମିନୀର ପ୍ରେମର ସାବଲୀଳ ସ୍ୱଚ୍ଛନ୍ଦ ପ୍ରବାହକୁ ବ୍ୟାହତ କରିଥିଲା ।

 

ମୁଁ ଦିନେ କାଦମ୍ୱିନୀର ପିତାଙ୍କ ଚକ୍ଷୁରେ ମୂର୍ଖ ଥିଲି । ଲେଖକ ବୋଲି ଦୟନୀୟ ଥିଲି । କାଦମ୍ୱିନୀର ପିତା ବର୍ତ୍ତମାନ ଏ ମର ସଂସାରରେ ନାହାନ୍ତି । ସେ ଦିନର ମୋ ପ୍ରତି ତାଙ୍କର ଯେଉଁ ଅଯଥା ଅନାସ୍ଥା ବୋଧ, ଅଯଥା ସମାଲୋଚନା ତାହା ବର୍ତ୍ତମାନବି ମୋର ମନେ ପଡ଼େ । କାଦମ୍ୱିନୀର ମୁଁ ସାଥୀ ଥିଲାବେଳେ ସେ ମତେ ଲେଖନୀ ଚାଳନା କରିବାପାଇଁ କେବେ ପ୍ରେରଣା ଦେଇ ନଥିଲା । ପ୍ରେରଣାପାଇଁ ସେ ଯେ ମୋର ନିହାତି ଆବଶ୍ୟକ, ସେ କଥା ମୁଁ ବିଶ୍ୱାସ କରୁ ନଥିଲି । ତାହା ଛଡ଼ା ମୋର ଲେଖାଲେଖିରେ ସେ ମଧ୍ୟ କେବେ ମତେ ଅତୀତରେ ଉତ୍ସାହ ଦେଇ ନଥିଲା; ବରଂ ଏକଥା ମୁଁ କହିବି, ତା’ ସାଥିରେ ମିଳନ ନୁହେଁ, ବିଚ୍ଛେଦ ମତେ ଦୃଢ଼ କଲା ଲେଖିବାପାଇଁ । କାଦମ୍ୱିନୀକୁ ପାଇଥିଲେ ମୁଁ ଲେଖିଥା’ନ୍ତି କି ଲେଖି ନଥା’ନ୍ତି, ସେ କଥା କିଏ କହିବ-? କିନ୍ତୁ କାଦମ୍ୱିନୀ ମୁଁ ଲେଖକ ହେଇଛି ବୋଲି ଯେଉଁ ଅଭିଯୋଗ କଲା, ସେହି ଅଭିଯୋଗ ଅମୂଳକ ବୋଲି ପ୍ରମାଣିତ କରିବାପାଇଁ ମୁଁ ଦି’ଗୁଣା ଉତ୍ସାହରେ କଲମ ଧରିଲି । କାଦମ୍ୱିନୀର ପିତାଙ୍କ ଭୂତ ମନ୍ତବ୍ୟ ପ୍ରକାରାନ୍ତରେ ମୋର ଇଚ୍ଛାଶକ୍ତିକୁ ବଳବତ୍ତର କରିଥିଲା । ଏଣୁ ଯେଉଁ ପରିବାର ମୋ ପୁରୁଷ ମନକୁ ଅତୀତରେ ତୁମୁଳଭାବେ ଆହତ କରିଥିଲା, ସେଇ ପରିବାରକୁ ମୁଁ କ୍ଷମା ଦେବି କିପରି ? ହୁଏତ ମୋ ହୃଦୟର ଅଭ୍ୟନ୍ତର ଅନୁକୋଣରେ ଆଜି ପର୍ଯ୍ୟନ୍ତ କାଦମ୍ୱିନୀର ସୂକ୍ଷ୍ମାତିସୂକ୍ଷ୍ମ ତିଳଶତାର୍ଦ୍ଧ ମୂର୍ତ୍ତି ଚିରଜୀବିତ ହୋଇ ରହି ପାରିଥାଏ । କିନ୍ତୁ କାଦମ୍ୱିନୀ ପ୍ରତି ମୋର ଦୁର୍ବଳତା ଅଛି ବୋଲି ମୁଁ ତା’ର ପରିବାରବର୍ଗଙ୍କ ପ୍ରତି ଯେ ସହାନୁଭୂତି ପ୍ରଦର୍ଶନ କରିବି, ଏ କଥାର ମାନେ କିଛିହିଁ ନାହିଁ । ଏଣୁ ସୌଦାମିନୀ କିମ୍ୱା ତା’ର ପିତା ମୋର ସହାନୁଭୂତିର ପାତ୍ର ନୁହନ୍ତି-

 

ସେ ଯାହା ହେଉ, ଧୀରେନ୍‌ ଓ ସୌଦାମିନୀ ମୋର ଅଲକ୍ଷ୍ୟରେ ପ୍ରେମର ସାରଣୀରେ ବହୁତ ଆଗୁସାର ହେଇଥିଲେ ହାତ ଧରାଧରି ହେଇ ନୂତନ ଦେଶର ସନ୍ଧାନ ଉଦ୍ଦେଶ୍ୟରେ ବାହାରିଥିବା ଦୁଇଟି ଅଭିଯାତ୍ରୀ ପରି ।

 

ସେ ଦିନର ଉପରବେଳା ।

 

ମୁଁ ବାରଣ୍ଡାରେ ପଡ଼ିଥିବା ଇଜି ଚେୟାର ଉପରେ ମୋର ଶରୀରଟିକୁ ଲମ୍ୱାଇ ଚା’ ଖାଉଥିଲି ଏବଂ ମୋର ପ୍ରସ୍ତୁତ ହେଉଥିବା ଏକ ପାଣ୍ଡୁଲିପି ଉପରେ ଆଖି ପକାଉଥିଲି ।

 

ସୁଷମା ଘର ଭିତରେ ଥାଇ କ’ଣ କରୁଥିଲା ।

 

ମୋତେ ଶୁଭିଲା ଏକ କଳକଳ ହସ । ଗୋଟିଏ ବାଳିକାର ମଧୁର କଣ୍ଠ ଝରଣାର ଜଳ ହୋଇ ଯେପରି କଳକଳ ହେଇ ବହି ଯାଉଛି ଗୁଡ଼ିଏ ଫିଟି ପଡ଼ିଥିବା ସଙ୍ଗୀତର ମୂର୍ଛନା ନେଇ ।

 

ମୁଁ କାନ ଡେରିଲି ।

 

ସେଇ ହସ ବନ୍ଦ ହେଇ ଯାଇଥିଲା, ଆଉ ଶୁଭୁ ନଥିଲା ।

 

ମୁଁ ମୋର ପାଣ୍ଡୁଲିପିର ପୃଷ୍ଠା ଉପରୁ ଫେରାଇ ନେଇ ବନ୍ଦ କରିଦେଲି ।

 

ପୁଣି ଶୁଭିଲା ସେଇ ହସ । ସେହି ହସ ଯେପରି ଧାରଧାର ହେଇ ଫିଟିଯାଉଛି, ଫିଟିଯାଉଛି ଚାରିଆଡ଼େ ମତେ ଡୁବାଇ, ଏ ଘରକୁ ଡୁବାଇ ।

 

ମୁଁ କାହାକୁ କିଛି ନ କହି ଉଠିପଡ଼ିଲି ।

 

ଧୀରେନ୍‌ର ରହୁଥିବା ଖଞ୍ଜାରୁ ଏ ହସ ଶୁଭୁଛି । କିଏ ଏପରି ହସିପାରେ ? କିଏ ସେ ବାଳିକା ଏ ସମୟରେ ଧୀରେନ୍‌ ଘରେ ଥାଇପାରେ ?

 

ସୌଦାମିନୀ ?

 

ମୁଁ ଧୀରେନ୍‌ର ଘର ଖଞ୍ଜାକୁ ଯାଉଥିଲି ।

 

ଦେଖିଲି–ବାରଣ୍ଡାର ଯେଉଁ କଡ଼ରେ ହରିଣ ଶୋଇ ରୋମନ୍ଥନ କରୁଥିଲା, ଏବଂ ଠିକ୍‌ ତା’ରି ଉପରେ ଯେଉଁଠି ମଧୁମାଳତୀର ଲତା ଅସୁମାରି ଫୁଲ ନେଇ ଫାଟିପଡ଼ୁଥିଲା, ସେଇଠି ସେଇ ମଧୁମାଳତୀ ଲତାର ଛାଇତଳେ ସୌଦାମିନୀ ତା’ର ଲୁଗା ପଣତରେ ଧୀରେନ୍‌ର ତାନପୂରାଟିକୁ ଆଗ୍ରହରେ ପୋଛୁଥିଲା ବାରମ୍ୱାର ଏବଂ ହସିହସି ଧୀରେନ୍‌କୁ ଚାହିଁଥିଲା ।

 

ଧୀରେନ୍‌ ବୋଧହୁଏ ତାକୁ କ’ଣ କହୁଥିଲା ଏବଂ ତା’ ଉପରକୁ ଗୋଟିଏଗୋଟିଏ ମଧୁମାଳତୀ ଫୁଲ ଫୋପାଡ଼ୁଥିଲା । ମୁଁ ଦେଖିଲି ସେଇ ମଧୁମାଳତୀ ଫୁଲ କେତେବେଳେ ସୌଦାମିନୀର ମୁହଁରେ, ଛାତିରେ, କୋଳରେ ବାଜି ପଡ଼ି ଯାଉଛି, ଆଉ ପରମ ଆଶ୍ୱସ୍ତିରେ ସୌଦାମିନୀ ତା’ର ଆଖିକୁ ବୁଜି ଦଉଛି ।

 

ସୌଦାମିନୀର ସେହିପରି କୋଳରେ ତାନପୂରାଟିକୁ ଧରି ବସିଥିଲା, ଏବଂ ଧୀରେନ୍‌ ତା’ଠାରୁ କିଛି ଦୂରରେ ଠିଆ ହୋଇ ତାକୁ ସପ୍ରଶଂସା ନୟନରେ ଚାହିଁ ରହିଥିଲା ।

 

ମୁଁ ଅବଶ୍ୟ ଏକ ଗୋଇନ୍ଦା ପରି ସେମାନଙ୍କର ଏହି କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁ ନଥିଲି ଲୁଚିଲୁଚି । ନିଜ ପୁଅକୁ ଏପରି ଅବସ୍ଥାରେ ଦେଖିବାପାଇଁ ମୁଁ ପ୍ରସ୍ତୁତ ନଥିଲି । କିନ୍ତୁ ତାଙ୍କ ପାଖକୁ ଯାଉଯାଉ ଏ ଦୃଶ୍ୟ ଯେତେବେଳେ ମୁଁ ଦେଖିଲି, ଆଗକୁ ଯିବି କି ପଛକୁ ଫେରିବି ନିଜେ ଜାଣିପାରୁ ନଥିଲି ।

 

ମୁଁ ଠିଆ ହେଇଯାଇଥିଲି ।

 

ଆଃ...ସେମାନେ ଭଲା ମତେ ଦେଖି ପାରିଥା’ନ୍ତେ ! ସେମାନେ ଭଲା ଜାଣିଥା’ନ୍ତେ ଯେ, ମୁଁ ଏହି ତାଙ୍କଠାରୁ କେତୋଟି ମାତ୍ର ଗଜ ଦୂରରେ ଠିଆ ହୋଇଛି !

 

ମୋ ଆଖି ବନ୍ଦ ହେଇଗଲା । ମୋର ଆଖିରେ ସତେ ଯେପରି କିଏ ନିଆଁଖୁଣ୍ଟା ଗେଞ୍ଜି ଦଉଛି । ମୋର ଶିରାପ୍ରଶିରାରେ କିଏ ଯେପରି ଡହଡ଼ହ ତାତିଲା ଲାଭା ସ୍ରୋତ ଭରି ଦେଇଛି । ମୁଁ ତାତି ଯାଉଛି ।

 

ହେ ଭଗବାନ୍‌..., ମୁଁ ଏପରି ଦୃଶ୍ୟ କାହିଁକି ଦେଖିଲି ?

 

ସୌଦାମିନୀକୁ ସମ୍ପୂର୍ଣ୍ଣଭାବେ ଆବୋରି ନେଇ, ତାକୁ କୋଳକୁ ଆଉଜାଇ ଧୀରେନ୍‌ ତା’ର ଅଧରରେ ଚୁମ୍ୱନ ଢାଳି ଦଉଛି ।

 

ଆଗରେ ସାପକୁ ଦେଖିଲେ ଯେମିତି ହଠାତ ପଛକୁ ଫେରି ଆସିବାକୁ ବାଟ ମିଳେନା, ମୁଁ ଚମକି ଉଠି ଫେରିଆସିଲି ।

 

କାହାକୁ କିଛି କହିବାପାଇଁ ମୋର ନଥିଲା । ମୁଁ ଚୁପ୍‌ ହେଇ ବସି ଯାଇଥିଲି ମୋର ବୈଠକଖାନାର ଏକ ସୋଫା ଉପରେ ।

 

ସୌଦାମିନୀ ପ୍ରତି ମୋର ମନରେ କେଜାଣି କିପରି ଗୋଟାଏ ଘୃଣା ଭାବ ଚାଲି ଆସିଲା । ତୀବ୍ର ଘୃଣା । ଏଇ ଝିଅଟା ଯେ ବାହାରକୁ ଏତେ ଶାନ୍ତ, ସୁଧାର ଦିଶେ, କିଛି ନ ଜାଣିଲାର ପରି ଦିଶେ, ସେ ଯେ ଏସବୁ କାରବାରରେ ଏତେ ଧୁରନ୍ଧର, ତାହା ମୁଁ ଯେତେ ଭାବୁଥିଲି ଆଶ୍ଚର୍ଯ୍ୟ ହେଇଉଠୁଥିଲି । ବିରକ୍ତ ହେଇ ଉଠୁଥିଲି ।

 

ହସ ପୁଣି ଏତେ ଶ୍ରୁତିକଟୁ ହେଇପାରେ !

 

କ’ଣ କରିବି ? ଭାବୁଥିଲି ସୌଦାମିନୀକୁ ଧକା ଦେଇ ଘରୁ ବାହାର କରିଦେବି । କିନ୍ତୁ–

 

କିନ୍ତୁ ମୁଁ ସ୍ଥାଣୁ ପରି ବସିରହିଥିଲି ଅସହାୟଭାବେ ।

 

ଧୀରେନ୍‌–ଧୀରେନ୍‌ ! ବଦମାସ ଧୀରେନ୍‌ ! ହେଲେ ସେ ଆଉ କାହା ପ୍ରତି ତା’ର ମନ ଢାଳି ଦେଇଥା’ନ୍ତା, କିନ୍ତୁ ମୋ ଆଖିରେ ଆଙ୍ଗୁଠି ଗେଞ୍ଜି ମୋର ପ୍ରତିଦ୍ୱନ୍ଦ୍ୱୀର ଝିଅକୁ ଭଲ ପାଇବସିଛି । ସେଇ ଝିଅ, ଯାହାର ମା’ର ଖାମ୍‌ଖିଆଲି ସ୍ୱଭାବ ଯୋଗୁଁ, ଅବିବେକୀ ପଣ ଯୋଗୁଁ ଥରେ ତାହାକୁ ଥାପଡ଼ ମାରିଥିଲି, ଯାହାପାଇଁ ମୋର ଆତ୍ମା ସନ୍ତୁଳି ହେଇଥିଲା, ତା’ରି ଝିଅ ଏଇ ସୌଦାମିନୀ; ସତେ ଯେପରି ଏ ବିଶ୍ୱର ସେ ଏକମାତ୍ର ବାଳିକା, ଆଉ ତା’ ଛଡ଼ା କେହି ନାହାନ୍ତି, ଧୀରେନ୍‌ ତାହାକୁ ଭଲ ପାଇ ବସିଛି ।

 

ମୋ ପୁଅ ହେଲେ ମୋ ମନର ଦୁଃଖ ବୁଝିଥା’ନ୍ତା ! ମୋ ପୁଅ ହେଲେ ବୁଝିଥାନ୍ତା ମୋର ମନର କେଉଁ ସ୍ଥାନର ବର୍ତ୍ତମାନ ସୁଦ୍ଧା ଅହରହଃ ଅଶ୍ରୁର ଝରଣା ଛୁଟୁଛି, କିନ୍ତୁ ସେ କିଛି ନ ବୁଝି ବୋଧହୁଏ ମୋତେ ଚରମ ଆଘାତ ଦେବାପାଇଁ ଶେଷରେ ସୌଦାମିନୀକୁ ତା’ର ସାଥୀରୂପେ ବାଛିଲା ।

 

କିନ୍ତୁ ଏକଥା ସତ ଯେ, ମୋ ପୁଅ କିପରି ଜାଣିବ ଯେ, ବାପା ତା’ର ପ୍ରେମିକାର ମା’ଦ୍ୱାରା ଏକଦା ପ୍ରତ୍ୟାଖ୍ୟାତ ବୋଲି ?

 

ସେ ଯାହା ହେଉ, ମୋ ମନରେ ଏକ ପ୍ରବଳ ଆନ୍ଦୋଳନ । ପ୍ରବଳ ଘୃଣା । ପ୍ରବଳ ହିଂସା । ପ୍ରବଳ ଇତରଭାବ । ମୁଁ ସୌଦାମିନୀକୁ କ୍ଷମା କରିପାରେନା । ଧୀରେନ୍‌କୁ କ୍ଷମାକରି ପାରେନା । କାହାକୁ କ୍ଷମା କରିପାରେନା ।

 

ଗୁଳିବିଦ୍ଧ ଆହତ ଚଳତ୍‌ଶକ୍ତିହୀନ ବାଘପରି ମୁଁ ପଡ଼ିରହିଥିଲି ଚଉକିଟା ଉପରେ । ମୋ ସ୍ତ୍ରୀ ସୁଷମା ମୋ ପାଖରେ ନଥିଲା । ସୌଦାମିନୀ ଧୀରେନ୍‌ ସେହି ଖଞ୍ଜାରେ ସେହିପରି ବୋଧହୁଏ ହସଖୁସିରେ ମାତି ରହିଥିଲେ । ସେ ହସ-ଖୁସିର ଯେପରି ବିରାମ ନାହିଁ, ସେ ହସ-ଖୁସିର ଯେପରି ବିଶ୍ରାନ୍ତି ନାହିଁ । ସେ ଛୁଟି ଚାଲିଛି । ଛୁଟି ଚାଲିଛି ।

 

ସେ ହସ-ଖୁସି ତାଙ୍କପାଇଁ ହଜାର ଫୁଲର କୋମଳତା ଭରି ଦେଉଥିଲେ ମଧ୍ୟ, ମୋପାଇଁ ଯେପରି ଅତିକାୟ କଠିନ ଶେଳର ଆଘାତ ହାଣୁଥିଲା । । ମୁଁ କ୍ରୋଧରେ ଥରିଉଠୁଥିଲି ।

 

ମୁଁ ମୋର ପୁଅକୁ ହୁଏତ ସହାନୁଭୂତିଶୀଳ ମନନେଇ ଚୁପ୍‌ ପଡ଼ିଯାଇଥା’ନ୍ତି । ମୁଁ ହୁଏତ ତା’ର ଏ ପ୍ରୀତି ଦିଆନିଆରେ କାତର ହେଇ ଉଠିନଥା’ନ୍ତି । ତା’ର ସୁଖରେ ମୁଁ ବିଚଳିତ ହେଇ ନଥା’ନ୍ତି । କିନ୍ତୁ ସେଇ ଯୋଉ ଚପଳମତି ବାଳିକା, ସେଇ ଦାୟିତ୍ୱହୀନା ବାଳିକା ମୋର ମନ ଚୋରି କରି, ମୋର ମନକୁ ଉଜାଡ଼ି, ମୋର ବ୍ୟକ୍ତିତ୍ୱ, ମୋର ଆତ୍ମାଭିମାନ, ମୋର ଅହଂକାର, ମୋର ସାମର୍ଥ୍ୟ ଉପରେ ବୃଥା ସନ୍ଦେହ ଆଣିଥିଲା ଏବଂ ବର୍ତ୍ତମାନବି ସୁଦ୍ଧା ହୁଏତ ସେହି ଧାରଣା ପୋଷଣ କରିଛି, ତା’ରି ରକ୍ତରେ ଏ ଯେଉଁ ସୌଦାମିନୀ ଫୁଲଟି ଫୁଟି ଉଠିଛି, ସେଇ ଫୁଲକୁ ମୁଁ ଧୀରେନ୍‌ର ଗଳାରୁ ଛିଣ୍ଡେଇ ତଳେ ଫୋପାଡ଼ି ଦେବାପାଇଁ ମନ ନ ବଳାଇବି କାହିଁକି ?

 

ସେମାନେ ଏତେବାଟ ଆଗେଇ ଯାଇଛନ୍ତି, ସେମାନେ ନିଭୃତ ଖଞ୍ଜାରେ ଏପରି ଲୀଳା ଲଗାଇଛନ୍ତି ! ମୁଁ ସିନା ଜାଣିପାରିଲି ନାହିଁ, ହେଲେ ମୋ ସ୍ତ୍ରୀ ସୁଷମା କ’ଣ ଜାଣିପାରିଲା ନାହିଁ ? ମୋ ସ୍ତ୍ରୀ ସୁଷମା କ’ଣ ଏସବୁ ପ୍ରତି ଆଦୌ ସଚେତନ ନୁହେଁ ? ସେ କ’ଣ ଏତିକି ଜାଣେନା, ନିଆଁଠାରୁ ଜଉକୁ ଦୂରରେ ରଖିବା ଦରକାର ? ଯଦି ସେମାନେ ପାଖରେ ରହିବେ, ଜଉ ନିଶ୍ଚୟ ତରଳିବହିଁ ତରଳିବ ।

 

ସୁଷମାକୁ ପଚାରିବାକୁ ଇଚ୍ଛା ହେଲା । କିନ୍ତୁ ସୁଷମାକୁ ପଚାରିଲେ, ସେମାନେ ଶୁଣିବେ-। ସେମାନେ ସବୁ ଜାଣିବେ ।

 

ମୁଁ ଡାକିପାରିଲି ନାହିଁ ।

 

ମୁଁ କ’ଣ ସେମାନଙ୍କୁ ଡରୁଛି ? ଧୀରେନ୍‌, ସୌଦାମିନୀଙ୍କୁ ଡରୁଛି ?

 

ନା..., ମୁଁ କାହାକୁ ଡରେନା ।

 

ତେବେ ମୁଁ ସୌଦାମିନୀକୁ ଏଘରୁ ତଡ଼ିଦେଇ ନାହିଁ କାହିଁକି ? ସୁଷମାକୁ ପଚାରିପାରୁ ନାହିଁ କାହିଁକି ?

 

ଓଃ, ମୁଁ ସତେ ଏତେ କାହାକୁ ଡରୁଛି ?

 

ମୁଁ କାହିଁକି ଚୁପ୍‌, କାହିଁକି ନିସ୍ତେଜ, କାହିଁକି ଏପରି ସ୍ଥାଣୁ, ମୁଁ ନିଜେ ଜାଣିପାରୁ ନଥିଲି । ହୁଏତ ମୁଁ କାହାକୁ ଡରେନା କିମ୍ୱା ନିଜେ ନିଜକୁ ଡରେ । ନିଜର ମନର କଥା ନିଜ ପାଟିରେ ଉଚ୍ଚାରଣ କରି ଶୁଣିବାକୁ ଭୟ କରେ ।

 

ସେମାନଙ୍କର ପ୍ରଖର ପ୍ରୀତିର ବେଗମାନ ସ୍ରୋତରେ ମୁଁ କ’ଣ ଏକ ସାମାନ୍ୟ ଉପଳ ମାତ୍ର ?

 

ନା ମୋର କ୍ରୋଧାନଳର ଉତ୍‌କ୍ଷିପ୍ତ ଶିଖାରେ ପୋଡ଼ି ହେବାକୁ ଯାଉଥିବା ସେମାନେ ଦୁଇଟି ଅନଭିଜ୍ଞ, ଅଜ୍ଞ ପ୍ରେମିକ-ପ୍ରେମିକା ?

 

ବୋଧହୁଏ ଶେଷୋକ୍ତ ବାକ୍ୟହିଁ ଠିକ୍‌ ।

 

ମୋର ଏହି କ୍ରୋଧରେ ମୁଁ ନିଶ୍ଚୟ ତାଙ୍କୁ ପୋଡ଼ିବି । ପୋଡ଼ିବି ।

 

କିନ୍ତୁ ସେତେବେଳେ ସିନା ସେମାନଙ୍କୁ ପୋଡ଼ିବି ବୋଲି ଦୃଢ଼ସଙ୍କଳ୍ପ ହେଇଥିଲି, ଆଜି କିନ୍ତୁ କହୁଛି–ହେ ଭାଇ, କାହା ପ୍ରୀତି ଭାଙ୍ଗ ନାହିଁ ।

 

ପ୍ରୀତି ଅର୍ଥ ବ୍ୟଭିଚାର ନୁହେଁ । ପ୍ରୀତି ଅର୍ଥ ସଚା ପ୍ରୀତି । ଯେଉଁଠି ଦୁଇଟି ଦେହ ଏକ ହୁଏନା, ଦୁଇଟି ହୃଦୟ ଏକ ହୁଏ, ଯେଉଁ ଦୁଇଟି ହୃଦୟର ଦୁଇଟି ଭାଷା ଏକ ହେଇ ମିଳନ ସଙ୍ଗୀତ ଗାନ କରେ । ଆବେଗ, ଜଡ଼ତା ବିରହିତ ଉଚ୍ଛ ସମୟ ଉଲଂଘନୀୟତା, ଆତ୍ମଲୟତା ଯେଉଁଠି ଅନାବିଳ-ସ୍ୱଚ୍ଛ-ଚିରହସନ୍ତ-ପ୍ରେମମୟ ଦିବ୍ୟ ପରମାତ୍ମା ସଂଦର୍ଶନ କରେ, ସେଠି ପ୍ରୀତି ବ୍ୟଭିଚାର ନୁହେଁ । ବ୍ୟଭିଚାର ନରକର ଲମ୍ପଟ କାମନା । ପ୍ରୀତି ସ୍ୱର୍ଗର ମକରନ୍ଦ । ଏଣୁ ହୃଦୟରେ ଯେଉଁ ମହାଭାବର ଇମାରତ୍‌, ସ୍ୱପ୍ନ ଏବଂ ସାତରଙ୍ଗର ସୁର୍କିରେ ଆଶାର ସୁବର୍ଣ୍ଣ ଇଟା ନେଇ ଗଢ଼ିଉଠିଲା ଦୁଇ ପ୍ରାଣରେ, ଦୁଇ ପ୍ରାଣର ସୁକୁମାର ଚେତନଶୀଳ ପଟ୍ଟଭୂମି ଉପରେ ଉଚ୍ଚାଉଚ୍ଚା ହେଇ, ମହା ଉଚ୍ଚା ହେଇ; ସେଇ ଇମାରତ୍‌କୁ ଭାଙ୍ଗନା ଭାଇ, ଭାଙ୍ଗନା ।

 

କାରଣ, ସେମାନେ ଜାଣନ୍ତି ସେମାନଙ୍କ କଥା । ସେମାନେ ଜାଣନ୍ତି ସେମାନଙ୍କର ପ୍ରୀତିର ସ୍ୱାଦ । ଆମେ କେବଳ ହିତାକାଂକ୍ଷୀ ନାମରେ ହିଂସୁକ ଦଳ, କାତର ଦଳ, ସେମାନଙ୍କର ପ୍ରୀତିକୁ ଉଚ୍ଚସ୍ଥାନ ନ ଦେଇ ଭାଙ୍ଗିବସୁ । ଆମେ ତୃତୀୟ ପୁରୁଷ, ଆମର ଦୃଷ୍ଟିକୋଣ ଅଭିସନ୍ଧିମୂଳକ । ଆମର ସ୍ୱାର୍ଥପାଇଁ ଆମେ ସେମାନଙ୍କୁ କଷ୍ଟ ଦେଉ । ଏଣୁ ମୁଁ କହୁଛି–କାହା ପ୍ରୀତି ଭାଙ୍ଗ ନାହିଁ ।

 

ମୁଁ କିନ୍ତୁ ଭାଙ୍ଗି ଦେଲି ସେତେବେଳେ । ବର୍ତ୍ତମାନ କହୁଛି–ଭାଙ୍ଗନା–ଭାଙ୍ଗନା । କିନ୍ତୁ ଭାଙ୍ଗିଦେଲି ସେତେବେଳେ ।

 

ଆଃ...ମୁଁ କି ନିଷ୍ଠୁର ପ୍ରତିହିଂସା ପରାୟଣ ! ନିଜେ ପ୍ରେମପଥରେ ବଣା ହେଇଛି ବୋଲି, କାହାକୁ ଆଗେଇ ଦବାକୁ ଚାହିଁଲି ନାହିଁ ସେତେବେଳେ, କାହାକୁ ପୂର୍ଣ୍ଣ ହୃଦୟର ସ୍ୱାଦ ଖୋଇବାକୁ ସୁଯୋଗ ଦେଲି ନାହିଁ, ସେ ମୋ ପୁଅ ହେଉ କି ଆଉ ଯିଏ ହଉ... ।

 

।। ୮ ।।

 

କବାଟରେ ମୃଦୁ ଆଘାତ ହଉଛି । କଲିଂବେଲ୍‌ର ବ୍ୟବସ୍ଥା ସେତେବେଳେ ନଥିଲା । ଖଟ୍‌-ଖଟ୍‌-ଖଟ୍‌ ଆଘାତ କବାଟରେ ।

ଉଠିପଡ଼ି କବାଟ ଖୋଲିଲି ।

ଯାହାକୁ ଦେଖିଲି, ଆଶ୍ଚର୍ଯ୍ୟ ହେଇଗଲି । ସେ କି କେବେ ଏପରିଭାବେ ଆସିପାରେ ମୋ ଘରକୁ ?

ଆହା..., କେତେ ତା’ର ଆପଣାର ଥିଲି, କିନ୍ତୁ କେତେ ପର ପୁଣି ହେଲି ?

କେତେ ପୁଣି ନିକଟର ଥିଲି, କିନ୍ତୁ କେତେ ଯେ ଦୂରର ମୁଁ ହେଲି ?

ଏଇ ଘର ତାହାର ହେଇଥା’ନ୍ତା । ଏଇ ମଣିଷ ତାହାର ହେଇଥାନ୍ତା । ଏଇ ଘରର ଲକ୍ଷ୍ମୀପରି ସେ ସଦାବିରାଜୁଥା’ନ୍ତା । ସେ ସିନା ଏ ଘରେ ଥାଇ ଅନ୍ୟ କାହାକୁ କବାଟ ଖୋଲିଥା’ନ୍ତା, କିନ୍ତୁ ସେ ଆଜି ଏ ଘରେ ନ ଥାଇ ବାହାରେ ଆଘାତ କରୁଛି ।

ନମସ୍କାର କଲା ।

କ’ଣ କରିବି ? କ’ଣ କରିବି ? କେବେ ସେ ଆସିନି ଏ ଘରକୁ ଦୀର୍ଘ ବର୍ଷବର୍ଷ ଧରି କେବେ ସେ ପଦେବି କଥା କହିନି ମତେ ଦୀର୍ଘ ବର୍ଷବର୍ଷ ଧରି, ତା’ପାଇଁ ଯେ କେତେ ଝଡ଼ଝଞ୍ଜା, କେତେ ତୋଫାନ ବହିଛି ଏ ମନରେ, କେତେ ଯେ ରାତି ଉଜାଗର ରହି ଏ ଆଖି ମୋର ମନ-ଆକାଶରେ ଉଙ୍କି ମାରିଥିବା ତା’ର ଚନ୍ଦ୍ରମୁଖଟିକୁ ଦେଖିଛି, ସେ ଯେତେବେଳେ ଏଘରର ବାହାରେ ମୁଣ୍ଡରେ ଓଢ଼ଣା ହେଇ, କପାଳରେ ସିନ୍ଦୂର ଟୋପା ଦେଇ (ଓଃ...ସେଇ ସିନ୍ଦୂର କାହାପାଇଁ... ? କାହାପାଇଁ ?) ଠିଆ ହେଇଛି ମୋ ସାମନାରେ, ମୁଁ କ’ଣ କରିବି ?

 

ତାହାକୁ ଆଗରେ ଦେଖି ମୁଁ ହତଚକିତ ହେଇଗଲି । ହତଭମ୍ଭ ହେଇଗଲି ।

 

ସେ ରକ୍ତ-ମାଂସ ଦେହଧାରିଣୀ ଦେବୀ ମୋର !

 

ଭଗବାନ୍‌ଙ୍କ ନାମ ଯେତିକି ଜପିନି, ତା’ ନାମ ସେତିକି ଜପିଛି ।

 

ସେ ମୋ ଆଗରେ ଠିଆ ହେଇଥିଲା ।

 

ମୁଁ କହିଲି–ଚାନ୍ଦ ! ତୁ ?

 

ଚାନ୍ଦ ନୁହେଁ କାଦମ୍ବିନୀ–ହସିହସି ସେ କହିଲା ।

 

ମୁଁ ଦମକିଗଲି । ଉତ୍ତରଟିରେ ଯଦିଓ ନିରାଟ ସତ୍ୟତା ପରିପୂର୍ଣ୍ଣ ଥିଲା, ତଥାପି ସେ ହଠାତ ମତେ ଏପରି କହିବ, ମୁଁ ଆଶା କରି ନଥିଲି । ତା’ ମୁହଁକୁ ଚାହିଁବାକୁ ମତେ ସଙ୍କୋଚ ଘାରିଗଲା ।

 

ସେଦିନ ପରି ସେ ଆଉ ସେଇ ନୋଳକ, ଫାଶିଆ କି ମଲ, ପାଉଁଜ ପିନ୍ଧିନି । ସେଦିନ ପରି ସେ ଆଉ ଘର ଅଗଣାର ଚଉହଦି ଭିତରେ ଆତଯାତ ହେଉନି । ସେଦିନଠାରୁ ସେ ବହୁତ ବଦଳିଛି । ଖୋଲା ଦେହରେ କୁର୍ତ୍ତା ପିନ୍ଧି ଶିଖିଛି । ଶାଢ଼ିକୁ ଅଲଗା ଢଙ୍ଗରେ ପିନ୍ଧିପାରିଛି । କୃଶ ଶରୀରରେ ତା’ର ବୟସୀ ନାରୀର ମାଂସ ବୃଦ୍ଧି ହେଇଛି । ଏକାକିନୀ ପଦାକୁ ଆସିବାକୁ ସାହସ କରିପାରିଛି ।

 

ଘରଭିତରକୁ ତାକୁ ନେଇଆସିଲି । ବସିବାପାଇଁ ଚଉକି ଦେଲି ।

 

ତମେ ଏ ଘରକୁ କେବେ ଆସିବ, ଏହା ମୋର ଆଦୌ ବିଶ୍ୱାସ ନଥିଲା ।

 

ସେ ନୀରବ ରହିଲା; କିନ୍ତୁ ମୃଦୁ ହସୁଥିଲା ।

 

ସେଇ ହସ ଆଜିଯାଏଁ ବଦଳିନି, ଖାଲି ବୟସ ସିନା ଆଗେଇ ଯାଇଛି, ଆମ ମନରେ ଗୁଡ଼ାଏ ଶୀଥିଳତାର ସ୍ତରୀଭୂତ ମୃତ୍ତିକା ପକାଇ ଦେଇଛି, କିନ୍ତୁ ସେଇ ହସ ଆଜିକୁ ଛବିଶ ସତେଇଶବର୍ଷ ତଳେ ଯେପରି ଥିଲା, ଆଜିହିଁ ସେହିପରି ଅଛି । ସେଇ ହସ, ସେଇ ଚୁପୁଚୁପୁ ହସ, ସେଇ ସଲଜ୍ଜ ହସ ସେହିପରି ତା’ ମୁହଁରେ ଲାଖିରହିଛି ।

 

ମୁଁ ରଙ୍କୁଣା ପରି ତାକୁ ଚାହିଁ ରହିଥିଲି ।

 

ଭାଉଜ ନାହାନ୍ତି କି ?

 

ଭାଉଜ ?

 

ହଁ ଭାଉଜ !

 

ଓଃ... । ପୁଣି ଦମକିଗଲି ।

 

ତା’ ମୁହଁକୁ ଚାହିଁଲି, ଦେଖିଲି, ତାହା ଯେପରି ଆତ୍ମପ୍ରଶାନ୍ତିର ଉଜ୍ଜ୍ୱଳ ଆଭାରେ ସ୍ନିଗ୍‍ଧ ଆଲୋକିତ ହୋଇଉଠିଛି ।

 

ଭାଉଜ କାହାନ୍ତି ? ଧୀରେନ୍‌ ? ସେ ଅନାହତ ଅବିଚଳିତ ସ୍ୱରରେ ମତେ ପ୍ରଶ୍ନ କରୁଥିଲା ଧୀରେ ଧୀରେ କୋମଳ ଭାବରେ ।

 

କାଲି ରାତି ଟ୍ରେନ୍‍ରେ ଗୋୱାଲିଅର ଯାଇଛନ୍ତି ।

 

ଗୋୱାଲିଅର ?

 

ହଁ, ଧୀରେନ୍‌ର ସେଠି ଏକ ସଙ୍ଗୀତ ସମ୍ମେଳନ ଅଛି, ଏଥିପାଇଁ ସେ ନିମନ୍ତ୍ରଣ ପାଇଥିଲା । ତା' ମା'କୁ ବୁଲେଇ ଆଣିବ ବୋଲି ସାଥିରେ ନେଇ ଯାଇଛି ।

 

ଧୀରେନ୍‌ ପରି ପୁଅକୁ ପାଇ ତମେ ଭାଗ୍ୟବାନ୍ ଭାଇନା ।

 

ହେଇଟି କାଦମ୍ବିନୀ, ଭାଇନାଫାଇନା ଡାକି ଆଉ ମତେ ଲଜ୍ଜା ଦେ'ନା ।

 

ଏ ସବୁ କ'ଣ କହୁଛ ? ତମେ କେବେ ମୋର ମନର ମଣିଷ ଥିଲ, କିନ୍ତୁ ଯେଉଁଦିନ ଅନ୍ୟ ଜଣକର ହାତ ଧରିଲି, ସେଇଦିନ ମୁଁ ତୁମକୁ ଭାଇରୂପେ ଗ୍ରହଣ କଲି ।

 

ଏ ସବୁ ମିଛ ! ଏ ସବୁ ମିଛ ! ପ୍ରେମିକ କେବେ ଭାଇ ହେଇ ପାରେନା । ଭାଇ ମଧ୍ୟ କେବେ ପ୍ରେମିକ ହୋଇ ପାରେନା । ତୁ ଯେ ମତେ ହଠାତ ଏକାଦିନକେ ଏକାବେଳକେ ତୋର ମନର ପରଦାରେ ଲାଖି ରହିଥିବା ମୋର ପ୍ରତିକୃତିରେ ପ୍ରେମିକର ପୋଷାକ ଉତ୍ତାରି, ଭାଇର ପୋଷାକ ପିନ୍ଧାଇ ଦେଲୁ, ଏ କଥା ମୁଁ ବିଶ୍ଵାସ କରିପାରିବି କିପରି ? ହଉ ତୋ'ରି କଥା ହଉ । ପୋଷାକର ଅଦଳବଦଳ ଯଦିଓ କରିଛୁ, ତଥାପି ମୁଁ ସେହିପରି, ଅବିକୃତ–ଅବିକଳ କାଲି ଯାହା ଥିଲି, ଆଜିବି ତାହା ଅଛି କାଦମ୍ବିନୀ, କିଛି ବଦଳିନି । ବାହାରୁ ଦେଖିଲେ ଅବଶ୍ୟ ମୁଁ ଖୁବ୍‌ ବଦଳିଛି ବୋଲି ଜଣାଯାଏ; କିନ୍ତୁ ଭିତରେ ମୁଁ ସେହିପରି ରହିଛି । ଯା' ଚାରିଆଡ଼େ ଆଲୁଅ ହେଇଯା'... ସାଙ୍ଗେ ସାଙ୍ଗେ ଆଲୁଅ ହେଇଗଲା ବିଧାତା ପୁରୁଷ ଆଲୁଅକୁ ଆଜ୍ଞା ଦେଲାପରି, ପ୍ରେମିକ କେବେ ହଠାତ ଭାଇ ହେଇପାରେନା । ମଣିଷର ମନ ବଡ଼ ତରଳ କାଦମ୍ବିନୀ । ମଣିଷର ମନ ପଥର ନୁହେଁ, ଉଷ୍ମର ନୁହେଁ । ପଥରରେ ଗାର ଟଣାଯାଏ, ପ୍ରତିଜ୍ଞା ଲେଖାଯାଏ କିନ୍ତୁ ମଣିଷର ମନରେ ଯେଉଁ ପ୍ରତିଜ୍ଞା ଥାଏ, ତାହା ପାଣିର ଗାରପରି ଲିଭିଯାଏ, ରହେନା ।

 

ତୋ ଆଖିରେ ମୁଁ ନରେନ୍‌, ଆଜି ଭାଇ ହେଇ ଯାଇଛି । କିନ୍ତୁ ସତ କହୁଛି, ମୋ ମନ ଯେମିତି କହୁଛି ତୁ କାଦମ୍ବିନୀ ନୁହେଁ, ମୋର ସେଇ ଚାନ୍ଦ, ମୋର ସେଇ ଚାନ୍ଦ ତୁ ଯେମିତି ଥିଲୁ, ବର୍ତ୍ତମାନବି ଅଛୁ ମୋର ମନ ଭିତରେ । ମୁଁ ତାହାକୁ ମୋର ମନ ଭିତରୁ ଠେଲି ପାରିନି, ଯଦିଓ ମୁଁ ଅଧାବୁଢ଼ା ହେଲାଣି । ଏ କ'ଣ ମୋର ଦୁର୍ବଳତା ? ନା, ଏ ମୋର ତୋ ପ୍ରତି ଅକାରଣ ନିଷ୍ଠାପରତା ? ମୁଁ ନିଜେ ଜାଣେନା । କିନ୍ତୁ ତୁ ସିନା ମୋତେ ଘଡ଼ିକମାତ୍ରେ ଭାଇ କରିଦେଲୁ, କିନ୍ତୁ ମୁଁ ତତେ ତ ଭଉଣୀ କରିପାରୁନି, ଭଉଣୀ ଆଖିରେ ଦେଖିପାରୁନି ! ତୁ ମୋର ସେଇ ପ୍ରେମିକା ଚାନ୍ଦ, ଯାହାପାଇଁ, ଯାହା ସାଥିରେ ଆସିବାପାଇଁ ମୋର ଆତ୍ମା ବର୍ତ୍ତମାନବି ବେଳେବେଳେ ଛୁଟିଯାଏ ପାଗଳ ହେଇ । ମୁଁ ଜାଣେ, ତୁ ମୋର ହେଇ ଆଉ ନାହୁଁ, ମୁଁ ଜାଣେ ତୁ ମତେ ଠୋକର ଦେଇଛୁ, ତଥାପି ମୁଁ ତତେ ଘୃଣା କରିବାକୁ ଚେଷ୍ଟା କରିବି ସୁଦ୍ଧା କରିପାରିନି । ତୁ ମୋର ସେଇ ଅନନ୍ତ ପ୍ରେମମୟୀ ଚାନ୍ଦ । ମୋ ମନ ଭିତରେ ତୋର ଅନ୍ୟ କୌଣସି ରୂପ ନାହିଁ । ତୁ ଏକ ଅବିକଳ, ଅବିଚଳ ମୂର୍ତ୍ତି ହେଇ ମୋ ମନ ଭିତରେ ରହିଛୁ । ସେ ଭଉଣୀର ରୂପ ନୁହ । ସେ ପ୍ରେମିକାର ରୂପ । ପରର ନାରୀ ଆଜି ତୁ ହେଲେ ମଧ୍ୟ ସେଇ ତୋର ଅନୂଢ଼ା କୁମାରୀର ରୂପ ଆଜିଯାଏଁ ଅତୁଟ ହେଇ ମୋ ଆଖିରେ ରହିଛି ।

 

କାଦମ୍ବିନୀ ନୀରବ ହେଇ ମୋ କଥା ଶୁଣୁଥିଲା । ବେଳେବେଳେ ଦୀର୍ଘଶ୍ଵାସ ତ୍ୟାଗ କରୁଥିଲା ଏବଂ ପଣତକାନିକୁ ମୋଡ଼ୁଥିଲା । ମୁଁ ସେହିପରି କହି ଚାଲିଥିଲି ଅନର୍ଗଳଭାବେ । ସତେ ଯେମିତି ମୁଁ ଆଜି ସୁଯୋଗ ପାଇଛି । ଏତେଦିନ ଧରି ରହିଯାଇଥିବା ମୋ ମନର କଥାକୁ ତା' ଆଗେ ଫଟାଇ କହିବାପାଇଁ ।

 

ଯେହେତୁ ମୁଁ ଭଲଭାବେ ଜାଣେ, ତୁ ଜିତେନ୍ଦ୍ରିୟ ନୁହେଁ, ଦୁର୍ବଳତା ଠାରୁ ଊର୍ଦ୍ଧ୍ୱରେ ରହିନାହୁଁ, ଏଣୁ ତୁ ଯେ ମତେ ଭଲ କରି ଦେଇଛୁ, ଏ ବିଷୟରେ ମୁଁ ବିଶେଷଭାବେ ସନ୍ଦିହାନ । ହୁ, ହୁଏତ ମୁଁ ଭାଇ । ନାଇଁ, ହୁଏତ ମୁଁ ଭାଇ ନୁହେଁ । ତୁ ମତେ ଏପରି ପୋଷାକ ପିନ୍ଧାଇ ନିଜ ଆଖିରେ ଦେଖୁଛୁ, ତାହା ହୁଏତ ବହୁରୂପୀର ପୋଷାକ । ମୁଁ ହୁଏତ ପ୍ରେମିକର କୁର୍ତ୍ତା ପିନ୍ଧି ଭାଇର ଲୁଗା ପିନ୍ଧିଛି । କିମ୍ବା ପ୍ରେମିକର ଲୁଗା ପିନ୍ଧି ଭାଇର କୁର୍ତ୍ତା ପିନ୍ଧିଛି । ମୁଁ ଶୁଦ୍ଧ ନୁହେଁ । ନିଶ୍ଚୟ କିଛି ମିଶ୍ରଣ । କ'ଣ ମୁଁ ଭୁଲ୍ କହିଲି ?

 

ଆହତ ଗଳାରେ ସେ ଉତ୍ତର ଦେଲା–ସବୁଥିରେ ତତ୍ତ୍ୱ କାଢ଼ୁଛ କାହିଁକି ? ତମେ ସବୁ ଲେଖକମାନେ ଜିରାରୁ ଶିରା ବାହାର କର ।

 

ମୁଁ ହସିଲି, କହିଲି–ଛାଡ଼ ! ତୋର ଭାଉଜ ଥିଲେ ତତେ ଦେଖି ଖୁବ୍ ଖୁସି ହେଇଥା'ନ୍ତେ-। ଆଚ୍ଛା, ଭିଣେଇ ମହାଶୟଙ୍କର ଖବର କ'ଣ ?

 

ଆଉ କି ଖବର ? ସଦାବେଳେ ତ ତାଙ୍କର ସେଇ ଟଙ୍କାଟଙ୍କା ! ଟଙ୍କାପାଇଁ ସେ ପାଗଳ-। ଏଇ ଯୁଦ୍ଧ ଯୋଗୁଁ କାହାର ସିନା ଘର ଭାଙ୍ଗୁଛି, ହେଲେ ସେ ଯୁଦ୍ଧପାଇଁ ଆମ ଘରକୁ ସୁନା କରି ଦେଲେଣି । ଏରୋଡ଼୍ରମ ତିଆରି କରୁଛନ୍ତି ଝାରସୁଗୁଡ଼ାରେ ।

 

ଭଲ, ଟଙ୍କା ରୋଜଗାର କରିବା କେତେଜଣଙ୍କ ଭାଗ୍ୟରେ ଥାଏ !

 

କ'ଣ ଥଟ୍ଟା କରୁଛ ? ହଁ, ଥଟ୍ଟା କରିବା କଥା । ଆମ ଘରଟା ବ୍ୟବସାୟୀ ଘର ହେଲେ ତୁମ ଘରଟା ସମ୍ପୂର୍ଣ୍ଣଭାବେ ଅଲଗା ଘର–କଳାକାରର ଘର । ତମେ ଲେଖକ ହେଲେ ତୁମ ପୁଅ ଗାୟକ । କଳାକାରମାନେ ତ ବ୍ୟବସାୟୀଙ୍କୁ ଥଟ୍ଟା କରନ୍ତି ।

 

ହଁ, ଆମ ଦୁଇ ବଂଶରେ ଯଦିଓ ଅନେକାଂଶରେ ବହୁତ ସାମ୍ୟ ଅଛି, ତଥାପି ସେହିପରିଭାବେ ବହୁତ ବୈଷମ୍ୟ ଅଛି ।

 

ସେ ମତେ ନ ବୁଝିବା ଆଖିରେ ଚାହିଁଲା ।

 

ଏଇ ଦେଖ, ମୁଁ ମୋ ବାପା-ମାଆଙ୍କର ଗୋଟିଏ ପୁଅ, ଆଉ ତୁ ବି ତୋର ବାପା-ମା'ଙ୍କର ଗୋଟିଏ ଝିଅ । ଧୀରେନ୍‌ ଆମର ଗୋଟିଏ । ସୌଦାମିନୀବି ତୁମର ଗୋଟିଏ । ମୁଁ ଭଲ ପାଉଥିଲି ତତେ କିନ୍ତୁ ତତେ ପାଇ ପାରିଲିନି । ମୋ ରକ୍ତର ଯେଉଁ ଅବଦମିତ ତୃଷ୍ଣା ତତେ ପାଇବାପାଇଁ ଅହରହଃ ମତେ କାତର କରୁଥିଲା, ସେଇ ତୃଷ୍ଣା ମୋ ରକ୍ତରୁ ଯାଇ ମୋ ପୁଅର ରକ୍ତରେ ଦ୍ୱିଗୁଣିତଭାବେ ଖେଳି ବୁଲିଲା, ଏବଂ ସେ ଅନ୍ୟ କୌଣସି ଝିଅ ପ୍ରତି ଆକୃଷ୍ଟ ନ ହୋଇ ତୋରି ଝିଅପ୍ରତି ଆକୃଷ୍ଟ ହେଲା । ମୁଁ ଯେପରିଭାବେ ଚାହୁଁଥିଲି ତତେ; ଅଥଚ ତତେ ପାଇ ପାରିଲି ନାହିଁ । ସେହିପରି ମୋ ପୁଅ ଚାହୁଁଛି ତମ ଝିଅକୁ, କିନ୍ତୁ–

 

କିନ୍ତୁ କ'ଣ ? ମୁଁ ତ ସେଇଥିପାଇଁ ଆସିଛି ।

 

କେଉଁଥିପାଇଁ ?

 

ଧୀରେନ୍ ଓ ସୌଦାମିନୀର ବିବାହ ଠିକ୍ କରିବାପାଇଁ ।

 

କାଦମ୍ବିନୀ !

 

ଏପରି ଚମକି ଉଠୁଛ କାହିଁକି ?

 

ମୁଁ ଚଉକିରୁ ଉଠି ପଡ଼ିଥିଲି । ଅସ୍ତବ୍ୟସ୍ତଭାବେ ଘରେ ପାଦଚାଳନା କରିବାକୁ ଲାଗିଲି । ସିଗାରେଟ ଉପରେ ଝାଙ୍କ ଟାଣ ଦେବାକୁ ଲାଗିଲି । ମୁଁ କ'ଣ ଭାବୁଥିଲି, କାହିଁକି ଏତେକଥା ଭାବୁଥିଲି, ସେ ବିଷୟ ଜାଣିବାପାଇଁ କାଦମ୍ବିନୀ ପ୍ରଶ୍ନମୟ ଆଖିରେ ମତେ ଚାହିଁ ରହିଥିଲା ।

 

କ'ଣ ଭାବୁଛ ?

 

ମୁଁ ଲେଖକ ବୋଲି ତୋ ବାପା ଦିନେ ମତେ ଅବଜ୍ଞା କରିଥିଲେ, ମୋ ପୁଅ ଗାୟକ ବୋଲି ତୋ ଝିଅର ବାପା କ'ଣ ମୋ ପୁଅକୁ ଥଟ୍ଟା କରିବେନି ?

 

ମୁଁ ତାଙ୍କ କଥା ଶୁଣିବାକୁ ଚାହେଁନି ।

 

କାହିଁକି କାଦମ୍ବିନୀ ?

 

ମୁଁ ଜାଣେ ଧୀରେନ୍ ହଉଚି ସୁଯୋଗ୍ୟ ସନ୍ତାନ ।

 

ହା...ହା…ହା...

 

କାହିଁକି ହସୁଛ ?

 

ଧୀରେନ୍ ସୁଯୋଗ୍ୟ ସନ୍ତାନ ନା ? ଆରେ, ଧୀରେନ୍ ଗୀତ ବୋଲି ତୋ ପାଖରୁ ଗୋଟାଏ ଏତେବଡ଼ ସାର୍ଟିଫିକେଟ ପାଇଲା କିପରି ? ଧୀରେନ୍ ଗୀତ ଗାଇ ପାରେନି ସରସ୍ୱତୀ ପୂଜା ଉତ୍ସବରେ, ଗଣେଶ ପୂଜା ଉତ୍ସବରେ, କାଳୀ ପୂଜାରେ କି ଦଶହରାରେ ହାରମୋନିୟମ ଧରି, ସେ ତ ସେଠିକି ଯିବାକୁ ଭୟକରେ । ତା’ଛଡ଼ା ସେ ଜାଣେ, ସେଠାକୁ ଗଲେ ଲୋକ ତା'ଉପରେ ଢେଲା ପକାଇବେ । ତା'ଠାରୁ ଯେତେବେଳେ କେହି ଗୀତ ଶୁଣିବାକୁ ଭଲ ପାଆନ୍ତି ନାହିଁ, ଯଦି ଭଲ ପା'ନ୍ତି ଅଳ୍ପ କେତେଜଣ, ନଇଲେ ନାଇଁ ସମସ୍ତେ ବଧିର, ଏପରି ଅବସ୍ଥାରେ ତୁ ଯଦି ସେ ହତଭାଗାଟାକୁ ସୁଯୋଗ୍ୟ ବୋଲି ମନ୍ତବ୍ୟ କରୁ, ତେବେ ମୁଁ ନ ହସିବି କେମିତି ?

 

ସେଇଟା ଧୀରେନ୍‍ର ଦୋଷ ତ ନୁହେଁ !

 

ଓଃ, କଳାପ୍ରାଣତା ତୋର ତ ବହୁତ ଆଗେଇ ଯାଇଛି ! ତାଚ୍ଛଲ୍ୟରେ କହିଲି ।

 

ନା..., କଳା-ଫଳା ମୁଁ କିଛି ଜାଣେନା । ଧୀରେନ୍ ଆଉ ସୌଦାମିନୀ ଯାହା କେବଳ ବେଳେବେଳେ କଥାବାର୍ତ୍ତା ହୁଅନ୍ତି, ତାହା ମୁଁ ଶୁଣେ ।

 

କିନ୍ତୁ ଏ ବିଭାଘରରେ ତୋର ଲାଭ କ’ଣ ? ଡାକ୍ତର କି ଡେପୁଟୀ ତ ମୋ ପୁଅ ନୁହେଁ ।

 

ବିକଳରେ ସେ କହିଉଠିଲା–ଲଜ୍ଜା ଦିଅନା, ମୁଁ ତୁମକୁ ଅନୁରୋଧ କରୁଛି ଭାଇ, ମୁଁ ଚାହେଁ କେବଳ ତାଙ୍କର ମିଳନ ।

 

ଆମର ମିଳନ ହେଇପାରିଲା ନାହିଁ । କିନ୍ତୁ ସେଇ ଦୁଇଟି ଅଶାନ୍ତ ଅତୃପ୍ତ ଆତ୍ମାର ଯେଉଁ ପ୍ରତିବିମ୍ବ ଅନ୍ୟଠାରେ ପ୍ରତିଫଳିତ ହେଇଛି, ସେହି ମିଳନକୁ ଦେଖି ତୁ କ'ଣ ପରିତୃପ୍ତ ହେବାକୁ ଚାହୁଁଛୁ ? ନିଜେ ମୋତେ ପାଇ ପାରିଲୁ ନାହିଁ ବୋଲି ନିଜ ଝିଅଠାରେ ନିଜ ଛବି ଦେଖି, ମୋ ପୁଅ ଠାରେ ମୋର ଛବି ଦେଖି ସେମାନଙ୍କୁ ବିବାହ ଦେବାପାଇଁ ଚାହୁଁଛୁ ? ଏୟା ତ ! କିନ୍ତୁ ମୁଁ ସେ କଥା ଚାହେଁନି ।

 

କ'ଣ ଚାହଁ ତମେ ?

 

ମୁଁ ଚାହେଁ ପ୍ରତିଶୋଧ ।

 

ପ୍ରତିଶୋଧ ?

 

ହଁ ପ୍ରତିଶୋଧ

 

କ'ଣ ନିଜ ପୁଅଠାରେ ପ୍ରତିଶୋଧ ?

 

ନା, ନିଜ ପୁଅଠାରେ ପ୍ରତିଶୋଧ ନୁହେଁ କାଦମ୍ବିନୀ । ଏ କଥା ଆଉ କେବେ କହିବୁନି । ତୋଠାରେ ପ୍ରତିଶୋଧ । ତୋର ବାପାଙ୍କ ରକ୍ତ ଠାରେ ପ୍ରତିଶୋଧ । ତୋ ସ୍ୱାମୀର ରକ୍ତଠାରେ ପ୍ରତିଶୋଧ । ତୁମ ରକ୍ତ ଆମ ରକ୍ତର କେବେ ମିଳନ ହେବନି କାଦମ୍ବିନୀ । ସେ ରକ୍ତ ପରସ୍ପର ପ୍ରତି କେବଳ ମିଛରେ ଆକର୍ଷିତ ହେଇ ଯାଉଥିବେ, କିନ୍ତୁ ଠିକ୍ ସମୟ ବେଳକୁ ଅଲଗା ହୋଇଯିବ ।

 

ନା-ନା, ତୁମେ ଏକଥା କହନି । ତୁମକୁ ମୁଁ ଅନୁରୋଧ କରୁଛି, ତୁମେ ଏକଥା କହନି । ଦୁଇଟି ପ୍ରାଣରେ ଆଘାତ ଦେବାକୁ ତମେ ଚେଷ୍ଟା କରନି । ମୁଁ ଜାଣେ ସେ ଆଘାତରେ କଷ୍ଟ କେତେ ଗଭୀର । ମୁଁ ତୁମକୁ ଭିକ୍ଷା ମାଗୁଛି, ତମେ ଧୀରେନ୍‍କୁ ମତେ ଦେଇଦିଅ । ଧୀରେନ୍‍ ତୁମର ପୁଅ ନୁହେଁ, ମୋର ପୁଅ । ପିଲାଟି ବେଳୁ ମୁଁ ତାକୁ ନିଜର ଗଣ୍ଠିଧନ କରି ଭଲପାଇଛି । ତାକୁ ମୋ କୋଳକୁ ଦେଇଦିଅ ।

 

କ’ଣ ଘରଜୋଇଁଆ କରି ? ହସରେ ଫାଟିପଡ଼ି କହିଲି ।

 

ଆହତ ସ୍ୱରରେ ସେ କହିଉଠିଲା–ନରେନ୍‌ ଭାଇନା... !

 

ମୁଁ ନାଚାର କାଦମ୍ବିନୀ, ମୁଁ ତୋର ଅନୁରୋଧ ରକ୍ଷା କରିପାରୁନି । ତୋର ବାପା ଆଉ ତୋର ସ୍ୱାମୀର ରକ୍ତରେ ଯେଉଁ ଫୁଲ ଫୁଟିଛି, ସେଇ ଫୁଲକୁ ଆଣି ମୁଁ ମୋର ସଂସାରର ଶୋଭାବର୍ଦ୍ଧନ କରିବି କିପରି ? ମୁଁ ଏପରି ଏକ ଫୁଲ ମୋ ପୁଅ ଗଳାରେ ସମର୍ପି ଦେବି, ଯାହାକୁ ଦେଖିଲେ ମୋର ତା’ର ବାପା କଥା ମନେ ପଡ଼ିବନି, ମନେ ପଡ଼ିବନି ତା’ର ଅଜା କଥା, ମନେ ପଡ଼ିବନି ତା’ର ମା' କଥା !

 

ତୁମେ ସ୍ୱାର୍ଥପର !

 

ହଁ, ମୁଁ ସ୍ୱାର୍ଥପର କାଦମ୍ବିନୀ । କେବଳ ମୁଁ ତୋପାଇଁ ଭୀଷଣ ଭାବରେ ସ୍ୱାର୍ଥପର । କେବଳ ତତେ ଭୁଲିଯିବା ପାଇଁ ସ୍ୱାର୍ଥପର । ହେଲେ ମୁଁ ତତେ ଭୁଲିଛି ବା କେଉଁଠୁ ?

 

ତାହାହେଲେ ମୁଁ କ'ଣ ଫେରିଯିବି ?

ଜୀବନ ରଙ୍ଗ

 

ତାହା ଛଡ଼ା ଅନ୍ୟ କିଛି ଉପାୟ ତ ନାହିଁ । ତୁମେ ଆସିପାର ।

 

ସେ କାନ୍ଦି ପକାଇଲା ।

 

ମୁଁ ବି ଠିକ୍ ଦିନେ ଏଇପରି ତା’ରି ଘରେ କାନ୍ଦିଥିଲି ।

 

ମୁଁ ତାହାକୁ ସେଦିନ କହୁଥିଲି–ଆ' ମୋ ସାଥିରେ ପଳାଇ ଆ…, କିନ୍ତୁ ସେ ତା’ର ବାପା ବୋଉଙ୍କୁ କୁଣ୍ଢେଇ ଧରିଲା ବାପା-ବୋଉଙ୍କ କଥାକୁ ବେଦର ଗାର ବୋଲି ମନେ କଲା । କିନ୍ତୁ ଆଜି ଲୁହ ଝରାଇ ପ୍ରେମ ବଖାଣୁଛି, ପ୍ରେମ… !

 

କାଦମ୍ବିନୀକୁ ପଛକରି ମୁଁ ଠିଆ ହେଇଥିଲି ।

 

ତା’ର ଯିବା ନ ଯିବା ପ୍ରତି ଦୃଷ୍ଟିପାତ କରିବାକୁ ମୋର ଇଚ୍ଛା ନଥିଲା ।

 

।। ନଅ ।।

 

ପ୍ରେମର ଅର୍ଥ ହେଲା ଆତ୍ମବିସର୍ଜନ । ଆତ୍ମନିବେଦନ ନିଜର ଅହଂକାର, ଗର୍ବ, ବ୍ୟକ୍ତିତ୍ୱକୁ ଭୁଲି ପରପାଖରେ ନିଜକୁ ନିଃସ୍ୱଭାବରେ ଉଜାଡ଼ିଦେବା । ଏପରି ଉଜାଡ଼ି ଦେବାରେ ଭାରି ଭଲ ଲାଗେ । ଆତ୍ମାକୁ ଶାନ୍ତି ଆସେ । କେଜାଣି କାହିଁକି ପୁରୁଷ ନାରୀ ପାଖରେ ନିଜକୁ ଏକ ଭିକାରିରେ ପରିଣତ କରେ ସେ କଥା ବୁଝି ହୁଏନା, ଆଉ କାହିଁକି ବା ଏକ ନାରୀ ପୁରୁଷପାଇଁ ତା’ର ସକଳ ମାନ, ସରମ ଭୁଲି ନିଜକୁ ପ୍ରେମର ଯୂପକାଠ ପାଖରେ ବଳିଦିଏ, ସେ କଥାବି ବୁଝି ହୁଏନା ।

ସବୁ ଅବୁଝା ପାଠ !

ଅଛିଣ୍ଡା ପାଠ !

ପ୍ରେମ କରିନ, ମୁଣ୍ଡ ଏକଦମ ଠିକ୍‌ଠାକ୍‌ ଅଛି । ମୁଣ୍ଡ ପୂରାପୂରି କାମଦାମ କରୁଛି । ସବୁ କଥାରେ ମନଧ୍ୟାନ ଅଛି । ମାତ୍ର ପ୍ରେମ ନିଶା ଚାଖିଦେଲେ ମୁଣ୍ଡ ହେଇଯାଏ ଗୋଳମାଳ । ପାଗଳ ହେଇଯାଏ ମୁଣ୍ଡ । ଏ ନିଶା ସାଂଘାତିକ ନିଶା–କଡ଼ା ନିଶା । ମିଠା–ମିଠାନିଶା । ଚବିଶ ଘଣ୍ଟା ବେହୋସ୍ କରା ନିଶା ।

ନିଶା…. !

ଯେଉଁଥିରେ ଜୀବନର ରଙ୍ଗ ଅଛି, ଜୀବନର ସ୍ପନ୍ଦନ ଅଛି, ଜୀବନର ସଙ୍ଗୀତ ଅଛି । ଜୀବନ ସହିତ ଜୀବନ ମିଶିବାର ଆକୁଳ–ପ୍ରବଳ–ଅତଳ ଦ୍ୟୋତନା ଅଛି ।

ଅନ୍ତର ଏଠି ହେଲା ମେନ୍‌ । ଦେହ ହେଲା ସବ୍‌ସିଡ଼ିୟାରୀ ।

ପ୍ରକୃତିର ରକ୍ତପଳାଶ ଏଠି ହୋରି ଖେଳେନା । ଖେଳେ ସୁବାସିତ ପ୍ରାଣର ଚନ୍ଦନର ବାରି ।

ଏଠି ମତ୍ତମାତଙ୍ଗ ପଦ୍ମବନକୁ ଦଳି, ମନ୍ଥି, ନଷ୍ଟ-ଭ୍ରଷ୍ଟ କରିଦେଲା ପରି କାହାକୁ ଲୁଟତରାଜ କରିବାପାଇଁ ଦସ୍ୟୁବୃତ୍ତିର ଦରକାର ହୁଏନା । ଦରକାର ହୁଏ ପୂଜାରୀର ମନୋଭାବ, ପୂଜାରୀର ମନୋଭାବ ।

ହଁ…ମୁଁ ବି ଦିନେ ମୋ ସାଙ୍ଗକୁ ପୂଜା କରିଥିଲି । କେବେ ମୁଁ ତା’ର ଦେହକୁ ଚାହିଁ ନଥିଲି-। ମୁଁ ଚାହିଁଥିଲି ପ୍ରଥମେ ତା’ର ମନ, ଅବଶ୍ୟ ଯଦି ମନ ପରେ ଆମର ଅଲକ୍ଷ୍ୟରେ, ଅଗୋଚରରେ ଦେହ ଆମେ ପରସ୍ପର ପାଇଛୁ, ତଥାପି ପରସ୍ପର ଆମେ ଆମର ଦେହପାଇଁ କାଙ୍ଗାଳ ନଥିଲୁ-। ମନ କାଙ୍ଗାଳ ଆମେ ।

କିନ୍ତୁ ମୁଁ ବିଲ୍ୱମଙ୍ଗଳ ହଉହଉ ଲେଖକ ହେଇଗଲି । ପାଗଳ ଲେଖକ । ବିଭୋଳ ଲେଖକ । ମୋର ଲେଖାରେ ଭଗବାନ୍‍ଙ୍କୁ ପାଇଲି ।

ଆଉ ସେ ରାଧା ହଉହଉ ଏକ ସାଧାରଣୀ କାଦମ୍ବିନୀ ହେଇଗଲା ।

ପ୍ରେମର ଚୋଟ ଖାଇଲେ କେତେକ କୂଅ-ପୋଖରୀକୁ ଡିଅନ୍ତି ବା ରେଳଗାଡ଼ି ତଳେ ବେକ ସମ୍ପନ୍ତି, କିନ୍ତୁ ଆମ ବଂଶରେ ଏ ସବୁ ଦେଖା ନାହିଁ । ପ୍ରେମର ଚୋଟ ଖାଇ ମୋର ଚାହୁଁଚାହୁଁ ବଳ ଜାଗିଉଠିଲା । ଏକାଡ଼େମୀ ପ୍ରାଇଜ ପାଇଲି ।

ଆଉ ପ୍ରେମରେ ଚୋଟଖାଇ ହତଭାଗା ପୁଅ ମୋର ପାଇଲା–ପଦ୍ମଶ୍ରୀ ।

ମୂର୍ଖ ଧୀରେନ୍‌–ଧୀରେନ୍ଦ୍ର ଦାଶ୍‌ ପଦ୍ମଶ୍ରୀ ।

କାହାର ମନ ଅନ୍ୟାୟଭାବେ ଭାଙ୍ଗିବାରେ ଆମର କିଛି ଅଧିକାର ନାଇଁ । କାହାର ମନରେ ଗଭୀର ଦୁଃଖ ଦେବାରେ ଆମର କିଛି ଅଧିକାର ନାଇଁ । ନିଜର ଯେମିତି ମନ ଅଛି, ସମସ୍ତଙ୍କରବି ସେହିପରି ମନ ଅଛି । କିନ୍ତୁ କିଏ ବା ପରର ମନ ବୁଝେ ? ପରର ଦୁଃଖ ବୁଝେ ?

ମୁଁ ମୋ ପୁଅର ମନ ବୁଝି ପାରି ନଥିଲି । ଦୁଃଖ ବୁଝି ପାରି ନଥିଲି ।

ଏଇଟା ବୋଧହୁଏ ଏକପ୍ରକାର ଅତ୍ୟାଚାର ପ୍ରବୃତ୍ତି । ବର୍ତ୍ତମାନ ଏକଥା ମୁଁ ଭାବୁଛି । କିନ୍ତୁ ଆଜକୁ ଛବିଶ, ସତେଇଶବର୍ଷ ତଳେ ମୁଁ ବୁଝିପାରି ନଥିଲି ।

ଧୀରେନ୍ ଗୋୱାଲିୟରରୁ ଯେବେ ଆସିଲା, ହଠାତ ମୁଁ ତାହାର ବିଭାଘରର ଯୋଗସୂତ୍ର ଆରମ୍ଭ କରିଦେଲି । ସେ ଆପତ୍ତି କରିଥିଲା । ମୁଁ ତାହାର ଆପତ୍ତି ଶୁଣି ନଥିଲି । ମୁଁ ଏ ବିଭାଘର ସପକ୍ଷରେ ବିଭିନ୍ନ ଯୁକ୍ତି ଦେଖାଇଥିଲି । ଥରେ ଘରୁ ଚାଲିଯାଇଥିବାରୁ ଏବଂ ବାପା–ମା’ଙ୍କ ମନରେ ଗଭୀର ଦୁଃଖ ଦେଇଥିବାରୁ ଧୀରେନ୍ ବୋଧହୁଏ ଅନେକ ସମୟରେ ତା’ର କୃତକାର୍ଯ୍ୟ ପାଇଁ ଅନୁତପ୍ତ ଥିଲା । ଘରୁ ଲୁଚି ଚାଲିଯିବା ଏକ ପ୍ରକାର ପିଲାଳିଆମୀ । ସେ ଯଦି ଜିଦ୍ କରିଥାନ୍ତା ଯେ, ସେ ସଙ୍ଗୀତ ବିଦ୍ୟା ଶିକ୍ଷା କରିବ, ଧୁମ୍ ଜିଦ୍, ତେବେ ଆମର ଅନ୍ୟ ଉପାୟ ନଥିଲା । କିନ୍ତୁ ସେ ଜିଦ୍ କରି ନଥିଲା ବରଂ ନିଜେ ଲୁଚି ଚାଲି ଯାଇଥିଲା । ମୁଁ ଦେଖିଲି ସଙ୍ଗୀତଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଲାଭ କରି ସେ ଅସମ୍ଭବ ପ୍ରକାରରେ ବିନୟ ହୋଇପଡ଼ିଛି । ଭଦ୍ର ସଂଯତ ହୋଇପଡ଼ିଛି । ଅବଶ୍ୟ ଆଗରୁ ସେ ଏପରି ନଥିଲା । ଏହାକୁ ଚେଞ୍ଜ କହନ୍ତି । ଏଣୁ ଏହି ଚେଞ୍ଜର ମୁଁ ସୁଯୋଗ ନେଲି । ଏ ସୁଯୋଗ କେବଳ ମୋପାଇଁ । ମୋରି ଖୁସିପାଇଁ । ତା’ର ବୃଦ୍ଧ ବାପାର (ମୁଁ ସେତେବେଳେ କହିବାକୁ ଗଲେ ବୃଦ୍ଧ ନଥିଲି ) ମନରେ ଦୁଃଖ ଦେବାକୁ ତା’ର ଆଦୌ ସାହସ ହେଲାନି ।

ମୁଁ ହୁଏତ ସେତେବେଳେ ଅତିମାତ୍ରାରେ ଜିଦ୍‍ଖୋର୍ ଥିଲି । ସେ ଯଦି ମୋ ଠାରୁ ଅଧିକ ଜିଦ୍ ଧରିଧାନ୍ତା, ସୌଦାମିନୀକୁ ବିବାହ କରିବାପାଇଁ ଦୃଢ଼ ପରିକର ହେଇଥା’ନ୍ତା, ତେବେ ମୋର ଜିଦ୍‍ଫିଦ୍ ପାଣିଫାଟି ଯାଇଥା’ନ୍ତା, କାରଣ ସେ ଓ ସୌଦାମିନୀ ଯେତେବେଳେ ଉଭୟେ ଉଭୟଙ୍କୁ ଚାହାଁନ୍ତି, ମୁଁ ସେତେବେଳେ ନିମିତ୍ତ ମାତ୍ର । ମୁଁ ବା ସେମାନଙ୍କର କ'ଣ କରିପାରିଥାନ୍ତି !

ପ୍ରେମରେ ଖାପଛଡ଼ା ଆଦୌ ଚଳେନା । ଏକଦମ ଚଳେନା । ଖାପଛଡ଼ା ଅର୍ଥ ଗଲତି କରିବା । କମ୍‍ଜୋରୀ ଦେଖାଇବା ।

ପ୍ରେମ-ଫ୍ରେମ ଯଦି ଆରମ୍ଭ କରିଛ, ତେବେ ଷ୍ଟିକ୍‌ କରି ରହିବା କଥା, କାରଣ ମନକୁ ଉଜାଡ଼ି ଦେଇ ପୁଣି ଫେରାଇ ଆଣିବା ଅବିବେକୀର କାମ । ପ୍ରେମ ବୋଧହୁଏ ଏକ ଅଦୃଶ୍ୟ ଶକ୍ତି-। ଏ ଶକ୍ତିକୁ କେବଳ ପ୍ରେମିକ ଆଉ ପ୍ରେମିକା ଉପଲବ୍‍ଧି କରନ୍ତି, ପ୍ରେମ କରିବା ପୂର୍ବରୁ ତାଙ୍କର କେତେ ଶକ୍ତି ଥିଲା, ଆଉ ପ୍ରେମ କରି ସାରିବାପରେ ତାଙ୍କର କେତେ ଶକ୍ତି ହେଲା, ସେହିମାନେହିଁ କେବଳ ଜାଣନ୍ତି । ଏହାଛଡ଼ା ଅନ୍ୟ କିଏ ଜାଣେନା । ତେବେ ଶକ୍ତିକୁ ପାଇ ଶକ୍ତିକୁ ସଞ୍ଚାର କରି ପୁଣି ହରେଇ ବସିବା ଏକ ପ୍ରକାର ବ୍ୟଭିଚାର ପ୍ରବୃତ୍ତିର ଫଳ । କାହାର ମନକୁ ଅଇଁଠା କରିବା, କାହାର ଦେହକୁ ଅଇଁଠା କରିବା, ତାକୁ ଚିରକାଗଜ, ଅଳିଆ କୁଟା, ଖତରା ପଟା କିମ୍ବା ଅନ୍ୟ କୌଣସି ଅଦରକାରୀ ଜିନିଷ ପରି ଫୋପାଡ଼ି ଦେବା ଉଚିତ ନୁହେଁ । ଯିଏ ମନର ଦେବୀ ବା ମନର ଦେବତା ସେ କେବେ ଅଳିଆ କୁଟା ହେଇ ପାରେନା । ମନର ସିଂହାସନରେ ତାକୁ ପ୍ରତିଷ୍ଠା କରି ତା’ର ବେକରେ ଅଦୃଶ୍ୟ ଫୁଲମାଳା ପକାଇ ପୁଣି ତାକୁ ବେକା ମାରିବା କାପୁରୁଷତାର ପଣ-

 

ସବୁଠାରୁ ଅସୁବିଧା କଥା, କାପୁରୁଷମାନେ ଯଦି ପ୍ରେମ କରନ୍ତି, କାରଣ କାପୁରୁଷ ପ୍ରେମିକପାଇଁ ରେଳଗାଡ଼ି ଭିଡ଼ି ଧରେନା । ରେଲଗାଡ଼ିତଳେ ବେକ ଦିଏ । ସମୁଦ୍ରକୁ ବାନ୍ଧି ରଖିବାକୁ ଚେଷ୍ଟା କରେନା, ହାଁ–ହାଁ ବୋବେଇ ବୋବେଇ ସମୁଦ୍ରରେ କୁଦାମାରେ ।

 

ଧୀରେନ୍‌ କିନ୍ତୁ ରେଳଗାଡ଼ିତଳେ ବେକ ଦେଖାଇ ନଥିଲା । ସମୁଦ୍ରକୁ ଡିଆଁ ମାରି ନଥିଲା । ସବୁ ସହି ଯାଇଥିଲା । ଆମେ ଦୁଇଜଣଯାକ ଏକା ଦୁଃଖ ସହିଛୁ । ମୁଁ କାଦମ୍ବିନୀର ବାପାଙ୍କର ଅତ୍ୟାଚାର ସହି ନେଲି । ଧୀରେନ୍ ତା’ର ବାପାର ଅତ୍ୟାଚାର ସହିନେଲା ।

 

ହା…ସୌଦାମିନୀ ! ଝିଅ ମୋର ! ତୁ ସତେ ସେଦିନ କେତେ କାନ୍ଦିଥିବୁ ସେଦିନ ମୋର ଏଇ ନିଷ୍ଠୁରତା ପାଇଁ ନିଜର ଭାଗ୍ୟକୁ କେତେ ଧିକ୍କାର କରିଥିବୁ ! ତୁ ପିଲାଟାଏ ! ତୁ ନିରୀହା, ସରଳ ପିଲାଟାଏ ! କିନ୍ତୁ ତୋ ପରି ସରଳା, ନିରୀହା ଝିଅକୁ ମୁଁ ସେତେବେଳେ କି କଷ୍ଟ ଦେଲି !

 

ଆମେ ସବୁ ବାପାମାନେ ସବୁ ଅନର୍ଥର ମଞ୍ଜି । ବୃଥା ମୁରବିପଣ ନେଇ ନିଜକୁ ଘରର ସମ୍ରାଟ ବୋଲି ଭାବି ତୁମକୁ ଦୟନୀୟ ପ୍ରଜାରୂପେ ଶାସନ କରି ଜାଣୁ, ଯେପରି ତୋ ମା'ର ବାପା ଆମକୁ ଶାସନ କରିଥିଲେ, ଆଉ ଯେପରି ତୋ ସାଙ୍ଗର ବାପା–ମୁଁ, ତୁମମାନଙ୍କୁ ଶାସନ କରିଥିଲି ।

 

ମୁଁ ଦେଖିଛି ମିନୀ, ତୋର ସେହି ନିରୀହ ଆଖି ଯୋଡ଼ିକୁ । ସେହି ଆଖି ଏଇ ବର୍ତ୍ତମାନ ମୋର ମନେ ପଡ଼ୁଛି । ଦୁଇଟି ବଡ଼ବଡ଼ ଟଣାଟଣା ଆଖି । ସେ ଆଖିରେ ଆଶାର ଆଲୋକ ଝଲମଲ ହଉଥିଲା । ସେ ଆଖିରେ ସମ୍ଭ୍ରମର ନମ୍ରତା ପରଶି ଖେଳି ଯାଉଥିଲା । ସେ ଆଖି ମୋ ପାଖରେ ଯଦିଓ ଭକ୍ତିରେ ନଇଁ ପଡ଼ୁଥିଲା, କିନ୍ତୁ ମୁଁ ନିଜେ ଦେଖିଛି, ଧୀରେନ୍ ପାଖରେ ସେ ଆଖି ଉଜଳି ଉଠୁଥିଲା । ଧୀରେନ୍ ଆଖି ସାଥିରେ ସେ ଆଖି ଯେତେବେଳେ ମିଶି ଯାଉଥିଲା, ମୁଁ ନିଜେ ଦେଖିଛି, ସେ ଆଖି କେଜାଣି କିପରି ଏକ ମହାନ୍ ଭାବରେ ମହା ସମୁଦ୍ରରେ ପହଁରି ଯାଉଥିଲା ।

 

ହାୟ..., ସେ ଦିନ ସେହି ଯୋଡ଼ିକ କେତେ ଯେ ନ କାନ୍ଦିଥିବ ! ସେହି ଆଖି ଦୁଇଟି ଯେପରି ନିରାଶାର ଘନ ଅନ୍ଧକାରରେ କାଉଳି ଖାଉଥିବ । ଧନ୍ଦୋଳି ଉଠୁଥିବ । ସେ ଆଖିରେ ଯେପରି ସାଥୀହରା ବିରହ ବ୍ୟଥାଜନିତ କୁଜ୍‍ଝଟିକାର ଘନ ଆସ୍ତରଣ ଅନ୍ଧପୋଟଳି ବାନ୍ଧି ଦେଇଥବ ।

 

ତୁ ଯଦି ସେଦିନ ମୋ ଉପରେ ଅଭିସମ୍ପାତର ବୋଝ ଢାଳି ଦେଇଥିବୁ, ତୁ ଯଦି ମୋର ଏଇ ନିଷ୍ଠୁରପଣ ପାଇଁ ନର୍କବାସର କାମନା କରିଥିବୁ, ତେବେ ମୁଁ ତ ତୋ ଉପରେ ଦୋଷ ଦେବିନି ମା…!

 

ଆଜି ସିନା ମୁଁ ଅନୁତାପ କରୁଛି; କିନ୍ତୁ ମୁଁ ତ ସେଦିନ ଏକ ପ୍ରତାପଶାଳୀ ପିତା ଥିଲି । ଗର୍ବୀ, ଉଦ୍ଧତ ପିତା ଥିଲି । ନିଜର ଖେଆଲପାଇଁ ତୁମର ପ୍ରେମକୁ ବିସର୍ଜନ ଦେଇଥିଲି । ତୁମକୁ ଖାତିର କରି ନଥିଲି । ମୋର ଆତ୍ମସର୍ବସ୍ୱ ମନ ନିକଟରେ ତୁମେମାନେ କେବଳ ଗୋଟିଏଗୋଟିଏ କ୍ରୀଡ଼ା ପୁତ୍ତଳିକା ଥିଲ, ତୁମର ମନ ସତେ ଯେପରି ନଥିଲା, ତୁମର ଭଲମନ୍ଦ ବିଚାର ଶକ୍ତି ଯେପରି ନଥିଲା । ଏହାହିଁ ମୁଁ ସେତେବେଳେ ଭାବୁଥିଲି ।

 

ମୁଁ ଦେଖୁଥିଲି, ତୁ ଏ ଘରେ ଏପାଖ ସେପାଖ ହେଇ ଦଉଡ଼ୁଥିଲୁ । ମାଉସୀମାଉସୀ ହେଇ ସୁଷମା ପଛରେ ଧାଉଁଥିଲୁ, ଦିନେ ନୁହେଁ ଦି'ଦିନ ନୁହେଁ, ତୋର ପିଲାବେଳୁ ତୋ ସୁଷମା ମାଉସୀ ପାଖରେ ତୁ ଅଳିଝଳି କରୁଥିଲୁ । ମାଉସୀ ପାଖରେ ରୋଷେଇଘରେ ତାକୁ ସାହାଯ୍ୟ କରୁଥିଲୁ । ମୋପାଇଁ ଚା' କରି ଚା' କପ୍ ବଢ଼ାଇ ଦେଉଥିଲୁ ମୋ ହାତକୁ । ମୁଁ ତୋର ସେଇ ମଉସା, ମୁଁ ସିନା (୯୦)ମା’ ତୋ ଉପରକୁ ଟେକା ପକାଇନି, କିନ୍ତୁ ତୋର ସୁକୁମାର ମନ ଉପରେ ମହଣ ଓଜନ ପଥର ଚାପିଦେଲି ।

 

ମୁଁ ଦେଖିଛି, ଅନେକ ସମୟରେ ତୁ ଧୀରେନ୍ ଟେବୁଲ ସଫା କରିଛୁ । ଧୀରେନ୍‍ର ବହି ସଜାଡ଼ିଛୁ । ତା’ର ବିଛଣା ଝାଡ଼ିଛୁ ।

 

ଆଉ ଏହାବି ମୁଁ ଦେଖିଛି, ଅନେକ ସମୟରେ ତା’ର ତାନପୂରାକୁ ତୁ ଭଲଭାବେ ସଫା କରି ତା' ହାତକୁ ହସିହସି ବଢ଼ାଇ ଦେଇଛୁ । ଖୁସିରେ ତା’ ମୁହଁକୁ ଚାହିଁ ରହିଛୁ ତା' ମୁହଁରେ ପଦେ ଗୀତ ଶୁଣିବାପାଇଁ ।

 

କିନ୍ତୁ ତୋପାଇଁ ଏ ଘର ମୁଁ ବନ୍ଦ କରିଦେଲି ! ତୋର ନ ଆସିବାପାଇଁ ଏ ଘରର କବାଟ କିଳି ଦେଲି ।

 

ଏ ଘରେ ତୋର ସ୍ଥାନ ନାହିଁ । ଏ ଘରେ ତୋର ସ୍ଥାନ ଆଦୌ ନାହିଁ । ତୁ ଯେପରି ଏ ଘରପାଇଁ ବିଷବୃକ୍ଷର ଏକ ବିଷଫଳ ।

 

ମୁଁ ସେଦିନ ବଧିର ହୋଇ ଯାଇଥିଲି । ମୁଁ ସେଦିନ ତୋପାଇଁ, ଧୀରେନ୍‍ପାଇଁ କଠୋର ହେଇଯାଇଥିଲି । ପଥର ହେଇ ଯାଇଥିଲି । ତୁମମାନଙ୍କର ପ୍ରେମକୁ ମୁଁ ଯେପରି ଗୋଇଠା ମାରି ଅଳିଆଗଦାକୁ ପକାଇ ଦେଇଥିଲି ।

 

ଧୀରେନ୍ ହୁଏତ କାନ୍ଦିଥିବ । ଧୀରେନ୍ ହୁଏତ ତା’ ମନେମନେ ବାହୁନି ଉଠିଥିବ । ଧୀରେନ୍ ହୁଏତ ତୋପାଇଁ ଏ ସାରା ଦୁନିଆକୁ ଅନ୍ଧାର ମଣିଥିବ । ତା’ ଆଖିରେ ତୁ ହଜାର ଦୀପର ଆଲୋକମାଳା ଥିଲୁ; କିନ୍ତୁ ତତେ ହରାଇ ସେ ଅନ୍ଧ ହୋଇଯାଇଥିବ ।

 

କିନ୍ତୁ ନା…, ତୋର ଏ ଘରେ ସ୍ଥାନ ନାହିଁ ।

 

ଧୀରେନ୍ ସତରେ କେଡ଼େ ଚଞ୍ଚଳ ତା’ର ପ୍ରେମକୁ ଜଳାଞ୍ଜଳି ଦେଲା; ଅଥଚ ପିତୃଆଜ୍ଞା ପାଳନ କଲା ।

 

ମୁଁ ବି ଦିନେ ତୋର ମା' ପାଖରୁ ଫେରି ଆସିଥିଲି ମିନୀ । ଖୁବ୍ ଚଞ୍ଚଳ ତୋର ମା'କୁ ଭୁଲିଯିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ଖୁବ୍ ଚଞ୍ଚଳଟା ଯେତେ ସହଜରେ ମୁଁ କହିପାରୁଛି, ତାହା ସେତେ ସହଜ ନୁହେଁ । ଖୁବ୍ ଡେରିରେବି ମୁଁ ତୋର ମା'କୁ ଭୁଲିପାରିନି ।

 

ଧୀରେନ୍ ସିନା ପିତୃ ଆଜ୍ଞା ପାଳନ କଲା, କିନ୍ତୁ ତତେ ସେ ଭୁଲିବ କିପରି ?

 

ଆଜି ଯାଏଁବି ଭୁଲିନି, ଭୁଲିନି ସେ । ତୁ କିନ୍ତୁ ଧୀରେନ୍‍କୁ ବୋଧହୁଏ ଭୁଲି ଯାଇଛୁ । ଝିଅମାନେ ତ ତାଙ୍କ ସାଙ୍ଗମାନଙ୍କୁ ଚଞ୍ଚଳ ଭୁଲନ୍ତି !

 

ମୋ ବୋହୂ… !

 

ସେ ଯେଉଁଦିନ ଏ ଘରକୁ ଶୁଭଶଙ୍ଖର ଆବାହନୀ ମଧ୍ୟରେ ଆସିଲା ମଥାରେ ଝକଝକ ସିନ୍ଦୂର ଘେନି, ମୁଁ ଭାବିଲି ଏଥର ସବୁ ଠିକ୍, ଆଉ ଭାବିବାର କିଛିହିଁ ନାହିଁ । ମୋ ବୋହୂକୁ ଦେଖି ମୋର ପିତୃପ୍ରାଣ ଉତ୍‍ଫୁଲ୍ଲିତ ହୋଇଉଠିଲା । ତା’ର ସରଳ, ନିରୀହ ଆଉ ସୁଧାର ମୁହଁରେ ମୁଁ ଅନ୍ୟ କାହାର ଛବି ଦେଖିବାକୁ ପାଇଲି ନାହିଁ, ପାଇଲି ନାହିଁ ମୋର ପ୍ରତିଦ୍ୱନ୍ଦ୍ୱୀର ଛବି କି ତା' ମା'ର ଛବି । ସେ ଯେପରି ନିଜେ ଏକକ । ସେ ଯେପରି ନିଜେ ସ୍ୱତନ୍ତ୍ର ।

 

ମୋ ସ୍ତ୍ରୀ ନାଁ ସୁଷମା, ଆଉ ମୋ ବୋହୂ ନାଁ ମନୋରମା । ପ୍ରାନ୍ତବର୍ଣ୍ଣ ଭିତରେ ଏହି ଯେଉଁ ସାମ୍ୟ ଏ ସବୁ ଘଟସୂତ୍ରବାଲାର କାମ, ମୋର କାମ ନୁହେଁ ।

 

ମୁଁ ଭଲଭାବେ ଲକ୍ଷ୍ୟ କରୁଥିଲି, ଧୀରେନ୍‍ର ବାଉଳା ମନକୁ ସେ ପଣତ କାନିରେ ବାନ୍ଧିବାରେ ଲାଗିଛି । ଧୀରେନ୍‍କୁ ଅନେକ ପରିମାଣରେ ତା’ର ଅତୀତ ସାଥୀକୁ ଭୁଲାଇଦେଇ ପାରୁଛି । ତା’ ସାଥିରେ ଧୀରେନ୍ ହସୁଛି, ଖେଳୁଛି, ବୁଲୁଛି । ସବୁ ଯେପରି ସ୍ଵଚ୍ଛନ୍ଦରେ ଗତି କରିବା କଥା ସେଥିରୁ କିଛି ବ୍ୟତିକ୍ରମ ଘଟୁନି ।

 

କିନ୍ତୁ ଆଃ..., କେହି ନଥିବା ଅବସ୍ଥାରେ, ମୋ ବୋହୂ ଅନ୍ୟ ଖଞ୍ଜାରେ ଥିଲାବେଳେ, ଧୀରେନ୍‌ ଯେତେବେଳେ ଏକାକୀ ସେତେବେଳେ ସେ ଏପରିଭାବେ ଗଳାରେ ଦରଦ ଦେଇ, ଗଳାରେ କାତରତା ଫୁଟାଇ ଗୀତ ବୋଲୁଛି କାହିଁକି ? ସତେ ଯେପରି ପତ୍ର କାନ୍ଦୁଛି, ସତେ ଯେପରି ବୃକ୍ଷ କାନ୍ଦୁଛି, ସତେ ଯେପରି ଫୁଲ କାନ୍ଦୁଛି, ସାରା ଦୁନିଆ କାନ୍ଦୁଛି, ସାରା ଘରଟା କାନ୍ଦୁଛି-। ଏ ଗଳାର କରୁଣ ଆବାଜ, ଏ ଗଳାର ବେଦନାମୟ ଆବାଜ, ମର୍ମସ୍ପର୍ଶୀ ଆବାଜ ହାହାକାର, ନିଃସଙ୍ଗତାବୋଧ, ବିବିକ୍ତତା ଅନ୍ୟ କେତେବେଳେ ତ ଶୁଣା ନଥିଲା ! ଏ ଗଳା ଯେପରି ପଥରକୁ ତରଳାଇବାକୁ ଲାଗିଛି, ଏ ଗଳା ଯେପରି କହୁଛି, ସାଥୀ କାହିଁ ? ସାଥୀ କାହିଁ ?

 

ସାଥୀ କାହିଁ... ?

 

ଏଇ, ସେ ତା’ର ଘର ଖଞ୍ଜାର ଗୋଟାଏ ଖୁଣ୍ଟକୁ ଆଉଜି ବସିଛି, ଆଉ ଆକାଶକୁ ଚାହିଁଛି । ତା’ର ମୁହଁରୁ ସରସତା ଲିଭିଯାଇଛି । ମଥାର ବାଳ ଆଗକୁ ଝାମ୍ପି ପଡ଼ିଛି । ଦାଢ଼ି ଦିଦିନ ହେଲା କଟା ହେଇନି । ଏଇ, ସେ ଘରଟା ଭିତରେ ଶୋଇ ରହିଛି, କବାଟ ବନ୍ଦକରି ଶୋଇ ରହିଛି, ଉଠିବାକୁ ନାହିଁ ।

 

ସେ ଚୁପ୍ ହୋଇପଡ଼ିଛି । ସେ ଉଦାସ ହୋଇପଡ଼ିଛି । ସେ ଗମ୍ଭୀର ହେଇଯାଇଛି । ହସୁନି । ବଡ଼ ପାଟିରେ କଥା କହୁନି । ଫୂର୍ତ୍ତିରେ ଯିବାଆସିବା କରୁନି ।

 

ମୁଁ ତା’ ହାତରୁ ତା’ର ସାଥୀକୁ ଛଡ଼ାଇ ନେଲି ।

 

ସେ ତା’ର ସାଥୀକୁ ଆହା...ପାଇଲାନି । ପାଇଲାନି । ସଶରୀରେ, ରକ୍ତମାଂସରେ ସିନା ପାଇଲାନି; କିନ୍ତୁ ବୋଧହୁଏ ତା’ର ସଙ୍ଗୀତ ମାଧ୍ୟମରେ ତା’ର ସାଥୀକୁ ଖୋଜିବସିଲା, ଆକୁଳଭାବେ ଖୋଜିବସିଲା । ସେହି ସଙ୍ଗୀତରେ ତା’ର ସାଥୀର ସତ୍ତା ଲୁଚି ରହିଛି । ସେହି ସତ୍ତାକୁ ଉପଲବ୍‍ଧି କରିବାପାଇଁ, ସେଇ ସତ୍ତାକୁ ମର୍ମେମର୍ମେ ଗ୍ରହଣ କରିବାପାଇଁ ସେ ସଙ୍ଗୀତରେ ସଦାଦିନ ବୁଡ଼ି ରହିଲା । ହଁ, ଏଇଥିପାଇଁ ତା’ ବିଭାଘରର ପନ୍ଦରବର୍ଷ ପରେ ସେ ପାଇଲା ପଦ୍ମଶ୍ରୀ ଉପାଧି । ହୃଦୟର ତାନପୂରାରୁ ଯେଉଁ ତାର ଛିଣ୍ଡି ଯାଇଥିଲା କରୁଣ ମର୍ମାନ୍ତିକ ସୁର ମୂର୍ଛନା ତୋଳି, ସେଇ ତାରର ସୁର ମୂର୍ଛନା କୁଆଡ଼େ ହଜି ନ ଯାଇ ରହିଗଲା ସବୁଦିନ ପାଇଁ ତା’ର ଗଳାରେ । ଦରଦୀର ଗଳା, ଯେଉଁ ଗଳାର ସଙ୍ଗୀତର ପ୍ରତ୍ୟେକ ଛନ୍ଦରେ, ଆଉ କେହି ନୁହେଁ, ଯେପରି ମିନୀ ପୂରିରହିଛି । ମିନୀର ହତାଶାପାଇଁ ଧୀରେନ୍‍ର ସମ୍ବେଦନଶୀଳ ପ୍ରାଣର ଦୁଃଖଭରା ଖେଦୋକ୍ତି ଯେପରି ପୂରିରହିଛି ।

 

ମୁଁ ଭଲଭାବେ ଜାଣେ, ତା’ର ବିଭାଘର ପରଠାରୁ ସେ ଆଉ ସୌଦାମିନୀର ସଖ୍ୟ କେବେ ଲାଭ କରିନି । ଲାଭ କରିବାକୁ କେବେ ମନ ବଳାଇନି । ପୋଡ଼ିଗଲା ତୁଣରେ ସତେ ଆଉ କି ସୁଆଦ ଥାଏ ? ମୁଁ ଯାହା ଭାବିଥିଲି, ବିଭାଘର ପରେ ସେ ତା’ର ସାଙ୍ଗକୁ ଭୁଲିଯିବ; କିନ୍ତୁ ସେ ଭୁଲି ନଥିଲା । ଅବଶ୍ୟ ପ୍ରକାଶ୍ୟରେ ସେ ମନୋରମା ପ୍ରତି କେବେ ମନ୍ଦ ବ୍ୟବହାର କରି ନଥିଲା । କେବେ ମୋ ପ୍ରତି ଅଭିଯୋଗ କରି ନଥିଲା । କିନ୍ତୁ ମୁଁ ଜାଣିଥିଲି, ସଙ୍ଗୀତରେ ସେ ମୋ ପ୍ରତି ବିଦ୍ରୋହ କରୁଛି । ମୁଁ ତା’ର ସାଥୀକୁ ତା’ ଠାରୁ ଛଡ଼ାଇ ନେଇଛି ବୋଲି ସେ ସଙ୍ଗୀତରେ ବାହୁନିବାହୁନି ମଥା ପିଟୁଛି ।

 

ସଙ୍ଗୀତରେ ତା’ର ହୃଦୟକୁ ମିଶାଇ କାନ୍ଦିଉଠୁଛି ।

 

ଗୋଟିଏ ବୋଲି ପୁଅ ମୋର, ଯଦିଓ ମୋ ମୁହଁରେ କିଛି କହିଲାନି, ତଥାପି ମୁଁ ବର୍ତ୍ତମାନ ଭାବୁଛି, ତା’ର ସାଙ୍ଗକୁ ତା’ ପାଖରୁ ମୋର ଆତ୍ମଶାନ୍ତି ପାଇଁ ମୁଁ କାହିଁକି ଛଡ଼ାଇ ନେଲି ? କାହିଁକି ତା’ ମନକୁ ଗୋଟାଏ ଶାଣିତ ଖୁର ଧରି ଧାରଧାର କରି ଚିରି ପକାଇ ଲହୁଲୁହାଣ କରି ଦେଲି ?

 

କିନ୍ତୁ ଯାହା ହେବାର ଥିଲା, ତାହାହିଁ ଘଟିଗଲା । ଏକ ସ୍ୱେଚ୍ଛାଚାରୀ ପିତାର ତା’ର ପୁଅପାଇଁ ଯାହା କରିବାର ଥିଲା, ତାହା ସେ କଲା । ଧୀରେନ୍ ମନୋରମାକୁ ପାଇ ଦୁନିଆ ଆଖିରେ, ମୋ ଆଖିରେ ସଂସାର କରିବାକୁ ଲାଗିଲା ।

 

।। ଦଶ ।।

 

ଧୀରେନ୍‍ର ପୁଅ ବୀରେନ୍, ମୋ ନାତି ଟୋକା–ବୀରେନ୍ଦ୍ର ଦାଶ, ଡିପ୍ଲୋମା-ଇନ୍‌-ଫାଇନ୍‌ ଆର୍ଟ, ଗୋଲଡ଼୍‍ ମେଡ଼ାଲିଷ୍ଟ, ତା’ରି ମେମ୍ ଅନୁପମା ଦିନେ ରୁଷିବସିଲା ।

 

ତା’ର ରୁଷା ଦେଖି ମୁଁ ହସିଉଠୁଛି । ସେ ତା’ର ପଲଙ୍କଟା ଉପରେ ସେଇ–ସେଇମିତି ଶୋଇଛି ଯେ ଉଠୁନି । ଖାଉନି । ପିଉନି । ଶୋଇରହିଛି । କେବଳ ଗ୍ଲାସଗ୍ଲାସ କଫି ଖାଉଛି ।

 

ଏଇଟା ବୋଧହୁଏ ତା’ର କଫିଖିଆ ରୁଷା ।

 

ତା’ ଶ୍ୱଶୁର ନାହିଁ । ତା’ ଶାଶୂ ମଧ୍ୟ ନାହିଁ । ସେମାନେ ତିନି ଚାରିଦିନ ହେଲା ଲକ୍ଷ୍ନୌ ଯାଇଛନ୍ତି ସଙ୍ଗୀତ ସମ୍ମେଳନରେ ଯୋଗ ଦେବାପାଇଁ ।

 

ଯୋଉମାନେ ବେଶି ଗେଲବସରୀ, ଅଲିଅଳୀ, ରୁଷିଲାବେଳେ ଝାଙ୍କ ଛିଣ୍ଡାନ୍ତି । ଅନୁପମା ଝାଙ୍କ ଛିଣ୍ଡାଉଛି । ଉଠୁନି ।

 

ବୀରେନ୍‍ଟା ସିନା ଉପରେ ଖୁବ୍ ପାରିବାର ବୋଲି ଦେଖାଇହୁଏ, କିନ୍ତୁ ଏକଦମ ବୋକା । ଶ୍ରୀ ରାଧାଙ୍କର ମାନଭଞ୍ଜନ କିପରି ହୁଏ, ସେ କଥା ମୁଁ କ'ଣ ତାକୁ ବୁଝାଇବି ?

 

ନାତୁଣୀବୋହୂର ଏ ରୁଷାରେ ମୁଁ ତା’ ପ୍ରତି ବିରକ୍ତ ହେଲିନି, ବରଂ ମତେ କେମିତି ତା’ର ଏ ପିଲାଳିଆମୀରେ ଖୁସି ଲାଗୁଥିଲା । ବୀରେନ୍‍ଟା ତାକୁ ବୁଝାଉଛି, ମାତ୍ର ସେ ଉଠୁନି ।

 

ସୁଷମା ମୋତେ ପେଲି ଦେଇ କହିଲା–ଏଇଠି ବସି ଖାଲି ବହି ପଢ଼ୁଥାଅ । ସିଆଡ଼େ ସେ ଟୋକାଟୋକୀ ଦିହେଁ ପାଟିକରି ଘର ଫଟାଉଛନ୍ତି, ଆଉ ତମେ ମଜା ଦେଖୁଛ ?

 

କ’ଣ ହେଲା ?

 

ଆଉ ହବ କ’ଣ ? ସମସ୍ତେ ତ ଏକା ନାଉର ମଞ୍ଜି । ଆମ୍ବ ଗଛରେ କେବେ କ'ଣ ଆମ୍ବଡ଼ା ଫଳେ ?

 

କ’ଣ ଆମ୍ବ, ଆମ୍ବଡ଼ା ହଉଛ ? ବୁଝାଇ କୁହ ।

 

କାଦମ୍ବିନୀର ନାତୁଣୀ ସରୋଜିନୀ, ଆଉ ତୁମର ନାତି ବୀରେନ୍, ସେମାନେ ତାଙ୍କ ଅଜା, ଆଈଙ୍କ ଗୁଣ ନେଇ ବଢ଼ି ଉଠିଛନ୍ତି !

 

ହେଃ…କାହିଁକି କାଦମ୍ବିନୀ–କାଦମ୍ବିନୀ ହଉଛୁ ?

 

ସୁଷମା ହସିହସି କହିଲା–କ'ଣ ଚମକ ଖେଳିଯାଉଛି କି ?

 

ନା…ତମେ ଯୋଉଠି ଅସଲି ଚମକ ଭରି ଦଉଛ; ସେଠି କାଦମ୍ବିନୀ କି ଚମକ ଖେଳାଇବ ?

 

ଉଁ…… !

 

କ’ଣ ଉଁ…? ବୁଢ଼ୀକାଳେ ତୁମେ ଯେମିତି ଛଟକରେ ଉଁ…ମାରୁଛନା, ମନେ ହଉଛି, ତମେ ଯେମିତି ଦିନକୁଦିନ ନବଯୌବନୀ ହୋଇଯାଉଛ ।

 

ହି...ହି…ହି...

 

ସୁଷମା ହସି ପକାଇଲା । ତା’ର ପାକୁଆ ପାଟିରେ ହସ ଧାଡ଼ିକ ମତେ ଭାରି ଖୁସି ଲାଗିଲା । ଯୁବତୀ ହଉ କି ବୁଢ଼ୀ ହଉ, ନାରୀମାନଙ୍କୁ ଯଦି ତାଙ୍କ ରୂପ ବିଷୟରେ ତାରିଫ କରାଯାଏ, ତେବେ ସେମାନେ ଫୁଲିଉଠନ୍ତି । ସୁଷମା ଫୁଲି ଉଠି ହସି ଉଠିବାଟା ତା’ ପକ୍ଷରେ କିଛି ଅସ୍ୱାଭାବିକ ନୁହେଁ ।

 

ମୁଁ ହସିଲି, କହିଲି–କ'ଣ ଟେପ୍‌ ରେକର୍ଡ଼ରଟା ଆଣିବି ?

 

କାହିଁକି ?

 

ଏଇ ଯୋଉ ହସୁଛ, କାହିଁକି ଏ ମିଠା ହସ ପବନରେ ମିଳାଇ ଯିବ ? ହେଲେ ରେକର୍ଡ଼ରେ ବାନ୍ଧି ନେଲେ, ତା’ର ଉଚିତ ମୂଲ୍ୟ ରହିବ ।

 

ହେତ୍… !

 

ନାହିଁ ତେବେ, ଯାଉଛି ଦର୍ପଣଟା ନେଇଆସିବି ।

 

ସେ ପୁଣି କାହିଁକି ?

 

ହସିଲାବେଳେ ନିଜ ମୁହଁଟାକୁ ଦେଖିବ । କେଡ଼େ ସୁନ୍ଦର ସଜମଲ୍ଲୀପରି ଦିଶୁଛି । ଆଉ ଦେଖିବ, କେମିତି ଧାରେ ପାନପିକ ପାଟିରୁ ବୋହି ଆସୁଛି ।

 

ଚଟ୍‌କରି ସେ ତା’ର ଲୁଗା କାନିରେ ପାଟିର ପାନପିକକୁ ପୋଛି କହିଲା–ବୁଢ଼ା ହେଲଣି ଆସି, ସେଇ ଢଙ୍ଗ ଆଜିଯାଏଁ ଗଲାନି !

 

ମୁଁ ହସି ଉଠିଲି, କହିଲି–ସେଇ ଢଙ୍ଗଟା ଶିଖିଛି ବୋଲି ସିନା ତୁମକୁ ହସେଇ ପାରୁଛି, ନ ହେଲେ–

 

ଦେଖ, ମତେ ସେମିତି ଜଳାନା । ସେଠି ନାତୁଣୀବୋହୂଟା ହାଣ୍ଡିପରି ମୁହଁଟା କରି ପଡ଼ିରହିଛି, ଯେତେ ବୁଝାଇଲେବି ଉଠୁନି ।

 

କାହିଁକି କ'ଣ ହେଲା ?

 

ସରୋଜିନୀକୁ ବୀରେନ୍ ଭଲ ପାଉଥିଲା ବୋଲି ସେ ଜାଣି ପାରିଛି ।

 

ହଁ…, ସେଇଠୁ କ'ଣ ହେଲା ?

 

ଆଉ ସେଥିପାଇଁ ସେ ଭାବୁଛି ବୋଧହୁଏ ବୀରେନ୍ ତାକୁ ଭଲ ପାଏନା ।

 

ହେଃ…., ଏସବୁ ବାଜେ କଥା ! ମୁଁ ହସିଲି ।

 

ମୋ ଆଗରେ ବାଜେ କଥା ନକହି, ଭଲା ତାକୁ ବୁଝାନ୍ତ ।

 

ମୁଁ କ'ଣ ବୁଝାଇବି ? କାଦମ୍ବିନୀକୁ ମୁଁ ଭଲ ପାଉଥିଲି, ଏକଥା ତମେ ଯେଉଁଦିନ ଜାଣିଥିଲ, ସେହିଦିନ ରୁଷିଥିଲ । ମନେ ଅଛି ?

 

ହଁ…ମନେ ଅଛି ।

 

ମୋ ହାତକୁ ଛିଞ୍ଚାଡ଼ି ଦେଉଥିଲ । ମୋତେ ପାଖରେ ପୂରାଇ ନଥିଲ । କିନ୍ତୁ ତୁମର ରୁଷା ଭାଙ୍ଗିବାପାଇଁ ମୁଁ ତ ଆଉ କାହାକୁ ମଧ୍ୟସ୍ଥ କରି ନଥିଲି ? ଯୋଉ ରାଧା ମାନ କରୁଛି, ତାହାର ମାନ ଭାଙ୍ଗିବାପାଇଁ ତା’ର କୃଷ୍ଣ ତ ତା' ପାଖେପାଖେ ମହଜୁଦ ଅଛନ୍ତି । ମୁଁ ଯାଇ ସେଠି କ'ଣ କରିବି ? ତେବେ କହିବ ଯଦି ତୁମର ଖୁସିପାଇଁ ମୁଁ ଯଦି କିଛି ତୁମର ଉପଚାର କରି ପାରନ୍ତି–ତେବେ ଏ ସେବକ ଧନ୍ୟ ହୁଅନ୍ତା ।

 

ସୁଷମା ପୁଣି ହସିଲା ।

 

ଯାଅ…ହସନି । ପୁଣି ଦର୍ପଣ ଦରକାର ପଡ଼ିପାରେ । ଯାଅ…ଚା' କପେ ଏଇ କିଙ୍କରପାଇଁ ଆଣ । ଠିଆ ହେଇଛ କାହିଁକି ?

 

ସୁଷମା ହସିହସି ଚାଲି ଯାଉଥିଲା । ମୁଁ କହିଲି–ସ୍ୱାମୀ-ସ୍ତ୍ରୀରେ ରୁଷାରୁଷି ଏ ସବୁ ଘଡ଼ିକପାଇଁ । ସାଙ୍ଗେ ମିଟ୍‌ମାଟ୍‌ ହବ । ଏ ସବୁଥିରେ ଆମର ମୁଣ୍ଡ ଖେଳାଇବା ଆଦୌ ଦରକାର ନାହିଁ । ଏଇନା ରୁଷାରୁଷି ହେଇଛନ୍ତି, କେହି କାହା କଥା ଶୁଣୁ ନାହାନ୍ତି । ଏଇନେ ପୁଣି ଏମିତି ହବ ଯେ, ଦିହେଁ ହାତ ଧରାଧରି ହେଇ ସିନେମା ଦେଖିଯିବେ ।

 

ମୋ ନାତିଟୋକା ବୀରେନ୍ !

 

ଫିଲ୍ମଷ୍ଟାର୍‌ ନହେଲେ ମଧ୍ୟ ବେଶଭୂଷା ଫିଲ୍ମଷ୍ଟାର୍ ମାଫିକ । କାରବାର ଫିଲ୍ମଷ୍ଟାର୍‌ ମାଫିକ । ଚାହାଣି, କଥାବାର୍ତ୍ତା, ହସ, ନିଶକଟା, ବାଳକଟା, ସିଗ୍ରେଟ୍‍ଧରା, ଏଇମିତି ସବୁ ଫିଲ୍ମଷ୍ଟାର୍‌ ମାଫିକ । କିନ୍ତୁ ଚେହେରା ଫିଲ୍ମଷ୍ଟାର୍‌ ହେଲେ କ'ଣ ହବ, ନାତୁଣୀବୋହୂକୁ ବୁଝେଇ ପାରୁନି ?

 

ସେଇଟା ଶୁଦ୍ଧ ବୋକା ! ଚେହେରା କହୁଛି ବୋକା, ମୁଁ ଅଜା ନା, ଆଉ ମୋ ନାତିକୁ ବଜାରୀ, ଦୁଷ୍ଟ, ବଗୁଲିଆ, ଛତରା ବୋକା ନ କହି କ'ଣ କହିବି ? ସେ ବେଳେବେଳେ ଆର୍ଟ ଡାଇରେକ୍‍ଟର ହେଇ ଫିଲ୍ମିରେ କାମ କରୁଛି, ତା’ ଛଡ଼ା ତା’ର ନିଜରବି ଷ୍ଟୁଡ଼ିଓ ଅଛି, କାମର ବରାଦ ଅଛି, କାମର ଚାହିଦା ଅଛି, ବହୁତ ଚାହିଦା । ତା’ ପାଖରେ ବିଭିନ୍ନ ଲୋକଙ୍କର କାମ । ଆସୁଛନ୍ତି, ଯାଉଛନ୍ତି ।

 

ଆମ ଘର ପ୍ରକୃତରେ ଏକ ହାଟରେ ପରିଣତ ହେଇଛି । ଏଇ ଦେଖ, ମୋ ଘରେ କେତେ ଲୋକ, ମୋ ପାଖରେ ବସି ହୋହୋ ହେଉଛନ୍ତି । ଏଇ ଦେଖ ପୁଅ ଧୀରେନ୍ ଘରେ କେତେ ଲୋକ, ତା’ ପାଖରେ ବସି ସଙ୍ଗୀତ ଆଲୋଚନା କରୁଛନ୍ତି । ପୁଣି ଦେଖ ମୋ ନାତି ବୀରେନ୍ ଘରେ କେତେ ଲୋକ ତା’ ପାଖରେ ବସି ଠୋଠୋ ହସୁଛନ୍ତି, ନଇଲେ ନାଇଁ ତା’ର କାମକୁ ତାରିଫ କରୁଛନ୍ତି । ତା’ ଛବିର ଦାମ୍ ଶହଶହ ଟଙ୍କା, ଆଉ କେତେବେଳେବି ହଜାରହଜାର-

 

ଆମ ସଭିଙ୍କ ଟଙ୍କାରେ ଆମ ଘରର ରୂପ ବଦଳିଛି । ମୁଁ ଯାହା କରିଥିଲି, ମୋ ପୁଅ ତା’ର ଅଧିକ କଲା, ମୋ ନାତି ଅଧିକ କରିବ ।

 

ମୋ ନାତି ବୀରେନ୍‍ର ମଧ୍ୟ କିଛିକିଛି ଇତିହାସ ଅଛି । ପ୍ରେମ ଇତିହାସ । ଆମ ସଭିଙ୍କ ରକ୍ତର ଦୋଷ ଇଏ । ଆମେ ଆମ ବଂଶରେ ସମସ୍ତେ ପ୍ରେମ କରି ଶିଖିଛୁ, ଅଥଚ ଆମର ପ୍ରେମିକାକୁ ବାହା ହୋଇ ଜାଣିନୁ ।

 

ଆଉ କାହାକୁ ବା ସେ ପ୍ରେମ କରିବ ?

 

ସେଇଟା ତ ଆମର ଗଡ଼ି ଆସୁଥିବା ରକ୍ତର ଧର୍ମ ।

 

ବୀରେନ୍ ବଦମାସଟା ସରୋଜିନୀକୁହିଁ ପ୍ରେମ କଲା ।

 

ଦିନେ ମୁଁ କୌଣସି କାରଣରୁ ଭୁବନେଶ୍ୱରର ସାହିତ୍ୟ ଏକାଡ଼େମୀ ଅଫିସ ଭିତରୁ ବାହାରି ଆସି ମୋ କାର୍ ପାଖରେ ଠିଆ ହେଇଛି, ଏବଂ ଡ୍ରାଇଭର ସାଥିରେ କଥାବାର୍ତ୍ତା କରୁଛି, ହଠାତ ମୁଁ ଦେଖିଲି, ମୋ ପଛଆଡ଼ୁ ଗୋଟାଏ ସ୍କୁଟର ଆବାଜ କରି ମୋତେ ଟପିଗଲା ଏବଂ ମୋ ପାଖରୁ ଦଶ କୋଡ଼ିଏ ଫୁଟ୍ ଆଗେଇ ଯାଇ ତୀବ୍ର ବ୍ରେକ୍ କଷି ଠିଆ ହେଇଗଲା ।

 

ଆରୋହୀ ଯିଏ ସେ ମୋ ନାତି ବୀରେନ୍, ଆଉ ଆରୋହିଣୀ ଯିଏ ତା’ର ଅଣ୍ଟାକୁ ଦୁଇହାତରେ କୁଣ୍ଡେଇ ଧରି ବସିଛି, ଫିକା ନୀଳ ଲୁଗା ପିନ୍ଧି, ସେ ସରୋଜିନୀ । କାଦମ୍ବିନୀର ଝୁଅ ସୌଦାମିନୀର ଝୁଅ ସରୋଜିନୀ ।

 

ବୀରେନ୍ ସ୍କୁଟରରୁ ଓହ୍ଲାଇ ପଡ଼ିଲା, ଆଖିରେ ତା’ର କଳା ଚଶମା ।

 

ସରୋଜିନୀ ସ୍କୁଟରରୁ ମଧ୍ୟ ଓହ୍ଲାଇ ପଡ଼ିଲା, ଆଖିରେ ତା’ରବି କଳା ଚଶମା, ଆଉ ମୁଣ୍ଡରେ ତା’ର ଲାଲ ଟୁକ୍‌ ଟୁକ୍‌ ସ୍କାର୍ଫ କାନ ମୂଳକୁ, ଗାଲକୁ ବେକକୁ ଘୋଡ଼ାଇ ରଖିଛି । ସେ ମତେ ଦେଖି ହି...ହି… ହସିଲା–ଅଜା, ତମେ ଏଠି ?

 

ରାଧାକୃଷ୍ଣ ଯେ କଦମ୍ବ ଗଛ ଛାଡ଼ି, ଯମୁନାକୂଳ ତେଜ, ରାଜଧାନୀରେ ସ୍କୁଟରରେ ସାଏଁସାଏଁ ଉଡ଼ୁଛନ୍ତି, ତାହା ଦେଖିବାକୁ ଏଠି ।

 

ସେ ହସିଲା । କହିଲା–ଆମର ଏ ଯୋଡ଼ି ଦେଖି ହିଂସା ଆସୁଛି, ନୁହେଁ ? ଆଈକୁ ଆଣିଲ ନାହିଁ ?

 

ଆଈ ତ ତୋ ପରି ଆଉ ନହୁଲୀବୟସୀ ନୁହ । ଦାନ୍ତ ପଡ଼ିଗଲାଣି କଳା ବାଳ ଧଳା ହେଲାଣି । ବୁଢ଼ୀ; କିନ୍ତୁ ତୁ, ତୁ ତ–

 

ହେତ୍, ଏଇ ରାସ୍ତାରେ ଚାଲିଲା ଥଟ୍ଟା । ତମେ ବଡ଼ ଦୁଷ୍ଟ ଅଜା ।

 

ମୁଁ ହସିଲି, କହିଲି–କିରେ, କୁଆଡ଼େ ଆସିଥିଲ ?

 

ବୀରେନ୍ କହିଲା, ଘରେ ବସିବସି ଭଲ ଲାଗିଲାନି । ଭାବିଲି ଜିନୀକୁ ନେଇ ଟିକେ ଭୁବନେଶ୍ୱର ବୁଲି ଆସିବି ।

 

ଆରେ, କେବଳ ଏଇ ଭୁବନେଶ୍ୱର ବୁଲାରେ ଦିହେଁ ମଜା ମାରିନେଲ ? ଖଣ୍ଡଗିରି, ନନ୍ଦନ କାନନ କିଏ ଯିବ ? ନନ୍ଦନ କାନନରେ ହୁଏତ ଜିନୀଟା ଅଦ୍ଭୁତ ଭାବରେ ଉର୍ବଶୀପରି ଦିଶନ୍ତା, ଆଉ ସେଇଠି ଯଦି ତୁ ଜିନୀକୁ ମଡ଼େଲ୍ କରି ଗୋଟିଏ ଚିତ୍ର ଆଙ୍କି ବସନ୍ତୁ, ନଚେତ ଅନ୍ୟ କିଛି, ଏଇ ମାନେ–

 

କ'ଣ କହୁଛ ? ଜିନା ପଚାରିଲା ।

 

ବୁଝିତ ସାରିଲୁଣି, ଆଉ କହିବାର ଦରକାର କ'ଣ ?

 

ଗାରୁଗାରୁ ହେଇ ନାଲିପଡ଼ି ସେ କହିଲା–ବୁଢ଼ାଦିନେ କ'ଣ ତୁମର ବୁଦ୍ଧିବୃତ୍ତି ସବୁ ପୋଡ଼ି ଖାଇଲଣି !

 

ନା, ଯାହା ସତହିଁ କହୁଛି । ପ୍ରେମ ବ୍ୟାପାରରେ ଏ ରାସ୍ତା, କୋଠାବାଡ଼ି ଭଲ ନୁହ । ଖଣ୍ଡଗିରିରେ ନିଭୃତ ଗୁମ୍ଫା କିମ୍ବା ନନ୍ଦନକାନନରେ କୁଞ୍ଜବନ ।

 

ଅଜା... ! ଜିନା ଲଜ୍ଜା ଓ ବିରକ୍ତିରେ ଫାଟିପଡ଼ିଲା । ବୀରେନ୍ ଆଙ୍ଗୁଠିର ନଖ କାମୁଡ଼ୁଥିଲା ।

 

ସେମାନଙ୍କର ଏକ ଲଜ୍ଜା ମୁଁ ମର୍ମେମର୍ମେ ଉପଭୋଗ କରୁଥିଲି, କହିଲି–ଯାହା ଆମବେଳେ ସ୍କୁଟର, ମଟର ସାଇକେଲ ବାହାରିଲା ନାହିଁ । ଆମବେଳେ ତ ସେଇ କେଁକଟର ଶଗଡ଼ । ସ୍କୁଟର ଆଉ ମଟର ସାଇକେଲରେ ସାଥୀକୁ ପଛରେ ବସାଇ ତମେ ତୁମର ମଉଜ ଯେପରିଭାବେ ଉଡ଼ାଉଛ, ଆମେ ଏସବୁ ଦେଖି ହାଁ ମାରିଯାଉଛୁ ।

 

ଅଜା, ଗୋଟାଏ କଥା କହିବି, ରଖିବେ ? ବୀରେନ୍ ପଚାରିଲା ।

 

ବାପାଙ୍କୁ କହିବେନି ।

 

କି କଥା ?

 

ଏଇ ମୁଁ ଜିନୀ ସାଥୀରେ ଏଠି ଆସି ବୁଲୁଛି ।

 

ଆରେ ତୋ ବୋପାକୁ ମୁଁ କାହିଁକି କହିବି ? ତୋ ବୋପାର ବୋପା ଯେତେବେଳେ ତୁମ ଦୁହିଁଙ୍କ ନନ୍ଦନକାନନ ବୁଲିଯିବା ପାଇଁ କହୁଛି, ସେତେବେଳେ ମୁଁ କାହାକୁ କ’ଣ କହିବି ? କିନ୍ତୁ ଦେଖ, ପଛରେ ଗୋଲାପପରୀକୁ ବସାଇଛୁ ବୋଲି ବାହାଦୁରି ଦେଖାଇ ଜୋର୍‌ରେ ସ୍କୁଟର ନବୁନି-। ବୁଝିଲୁ ।

 

ବୀରେନ୍‌ କୃତକୃତ୍ୟ ହେଇ ହସିବାକୁ ଲାଗିଲା । ମୋ ପାଖରୁ ବିଦାୟ ନେଇ ସ୍କୁଟର ଷ୍ଟାର୍ଟ କଲା । ତା’ ପଛରେ ଯାଇ ବସିଲା ଜିନୀ । ବୀରେନ୍‌ର ଅଣ୍ଟାକୁ ଗୋଟାଏ ହାତରେ ଗୁଡ଼ାଇ ଧରି ଅନ୍ୟ ହାତରେ ମୋତେ ହସିହସି କହିଲା–ଟା...ଟା...

 

ମୁଁ ହାତ ହଲାଇଲି ।

 

ଜିନୀ କଲେଜରେ ପଢ଼ୁଛି । ପିଲାଟିଦିନୁ ବୀରେନ୍‌ର ସାଙ୍ଗ । ବୀରେନ୍‌ର ଜନ୍ମ ହେବାର ଦୁଇବର୍ଷ ପରେ ଜିନୀ ଜନ୍ମ ହୋଇଥିଲା । ବୀରେନ୍‌ ଯେମିତି ଆମର ଗୋଟିଏ । ଜିନୀ ମଧ୍ୟ ସେହିପରି ତାଙ୍କରି ଗୋଟିଏ । ଆମ ପରିବାରରେ କେବଳ ଗୋଟିଏ ଲେଖାଏଁ ପୁଅ ଦେଇ ଷଠୀଦେବୀ ତାଙ୍କର ଗୁରୁ କର୍ତ୍ତବ୍ୟ ସମାପନ କରିଥିଲେ । ତାଙ୍କ ପରିବାରରେ ଗୋଟିଏ ଲେଖାଏଁ ଝୁଅ ଦେଇ ଷଠୀଦେବୀ ଭାବିଲେ ଯେ, ହଁ ଯଥେଷ୍ଟ ହେଲା । ଗୋଟିଏ ଝୁଅ ତାଙ୍କପାଇଁ ବହୁତ ।

 

ଧୀରେନ୍‌ର ବିବାହ ମୁଁ ଯେବେ ବନ୍ଦ କରି ଦେଇଥିଲି, କାଦମ୍ବିନୀ ସୌଦାମିନୀକୁ ବିବାହ ଦେଲା ଏପରି ଏକ ଲୋକ ସାଥିରେ, ଯେ କି ତା’ର ଶ୍ୱଶୁର ପରି ଘରଜୋଇଁଆ ହେଇ ରହିଲା । ତାଙ୍କର ଘରଜୋଇଁଆର ଘର । ଆଶ୍ଚର୍ଯ୍ୟ ଘର । ବିଶାଳ ସମ୍ପତ୍ତି ଲକ୍ଷ୍ମୀଙ୍କ କରୁଣାରୁ ସେମାନେ ଲାଭ କରିଥିବାରୁ ଘରଜୋଇଁଆ ହେବାକୁ କୌଣସି ପୁରୁଷ ପିଲାର ଆପତ୍ତି ନଥିଲା । ୟା ବୋଲି ଯେ, ଆଜେବାଜେ ଅଜ୍ଞାତ କୁଳଶୀଳ ପୁରୁଷ ସେ ଘରକୁ ଜାମାତା ହେଇ ଆସିଥିଲେ, ଏକଥା ନୁହେଁ ।

 

ଘରଜୋଇଁଆ ହେଲେ ପୁରୁଷର ଯେପରି ନାରୀ ପାଖରେ କିଛି କର୍ତ୍ତୃତ୍ୱ ନଥାଏ, କଥା କଥାକେ ନାରୀ ପାଖରୁ ଖୁଣ୍ଟା ଖାଇ ମୁଣ୍ଡ ନୁଆଁଏ, ଏ କଥା ବେଶି ଲେଖିବା ପ୍ରୟୋଜନ ନାହିଁ । କାଦମ୍ବିନୀ, ସୌଦାମିନୀ ସେ ଘରର ମାଲିକ ଥିଲେ, ଏକଥା ଠିକ୍‌, କାରଣ ସେମାନଙ୍କର ସ୍ୱାମୀମାନେ ବିଭିନ୍ନ ବ୍ୟବସାୟରେ ପ୍ରାୟ ଅନୁପସ୍ଥିତ ରହୁଥିଲେ ।

 

ଗାଡ଼ିରେ ଯେତେବେଳେ କଟକ ଅଭିମୁଖରେ ଆସୁଥିଲି, ବିଭିନ୍ନ କଥା ଭାବୁଥିଲି । ଭାବୁଥିଲି ବୀରେନ୍‌ ଆଉ ସରୋଜିନୀର କଥା ! ବୀରେନ୍‌ ବର୍ତ୍ତମାନ କଲିକତାର ଆର୍ଟ ସ୍କୁଲରେ ପଢ଼ୁଛି, ଛୁଟିରେ ଆସିଛି; ଆଉ ଗୋଟାଏ ବର୍ଷ ଗଲେ ତା’ର କୋର୍ସ ସରିବ । ବାପା ପରି ସେ ମଧ୍ୟ କଲେଜ ପାଠ ପଢ଼ିବାକୁ ରାଜି ହେଲା ନାହିଁ । ତା’ ବାପକୁ ସେତେବେଳେ ମୁଁ ବାଧ୍ୟ କରୁଥିଲି ଯେ, କୌଣସି ପ୍ରକାରେ ପାଠ ପଢ଼ିବାପାଇଁ । ଗାଳି ଦଉଥିଲି । ମାଡ଼ ଦଉଥିଲି । ଏଇଥିପାଇଁ ସେ ଲୁଚି ଚାଲିଗଲା, ମାତ୍ର ବୀରେନ୍‌ ପ୍ରତି ମୁଁ ବାଧ୍ୟ କରିନି କି ଧୀରେନ୍‌ ମଧ୍ୟ ବାଧ୍ୟ କରିନି । ଲଜିକ୍‌, ଇକନମିକସ୍‌ ବା ହିଷ୍ଟ୍ରି; କେମିଷ୍ଟ୍ରି, ଫିଜିକସ ବା ବାଇଓଲଜୀଠାରୁ ଅଲଗା ପାଠ ଅଛି ଏକଥା ଯାହା ମୋର ଚାଳିଶବର୍ଷତଳେ ବିଶ୍ୱାସ ନଥିଲା, ବର୍ତ୍ତମାନ ସେ ବିଶ୍ୱାସ ବଦଳିଛି । ମୁଁ ଅନେକାଂଶରେ ପରିବର୍ତ୍ତିତ ହେଇଛି । ବିଶ୍ୱବିଦ୍ୟାଳୟରୁ ଏମ. ଏ. ପାଇବାପାଇଁ ନାତିଙ୍କୁ ବଳାତ୍କାର କରିନି, ନାତି ଯାହା ଚାହିଁଛି, ସେଇଥିରେହିଁ ମୁଁ ମୋର କର୍ତ୍ତବ୍ୟ ସମାପନ କରିବି ବୋଲି ଭାବିଛି ।

 

ବୀରେନ୍‌ ଜିନୀକୁ ଭଲପାଏ । ତା’ ବାପା ଜିନୀର ମା’ ସୌଦାମିନୀକୁ ଭଲ ପାଉଥିଲା । ତା’ ବାପାର ବାପା ସୌଦାମିନୀର ମା’ କାଦମ୍ବିନୀକୁ ଭଲ ପାଉଥିଲା ।

 

ଏ ତିନିପୁରୁଷ ଧରି ଗଡ଼ି ଆସୁଥିବା ଏ ଏକ ଯୋଗସୂତ୍ର । ଏ ଯୋଗସୂତ୍ର ଯେ କିପରି ଗଢ଼ି ଉଠେ, ସେ ବିଷୟରେ କୌଣସି ଯୁକ୍ତି ନାହିଁ । ହୁଏତ ଆମ ଦୁଇ ବଂଶକୁ ଭଗବାନ୍‍ଙ୍କର ଅଭିଶାପ ତାଙ୍କ ଘରର ଝିଅମାନେ ଯଦି ଶାଶୂଘରକୁ ଯାଆନ୍ତେ, ତେବେ ଏପରି ହୋଇ ନଥାନ୍ତା; କିନ୍ତୁ ତାଙ୍କ ଘରର ଜୋଇଁମାନେ ଶ୍ୱଶୁର ଘରେ ରହୁଥିବାରୁ କୌଣସି ଝିଅ କୌଣସି ଆଡ଼େ ଯାଉ ନଥିଲେ, ଫଳରେ ଆମ ଘର ପୁଅମାନେ ତାଙ୍କର ସାହଚର୍ଯ୍ୟ ପାଉଥିଲେ !

 

କାଦମ୍ବିନୀର ବାପା ଆଉ ତା’ର ସ୍ୱାମୀପାଇଁ ମୁଁ ବିଚାରୀ ସୌଦାମିନୀ ପ୍ରତି ଉଦାସୀନ ହେଇଥିଲି । ଏହି ଉଦାସୀନତା ଫଳରେ ଧୀରେନ୍‌ ସୌଦାମିନୀକୁ ବିବାହ କରିପାରିଲା ନାହିଁ । ମୋ ବୋହୂ ମନୋରମା, ଯେ, ସୌଦାମିନୀଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ, ଏ କଥା ମୁଁ ଭଲଭାବେ ଜାଣେ । ସେ ସୁଗୃହିଣୀ, ସର୍ବକର୍ମ ସୁନିପୁଣା, ଘରକୁ ସ୍ୱର୍ଗରେ ପରିଣତ କରିଛି, ତଥାପି ମୋ ମନରେ ବେଳେବେଳେ ସେହି ଦୁଃଖ ଆସେ । ଦୁଇ ସାଥୀଙ୍କର ପ୍ରୀତି ସରଣିରେ ମୁଁ କାହିଁକି ଅନ୍ତରାୟ ହେଲି ? ମୁଁ ମୋ ମନକୁ କାଚ ପରି ଭାଙ୍ଗିଚି । ଧୀରେନ୍‌ ତା’ ମନକୁ ଶତଧା ଚୁନା କରିଛି-। ପୁଣି ତାକୁ ଯୋଡ଼ିଯୋଡ଼ି ଅଠାଦେଇ ଆମେ ଠିକ୍‌ କରିଛୁ । କିନ୍ତୁ ମୁଁ ଭଲଭାବେ ବର୍ତ୍ତମାନ ବୁଝୁଛି, ଭଙ୍ଗା ପ୍ରୀତିର କ୍ଷତ ସିନା ଶୁଖେ, କିନ୍ତୁ ତା’ର ଚିହ୍ନ କେବେ ଲିଭେନା, ଲିଭେନା ଯେତେଦିନ ପର୍ଯ୍ୟନ୍ତ ସଞ୍ଜସକାଳେ ପ୍ରେମିକାର ମୁଖଛବି ଦେଖିବାର ସୁଯୋଗ ବା ଦୁର୍ଯୋଗ ମିଳେ ।

 

ଆମେ ସିନା ଆମ ପ୍ରେମିକାକୁ ପାଇଲେ ନାହିଁ, ବୀରେନ୍‌ ହେଲେ ତା’ ପ୍ରେମିକାକୁ ପାଆନ୍ତା ! ମୁଁ ଚିନ୍ତା କରୁଥିଲି ବୀରେନ୍‌ ଓ ଜିନୀ ଯଦି ପରସ୍ପରକୁ ପାଆନ୍ତେ, ତେବେ ନିଶ୍ଚୟ ଖୁସି ହୁଅନ୍ତେ । ଜିନୀକୁ ମୁଁ ସ୍ନେହ କରେ । ଜିନୀକୁ ମୋର ପିଲାଦିନର ବାଳୁତ କାଳର ଅଜ୍ଞାନ ଯେପରି ତା’ର କୁଣ୍ଢେଇକୁ ଭଲ ପାଏ, ସେପରି ସ୍ନେହକରେ । ଦୁଇଟି ବିକଳ, ବିଧୁର ଆତ୍ମାର ପ୍ରତିଛବି ତା’ ଠାରେ ପ୍ରତିଫଳିତ ହେଇଛି । ତା’ ମା’ ତା’ ବୁଢ଼ୀ(୯୬) ମା’ର । ସେ ଆତ୍ମା ଯେପରି ବହୁ ବର୍ଷର ହା-ହୁତାଶ, ବିରହ ନିଆଁରେ ପୋଡ଼ି ହେଇ ଚିତ୍କାର କରୁଛି ଆର୍ତ୍ତ ଚିତ୍କାର । ସେ ଆତ୍ମା ଯେପରି କହୁଛି–ହେ ପ୍ରିୟ, ଗ୍ରାମ ଗ୍ରାମାନ୍ତର, ଜନପଦ, ନଗର, ବନ-କାନ୍ତାର ବୁଲିବୁଲି, ବାହୁତୋଳି, ମୁଣ୍ଡପିଟି, ମୁଁ ତୁମକୁ ସାଥୀହରା ଅଭାଗୀନି ପରି ବାଉଳି ଯକ୍ଷକନ୍ୟା ହେଇ ଖୋଜି ବୁଲୁଛି ଧାରଧାର ଲୁହର ଫୁଲରେ ଏ ଧୂଳି ଧରଣୀକୁ ଶିହରିତ କରି, ତମେ ମତେ କେବେ ନବ । ତମେ ମୋତେ କେବେ ତୁମର ଜୀବନ ସାଥୀରୂପେ ବାଛିନବ ? ମୋର ନାରୀଜନ୍ମକୁ କେବେ ସାର୍ଥକ କରିବ ? ମୋର ପ୍ରୀତି ଫଲ୍‌ଗୁକୁ କେବେ ନିଷ୍ଠୁର ବାଲୁକାବନ୍ତ ତଳୁ ଉଜ୍ଜୀବିତ କରିବ ? ମୁଁ କ’ଣ ଏକ ଚିରନ୍ତନୀ ଅତୃପ୍ତ ଅଶାନ୍ତ ଉତ୍ତପ୍ତ ଆତ୍ମା ? ଯେ କେବଳ କାନ୍ଦିଜାଣେ ହସି ଜାଣେନା ।

 

ନା’ ହସିବାକୁହିଁ ପଡ଼ିବ ।

 

ସେ ହସ ମୋ ବଂଶର ହସଲୋ ମା ! ସେ ହସ ତୋ ବଂଶର ହସ । ଆମ ଦୁଇ ବଂଶର ହସର ଗଙ୍ଗାଯମୁନାକୁ ଏକାଠି କରି, ଏକାଠି ବାନ୍ଧିଦେଇ ଆମେ ହସର ମହା ସମୁଦ୍ରରେ ଗାଧୋଇବୁ, ସମସ୍ତେ ହସିହସି, ପ୍ରାଣ ଖୋଲି, ପ୍ରାଣ ମେଲି ।

 

ହେ ବନ୍ଧୁ, ତାଙ୍କୁ ଆଉ ତମେ ମେଲାଣି ଦିଅନା ! ହେ ସାଥି, ତାଙ୍କ ସୂକ୍ଷ୍ମ ବନ୍ଧନର ଡୋରି ଆଉ ଛିଣ୍ଡାନା, ଛିଣ୍ଡାନା । ସେମାନେ ହସନ୍ତୁ, ଗାଆନ୍ତୁ, ପୁଣି ସୃଷ୍ଟିର ଅମର ସଙ୍ଗୀତ ତାନରେ । ସେମାନେ ଖେଳାନ୍ତୁ ପୁଣି ତାଙ୍କ ଶୋଣିତର ସୁମନ କଳିକା ଚନ୍ଦନର ପଲଙ୍କ ବେଢ଼ାରେ । ଏକ ହାତ ଆନଠାରେ ଥାପି ସେମାନେ ଗଢ଼ିଯାନ୍ତୁ ସୁନାର ସଂସାର । ପ୍ରେମ ବୈରଖର ହିଲ୍ଲୋଳରେ ହସି ଉଠୁ ତାଙ୍କ ପୀରତି ମିନାର ।

 

ଆଉ ତାଙ୍କ ହୃଦୟକୁ ଭାଙ୍ଗନା, ଭାଙ୍ଗନା !

 

ପ୍ରାଣରେ ପ୍ରାସ ଦିଅନା, ମୋର ଏତିକି ଯାଚନା !

 

କିନ୍ତୁ ସେମାନେ ଯେ କିପରି ଏକାଠି ହେବେ, ଏହାହିଁ ପ୍ରଧାନ ସମସ୍ୟା । ସେମାନେ ଯେ କିପରି ବିଭା ହେବେ; ଏହାହିଁ ପ୍ରଧାନ ସମସ୍ୟା; କାରଣ ସୌଦାମିନୀର ଧୀରେନ୍‌ ସାଥିରେ ବିବାହ ପ୍ରସ୍ତାବକୁ ମୁଁ ଯେଉଁ ଦିନ ପ୍ରତ୍ୟାଖ୍ୟାନ କଲି ଏବଂ ତା’ ବଦଳରେ ମନୋରମାକୁ ଘରକୁ ଆଣିଲି, ସେହି ଦିନଠାରୁ ଆମ ଘର ଏବଂ ତାଙ୍କ ଘର ସହିତ ସମ୍ପର୍କ ସୁବିଧାଜନକ ନୁହେଁ ।

 

ମୋତେ ଦେଖି କାଦମ୍ବିନୀ ମୁହଁ ମୋଡ଼େ । ଧୀରେନ୍‌କୁ ଦେଖି ସୌଦାମିନୀ ମୁହଁ ମୋଡ଼େ । ଆମର ବିରାଗ ମଝିରେ କେବଳ ବୀରେନ୍‌ ଓ ଜିନୀ ଏକମାତ୍ର ଅନୁରାଗର ସେତୁ, ଯେଉଁମାନେ କି ବେଳେବେଳେ ଆଶାର ସୂଚନା ଦିଅନ୍ତି । ହଜିଥିବା, ଲୁଚିଥିବା ପ୍ରୀତିର ସନ୍ଧାନ ଦିଅନ୍ତି ।

 

ଘରକୁ ଆସିଲି ।

 

ବୁଢ଼ୀକୁ ସବୁକଥା ଖୋଲିକି କହିଲି । ବୁଢ଼ୀ–ସୁଷମା–ସୁନ୍ଦରୀ, ମଥାବାଳ ଯାହାର ଦିଶେ ଝୋଟପରି ।

 

ସେ ବହେ ହସିଲା । କହିଲା–ଭାରି ଭଲ ହେଲା ।

 

ତମେ ସବୁ ମରଦ ପୁଅ ତାଙ୍କପାଇଁ ବହୁତ ଝୁରୁଛ । ତିନିପୁରୁଷ ଧରି ତାଙ୍କପାଇଁ ବହୁତ କାନ୍ଦୁଛ । ଯାଅ । ଜିନୀକୁ ବୋହୂକରି ଆଣ । ତାକୁ ଦେଖି ମୁଁ ବୁଜିବି ମୋହରି ନୟନ । ସେ ତ ମୋପାଇଁ ଖୁସିର ମରଣ ।

 

ଧୀରେନ୍‌କୁ କହିଲି । ଧୀରେନ୍‌ ଆଶ୍ଚର୍ଯ୍ୟ ହେଲା । ସେ ଭାବିଲା–ଲଙ୍କାରେ କ’ଣ ପ୍ରଥମଥର ପାଇଁ ହରିଶବ୍ଦ ଶୁଣୁଛି ? ସେ ଭାବିଲା–ତା’ ରାଢ଼ ବାପା ମୁହଁରୁ ଏ କିସ ଶୁଭୁଛି ? ତା’ ବାପା ହେଲା କି ପାଗଳ ! ତା’ ମୁଣ୍ଡର ଯନ୍ତ୍ରପାତି ହେଲାକି ଅକଳ ।

 

ତାକୁ ସବୁ ବୁଝେଇ କହିଲି । ସେ ରାଜି ହେଲା । ବୋହୂ ମନୋରମାକୁ କହିଲି । ସେ ମଧ୍ୟ ରାଜି ହେଲା ।

 

ମୁଁ କହିଲି ଯିବା ତାଙ୍କ ଘରକୁ । ଏ ପ୍ରସ୍ତାବ ବାଢ଼ି ତାଙ୍କ ଝିଅକୁ ଅଳିକରି ମାଗିବାକୁ ।

 

।। ଏଗାର ।।

 

ବୀରେନ୍‌ର ଛୁଟି ସରିଯାଇଥିଲା । ସେ କଲିକତା ଚାଲିଯାଇଛି । ଆମେ ତାଙ୍କ ଘରକୁ ଗଲୁ ।

 

ତାଙ୍କ ଘରର ରୂପ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ପଚାଶବର୍ଷତଳେ ଯାହା ଥିଲା, ତାହା ବର୍ତ୍ତମାନ ନାହିଁ । ସମ୍ପୂର୍ଣ୍ଣ ଭାବରେ ଆଧୁନିକ ଧରଣର କୋଠା, କୋଠା ଆଗରେ ସୁଦୃଶ୍ୟ ବଗିଚା । ଏନା-ମେଲ ଗ୍ରିଲ୍‌ଦିଆ ଫାଟକ ।

 

ମୁଁ ଆଉ ମୋର ବୋହୂ ଚାଲିଚାଲି ପହଞ୍ଚିଲୁ, କାରଣ ସେଠାକୁ କାର୍‌ ନେଇ ଯିବାର କିଛି ଆବଶ୍ୟକତା ନଥିଲା ।

 

ଏଇ ଘରକୁ ମୁଁ ଯେତେବେଳେ ମୋ ତରୁଣ ବୟସରେ ଯାଉଥିଲି, ଦେଖୁଥିଲି, ସେଇ ପଛ ଧାଡ଼ିର ଘର ଝରକାରେ ଏକ ମହୋଜ୍ଜ୍ୱଳ ରସମଲ୍ଲୀ ଫାଟି ପଡ଼ୁଥିଲା ।

 

ସେଇ ରସମଲ୍ଲୀ ଆଜି କାହିଁ ?

 

ସେଇ ରସମଲ୍ଲୀ ଆଜି ନଇଁ ଯାଇଛି, ଆଜି ତା’ର ହଳଦିହାଟକ ରୂପ ବୟସର ଚାପାରେ ଲିଭିଯାଇଛି । ମୁହଁରେ ସ୍ନିଗ୍‌ଧ ଚନ୍ଦ୍ରମାର ତେଜ ନାହିଁ । ନୟନରେ ଖଞ୍ଜନ ଚାହାଣିର ଅପାଙ୍ଗ ନାହିଁ । ମଥାରେ କଳାଘୁମର ବର୍ଷୁକୀ ଆଷାଢ଼ୀ ମେଘର ଗୁରୁ ସମ୍ଭାର ନାହିଁ । ଦେହରେ ବ୍ରୀଡ଼ାମୟୀ ଦ୍ରାକ୍ଷାଲତାର ହାସ୍ୟ ଛଟା ନାହିଁ । ମୁହଁରେ ମୁକ୍ତାଝରା ହସ ନାହିଁ ।

 

କିଛି ନାହିଁ ।

ହେଇଟି ସେ–ପୋର୍ଟିକୋ ପାଖରେ ବାରଣ୍ଡା ଉପରେ ସେଇ ଯେଉଁ କାକାଟସ୍‌ ଗଛର କୁଣ୍ଡ ଅଛି, ତା’ରି ପାଖରେ ଯେଉଁ କେନ୍‌ ଗାର୍ଡ଼େନ ଚେୟାର ପଡ଼ିଛି, ତା’ରି ଉପରେ ବସି ଆଖିରେ ମୋଟା ଚଶମା ଦେଇ, ମନକୁମନ କ’ଣ ଗପି ପାନ କୁଟାରେ ପାନ ଛେଚିବାରେ ଲାଗିଛି ।

ମୁଁ ଯେତେବେଳେ ପୋର୍ଟିକୋ ଦିଗକୁ ଗତି କଲି, ସେ ମତେ ଚିହ୍ନି ନ ପାରି ମୁଣ୍ଡରେ ଓଢ଼ଣା ଟାଣିଦେଲା । ବିଚାରୀ ବୋଧହୁଏ ଦୂରରୁ ଚିହ୍ନି ପାରୁନି ।

ଆହା, ତୁ କେତେ ଚଞ୍ଚଳ ବୁଢ଼ୀ ହୋଇଗଲୁଲୋ ଚାନ୍ଦ ମୋର ! କେତେ ଚଞ୍ଚଳ ତୋର ବୟସ ହାରିଲୁ ?

ମୁଁ ଆଗେଇ ଗଲି । ପଛରେ ମୋ ବୋହୂ ମନୋରମା ।

ଚାନ୍ଦ ମତେ ଅନେଇଲା ।

ମୋଠାରେ ସେ କ’ଣ ଦେଖୁଛି ?

ମୁଁ ବୁଢ଼ା ହେଲିଣି ଆସି, କିନ୍ତୁ ସେହିପରି ସିଧାସଳଖ ଠିଆ ହେଇଛି । ମେରୁଦଣ୍ଡ ମୋର ବଙ୍କେଇ ନାହିଁ । ମୁଣ୍ଡରେ ରୁପା ଖାଡ଼ି ପରି ଧୋବଲା କେଶ ସଯତ୍ନରେ କୁଣ୍ଡା ହେଇଛି ଯଦିଓ ମୁଣ୍ଡରେ ଅନେକାଂଶ ମୋର ଚନ୍ଦା । ପିନ୍ଧିଛି ଗୋଟିଏ ଦାମିକା ମର୍‌ସରାଇଜ୍‌ଡ଼ ଲୁଗା ଓ କୁଞ୍ଚକୁଞ୍ଚ ଗିଲମରା ସାଧା ପଞ୍ଜାବି । କାନ୍ଧରେ ମୋର ଲୁଗାର ଦୋସଡ଼ା । ହାତରେ ହାତୀଦାନ୍ତ କାରୁକାର୍ଯ୍ୟ ବିମଣ୍ଡିତ ସୁନ୍ଦର ସିଙ୍ଗରବାଡ଼ି । ମୁହଁ ମୋର ଚିକ୍କଣଭାବେ କ୍ଷିଅର ହେଇଛି, ନିଶ ରଖେନା ମୁଁ । ଆଖିରେ ମୋର ସୁନାର ଚଶମା । ପାଦରେ ମୋର କଳା ମଚ୍‌ମଚ୍‌ ହାପ୍‌ ସୁ’... ।

 

ସେ ଉଠିପଡ଼ିଲା । ଚମକି ଉଠିପଡ଼ି କହିଲା–ତମେ... ? ତମେ... ? ପରଳମଡ଼ା ଆଖିରେ ତା’ର ମୁଁ ଦେଖିଲି କାହୁଁ କେଉଁଆଡ଼ୁ ସେଇ ତରୁଣୀ ସୂକ୍ଷ୍ମରେ ଲଜ୍ଜା ଘୋଟିଆସି ଆଖିକୁ ଛନଛନ କରି ଦଉଛି । ତା’ ମୁହଁରେ, ଏ କ’ଣ, ଏତେ ଲଜ୍ଜାର ଅବିର କେଉଁଠୁ ଆସି ଚହଟିଗଲା?

 

ହଇଲୋ ହେ ମିନୀ... ! ହେ ଜିନୀ... ! ଆରେ କିଏ କୁଆଡ଼େଲୋ ଚୁଲିପଶି ଗଲ ? ଆସ, ଦଉଡ଼ି ଆସ, କୁଣିଆ ଆସିଛନ୍ତି ।

 

ବ୍ୟସ୍ତ ହୁଅନି ଚାନ୍ଦ, ମୁଁ ତ କୁଣିଆ ନୁହେଁ, ଏ ଘରର ବହୁ ପରିଚିତ ।

 

ଫେର୍ ସେଇ ଚାନ୍ଦ ! କାଦମ୍ବିନୀ କୁହ । ପାକୁଆ ପାଟିରେ ସେ ଲାଜୁଆ ହସ ହସି କହିଲା ।

 

ମୁଁ କହିଲି–ଓଃ ଭୁଲ୍ କହିଲି । ପୁରୁଣା ଅଭ୍ୟାସଟା କ’ଣ ସହଜରେ ଛାଡ଼ି ହଉଛି ।

 

ଭାଉଜ ଆସି ନାହାନ୍ତି ? ସେ ପ୍ରଶ୍ନ କଲା ।

 

ମୁଁ ମନା କଲି । ବୋହୂ ତାକୁ ପ୍ରଣାମ କଲା । ସେ ହସିହସି ତାକୁ କୁଣ୍ଢେଇ ନେଲା । ଆଶୀର୍ବାଦ ଧାରାରେ ତାକୁ ଓଦା କରିଦେଲା ।

 

ମୁଁ ତାକୁ ପ୍ରାୟ ପ୍ରତିଦିନ ଏହି ବାଟରେ ଦେଖେ । ସେ ହୁଏତ ଏଇ ଚେୟାର ଉପରେ ବସି ପାନ ଭାଙ୍ଗୁଥାଏ । ଏଇ ଚେୟାର ଉପରେ ବସି ମାଳା ଜପୁଥାଏ, କିମ୍ବା ଏଇ ଚେୟାର ଉପରେ ବସି କାହା ଉପରେ ପାଟି କରୁଥାଏ । ମୁଁ ଭାବେ ତା’ର ମୋଠାରେ ସ୍ନେହ ଆଉ ନାହିଁ । ତା’ର ମୋ ଠାରେ ଆଉ ସହାନୁଭୂତି ମଧ୍ୟ ନାହିଁ । ମୋର ସୁଖଦୁଃଖରେ ତା’ର କିଛି ଯାଏଁ ଆସେ ନାହିଁ । କିନ୍ତୁ ଆଜି ଦେଖିଲି ସମ୍ପୂର୍ଣ୍ଣ ଅଲଗା । ମୁଁ ଆଜି ବହୁବର୍ଷ ପରେ ତାଙ୍କ ଘରକୁ ଆସିଛି । ମୋ ପୁଅ କେଜାଣି କାହିଁକି, ବୋଧହୁଏ ଅତୀତର ମୋ ପ୍ରତି ଅଭିମାନ ଯୋଗୁଁ ଆସିବାକୁ ଆଜି ମନାକଲା, ଏଣୁ ମୁଁ ବାଧ୍ୟ ହୋଇ ଆସିଛି । କିନ୍ତୁ କାଦମ୍ବିନୀଠାରେ ମୁଁ ଏ କ’ଣ ଦେଖୁଛି !

 

ଅତୀତର ସେଇ କଳକଳ ନିନାଦିନୀ ସ୍ରୋତସ୍ୱିନୀ ଆଜି ଯେପରି ଶାନ୍ତ, ସମାହିତ ମହୋଦଧିରେ ପରିଣତ ହେଇଛି–ଅନନ୍ତ ଦିଗ ଛୁଇଁ, ଅନନ୍ତ ଆକାଶ ଛୁଇଁ, ଅନନ୍ତ ଆତ୍ମପ୍ରତ୍ୟୟ ନେଇ, ସେ କେବଳ କୋଳ କରି ଆଶିଷ ଢାଳୁଛି,–ଅମୃତ ଆଶିଷ ଧାରା । ସ୍ୱତଃସ୍ଫୂର୍ତ୍ତ ଆଶିଷ ଧାରା–ମୋ ବୋହୂ ପ୍ରତି, ମୋ ବୋହୂର ହାତ କାଚ ବଜ୍ର ହଉ–ବଜ୍ର ହଉ ବୋଲି ଫାଟିପଡ଼ୁଛି ।

 

ଏହି ନାରୀ ମୂର୍ତ୍ତିଟିର ଆଲୋକିତ ପ୍ରାଣର ସ୍ଫୁଟନାରେ ମୁଁ ଆଶ୍ଚର୍ଯ୍ୟ ହେଇ ଉଠିଲି ।

 

ହଇଲୋ ହେ ମିନୀ, ଜିନୀ... ! ଆଲୋ ସବୁ କାଲୁଣୀ ହେଲ କି ? ଆରେ କୁଆଡ଼େ ଗଲ... ? କହି ସେ ଆମ୍ଭମାନଙ୍କୁ ଭିତରକୁ ନେଇଗଲା ।

 

ଏ ଘର ବ୍ୟବସାୟୀର ଘର ବୋଲି ଆଗରୁ କହିଛି । ଏ ଘରର ଯେଉଁ ପରିବର୍ତ୍ତନ ଘଟିଛି ପୂର୍ବ ଅପେକ୍ଷା, ସେଥିରୁ ଜଣାପଡ଼ୁଛି ଏ ଘରେ ଯେପରି ଲକ୍ଷ୍ମୀ ବାନ୍ଧିହୋଇ ରହିଛନ୍ତି । ସେ ଆମକୁ ନେଇ ତାଙ୍କର ଡ୍ରଇଂରୁମରେ ବସାଇଲା । ଭୀଷଣ ସୁସଜ୍ଜିତ ଡ୍ରଇଂରୁମ୍‌ ।

 

ଆଈର ଡାକରେ ଉଚ୍ଛଳ ପ୍ରଜାପତି ପରି ବିଚିତ୍ର ରଙ୍ଗର ସାଲଓ୍ୱାର୍‌ ଆଉ କୁର୍ତ୍ତା ପିନ୍ଧି ଜିନୀ ଯାହା ଦଉଡ଼ି ଆସୁଥିଲା, ଆମକୁ ଦେଖି ହାତେ ଲମ୍ବର ଜିଭ କାଢ଼ି ସେ ଲୁଚିଗଲା, ଆଉ ତା’ ପଛେପଛେ ତା’ର ମା ସୌଦାମିନୀ ଆସିଲା ।

 

ସୌଦାମିନୀକୁ ମୁଁ ଚାହିଁଲି ।

 

ଧୀରେନ୍‌ ଏଇ ଝିଅଟାକୁ ଦିନେ...

 

ସୌଦାମିନୀ ମୋତେ ପ୍ରଣାମ କଲା । ମୁଁ ସଂକୁଚିତ ହେଇପଡ଼ିଲି । ତଳକୁ ଆଖି କଲି । ତା’ର ମୁହଁକୁ ଚାହିଁବାକୁ କେଜାଣି କେମିତି ଲଜ୍ଜା ଆସିଲା ।

 

ସୌଦାମିନୀକୁ ଆଜି ଚାଳିଶବର୍ଷ ହବ । ସେ ବି ତା’ ମା’ ପରି ବହୁତ ବଦଳିଛି । ବୁଢ଼ୀ ହେଇନି କିନ୍ତୁ ପ୍ରୌଢ଼ା ହେଇଯାଇଛି । କ୍ଷୀଣାଙ୍ଗୀ ହେଇ ଆଉ ନାହିଁ । କଟିରେ, ବେକରେ କାନ୍ଧରେ ମାଂସର ବହୁଳତା ଦୃଷ୍ଟିଗୋଚର ହଉଛି । ମଥାରେ ଓଢ଼ଣା ଦେଇ ସେ ମୋ ପାଖରେ ଠିଆ ହେଲା, ଆଉ ମନୋରମାକୁ ଦେଖି ନମସ୍କାର କଲା ।

 

ମୁଁ ତାକୁ ବସିବାକୁ କହିଲି ।

 

ସେ ମନୋରମା ପାଖରେ ବସିଲା ।

 

କିପରି କଥା ଆରମ୍ଭ କରିବି ବୁଝିପାରିଲି ନାହିଁ । କଥାର ଖିଅ ଧରିବାକୁ ଚେଷ୍ଟା କରୁଥିଲି ।

 

କାଦମ୍ବିନୀ ମୁହଁରେ ହସର ଚିହ୍ନ । କିନ୍ତୁ ସୌଦାମିନୀ ଗମ୍ଭୀର ହୋଇ ବସିଥିଲା । ଆମର ଆଗମନର କାରଣ ଜିଜ୍ଞାସା କରିବାପାଇଁ କାଦମ୍ବିନୀର ଦରକାର ନଥିଲା । ବୋଧହୁଏ ସେ କେବଳ ଖୁସି ଥିଲା ଯେ, ବହୁଦିନ ପରେ ସେ ପୁଣି ମତେ ତା’ର ଘରେ ସାଦର ସମ୍ବର୍ଦ୍ଧନା କରିବାର ସୁଯୋଗ ପାଇଛି । କିନ୍ତୁ ସୌଦାମିନୀର ମୁହଁର ଗାମ୍ଭୀର୍ଯ୍ୟ ଏୟା ସୂଚନା ଦେଉଥିଲା ଯେ, ବୋଧହୁଏ ସେ ମୋର କୃତକାର୍ଯ୍ୟକୁ କ୍ଷମା ଦେଇପାରିନି । ତା’ ଛଡ଼ା ମନୋରମାକୁ ଦେଖି ସେ ଈର୍ଷାରେ ସମ୍ଭବତଃ ଜଳିଯାଉଛି ।

 

କାଦମ୍ବିନୀ କହିଲା–ତମେମାନେ ବସି ଗପ କରୁଥାଅ, ମୁଁ ଟିକେ ଆସେ ।

 

ବୋଧହୁଏ ସେ ଆମ୍ଭମାନଙ୍କୁ ସତ୍କାର କରିବାପାଇଁ ଉଠି ଚାଲିଗଲା ।

 

ମୁଁ ସୌଦାମିନୀକୁ ପଚାରିଲି–ମିନୀ, ଜୋଇଁ ନାହାନ୍ତି କି ?

 

ଧୀର ଗଳାରେ ସେ କହିଲା–ନା, ନାହାନ୍ତି, ଏଇ ତ ବର୍ତ୍ତମାନ ବାହାରିଗଲେ ଖୋର୍ଦ୍ଧା, କ’ଣ ବିଲ୍‌–ଫିଲ୍‌ ଅଛି; ସେଇ ବିଷୟରେ ।

 

ମୁଁ ତା’ପରେ ନୀରବ ରହିଲି । ଅସଲ କଥାଟା କିପରି ଆରମ୍ଭ କରିବି ସେ କଥା ଚିନ୍ତା କରୁଥିଲି । କିନ୍ତୁ ମୋତେ ଆଶ୍ୱସ୍ତ କରି ମନୋରମା କହିଲା–ଭଉଣୀ, ତୁମକୁ ଆମ ଘରକୁ ଆସିବାପାଇଁ ଯେତେ ଖବର ପଠାଇଛି, ତମେ ତ କେବେ ଆସନି ଆମ ଘରକୁ । ମୁଁ କିନ୍ତୁ ସେ ସବୁ ନ ଧରି ତୁମ ଘରକୁ ବୁଲିଆସିଛି, ନିଜେ ତୁମକୁ ବହୁତ ଅନୁରୋଧ କରିଛି ଆସିବାକୁ; ଅଥଚ ତୁମେ ଆସିନ । ଆମ ପ୍ରତି ତୁମର ରାଗ କ’ଣ ଆଜିଯାଏଁ ପ୍ରଶମିତ ହେଇନି ଭଉଣୀ ?

 

ମତେ ଚିଡ଼ି ଲାଗିଲା, ହୁଣ୍ଡୀ ମନୋରମାର ଏପରି ପ୍ରଶ୍ନ ଶୁଣି । ହୁଏତ ଏପରି ପ୍ରଶ୍ନ ମିନୀକୁ ତା’ର ପଚାରିବା ଉଚିତ ନଥିଲା; କାରଣ ରାଗ ପ୍ରଶମିତ ହେଇନି କହିବା ଅର୍ଥ ତା’ର ଲୁକ୍କାୟିତ ରାଗକୁ ପୁନର୍ବାର ଜାଗ୍ରତ କରିବା ।

 

ଜିନୀଟା ଭାରି ଭଲ ପିଲା ! କ’ଣ ଆହୁରି ଅଧିକ ପଢ଼ିବ ନା ବି.ଏ.ଟା ପାଶ୍ ପରେ ପାଠ ପଢ଼ା ବନ୍ଦ କରିଦେବ ? ମୁଁ କହିଲି ।

 

ମୋର ପ୍ରଶ୍ନର ଉତ୍ତରରେ ସୌଦାମିନୀ କହିଲା–କେଜାଣି, କ’ଣ ହଉଛି ? ସବୁ ତ ତା’ର ମନ ଉପରେ ନିର୍ଭର କରେ ।

 

ହଁ...ଆଜିକାଲି ଝୁଅମାନେ ପାଠ ନ ପଢ଼ିଲେ ଚଳିବ କେମିତି ? ଯୁଗ ତ ଆଗେଇ ଯାଇଛି । ମନୋରମା କହିଲା ।

 

ହଠାତ ଭାବପ୍ରବଣ ହୋଇ ମୁଁ କହିଉଠିଲି...ମିନୀ ମା... ! କେବେ ମୁଁ ଆସେନି ତୁମର ଘରକୁ । ତୁ ଜନ୍ମ ହେଇ ପିଲାଟିରୁ ସିନା ମା’ ହେଲୁଣି, କେବେ ତୋର ଏଇ ବୁଢ଼ା ମଉସାକୁ ଏ ଘରେ ଦେଖିଛୁ କି ? କିନ୍ତୁ କିଛି ପଚାରୁନୁ ତ ତୁ, ମୁଁ କାହିଁକି ଆସିଛି ?

 

ମିନୀ ହସିଲା, କହିଲା–କ’ଣ ପଚାରିବି ମଉସା ? ଆପଣ ଯେ ଭାଉଜ (ଓଃ...ସେଇ ଭାଉଜ ଡାକ... !)ଙ୍କୁ ସାଥିରେ ନେଇ ଏଠାକୁ ଏତେ ଦିନରେ ଆସିଛନ୍ତି, ତାହାହିଁ ଆମର ପରମ ସୌଭାଗ୍ୟ । ଆପଣଙ୍କ ପରି ପ୍ରତିଷ୍ଠିତ ଲେଖକ ଯେ ଏପରିଭାବେ ଆମର ଘରେ ଦେଖାଦେବେ, ତାହାହିଁ ବଡ଼ ଆଶ୍ଚର୍ଯ୍ୟର କଥା ! ଏପରି ସ୍ଥଳେ ଆପଣଙ୍କର ଆସିବାର କାରଣ ପଚାରିବି କାହିଁକି ? ଆପଣ ଗୁଣୀ, ମାନୀ, ଆପଣଙ୍କର ଆମ ଘରକୁ ଆସିବାଟା ଦୟା ବୋଲି ମୋର ମନେହୁଏ ।

 

ଏ ସବୁ ତୁ କ’ଣ କହୁଛୁ ମା’... !

 

ନୀରସଭାବେ ହସି ସେ କହିଲା–ନା କିଛି ମିଛ କହୁନି ମଉସା । ଆପଣ ଏକାଡ଼େମୀ ପ୍ରାଇଜ୍‌ ପାଇଛନ୍ତି, ଆପଣଙ୍କ ପୁଅ ପଦ୍ମଶ୍ରୀ ପାଇଛନ୍ତି । ଆପଣମାନେ ସର୍ବଜନ ପୂଜ୍ୟ, ଆପଣମାନେ ବଡ଼ଲୋକ । ଏଣୁ ଆପଣ ଯେତେବେଳେ ଏଠାକୁ ଆସିଛନ୍ତି, ତାହା ଆପଣଙ୍କର ଦୟା ନୁହେଁ ତ ଆଉ କ’ଣ ?

 

ତୁ ମୋ ଉପରେ ରାଗିଛୁ ମା... ?

 

ମୋ ପରି ସାଧାରଣ ନାରୀଟିଏ ଆପଣଙ୍କ ପ୍ରତି ରାଗ କରିବା, ନିହାତି ହାସ୍ୟକର କଥା ହେବ ମଉସା ! ମୁଁ ରାଗିବି କାହିଁକି ?

 

ମୁଁ ତୁମ୍ଭମାନଙ୍କ ଜୀବନ ସାଥିରେ ଖେଳି ଯେଉଁ ଭୁଲ୍ କରିଛି ମା, ସେଇ ଭୁଲ୍‍ର ଅନଳ ମତେ ପ୍ରତି ମୁହୂର୍ତ୍ତରେ ଦହନ କରୁଛି । ତୁ ମତେ ସତେ କ’ଣ କ୍ଷମା କରିବୁନି ମା ?

 

ସେ ପୁରୁଣା କଥାକୁ ପୁଣି ଉଖୁରାଉଛନ୍ତି କାହିଁକି ମଉସା ? ଧୀରେନ୍‌ଙ୍କ ପତ୍ନୀ ମନୋରମା ଏଇ ମୋ ସମ୍ମୁଖରେ ବସିଛନ୍ତି ଏବଂ ମୋ ସ୍ୱାମୀ ବର୍ତ୍ତମାନ ଖୋର୍ଦ୍ଧା ଯାଇଛନ୍ତି । ଆମ୍ଭେମାନେ ଯେତେବେଳେ ସେଇ ଭୁଲ୍‍ରେ ଅନେକ ଠିକ୍‌ର ପଥର ପକାଇ ତାକୁ ଚାପିବାକୁ ବସିଲୁଣି, ସେତେବେଳେ ପଥର ଉଠାଇ ଆପଣ ପୁଣି କାହିଁକି ସେ ଭୁଲ୍‌ ଖାଲର ମୁହଁକୁ ଖୋଲୁଛନ୍ତି ? ଆଉ ନିଜେ ଭୁଲ୍ କରିଛନ୍ତି ବୋଲି କହି ଅନୁତାପ କରୁଛନ୍ତି ?

 

ମୁଁ ଆହତ ହୋଇଉଠିଲି । ଏପରି ନିଷ୍ଠୁରଭାବେ ସୌଦାମିନୀ ଯେ ମୋ କଥାକୁ ରୋକି ଦେଇ ମତେ ଆଘାତ ଦବ, ଏ କଥା ମୁଁ ଆଗରୁ ଭାବି ନଥିଲି । ମୁଁ ଚୁପ୍‌ ହୋଇଗଲି ।

 

ମନୋରମା କହିଲା–ମୋ ପୁଅ ବୀରେନ୍‌ ଆଉ ତୁମର ଝିଅ ଜିନୀ ଦୁହେଁ ଖୁବ୍‌ସାଙ୍ଗ ।

 

ସାଙ୍ଗ ? କିଏ କହିଲା ?

 

କହିବ କିଏ ? ମୁଁ ଜାଣେ । ମନୋରମା କହିଲା ।

 

ନା, ଏକଥା ମୁଁ କେବେ ବିଶ୍ୱାସ କରିପାରିବିନି । ଜିନୀ ଯେ ବୀରେନ୍‌ର ସାଙ୍ଗ ହେବ ଏ ନିଶ୍ଚିତ ଭାବରେ ଏକ ଅଭାବିତ ଘଟନା ।

 

ଏ ସବୁ ତୁ କ’ଣ କହୁଛୁ ମା...

 

ନା..., ମୁଁ ତ ଏ କଥା ଜାଣିନି । ତା’ ଛଡ଼ା ଜିନୀ ଯେ କେବେ ବୀରେନ୍‌ ସାଥିରେ କଥାବାର୍ତ୍ତା ହୁଏ, ଏ ସବୁ ମୁଁ ଆଦୌ ଦେଖିନି । ଆପଣ ମୋ ଝିଅର ବଦନାମ କରୁଛନ୍ତି ।

 

ମିନୀ... ! ତୋ ଝିଅ କ’ଣ ମୋ ଝିଅ ନୁହେଁ ମା... ?

 

ନା..., ଆପଣ ଦୁହେଁ ମିଳିମିଶି ବଦନାମ କରୁଛନ୍ତି, ମୁଁ ଜାଣେ ଜିନୀ କେବେ ବୀରେନ୍‌କୁ ଭଲ ପାଇ ନାହିଁ, କାରଣ ବୀରେନ୍‌ ତ ପ୍ରାୟ କଟକରେ ରହୁନି ।

 

ପିଲାଛୁଆର ମା’ ହେଇ ତୁ ସଂସାର କଲୁଣି, ଅଥଚ ତୁ କି ବୋକୀ ମା... ! ତତେ ଜଣାଇ ସେମାନେ କ’ଣ ପରସ୍ପରକୁ ମନ ବିକ୍ରି କରିଥା’ନ୍ତେ ? ମନ ସମସ୍ତଙ୍କର ଅଲକ୍ଷ୍ୟରେ ସମସ୍ତଙ୍କ ଆଗୋଚରରେ ଦିଆନିଆ ହୁଏରେ, କାହାକୁ ଜଣାଇ, କହି ଦିଆନିଆର କାରବାର ହୁଏନା-

 

ବିରକ୍ତିରେ ସେ କହିଲା–ଆପଣ କ’ଣ ଚାହୁଁଛନ୍ତି ?

 

ଆକୁଳ ସ୍ୱରରେ ଥରିଲା ଗଳାରେ କହିଲି–ମୁଁ ଜିନୀକୁ ମୋ ନାତୁଣୀବୋହୂ କରି ନବାକୁ ଚାହେଁ ମା’...ଜିନୀକୁ ଘରକୁ ନେଇ ମୁଁ ମୋର ସଂସାରକୁ ଉଜ୍ଜ୍ୱଳ କରିବାକୁ ଚାହେଁ । ଏ ବୁଢ଼ା ପୁଅଟାର ଏତିକି ଅଳି ତୁ କ’ଣ ରଖିବୁନି ?

 

କ’ଣ କହିଲେ ?

 

ମୁଁ ଭିକ୍ଷା ମାଗୁଛି ତୋଠାରେ ମା’...ଯେଉଁ ଭୁଲ୍ ଅତୀତରେ କରିଛି, ତା’ର ପ୍ରାୟଶ୍ଚିତ୍ତ ମୁଁ କରିବି । ଜିନୀକୁ ମୋ କୋଳକୁ ତୁ ଦେ’... ।

 

ଆପଣଙ୍କ ପାଖକୁ ଥରେ ମୋ ବୋଉ ଯାଇଥିଲା ମଉସା, ଆପଣଙ୍କୁ ମୋପାଇଁ କେତେ କହିଥିଲା, ହେଲେ ଆପଣ ଶୁଣିଲେ ନାହିଁ, କିନ୍ତୁ ଆଜି ଆପଣଙ୍କ ନାତିପାଇଁ କାହିଁକି ଆସିଛନ୍ତି ମଉସା ? ମୁଁ ଜିନୀକୁ କଦାପି ବୀରେନ୍‌ ସାଥିରେ ତ ବିବାହ ଦେବିନି ।

 

ମା... !

 

ମୋ ଅଜା କେବେ ଆପଣଙ୍କ ମନକୁ ଆଘାତ ଦେଇଥିଲେ ବୋଲି, ସେଇ ଆଘାତର ଅନଳରେ ଜଳି ହୋଇ ଆପଣ ପ୍ରତିହିଂସା ପରାୟଣ ହେଇ ମୋ ବୋଉକୁ ଫେରାଇ ଦେଇଥିଲେ । ଆମର ବଂଶମର୍ଯ୍ୟାଦା, ଆମର ଖାନ୍‌ଦାନୀ ପ୍ରତି କଠୋର ଆକ୍ଷେପ ହାଣି ଆପଣ ଆମ ଘରକୁ ଘରଜୋଇଁଆର ଘର ବୋଲି ତାଚ୍ଛଲ୍ୟ କରିଥିଲେ । ସେ କଥା ମୋର ସବୁ ମନେ ଅଛି ମଉସା । ଘରଜୋଇଁଆର ଘରୁ ଝିଅ ନେବେ କିପରି ? ଏ ଘରୁ ଝିଅ ଗତ ଦି’ ପୁରୁଷ ହେଲା କୁଆଡ଼େ ଯାଇ ନାହାନ୍ତି, ତା’ର ପରିବର୍ତ୍ତେ ପୁଅମାନେ ଏଠାକୁ ଆସିଛନ୍ତି ।

 

କିନ୍ତୁ–କିନ୍ତୁ–ମା...

 

ଝିଅ ଯେତେବେଳେ ଯାଆନ୍ତି ନାହିଁ, ସେତେବେଳେ ଜିନୀ ଯିବ ବା କିପରି ? ଆମ ଘରର ଝିଅମାନେ ଅନ୍ୟ ଘରେ ଚଳିପାରନ୍ତି ନାହିଁ ମଉସା । ଆମେ ସମସ୍ତେ ନିହାତି ସ୍ୱତନ୍ତ୍ର । ଆମେ କାହା ଘରେ ଆମକୁ ଜଳାଞ୍ଜଳି ଦେଉ ନାହିଁ । ଏଥିରେ ଆମର ପରମ ଖୁସି ।

 

କାହା ଘର କ’ଣ କହୁଛୁ ମା ? ସ୍ୱାମୀର ଘର ଯେ ନିଜର ଘର ! ତୀର୍ଥସ୍ଥଳ ।

 

ମତେ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ ମଉସା । ମୁଁ ସେ କଥା ଜାଣେ ।

 

କାଦମ୍ବିନୀ କେତେବେଳୁ ଆସି ଆମ କଥା ଶୁଣୁଥିଲା, କହିଲା–ଘରଜୋଇଁଆ ଯଦି କରିବାକୁ ଚାହିଁଥାନ୍ତି, ତେବେ ତୁମ ପାଖକୁ କାହିଁକି ଭାଇନା ସେଦିନ ଯାଇଥା’ନ୍ତି ? ମୁଁ ତ ସେ ଦିନ ସୌଦାମିନୀକୁ ତୁମରି ଘରକୁ ଛାଡ଼ିବାକୁ ରାଜି ଥିଲି ।

 

ସେ ପୋଡ଼ିଗଲା ତୁ’ଣରେ ଆଉ ସୁଆଦ ନ ଥାଏ ବୋଉ ! ସେ ସବୁ କଥା କାହିଁକି କହୁଛୁ ? ତାଙ୍କ ଘରକୁ ଯାଇନି ଭଲ ହେଇଛି ।

 

ଆମେ ଆମର ଜୀବନ ସାଥିରେ ଖେଳ ଖେଳିଲେ । ତୁମ ବାପା ଆମ ଦୁହିଁଙ୍କ ସାଥିରେ ଖେଳିଲେ । ମୁଁ ଧୀରେନ୍‌ ଆଉ ମିନୀ ସାଥିରେ ଖେଳିଲି, ଆଉ ଆଜି ମିନୀ ତୁ ବୀରେନ୍‌ ଓ ଜିନୀ ସାଥିରେ ଖେଳିବାକୁ ଆରମ୍ଭ କରିଛୁ ।

 

ଆପଣ ମୋ ଜୀବନ ସାଥିରେ ଖେଳ ଖେଳି ନାହାନ୍ତି ମଉସା ! ଆପଣ କ’ଣ ଭାବିଛନ୍ତି ମୁଁ ସେଇ ହଜିଲା ଦିନର ସ୍ମୃତିକୁ ଆଜିଯାଏଁ ଭାବି ଦିନରାତି ଆଖିରୁ ଲୁହ ଝରାଇଛି ? ତାହା ନୁହେଁ ମଉସା ! ମୁଁ ଯାହାଙ୍କ ହାତ ଧରିଛି ତାଙ୍କରିପାଇଁ ଆଜି ଖୁସି । ମୋ ମନରେ ଟିକେ ହେଲେ ଅତୀତପାଇଁ ଗ୍ଳାନି ନାହିଁ । ଦୁଃଖ ନାହିଁ । ପତି ମୋର ପରମ ଦେବତା ।

 

ମୁଁ ଅସହାୟଭାବେ ତା’ ମୁହଁକୁ ଚାହିଁଲି, କହିଲି–ଆଗବେଳ କଥା ଛାଡ଼ । ଆଜିକାଲିକା ପିଲାଙ୍କୁ ଏ ବାଟରୁ ମୁକୁଳାଇବା ସହଜ ନୁହେଁ । ତା’ ଛଡ଼ା ଏଥିରେ ବହୁତ ହାନିଲାଭ ରହିଛି ।

 

ମୋ ଝିଅ ଆପଣଙ୍କ ଝିଅ ନୁହେଁ ମଉସା ! ମୁଁ ମୋ ଝିଅକୁ ବୁଝିବି । ଆପଣ ଆପଣଙ୍କ ନାତିକୁ ସମ୍ଭାଳନ୍ତୁ ।

 

ମିନୀ... !

 

ତାହାହେଲେ ତୁ କ’ଣ ମତେ ଫେରାଇ ଦବୁ ?

 

ଫେରାଇ ଦେବି କାହିଁକି ? ରୁହନ୍ତୁ । ଚା’ ଆସୁଛି ।

 

ମିନୀ... !

 

ମୁଁ ଜାଣେ ଆପଣ ରାଗୀ ମଉସା... ! ସେତେବେଳେ ଯାହା ଥିଲେ ଆଜିବି ତାହା ଅଛନ୍ତି ।

 

ମୁଁ ରାଗୁନି ମା..., ତୋ ଉପରେ ରାଗିବାର ଅଧିକାର କ’ଣ ମୋର ଅଛି ? ସମସ୍ତଙ୍କ ତରଫରୁ ମୁଁ ତତେ ଭିକ୍ଷା ମାଗି ଆସିଥିଲି, ହେଲେ–

 

ହେଲେ, ମୁଁ କଠୋର ହୋଇ ପଡ଼ିଛି, ଏୟା ତ ! ଝିଅ କାହାକୁ ଭିକ୍ଷା ଦିଆଯାଏନା, ମଉସା ! ଚାଉଳଡ଼ାଲି ଭିକ୍ଷା ଦିଆଯାଏ ।

 

ମିନୀ..., ତୁମେ ଆମକୁ ଅପମାନ ଦଉଛ ?

 

କ’ଣ ରାଗିଲ ଭଉଣୀ ! ମୋର କଥା ସଦାବେଳେ ଏଇମିତି । ଯଦି କିଛି ଭୁଲ୍ କହିଥାଏ, ତାହାହେଲେ କ୍ଷମା କରିବ ।

 

ମିନୀ... ! କାଦମ୍ବିନୀର ଆଖିରୁ ଲୁହ ଝରିପଡ଼ିଲା । ସେ ଲୁହ ଯେପରି ଆଜିର ଲୁହ ନୁହେଁ, ପଚାଶବର୍ଷର ଲୁହ । ଅର୍ଦ୍ଧ ଶତାବ୍ଦୀର ଲୁହ ! ସେ କାନ୍ଦିକାନ୍ଦି କହିଲା–ନିଜେ ସନ୍ତୁଳି ହେଇଥିଲୁ ବୋଲି ପରକୁ ସନ୍ତୁଳୁଛୁ କାହିଁକି ମା ? ମୁଁ ଯାହା ଭାବୁଛି, ଜିନୀକୁ ବୀରେନ୍‌ ସାଥିରେ ବିବାହ ଦେଇ ଆମେ ଯୁଗଯୁଗକୁ ବନ୍ଧୁବାନ୍ଧିଲେ ଭଲ ହୁଅନ୍ତା ।

 

ଜିନୀ ତୋ ଝିଅ ନୁହେଁ ବୋଉ, ଜିନୀ ମୋ ଝିଅ । ତୁମେ ଝିଅର କର୍ତ୍ତବ୍ୟ ଯେପରି ସମାପନ କଲ, ମୁଁ ସେହିପରି ମୋ ଝିଅର କର୍ତ୍ତବ୍ୟ ସମାପନ କରିବି । ଏଥିରେ ମୁଁ କାହାର ଅଯଥା ହସ୍ତକ୍ଷେପ ବରଦାସ୍ତ କରିବିନି । ତାହା ଛଡ଼ା ମୋ ସ୍ୱାମୀଙ୍କର ଆଉ ଅଜାଙ୍କର ମତ ଏଥିରେ ଅଛି କି ନାହିଁ, ସେ ବିଷୟରେ ମଧ୍ୟ ଆମେ କିଛି ଜାଣି ନାହୁଁ ।

 

ମୁଁ କହିଲି–ମିନୀ, ତୁମ ଆଭିଜାତ୍ୟ, ବଂଶର ମର୍ଯ୍ୟାଦା ଉପରେ ଆଘାତ ଦେଇଥିଲି ବୋଲି, ତୁ ସେହି କଥାକୁ ମନରେ ରଖି କେତେ କୁଆଡ଼ୁ ବୁଲେଇ କଥା କହୁଛୁ । ପ୍ରେମ, ବଂଶ ମର୍ଯ୍ୟାଦାକୁ ଅପେକ୍ଷା କରେନି ମା’, ପ୍ରେମ, ଆଭିଜାତ୍ୟ, ଜାତି, ଧର୍ମ ଅହଂକାରକୁ ଗୋଡ଼ରେ ଠେଲି ଦିଏ ।

 

ଦେଖନ୍ତୁ, ପୁଣି ଆପଣ ମତେ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ! କିନ୍ତୁ ଆପଣ ଏତିକି ବୁଝନ୍ତୁ, ମୁଁ ଯାହା ଭାବିଛି ତାହାହିଁ ଠିକ୍‌ । ଆପଣ ଯାହା ବୁଝିଚନ୍ତି ତାହା ମଧ୍ୟ ଠିକ୍‌ । ମୁଁ, ମୁଁ ଆପଣଙ୍କୁ ବୁଝାଇବାକୁ କିଛି ଚେଷ୍ଟା କରୁନାହିଁ । ଏଣୁ ମୋର ଚିନ୍ତାଧାରା ଏବଂ ଆପଣଙ୍କର ଚିନ୍ତାଧାରା ମଝିରେ ଅଯଥା କାହିଁକି ଏକ ସଂଘର୍ଷ କରୁଛନ୍ତି ! ତା’ ଛଡ଼ା ଆପଣଙ୍କର ନାତି ଏକ ଚିତ୍ରଶିଳ୍ପୀ ।

 

ହଁ..., କ’ଣ ହେଲା ?

 

ଚିତ୍ରଶିଳ୍ପୀର ଭବିଷ୍ୟତ୍ ଉପରେ ମୋର ଘୋର ସନ୍ଦେହ ଆସୁଛି । ମୋ ମତରେ ଚିତ୍ରଶିଳ୍ପୀର ଭବିଷ୍ୟତ୍ ସେତେ ସୁଦୂରପ୍ରସାରୀ ନୁହେଁ ।

 

ମିନୀ... ! ଆହତ ସ୍ୱରରେ ମୁଁ କହିଉଠିଲି ।

 

ମିନୀ... ! ବ୍ୟସ୍ତଭାବେ କାଦମ୍ବିନୀ କହିଉଠିଲା ।

 

ନିଜ ପୁଅକୁ ଅପମାନ ହେଇଛି ବୋଲି ମନୋରମା ଅତିଷ୍ଠ ହେଇ ଉଠିଲା ।

 

ମିନୀ..., ଲେଖକ ବୋଲି ତୋ ଅଜା ଦିନେ ମତେ ହେୟଜ୍ଞାନ କରିଥିଲେ । କିନ୍ତୁ ସେ ଯଦି ବର୍ତ୍ତମାନ ଜୀବିତ ଥା’ନ୍ତେ, ମତେ ଦେଖି ନିଶ୍ଚୟ ତାଙ୍କର ମତକୁ ନିଜେନିଜେ ଖଣ୍ଡନ କରିଥା’ନ୍ତେ । ଯାହାକୁ ତୁ ଏକ ସାମାନ୍ୟ ଚିତ୍ରଶିଳ୍ପୀ ବୋଲି ହେୟଜ୍ଞାନ କରୁଛୁ, ସେ ଯେ ତା’ର ବଂଶର ସ୍ୱକୀୟ ଗୁଣରେ ଦିନେ ମହାନ୍‌ ଶିଳ୍ପୀ ବୋଲି ପରିଚିତ ନହେବ, ସେକଥା କିଏ କହିବ ?

 

ଏସବୁ ଯୁକ୍ତିର କଥା ! ଯୁକ୍ତିର ବଶବର୍ତ୍ତୀ ହେଇ ମୁଁ ମୋର ଏକମାତ୍ର ଝିଅକୁ କଦାପି ବୀରେନ୍‌କୁ ଦେଇ ନ ପାରେ । ତା’ପାଇଁ ଆଇ.ଏ.ଏସ୍‌., ଫରେନ୍‌ କ୍ୱାଲିଫାଏଡ଼୍‌ ଡାକ୍ତର କିମ୍ବା ଇଞ୍ଜିନିୟର ଖୋଜିବାପାଇଁ ମୋର ସାମର୍ଥ୍ୟର ଅଭାବ ନାହିଁ । ତା’ଛଡ଼ା ବୀରେନ୍‌ ପରି ଏକ ରିସ୍କକୁ ଗ୍ରହଣ କରିବାକୁ ମୁଁ ନିଶ୍ଚୟ ଡରିବିହିଁ ଡରିବି ।

 

କିପରି ସେ ସ୍ଥାନରୁ ଉଠିବି ବୁଝିପାରିଲି । ମୋ ମଥା ଘୂରି ଯାଉଥିଲା । ଘୋର ଅପମାନରେ ମୁଁ ଭାଙ୍ଗିପଡ଼ିଥିଲି । ମନୋରମାକୁ ଚାହିଁଲି । ଦୁଃଖ, ବିରକ୍ତ ଆଉ ବୋଧହୁଏ ଅସୂୟାରେ ସେ ନାଲିପଡ଼ି ଯାଇଥିଲା । ସେହି ନୀରବତାକୁ ଆହୁରି ଅସହନୀୟଭାବେ କରୁଣ କରି ପାଖ ଘରୁ ଜିନୀର ଚାପା କାନ୍ଦଣା ଶୁଭୁଥିଲା ।

 

ସୌଦାମିନୀ ଚାପା ହସୁଥିଲା । ତା’ ମୁହଁରେ ଗଭୀର ପ୍ରସନ୍ନତାର ଚିହ୍ନ । ସେ ବୋଧହୁଏ ଜାଣିଜାଣି ଆମକୁ ଅପମାନ ଦଉଥିଲା । କହିଲା–ଚା’ ଥଣ୍ଡା ହେଇଯିବ ଯେ... ! ଚା’ ଖାଇନିଅନ୍ତୁ ।

 

ଚା’ ଖାଇବାକୁ ଆଉ ଇଚ୍ଛା ନଥିଲା । କିପରି ଆମ୍ଭେମାନେ ଉଠିଆସିଲୁ ସେ କଥା ଆମେ ଜାଣି ପାରିଲୁ ନାହିଁ ।

 

।। ବାର ।।

 

ସେହି ବୁଢ଼ା... !

 

ସେ ବୁଢ଼ା ଆଜି କେଉଁଠିଥିବ ? ସ୍ୱର୍ଗରେ କି ନର୍କରେ କେଜାଣି ?

 

ନା..., ସେ ତ ନିଶ୍ଚୟ ନର୍କରେ ଥିବ । ତା’ପରି ଲୋକ ନର୍କରେ ନଥିବ ତ ଆଉ କେଉଁଠି ଥିବ ?

 

ଟିଙ୍ଗା ବୁଢ଼ା... !

 

ସକଳ ଅନର୍ଥର ମଞ୍ଜି ।

 

ପ୍ରପଞ୍ଚ ବୁଢ଼ା । ସକଳ ଅଶାନ୍ତିର ମୂଳ ସ୍ରଷ୍ଟା । ବଦରାଗୀ । ବଦଖିଆଲି । ନିଆଁକୁ ଝୋଟ ।

 

ତା’ରି ସାଥିରେ ସେଦିନ କେଉଁ ଅପମୁହୂର୍ତ୍ତରେ ଦେଖାହେଲା କେଜାଣି, ତା’ ସହିତ ମୁହାଁମୁହିଁ ଭେଟ ହୋଇଯାଇଥିଲା–ଗୋଟାଏ ବିଲେଇ ଉପରେ ସେ ତା’ର ରାଗ ଝଡ଼େଇ ହଉଥିଲା, ସେହି ଅପମୁହୂର୍ତ୍ତର ଅସମାପିକା, ଅସୌଜନ୍ୟମୟ ପ୍ରତିକ୍ରିୟା, ତା’ର ରୂଢ଼ ସମାଲୋଚନାର ଲଗାତର୍‌ ପ୍ରକୋପ ଯେପରି ଆଜି ତିନିପୁରୁଷ ଯାଏଁ ତୁଟୁନି, ଗୁରେଇତୁରେଇ ହେଇ ୟା ଲାଞ୍ଜକୁ ତା’ ଲାଞ୍ଜ ଲାଗି ରହିଛି । ସରୁନି । ଶେଷ ହେଉନି । ସଂକ୍ରାମକ ରୋଗ ପରି କେତେବେଳେ କାହାକୁ ଡେଉଁଛି, କହି ହଉନି । ବୁଢ଼ା ପାଖରୁ ଡେଇଁଲା ମତେ । ମୁଁ ବୁଢ଼ା ଉପରେ ରାଗି ପାଚିଗଲି, ଏବଂ ଏଇଥିପାଇଁ ମିନୀକୁ ଫେରେଇ ଦେଲି । ମୋ ପାଖରୁ ରୋଗଟା ଡେଇଁଲା ମିନୀ ପାଖକୁ । ତା’ପରେ ମୁଁ ହେଇଗଲି ଶାନ୍ତ । ସେ ରୋଗ ମୋଠାରେ ନାହିଁ । କିନ୍ତୁ ମିନୀ ମୋ ଉପରେ ରାଗରେ ଜଳିଗଲା, ଏବଂ ଏଥିପାଇଁ ମୋ ନାତିକୁ ଫେରାଇଦେଲା ।

 

ଆମକୁ ସେଇ ବୁଢ଼ାର ପ୍ରଭାବ ଯେପରି ଡୁବାଇ ରଖିଛି । ଯାହାଫଳରେ ଆମେ ଦୁଇଟି ବଂଶ କେତେବେଳେ ପରସ୍ପରକୁ ନିଜ ଯୋଗୁଁ ଭଲ ପାଉଛୁ, ପୁଣି କେତେବେଳେ ବୁଢ଼ା ଯୋଗୁଁ ପରସ୍ପରକୁ ଘୃଣା କରୁଛୁ । ସେତେବେଳେ ବୁଢ଼ାକୁ ମନେ ପକାଇ ଘୃଣା କରୁଛୁ । ପୁଣି କେତେବେଳେ ସବୁ ଭୁଲି ଭଲ ପାଉଛୁ । ଆମେ ଯେତେବେଳେ ରାଗୁଛୁ, ସେମାନେ ସେତେବେଳେ ଖୁସି । ସେମାନେ ଯେତେବେଳେ ରାଗୁଛନ୍ତି, ଆମେ ସେତେବେଳେ ଖୁସି ।

 

ଭଲ ପାଇବା–ଘୃଣା କରିବା ଏଇଟା ଯେମିତି ଗୋଟାଏ ଧରାବନ୍ଧା କାମ ହେଇ ଯାଇଛି ଆମପାଇଁ ।

 

ସେ ବୁଢ଼ାଟାକୁ ମୁଁ କାଲ କହିଥିଲି ବୋଲି, ତାକୁ ତ କିଛି ଶୁଭିଲା ନାହିଁ, ମୁଁ ଆଉ କ’ଣ କହିଥାନ୍ତି, ମତେ ଘରୁ ବାହାର କରିଦେଲା । ତା’ର ମୋ ପ୍ରତି ଯେଉଁ ପୁଞ୍ଜୀଭୂତ ରୋଷ, ତାହା କ’ଣ ଆଜିଯାଏଁ ତୁଟିନି ? ସେ କେଉଁକାଳୁ ମରି ପାଉଁଶ ହେଲାଣି । ସେ ପାଉଁଶ ପାଣି ପବନରେ ମିଳାଇ କୁଆଡ଼େ ହଜିଗଲାଣି । ମିଶିଗଲାଣି । ତଥାପି ସେ ପ୍ରେତ ହୋଇ କ’ଣ ଆମ ଦୁଇ ବଂଶର ମଜା ଦେଖୁଛି, ଆଉ ତା’ର କଥା ଆଜି ଯାଏଁ କାଏମ୍‌ ରହିଛି ବୋଲି ହସୁଛି ?

 

ମତେ ତା’ର ଜୋଇଁପାଇଁ ସେ ଯେଉଁ ନାପସନ୍ଦ କଲା, ସେ ନାପସନ୍ଦର ବିଷଟା ମୁଁ ମିନୀ ଉପରେ ଢାଳି ଦେଲି, ଆଉ ମିନୀ ମୋ ନାତି ଉପରେ ମୁଁ ଢାଳିଥିବା ବିଷକୁ ପୁଣି ପକାଇଦେଲା ।

 

ଆମେ ସମସ୍ତେ ଜଳିଯାଉଛୁ । ପୋଡ଼ିଯାଉଛୁ ।

 

ଗୋଟାଏ ଭୁଲ୍‌ ଘୋଡ଼େଇ ହେଇ ବହୁତ ଭୁଲ୍‍ରେ ପରିଣତ ହୋଇଛି ।

 

ଏଇଥିପାଇଁ ସେ ଦିନ ଭାବୁଥିଲି କୌଣସି ପ୍ରକାରେ ବୀରେନ୍ ଆଉ ସରୋଜିନୀକୁ ମୁଁ ଯଦି ବିବାହ କରାଇପାରନ୍ତି; ତେବେ ତିନିପୁରୁଷର ଏ ପ୍ରେମ ସାଗରରୁ ମନ୍ଥନ ହେଇ ବାହାରୁଥିବା ବିଷରୁ ସମସ୍ତଙ୍କୁ ମୁକ୍ତ କରିପାରନ୍ତି ।

 

ମୋରି ଅଗର ପିଲା, ଜାଣ ମୋଠାରୁ ସେ ଜନ୍ମ ହେଇଛି–ସେଇ ମିନୀଟା ମତେ ଯେଉଁ ଅପମାନ ଦେଇଛି, ହେଲେ ଏ ବିବାହରେ ସେ ଅପମାନକୁ ତା’ରି ପାଖକୁ ଫେରାଇ ଦିଅନ୍ତି । ମତେ, ମୋ ବୋହୂକୁ ମିନୀ ସେଦିନ ତା’ର କଥାରେ ମୂକ କରିଦେଲା । କିନ୍ତୁ, ଯଦି ବିଭାଘରଟା ହେଇ ଯାଆନ୍ତା, ତାକୁ ସାବାଡ଼ କରିଦିଅନ୍ତି ।

 

ବିଭାଘର ହେବ କେମିତି ?

 

ମୁଁ ଜାଣେ ଆଜିକାଲି କେତେ ପ୍ରକାରରେ ବିଭାଘର ହେଇଯାଉଛି । ଯୋଉଠି ବରକନ୍ୟା ରାଜି, ସେଠି ବାପ ମା’ କ’ଣ କରିବେ ? ମନ୍ଦିର ଅଛି, କୋଟ୍ ଅଛି । ଦି’ଟା ଫୁଲହାରର ଅଦଳବଦଳ, ଦୁଇଟା ସାକ୍ଷୀ ଓ ଗୋଟିଏ ଫଟୋଗ୍ରାଫ୍‌ର ହେଲେ, ମୁଁ ଗୋଟାଏ ମିନୀ କ’ଣ, ହଜାର ମିନୀକୁ ସାବାଡ଼ କରିଦିଅନ୍ତି ।

 

କିନ୍ତୁ ନା... !

 

ଜିନୀ ବର୍ତ୍ତମାନ ମାଇନର ।

 

ମୁଁ ତାଙ୍କୁ କିପରିଭାବେ ସେମାନଙ୍କର ମିଳନପାଇଁ ସାହାଯ୍ୟ କରିପାରେ ? ଭଲା ସାହାଯ୍ୟ କରିପାରନ୍ତି ସେହି ଦୁଇଟି ଆତ୍ମାର ଆଜୀବନ ମିଳନପାଇଁ !

 

ଆହା..., ସେମାନେ ମୋ ପ୍ରତି ଯେ କେତେ ଖୁସି ହୁଅନ୍ତେ !

 

ଏ ବୟସରେ ମୁଁ ଆଉ ଚାହୁଁନି କାହାର ଆଖିର ଲୁହ ଦେଖିବାପାଇଁ । କାହାର ଛାତିର କୋହ ଶୁଣିବାପାଇଁ । ମୋର ସବୁତକ ଦମ୍ଭ ଯେମିତି ଉଭେଇ ଯାଇଛି । ଦୁହିଁଙ୍କର ଦୁଇଟିଦୁଇଟି କରି ଚାରୋଟି ଆଖିରୁ ଯେଉଁ ଲୁହ ଝରିବ, ଗଡ଼ିପଡ଼ିବ ବିନ୍ଦୁବିନ୍ଦୁ ହେଇ, ସେ ଲୁହ ବିନ୍ଦୁ ଯେପରି ଆଉ କେଉଁଠି ପଡ଼ିବନି, ସବୁତକ ଠୁଳ ହେଇ ମୋରି ଛାତିରେ ପଡ଼ିବ, ଆଉ ସେହି ତାତିଲା ଲୁହରେ ମୋ ଛାତି ଯେମିତି ଜଳିଉଠିବ ।

 

ମୁଁ କ’ଣ କରିବି ?

 

ନୀରବ ହେଇ ବସିଛି ମୋର ଡ୍ରଇଂରୁମ୍‌ରେ । ସିଗ୍ରେଟ୍‌ ପରେ ସିଗ୍ରେଟ୍‌ ଫୁଙ୍କି ଚାଲିଛି ।

 

ସେମାନେ ସେଦିନ ସ୍କୁଟରରେ ଯେଉଁ ବୁଲିଥିଲେ, ଖଣ୍ଡଗିରି, ନନ୍ଦନ କାନନ ଯାଇ ମଉଜ କରିଥିଲେ ତା’ର କ’ଣ କିଛି ମୂଲ୍ୟ ନାହିଁ ? ମୂଲ୍ୟ ନାହିଁ ସେଦିନର ଆଶା-ଆଶ୍ୱାସନା, କଳ୍ପନା ଆଉ ସ୍ୱପ୍ନ ।

 

ମୂଲ୍ୟ ନାହିଁ କ’ଣ ସେମାନଙ୍କର ହୃଦୟର ଆଉ ହୃଦୟର ଦିଆନିଆର ?

 

ହୃଦୟର ଅର୍ଥ କ’ଣ ସତେ କିଛିଇ ନାହିଁ ? ହୃଦୟରେ ଯେଉଁ ଫୁଲସବୁ ହଠାତ ବଢ଼ି ଉଠି ଆଖି ମେଲେ, ସେ କେବଳ ଫୁଟେ କ’ଣ ହଠାତ ଝରିଯିବା ପାଇଁ ?

 

ଝରକା ରେଲିଂ ଆରପାଖର ଦୁଇ ଆଖି, ଆରେ ସେଇ ଦୁଇ ଆଖିରେ କେତେ ଯେ ବେଦନା ! କେତେ ଯେ ବେଦନାର ଲୁହ... !

 

ଲୁହ ଆଉ ଲୁହ ।

 

ଲୁହରେ ଆଖି ଝାଉଁଳି ପଡ଼ିଛି । ଲୁହରେ ଆଖି ନାଲି ପଡ଼ିଛି । ଲୁହରେ ଆଖିପତା ସବୁ ଏକାଠି ହେଇଯାଇଛି । ଲୁହରେ ଆଖି ଅନ୍ଧ ହେଇଯାଉଛି ।

 

ଝରକା ରେଲିଂ ଆରପାଖର ଦୁଇ ଆଖି, ମୁଁ କ’ଣ ସତେ ପାରି ପାରିବିନି ସେ ଆଖିରେ ଖେଳାଇ ସଦାହରଷର ତାରା ସମାନ ଚିକ୍‌ଚିକ୍‌ ଦ୍ୟୁତି ? ମୁଁ କ’ଣ ସତେ ପାରିବିନି ସେ ଆଖିରେ ସଦାହସର ଲୀଳା, ଖେଳା ବନ ଝିଲ୍ଲୀର ବେଗମାନ୍‌ ସ୍ଫୂର୍ତ୍ତି ?

 

ବୀରେନ୍‌ କିନ୍ତୁ କଲିକତାରେ ।

 

ଏ ଦୁଃସମ୍ବାଦ ଚିଠିରେ ଲେଖି ତାକୁ ଜଣାଇବାକୁ ମୋର ସାହସ ନଥିଲା ।

 

ମୁଁ ନୀରବ ରହିଥିଲି ।

 

ଜିନୀ ଯଦି ପ୍ରାପ୍ତବୟସ୍କା ହେଇଥାନ୍ତା, ତେବେ ବୀରେନ୍‌କୁ ମୁଁ କଲିକତାରୁ ଡକାଇ ନେଇଆସିଥାନ୍ତି ଏବଂ କହିଥା’ନ୍ତି–ପ୍ରେମରେ ପୃଥ୍ୱୀରାଜର ବହୁତ ଦରକାର ନାତି । ପୃଥ୍ୱୀରାଜ ହବାକୁ ଯଦି ଚାହୁଁ, ତୋର ସଂଯୁକ୍ତାକୁ ନେଇ ପଳା । କଚେରିର ଆଶ୍ରୟ ନେ । ତୋ ପଛରେ ମୁଁ ଅଛି ।

 

କିନ୍ତୁ ମିନୀ ମୋଠାରୁ ଆହୁରି ଚାଲାକ । ସେ ବୋକୀ ନୁହ । ଏମିତି କିଛି ଘଟନା ଘଟିପାରେ, ଏହି ଆଶଙ୍କା କରି ସେ ତା’ର ଝିଅକୁ କଲେଜକୁ ମଧ୍ୟ ଛାଡ଼ୁନି । ତା’ର ନଜରବନ୍ଦି ବର୍ତ୍ତମାନ ଜିନୀ । ଜିନୀର ପାଟିତୁଣ୍ଡ, ଜିନୀର କାନ୍ଦ, ଉପାସ କିଛି ପ୍ରଭାବିତ କରୁନି ମିନୀକୁ ।

 

ସେମାନେ ବୋଧହୁଏ ଜିନୀକୁ ବିବାହ ଦେବେ । ଏଥିପାଇଁ ଖୁବ୍‌ ତତ୍ପର ହେଇ ଉଠିଛନ୍ତି-। ଦୌଡ଼ାଦୌଡ଼ି କରୁଛନ୍ତି ।

 

ଜିନୀ ବିବାହ କଲା । ପୁଣି ସେଇ ଘରଜୋଇଁଆ !

 

।। ତେର ।।

 

ମୁଁ ପୁନର୍ବାର ମନେ ପକାଇଦଉଛି ଆପଣମାନଙ୍କୁ, ଏ ଏପରି ଏକ ପ୍ରେମକାହାଣୀ, ଏଥିରେ ଆପଣ ଯୁକ୍ତିର ଆଶ୍ରୟ ନିଅନ୍ତୁ ନାହିଁ । କାହିଁକି ଯେ ଆମ୍ଭମାନଙ୍କର ଗୋଟିଏ ଲେଖାଏଁ ପୁଅ ହେଇ ଆଉ ପୁଅ ନ ହେଲା, କାହିଁକି ଯେ ସେମାନଙ୍କର ଗୋଟିଏ ଲେଖାଏଁ ଝିଅ ହେଇ ଆଉ ପୁଅ ଝୁଅ ନ ହେଲା, ଆଉ କାହିଁକି ଯେ ଆମ୍ଭେମାନେ ବାପ, ପୁଅ, ନାତି ସେମାନଙ୍କ ମା’, ଝୁଅ, ନାତୁଣୀକୁ ଯଥାକ୍ରମେ, ପୁରୁଷାନୁକ୍ରମେ ଭଲପାଇ ବସିଲୁ, ପୁଣି କାହିଁକି ଯେ ଆମେ ବିବାହ କରିପାରିଲୁ ନାହିଁ, ଏ ପ୍ରଶ୍ନ ଆଦୌ ପଚାରନ୍ତୁ ନାହିଁ । ଫାଣ୍ଟାଷ୍ଟିକ୍‌ ବୋଲି ଭାବନ୍ତୁ ନାହିଁ ।

 

ଆମେ ଆମ କଥା ଜାଣୁ ।

 

ସେମାନେ ତାଙ୍କ କଥା ଜାଣନ୍ତି ।

 

ଆମେ ଆମ ମନ ବୁଝୁ ।

 

ସେମାନେ ତାଙ୍କ ମନ ବୁଝନ୍ତି ।

 

ଆମେ ଆଉ ସେମାନେ ଏହାର ମଝିରେ ରହିଗଲେ ଯିଏ–ଆପଣମାନେ, ସେଇ ଆପଣମାନେ ଆମେ ନୁହନ୍ତି । ଏଣୁ ଆମ ଘର କଥା, ଆମ ମନ ଯେ ଘଡ଼ିକେଘୋଡ଼ା ଛୁଟୁଛି, ସେ କଥା ଆପଣମାନେ ବୁଝିପାରିବେ ନାହିଁ ।

 

ମୁଁ ଯାହା କହୁଛି, ତାହାହିଁ ସତ ! କାରଣ ଆମ ଛଅଜଣଙ୍କର ମନ ଆପଣମାନଙ୍କ ମନ ସହିତ ସମାନ ନୁହ ।

 

ହେ, ଆମର କାଦମ୍ବିନୀ, ସୌଦାମିନୀ, ସରୋଜିନୀ ପ୍ରେମିକାମାନେ, ତୁମର ଆମର ଯଦିଓ ଜୀବନର ଗୋଟିଏ ସ୍ଥାନରୁ ଯାତ୍ରା ଆରମ୍ଭ ହେଇଥିଲା, ଏବଂ ଆମେ ପରସ୍ପର ହାତ ଛନ୍ଦାଛନ୍ଦି ହେଇ ଯଦିଓ ଆଗେଇ ଯାଇଥିଲୁ କିଛି ରାସ୍ତା; କିନ୍ତୁ ସେ ରାସ୍ତାରେ ଏପରି ଏକ ଛକ ଆସିଲା, ଯେଉଁ ଛକରେ ତୁମେ ଆଉ ଆମେ ପରସ୍ପର ବିଚ୍ଛିନ୍ନ ହେଇଗଲୁ, ତମ ହାତ ଆମ ହାତ ଆଉ ଏକାଠି ହେଲାନି । ତମେ ଚାଲିଲ ଗୋଟିଏ ରାସ୍ତାରେ । ଆମେ ଚାଲିଲୁ ଗୋଟିଏ ରାସ୍ତାରେ-

 

ଆଉ ଭେଟ ନାହିଁ । ଆଉ ଭେଟ ନାହିଁ । ଏ ଜୀବନରେ ତୁମର ଆମର ଆଉ ଏକାଠି ନାହିଁ ।

 

ଆମେ ଚାହିଁଥିଲୁ, ତମେମାନେ ଆମର ସ୍ତ୍ରୀ ହେବ । ଏ ତ ଅନନ୍ତ–ଅତୃପ୍ତ ପିପାସା ! କିନ୍ତୁ ତୁମେମାନେ ଆମର ସ୍ତ୍ରୀ ହେଲନି । ଆମର ପ୍ରେମିକା ହେଇ ଅନ୍ୟର ସ୍ତ୍ରୀ ହେଇ ଚାଲିଗଲ ।

 

କିନ୍ତୁ ଆମେ ଯେଉଁମାନଙ୍କୁ ବିବାହ କଲୁ, ସେମାନେ ଆମ୍ଭମାନଙ୍କର ସ୍ତ୍ରୀ । ପ୍ରେମିକା ନୁହନ୍ତି ।

 

ତୁମେ ଆମର ସ୍ୱପ୍ନ ।

 

ସେମାନେ ବାସ୍ତବ ଆମର ।

 

ଆମେ କାହାକୁ ନିନ୍ଦିବୁ ? କାହାକୁ ପ୍ରଶଂସା କରିବୁ ? ଜୀବନର ସ୍ୱପ୍ନ ଯେତିକି, ବାସ୍ତବ ସେତିକି ।

 

ସେମାନେ ଆମକୁ ଖୁଆଇପିଆଇ ବଞ୍ଚାଇଲେ । ତମେମାନେ ଆମକୁ ସ୍ୱପ୍ନ ଦେଖାଇ ପହଁରାଇଲ ।

 

ହେ ଆମର ଅତୀତର ସାଥିମାନେ, ପ୍ରେମିକାମାନେ, ତୁମ ସଭିଙ୍କୁ ଧନ୍ୟବାଦ... ! ବିବାହ ବେଦିରେ ତୁମେ ଆମର ହାତ ଧରିଲ ନାହିଁ । କିନ୍ତୁ କୌଣସି ଏକ ଆବେଗବହୁଳ ମୁହୂର୍ତ୍ତରେ ତୁମେ ଆମର ହାତଧରି ହୃଦୟରେ ଯେଉଁ ସ୍ପନ୍ଦନ ଜଗାଇଥିଲ, ତାହାହିଁ ଆମକୁ ବଡ଼ଲୋକ କରିଦେଲା । ସୁଖରେ ନ ହେଉ ପଛେ ଦୁଃଖରେ ହେଉ, ତୁମରି ଯୋଗୁଁ ଆମେ ବଡ଼ଲୋକ ହେଇଗଲୁ । କିନ୍ତୁ ତୁମେବି କିଛି କମ୍‌ ନୁହହେ ଆମର ସ୍ତ୍ରୀମାନେ..., ତୁମକୁ ଧନ୍ୟବାଦ । ତମରି ଯୋଗୁଁ ଆମେ । ତମରି ଯୋଗୁଁ ଆମର ଘର । ଆମରି ପିଲାଛୁଆ । ଆମରି ଘରସଂସାର । ଆମରି ସବୁ ସୁଖ ।

 

ସବୁଜ ଜୀବନରଙ୍ଗ କଥା ।

 

ଜୀବନରଙ୍ଗର ସେଇ ବର୍ଣ୍ଣାଢ଼୍ୟ, ଅମଳିନ ଛଟାପାଇଁ ଆମେ ଆଗେଇ ଚାଲିଛୁ । ଦବି ଯାଇନୁ । ନିକମା ହେଇଯାଇନୁ । ହେ ଆମର ଗଲାଦିନ ସାଥି..., ତୁମମାନଙ୍କ ପାଇଁ, ତୁମକୁ ଖାସ୍‌ କରି ଦେଖାଇବା ପାଇଁ, ଜୀବନପାଇଁ ସିଂହ ପରାକ୍ରମ କାଢ଼ିଛୁ । ମୋ ପୁଅ ଧୀରେନ୍‌ ତିନି ଚାରି ଥର ଆମେରିକା, ଲଣ୍ଡନ, ରୁଷ, ଜର୍ମାନୀ ଗଲାଣି । ଭାରତୀୟ ସାଂସ୍କୃତିକ ଦଳରେ ଡେଲିଗେଟ୍‌ ହେଇ ସେଠାରେ ଭାରତୀୟ ସଙ୍ଗୀତ ପରିବେଷଣ କରିବାପାଇଁ ।

 

ମୋ ନାତି ଲଣ୍ଡନରେ ଗୋଟାଏ ଏକ୍‌ଜିବିସନ୍‌ ଦବ ବୋଲି ଦିଲ୍ଲୀ ଦୌଡ଼ାଦୌଡ଼ି କରୁଛି-। ଏ ପିଲା ବୟସରେ ଲଣ୍ଡନରେ ଏକ୍‌ଜିବିସନ୍‌ ଦେଇ ପାଶ୍ଚାତ୍ୟ ଜଗତ ସମକ୍ଷରେ ଭାରତୀୟ ଚିତ୍ରକଳାର ଉତ୍କର୍ଷତା ପ୍ରମାଣିତ କିଛି କମ୍‌ କଷ୍ଟର କଥା ନୁହେଁ । କମ୍‌ ଗୌରବର କଥା ନୁହେଁ । ଭଗବାନ୍ ତାକୁ ତା’ର ପଥ ଦେଖଇବେ ବୋଲି ମୋର ଆଶା ।

 

ସେହି ପ୍ରେମିକା ଦଳ, ସେଇ ଦୁଷ୍ଟାଦଳ, ଯେଉଁମାନଙ୍କଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ୧୦୦% ନ ହେଲେ ନାହିଁ, ୦% ତ ଆଦୌ ନୁହେଁ, ହ୍ୱାଇଟ୍‌ ଓ୍ୱାସିଙ୍ଗ ଦେଇ କଥା କହୁନି, ସତ ଯେତେବେଳେ କହୁଛି–ଲାଜ ଲାଗିଲେ କ’ଣ ହବ, ମଣିଷର କଥା ଇଏ, ଆମେ ଦେବତା ନୋହୁ, ୧୦୦% ଦୁର୍ବଳତା ଅଛି, କାରଣ ଶତାୟୁ ଦିନରେ ଯାହାଙ୍କ ପ୍ରତି ଆମର ସବୁତକ ଉଚ୍ଛ୍ୱାସ, ସବୁତକ ସ୍ୱପ୍ନ ଅଯାଚିତଭାବେ ଅକାତରେ ଢାଳି ଦେଇଥିଲୁ ବଦଖର୍ଚ୍ଚୀ ପରି, ସେଇ ପ୍ରେମିକାଦଳଙ୍କୁ ଯେତେ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହଉନି । ପୂର୍ବରୁ କହିଛି, ସେମାନେ ଯଦିଓ ଆମର ଅନ୍ତର ଭିତରେ ଜୁଆର ପରି ମାଡ଼ିଯାଇଥିଲେ, ତଥାପି ସେଇ ଜୁଆର ଯେ ବିଲ୍‍କୁଲ୍ ଲିଭିଯାଇଛି, ସେ କଥା ନୁହେଁ । କାରଣ ସେ ଲିଭିପାରେନା, ଆମେ ଆମ ଜୀବନକୁ ଖୁବ୍‌ ମୂଲ୍ୟ ଦଉ, ଆମର ଜୀବନରେ ଯେଉଁ ସାଥୀମାନେ ମାଇଲ ଖୁଣ୍ଟ ପକାଇଥିଲେ, ସେ ମାଇଲ ଖୁଣ୍ଟକୁ ଭୁଲିବା ଅର୍ଥ ଜୀବନକୁ ଭୁଲିବା । ଏଣୁ ଯେଉଁ ଜୁଆର ଆଦୌ ଲିଭିପାରେନା, ସେଇ ଜୁଆର ଶୂନ୍ୟରେ ପରିଣତ ନ ହେଇ ଏକ ବିନ୍ଦୁରେ ପରିଣତ ହେଇଛି ।

 

ଚାଲ, ବର୍ତ୍ତମାନ କେଜାଣି କାହିଁକି ଇଚ୍ଛା ହଉଚି ଆମର ସେଇ ପ୍ରେମିକାମାନଙ୍କୁ ଦେଖିବାପାଇଁ ! ଚାଲ । ଚାଲରେ ମନ ।

 

କିନ୍ତୁ କାହିଁକି ଏ ପିପାସା ଜାଗୁଛି ମନରେ ? ମୁଁ ବୁଢ଼ା, ମୋର ଜୀବନ ଶୁଖିବାକୁ ଲାଗିଲାଣି । ମୋ ପୁଅ ପ୍ରୌଢ଼, ତାକୁ ବାର୍ଦ୍ଧକ୍ୟ ଡାକୁଛି । ମୋ ନାତି ଯୁବକ, ତା’ର ପ୍ରୌଢ଼ତ୍ୱ ଆସୁଛି-। ଆମର ସ୍ତ୍ରୀମାନେ ଅଛନ୍ତି । ତଥାପି ଏ ପିପାସା କାହିଁକି ଜାଗୁଛି ମନରେ ?

 

ମନକୁ କିଛି ପଚାରନି ଭାଇ, ମନ କଥା କିଛି ଜାଣି ହୁଏ ନାହିଁ । ମନ କି ଉତ୍ତର ଦେବ, ସେତ ନିଜେ ଠିକ୍‌ ଜାଣି ଠିକ୍‌ କରେ ନାହିଁ । ଭୁଲ୍‍କୁ ଭଲଭାବେ ଜାଣି ଭୁଲ୍ କରେ ଭାଇ ।

 

ଚାଲ...ଯିବା, ସେଇ ଚନ୍ଦ୍ରମୁଖ ସୁଧା ପାନ କରିବା ।

 

ଏ କ’ଣ ପରକୀୟା ?

 

କେଜାଣି, ମୁଁ ତ କିଛି ଜାଣୁ ନାହିଁ । ମନ ଆମ ପାଗଳ । ବେଳେ ହୁଏ ଭୋଳ । ହାତୀ ପରା ପ୍ରାଣୀ ଅଙ୍କୁଶକୁ ଡରି ଥରହର ହୁଏ, କିନ୍ତୁ ଏ ମନ କାହାକୁ ମାନେନା, ଯଦି କେତେବେଳେ ଧୂମ୍‌ ପଡ଼ିଥାଏ, ପୁଣି ଉତ୍ପାତ ହୁଏ ।

 

ଚାଲ ବାବା... ! ଉଠ, ଆଉ ବସ ନାହିଁ । ଚାଲ ଦେଖିବା ଚାଲ, କି କରୁଛି ଚାନ୍ଦମୁହୀଁ ।

 

ଏଇ ଦେଖ, ବୁଢ଼ୀ କାଦମ୍ବିନୀ ବସିଛି ବାରଣ୍ଡାର ଚଉକି ଉପରେ । ମୁଣ୍ଡରେ ତା’ର ସିନ୍ଦୂର ଓ ଚନ୍ଦନର ଟୋପା । ହାତରେ ରୁଦ୍ରାକ୍ଷ ମାଳି । ମନେମନେ ଭଗବାନ୍‍ଙ୍କୁ ଜପୁଛି । ଆଉ ଏ ମର ସଂସାରରେ କେତେଦିନ ତା’ର ? ଏଥିପାଇଁ ପରମାର୍ଥ ଶରଣ ନଉଛି । ଏ ସଂସାରରେ ତା’ର ମନ ନାହିଁ; କିନ୍ତୁ ଏ ସଂସାରକୁ ତା’ର ଘୃଣା ମଧ୍ୟ ନାହିଁ ।

 

ହେଇ ଦେଖ, ବୁଢ଼ୀ ମତେ କଣେଇ ଚାହିଁଲା । ମୁଁ ବୁଢ଼ା ହେଲିଣି ଆସି, ତଥାପି ବୋଧହୁଏ ତା’ର ଆଖିକୁ ସୁନ୍ଦର ଦିଶୁଛି । ଏଥିପାଇଁ ସେ ଯାହା ହସି ଦଉଥିଲା, ପୁଣି କ’ଣ ଭାବି ହସକୁ ଚାପି ରଖିଲା ।

 

ସେ ମୋପାଇଁ ହସେ । କେବଳ, ହଁ ଧାଡ଼ିଏ ହସ । ଶୁଦ୍ଧ ସୁବର୍ଣ୍ଣ ଯହିଁରେ ମାରିଥାଏ କଷ । ସେ ହସହିଁ ଅନାବିଳ । ଢଳଢ଼ଳ । ସେ ମୋତେ କିଛି ଦେଇନାହିଁ, ଦେଇଛି କେବଳ ସେଇ ହସଟିଏ । ଧାଡ଼ିଟିଏ ହସ ।

 

ସେଇ ହସ ।

 

ଯାହା ଏ ଜୀବନର ରଙ୍ଗ । ଜୀବନ ପୀୟୂଷ ।

 

ଚାଲ...ବାବା ଧୀରେନ୍ଦ୍ର, ତୁମେବି ଚାଲ...କାହିଁକି ବସିଛ ? ଯାଇ ଦେଖ, ତୁମ ସୌଦାମିନୀ କ’ଣ କରୁଛି ?

 

ସେ କ’ଣ କରୁଛି ? କ’ଣ ଦେଖୁଛ ତମେ ?

 

ସୌଦାମିନୀ ଗମ୍ଭୀର ହେଇ ଠିଆହେଇଛି । କେତେ ସେ ମୋଟା ଦିଶିଲାଣି । ମୁଣ୍ଡରେ ଆଉ ତା’ର ସେଇ ଦୀର୍ଘକେଶ ନାହିଁ । ଗୁରେଇ ଗଣ୍ଠିଟିଏ ପକାଇଛି । ଧଳା ଶାଢ଼ି ଆଉ ଧଳା ବ୍ଲାଉଜ୍‌ ତା’ର ଦେହରେ । ପାଦରେ ସ୍ଲିପର । ପାଖରେ ଦି’ଜଣ ମାଳୀ

 

ବଗିଚା କାମ କରୁଛନ୍ତି । ସିଆର ହେଇ ପାଣି ମଡ଼ାହଉଛି । ସୌଦାମିନୀ ଗମ୍ଭୀରଭାବେ ଆଦେଶ ଦଉଛି–କୋବି ଗଛରେ କ୍ୟାଲସିଅମ୍ ନାଇଟ୍ରେଟ୍‌ ଦିଅ । ବାଇଗଣ ଗଛର ଆନ୍ଧ ଟେକିଦିଅ । ହେ ମାଳୀ, ସେପାଖ ମଟର ଗଛରେ ପୋକ ଲାଗିଲାଣି ଡି. ଡି. ଟି. ଛିଞ୍ଚ । କିଛି କାମ କରୁନାହଁ । ବସୁଛ କାହିଁକି ? ପଇସା କ’ଣ ପିତା ଲାଗୁଛି ? ଯାଅ... । ସୌଦାମିନୀ ହାତ ବୁଲାଇ ଆଦେଶ ଦଉଛି । ମୋଟାସୋଟା ହାତ । ବାହିଏ ସୁନା ଚୁଡ଼ି । ହାତରେ ଘଣ୍ଟା ଲାଗିଛି । ଘଣ୍ଟା ଦେଖି କାମ ହଉ । ଟିକିଏ ଓଲମ ବିଲମ ନାହିଁ, ଏପାଖ ସେପାଖ ନାହିଁ । କାମ ଆଉ କାମ । ସୌଦାମିନୀ ବଗିଚାକୁ ତଦାରଖ କରୁଚି ।

 

ତୁମକୁ ଦେଖି ସୌଦାମିନୀ କ’ଣ କହିଲା ?

 

କ’ଣ କହିଲା ? କିଛି କହିନାହିଁ, କେବଳ ହସିଲା ।

 

ଆରେ ସେ ନ ହସିବ ବା କେମିତି ? ଯଦିଚ ସେ ଆଜି ଅନ୍ୟ ହାତ ଧରି ପତ୍ନୀବ୍ରତ ଆଚରଣ କରୁଛି; ତଥାପି ତୁମେ ତ ତାହାର ପ୍ରଥମ ଦିନର ସାଙ୍ଗ । ତୁମକୁ ଦେଖି ସେ ନ ହସି ରହିବ କିପରି ? ଯେତେ ରାଗ, ଯେତେ ଅଭିମାନ ଯେତେ ରୁଷା–ଅଭିଯୋଗ ତୁମପାଇଁ ରଖିଥାଉ ପଛେ, ତୁମକୁ କଥା ନ କହୁ ପଛେ, ନ ହସି ରହିବ କେମିତି ?

 

ଧାଡ଼ିଟିଏ ଚୁପ୍‌ଚୁପ୍‌ ହସ ।

 

ଯାହା ଏ ଜୀବନର ରଙ୍ଗ । ଜୀବନ ସକାଶ ।

 

ତୁମେ ବାବା ବୀରେନ୍ଦ୍ର, ତୁମେ ବସିଛ କାହିଁକି ? ଉଠ...ଉଠ... । ଏଇ ଦେଖ, ଜୀବନର ରଙ୍ଗ ଲିଭି ନାହିଁ । ଜୀବନ ରଙ୍ଗରେ ନିତ୍ୟ ବୃନ୍ଦାବନ ଖେଳେ ଛାଇ । ସେଠି ତୁମପାଇଁ କାନ୍ଦୁଥିବ ଉନ୍ମନା ରାଈ । ଖେଳୁଅଛି ଫୁଲର ପରାଗ । ଅବିରର ବିଭୂଷିତ ରାଗ । ସେଠି ବହୁଥିବ ଉଜାଣି ଯମୁନା । ଯାଅ ବେଗେ ଯାଅ, ପଛକୁ ଚାହଁନା ।

 

କ’ଣ ଦେଖୁଛ ?

 

ଆଃ...ତମେ କ’ଣ ଦେଖୁଛ ?

 

ଇସ..., ଝରକାରେ ପୁଣି ରସମଲ୍ଲୀ ବିଛାଡ଼ି ପଡ଼ିଛି । ଝରକାର ରେଲିଂ ଧରି ରସମଲ୍ଲୀ ଚମକି ଉଠିଛି । ରସମଲ୍ଲୀ–ରସମଲ୍ଲୀ । ସ୍ୱର୍ଗର ଉର୍ବଶୀ ଯାର ପାଦତଳେ କାନ୍ଦି କରେ ନିଉଛାଳି । ଏଇ ରସମଲ୍ଲୀ ଦିନେ ମୋ ଚାନ୍ଦର ମୁହଁରେ ଫାଟି ପଡ଼ିଥିଲା । ଆଜି ତା’ ମୁହଁରୁ ଛିଟିକି ଆସି ଜିନୀର ମୁହଁରେ ରହିଲା । ଜିନୀ–ଜିନୀ ! ଯାହାର ମୁହଁରେ ରହିଛି କେବଳ ଗୁଡ଼, କନ୍ଦ, ଚିନି ! କିମ୍ବା ଚିନିର ସିରିଣୀ !

 

ବାବା ବୀରେନ୍ଦ୍ର ! କ’ଣ ଦେଖୁଛ ?

 

ଦେଖୁଛ, ସେ ଝରକା ପାଖରେ ଠିଆ ହେଇ ସେ ତା’ର କେଶ ସଜାଡ଼ୁଛି । ଗହଳ କେଶରେ ତା’ର ଶଜଦନ୍ତ ପାନିଆ ଦଉଛି । ବାରହାତ ଲମ୍ବର ଘୁମା-ଘୁମା କେଶ । କିଟିମିଟି ଅମା ନିଶା କରେ ସେଠି ବାସ । ସେ କେଶ ପୁଣି ପବନରେ ଲହଡ଼ି ଖାଉଛି । ସେ କେଶ କୃଷ୍ଣସାଗରର ମାୟା ରଚନା କରୁଛି । ଗାଢ଼-ଗାଢ଼ କେଶ । ଗହଳିଆ କେଶ । ଝାମ କରା କେଶ ।

 

ରୂପର ଏକି ଅଦ୍ଭୁତ ପ୍ରକାଶ ! ଜିନୀ–ଜିନୀ ! ଯୌବନରେ ଭରପୂର ଯାର ଚେହେରା ମସ୍ତାନୀ !

 

ବାବା ବୀରେନ୍ଦ୍ର ! ତା’ପରେ ପୁଣି କ’ଣ ଦେଖୁଛ ?

 

ଇସ–ଇସ–ଇସ..., ସେ ମାରିଦେଲା ଛୁରି ।

 

ଆଖିର କତୁରୀ । ଶାଣଦିଆ ଛୁରି ।

 

ତୁମ ଛାତିରେ ନୟନର ଆଡ଼ଛୁରି ଦେଇ ଜିନୀ ମୁରୁକି ହସିଲା । ହସରେ ତୋରା ତରା କି ଫୁଲଝରି ଖେଳିଗଲା ?

 

ଏ ଯେ ଧୀର, ମଧୁର ହସ... !

 

ସେ ହସ ବହୁତ ଲୁହକୁ ଚାପି ରଖିପାରେ । ସେ ହସ ବହୁତ ବେଦନାକୁ ପ୍ରଶମିତ କରେ । ସର୍ବଦା ସରସ ।

 

ଧାଡ଼ିଟିଏ ରିମ୍‌ଝିମ୍‌ ହସ !

 

ଯାହା ଏ ଜୀବନର ରଙ୍ଗ । ଜୀବନର ଅନନ୍ତ ଆଉ ଅମୃତ ପ୍ରକାଶ !

 

।। ଚଉଦ ।।

 

ମୁଁ ବର୍ତ୍ତମାନ ଆପଣଙ୍କୁ ସମ୍ପୂର୍ଣ୍ଣ ଏକ ଓଲଟା କଥା କହିବାକୁ ଯାଉଛି । ଆମ ଜୀବନର ବ୍ୟତିକ୍ରମ କଥା ।

 

ସମ୍ପୂର୍ଣ୍ଣ ବ୍ୟତିକ୍ରମ କଥା ।

 

ଯାହା କେବେ ଆପଣ ଶୁଣି ନଥିଲେ, ଯାହା ଆପଣ କେବେ ଦେଖି ନଥିଲେ ତିନିପୁରୁଷ ଧରି ଆମ ବଂଶରେ, ସେହି ବଂଶରେ ଏକଦମ ନୂଆ ଘଟନା ଘଟିଗଲା ।

 

ଅବଶ୍ୟ ଆମେ ଏଥିପାଇଁ ଖୁବ୍‌ ଖୁସି ହେଲୁ । ଖୁସି ହେବାର କଥାତ ! କାରଣ ସେ ତ ଆମର ଆକାଂକ୍ଷିତ କଳ୍ପନାର ଯାବତୀୟ ପ୍ରତିବିମ୍ବ ନେଇ ବଢ଼ି ଉଠିଲା ।

 

ଆମ ବଂଶ ଏମିତି ଯେ, ଆମ ବଂଶରେ କେହି ଦୁଲଣୀ ଦୁହିତା ନାହିଁ ।

 

ଆମେ ଭାବିଥିଲୁ ପୁଅ ହେବ, ଆମେ ଭାବିଥିଲୁ ଏ ବଂଶର ଯାହା ସ୍ୱକୀୟତା, ତାହାକୁ ବହନ କରି ଯେଉଁ ସନ୍ତାନଟିଏ ଘରର ଭୂଇଁରେ ପାଦ ଦେବ, ସେ ନିଶ୍ଚୟ ପୁଅ ହେବ ।

 

କିନ୍ତୁ ଆମେ ଯାହା ଭାବିଥିଲୁ, ଆମର ଭାବନାରେ ଏକ ଖୁସି ଝଡ଼ ବହିଯାଇ ଆମ ଭାବନାକୁ ଓଲଟପାଲଟ କରିଦେଲା ।

 

ବୀରେନ୍‌ର ଝିଅ ହେଲା ।

 

ଦୁଲଣୀ ଦୁହିତା ।

 

ସେ ମୁଣ୍ଡ ବାନ୍ଧିଲା । କଳା ଲଗାଇଲା । କୁଙ୍କୁମ ଲଗାଇଲା । ଗହଣା ପିନ୍ଧିଲା । ଝୁମୁରୁଝୁମୁରୁ ହେଇ ଏ ଘର ସେ ଘର ବୁଲିଲା ଖେଳିଲା । ନାଚିଲା ।

 

ଝିଅମାନେ ମୁଣ୍ଡ ବାନ୍ଧନ୍ତି, କଳା ଲଗାନ୍ତି, କୁଙ୍କୁମରେ ସଜ ହୁଅନ୍ତି, ଏ କଥା ନୂଆ ନୁହେଁ-

 

କିନ୍ତୁ ଏ ସବୁ ଆମକୁ ନୂଆ । ମୋ ଅଣନାତୁଣୀକୁ ତିନିବରଷ ।

 

କୁଣ୍ଢେଇ ସେ । ଥାକୁଲୁମାକୁଲୁ, ଗୋଲଗାଲ ବଡ଼ ହରଷ ।

 

ଗୋଟାଏ କଥା ମୁଁ କହିନି । ଏହାର ଠିକ୍ ଚାରିବର୍ଷ ଆଗରୁ ଜିନୀର ଗୋଟିଏ ପୁଅ ହେଇଥିଲା । ଏହାବି ତା’ ପରିବାରରେ ଏକ ବ୍ୟତିକ୍ରମ । ସେମାନେ ପୁଅ ମୁହଁ ଆଦୌ ଚାହିଁ ନଥିଲେ । ଏଥରକ ପୁଅ ହେଲା । ତାଙ୍କୁ ସତେ ଯେପରି କୋଟିନିଧି ମିଳିଗଲା ।

 

କିନ୍ତୁ ଏହି ବ୍ୟତିକ୍ରମ ପରେ ଆହୁରି ଏକ ବ୍ୟତିକ୍ରମ ଦୁଇଗୁଣ ହେଇ ହଠାତ ଦେଖାଗଲା । ହଁ ବ୍ୟତିକ୍ରମ । ଆମେ କି ସିଏ କେହି, ଆଶାକରି ନଥିଲୁ ଏପରି ଘଟିବ ବୋଲି । କିନ୍ତୁ ଏପରି ଘଟନାର ଆକସ୍ମିକତା ଭଗବାନ୍‍ଙ୍କ ଇଚ୍ଛା ସୃଷ୍ଟ । ବୋଧହୁଏ ତିନିପୁରୁଷ ପରେ ଏହା କେବଳ ଭଗବାନ୍‍ଙ୍କ ଦ୍ୱାରା ସମ୍ଭବ ହେଲା ।

 

କାଠଯୋଡ଼ିରେ ବନ୍ୟା ହେଇଛି । ଅସମ୍ଭବ ବନ୍ୟା । ବନ୍ୟା ବିପଦ ସଙ୍କେତ ଟପିଛି ।

 

ନାତୁଣୀବୋହୂ ଅନୁପମାର ଜିଦ୍‌, ସେ ବନ୍ୟା ଦେଖିଯିବ । ମୋ ସ୍ତ୍ରୀ ସୁଷମାର ଇଚ୍ଛା ଯେ, ସେ ମଧ୍ୟ ବନ୍ୟା ଦେଖିଯିବ । ଘରେ ରହିରହି ତାଙ୍କୁ କୁଆଡ଼େ ଚିଟା ଲାଗିଲାଣି ।

 

ମୁଁ କହିଲି–ତମେ ଦି’ଜଣ ଯଦି ଯିବ, ତେବେ ଏକା ବୋହୂ କାହିଁକି ରହିବ ? ସେ ମଧ୍ୟ ଯାଉ । ଡ୍ରାଇଭରକୁ କୁହ, ତମକୁ ବୁଲାଇ ଆଣିବ ।

 

ଅନୁପମା ମନା କଲା, କହିଲା–ସବୁଦିନ ସେଇ କାର୍‌ରେ ବସିବସି ଚିଟା ଲାଗୁଛି । କାର୍‌ଫାର ଦରକାର ନାଇଁ । ଆମେ ଚାଲିକି ଯିବୁ । ହେଲେ ଅଜା–ଆମ ସାଥିରେ କିଏ ଯିବ ?

 

କାହିଁକି, ଡର ଲାଗୁଛି କି ? ନାତି ଟୋକାକୁ ସାଥିରେ ନଉନୁ ?

 

ହଁ, ସେ ତ ଯିବେ । ହେଲେ ତୁମେ ନ ଗଲେ କ’ଣ ଆଈକୁ ଭଲ ଲାଗିବ ?

 

ତାହାହେଲେ ତୁ କ’ଣ କହୁଛୁ ?

 

କ’ଣ ଆଉ କହିବି ? ତମେ ମଧ୍ୟ ଯିବ ।

 

ଆଚ୍ଛା ଅସୁବିଧାରେ ପକାଇଲୁ ତ ! ଆଚ୍ଛା ଧୀରେନ୍‌ ? ମୁଁ ତାହାକୁ ପଚାରିଲି ବାପା ଚା’ ଖାଉଛନ୍ତି ।

 

ସମସ୍ତେ ଯଦି ଯିବା, ତେବେ ଧୀରେନ୍‌ ନ ଯିବ କାହିଁକି ? କେତେ ଜଣଙ୍କ ଭାଗ୍ୟରେ ଥାଏ ବାପ, ପୁଅ, ନାତି ଆଉ ଶାଶୂ, ବୋହୂ, ନାତୁଣୀ ଏକା ସାଥିରେ ବୁଲିଯିବା ପାଇଁ ? ଆମେ ତ ରାସ୍ତାରେ ସମସ୍ତେ ଯେତେବେଳେ ଯାଉଥିବା, ସେତେବେଳେ ସମସ୍ତେ ଆମକୁ ଦେଖି ହିଂସା କରିବେ । ମୁଁ କହିଲେ ହୁଏତ ସେ କାମର ଆଳ ଦେଖାଇ ମନା କରିପାରେ । ତୁ ଯାଇ କହ । ସେ ତୋ କଥା ମାନିବ ।

 

ଧୀରେନ୍‌ର ରାଜି ନ ହେବାକୁ ବାଟ ନଥିଲା ।

 

ଆମେ ସମସ୍ତେ ବାହାରିଲୁ । ମୁଁ ମୋ ସ୍ତ୍ରୀ, ଧୀରେନ୍‌ ତା’ ସ୍ତ୍ରୀ, ବୀରେନ୍‌ ତା’ ସ୍ତ୍ରୀ ଆଉ ତା’ର ଏକ ଝୁଅ ନୀଳିମା । ସମସ୍ତେ ଏ ଝାଙ୍କ ପ୍ରସେସନ୍‌ ଆରମ୍ଭ କଲୁ ।

 

ଆମେ ରାସ୍ତାରେ ଚାଲିଛୁ । ଆଗପଛ ହେଇ, କଥା କହି, ହସିହସି ଆଗେଇ ଚାଲିଛୁ । ଆମ ଦେହରେ ଭଲ ବେଶଭୂଷା । ଆମ ମୁହଁରେ ପାଣ୍ଡିତ୍ୟର ଛାଇ । ଏଥିପାଇଁ ବାଟଯାକ ଆମେ ଖାଲି ନମସ୍କାର ପାଉଛୁ ।

 

ସମସ୍ତେ ଆମ ଏ ଚାଲି ଦେଖି ପ୍ରଶ୍ନ ପଚାରୁଛନ୍ତି–କ’ଣ କାର୍‌ କୁଆଡ଼େ ଗଲା ? ଏପରି ଚାଲିକି ଆପଣ କୁଆଡ଼େ ଯାଉଛନ୍ତି ?

 

ସେହି ଏକା ଉତ୍ତର–କାର୍‍ରେ ସବୁଦିନେ ତ ଯାଉଛୁ । ଆଜି ଏ ଚାଲିବାରେ ନୂତନତ୍ୱ ଅଛି । ନିଜକୁନିଜେ ପାଇବାର ଜିଜ୍ଞାସା ରହିଛି ।

 

ଆମେ ଚାଲିଥିଲୁ ।

 

ଏହି ତାଙ୍କ ଘର । ଏହି ତାଙ୍କ ନୀଳ ଆସମାନୀ ମହଲ ।

 

କିନ୍ତୁ କେହି ନାହିଁ । କାହା ମୁହଁ ଦିଶୁ ନାହିଁ ।

 

ଆଜି ତ କେନ୍‌ ଚେୟାର ବିଲ୍‍କୁକ୍‍ ଶୂନ୍‌ । ଆଜି ତ ବଗିଚାରେ ମାଳୀକୁ କେହି ଆଦେଶ ଦେଉ ନାହାନ୍ତି । ଆଜି ତ ଝରକାର ଫାଙ୍କରେ କୋଉ ଚାନ୍ଦର ମୁହଁ ଦିଶୁନାହିଁ । ଆଜି ତ ରସମଲ୍ଲୀ ଫିଟି ପଡ଼ୁନାହିଁ ।

 

ମୁଁ ଚାହିଁଲି–ନା..., କେହି ନାହିଁ ।

 

ମୋ ପୁଅ ଚାହିଁଲା–ନା..., କେହି ନାହିଁ ।

 

ମୋ ନାତି ଚାହିଁଲା-ନା..., କେହି ନାହିଁ ।

 

ବାପା କହିଲା ମନେମନେ–ସାଥୀରେ, ଗଲୁ ତୁହି କାହିଁ ?

 

ପୁଅ କହିଲା ମନେମନେ–ସାଥୀରେ, କାହିଁ ଗଲୁ ତୁହି ?

 

ନାତି କହିଲା ମନେମନେ–ସାଥୀରେ, ତୁହି ଗଲୁ କାହିଁ ?

 

ଆଜି ମୋ ପ୍ରାଣ+ମୋ ପୁଅ ପ୍ରାଣ+ମୋ ନାତି ପ୍ରାଣ କାନ୍ଦେ ହାଇରେ–ହାଇ ! ନୀଳ ଆସମାନୀ ମହଲରେ ତାଲା ପଡ଼ିଛି । କେହି ନାହିଁ କେହି ନାହିଁ ।

 

ଆମେ ସବୁ ଆଗେଇ ଚାଲିଛୁ ।

 

ଚାରିଆଡ଼େ ଆଲୋଚନା–ଘୋର ବଢ଼ି ।

 

ଭୟଙ୍କର–ଭୟଙ୍କର ଏ କାଠଯୋଡ଼ି !

 

ଆମେସବୁ କାଠଯୋଡ଼ିକୂଳରେ ପହଞ୍ଚିଲୁ ବହୁତ ଦିନ ପରେ, ଦିନ କହିଲେ ଭୁଲ୍ ହବ, ବହୁତ ବର୍ଷ ପରେ ମୁଁ ଆଜି କାଠଯୋଡ଼ିକୂଳକୁ ଆସୁଛି । ମୋ ପୁଅ, ମୋ ନାତି ଆଉ ଆମର ବୋହୂମାନେ ଆସୁଛନ୍ତି ।

 

ସଦାବେଳେ କାମ, ଆଉ କାମ ଚିନ୍ତା । ଆଜି କିନ୍ତୁ, ସେ ଜଞ୍ଜାଳରୁ ମୁକ୍ତି ମିଳିଛି । ମୁଁ କାଠଯୋଡ଼ିକୁ ଚାହିଁଲି ।

 

ଅସମ୍ଭବ ବଢ଼ି ।

 

ଭୟଙ୍କର, ନିଃଶଙ୍କ, ଦୁର୍ବାର ଏ କାଠଯୋଡ଼ି ।

 

ଚାରିଆଡ଼େ ଲୋକ । ଭଳିଭଳି ଲୋକ । ଲୋକଙ୍କ ଅସୁମାରି ଅକଳନ ଥାଟ୍ ।

 

କାଠଯୋଡ଼ି ମାରୁଛି କୁହାଟ ।

 

ଆଗେଇ ଚାଲୁଛନ୍ତି–ବୀରେନ୍ଦ୍ର ଅନୁପମା ।

 

ମଝିରେ ଚାଲୁଛନ୍ତି–ଧୀରେନ୍ଦ୍ର, ମନୋରମା ।

 

ତାଙ୍କ ପଛରେ ଚାଲୁଛୁ ଆମେ ଦୁଇପ୍ରାଣୀ–ନରେନ୍ଦ୍ର, ସୁଷମା । ମୋର ହାତ ଧରି ଚାଲୁଛି କୁଣ୍ଢେଇ ନୀଳିମା ।

 

ଆମେ ସବୁ ବନ୍ଧ ଉପରେ ଚୁପ୍‌ଚାପ୍‌ ବସିଗଲୁ । ନଦୀର ଦୃଶ୍ୟକୁ ମର୍ମେମର୍ମେ ଉପଭୋଗ କଲୁ ।

 

ଏ ତ ଶ୍ରାବଣର ଶେଷ ।

 

ଆକାଶରେ ବାଦଲର ଚାଲିଅଛି ରେସ୍‌ ।

 

ଟପ୍‌ଟାପ୍‌ ବର୍ଷା ପଡ଼ୁଛି ।

 

ଆମେ ତ ଓଦା ହୋଇଯିବା !

 

ଟାକ୍‌ସି–ଟାକ୍‌ସି... !

 

ଆମର..., ଏ କ’ଣ ? ଏ କ’ଣ ? ଆମ ଆଖି ତାରା ଉଠିଲା ଝଲସି ।

 

ରସମଲ୍ଲୀ ! ରସମଲ୍ଲୀ ।

 

ଝିଲିମିଲି ।

 

କାଦମ୍ବିନୀ, ସୌଦାମିନୀ, ସରୋଜିନୀ ଆମ ପରି ବଢ଼ି ଦେଖିବାକୁ ଚାଲିଚାଲି ଆସିଛନ୍ତି-। ଏଇ ବର୍ଷାପାଇଁ ସେମାନେ ବୋଧହୁଏ ଟାକ୍‌ସିକୁ ଅପେକ୍ଷା କରିଛନ୍ତି ଫୁଟ୍‌ପାଥ ଉପରେ-। ସାଥିରେ ତାଙ୍କର ଛଅ ସାତବର୍ଷର ପୁଅ ସରୋଜିନୀର ପୁଅ ।

 

ଟାକ୍‌ସି–ଟାକ୍‌ସି... ।

 

କିନ୍ତୁ ଟାକ୍‌ସି ଚାଲିଯାଉଛି ଅପେକ୍ଷା କରୁନି ।

 

ଆମେ ଫୁଟପାଥରେ ଧାଡ଼ି ବାନ୍ଧି ଠିଆ ହେଇଛୁ । ମୁଁ ମୋ ସ୍ତ୍ରୀ, ଧୀରେନ୍‌ ତା’ ସ୍ତ୍ରୀ, ବୀରେନ୍‌ ତା’ ସ୍ତ୍ରୀ, ନୀଳିମା । ସେମାନେ ଧାଡ଼ିବାନ୍ଧି ମଧ୍ୟ ଠିଆ ହେଇଛନ୍ତି କାଦମ୍ବିନୀ, ସୌଦାମିନୀ ଓ ସରୋଜିନୀ ଓ ତାଙ୍କ ପୁଅ । ତାଙ୍କ ସ୍ୱାମୀମାନେ ଆସି ନାହାନ୍ତି । ବ୍ୟବସାୟ ଯୋଗୁଁ ବାହାରେ ରହିଛନ୍ତି ।

 

ଟାକ୍‌ସିପାଇଁ ମନରେ ପ୍ରବଳ ଉତ୍ତେଜନା, ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା । ଦୁଇଟି ପରିବାର ଭିତରେ ଆଜି ଏ ପ୍ରତିଯୋଗିତା । କିଏ ଟାକ୍‌ସି ପାଉଛି କେଜାଣି ?

 

ଟାକ୍‌ସି–ଟାକ୍‌ସି... !

 

ଟାକ୍‌ସି ଅଟକୁନାହିଁ ।

 

ଆମେସବୁ ଚୁପ୍‌ଚାପ୍‌ ଠିଆ ହେଇଛୁ । ସିଧାସଳଖ ଠିଆ ହେଇଛୁ । ଆମର ବାମ ଦିଗରେ ଆମର ପ୍ରେମିକାମାନେ ପୁରୁଷାନୁକ୍ରମେ ଆମର ଦକ୍ଷିଣ ଦିଗରେ ଆମର ସ୍ତ୍ରୀମାନେ ପୁରୁଷାନୁକ୍ରମେ । କେହି କାହାକୁ କିଛି କହୁନାହାନ୍ତି । ସବୁ ଚୁପ୍‌ଚାପ୍‌ । କିନ୍ତୁ ମନ ଆରେ ଗୁଡ଼ାଏ ଭଟରଭଟର ହଉଛି ।

 

ମୁଁ ରାସ୍ତାକୁ ଚାହିଁଛି । ହଠାତ ମୋ ଆଖି କେଜାଣି କାହିଁକି କାଦମ୍ବିନୀର ମୁହଁ ଆଡ଼କୁ ଟାଣି ହେଇଗଲା ।

 

ମୁଁ ଆପଣଙ୍କୁ ପ୍ରଥମେ, ମାନେ–ମୋର ଏ ବହିର ଓପନିଙ୍ଗ୍‌ ସେଣ୍ଟେନ୍‌ସ୍‌ରେ କହିଥିଲିନା, ଏଇ ଝୁଅମାନେ ସଦାବେଳେ ଟିକେ ଦୁଷ୍ଟ–ଦୁଷ୍ଟ । ମନେ ଅଛି ?

 

ହଁ..., ପ୍ରକୃତରେ ଏଇ ଝୁଅମାନେ ସଦାବେଳେ ଟିକେ ଦୁଷ୍ଟ–ଦୁଷ୍ଟ ।

 

ଆଉ ଆମେ ସେମାନଙ୍କୁ ଝୁରିଝୁରି ନଷ୍ଟଭ୍ରଷ୍ଟ ।

 

ଏଇ ଦେଖ, ଏତିକି ଢଙ୍ଗ ତା’ର ! ଏତିକି ଗୁମର ତା’ର ! କେତେବେଳୁ କାଦମ୍ବିନୀ ମତେ କଣେଇ ଚାହିଁ ପିଇ ଯାଉଛି । ହଠାତ ତା’ର ଆଖି ସାଥିରେ ମୋ ଆଖିର ଯେମିତି ଭେଟ ହୋଇଗଲା, ଅଦ୍ଭୁତଭାବେ ଛଇ ଛଟକରେ ସେ ତା’ର ମୁହଁକୁ ମୋଡ଼ି ଦେଲା । ତା’ର ଏ ଦୁଷ୍ଟାମିରେ ମୁଁ ହସିଦେଇ ମୋର ମୁହଁକୁ ସିଧା କରିନେଲି । କିନ୍ତୁ ମୋ ଆଖି ପୁଣି ତା’ ଆଡ଼କୁ ଟାଣି ହେଇଯାଉଛି । ଆରେ..., ସେ ମୋତେ କେତେବେଳୁ ପୁଣି ଅନାଇ ପିଇ ଯାଉଛି ? ମୁଁ ହସିଦେଲି । ଆହୁରି ଜୋର୍‍ରେ ସେ ମୁହଁ ମୋଡ଼ିଦେଲା । ସେ ମୋର ଅତୀତ ଦିନର ସାଥୀ । –ମୋ ସୁଖଦୁଃଖ ସେ ଅଧାଅଧା ଭାଗ ନେଇଥିଲା । ମୁଁ ବୁଢ଼ାହେଲେ ମଧ୍ୟ ଆଜି ଯାଏଁ ମଧ୍ୟ ତା’ ପ୍ରତି ମୋର ସେଇ ସ୍ନେହ ରହିଛି । କେବଳହିଁ ସ୍ନେହ । ସ୍ନେହ କ’ଣ କେବେ ପାପ ହୋଇପାରେ? ମୁଁ ତାକୁ ପୁଣି ଚାହିଁଲି-। ଦି’ଚାରି ଥର ଦୁଇ ଆଖିର ଭେଟରେ ଚାଲିଥିଲା । ବୁଢ଼ାବୁଢ଼ୀ ଖେଳ !

 

ଓଃ... ! ମରିଗଲି !

 

ହଠାତ ମୋର କଙ୍କାଳରେ କହୁଣି ଭୁସା କିଏ ମାରି ଦେଲା ?

 

ମୁଁ ଦେଖିଲି ସେଇ ସାଙ୍ଗେ ସାଙ୍ଗେ, ମୋ ପୁଅ ନାତିମାନେ ମଧ୍ୟ ତାଙ୍କ କଙ୍କାଳକୁ ଆଉଁଶୁଛନ୍ତି ।

 

ତାଙ୍କ କଙ୍କାଳକୁ କିଏ ମାରିଲା ?

 

ସେମାନେ କ’ଣ ମୋ ପରି ତାଙ୍କର ସାଥୀମାନଙ୍କୁ ଚାହିଁ ରହିଥିଲେ ? ଆଖିରେଆଖିରେ ଖେଳ ଖେଳୁଥିଲେ ?

 

ଆମ କଙ୍କାଳକୁ ଗୋଟିଏଗୋଟିଏ ଭୁସା ମାରି ମୋର, ମୋ ପୁଅର, ମୋ ନାତିର ସ୍ତ୍ରୀମାନେ ଗାରୁଗାରୁ ହଉଛନ୍ତି ।

 

ଆମେ ସୁନା ପୁଅପରି ଠିଆ ହୋଇଗଲୁ ହୁକୁମ ତାମିଲକରା ସିହାହୀ ପରି ।

 

ଆରେ, ଏଇ ସମୟ ଭିତରେ ସେମାନେ କୁଆଡ଼େ ଗଲେ ? ଏଇ ଟିକକ ସମୟ ଭିତରେ କାଦମ୍ବିନୀ, ସୌଦାମିନୀ, ସରୋଜିନୀ କୁଆଡ଼େ ଚାଲିଗଲେ ?

 

ଟାକ୍‌ସି-ଟାକ୍‌ସି... !

 

ଆମେ ଦେଖିଲୁ, ଏଇ ଅଳ୍ପ ସମୟ ଭିତରେ ଯେଉଁ ଟାକ୍‌ସି ଆସିଥିଲା, ସେଇ ଟାକ୍‌ସି ଆମର ଅନ୍ୟମନସ୍କତା ଫଳରେ ସେମାନଙ୍କୁ ନେଇ ଯାଉଛି ।

 

ଆରେ, ଆମ ଝିଅ ?

 

ଆମ ଝିଅ ନାହିଁ । ମୁଁ ଆମ ଝିଅକୁ ଯେଉଁ ଉପରକୁ ଉଠା ଧଳା ଗ୍ୟାସ୍ ବେଲୁନ୍‌ଟା କିଣି ଦେଇଥିଲି, ସେହି ଗ୍ୟାସ୍‌ ବେଲୁନଟା କେତେବେଳୁ ତା’ହାତରୁ ଖସି କାର୍‍ର କାଚ ଟପି ଉପରକୁ ଉଠି ଯାଉଛି । କିନ୍ତୁ ସେ ଟାକ୍‌ସିରେ ଭୁଲ୍‍ରେ ତାଙ୍କ ସାଥିରେ ପଳାଇ ଯାଉଛି, ଆଉ ତାଙ୍କ ପୁଅ ଭୁଲ୍‍ରେ ଆମ ମେଳରେ ରହିଯାଇଛି ।

 

ତାଙ୍କ ପୁଅ ନିରୀହଭାବେ ଠିଆ ହୋଇଛି ।

 

ମୁଁ ତାକୁ ଚାହିଁଲି । ଗୋରା ତକତକ ସାତ ଆଠବର୍ଷର ପୁଅ । ଜଳକା, ବୋକା ହୋଇ ମତେ ସେ ଜୁଳୁଜୁଳୁ ଚାହିଁରହିଛି, ଆଉ କାନ୍ଦିବ କାନ୍ଦିବ ବୋଲି ହଉଛି । ପିନ୍ଧିଛି ନୀଳ ରଙ୍ଗର ଦାମୀ ସାର୍ଟ । ନାଲି ରଙ୍ଗର ପ୍ୟାଣ୍ଟ । ବିଚିତ୍ର ମୋଜା ସାଥିରେ ଚିକ୍‌ଚିକ୍‌ କଳାଜୋତା ।

ସେ ବି ତା’ର ହାତରେ ଧରିଛି ଗୋଟାଏ ନାଲି ରଙ୍ଗର ଗ୍ୟାସ୍‌ ବେଲୁନ୍ ।

ତାଙ୍କ ପୁଅକୁ କୋଳକୁ ଆଣିବାପାଇଁ ମୋର ହୃଦୟରେ କିପରି ଏକ ଆବେଗର କମ୍ପନ ଖେଳିଗଲା । ଥରଥର ହାତରେ ତାକୁ କୋଳରେ ଧରି ତା’ର ମୁହଁରେ ମୁଁ ଅସଂଖ୍ୟ ଚୁମ୍ବନ ଢାଳି ଦେଲି ।

ତିନିପୁରୁଷ ଧରି କେବେ ପୁଅ-ଝିଅ ଅଦଳବଦଳ ତାଙ୍କ ଘର ଆଉ ଆମ ଘର ଭିତରେ ହେଇ ନଥିଲା ।

ଆମ ଝିଅ ତାଙ୍କ ପାଖରେ । ତାଙ୍କ ପୁଅ ଆମ ପାଖରେ ।

ମୋ କୋଳରେ ପୁଅ ଥାଇ ଖୁଜୁବୁଜୁ ହେଉଥିଲା । ସେ ତା’ର ହାତ ମୁଠାକୁ ବୋଧହୁଏ ଏହି ସମୟରେ ଶିଥିଳ କରିଦେଲା । ମୁଁ ଦେଖିଲି, ଯେଉଁ ବେଲୁନ୍‍ଟା ସେ ଧରିଥିଲା, ହଠାତ ତା’ର ହାତରୁ ସେଇଟା ଖସି ଉପରକୁ ଉଠିଗଲା ।

ଉପରେ ଉଡ଼ିଯାଉଛି ଧଳା ବେଲୁନ୍ ଆମ ଝିଅର, ଆଉ ସେଇ ଧଳା ବେଲୁନ୍‌କୁ ଧରିବାପାଇଁ ବୋଧହୁଏ ତାଙ୍କ ପୁଅର ନାଲି ବେଲୁନ୍‌ ସାଇଁସାଇଁ ଉଠିଯାଉଛି ।

ମୁଁ ଉପରକୁ ଚାହିଁଥିଲି । ପୁଅ ଉପରକୁ ଚାହିଁଥିଲା । ସୁଷମା, ମନୋରମା ଓ ଅନୁପମା ସମସ୍ତେ ଉପରକୁ ଚାହିଁଥିଲେ ।

ଆକାଶରେ ଉଠିଯାଉଛି ଧଳା ବେଲୁନ୍‌ । ଉଡ଼ିଯାଉଛି ଧଳା ବେଲୁନ୍ ପବନରେ ଦୋଳି ଖେଳି, ଆଉ ତା’ ପାଖକୁ ଝପଟି ଯାଉଛି ମିଶି ଯିବାପାଇଁ ନାଲି ବେଲୁନ୍‍ଟା ପ୍ରଖର ଗତିରେ ।

ହସିହସି ମୁଁ କହିଲି–ଦେଖିଲୁ–ଦେଖିଲୁ ବାପା, ତା’ ବେଲୁନ୍ ଆଉ ତୋ ବେଲୁନ୍‌ କିପରି ଏକ ହେଇ ଉଡ଼ି ଯାଇଛନ୍ତି ଉପରକୁ–ଖୁବ୍ ଉପରକୁ ପବନ କାଟି, ବାଦଲ କାଟି ଅନନ୍ତ ଆକାଶରେ ମିଶିଯିବା ପାଇଁ ଏଇ ସେମାନେ ବେଲୁନ୍‍ରୁ ବିନ୍ଦୁ ହେଇଗଲେ । ଏଇ ସେମାନେ ବିନ୍ଦୁ ହେଇ ସେ ବାଦଲ ଭିତରେ ପଶି ଗଲେ । ଏଇ ସେମାନେ ସେ ବାଦଲ ଭିତରେ ପଶି କାହିଁ କୁଆଡ଼େ ମହା ସତ୍ତାରେ ।

ଆମେ ସମସ୍ତେ ଉପରକୁ ଚାହିଁ ରହିଥିଲୁ । କିନ୍ତୁ ବେଲୁନ୍‌ ଦୁଇଟି କାହିଁ କୁଆଡ଼େ ଏକ ହୋଇ ଭାସି ଯାଇଥିଲେ ।

ପୁଅଟା ମୋ ଛାତିରେ ରହି ମତେ ଦୁଇ ହାତରେ କୁଣ୍ଢାଇ ଧରିଥିଲା ।

ଝିପିଝିପି ବର୍ଷା ପଡ଼ୁଛି ।

ସଙ୍ଗୀତ ଗାନ କରୁଛି ବର୍ଷା ।

ନୃତ୍ୟ କରୁଛି ବର୍ଷା । ଝିରିଝିରି ବର୍ଷା । ରିମ୍‌ଝିମ୍‌ ବର୍ଷା ।

ମୁଁ ଚାହିଁ ରହିଥିଲି ଆକାଶକୁ । ବାଦଲରେ ସୂର୍ଯ୍ୟ ଅଧା ମୁହଁ ଦେଖାଉଛି । ହସିଲା ସୂର୍ଯ୍ୟ । ହସିଲା ବର୍ଷା ।

ଆକାଶରେ ଏ ଦିଗରୁ ସେ ଦିଗ ବିଚିତ୍ର ବର୍ଣ୍ଣର ଇନ୍ଦ୍ରଧନୁ । ରଙ୍ଗମୟ ଇନ୍ଦ୍ରଧନୁ । ଇନ୍ଦ୍ରଧନୁ ଆକାଶକୁ ରଙ୍ଗମୟ କରୁଛି ।

ରଙ୍ଗ । ରଙ୍ଗ ।

ଆକାଶରେ ଇନ୍ଦ୍ରଧନୁର ରଙ୍ଗ । ଭରା ରଙ୍ଗ ।

ସେ ରଙ୍ଗରେ ଯେପରି ମାତିଉଠୁଛି ମୋ ଜୀବନ ତରଙ୍ଗ । ମୋ ପୁଅ, ମୋ ନାତି ଜୀବନ ତରଙ୍ଗ ।

ରଙ୍ଗରେ ଭରପୂର ଏ ଜୀବନ ।

ଜୀବନ ରଙ୍ଗ ।

Image